Unknown

 

 

 

 

 

 

 

 

ଓଡ଼ିଶାର ଲୋକ ସଂସ୍କୃତି :
ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ

 

ଲେଖକ

ପ୍ରାଧ୍ୟାପକ ସୁନୀଲ ରଥ

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ

 

ପ୍ରାଗ୍‌ଭାଷ

 

“ଓଡ଼ିଶାର ଲୋକ ସଂସ୍କୃତି: ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ” ଶୀର୍ଷକ ପ୍ରବନ୍ଧ ସଂକଳନଟି ପ୍ରସ୍ତୁତ କରିବା ପୂର୍ବରୁ ମନରେ ସ୍ୱତଃ ପ୍ରଶ୍ନ ଉଠିଥିଲା ଓଡ଼ିଶାର ସଂସ୍କୃତି କହିଲେ ଆମେ କ’ଣ ବୁଝୁ? ଏହା ସତ୍ୟ ଯେ ଉତ୍କଳ କଳିଙ୍ଗ, ଉଡ୍ର ଇତ୍ୟାଦି ନାମଧାରୀ ଏହି ଭୂଖଣ୍ଡଟି ଆଦିମ ଦ୍ରାବିଡ଼ ଏବଂ ଆର୍ଯ୍ୟ ସଭ୍ୟତାର ଏକ ମିଳନ ଭୂମି ଥିଲା । ତା ସହିତ ଏହି ମାଟିରେ ଜୈନ, ବୌଦ୍ଧ, ଶୈବ, ଶାକ୍ତ, ଗାଣପତ୍ୟ, ବୈଷ୍ଣବ ଆଦି ବହୁ ଉପଧର୍ମର ବିକାଶ ମଧ୍ୟ ଘଟିଥିଲା । ଫଳରେ ଓଡ଼ିଶାର ସଂସ୍କୃତି ବହୁ ଚେତନା ଏବଂ ଧର୍ମର ମିଳିତ ଭାବକୁ ନେଇ ସମୃଦ୍ଧ ଏବଂ ପରିପୁଷ୍ଟ ହୋଇଉଠିଲା । ଯାହା କ୍ରମଶଃ ପରସ୍ପର ସହିତ ମିଳିତ ହୋଇ ନିଜ ନିଜର ସ୍ୱାତନ୍ତ୍ର ହରାଇବା ସହ ଉତ୍କଳର ଲୋକ ପରମ୍ପରା ଭିତରେ ବିସ୍ମୃତ ହୋଇଗଲା ।

 

ଏତଦ୍‌ଭିନ୍ନ ଏ ମାଟିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମଧ୍ୟ ଲୋକ ଚେତନା ଓ ଲୋକ ବିଶ୍ୱାସର ପ୍ରଭାବରେ ଉତ୍କଳର ସାଂସ୍କୃତିକ ଆଧାରସ୍ତମ୍ଭ ଭାବରେ ସେହି ପ୍ରାଚୀନ ସମୟରୁ ରହି ଆସିଛନ୍ତି । ଯାହା ଫଳରେ ଓଡ଼ିଶାର ଲୋକ ସଂସ୍କୃତିର ପ୍ରତିଟି ସ୍ତରରେ ଶ୍ରୀଜଗନ୍ନାଥଙ୍କୁ ପ୍ରତୀକାତ୍ମକ ଭାବ ଦେଖିବାକୁ ମିଳିଥାଏ । ଭିନ୍ନ ଭାବରେ କହିଲେ, ଓଡ଼ିଶାର ସାଂସ୍କୃତିକ ଜୀବନ ଯେଉଁ ମୁଖ୍ୟ ଆଧ୍ୟାତ୍ମିକ ଚେତନାକୁ କେନ୍ଦ୍ର କରି ସହସ୍ରବର୍ଷ ଧରି ବିକାଶ ଓ ବ୍ୟାପ୍ତି ପାଇଛି ତାହା ହେଉଛି ଶ୍ରୀଜଗନ୍ନାଥ ଚେତନା ।

 

ଗୋଟିଏ ଜାତି ସମସାମୟିକ ସଭ୍ୟତାର ପ୍ରଭାବରେ ଯେତେ ଉନ୍ନତ ହେଉନା କାହିଁକି, ସେ ତା’ର ଅତୀତକୁ ସଦାସର୍ବଦା ଚାହେଁ । ଅତୀତ ଭିତରେ ରହିଥିବା ତା’ର ସାଂସ୍କୃତିକ ମର୍ଯ୍ୟଦାଟି ଯେ ତା’ର ଐତିହ୍ୟର ଏକ ଜ୍ୱଳନ୍ତ ଉଦାହରଣ ଏକଥା ସେ ବେଶ୍ ବୁଝିପାରେ । ତେଣୁ ଯେତେ ସଭ୍ୟତା ଉନ୍ମୁଖ ହେଲେ ମଧ୍ୟ ସଂସ୍କୃତିକୁ ନିଜର ପରିଚୟ ଭାବରେ ବ୍ୟବହାର କରିଥାଏ । ଏକଥା ସତ୍ୟ ଯେ, ସଂସ୍କୃତି ସମ୍ପୂର୍ଣ୍ଣ ସ୍ଥାଣୁ ନୁହେଁ । ଏହା ସଦା ସର୍ବଦା ଚଳମାନ । ସଭ୍ୟତା ସହିତ ତାଳ ଦେଇ କିଛି କିଛି ନୂତନତ୍ୱକୁ ଆପଣାଇଥାଏ । କିଛି ପରିମାଣରେ ବିବର୍ତ୍ତିତ ବା ପରିବର୍ଦ୍ଧିତ ହୋଇଥାଏ । କିନ୍ତୁ ମୂଳ ପଞ୍ଜରଟି ସେମିତି ଅପରିବର୍ତ୍ତତ ଥାଏ । କାରଣ ଗୋଟିଏ ଅଞ୍ଚଳର ବା ଜାତିର ଅନ୍ତଃପ୍ରକୃତି ହିଁ ସେହି ଅଞ୍ଚଳ ବା ଜାତିର ସଂସ୍କୃତି ଭାବରେ ରହିଆସିଛି । ସଭ୍ୟତାର ଯେତେ ବହିର୍ବିକାଶ ଘଟିଲେ ମଧ୍ୟ ଅନ୍ତ ସଲୀଳା ଫଲ୍‌ଗୁ ପରି ଏହି ବିକାଶଧାରା ଭିତରେ ପାରମ୍ପରିକ ସଂସ୍କୃତି ସଦା ପ୍ରବାହମାନା ଅଟେ । ପାରମ୍ପରିକ ସାଂସ୍କୃତିକ ଧାରା ଭିତରୁ ହିଁ ଗୋଟିଏ ଅଞ୍ଚଳର କିମ୍ବା ଗୋଷ୍ଠୀର ଚାଲିଚଳଣ, ଆଚାରବିଚାର, ରୀତିନୀତି, ଧର୍ମବିଶ୍ୱାସ, ଚିନ୍ତାଚେତନା, ସାମାଜିକ ଉତ୍ସବ ଆଦିର ମର୍ମବାଣୀ ଫୁଟିଉଠେ ।

 

ଗୋଟିଏ ଅଞ୍ଚଳର ବା ଗୋଟିଏ ସମାଜର ଉତ୍‌ଥାନ ପତନର ଧାରା ସହିତ ସଂସ୍କୃତି ଓତଃପ୍ରୋତ ଭାବରେ ଜଡ଼ିତ । ପୁଷ୍ପର ସୁରଭି ପରି ସଂସ୍କୃତି ସ୍ୱୟଂପ୍ରକାଶ ।

 

ସମଗ୍ର ଓଡ଼ିଶାର ଲୋକଚେତନାରେ ରହିଥିବା ବିଭିନ୍ନ ଅଞ୍ଚଳର ଭିନ୍ନଭିନ୍ନ ସାଂସ୍କୃତିକ ଜୀବନଧାରାକୁ ପର୍ଯ୍ୟାଲୋଚନା କଲେ ଆମେ ଲକ୍ଷ୍ୟ କରିବା ସ୍ଥାନିକ ଚଳଣି ଓ ସାମାଜିକ ପରିସ୍ଥିତିକୁ ନେଇ ଭିନ୍ନଭିନ୍ନ ସଂସ୍କୃତି ଗଢ଼ି ଉଠିଛି । ଏହି ସଂସ୍କୃତିର ଚଳଣି କେଉଁଠି କୃଷିଭିତ୍ତିକ ତ କେଉଁଠି ଗୋପାଳନ ଓ ଗୋଚାରଣ ଭିତ୍ତିକ । କେଉଁଠି ପୁଣି ଧର୍ମଭିତ୍ତିକ ତ କେଉଁଠି ଆତ୍ମାରକ୍ଷାକୁ ଆଧାର କରି ବ୍ୟକ୍ତିତ୍ୱ ବିକାଶ ଓ ବଳ ପ୍ରଦର୍ଶନ ଭିତ୍ତିକ । ପୁଣି କେଉଁଠି କଳାଭିତ୍ତିକ-ତାହା ନୃତ୍ୟକଳା ହୋଇପାରେ, ଚିତ୍ରକଳା ହୋଇପାରେ କିମ୍ବା ଅଭିନୟ କଳା ହୋଇପାରେ-ମାତ୍ର ମନୋରଞ୍ଜନ ଧର୍ମୀ ।

 

ଓଡ଼ିଶାର ଲୋକସଂସ୍କୃତି ଧାରାରେ ଶ୍ରୀକ୍ଷେତ୍ରର ମହତ୍ତ୍ୱ ଓ ଗୁରୁତ୍ୱ ମଧ୍ୟ ଅନସ୍ୱୀକାର୍ଯ୍ୟ । କାରଣ ଓଡ଼ିଶାର ସର୍ବମାନ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ହିଁ ଶ୍ରୀକ୍ଷେତ୍ରର ଲୋକ ସଂସ୍କୃତି ଓ ପରମ୍ପରା ଗତିଶୀଳ । ଶ୍ରୀଜଗନ୍ନାଥଙ୍କୁ ଛାଡ଼ିଦେଲେ ଶ୍ରୀକ୍ଷେତ୍ର କାହିଁକି ସମଗ୍ର ଉତ୍କଳର ଧର୍ମ ସମାଜ ଓ ସଂସ୍କୃତିର ପରିକଳ୍ପନା ମଧ୍ୟ ସମ୍ପୂର୍ଣ୍ଣ ହୋଇ ନ ପାରେ । ସାମଗ୍ରିକ ଭାବରେ ଦେଖିଲେ ଶ୍ରୀଜଗନ୍ନାଥ ହିଁ ଉତ୍କଳୀୟ ସଂସ୍କୃତିର ମୂଳପିଣ୍ଡ । ଗୋଟାଏ ବଡ଼ ଲକ୍ଷଣୀୟ କଥା ହେଲା ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଅନୁଷ୍ଠିତ ପର୍ବପର୍ବାଣି ସହିତ ଶ୍ରୀକ୍ଷେତ୍ରର ଲୋକସଂସ୍କୃତି ଅଙ୍ଗାଙ୍ଗୀଭାବେ ଜଡ଼ିତ । ଏପରିକି ଲୋକସଂସ୍କୃତି ସହିତ ଶ୍ରୀଜଗନ୍ନାଥ ଚେତନା ଏଠାରେ ଏକୀଭୂତ ହୋଇ ଯାଇଛି । ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ସାହିଯାତ, ଜନ୍ମାଷ୍ଟମୀ ଲୀଳା, ଶ୍ରୀକ୍ଷେତ୍ରର ଲୋକ ପରମ୍ପରାରେ ନାଗା, ଶ୍ରୀକ୍ଷେତ୍ରର ଯାଗା ଆଖଡ଼ା, ଶ୍ରୀକ୍ଷେତ୍ରର ଉଚ୍ଚବର୍ଗର ସେବକମାନଙ୍କ ବିବାହ ପ୍ରଥା-ଗୁଆଲି ଆଦି ପ୍ରତ୍ୟେକ କ୍ଷେତ୍ରରେ ଶ୍ରୀଜଗନ୍ନାଥ ହିଁ ନାଭିକେନ୍ଦ୍ର ଭାବରେ ରହିଛନ୍ତି ।

 

ଏହାକୁ ଆଖି ଆଗରେ ରଖି ମୋର ଏହି ପୁସ୍ତକଟି ରଚନା କରିଛି । ଏଥିରୁ ଓଡ଼ିଶାର ଲୋକ ସଂସ୍କୃତିର ଏକ ଅଙ୍ଗ ଶ୍ରୀକ୍ଷେତ୍ରର ଲୋକ ସଂସ୍କୃତି ସହିତ ଶ୍ରୀଜଗନ୍ନାଥ ଚେତନା କିପରି ଲୋକଚେତନା ସହ ମିଶି ରହିଛି ତାହା ଦେଖାଇବାର ପ୍ରଚେଷ୍ଟା କରିଛି ।

 

ପୁସ୍ତକ ରଚନାର ପ୍ରଥମ ଶ୍ରେୟ ମୋର ଧର୍ମପତ୍ନୀ ଶ୍ରୀମତୀ ତପସ୍ୱିନୀ ରଥଙ୍କୁ ହିଁ ଦେବି-। ଯିଏ ତାଙ୍କର ସମସ୍ତ ସମୟ ମୋତେ ସମର୍ପଣ କରିଦେଇଛନ୍ତି ମୋର ସାରସ୍ୱତ ସାଧନା ପାଇଁ-। ପରିଶେଷରେ ପୁସ୍ତକ ପ୍ରକାଶନର ଭାର ଓଡ଼ିଶା ସାହିତ୍ୟ ଏକାଡେମୀ. ଗ୍ରହଣ କରିଥିବାରୁ ମୁଁ କୃତଜ୍ଞ ।

 

ଶ୍ରୀଗୁଣ୍ଡିଚା ଯାତ୍ରା-୨୦୧୭

–ସୁନୀଲ ରଥ

Image

 

 

 

ବିଷୟ ସୂଚୀ

 

୧.

ଓଡ଼ିଆ ଲୋକ ସଂସ୍କୃତି ପରିପ୍ରେକ୍ଷୀରେ ପୁରୀର ସାହିଯାତ୍ରା

୨.

ଶ୍ରୀକ୍ଷେତ୍ରର ଲୋକ ସଂସ୍କୃତି ପରମ୍ପରାରେ ଶ୍ରୀକୃଷ୍ଣଲୀଳା

୩.

ପୁରୀର ଲୋକନୃତ୍ୟ ଚଇତି ଘୋଡ଼ା: ଏକ ଅନୁଶୀଳନ

୪.

ଶ୍ରୀମନ୍ଦିରର ମାହାରୀ ସେବା

୫.

ଗୋଟିପୁଅ ନୃତ୍ୟ

୬.

ପ୍ରାଚୀନ ଓଡ଼ିଆ ନୃତ୍ୟଶୈଳୀ;ମାହାରୀ ନୃତ୍ୟ ଓ ଓଡ଼ିଶୀ ଏକ ବିମର୍ଶ

୭.

ଲୋକନୃତ୍ୟ ପରମ୍ପରାରେ ପୁରୀର ‘ନାଗା’

୮.

ଲୋକ ସଂସ୍କୃତି ପରମ୍ପରା ଓ ପୁରୀର ନେତପିଲା

୯.

ଓଡ଼ିଶାର ଲୋକ ସଂସ୍କୃତି କ୍ରମରେ ପୁରୀର ଜାଗାଆଖଡ଼ା

୧୦.

ଶ୍ରୀମନ୍ଦିରର ଦେବଦାସୀ ପରମ୍ପରା ଓ ଶ୍ରୀଗୀତଗୋବିନ୍ଦ

୧୧.

ଶ୍ରୀକ୍ଷେତ୍ରର ଲୋକ ପରମ୍ପରା ‘ଗୁଆଲି’

୧୨.

ଦେବଦାସୀ ପରମ୍ପରାର ଐତିହ୍ୟ

Image

 

ଓଡ଼ିଆ ଲୋକ ସଂସ୍କୃତି ପରିପ୍ରେକ୍ଷୀରେ ପୁରୀର ସାହିଯାତ୍ରା

 

ଲୋକ ସଂସ୍କୃତି କହିଲେ, କୌଣସି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଜୀବନଧାରଣ ପଦ୍ଧତି ସହିତ ଅଙ୍ଗାଙ୍ଗୀଭାବେ ଜଡ଼ିତ ପରିଚର୍ଯ୍ୟାକୁ ବୁଝାଏ । ଇତିହାସର ଧ୍ୟାନଧାରଣାର ସମ୍ପୂର୍ଣ୍ଣ ବାହାରେ, ଲୋକମୁଖରେ ପ୍ରଚଳିତ ହୋଇ ଆସୁଥିବା ପ୍ରାଚୀନ ଲୋକକଥା ଏବଂ ପୌରାଣିକତାକୁ ଆଧାର କରି ହିଁ ଲୋକ ସାଂସ୍କୃତିକ ଚେତନା ଗତିଶୀଳ ହୋଇଥାଏ । ଏହା ସହିତ କିଛି କିଛି ଲୋକ ଜୀବନର ସାଂସ୍କୃତିକଧାରା ମଧ୍ୟ ନିର୍ଦ୍ଦିଷ୍ଟ ଏକ ସମ୍ପ୍ରଦାୟ (community) ମଧ୍ୟରେ ଆବଦ୍ଧ ରହି, ସେହି ନିର୍ଦ୍ଦିଷ୍ଟ ସ୍ଥାନର ସ୍ୱାତନ୍ତ୍ର‌୍ୟକୁ ସୂଚିତ କରିଥାଏ । ଲୋକ ସଂସ୍କୃତି ଏମିତି ଏକ ବଳିଷ୍ଠ ସାଂସ୍କୃତିକ ଚେତନା ଯାହାକିଛି ବ୍ୟକ୍ତିଙ୍କଦ୍ୱାରା ସ୍ଥାନାନ୍ତରିତ ହେଲେ ମଧ୍ୟ ନୂତନ ସ୍ଥାନରେ ତାହା ସ୍ଥାନୀୟ ପରିବର୍ତ୍ତନର ପରିପ୍ରେକ୍ଷୀରେ ମଧ୍ୟ ମୂଳଧାରାକୁ ଅତି ଦୃଢ଼ ଭାବରେ ଧାରଣ କରି ରହିଥାଏ ।

 

ସାମଗ୍ରିକ ଭାବରେ ଲୋକ ସଂସ୍କୃତିକୁ ଆମେ ଯଦି କିଛି ସୀମାରେଖା ମଧ୍ୟରେ ବାନ୍ଧି ରଖିବାକୁ ଚେଷ୍ଟା କରିବା ତେବେ ଆମକୁ ମୁଖ୍ୟତଃ ଏହାର ଚାରିଗୋଟି ଦିଗପ୍ରତି ଦୃଷ୍ଟି ଦେବାକୁ ପଡ଼ିବ । ତେବେ ଆମକୁ ଏହି ଚାରୋଟି ସୀମାରେଖା ସମ୍ପର୍କରେ ପୁରୀର ସାହିଯାତ୍ରାକୁ କେନ୍ଦ୍ର କରି ହିଁ ଆଲୋଚନା କରିବାକୁ ପଡ଼ିବ । ଆଲୋଚ୍ୟ ଚତୁର୍ବିଧ ସୀମା ହେଲା ୧)ଧାରଣାଗତ ସୀମା (Conceptual Boundary) ୨)ସ୍ଥାନୀୟ ସୀମା (Spatial Boundary) ୩)ସମ୍ପ୍ରଦାୟଗତ ସୀମା (Community Boundary) ଏବଂ ୪)ସମୟ ସୀମା (Time Boundary) ।

 

୧-ଧାରଣାଗତ ସୀମା ବା Conceptual Boundary.

 

ସୀମାଧାରଣା ବା Boundary Concept ହେଉଛି ନୃତତ୍ତ୍ୱ ବିଜ୍ଞାନର ଗୋଟାଏ ଗୁରୁତ୍ୱପୂର୍ଣ୍ଣ ତାତ୍ତ୍ୱିକ ଦୃଷ୍ଟିଭଙ୍ଗୀ । ନିର୍ଦ୍ଦିଷ୍ଟ ଏକ ଲୋକ ସଂସ୍କୃତିକୁ ବୁଝିବା ପାଇଁ ହେଲେ ସୀମାରେଖାର ଅବବୋଧ ଏକାନ୍ତ ଅପରିହାର୍ଯ୍ୟ । ଏ ସମ୍ପର୍କରେ ନୃତତ୍ତ୍ୱବିତ୍‌ମାନଙ୍କ ମତ ହେଲା(୧), ପ୍ରଥମେ ବୁଝିବାକୁ ହେବ ସୀମାରେଖାଟି କ’ଣ ? ଅର୍ଥାତ୍ ଗୋଟାଏ ଭୌଗୋଳିକ ସୀମାରେଖାର କାଳ୍ପନିକ ବିଭାଜନ ରେଖାଦ୍ୱାରା ଗୋଟିଏ ଧାରଣାଠାରୁ ଅନ୍ୟ ଏକ ଧାରଣା ମଧ୍ୟରେ ରହିଥିବା ପାର୍ଥକ୍ୟକୁ ହିଁ ବୁଝାଇଥାଏ । ଯାହାକି ସେହି କାଳ୍ପନିକ ରେଖାଟି ମାଧ୍ୟମରେ ବୁଝିହୁଏ । ଏଠାରେ ଉଦାହରଣ ଭାବରେ ପୁରୀର ସାହିଯାତ୍ରାକୁ ଗ୍ରହଣ କରାଯାଇପାରେ । ସମଗ୍ର ଭାରତୀୟ ଆର୍ଷ ପରମ୍ପରାରେ ‘ରାବଣ’ ଏକ ଦୁଷ୍ଟ ଚରିତ୍ର ଭାବରେ ଚିତ୍ରିତ ହେଉଥିଲେ ହେଁ, ପୁରୀ (ଶ୍ରୀକ୍ଷେତ୍ର) ନାମକ ଏକ ନିର୍ଦ୍ଦିଷ୍ଟ କାଳ୍ପନିକ ସୀମାରେଖାରେ ଆବଦ୍ଧ ଲୋକ ଜୀବନର ସାଂସ୍କୃତିକ ଚେତନାରେ ସେହି ରାବଣ ଦେବତ୍ୱର ଅଧିକାରୀ । ‘ରାବଣ’କୁ ନେଇ ପୁରୀର ଲୋକ ସାହିତ୍ୟ ଦୃଷ୍ଟିରୁ ବିବେଚନା କଲେ ଆମେ ଲକ୍ଷ୍ୟ କରିବା ଏହି ଚରିତ୍ରର ଚିତ୍ରଣ କରିବାରେ କେତେକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ରହିଛି । ଯାହା ଏହି ଭୌଗୋଳିକ ସୀମାରେଖାର ରାବଣୀୟ ଧାରଣାକୁ ଅନ୍ୟସ୍ଥାନମାନଙ୍କର ରାବଣ ଚେତନାଠାରୁ ପୃଥକ୍ ଭାବରେ ଉପସ୍ଥାପିତ କରିଥାଏ । ଏହିପରି ଦେଖିଲେ ପୁରୀ ସାହିଯାତ୍ରାର ନାଗା ମେଢ଼, ଦେବୀ ମେଢ଼, ସପ୍ତଶିରା, ପଞ୍ଚଶିରାଆଦିଙ୍କ ଉପସ୍ଥାପନା ମଧ୍ୟ ଏଠାକାର ସ୍ୱାତନ୍ତ୍ର‌୍ୟ । ଏହାକୁ ହିଁ ନୃତାତ୍ତ୍ୱିକ ଦୃଷ୍ଟିରୁ ଲୋକ ସଂସ୍କୃତିର ଧାରଣାଗତ ସୀମା ଭାବରେ ଚିହ୍ନିତ କରାଯାଇପାରେ ।

 

୨-ସ୍ଥାନୀୟ ସୀମା ବା Spatial Boundary.

 

ଯେ କୌଣସି ଏକ ଲୋକ ସଂସ୍କୃତି, ନିର୍ଦ୍ଦିଷ୍ଟ ଏକ ଅଞ୍ଚଳକୁ ଆଧାର କରି ଗଢ଼ି ଉଠିଥାଏ-। ସାଧାରଣ ଭାବରେ ସେହି ନିର୍ଦ୍ଦିଷ୍ଟ ସଂସ୍କୃତିକୁ ଆଧାର କରି ତାହାର ଏକ ସ୍ୱତନ୍ତ୍ର ସାଂସ୍କୃତିକ ସୀମା (Cultural area) ଥାଏ । ଏହି ସାଂସ୍କୃତିକ ସୀମା ହୁଏତ କୌଣସି ରାଜନୈତିକ ସୀମା ବିଭାଜନଦ୍ୱାରା ବିଭାଜିତ ହୋଇଥାଇପାରେ କିମ୍ବା ପ୍ରଶାସନିକ ବିଭାଜନଦ୍ୱାରା ବିଭାଜିତ ହୋଇଥାଇପାରେ । ଲୋକ ଚେତନାକୁ ନେଇ ବିଚାର ବିଶ୍ଳେଷଣ କରିବା କାଳରେ ଉପରୋକ୍ତ ଦ୍ୱିବିଧ ସୀମାରେଖାର ପ୍ରଭାବ ମଧ୍ୟ ଲୋକ ସଂସ୍କୃତି ଉପରେ ପଡ଼ିଥାଏ । ମୋଟାମୋଟି ଭାବରେ ସଂସ୍କୃତି ଆଧାରିତ ଅଞ୍ଚଳ-ରାଜନୈତିକ ସୀମା-ପ୍ରଶାସନିକ ଭୌଗୋଳିକ ସୀମା-ଏ ସମସ୍ତ ମିଶି ହିଁ ସଂସ୍କୃତିର ସ୍ଥାନିକ ସୀମା ବା Spatial Boundary ଧାର୍ଯ୍ୟ ହୋଇଥାଏ । ଏହି ପରିପ୍ରେକ୍ଷୀରେ ପୁରୀର ସାହିଯାତ୍ରାକୁ ଏହି ସୀମାରେଖା ଦୃଷ୍ଟିକୋଣରୁ ଆଲୋଚନାର ପରିସରକୁ ଅଣାଯାଇପାରେ । ପୁରୀର ସାହିଯାତ୍ରାର ଅୟମାରମ୍ଭ ସମୟର ରାଜନୈତିକ ଏବଂ ପ୍ରଶାସନିକ ସୀମାକୁ ଆଧାର କରି ଗଢ଼ି ଉଠିଥିବା ଜାଗା, ଆଖଡ଼ାର ମୂଳ ଉଦ୍ଦେଶ୍ୟ ଥିଲା ଶ୍ରୀକ୍ଷେତ୍ରକୁ ଘନଘନ ବାହ୍ୟ ଆକ୍ରମଣରୁ ସୁରକ୍ଷା ପ୍ରଦାନ । ଫଳରେ ତତ୍କାଳୀନ ପୁରୀରେ ଅବସ୍ଥିତ ସାହିମାନଙ୍କୁ ନେଇ ପ୍ରଶାସନିକ ଏବଂ ରାଜନୈତିକ ପୃଷ୍ଟପୋଷକତାରେ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ଧର୍ମକୁ କେନ୍ଦ୍ର କରି ଏକ ସାଂସ୍କୃତିକ ଲୋକଚେତନା ଗଢ଼ି ଉଠିଥିଲା ଏବଂ କାଳକ୍ରମେ ତାହାହିଁ ହୋଇ ଉଠିଥିଲା ସ୍ଥାନିକ ସଂସ୍କୃତି ।

 

୩-ସମ୍ପ୍ରଦାୟଗତ ସୀମା ବା Community Boundary.

 

କୌଣସି ଗୋଟିଏ ସାଂସ୍କୃତିକଧାରା ଯେପରି ଗୋଟିଏ ଅଞ୍ଚଳକୁ ଆଧାର କରି ଗଢ଼ି ଉଠିଥାଏ, ଠିକ୍ ସେମିତି ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀର ମଣିଷଙ୍କ ଭିତରେ ମଧ୍ୟ ଏକପ୍ରକାର ଲୋକ ସଂସ୍କୃତିର ପ୍ରଚଳନ ଥାଏ । ଯେଉଁପରି ଉପକୂଳବର୍ତ୍ତୀ ଓଡ଼ିଶାର ଚଇତିଯୋଡ଼ା ପର୍ବ ନିଦ୍ଦିଷ୍ଟ ଭାବରେ ଧୀବର ସମ୍ପ୍ରଦାୟକୁ କେନ୍ଦ୍ର କରି ଗଢ଼ିଥିଲାବେଳେ ଉତ୍ତର ଓଡ଼ିଶାର ଟୁସୁପର୍ବ ବସ୍ତୁତଃ କୁଡ଼ୁମୀ ସମ୍ପ୍ରଦାୟକୁ କେନ୍ଦ୍ର କରି ଗଢ଼ି ଉଠିଛି । ଏହି ପରିପ୍ରେକ୍ଷୀରେ ପୁରୀ ସାହିଯାତ୍ରାକୁ ଅନୁଧ୍ୟାନ କଲେ ଆମେ ଲକ୍ଷ୍ୟ କରିପାରିବା, ଏହା ମଧ୍ୟ ପ୍ରଥମରୁ ଶ୍ରୀଜଗନ୍ନାଥଙ୍କ ସେବକ ସମ୍ପ୍ରଦାୟକୁ କେନ୍ଦ୍ର କରି ହିଁ ଗଢ଼ି ଉଠିଥିଲା । ଅବଶ୍ୟ ପରିବର୍ତ୍ତନଶୀଳ ସାଂସ୍କୃତିକ ପ୍ରେକ୍ଷାପଟରେ ଏଥିରେ ମଧ୍ୟ କିଛି ପରିବର୍ତ୍ତନ ଏହି କାଳଖଣ୍ଡରେ ଲକ୍ଷ୍ୟ କରାଯାଉଥିଲେ ହେଁ ମୂଳତଃ ସେବକ ସମ୍ପ୍ରଦାୟଦ୍ୱାରାହିଁ ସଂରକ୍ଷିତ ହୋଇ ରହିଛି ।

 

ନୃତତ୍ତ୍ୱ ଏବଂ ସମାଜତତ୍ତ୍ୱ ଦୃଷ୍ଟିରୁ ମଣିଷକୁ ବିଭିନ୍ନ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି । କୌଣସି ସଂସ୍କୃତିର ଧାରା ନୃତତ୍ତ୍ୱ ଦୃଷ୍ଟିରୁ ନିର୍ଦ୍ଦିଷ୍ଟ ଗୋଟିଏ କିମ୍ବା ଦୁଇଟି ସମ୍ପ୍ରଦାୟଦ୍ୱାରା ଲାଳିତ ବା ବାହିତ ହୋଇଥାଏ । ଲୋକ ସଂସ୍କୃତିର ଏଇ ଦିଗଟିକୁ ସମ୍ପ୍ରଦାୟଗତ ସୀମା (Community Boundary) ବୋଲି ଚିହ୍ନିତ କରାଯାଇପାରେ । ଅବଶ୍ୟ ସମ୍ପ୍ରଦାୟ କହିଲେ, ଭାଷାଗତ ସମ୍ପ୍ରଦାୟ, ଧର୍ମୀୟ ସମ୍ପ୍ରଦାୟ, କୌଣସି ଏକ ଜନଜାତି ସମ୍ପ୍ରଦାୟ, ଉପଜାତି ସମ୍ପ୍ରଦାୟ ଆଦିକୁ ବୁଝାଇଥାଏ । ପୁରୀର ସାହିଯାତ୍ରା ମଧ୍ୟ ଶ୍ରୀଜଗନ୍ନାଥ ଚେତନାକୈନ୍ଦ୍ରୀକ ଧର୍ମୀୟ ସମ୍ପ୍ରଦାୟକୁ କେନ୍ଦ୍ର କରି ଗଢ଼ି ଉଠିଛି କହିଲେ ଅତ୍ୟୁକ୍ତି ହେବନାହିଁ ।

 

୪-ସମୟସୀମା ବା Time Boundary.

 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ସମୟ । ଗୋଟାଏ ଲୋକ ସଂସ୍କୃତିର ସ୍ୱରୂପକୁ ବୁଝିବାକୁ ହେଲେ-ନିର୍ଦ୍ଦିଷ୍ଟ ମାନବ ସମ୍ପ୍ରଦାୟ, ନିର୍ଦ୍ଦିଷ୍ଟ ଅଞ୍ଚଳ ଏବଂ ସମୟ-ଏଇ ତିନୋଟିର ସମନ୍ୱୟ ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ । ସାଧାରଣ ଭାବରେ ସଂସ୍କୃତି ଧାରାର ସମୟଯାତ୍ରା (Time Dimension) ଥିବା ନିହାତି ଦରକାର । ଉଦାହରଣ ଭାବରେ ଖୋଜି ବସିଲେ ଆମେ ଦେଖିବା ପୃଥିବୀ ପୃଷ୍ଠରେ ବହୁ ପ୍ରାଚୀନ ଲୋକ ସଂସ୍କୃତି ଥିଲା କିନ୍ତୁ ସମୟ କ୍ରମେ ସେମାନେ ସବୁ ଇତିହାସ ପାଲଟି ସାରିଛନ୍ତି । ଅବଶ୍ୟ ସେମାନଙ୍କର ସମୟକ୍ରମ ଥିଲେ ମଧ୍ୟ ସାମ୍ପ୍ରତିକ ସମୟରେ ଏମାନଙ୍କର ଅବସ୍ଥିତି ନାହିଁ । ତେବେ ଯେଉଁ କେତେକ ଲୋକ ସଂସ୍କୃତି ନିର୍ଦ୍ଦିଷ୍ଟ ଅଞ୍ଚଳ-ସମ୍ପ୍ରଦାୟ ଏବଂ ସମୟ ଧାରା ସହ ଗତିଶୀଳ ସେମାନଙ୍କ ପଛରେ ଏକ ମହାନ୍ ସାଂସ୍କୃତିକ କ୍ରମ ରହିଥାଏ । ଠିକ୍ ଯେପରି ପୁରୀର ସାହିଯାତ୍ରା ପୃଷ୍ଟପଟର ଶ୍ରୀଜଗନ୍ନାଥ ଚେତନାର ଧାରା ବିଦ୍ୟମାନ । କାରଣ ଶ୍ରୀଜଗନ୍ନାଥ ଚେତନା ଅତୀତରୁ ସାମ୍ପ୍ରତିକ ସମୟଯାଏଁ ଅପ୍ରତିହତ ଭାବରେ ପ୍ରବାହିତ ହୋଇ ଆସିଛି । ତେଣୁ ଏହି ସଂସ୍କୃତି ସହ ଜଡ଼ିତ ପୁରୀର ସାହିଯାତ୍ରାର ମଧ୍ୟ ଅପ୍ରତିହତ ଧାରା ରହିଛି । ତେଣୁ ଏହାର Time Dimension ରହିଛି ବୋଲି ବୁଝିବାକୁ ହେବ । ଯାହାକୁ ଆମେ ସଞ୍ଚରଣଶୀଳତା ବୋଲି ମଧ୍ୟ କହିପାରିବା । ତେଣୁ ଲୋକ ସଂସ୍କୃତିକୁ ବ୍ୟାଖ୍ୟା କଲାବେଳେ ସମୟ (Time) ଏବଂ ତତ୍‍ସମ୍ପୃକ୍ତ ଇତିହାସକୁ ବିବେଚନାର କ୍ଷେତ୍ରକୁ ଆଣିବା ଏକାନ୍ତ ଆବଶ୍ୟକ ।

 

ମୋଟାମୋଟି ଭାବରେ ଲୋକ ସଂସ୍କୃତି ଦୃଷ୍ଟିରୁ ପୁରୀର ସାହିଯାତ୍ରାକୁ ନେଇ ଏକ ବିଶ୍ଳେଷଣ କଲା କାଳରେ ଉପରୋକ୍ତ ଚାରୋଟି ସୀମା ଧାରଣା ଏକାନ୍ତ ଅପରିହାର୍ଯ୍ୟ । ଉପରୋକ୍ତ ଚାରୋଟି ସୀମାଧାରଣାର ଆବଶ୍ୟକତା ନୃତାତ୍ତ୍ୱିକ କିମ୍ବା ସମାଜତାତ୍ତ୍ୱିକ ଦୃଷ୍ଟିକୋଣରୁ ହୁଏତ ଅପରିହାର୍ଯ୍ୟ ହୋଇପାରେ । ତେବେ ସାଧାରଣ ମାନବୀୟ ଦୃଷ୍ଟିକୋଣରୁ ବିବେଚନା କାଳରେ ପୁରୀର ସାହିଯାତ୍ରା ପରି ଲୋକସଂସ୍କୃତି ପରମ୍ପରାକ୍ରମେ କେଉଁ ଅଲିଖିତ ଐତିହାସିକ ସମୟରୁ ରହି ଆସିଛି ତାହା ଦେଖିବାର କଥା । ଏହା ସହିତ ପୁରୀ ସାହିଯାତ୍ରାରେ ରହିଥିବା ଆତ୍ମ ଅଭିବ୍ୟକ୍ତିର ସ୍ୱତଃ ସ୍ଫୁର୍ତ୍ତ ଅଛଦ୍ମ ଉଚ୍ଚାରଣ ଏବଂ ସଂସ୍କୃତି ପ୍ରବାହର ପ୍ରକ୍ରିୟା ଯାହା ଜୀବନଧର୍ମ ସହ ଜଡ଼ିତ ହୋଇ ଏଯାବତ୍ ଅନୁରୂପ ଭାବରେ ରହିଛି ।

 

ପୁରୀର ସାହିଯାତ୍ରା

 

ଲୋକ ସଂସ୍କୃତି ଦିଗରୁ ପୁରୀର ସାହିଯାତ୍ରାକୁ ମୂଲ୍ୟାଙ୍କନ କଲେ ଆମେ ଅନୁଭବ କରିପାରିବା, ଏହା ସମଗ୍ର ଭାରତରେ ଏକ ସ୍ୱତନ୍ତ୍ର ଏବଂ ଅନନ୍ୟ ମର୍ଯାଦାବନ୍ତ ଆସନ ଦାବି କରେ-। ବହୁ ପ୍ରାଚୀନ ସମୟରୁ ଗଡ଼ି ଆସୁଥିବା ସମସ୍ତ ଲୋକ ସଂସ୍କୃତିମାନଙ୍କ ପରି ‘ପୁରୀ ସାହିଯାତ୍ରା’ ମଧ୍ୟ ଦୀର୍ଘସ୍ଥାୟୀ ଭାବରେ ହିନ୍ଦୁଧର୍ମୀୟ ଭାବଧାରାକୁ ଧାରଣ କରି ଚଳି ଆସିଛି । ସମୟର ବହୁ ଉତ୍ଥାନପତନ ସହିତ ସମତାଳରେ ଗତିକରି ଏହି ସାଂସ୍କୃତିକଧାରା, ମୋଗଲ, ପଠାଣ, ମରହଟ୍ଟା ଏବଂ ଇଂରେଜମାନଙ୍କଦ୍ୱାରା ବହୁ ଘାତପ୍ରତିଘାତ ସହିଛି । ତଥାପି ଏହା ବୈଦେଶିକ ଆଘାତମାନଙ୍କୁ ପ୍ରତିହତ କରି ସ୍ୱକୀୟ ସାଂସ୍କୃତିକ ବିଭବକୁ ପ୍ରାୟତଃ ମୂଳସ୍ୱରୂପରେ ଧରି ରଖିପାରିଛି । ପୁରୀ ସାହିଯାତ୍ରାର ‘ନାଗା’ କିମ୍ବା ‘ଦେବୀ ମେଢ଼’ମାନଙ୍କ ପରି ‘ରାବଣ’ ଏବଂ ରାବଣ ସମ୍ପର୍କୀୟ ଆସୁରିକ ଚରିତ୍ରମାନେ ମଧ୍ୟ ଲୋକ ଚେତନା ଦିଗରୁ ପୂର୍ବପରି ସ୍ୱ ସ୍ୱ ମର୍ଯାଦାସମ୍ପନ୍ନ ସ୍ଥାନମାନଙ୍କରେ ସେମିତି ରହି ଆସିଛନ୍ତି । ଅବଶ୍ୟ ଏହାର ପୃଷ୍ଠଭୂମିରେ ଶ୍ରୀଜଗନ୍ନାଥ ଚେତନାରୂପୀ ବିରାଟ ପ୍ରତିଷ୍ଠାନଟାଏ ସର୍ବାଦୌ ସହାୟତା କରି ଆସିଥିବା କଥା ପୂର୍ବରୁ ମଧ୍ୟ ସୂଚିତ କରିଛି । କେବଳ ସହାୟତା କହିଲେ ଭୁଲ ହେବ ସାହିଯାତର ବିଭିନ୍ନ ଅଙ୍ଗମାନଙ୍କୁ ଶ୍ରୀଜଗନ୍ନାଥ ଆଜ୍ଞାମାଳ ପ୍ରଦାନ କଲାପରି ‘ରାବଣ’ ଚରିତ୍ରକୁ ମଧ୍ୟ ପୁଷ୍ପମାଳ ପ୍ରଦାନପୂର୍ବକ ସଂରକ୍ଷଣ ଦେଇ ଆସିଛନ୍ତି ।

 

ସାହିଯାତ୍ରା ଥିଲା ପ୍ରାଚୀନ ଶ୍ରୀକ୍ଷେତ୍ରବାସୀଙ୍କର ଅନ୍ୟତମ ଶ୍ରେଷ୍ଠ ଉତ୍ସବ ଯାହାକି ଏଯାବତ ଅତି ମର୍ଯ୍ୟଦାବନ୍ତ ଆସନରେ ଆସୀନ । ଏହା ଏକ ଦିଗରେ ଲୋକ ଉତ୍ସବ ଭାବରେ ପରିଗଣିତ ହେଉଥିଲେ ହେଁ ଅନ୍ୟ ଦିଗରୁ ବିବେଚନା କଲେ ବୁଝିହେବ, ଏହାରି ମାଧ୍ୟମରେ ପ୍ରାଚୀନ ସାହିମାନଙ୍କର ସମ୍ମାନ ଓ ପ୍ରତିପତ୍ତିର ପ୍ରଶ୍ନ ଜଡ଼ିତ ହୋଇ ରହିଥିଲା । ସାହିଯାତ୍ରାର ଲୀଳାଭୂମି ହେଉଛି ସମଗ୍ର ଶ୍ରୀକ୍ଷେତ୍ରର କେନ୍ଦ୍ରାଞ୍ଚଳ । ରାମନବମୀଠାରୁ ଆରମ୍ଭ ହୋଇ ରାମାଭିଷେକ ଦିନ ପର୍ଯ୍ୟନ୍ତ ଏଗାର ଦିନଧରି ଚାଲୁଥିବା ଏହି ସାହିଯାତ୍ରାରେ ପୁରୀର ପ୍ରାଚୀନ ସାହିମାନେ ହିଁ ମୁଖ୍ୟସ୍ଥାନ ଗ୍ରହଣ କରନ୍ତି । ଅପରପକ୍ଷରେ ଏ ଯାତ୍ରା ମଧ୍ୟ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଅନୁଷ୍ଠିତ ହୋଇଥାଏ । ଅନ୍ୟଭାବରେ କହିଲେ ଶ୍ରୀଜଗନ୍ନାଥଙ୍କ ନୀତି ସହିତ ସମ୍ପୃକ୍ତ ସାହିଯାତ୍ରାର ବିଭିନ୍ନ ଦୃଶ୍ୟାବଳୀକୁ ସମ୍ପାଦନ କରିବା ପାଇଁ ଶ୍ରୀଜଗନ୍ନାଥଙ୍କଠାରୁ ରେଖ ସୁନ୍ଦରୀ (ଆଜ୍ଞାମାଳ ବା ନିର୍ଦ୍ଦେଶ) ମିଳିଥାଏ ।

 

ସାହିଯାତ୍ରାରେ ବସ୍ତୁତଃ ପୁରୀର ସର୍ବପ୍ରାଚୀନ ଆଠଗୋଟି ସାହି ଅଂଶଗ୍ରହଣ କରିଥାନ୍ତି ଏବଂ ବିଭିନ୍ନ ସାହି ନିଜର ବାଦୀ ସାହିର ଦାଣ୍ଡରେ ଯାତ୍ରାକାଳୀନ ସମର କୌଶଳ, ମେଢ଼ ନୃତ୍ୟ, ନାଗା ନୃତ୍ୟ ଆଦି ବିରତ୍ୱ ବ୍ୟଞ୍ଜକ ଅଭିନୟମାନ ପ୍ରଦର୍ଶନ କରିଥାନ୍ତି ।

 

ସାହିଯାତ୍ରାର ପଟୁଆର କାଳରେ ପ୍ରତ୍ୟେକ ସାହି, ନିଜ ନିଜ ସାହିର ଯାଗା, ଆଖଡ଼ା, ଗଡ଼ ଏବଂ କୋଟର ଧ୍ୱଜ ଧାରଣ କରିଥାନ୍ତି । ସାହିର ମୁଖ୍ୟ ଧ୍ୱଜଦଣ୍ଡଟି ଏକ ଓଜନଦାର ଦଣ୍ଡ ଯାହାକି ବିଭିନ୍ନ ପ୍ରକାରର ପାଟବସ୍ତ୍ର ଏବଂ ଜରି ଜମ୍ବୁରାଦ୍ୱାରା ସଜ୍ଜିତ ହୋଇଥାଏ । ଏହାର ଊର୍ଦ୍ଧ୍ୱରେ ଥିବା ପତାକାରେ ଅନୁଷ୍ଠାନର ପ୍ରତୀକ ଚିହ୍ନ ଏବଂ ହନୁମାନଙ୍କ ଧ୍ୱଜ ଲାଗି ହୋଇଥାଏ । ଧ୍ୱଜର (ନିଷାଣ) ମଧ୍ୟ ଭାଗରେ ବନ୍ଧାଯାଇଥିବା ଘଣ୍ଟି ନିନାଦିତ ହେଉଥାଏ । ପଛକୁପଛ ଆଖଡ଼ାର ଭେଣ୍ଡିଆମାନଙ୍କଦ୍ୱାରା ଆକ୍ରମଣ, ପ୍ରତି ଆକ୍ରମଣ, ବ୍ୟୁହ ରଚନା, ବାଙ୍କଛଡ଼ି, ମଲ୍ଲଯୁଦ୍ଧ, ହୁଳା ବନାଟି, ଦଣ୍ଡ ବନାଟି ଇତ୍ୟାଦି ପ୍ରଦର୍ଶିତ ହେଉଥାଏ ।

 

ଲୋକ ନାଟକ ମୂଳକ ଏହି ସର୍ବଜନାଦୃତ ସାଂସ୍କୃତିକ ଚେତନା ମଧ୍ୟରେ ଯଦିଓ ଅସ୍ତ୍ର, ଶସ୍ତ୍ର, ଶରୀର ବିଦ୍ୟା, ମଲ୍ଲବିଦ୍ୟା ଆଦି ପ୍ରଦର୍ଶିତ ହୋଇଥାଏ । ତଥାପି ଏହାର ପୃଷ୍ଠଭୂମି ସମ୍ପୂର୍ଣ୍ଣ ଭାବରେ ଧର୍ମ ଆଧାରିତ ।

 

ବିଶ୍ୱର ଅନ୍ୟତମ ସର୍ବବୃହତ୍ ଲୋକଯାତ୍ରା-ଧନୁଯାତ୍ରା (ଓଡ଼ିଶାର ବରଗଡ଼ଠାରେ) ପରି ପୁରୀର ସାହିଯାତ୍ରାର ମଞ୍ଚ ମଧ୍ୟ ଗୌଡ଼ବାଡ଼ ସାହିଠାରୁ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପରିସର ଯାଏଁ ପରିବ୍ୟାପ୍ତ । ଏହା ସହିତ କାଳିକାଦେବୀ ସାହି, ମାଟିମଣ୍ଡପ ସାହି, ହରଚଣ୍ଡୀ ସାହି, ମାର୍କଣ୍ଡେଶ୍ୱର ସାହି, ବାସେଳୀ ସାହି, କୁଣ୍ଢେଇବେଣ୍ଟ ସାହି ଓ ବାଲି ସାହିର ଦାଣ୍ଡମାନେ ମଧ୍ୟ ଏହି ସାହିଯାତ୍ରାର ମଞ୍ଚାୟନ ପାଇଁ ମୁଖ୍ୟଭୂମିକା ଗ୍ରହଣ କରିଥାନ୍ତି । ତେବେ ସାହିଯାତ୍ରାର ସମସ୍ତ ମୁଖ୍ୟ ଲୀଳାଗୁଡ଼ିକ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥାଏ ।

 

ଶ୍ରୀରାମଙ୍କ ବ୍ୟତୀତ ସାହିଯାତ୍ରାର ଅନ୍ୟତମ ଶ୍ରେଷ୍ଠ ଚରିତ୍ର ହେଉଛି ରାବଣ । ଶ୍ରୀରାମ ଏବଂ ରାବଣକୁ କେନ୍ଦ୍ର କରି ହିଁ ମାରୀଚ, ସୀତା, ପରଶୁରାମ, ଲକ୍ଷ୍ମଣ, ଜଟାୟୁ, ହନୁମାନ, ଅଙ୍ଗଦ, ମନ୍ଦୋଦରୀ, ତ୍ରିଶିରା, ସପ୍ତଶିରା, ନବଶିରା ଆଦି ରାମାୟଣର ବିଶେଷ ବିଶେଷ ଚରିତ୍ରମାନେ ଗତିଶୀଳ । ସାହିଯାତ୍ରାର ମୂଳ କଥାବସ୍ତୁ ରାମାୟଣ ଉପରେ ଆଧାରିତ ସଂସ୍କୃତ “ମହାନାଟକ” ଗ୍ରନ୍ଥର ବଚନିକା ପୂର୍ଣ୍ଣ ଶ୍ଳୋକମାନଙ୍କୁ ନେଇ ଗତିଶୀଳ । ହୁଏତ ପ୍ରାଚୀନ କାଳରେ ସାହିଯାତ୍ରାର ଚରିତ୍ରମାନେ “ମହାନାଟକ”ର ସଂସ୍କୃତ ଶ୍ଳୋକଗୁଡ଼ିକ ମୁଖସ୍ଥ କରି ଯଥାଯଥ ଭାବରେ ଉପସ୍ଥାପିତ କରୁଥିଲେ, କିନ୍ତୁ ଅଧୁନାତନ ସମୟରେ କଳାକାରଗଣ ସଂସ୍କୃତ ଏବଂ ଓଡ଼ିଆ ମିଶା ଶ୍ଳୋକ ମାଧ୍ୟମରେ ନିଜ ନିଜର ଭାବ ପ୍ରକାଶ କରିଥାନ୍ତି ।

 

ସାହିଯାତ୍ରାର ସୃଷ୍ଟିକାଳ

 

ଲୋକନାଟକ ମୂଳକ ଏହି ସାହିଯାତ୍ରାର ଉଦ୍ଭବ ଏବଂ ଅୟମାରମ୍ଭ କେବେଠାରୁ ହୋଇଥିଲା, ଏ ସମ୍ପର୍କରେ ସଠିକ୍ ଐତିହାସିକ ତଥ୍ୟ ମିଳି ନ ଥିଲେ ମଧ୍ୟ ଶ୍ରୀକ୍ଷେତ୍ରକୁ ରାମାନୁଜାଚାର୍ଯ୍ୟଙ୍କ ଆଗମନ ପରେ ଏବଂ ଚୋଡ଼ଗଙ୍ଗ ଦେବଙ୍କ ରାଜତ୍ୱ କାଳରେ ଏହି ସାହିଯାତ୍ରାର ବିସ୍ତାର ଘଟିଥିବାର ଅନୁମାନକୁ ଅସ୍ୱୀକାର କରାଯାଇ ନ ପାରେ । ଏକ ଦିଗରେ ରାମାନୁଜଙ୍କ ଆଗମନ ପରେ ରାମଚେତନାର ଅଭ୍ୟୁଦୟ, ଅପର ଦିଗରେ ଘନଘନ ବାହ୍ୟ ଶତ୍ରୁଙ୍କ ଆକ୍ରମଣରୁ ଶ୍ରୀକ୍ଷେତ୍ରପାଇଁ ସୁରକ୍ଷା ବ୍ୟବସ୍ଥାର ପ୍ରଶ୍ନ । ଉଭୟର ମିଳିତ ଭାବକୁ ନେଇ ରାଜାଙ୍କ ତତ୍ତ୍ୱାବଧାନରେ ସାହିର ଯୁବକମାନଙ୍କୁ ଯୁଦ୍ଧ ଓ ଶରୀର ଚର୍ଯ୍ୟାରେ ଶକ୍ତିଶାଳୀ କରିବାପାଇଁ ଗଢ଼ି ଉଠିଥିଲା ବିଭିନ୍ନ କୋଟ (ଦୁର୍ଗ), ଗଡ଼ ଏବଂ ଯାଗା ଆଖଡ଼ା ଘର । ଯାଗାଘରେ ଯୁବକମାନେ ଶରୀରଚର୍ଯ୍ୟା କରିବା ସହିତ ରାମାୟଣର ବିରତ୍ୱ ବ୍ୟଞ୍ଜକ ତଥା ଯୁଦ୍ଧାଶ୍ରିତ ଅଂଶମାନଙ୍କୁ ନେଇ ସାହିଯାତ୍ରା ମାଧ୍ୟମରେ ନିଜ ନିଜର ବିରତ୍ୱର ପ୍ରଦର୍ଶନ ଓ ଅଭ୍ୟାସ ଜାରି ରଖୁଥିଲେ । ହୁଏତ ଏମାନଙ୍କ ଯୁଦ୍ଧ ଓ ଶରୀର ଚର୍ଯ୍ୟାରେ ଭଟ୍ଟା ନ ଆଣିବାପାଇଁ ବାଦୀସାହିମାନଙ୍କରେ ଯୁଦ୍ଧ କୌଶଳ ଏବଂ ବୀରତ୍ୱ ପ୍ରଦର୍ଶନ ବ୍ୟବସ୍ଥା କରାଯାଇ ଏକ ମନଃସ୍ତାତ୍ୱିକ ପ୍ରଭାବ ପକାଯାଇଥିଲା, ଯଦ୍ୱାରା ସାହିର ଟେକ ରକ୍ଷା ନାଁରେ ଏମାନେ ସଦାସର୍ବଦା ନିଜକୁ ସକ୍ଷମ ରଖିପାରିବେ ।

 

ପୁରୀର ଏହି ଜାଗାଘର ସଂସ୍କୃତି ସମଗ୍ର ଓଡ଼ିଶାରେ ଏକକ ତଥା ଅନନ୍ୟ । ଯାଗା ଆଖଡ଼ା କହିଲେ ହିଁ ପୁରୀର ଶାରୀରିକ ଶକ୍ତି ପ୍ରଶିକ୍ଷଣ ଓ ପ୍ରୟୋଗଶାଳା ତଥା ବିଭିନ୍ନ ଧରଣର ଯୁଦ୍ଧ କୌଶଳ ଶିକ୍ଷା କେନ୍ଦ୍ରକୁ ବୁଝାଇଥାଏ । ଏହି ଯାଗା ଘରଗୁଡ଼ିକୁ ପୁରୀର ପ୍ରବେଶପଥମାନଙ୍କରେ ତଥା ଶ୍ରୀଜଗନ୍ନାଥ ମନ୍ଦିରକୁ କେନ୍ଦ୍ରକରି ହିଁ ବିଶେଷ ଭାବରେ ରହିଥିଲା । ଓଡ଼ିଶା ବାହାରେ ହିମାଚଳ ପ୍ରଦେଶରେ ଏହିଭଳି ଅନୁଷ୍ଠାନକୁ “ଜାଗର” ଭାବରେ ଚିହ୍ନିତ କରାଯାଇଥାଏ । ମନେହୁଏ ପୁରୀର ‘ଯାଗାଘର’ ଏବଂ ‘ଜାଗର’ ସମାର୍ଥ ବୋଧକ ଶବ୍ଦ ଯାହା ଶତ୍ରୁ ଆକ୍ରମଣକୁ ପ୍ରତିହତ କରିବାପାଇଁ ଜାଗରିତ ବା ଜାଗ୍ରତ ଅବସ୍ଥାରେ ରହିବାକୁ ସୂଚିତ କରୁଅଛି ।

 

ଖ୍ରୀଷ୍ଟିୟ ଷୋଡ଼ଶ ଶତାବ୍ଦୀଠାରୁ ଅଷ୍ଟାଦଶ ଶତାବ୍ଦୀ ମଧ୍ୟଭାଗ ପର୍ଯ୍ୟନ୍ତ ମୋଗଲ ତଥା ମୁସଲମାନ ମାନଙ୍କଦ୍ୱାରା ଶ୍ରୀମନ୍ଦିରର ଧନସମ୍ପତ୍ତି ଲୁଣ୍ଠନ ଏବଂ ଧର୍ମୀୟ ଆକ୍ରମଣ କାଳରେ ଏହି ଯାଗାଘରର ଯୁବକମାନେହିଁ ଶ୍ରୀଜଗନ୍ନାଥଙ୍କୁ ଶ୍ରୀକ୍ଷେତ୍ର ବାହାରକୁ ସ୍ଥାନାନ୍ତରିତ କରିବାରେ ମୁଖ୍ୟ ସହାୟକ ହୋଇଥିଲେ । ତତ୍‍ସହିତ ଆକସ୍ମିକ ଆକ୍ରମଣରୁ ଶ୍ରୀମନ୍ଦିର ଏବଂ ସହରକୁ ସୁରକ୍ଷାପ୍ରଦାନ କରୁଥିଲେ । ପ୍ରାୟତଃ ପ୍ରତ୍ୟେକ ଯାଗାଘରେ ଆରାଧ୍ୟ ଭାବରେ ବୀର ହନୁମାନ ଏବଂ ଠାକୁରାଣୀ ପୂଜିତା ହୋଇ ଆସୁଥିଲେ । ବୋଧହୁଏ ଏହା ପଛରେ ପ୍ରାଚୀନ ସମୟରୁ ରହି ଆସିଥିଲା ସୌର୍ଯ୍ୟ ଏବଂ ବୀରତ୍ୱବ୍ୟଞ୍ଜକ ମାନସିକତା ।

 

ସାହିଯାତ୍ରାର ସ୍ୱରୂପ

 

ଏହି ବୀରତ୍ୱ ବ୍ୟଞ୍ଜକ ସାହିଯାତ୍ରାର ଅୟମାରମ୍ଭ ଘଟେ ଚୈତ୍ରଶୁକ୍ଳ ନବମୀ ଅର୍ଥାତ୍ ରାମ ନବମୀ ତିଥିଠାରୁ । ଯଦିଓ ସାହିଜାତ ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟକ୍ଷ ବିଧିବିଧାନ ସହିତ ଜଡ଼ିତ ହୋଇ ରାମ ନବମୀ ଦିନରୁ ଆରମ୍ଭ ହୁଏ ତଥାପି ଶୁକ୍ଳ ଚୈତ୍ର ଅଷ୍ଟମୀ ତିଥି ଦିନ ଶ୍ରୀମନ୍ଦିର ଗର୍ଭଗୃହରୁ ଏହାର ଅୟମାରମ୍ଭ ଘଟିଥାଏ । ରାମଙ୍କ ଜନ୍ମ ପୂର୍ବ ସନ୍ଧ୍ୟାରେ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପାଖରେ ଜେଉଟ ବା ଜେଉଡ଼ ଭୋଗ କରାଯାଇଥାଏ । ଓଡ଼ିଶାର ଲୋକ ପରମ୍ପରାରେ ରହିଛି ଯେ ଗର୍ଭକଷ୍ଟ ପାଉଥିବା ସ୍ତ୍ରୀକୁ ଜେଉଡ଼ ଖାଇବାକୁ ଦେଲେ ସୁଖ ପ୍ରସବ ହୁଏ । ମନେହୁଏ ଏହି ଲୋକଚେତନାର ଧାରକଭାବେ ମହାପ୍ରଭୁଙ୍କୁ ଜେଉଡ଼ ପ୍ରଦାନ କରାଯାଏ । ଅଷ୍ଟମୀ ଦିନ ସନ୍ଧ୍ୟାଧୂପ ପରେ ମୁଦିରସ୍ତ ପଞ୍ଚୋପଚାର ପୂଜା କରି ପ୍ରସାଦ ଲାଗି ପରେ ପଣ୍ଡା, ପତି ଓ ମୁଦିରସ୍ତ ତିନି ଠାକୁରଙ୍କ ବନ୍ଦାପନା କରନ୍ତି । ତାପରେ ଜଗନ୍ନାଥଙ୍କ ଅଧିକ ଏକ ନୈବେଦ୍ୟଭାବେ ଜେଉଡ଼ ଖଟା, ବିଭିନ୍ନ ପିଠା ନୈବେଦ୍ୟ ଭାବରେ ମାତା କୋଶଲ୍ୟାଙ୍କ ପ୍ରୀତ୍ୟାର୍ଥେ ଦିଆଯାଏ ।

 

ଯେହେତୁ ଶ୍ରୀଜଗନ୍ନାଥଙ୍କ ସେବାପୂଜା ସହିତ ସାହିଯାତ୍ରାର ପ୍ରତ୍ୟକ୍ଷ ସମ୍ପର୍କ ରହିଛି ସେହି କାରଣରୁ ନବମୀ ଦିନ ଶ୍ରୀଜଗନ୍ନାଥଙ୍କ ମାଜଣାବିଧି ଅନୁଷ୍ଠିତ ହେବାର ସପ୍ତାହକ ପୂର୍ବରୁ ପ୍ରତି ସାହିର ଆଖଡ଼ାମାନଙ୍କୁ ଶ୍ରୀମନ୍ଦିରରୁ ଗୋଟିଏ ଗୋଟିଏ ରେଖ ସୁନ୍ଦରୀ (ଶ୍ରୀଜୀଉଙ୍କ ଅଙ୍ଗଲାଗି ବସ୍ତ୍ରଖଣ୍ଡ) ଏବଂ ଚିଟାଉ ପ୍ରେରଣ କରାଯାଇଥାଏ । ଯାହାକୁ ପରୋକ୍ଷରେ ମହାପ୍ରଭୁଙ୍କର ଆଜ୍ଞାମାଳ ମଧ୍ୟ କୁହାଯାଇପାରେ । ଏହାକୁ ଶ୍ରୀଜଗନ୍ନାଥଙ୍କ ଲେଙ୍କା ସେବକମାନେ ସାହିନାୟକମାନଙ୍କୁ ପ୍ରଦାନ କରିଥାନ୍ତି । ତେବେ ବର୍ତ୍ତମାନର ପରିପ୍ରେକ୍ଷୀରେ ଏହା ସାହିନାୟକ ନଚେତ୍ ଆଖଡ଼ା ଘରର ସଭାପତି କିମ୍ବା ସମ୍ପାଦକଙ୍କୁ ପ୍ରଦାନ କରୁଛନ୍ତି ।

 

ଏହା ବ୍ୟତୀତ ରାମନବମୀ ଦିନ ସାହିଯାତ୍ରାର ଅୟମାରମ୍ଭ ପୂର୍ବରୁ ରାମଜନ୍ମୋତ୍ସବ ପାଳନ କାଳରେ ଦଶରଥ ଏବଂ କୌଶଲ୍ୟା ଚରିତ୍ରରେ ଅଭିନୟ କରୁଥିବା କଳାକାର (ମହାଜନ ସେବକ)ଙ୍କ ମୁଣ୍ଡରେ ରେଖ ସୁନ୍ଦରୀ ବନ୍ଧା ବିଧି ମଧ୍ୟ ଅନୁଷ୍ଠିତ ହୁଏ । କୌଶଲ୍ୟା ବେଶଧାରୀ ମହାଜନଙ୍କ ମୁଣ୍ଡରେ ନାଲି ଓ କଳାରଙ୍ଗର ଏବଂ ଦଶରଥ ଭୂମିକାରେ ଥିବା ମହାଜନଙ୍କ ମୁଣ୍ଡରେ ଧଳାରଙ୍ଗର ରେଖ ସୁନ୍ଦରୀ ବନ୍ଧାଯାଏ । ଏହାକୁ ମହାପ୍ରଭୁଙ୍କର ଆଜ୍ଞା ଭାବରେ ଗ୍ରହଣ କରାଯାଏ । ଏହାପରେ ଉଭୟ ମହାଜନ ସେବକ ଶ୍ରୀମନ୍ଦିର ଗର୍ଭଗୃହରେ ଖଣ୍ଡୁଆ ପାଟ ଆବୃତାବସ୍ଥାରେ ଜନ୍ମବିଧି ପାଳନ କରିଥାନ୍ତି । କର୍ପୂର ଆଳତି ବନ୍ଦାପନା ହେବା ପରେ ଚରୁହୋତା ବା ମହାସୁଆର ଗଣ୍ଡୁଷ ମସଲା ଓ କ୍ଷୀର ନୈବେଦ୍ୟ ଅର୍ପଣ କରନ୍ତି । ପୂଜାପଣ୍ଡା ଜନ୍ମବିଧି ପାଳନ କରିଥାନ୍ତି । ଏଥିପାଇଁ ନବମୀଦିନ ମଧ୍ୟାହ୍ନ ଧୂପ ପରେ ଦକ୍ଷିଣିଘରୁ ଶ୍ରୀରାମଙ୍କ ମୂର୍ତ୍ତି ରତ୍ନବେଦୀରେ ବିଜେ ହୁଅନ୍ତି । ଏଠାରେ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇବା ପରେ ରାମଚନ୍ଦ୍ରଙ୍କୁ ଭିତରକାଠ ନିକଟରେ ରାଘବ ମଣ୍ଡଳରେ ବିଜେ କରାଯାଇଥାଏ ।

 

ଶ୍ରୀରାମଙ୍କ ଜନ୍ମ ସମ୍ବନ୍ଧରେ ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ହୋଇଛି ଯେ, ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ଆଣିବା ସମୟରେ ପୂଜାପଣ୍ଡା ସେବକ କହିବେ,-

 

“ସର୍ବରୂପଧରଃ ଶ୍ରୀମାନ୍ ନୀଳଭୂଧର ମନ୍ଦିର ।

ନମସ୍ତେ ଜଗତାଂନାଥ ଜଗଜ୍ଜନମହାର୍ତ୍ତିହନ୍ ॥

ଆଜ୍ଞାପୟ ମହାବାହୋ ରାମ ଜନ୍ମୋତ୍ସବାୟ ବୈ ।

ରାମପ୍ରତିକୃତିଂ ତାବଦ୍ରାବଣାଦିବିନାଶିନୀମ୍ ॥” (୩୮/୮-୯)

 

ଅର୍ଥାତ୍ ହେ ଅବତାରୀ ପୁରୁଷ ଜଗତର ନାଥ, ନୀଳଗିରିନାଥ, ଆପଣଙ୍କୁ ପ୍ରଣାମ । ହେ ମହାବାହୁ ଆପଣ ରାମଚନ୍ଦ୍ରଙ୍କ ଜନ୍ମ ଉତ୍ସବ ପାଳନ ପାଇଁ ତଥା ରାବଣାଦି ଦୁଷ୍ଟମାନଙ୍କ ବିନାଶ ପାଇଁ ରାମଚନ୍ଦ୍ରଙ୍କ ବିଗ୍ରହକୁ ଆଜ୍ଞା ପ୍ରଦାନ କରନ୍ତୁ । ଏ ବିଷୟରେ ବାମଦେବ ସଂହିତାରେ ମଧ୍ୟ ଉଲ୍ଲେଖ ଅଛି ଯେ,-

 

“ଆଜ୍ଞାପୟ ମହାବାହୋ ରାମପ୍ରତିକୃତିଂ ପ୍ରତି

ଇତି ସମ୍ପ୍ରାର୍ଥ୍ୟ ଦେବାଙ୍ଗାନ୍ମାଲ୍ୟାମାଦାୟ ତଦ୍‌ଗଳେ ।” (୨୪/୨୧)

 

ଅର୍ଥାତ୍‌, ହେ ମହାବାହୁ ଶ୍ରୀରାମଙ୍କ ପ୍ରକୃତିକୁ ଆଜ୍ଞାମାଳ କରନ୍ତୁ, ଏହା କହି ଶ୍ରୀଜଗନ୍ନାଥଙ୍କର ଆଜ୍ଞାମାଳ ଗ୍ରହଣ କରି ଶ୍ରୀରାମଙ୍କ ବିଗ୍ରହକୁ ପିନ୍ଧାଇ ଦିଆଯାଏ ।

 

ପ୍ରତ୍ୟେକ ସାହିର ସାହିଯାତ ବାହାରିବାର ପୂର୍ବଦିନ ସାହି ଠାକୁରାଣୀଙ୍କ ପାଖରେ ମାଜଣା ହୋଇ ଯାତ୍ରାର ସଫଳତା ପାଇଁ କାମନା ଓ କରୁଣା ଭିକ୍ଷା କରାଯାଇଥାଏ । ସାହି ଠାକୁରାଣୀଙ୍କ ମାଜଣା ସହିତ ପ୍ରତ୍ୟେକ ସାହି ଦକ୍ଷିଣକାଳୀଙ୍କର ମଧ୍ୟ ମାଜଣା କରିଥାନ୍ତି । ମାଜଣା କରିବାପାଇଁ ପ୍ରତ୍ୟେକ ସାହି, ନିଜ ସାହିର ନିଶାଣ ସହ ସାହି ମୁରବୀଙ୍କୁ ନେଇ ପଟୁଆରରେ ବାହାରିଥାନ୍ତି । ଠାକୁରାଣୀ ମାଜଣାର ମୁଖ୍ୟ ଉଦ୍ଦେଶ୍ୟ ଥାଏ ସାହିଯାତରେ ନିଜ ନିଜର ସାହିର ପରାକାଷ୍ଠା ପ୍ରଦର୍ଶନ ସହିତ ଯାତ୍ରାର ନିର୍ବିଘ୍ନ ପରିସମାପ୍ତି ପାଇଁ ପ୍ରାର୍ଥନା କରିବା । ଡଃ. ସୁରେନ୍ଦ୍ର କୁମାର ମିଶ୍ରଙ୍କ ରଚିତ “ପୁରୀର ସାହିଯାତ୍ରା” ପୁସ୍ତକ ଅନୁସାରେ ପୁରୀର ପ୍ରାଚୀନ ଆଠସାହିର ପ୍ରାୟ ସତୁରୀଟି ମେଳ (ଦଳ) ଏହି ଯାତରେ ସକ୍ରିୟ ଅଂଶଗ୍ରହଣ କରିଥାନ୍ତି । ପାଠକଙ୍କର ଅବଗତି ନିମନ୍ତେ ଏହାର ସଂକ୍ଷିପ୍ତ ସୂଚନା ପ୍ରଦାନ କରାଯାଇପାରେ-

 

କାଳିକାଦେବୀ ସାହି-ଦକ୍ଷିଣକାଳୀ ଆଖଡ଼ାର ଏକ ମେଳ ଗଣ୍ଡମାଳା ଯାଗା ।

 

ମାଟିମଣ୍ଡପ ସାହି-ଦୁଇମେଳ-ଭୋଗଯାଗା ଏବଂ ଅଲାରକୋଟ ବା (ଅଧୁନାଲୁପ୍ତ) ଆଲବାର କୋଟ ।

 

ହରଚଣ୍ଡୀ ସାହି-ଚାମୁଣ୍ଡାମୁଣ୍ଡାଇ ଆଖଡ଼ା-୧୨ ମେଳ-ବାରବାଟି ଯାଗା, ତାପଙ୍ଗଗଡ଼ ଯାଗା, ଜମାନ୍ ଖୁଣ୍ଟିଆ ଯାଗା, କୁସୁନ ଖୁଣ୍ଟିଆ ଯାଗା, ମୁଦୁଲି ଯାଗା, ଦୀକ୍ଷିତ ବାଡ଼ ପୋଖରୀ ଯାଗା, ଚାମୁଣ୍ଡାମୁଣ୍ଡି ଯାଗା, ଈଶ୍ୱରବଲ୍ଲଭ ଯାଗା, ନୃସିଂହ ବଲ୍ଲଭ ଯାଗା, ବଡ଼ ଆଖଡ଼ା ଯାଗା, ଧ୍ୱଜାଗଡ଼ ଯାଗା (ଢିପଯାଗା), ଶଙ୍ଖକୋଟ ଯାଗା ।

 

ମାର୍କଣ୍ଡେଶ୍ୱର ସାହି-ଭଗବତୀ କୋଟର ଆଠ ମେଳ-ରାହାସ ମହାନ୍ତି ଯାଗା, ସାତ ବଖରା ଯାଗା, ପାଣ୍ଡଯାଗା, ଭଟ୍ଟଯାଗା, ଝାଟିଯାଗା, ଦୁଆରି ଯାଗା, ଗଦାସାହାଣ ବା ଜାନୁ ମହାପାତ୍ର ବଡ଼ ପୋଖରୀ ଯାଗା, ବଡ଼ୁ ମହାପାତ୍ର ଯାଗା (ଚୁଡ଼ଙ୍ଗକୋଟ), ଉଚ୍ଚ ଯାଗା (ଲୁପ୍ତ), ଅଳେଇକୋଟ (ଲୁପ୍ତ) ।

 

ବାସେଳୀ ସାହି-ଏମାନଙ୍କ ସ୍ଥିତି ବର୍ତ୍ତମାନ ନାହିଁ କାରଣ ଏ ସାହିର ଚାରିମେଳ ହରଚଣ୍ଡୀ ସାହି ମେଳରେ ବିଲୀନ ହୋଇ ଯାଇଛନ୍ତି ।

 

ଦୋଳମଣ୍ଡପ ସାହି-ଜହ୍ନି ମୁଣ୍ଡିଆ ଆଖଡ଼ାର ସାତ ମେଳ-ଯଦୁ ତିଆଡ଼ି ଯାଗା, ଚମ୍ପାଗଡ଼ ଯାଗା, ବଜ୍ରଗଡ଼, ଅମିନ ଯାଗା, ଜଗତ୍ ପ୍ରତିହାରୀ ଯାଗା, ସୁଗ୍ରୀବ ଗଡ଼ ନୂଆ ତୋଟା ଯାଗା, ଅମୀନଗଡ଼ ଏବଂ ଜୁନାଗଡ଼ (ଲୁପ୍ତ) ଯାଗା ।

 

କୁଣ୍ଢାଇବେଣ୍ଟ ସାହି-ପଥର ଆଖଡ଼ାର ୨୫ ମେଳ ଥିଲେ ମଧ୍ୟ ବର୍ତ୍ତମାନ ଅଠର ମେଳ ସକ୍ରିୟ ଅଛନ୍ତି–ସୁନ୍ଦରାଯାଗା, ବିଶୁନି ଯାଗା, ଗୋପାଳୀ ଯାଗା, ମରୀଚିକୋଟ ଯାଗା, ମଲ୍ଲୀଗଡ଼ ଯାଗା, ଅଲ୍ଲୀକୋଟ ଯାଗା (ଅଲାର କୋଟ), ଗଣେଶ ଗୁରୁଜ ଯାଗା, ବ୍ରହ୍ମା ଯାଗା, ମାଜଣାଯାଗା, ମାଳିଯାଗା, ଜାଡ଼ୁ କୋଟ (ଏଠାରେ ମା ଜାଡ଼ୁଆଣୀ ବିଜେ କରିଛନ୍ତି), ଇନ୍ଦ୍ରଦ୍ୟୁମ୍ନ ଯାଗା, କଣ୍ଡରା କୋଟ ଯାଗା, ଖଲ୍ଲିକୋଟ ଯାଗା, ମକରଧ୍ୱଜ କୋଟ, ବଳଭଦ୍ର ବଲ୍ଲଭ ଯାଗା, ନୃସିଂହ ବଲ୍ଲଭ ବା ଗଡ଼ ଯାଗା, ଗୋପୀନାଥ ବଲ୍ଲଭ ଯାଗା, ବଡ଼ ଯାଗା, ଦିବ୍ୟସିଂହ କୋଟ, ବେଳଦଳ ଯାଗା, ସୁଡ଼ଙ୍ଗ କୋଟ, କୁମୁଟି ପାଟଣା ଯାଗା, ଜାଇଗଡ଼ ଯାଗା, ଜୁଈଗଡ଼ ଯାଗା ।

 

ବାଲିସାହି-ବାଲି ସାହି ଆଖଡ଼ାର ଆଠମେଳ-ଖୁଣ୍ଟିଆ ଯାଗା, ହିଞ୍ଜଳଗଡ଼ ଯାଗା, ଲୁହାଗଡ଼ ଯାଗା, ପଞ୍ଚାୟତ ଯାଗା, ଦୁବେଇଯାଗା, ନାଗାକୋଟ ଯାଗା, ଗୁରୁଜଙ୍ଗଯାଗା, କଦମ୍ବଗଡ଼ ଯାଗା ।

 

ଗୌଡ଼ବାଡ଼ ସାହି-ଏହି ସାହି ଆଖଡ଼ାର ୪ ମେଳ-ଅଡ଼ଙ୍ଗତିଆଡ଼ି ଯାଗା, ଖାସ୍‌ଯାଗା ବା ଖାସୁଯାଗା, ଜୁଆଣି ଗଡ଼ ବା ନୁଆଣିଗଡ଼ ଯାଗା, ଢିପଯାଗା ।

 

ଉପରୋକ୍ତ ଯାଗା ଆଖଡ଼ା ଏବଂ ସାହିମାନଙ୍କର ସହାୟତାରେ ହିଁ ଶ୍ରୀଜଗନ୍ନାଥ ଚେତନା କୈନ୍ଦ୍ରିକ ସାହିଯାତ ସମ୍ପନ୍ନ ହୋଇଥାଏ ।

 

ପ୍ରଥମେ ରାମଜନ୍ମ ଲୀଳାକୁ କାଳିକାଦେବୀ ସାହିର ଯାଗା ଓ ଆଖଡ଼ାର ଯୁବକମାନେ ରାମନବମୀ ତିଥିରେ ସମ୍ପାଦିତ କରିଥାନ୍ତି । ଏହି ଅବସରରେ ଶ୍ରୀମନ୍ଦିରରେ ରାମଜନ୍ମ ନୀତି ପାଳିତ ହେବାପରେ ଏହି ସାହିରୁ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ବିଶ୍ୱାମିତ୍ର ଏବଂ ଦଶରଥ ବାହାରି ଶ୍ରୀମନ୍ଦିର ଯାଇଥାନ୍ତି । ଶ୍ରୀମନ୍ଦିରରେ ସାହି ମହାଜନଙ୍କଦ୍ୱାରା ଚରୁ ଗ୍ରହଣ ପରେ ଫେରିବା ପଥରେ ଶ୍ରୀନଅର ଯାଆନ୍ତି ଏବଂ ତତ୍‌ପଶ୍ଚାତ୍ ପଟୁଆର ମାଟିମଣ୍ଡପ ସାହିକୁ ଯାଇ ସେଠାରେ ଅଭିନୟ ସମ୍ପାଦନ କରନ୍ତି । ସୂଚନାଯୋଗ୍ୟ ଯେ, ଶ୍ରୀରାମଙ୍କ ଜନ୍ମ ନୀତି ପରେ ପୂଜାପଣ୍ଡା ପଇତାଲାଗି କରାଇ ଶିତଳଭୋଗ ମଣୋହି କରାନ୍ତି । ମହାସୁଆର ଜୟବିଜୟ ଦ୍ୱାରଠାରେ ‘ଚରୁ’ ଭାତ ମଣୋହି କରାନ୍ତି । ସେହି ଚରୁ ଅନ୍ନକୁ ହିଁ କାଳିକାଦେବୀ ସାହି ମେଳ ଗ୍ରହଣ କରିଥାନ୍ତି । ଚରୁ ଅନ୍ନ ମଣୋହି ପରେ ଶ୍ରୀରାମଚନ୍ଦ୍ରଙ୍କ ବିଗ୍ରହ ପୁନଃ ଦକ୍ଷିଣି ଘରକୁ ଫେରିଯାନ୍ତି । ତେବେ କାଳିକାଦେବୀ ସାହି ପଟୁଆର ସହିତ ନାଗା ଏବଂ ଅନ୍ୟାନ୍ୟ ମେଢ଼, ଲାଠି, ବନାଟି ଚାଳକମାନେ ଅଭିନୟ ଏବଂ ସମରକଳା ପ୍ରଦର୍ଶନ କରି କରି ବାଦିସାହି ଯାଇଥାନ୍ତି ।

 

ସାହିଯାତ୍ରାର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିଗଟି ହେଉଛି, ଶ୍ରୀ ଜଗନ୍ନାଥଙ୍କର ଲୀଳା ପାଇଁ ଉଦ୍ଦିଷ୍ଟ ଜଗନ୍ନାଥ ବଲ୍ଲଭ ମଠଠାରେ ହିଁ ସମସ୍ତ ମୁଖ୍ୟ ଲୀଳାମାନ ପ୍ରଦର୍ଶିତ ହୋଇଥାଏ । ଏଠାକୁ ଶ୍ରୀମନ୍ଦିରରୁ ଶ୍ରୀରାମ ଲକ୍ଷ୍ମଣାଦିଙ୍କ ଚଳନ୍ତି ବିଗ୍ରହମାନେ ଆଜ୍ଞାମାଳ ପାଇ ଆସିଥାନ୍ତି ଏବଂ ଏହିଠାରେ ହିଁ ସାହିମାନଙ୍କରୁ ଆସିଥିବା କଳାକାରମାନଙ୍କଦ୍ୱାରା ଯଜ୍ଞରକ୍ଷା, ଶିବଧନୁ ଭଙ୍ଗ, ସୀତା ବିବାହ, ପରଶୁରାମ ଲୀଳା, ବନବାସ ଲୀଳା, ମାୟାମୃଗଲୀଳା, ଲଙ୍କାପୋଡ଼ିରେ ହନୁମାନ ଲୀଳା, ରାବଣ ବଦ୍ଧ ତଥା ରାମାଭିଷେକ ଲୀଳାମାନ ସମ୍ପାଦିତ ହୋଇଥାଏ ।

 

ନବମୀ ସନ୍ଧ୍ୟା ପରଠାରୁ ଦଶମୀ ଆରମ୍ଭ ମଧ୍ୟରେ ମାଟିମଣ୍ଡପ ସାହିର କଳାକାରମାନେ ସୀତା ବିବାହ ପ୍ରସ୍ତାବ ଲୀଳା ଅନୁଷ୍ଠାନ କରିଥାନ୍ତି । ଏହି ଅବସରରେ ମାଟିମଣ୍ଡପ ସାହିରୁ ଜନକ, ବଶିଷ୍ଟ, ବିଶ୍ୱାମିତ୍ର, ରାମ, ଲକ୍ଷ୍ମଣ ଏବଂ ସୀତା ବାହାରି ଜଗନ୍ନାଥ ବଲ୍ଲଭ ମଠ ପରିସରକୁ ଯାଇଥାନ୍ତି । ସେଠାରେ ସୀତାବିବାହ ପ୍ରସ୍ତାବ ଲୀଳା ଏବଂ ବିବାହ ଉତ୍ସବ ପରେ ପଟୁଆର, ବାଜା, ରୋଷଣୀ ସହିତ କାଳିକାଦେବୀ ସାହିକୁ ଯାତ୍ରା କରିଥାନ୍ତି । ଏହି ଅବସରରେ ଶ୍ରୀମନ୍ଦିରରୁ ଶ୍ରୀରାମ, ଲକ୍ଷ୍ମଣ, ସୀତାଙ୍କ ବିଜେ ପ୍ରତିମା ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ଯାଇଥାନ୍ତି ଏବଂ ସେବାୟତମାନେ ସେଠାରେ ବିବାହ ଉତ୍ସବ ଅନୁଷ୍ଠାନ କରିଥାନ୍ତି ।

 

ଦଶମୀ ଏବଂ ଏକାଦଶୀ ତିଥିରେ ହରଚଣ୍ଡୀ ସାହିର ବାରମେଳ ଯାଗାଙ୍କ ପକ୍ଷରୁ, ଦଶମୀ ଦିନ ଋଷ୍ୟଶୃଙ୍ଗ ଯାତ୍ରା ଓ ଋଷିମାନଙ୍କର ଯଜ୍ଞରକ୍ଷା ପର୍ବ ଅନୁଷ୍ଠିତ ହୁଏ । ଏହି ସମୟରେ ଖର, ଦୂଷଣ ବେଶ ହୋଇ ବାହାରନ୍ତି । ଏହି ଦିନ ମଧ୍ୟ ଶ୍ରୀମନ୍ଦିରରେ ଯଜ୍ଞରକ୍ଷା ନୀତି ପାଳିତ ହୋଇଥାଏ । ସନ୍ଧ୍ୟାଧୂପ ପରେ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ପାଇ ଶ୍ରୀରାମ ଲକ୍ଷ୍ମଣ ପାଲିଙ୍କିରେ ବିଜେ ହୁଅନ୍ତି । ବିମାନବଡ଼ୁମାନେ ଛତା, କାହାଳୀ ଓ ଘଣ୍ଟାବାଦନ ସହିତ ବିଗ୍ରହଙ୍କୁ ଜଗନ୍ନାଥ ବଲ୍ଲଭ ମଠକୁ ଆଣନ୍ତି । ସେଠାରେ ହରଚଣ୍ଡୀ ସାହିରୁ ଆସିଥିବି ଖରଦୂଷଣ ପ୍ରସ୍ତାବ ରଖିବା ପରେ ପୁନଃ ରାମଲକ୍ଷ୍ମଣ ମନ୍ଦିରକୁ ବାହୁଡ଼ି ଯାଆନ୍ତି ।

 

ଏକାଦଶୀ ଦିନ ହରଚଣ୍ଡୀ ସାହି ପକ୍ଷରୁ ଶ୍ରୀଜଗନ୍ନାଥ ବଲ୍ଲଭ ମଠଠାରେ ପରଶୁରାମ ଲୀଳା ପ୍ରସ୍ତାବ ଅନୁଷ୍ଠିତ ହୁଏ । ଏହିଦିନ ସନ୍ଧ୍ୟାଧୂପ ପରେ ଶ୍ରୀମନ୍ଦିରରୁ ଶ୍ରୀରାମ ଲକ୍ଷ୍ମଣ ଏବଂ ସୀତାଙ୍କ ବିଗ୍ରହ ଜଗନ୍ନାଥ ବଲ୍ଲଭ ମଠକୁ ପୂର୍ବଦିନ ପରି ବିଜେ ହୁଅନ୍ତି । ହରଚଣ୍ଡୀ ସାହିରୁ ଆଗତ ପରଶୁରାମ ପଟୁଆର ସହିତ ସାହି ପରିକ୍ରମା କରି ଏଠାରେ ଆସି ପହଞ୍ଚନ୍ତି ଏବଂ ପରଶୁରାମଙ୍କ ସହିତ ଶ୍ରୀରାମଙ୍କ କଳହ ପ୍ରସ୍ତାବ ତଥା ପରଶୁରାମଙ୍କ କଳାହରଣ ନୀତି ଅନୁଷ୍ଠିତ ହୁଏ । ପ୍ରାୟ ପଚାଶବର୍ଷ ତଳେ ଓଡ଼ିଶାର ବିଖ୍ୟାତ ଗାୟକ ସିଂହାରୀ ଶ୍ୟାମସୁନ୍ଦର କର ତାଙ୍କ ଯୁବକ ସମୟରେ ପରଶୁରାମ ରୂପ ବନ୍ଧାଉଥିଲେ । ଏଇଥିରୁ ହିଁ ସାହିଯାତର ମହତ୍ତ୍ୱ ଏବଂ ମର୍ଯ୍ୟାଦା ଅନୁମେୟ ।

 

ଦ୍ୱାଦଶୀ ଦିନ ସନ୍ଧ୍ୟାଧୂପ ପରେ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ପାଇ ରାମ, ଲକ୍ଷ୍ମଣ ଏବଂ ସୀତାଙ୍କ ପ୍ରତିମା ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରନ୍ତି । ଏହିଠାରେ ମାର୍କଣ୍ଡେୟ ସାହିର ଆଖଡ଼ାଦ୍ୱାରା ରାମ ବନବାସ ଲୀଳା ପ୍ରସ୍ତାବ ଅନୁଷ୍ଠିତ ହୋଇଥାଏ । ଏହି ଦିନ ସନ୍ଧ୍ୟାଧୂପ ବେଶରେ ତିନିଖଣ୍ଡ ଆଜ୍ଞାମାଳ ମହାପ୍ରଭୁଙ୍କ ପାଖରୁ ଆସିଥାଏ । ଧୂପ ବଢ଼ି ଦକ୍ଷିଣି ଘରେ ଭୋଗ ସରିବା ପରେ ମହାଜନ ଶ୍ରୀରାମ, ଶ୍ରୀଲକ୍ଷ୍ମଣ ଏବଂ ମାତା ସୀତାଙ୍କୁ ସିଂହାସନରେ ବିଜେ କରାନ୍ତି । ପୂଜାପଣ୍ଡା ଆଜ୍ଞାମାଳ ଦେବା ପରେ ମହାଜନ ସେବକମାନେ ଠାକୁରମାନଙ୍କୁ ବଟମୂଳେ ଥିବା ପାଲିଙ୍କିରେ ବିଜେ କରାଇଥାନ୍ତି । ବିମାନବଡ଼ୁମାନେ ଘଣ୍ଟ, ଛତା, କାହାଳୀ ସହ ପାଲିଙ୍କିକୁ ଜଗନ୍ନାଥ ବଲ୍ଲଭଠାକୁ ନେଇଥାନ୍ତି । ମାର୍କଣ୍ଡେଶ୍ୱର ସାହିଦ୍ୱାରା ଲୀଳା ପ୍ରସ୍ତାବ ପରେ ଶୀତଳଭୋଗ ମଣୋହି ସାରି ବାହୁଡ଼ାବିଜେ ହୋଇଥାଏ । ସୂଚନାଯୋଗ୍ୟ ଯେ, ପୂର୍ବ ଦିନମାନଙ୍କ ପରି ଅର୍ଥାତ୍ ନବମୀଠାରୁ ଏକାଦଶୀ ପର୍ଯ୍ୟନ୍ତ ବିଭିନ୍ନ ସାହିର ବିବିଧତା, ବୀରତ୍ୱ ଏବଂ ଆଡ଼ମ୍ବର ଏହିଦିନ ନଥାଏ । କାରଣ ରାମ ବନବାସ ପ୍ରସ୍ତାବ ପରେ, ସମସ୍ତ ପଟୁଆର ଦୁଃଖର ସହ ନୀରବ ଶୋଭାଯାତ୍ରାରେ ବାଦୀସାହି ପରିକ୍ରମା କରିଥାନ୍ତି ।

 

ତ୍ରୟୋଦଶୀ ତିଥିରେ ଯାତ୍ରା ବାହାରେ ନାହିଁ । କାରଣ ଏହି ଦିନ ଶ୍ରୀଜଗନ୍ନାଥ ମନ୍ଦିରଠାରେ ମହାପ୍ରଭୁଙ୍କ ଦ୍ୱାଦଶଯାତ୍ରା ମଧ୍ୟରୁ ଅନ୍ୟତମ ଦମନକ ଯାତ୍ରା ବା ଦୟଣାଚୋରୀ ନୀତି ଅନୁଷ୍ଠିତ ହୁଏ । ଦୟଣାଚୋରୀ ପାଇଁ ଶ୍ରୀରାମଲୀଳା ପ୍ରସ୍ତାବ ବନ୍ଦ ରହେ ।

 

ଚତୁର୍ଦ୍ଦଶୀ ତିଥିରେ ଶ୍ରୀଜଗନ୍ନାଥଙ୍କ ସନ୍ଧ୍ୟାଧୂପ ଏବଂ ଦୟଣାମାଳି ନୀତି ପରେ ଆଜ୍ଞାମାଳ ପାଇ ରାମ ଓ ଲକ୍ଷ୍ମଣଙ୍କ ପ୍ରତିମା ଜଗନ୍ନାଥ ବଲ୍ଲଭ ମଠକୁ ବିଜେ ହୁଅନ୍ତି । ଏହିଠାରେ କୁଣ୍ଢେଇବେଣ୍ଟ ସାହିରୁ ମହାସମାରୋହରେ ପଟୁଆରରେ ଆସିଥିବା ମାୟାରାବଣ, ମାୟାମୃଗ, ରାମ, ଲକ୍ଷ୍ମଣ, ସୀତାଙ୍କଦ୍ୱାରା ମାୟାମୃଗ ପ୍ରସ୍ତାବ ଏବଂ ସୀତାହରଣ ପ୍ରସ୍ତାବ ଅନୁଷ୍ଠିତ ହୁଏ । ଏହିଦିନ ସନ୍ଧ୍ୟାଧୂପ ସରିବା ପରେ ଶ୍ରୀରାମ ଲକ୍ଷ୍ମଣ ଏବଂ ଦେବୀ ସୀତା ଆଜ୍ଞାମାଳ ପାଇ ବଟମୂଳରେ ଥିବା ପାଲିଙ୍କିରେ ପୂର୍ବଦିନ ପରି ବିଜେ କରନ୍ତି । ଏହି ମାୟାମୃଗ ପ୍ରସ୍ତାବ ସମୟରେ କୁଣ୍ଢାଇବେଣ୍ଟ ସାହି ପଥର ଆଖଡ଼ାର ମାୟାରାବଣ ସୀତାହରଣ ପାଇଁ ଆସିଥାଏ ।

 

ଚୈତ୍ର ପୂର୍ଣ୍ଣିମା ଦିନ ଶ୍ରୀଜଗନ୍ନାଥ ବଲ୍ଲଭଠାରେ ରାମ, ଲକ୍ଷ୍ମଣଙ୍କ ପ୍ରତିମା ଶ୍ରୀମନ୍ଦିରରୁ ଆସି ବିଜେ ହେବାପରେ ଦୋଳମଣ୍ଡପ ଆସି ଆଖଡ଼ା ପକ୍ଷରୁ ଲଙ୍କାପୋଡ଼ି ଲୀଳା ଅନୁଷ୍ଠିତ ହୁଏ । ସାହିରୁ ଗୋଟିଏ ହନୁମାନ ଏବଂ ଗୋଟିଏ ରାବଣ ବାହାରନ୍ତି । ସାହି ବୁଲିବା ପରେ ରାବଣ ସହ ହନୁମାନର ନାଚ ହୁଏ । ଏହାପରେ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପରିସରଠାରେ ଆଗରୁ ପ୍ରସ୍ତୁତ କୁଟା (ଲଙ୍କା ନଗରୀର ପ୍ରତୀକ) ଗଦାର ନିଆଁ ଲଗା ଅନୁଷ୍ଠାନ ହନୁମାନଙ୍କ ପକ୍ଷରୁ ହୁଏ । ଏ ସମୟରେ ଶଙ୍ଖ, ହୁଳହୁଳି, ହରିବୋଲ ଶବ୍ଦରେ ସାରା ପରିବେଶ ପ୍ରକମ୍ପିତ ହୋଇଉଠେ ।

 

ବୈଶାଖ କୃଷ୍ଣ ପ୍ରତିପଦା ଦିନ ବାଲିସାହି ଆଖଡ଼ା ପକ୍ଷରୁ ଯମେଶ୍ୱରଙ୍କ ପୂଜା ଅନୁଷ୍ଠିତ ହୁଏ । ଏତଦ୍‌ବ୍ୟତୀତ ଯମେଶ୍ୱରଙ୍କ ମନ୍ଦିର ପରିସରଠାରେ ସେତୁବନ୍ଧ ପ୍ରତିଷ୍ଠା ପାଇଁ ନିକୁମ୍ଭିଲା (ଅଶ୍ୱତ୍‌ଥ) ବୃକ୍ଷ ମୂଳରେ ରାମଙ୍କ ପାଇଁ ରାବଣ ସେତୁବନ୍ଧ ଯଜ୍ଞ କରନ୍ତି । ପୁରୀ ସାହି ଯାତ୍ରାର ଏହାହିଁ ଅନ୍ୟତମ ସ୍ୱାତନ୍ତ୍ର‌୍ୟ । ଯାହା କୌଣସି ଶାସ୍ତ୍ରୀୟ ଗ୍ରନ୍ଥରେ ଦେଖାଯାଏ ନାହିଁ । ଏହାପରେ ବାଲିସାହି ଆଖଡ଼ାର ଯୁବକମାନେ ପଟୁଆରରେ ଆସି ଶ୍ରୀଜଗନ୍ନାଥଙ୍କଠାରୁ ମନ୍ଦାରଫୁଲ ଆଜ୍ଞାମାଳ ପ୍ରାପ୍ତ ହୋଇ ଜଗନ୍ନାଥ ବଲ୍ଲଭ ମଠକୁ ଯାଆନ୍ତି । ଏଠାରେ ଶ୍ରୀମନ୍ଦିରରୁ ସନ୍ଧ୍ୟାଧୂପ ପରେ ଆସି ବିଜେ ହୋଇଥିବା ରାମ, ଲକ୍ଷ୍ମଣ ପ୍ରତିମାଙ୍କ ସମକ୍ଷରେ ସେତୁବନ୍ଧ ଲୀଳା ଅନୁଷ୍ଠିତ ହୁଏ ।

 

ବୈଶାଖ କୃଷ୍ଣ ଦ୍ୱିତୀୟା ଦିନ ମଧ୍ୟ ବାଲିସାହି ଆଖଡ଼ା ‘ରାବଣ’ ମହାସମାରୋହରେ ପଟୁଆରରେ ଆସି ଶ୍ରୀମନ୍ଦିରର ଜଗମୋହନଠାରେ ଦଣ୍ଡାୟମାନ ହୁଅନ୍ତି । ଏଠାରେ ଶ୍ରୀଜଗନ୍ନାଥଙ୍କର ପୁଷ୍ପମାଳ ତାଙ୍କୁ ପ୍ରଦାନ କରାଯିବା ପରେ, ସେ ବାଦୀସାହି ପରିକ୍ରମା କରି ଯମେଶ୍ୱର ମନ୍ଦିରର ନିକୁମ୍ଭିଲା ବଟମୂଳରେ ଯୁଦ୍ଧ ପାଇଁ ଯଜ୍ଞ କରନ୍ତି । ତତ୍‌ପଶ୍ଚାତ୍ ରାମଙ୍କ ସହିତ ଯୁଦ୍ଧ ହୁଏ ଏବଂ ରାବଣର ସ୍ୱର୍ଗପ୍ରାପ୍ତି ଘଟେ । ବୈଶାଖ କୃଷ୍ଣ ଦ୍ୱିତୀୟା ଦିନ ମହାପ୍ରଭୁଙ୍କର ସନ୍ଧ୍ୟାଧୂପ ପୂଜା ବସିବା ସମୟରେ ହିଁ ବାଲିସାହିର ରାବଣ ବେଶଧାରୀ ଯୁବକ ଆସି ଜଗମୋହନ କାଠ ପାଖରେ ଠିଆ ହେବା ପରେ ସିଂହାସନ ଛୁଆଁ ଆଜ୍ଞାମାଳ ନେଇ ସାହି ବୁଲିବା ପାଇଁ ଯାଇଥାଏ । କିନ୍ତୁ ସନ୍ଧ୍ୟାଧୂପ ସରିବା ପରେ ଶ୍ରୀରାମ ଓ ଲକ୍ଷ୍ମଣ ଦୁଇ ବିଗ୍ରହଙ୍କୁ ସିଂହାସନରେ ବିଜେ କରାଯାଏ ଏବଂ ମହାପ୍ରଭୁଙ୍କ ଆଜ୍ଞାମାଳ ପ୍ରଦାନ କରାଯାଏ । ଆଜ୍ଞାମାଳ ପାଇ ପାଲିଙ୍କିରେ ବିଜେ ହୋଇ ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ଯାତ୍ରା କରନ୍ତି ସେଠାରେ ସାହି ବୁଲି ଫେରିଥିବା ରାବଣ ସହ ଯୁଦ୍ଧ ପ୍ରସ୍ତାବ ହୁଏ ଏବଂ ରାବଣ ବଧ ହୁଏ । ରାବଣ ବଧ ପରେ ରାମଲକ୍ଷ୍ମଣ ବାହୁଡ଼ା ବିଜେରେ ଦକ୍ଷିଣ ଘରକୁ ଯାତ୍ରା କରିଥାନ୍ତି ।

 

ବୈଶାଖ କୃଷ୍ଣ ତୃତୀୟା ପରେ ଯେଉଁ ତିଥିରେ ପୁଷ୍ୟା କର୍କଟ ନକ୍ଷତ୍ର ଯୋଗହୁଏ, ସେହିଦିନ ଶ୍ରୀରାମ ଅଭିଷେକ ଲୀଳା ଅନୁଷ୍ଠିତ ହୁଏ । ଏହି ଉତ୍ସବଟି ଗୌଡ଼ବାଡ଼ ସାହିର ଆଖଡ଼ାଦ୍ୱାରା ସମ୍ପାଦିତ ହୋଇଥାଏ । ଏହିଦିନ ସାହିରୁ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ସୀତା, ହନୁମାନ ବାହାରି ଅଯୋଧ୍ୟାର ସେନାପତି, ଯୋଦ୍ଧାମାନଙ୍କ ଗହଣରେ ବିରାଟ ପଟୁଆରରେ ବୀର ବାଦ୍ୟ, ରୋଷଣୀରେ ସଜ୍ଜିତ ହୋଇ ବାଦୀ ସାହି ପରିକ୍ରମଣ କରନ୍ତି ।

 

ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ବସିଥିବା ଅବସରରେ ଏହି ସାହିରୁ ଭରତ ଓ ଶତୃଘ୍ନ ଶ୍ରୀମନ୍ଦିରକୁ ଆସି ଭଣ୍ଡାରଘରୁ ପାଦୁକା ନେଇ ଅଭିଷେକ ଲୀଳା ପାଇଁ ଜଗନ୍ନାଥ ବଲ୍ଲଭ ମଠକୁ ଯାଆନ୍ତି । ସନ୍ଧ୍ୟାଧୂପ ପରେ ରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନଙ୍କ ଚଳନ୍ତି ବିଗ୍ରହ ରତ୍ନସିଂହାସନ ସମ୍ମୁଖରେ ବିଜେ ହୋଇ, ସେଠାରୁ ଆଜ୍ଞମାଳ ପାଇବା ପରେ ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ଯାଆନ୍ତି-। ଏହିଠାରେ ଅଭିଷେକ ଲୀଳା ଅନୁଷ୍ଠାନ ସହିତ ସାହିଯାତ୍ରାର ସମାପ୍ତି ଘଟିଥାଏ ।

 

ଶ୍ରୀକ୍ଷେତ୍ରର ରାମଚେତନାକୈନ୍ଦ୍ରୀକ ସାହିଯାତ୍ରାର ସମସ୍ତ କଥାବସ୍ତୁ ମୁଖ୍ୟତଃ ମହାନାଟକ ଗ୍ରନ୍ଥ ଅନୁସରଣରେ ହିଁ ଅନୁଷ୍ଠିତ ହେଉଥିଲା । ତେବେ ପରବର୍ତ୍ତୀ ସମୟରେ ମହାନାଟକର ସଂଳାପ ସ୍ଥାନରେ ଲୋକ ପରମ୍ପରା ଓ ସାମାଜିକ ଚଳଣି ଆଧାରରେ ସଂସ୍କୃତ ସହିତ ଲୌକିକ ଭାଷାର ବଚନିକା ମଧ୍ୟ ବ୍ୟବହୃତ ହେବାରେ ଲାଗିଲା । ଏହି କାରଣରୁ ଗୋଟିଏ ଚରିତ୍ର ‘ରାବଣ’ ବାଲିସାହି ଏବଂ ଦୋଳମଣ୍ଡପ ସାହିରୁ ଭିନ୍ନ ଭିନ୍ନ ଦିନରେ ବାହାରୁଥିଲେ ମଧ୍ୟ ଏମାନଙ୍କ ସଂଳାପ ବା ବଚନିକାରେ ପାର୍ଥକ୍ୟ ଦେଖାଯାଏ ।

 

ଉଦାହରଣତଃ ବାଲିସାହି ରାବଣର ବଚନିକାରେ କହେ–

 

ଯାତ ବ୍ରହ୍ମକୁଳେ

ଦୁର୍ଯ୍ୟୋଧନ ପତେ (ଧନପତିର୍ଯଃ)

ଯା କୁମ୍ଭକର୍ଣ୍ଣାନୁଜ (କୁମ୍ଭକର୍ଣ୍ଣୋନୁଜଃ)

ଦୈତ୍ୟ କାମଶରେ

ରଥଶ ବିଜୟୀ

ପାରେ ସମୁଦ୍ର ଗୃହେ ।

ଯା ସ୍ଫଳିନ ଦୈବ ବଳେ ବାଲିସାହି ରାବଣ

ଭାଇରେ କୁମ୍ଭକର୍ଣ୍ଣ

ପୁତ୍ରରେ ମେଘନାଦ

ହାଗଛରେ ହା ଗଛ ।

ଏ ବଜ୍ରରେ ମାରିବି ନଇଲେ ମରିବି ॥

 

ଅପରପକ୍ଷରେ ସେହି ଆତ୍ମ ପରିଚୟ ପ୍ରଦାନରେ ଦୋଳମଣ୍ଡପ ସାହି ରାବଣ କହିଥାଏ–

 

ଭାଇ ମୋର କୁମ୍ଭକର୍ଣ୍ଣ । ପୁତ୍ର ମୋର ମେଘନାଦ ।

ପ୍ରଭୁ ମୋର ଦେବ ଦେବ ମହାଦେବ ।

ଖଡ଼୍‍ଗ ମୋର ଚନ୍ଦ୍ର ହାସ ...

 

ତାପରେ ଅନ୍ୟମାନଙ୍କୁ ଉଦ୍ଦେଶ୍ୟ କରି କହିଥାଏ–

 

ହେ... ଗଚ୍ଛ.... ହେ.... ଗଚ୍ଛ.... ଇତ୍ୟାଦି ।

 

ଏହି ଗୋଟିଏ ଉଦାହରଣ ହିଁ ଯଥେଷ୍ଟ ହେବ ଯେ ମୂଳ ସଂଳାପଠାରୁ ଲୋକ ବଚନିକା କିପରି ଭିନ୍ନ ଭାବରେ ପ୍ରୟୋଗ ହୋଇଚାଲିଛି । ତେବେ ଲୋକ ପରମ୍ପରାରେ ଭାବାବେଗ ହିଁ ମୁଖ୍ୟ ଭାଷା ବା ବ୍ୟାକରଣ ନୁହେଁ । ଏ କଥାଟି ମନେ ରଖିବାକୁ ହେବ

 

ସାହିଯାତର ଗୋଟିଏ ବିଶେଷତ୍ୱ ହେଲା ଅଯୋଧ୍ୟାର ନନ୍ଦୀଗ୍ରାମ ଭାବରେ ପରିଚିତ ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ରାମଲକ୍ଷ୍ମଣ ଆଦିଙ୍କ ପ୍ରତିମାମାନେ ପ୍ରତ୍ୟହ ଘଣ୍ଟା, କାହାଳୀ ବାଦନ ଓ ପଟୁଆରରେ ବିଜେ କରିଥାନ୍ତି । କିନ୍ତୁ ଅଭିଷେକ ଲୀଳାଦିନ ନିଃଶବ୍ଦରେ ବିନା ବାଦ୍ୟ ଓ କାହାଳୀରେ ବିଜେ କରିଥାନ୍ତି । ଏତଦ୍‌ବ୍ୟତୀତ ରାମଙ୍କ ସହ ଯୁଦ୍ଧ ପାଇଁ ‘ରାବଣ’ର ଶ୍ରୀଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ପ୍ରାପ୍ତ ହେବା ମଧ୍ୟ ଏକ ସ୍ୱାତନ୍ତ୍ର‌୍ୟ ।

 

ପୁରୀର ଆଠସାହି ମଧ୍ୟରୁ କେଉଁ ସାହି କେଉଁ ପ୍ରସ୍ତାବ କରିବ ଉପରଲିଖିତ ଆଲୋଚନାନୁସାରେ “ଛାମୁଚିଟାଉ” ପାଇଛନ୍ତି ଏବଂ ଶ୍ରୀମନ୍ଦିରରୁ ତାଙ୍କୁ ସେଥିପାଇଁ ‘ଖେଇ’ ମଧ୍ୟ ମିଳିଥାଏ । ସାହିଯାତରେ ଆଖଡ଼ାମାନଙ୍କରୁ ବାହାରୁଥିବା ରୂପମାନେ ଶ୍ରୀଜଗନ୍ନାଥଙ୍କ ସେବାପୂଜା ସହିତ ଜଡ଼ିତ ଥିବା କଥା ପୂର୍ବରୁ ସୂଚିତ ଅଛି ।

 

ଓଡ଼ିଶାର ପ୍ରାଚୀନ ଲୋକ ସଂସ୍କୃତିର ନୂତନ ଅଧ୍ୟାୟ ସୃଷ୍ଟିକାରୀ, ଏହି ସାହିଯାତ୍ରାରେ ଧାର୍ମିକ ଅନୁଚିନ୍ତା ସହିତ ଓଡ଼ିଶାର-ବିଶେଷତଃ ଶ୍ରୀକ୍ଷେତ୍ରର ପ୍ରାଚୀନ ଯୁଦ୍ଧ ଅନୁଷ୍ଠାନ ପଦ୍ଧତିର ଏବଂ ଶକ୍ତିଶାଳୀ ଯୁବ ଶକ୍ତିର ଜ୍ୱଳନ୍ତ ଉଦାହରଣ ପ୍ରଦାନ କରିଥାଏ ।

 

ସାହିଯାତ୍ରାର ପଟୁଆର ମଧ୍ୟରେ ବାହାରୁଥିବା ରାବଣ, ତା’ର ଦଶମୁଣ୍ଡ ସହିତ ଯେତିକି ଅସ୍ତ୍ରଶସ୍ତ୍ର ବହନ କରିଥାଏ ତାହାର ଓଜନ ଷାଠିଏରୁ ଅଶୀ କିଲୋ ଯାଏଁ ହୋଇଥାଏ । ଏହାଛଡ଼ା ସାହିଯାତର ଅନ୍ୟତମ ମୁଖ୍ୟ ଆକର୍ଷଣ ‘ନାଗା’ ରୂପ ଧାରଣ କରିଥିବା ବ୍ୟକ୍ତି ତଥା ଅନ୍ୟାନ୍ୟ ଦେବଦେବୀ ମେଢ଼ ଧାରଣ କରିଥିବା ବ୍ୟକ୍ତିମାନେ ସେତିକି ବଳଶାଳୀ ହେବା ଆବଶ୍ୟକ ।

 

ନାଗାବେଶଧାରୀ କୁସ୍ତି ବିଶାରଦ ଯୁବକ ମସ୍ତକରେ ହାଣ୍ଡିଆ (ଶିରସ୍ତ୍ରାଣ) ଧାରଣ କରେ । ହାଣ୍ଡିଆ ଉପରେ ଜଟାଫୁଲ ଥାଏ । ଲମ୍ବା ଦଉଡ଼ି, ଗୋବ, ଗୋଡ଼ି ଆଡ଼ ଦିଆଯାଇ ମୁଣ୍ଡରେ ବନ୍ଧାଯାଏ । ରୂପା ପାଉଜି ଚାପସରି, ବାଜୁବନ୍ଧ, ମାଳି, ଅଳକା, ପ୍ରଭୃତିରେ ସଜ୍ଜିତ ହୁଏ । ନାଗା ଦେହରେ ରାମରଜଲେପ ଓ ମସ୍ତକରେ ତିଳକ ଦିଆଯାଏ । ତିଳକ ମଝିରେ ଲମ୍ବା ସିନ୍ଦୂର କଲି । ପିନ୍ଧାହୁଏ-ପାଟକାଛେଣି ଓ ଉତ୍ତରୀୟ । ମୁହଁରେ ମୋଟା ଓ ଓସାରିଆ ନିଶ ଏବଂ ଦାଢ଼ୀ । ଗଳାରେ କଠା (ସୁନା ଓ ପୋହଳା ମିଶା ମାଳି ଯାହାର ମଝିରେ ବାଘନଖର ପଦକ ଥାଏ) ସହ ରୁଦ୍ରାକ୍ଷମାଳା । ଛାତିରୁ ଅଣ୍ଟା ପର୍ଯ୍ୟନ୍ତ ବାଘଛାଲ । ବାହୁ ମୂଳରେ ଏରାପକ୍ଷୀର ପର ତିଆରି କଲିଂ-। ଦୁଇ ହାତରେ ମଣିବନ୍ଧରୁ କହୁଣୀଯାଏଁ ପାଟ ବା ଜରୀ କନାର ଲମ୍ବ ଓହଳମାନ । କାନ୍ଧରେ ବାଘଛାଲର ହୁଦା ବା ପରତାରା । ମଣିବନ୍ଧ ମୂଳରେ ବାଘଛାଲର ପଟି ବା ହତା । ବାମ ଜଙ୍ଘରେ ଘଣ୍ଟି । ଗୋଇଠିରେ ଚମରୀ ଗାଈର କେଶର ନିର୍ମିତ ‘ବଜ୍ରଚଉଁରୀ’ । ଏ ସବୁ ହେଲା ନାଗାର ଘାତ ପ୍ରତିଘାତରୁ ରକ୍ଷା ପାଇବା ଭୂଷଣ । ନାଗାର ଅସ୍ତ୍ରଗୁଡ଼ିକ ହେଲା ତରବାରୀ, କଟାରୀ, ବାଙ୍କଛୁରୀ, ତୋଡଦାର ବନ୍ଧୁକ, ରଞ୍ଜକ ଦାନୀ, ନଳୀ, ଠୁଙ୍କା, ଶିଙ୍ଗଡ଼ା (ଗାଈ ବା ମଇଁଷୀ ଶିଙ୍ଘ), ଝୋବା (ଛୋଟ ମାଠିଆ), ବାହୁଟି, ହାତଢାଲ, ପେଟିଢାଲ, ପିଠିଢାଲ, କୁନ୍ତ, ବାଡ଼ି, ପୃଷ୍ଠଦେଶରେ ବିସ୍ତାରିତ ଶର ସଜ୍ଜିତ ଧନୁ, ବର୍ଚ୍ଛା । ଉପରୋକ୍ତ ଷୋହଳ ପ୍ରକାର ହତିଆର ବଢ଼ିଯାଇ କୋଡ଼ିଏରେ ମଧ୍ୟ ପହଞ୍ଚିଥାଏ । ଯଥା ଝଲକଣ, ଓଲଟ ଧାର ଖଣ୍ଡା, ହାତଭରା ଖଣ୍ଡା, ନୋଳି ଆଦି ପ୍ରଧାନତଃ ଧାରଣ କରନ୍ତି । ଏ ସମସ୍ତଙ୍କ ଓଜନ ପ୍ରାୟ ଏକ କୁଇଣ୍ଟାଲରୁ କମ୍ ନୁହେଁ । ଏଥିରୁ ଅନୁମାନ କରାଯାଇପାରେ ନାଗାନୃତ୍ୟ ପରିବେଷଣକାରୀ ଯୁବକ କେତେ ଶକ୍ତିଶାଳୀ ।

 

ନାଗାନୃତ୍ୟ ଏକ ବୀରତ୍ୱ, ଦମ୍ଭ ଓ ଶୌର୍ଯ୍ୟପୂର୍ଣ୍ଣ ନୃତ୍ୟ ଅଟେ । ଶାସ୍ତ୍ରୀୟ ରାଗର ବିଳମ୍ବିତ ଏବଂ ଦ୍ରୁତ ଲୟରେ ଚାଙ୍ଗୁ ଓ ଚାଚେଡ଼ୀ ବାଦ୍ୟ ବାଜିବା ସହିତ ନିସାରୁକ ତାଳ ବା ଭୈରବ ତାଣ୍ଡବ ତାଳରେ ସମସ୍ତ ଅସ୍ତ୍ରଶସ୍ତ୍ର ଓ ସାଜପୋଷାକ ସହ ନାଗାନୃତ୍ୟ ସମସ୍ତଙ୍କୁ ସ୍ତବ୍ଧ ଚକିତ କରିଦେବା ସ୍ୱାଭାବିକ । ସାହିଯାତ୍ରାର ନାଗାନୃତ୍ୟକାରୀକୁ ଉତ୍ସାହ ପ୍ରଦାନ ପାଇଁ ପ୍ରଦ୍ୟୋତକ, ସ୍ତାବକ ଏବଂ କଳା ପ୍ରେମୀମାନେ ବିଭିନ୍ନ ଧ୍ୱନି ସୃଷ୍ଟି କରି ତାକୁ ଘେରି ରହିଥାନ୍ତି ।

 

ସାହିଯାତ୍ରାର ଅନ୍ୟତମ ସାଂସ୍କୃତିକ ବୈଭବ ହେଉଛି ‘ଦେବୀ ମେଢ଼’ । ଏହି ମେଢ଼ ନୃତ୍ୟ ଦୁଇ ପ୍ରକାରର । ମୁଖାଯୁକ୍ତ ଏବଂ ମୁଖା ବିହୀନ । ମୁଖା ବିହୀନ କଳାକାରମାନେ ମୁହଁକୁ ଦେବଦେବୀଙ୍କ ଚିତ୍ରରେ ଓ ଶରୀରକୁ ଅଳଙ୍କାରରେ ମଣ୍ଡନ କରି ନୃତ୍ୟ ପରିବେଷଣ କରିଥାନ୍ତି । ମୁଖାଯୁକ୍ତ କଳାକାର ନିର୍ଦ୍ଦିଷ୍ଟ ଚରିତ୍ରର ମୁଖାଧାରଣ କରିଥାନ୍ତି । ପ୍ରତ୍ୟେକ ‘ମେଢ଼’ର ପୃଷ୍ଠଦେଶରେ ଟାହିଆ, କିରିଟୀ ବନ୍ଧା ଯାଇଥାଏ । ମୁଖ୍ୟତଃ ଦୁର୍ଗା, ଶିବ, ଗଣେଶ, ଅର୍ଦ୍ଧନାରୀଶ୍ୱର, କାର୍ତ୍ତିକେୟ, ବିଷ୍ଣୁ, କାଳୀରୂପରେ ମେଢ଼ ବନ୍ଧାନ୍ତି । ଦୁର୍ଗାଙ୍କର ଭୂବନମୋହିନୀ ଏବଂ ମହିଷାମର୍ଦ୍ଦିନୀ, ଶିବଙ୍କର ତାଣ୍ଡବନୃତ୍ୟ, କାଳୀଙ୍କର କରାଳନୃତ୍ୟ ସହିତ ଚାଙ୍ଗୁ, ଢୋଲ, ପଖାଉଜ ଆଦି ବାଦ୍ୟକୁ ଶାସ୍ତ୍ରୀୟ ଢଙ୍ଗରେ ବଜାଯାଉଥାଏ । ଏହି କଷ୍ଟସାଧ୍ୟ ନୃତ୍ୟ ପରିବେଷଣ କରିବା ସମୟରେ ମେଢ଼ ନୃତ୍ୟକାରୀ ସାଧକ କଳାକାରର ଆପାଦମସ୍ତକ ଆବୃତ୍ତ ହୋଇଥାଏ । ତତ୍‍ସହିତ ଓଜନଦାର ତାଟି, ଭୁଜ, ପେଟି ଧାରଣ କରିବାକୁ ମଧ୍ୟ ପଡ଼ିଥାଏ ।

 

ପୁରୀର ଏହି ଲୋକନୃତ୍ୟ ‘ସାହିଯାତ୍ରା’ କେବଳ ଏକ ଆତ୍ମରକ୍ଷା ଏବଂ ଧର୍ମଭିତ୍ତିକ ମୂଲ୍ୟବୋଧରେ ସୀମିତ ନୁହେଁ । ଏହାର ବହୁବିଧ ସୂକ୍ଷ୍ମ ଦିଗଗୁଡ଼ିକର ସୁଦୂର ପ୍ରସାରୀ ପ୍ରଭାବ ମଧ୍ୟ ଶ୍ରୀକ୍ଷେତ୍ର ଉପରେ ରହିଛି । ଯାହାର ପ୍ରତିଫଳନ ପୁରୀର ଜୀବନଦର୍ଶନରେ, କଳା, ସଙ୍ଗୀତ, ନୃତ୍ୟ ଏବଂ ସାହିତ୍ୟରେ ଦେଖିବାକୁ ମିଳିଥାଏ । ଯଦ୍ୱାରା ପୁରୀର ଗୋଟାଏ ସ୍ୱତନ୍ତ୍ର ପରମ୍ପରା ଏବଂ ନିଆରାପଣ ବାରି ହୋଇ ପଡ଼ିଥାଏ ।

 

ଭାରତର ବିଭିନ୍ନ ପ୍ରାନ୍ତରେ ରହିଥିବା ଲୋକ ସଂସ୍କୃତି ଦିଗରୁ ପୁରୀ ସାହିଯାତକୁ ବିବେଚନା କଲେ ଲକ୍ଷ୍ୟ କରିବା, ଏହା ମଧ୍ୟରେ ଶ୍ରୀମନ୍ଦିର ସେବକ ସମ୍ପ୍ରଦାୟମାନଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଶ୍ରୀଜଗନ୍ନାଥଙ୍କ ପରେ ଏଇ ଲୋକ ଯାତ୍ରାମୂଳକ ସଂସ୍କୃତି ହିଁ ସେମାନଙ୍କ ଅସ୍ମିତା ଓ ପ୍ରତିଷ୍ଠାର ନିଦର୍ଶନ । ଆଧୁନିକ ଯୁଗର ବିଶ୍ୱୀକରଣ ପରିପ୍ରେକ୍ଷୀରେ ସୃଷ୍ଟ ଅନ୍ତର୍ବିରୋଧର ବହୁଦୂରରେ ଏମାନେ ନିଜର ଗୌରବଶାଳୀ ସାଂସ୍କୃତିକ ପରିଚୟଟିକୁ ସୁରକ୍ଷା ଦେବାରେ ସତତ ସଚେଷ୍ଟ । ଆଜିର ଅର୍ଥ ହିଁ ଈଶ୍ୱର ଚିନ୍ତାଧାରା କାଳରେ ପ୍ରଚଣ୍ଡ ଆଧ୍ୟାତ୍ମିକତାକୁ ଆଧାର କରି ପୁରୀର ସାହିଯାତ୍ରା ପରି ମହାର୍ଘ ଲୋକ ସଂସ୍କୃତିର ସୁରକ୍ଷା ଆବଶ୍ୟକ । କାରଣ ଲୋକ ସଂସ୍କୃତି ହିଁ ହେଉଛି ଗୋଟାଏ ପ୍ରାଚୀନ ଜାତିର ଧର୍ମ, ଧାରଣା, ଆଚାର, ବିଚାର ଏବଂ ସଂସ୍କାରର ଏକ ନିଦର୍ଶନ । ଲୋକ ସଂସ୍କୃତି ଦିଗରୁ ପୁରୀର ସାହିଯାତ ଏକ ସମ୍ପତ୍ତି ନୁହେଁ, ଏହା ଏକ ପ୍ରେରଣା । ଏ ପ୍ରେରଣା ହିଁ ତା’ର ସ୍ୱାତନ୍ତ୍ର‌୍ୟ ।

 

ଶ୍ରୀକ୍ଷେତ୍ରର ଲୋକ ସଂସ୍କୃତି ପରମ୍ପରାରେ ଶ୍ରୀକୃଷ୍ଣଲୀଳା

 

ଶ୍ରୀକ୍ଷେତ୍ରର ଲୋକ ସଂସ୍କୃତି କୈନ୍ଦ୍ରିକ ଶ୍ରୀକୃଷ୍ଣଲୀଳା ସମ୍ପର୍କରେ ଆଲୋଚନା କରିବାକୁ ଆରମ୍ଭ କରିବାକ୍ଷଣି ସ୍ୱତଃ ମନରେ ପ୍ରଶ୍ନ ଉଠିବ, ଲୋକ ସଂସ୍କୃତିଟି କ’ଣ? ଏହା ସହିତ ଧର୍ମର କି ସମ୍ପର୍କ ରହିଛି? ଏ ସମ୍ପର୍କରେ ପ୍ରଖ୍ୟାତ ଇଂରାଜୀ କବି ତଥା ସମାଲୋଚକ ଟି.ଏସ୍‌.ଏଲିୟଟ୍‌ଙ୍କର ଆଲୋଚନା ଗ୍ରନ୍ଥ “ନୋଟ୍‌ସ ଟୁୱାର୍ଡ଼ସ୍ ଦ ଡେଫିନେସନ୍ ଅଫ କଲ୍‌ଚର”ର ମତକୁ ଗ୍ରହଣ କରାଯାଇପାରେ । ତାଙ୍କ ମତାନୁସାରେ, “ଧର୍ମର ସର୍ଜନା ହିଁ ସଂସ୍କୃତିର ସର୍ଜନା । ଧର୍ମ ଏ କ୍ଷେତ୍ରରେ ଉପଚାର ସର୍ବସ୍ୱ ନ ହୋଇ, ଜୀବନର ମଧୁମୟ ମନ୍ତ୍ର ପାଲଟିଯାଏ । ଏହି ମନ୍ତ୍ର ଗୋଟାଏ ବିଚାରଧାରାର ସମୁଦାୟକୁ ଆପଣାର କରିନିଏ । ଧର୍ମରୁ ସଂସ୍କୃତି ବା ସଂସ୍କୃତିରୁ ଧର୍ମ ଆଉ ଅଲଗା ହୋଇ ରହେନାହିଁ । ସଂସ୍କୃତି ତେଣୁ ଜୀବନକୁ ବଞ୍ଚିବା ପାଇଁ ପ୍ରସ୍ତୁତ କରିନିଏ ।

 

ବୋଧହୁଏ ଉପରୋକ୍ତ କାରଣରୁ ସଂସ୍କୃତିଭିତ୍ତିରେ ଗୋଟିଏ ଅଞ୍ଚଳର ତଥା ଗୋଟିଏ ବିଶ୍ୱାସର ବ୍ୟବହାର ଓ ଚିନ୍ତାଧାରାର ପରିପ୍ରକାଶ ଘଟିଥିଲେ ହେଁ ଧର୍ମ ସେଥିରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥାଏ । ତତ୍‌ସହିତ ସାମାଜିକ ଆଚାର ବିଚାର ମଧ୍ୟରେ ଧର୍ମ ଜୀବନର ଏକ ସାମଗ୍ରିକ ଧାରାରେ ସଂଯୁକ୍ତ ହୋଇଥାଏ । କାରଣ ସାଧାରଣ ମଣିଷସମାଜ ଭିତରେ ଥାଏ ଶୂଚିପୂତ ସରଳ ବିଶ୍ୱାସ । ଧର୍ମର ଉପାସ୍ୟ ଦେବତାଙ୍କ ମାଧ୍ୟମରେ ସାମାଜିକ ସଂହତି ରକ୍ଷା ସହିତ ସମୂହ ଭାବରେ ଧର୍ମକୈନ୍ଦ୍ରିକ ଆନନ୍ଦ ଉଲ୍ଲାସ ଜୀବନ ପାଇଁ ଅଭିନବ ପ୍ରେରଣା ଦେଇଥାଏ । ଏହି ଭାବଧାରାକୁ ଆଧାର କରି ଆମେ ଚିନ୍ତନ କଲେ ଦେଖିବା ଓଡ଼ିଶାର ରାଷ୍ଟ୍ରଦେବତାଭାବେ ସ୍ୱୀକୃତ ଶ୍ରୀଜଗନ୍ନାଥଙ୍କୁ ତଥା ବୈଷ୍ଣବୀୟ ଅବତାରବାଦ ପ୍ରକ୍ରିୟାରେ ତାଙ୍କ ଅବତାରମାନଙ୍କୁ କେନ୍ଦ୍ର କରି ବିଭିନ୍ନ ଉତ୍ସବ ପାଳନ ଏବଂ ତାଙ୍କ ଲୀଳାର ପ୍ରସାର ପାଇଁ ଲୋକ ସଂସ୍କୃତି ମୂଳକ ଆଭିମୁଖ୍ୟ ଗଢ଼ି ଉଠିଥିଲା । ଏହାର କୈନ୍ଦ୍ରୀୟ ଚିନ୍ତାଧାରା ଥିଲା ଭକ୍ତିରସ ସଞ୍ଚାର, ଜାତୀୟ ସଂହତି ପ୍ରତିଷ୍ଠା ଏବଂ ଆମୋଦ ପ୍ରଦାନ ।

 

କେଉଁ ଅଜଣା କାଳରୁ ପ୍ରଚଳିତ ହୋଇ ଆସିଥିବା ଲୋକ ଚେତନା ମୂଳକ ସଂସ୍କୃତି, ଆଜିବି ସଭ୍ୟତାର ଅଗ୍ରଗତି ସହିତ ତାଳଦେଇ ଆଗେଇ ଚାଲିଛି । ସମସ୍ତ ନୂତନ ଚିନ୍ତାର ଆଗମନ ସହ ପରିବର୍ତ୍ତିତ ପରିପ୍ରେକ୍ଷୀରେ ନୂତନ ଦିଗ୍‌ଦର୍ଶନ କଥା ଡିଣ୍ଡିମପିଟି କହି ଚାଲିଲେ ହେଁ ଆମେ ଏଯାବତ୍ ଆମ ଲୋକ ପରମ୍ପରାଠାରୁ ବିମୁକ୍ତ ହୋଇପାରିନାହାଁନ୍ତି । ଆମର ଧର୍ମଧାରଣା, ଈଶ୍ୱରବିଶ୍ୱାସ ଓ ପରମ୍ପରା ସହିତ ଲୋକ ସଂସ୍କୃତି ଓ ଲୋକଚେତନା ଅହରହ ଜଡ଼ିତ ହୋଇ ରହିଛି । ବିଶେଷତଃ ଓଡ଼ିଶାର ଲୋକଚେତନା ଏହାର ପାରମ୍ପରିକ ଲୋକ ସଂସ୍କୃତିକୁ ନେଇ ଗତିଶୀଳ ରହିଛି ।

 

ଓଡ଼ିଶାର ସମୃଦ୍ଧ ଲୋକସଂସ୍କୃତି ବା ଲୋକଯାତ୍ରା, ଯାହା ସମଗ୍ର ବିଶ୍ୱକୁ ବିମୁଗ୍ଧ କରିଦେଇଛି ସେଗୁଡ଼ିକ ମଧ୍ୟରୁ ପ୍ରଥମଟି ବରଗଡ଼ର ଧନୁଯାତ୍ରା ଏବଂ ଦ୍ୱିତୀୟଟି ପୁରୀର ସାହିଯାତ୍ରା-। ଧନୁଯାତ୍ରା ଶ୍ରୀମଦ୍‍ଭାଗବତ ପୁରାଣ ଆଧାରରେ ସମଗ୍ର ୩୦ ବର୍ଗ କିଲୋମିଟର ବ୍ୟାପୀ ବରଗଡ଼ ସହର ଓ ଆଖପାଖ ଅଞ୍ଚଳକୁ ନେଇ ପରିବ୍ୟାପ୍ତ, ଠିକ୍ ସେହିପରି ପୁରୀର ସାହଯାତ୍ରା ଭାବରେ ପ୍ରସିଦ୍ଧ ଶ୍ରୀରାମ ଜନ୍ମଠାରୁ ରାମ ଅଭିଷେକ ପର୍ଯ୍ୟନ୍ତ ରାମାୟଣର କଥାବସ୍ତୁକୁ ନେଇ ପୁରୀର ପ୍ରାଚୀନ ସାତସାହି ଏବଂ ଶ୍ରୀଜଗନ୍ନାଥ ମନ୍ଦିରକୁ କେନ୍ଦ୍ର କରି ଗତିଶୀଳ ।

 

ତେବେ ଏହି ଲୋକ ସଂସ୍କୃତି ପରମ୍ପରାର ଅନ୍ୟତମ ଶ୍ରେଷ୍ଠ ଯାତ୍ରା । ଯାହା ପ୍ରତାପରୁଦ୍ର ଦେବଙ୍କ କାଳଖଣ୍ଡରୁ ରାଜପୃଷ୍ଠପୋଷକତା ଲାଭ କରି ଅନୁଷ୍ଠିତ ହୋଇଆସୁଅଛି ତାହା ଶ୍ରୀକୃଷ୍ଣ କୈନ୍ଦ୍ରୀକ ଲୀଳା ବା କୃଷ୍ଣ ଲୀଳା । ପୁରୀର ଶ୍ରୀରାମ କୈନ୍ଦ୍ରୀକ ସାହିଯାତ୍ରା ପରି ଏହି ଲୋକ ସଂସ୍କୃତି ମୂଳକ କୃଷ୍ଣଲୀଳା ମଧ୍ୟ ପୁରୀର ସାତସାହିକୁ କେନ୍ଦ୍ର କରି ବେଶ୍ ଆବେଗ ଓ ଉତ୍ସାହର ସହ ଅନୁଷ୍ଠିତ ହୋଇ ଆସୁଥିଲା ଏବଂ ଏହାର ନାଭିକେନ୍ଦ୍ର ମଧ୍ୟ ଶ୍ରୀଜଗନ୍ନାଥ ହିଁ ରହିଆସିଛନ୍ତି । ତେବେ ଶ୍ରୀକୃଷ୍ଣ ଲୀଳାକୁ ଆଧାର କରି ଗତିଶୀଳ ଏହି ଯାତ୍ରା, ପୂର୍ବର ଗାରିମାକୁ ବହୁ ପରିମାଣରେ ହରାଇ ବସିଥିଲେ ହେଁ ଏହା ଭିତରେ ସ୍ଫୁଲିଙ୍ଗ ଏଯାବତ୍ ଜ୍ୱଳମାନ ଅବସ୍ଥାରେ ରହିଛି ।

 

ପୁରୀର ସାହିଯାତ୍ରା ଯେପରି ଶ୍ରୀରାମ ନବମୀଠାରୁ ଆରମ୍ଭ ହୋଇ ରାମାଭିଷେକ ଦିନ ସମାପ୍ତ ହୋଇଥାଏ ଠିକ୍ ସେହିପରି ଶ୍ରୀକୃଷ୍ଣ ଲୀଳା ମଧ୍ୟ ଭାଦ୍ରବ କୃଷ୍ଣପକ୍ଷ ସପ୍ତମୀ ରାତିରୁ ଆରମ୍ଭ ହୋଇ କଂସ ବଧ ଅର୍ଥାତ୍ ଭାଦ୍ରବ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଚାଲିଥାଏ । ଯାହା ସମଗ୍ର ଭାରତୀୟ ଲୋକ ପରମ୍ପରାରେ ଏକ ସ୍ୱାତନ୍ତ୍ର‌୍ୟ ବହନ କରିଥାଏ । ଏଠାରେ ଆଉ ଏକ ଲକ୍ଷ୍ୟଣୀୟ କଥା ହେଲା ଶ୍ରୀକୃଷ୍ଣ ଲୀଳାର ନାୟକ ମଧ୍ୟ ଅବତାରୀ ପୁରୁଷ ଶ୍ରୀଜଗନ୍ନାଥ ହିଁ ଅଟନ୍ତି ।

ଭାଦ୍ରବକୃଷ୍ଣ ସପ୍ତମୀ ଦିନ ଶ୍ରୀଜଗନ୍ନାଥଙ୍କ ସନ୍ଧ୍ୟାଧୂପ ପରେ ପୂଜାପଣ୍ଡା, ପତିମହାପାତ୍ର ଏବଂ ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରିଥାନ୍ତି । ଏହାପରେ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଗର୍ଭୋଦକ ବନ୍ଦାପନା ଭାବରେ ଅଧିକ ଏକ ବନ୍ଦାପନା ହୁଏ । ସୁଖ ପ୍ରସବ ପାଇଁ ଆସନ୍ନ ପ୍ରସବା ମା’ମାନେ ଜେଉଡ଼ ବା ଜେଉଟ ଖାଇବାର ଏକ ଲୋକବିଶ୍ୱାସ ରହିଛି ଯାହା ସମଗ୍ର ସୃଷ୍ଟିର ସ୍ରଷ୍ଟା ପରଂବ୍ରହ୍ମ ଜଗନ୍ନାଥଙ୍କୁ ‘ଦେବକୀ’ ଜ୍ଞାନ କରି ଭୋଗ ଦିଆଯାଏ । ତତ୍‍ସହିତ ଦେବକୀଙ୍କ ମାନସିକ ଶାନ୍ତି ପାଇଁ ନାନାବିଧ ବ୍ୟଞ୍ଜନ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରାଯାଇଥାଏ ଏବଂ ଅଷ୍ଟମୀ ଦିନ ସ୍ୱୟଂ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରୀକୃଷ୍ଣ ରୂପରେ ଜନ୍ମ ଗ୍ରହଣ କରନ୍ତି । ବୋଧହୁଏ ଏ ପ୍ରକାରର ଅଲୌକିକ ପରମ୍ପରା ସମଗ୍ର ବିଶ୍ୱରେ ଅଦ୍ୱିତୀୟ ।

ଶାସ୍ତ୍ରୀୟ ବିଧିବିଧାନ ଅନୁସାରେ ଶ୍ରୀକୃଷ୍ଣଙ୍କ ଜନ୍ମଉତ୍ସବ ନୀତି ପାଇଁ ଭାଦ୍ରବ କୃଷ୍ଣ ସପ୍ତମୀ ତିଥିରେ ସନ୍ଧ୍ୟାଧୂପ ପରେ ହେବାକୁ ଥିବା ଗର୍ଭୋଦକ ବନ୍ଦାପନା ସମ୍ପର୍କରେ ନୀଳାଦ୍ରି ମହୋଦୟରେ ଉଲ୍ଲେଖ ଅଛି ଯେ,

“କୃଷ୍ଣାୟାମଥ ସପ୍ତମ୍ୟାଂ ସାୟଂ ପୂଜା ବିଧାନତଃ ।

ଦେବକୀ ସାନ୍ତନାର୍ଥାୟ ଜଗଦୀଶଂ ପୁନର୍ଯଜେତ ॥” (୨୧/୭)

ତଥା ବାମଦେବ ସଂହିତାରେ ମଧ୍ୟ ସୂଚନା ଅଛି ଯେ–

“କୃଷ୍ଣଜନ୍ମୋତ୍ସବାର୍ଥଂ ବୈ ସପ୍ତମ୍ୟାଂ ଯଜନଂ ଚରେତ୍ ।

ସାୟଂ ପୂଜାନନ୍ତରତୋ ଦେବକୀଶାନ୍ତ ୟେ ତଦା ॥”

ଉଭୟ ଗ୍ରନ୍ଥର ସୂଚନାରୁ ଏକଥା ସ୍ପଷ୍ଟ ବୁଝିହୁଏ ଯେ ଦେବକୀଙ୍କ ଗର୍ଭକଷ୍ଟର ନିବାରଣ ଓ ଶାନ୍ତି ପାଇଁ ଜେଉଡ଼ ଭୋଗ ହୁଏ । ଯାହାକୁ ପୁରୀ ଲୋକଚେତନା ସହିତ ଶ୍ରୀଜଗନ୍ନାଥ ଚେତନାର ଅପୂର୍ବ ସମନ୍ୱୟ ବୋଲି ଗ୍ରହଣ କରାଯାଇପାରେ ।

ଏହାପରେ ଅଷ୍ଟମୀ ଦିନ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ବେଶରେ ଶ୍ରୀଜୀଉମାନଙ୍କୁ ତଢ଼ାଉ ଲାଗି କରାଯାଏ ଏବଂ ସନ୍ଧ୍ୟାଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ ରୁହେ । ସେହିଠାରେ ସୂତିକା ଗୃହ ନିର୍ମାଣର କଳ୍ପନା ବସ୍ତ୍ରଦ୍ୱାରା କରାଯାଏ । ସେଠାରେ ସେବକଙ୍କଦ୍ୱାରା ପଞ୍ଚବର୍ଣ୍ଣ ମୁରୁଜରେ ସର୍ବୋତଭଦ୍ରମଣ୍ଡଳ ପକାଯାଏ । ସେବକମାନେ ମଣ୍ଡପଠାରେ ପୂଜାଠାଆ କରନ୍ତି ଓ ଜନ୍ମ ଚକଡ଼ାରେ ସଂକଳ୍ପ ବାକ୍ୟ ପାଠ କରିଥାନ୍ତି । ଏ ବିଷୟରେ ନୀଳାଦ୍ରି ମହୋଦୟରେ ରହିଛି ଯେ–

“ତତୋଽଷ୍ଟମୀ ଦିନେ ସାୟଂକାଳେ ନଦ୍ୟାଂସୁସଂଯତଃ ।

ସ୍ନାତ୍ୱାଚାର୍ଯ୍ୟେ ଦେବଗୃହେ ପ୍ରବିଶେତ୍ସୁ ମନୋରମେ ।

 

+      +      +      +      +

 

ସୂତିକା ଗୃହ ନିର୍ମାଣଂ ବସ୍ତ୍ରେଣ ପରିକଳ୍ପୟେତ୍ ।

ପଟ୍ଟନେତ୍ରାଂ ଶୁକଚୟୈଃ ସମନ୍ତାତ୍ସ ମଳଂ କୃତମ୍ ।

ଚନ୍ଦନାନିଚ ମାଳାଶ୍ଚ ରକ୍ଷାମଣି ସମନ୍ୱିତମ୍ ।

ସ୍ଥାପୟେତ୍ତତ୍ର ମତିମାନ୍ ଶୋଭନେ ସୂତିକା ଗୃହେ ।

ତଥା ଭୂତ ସର୍ଷପଂ ବହ୍ନମେବ ଚ ।।

ସ୍ଥାପୟେତ୍ତତ୍ର ଭୂପାଳ ସୂତିକା ଭବନେ ତଦା ।।”

ପୂର୍ଣ୍ଣକୁମ୍ଭ ସ୍ଥାପିତ ହୋଇ ବରୁଣ ପୂଜା ପରେ ଅଷ୍ଟ ପାଖୁଡ଼ାଯୁକ୍ତ ରୂପାପଦ୍ମ ମଣ୍ଡଳ ଉପରେ ରଖାଯାଏ ଏବଂ କୃଷ୍ଣଜନ୍ମ ପଟି ସଂସ୍କାର କରି ସ୍ଥାପନା କରାଯାଏ । ସେହି ରୂପା ପଦ୍ମର ଅଷ୍ଟ ପାଖୁଡ଼ାରେ ଯଥାକ୍ରମେ ଦେବକୀ-ବସୁଦେବ, ନନ୍ଦ-ଯଶୋଦା, ଲକ୍ଷ୍ମୀ, ଉଗ୍ରସେନ, ବଳଭଦ୍ର ଏବଂ ଗାର୍ବବ ମୁନିଙ୍କର ଚିତ୍ର ଓ ମଧ୍ୟ ଭାଗରେ କୃଷ୍ଣଙ୍କ ଚିତ୍ର ଅଙ୍କିତ ଥାଏ । ଏହି ନଅ ବିଗ୍ରହଙ୍କୁ ‘ନଅ’ଟି ପନ୍ତିଭୋଗ ପ୍ରଦାନ କରାଯାଏ । ଏହାପରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ‘ମଦନମୋହନ’ଙ୍କୁ ଭିତରକାଠ ପାଖ କଳ୍ପିତ ଜନ୍ମ ଚକଡ଼ାକୁ ଅଣାଯାଏ । ତେବେ ଅନ୍ୟାନ୍ୟ ପର୍ବପର୍ବାଣି ପରି ବସ୍ତ୍ର ପରିଧାନ କରି ନୁହଁ ଉଲଗ୍ନ ଅବସ୍ଥାରେ ଅଣାଯାଇଥାଏ । ବୋଧହୁଏ ଦେବକୀ ଗର୍ଭରୁ ଜନ୍ମ ହେବାର ଆଚରଣ ପାଇଁ ଏ ବ୍ୟବସ୍ଥାର ଅନୁସରଣ କରାଯାଏ । ଜନ୍ମଚକଡ଼ାଠାରେ ପୂଜାପଣ୍ଡାଙ୍କଦ୍ୱାରା ମଦନମୋହନଙ୍କୁ ଷୋଡ଼ଶ ଉପଚାରରେ ପୂଜା ପରେ ଦୁଇଜଣ ମହାଜନ ସେବକ ବସୁଦେବ ଏବଂ ଦେବକୀ ବେଶ ହୋଇ ମନ ଭିତରେ କଂସର ବନ୍ଦୀଶାଳାରେ ରହିଥିବାର ପରିକଳ୍ପନା ସହ ଜନ୍ମ ଚକଡ଼ାରେ କଟାଯାଇଥିବା ମୁରୁଜ ମଧ୍ୟରେ ଲୁଗାଘୋଡ଼ି ହୋଇ ଶୋଇ ଶ୍ରୀକୃଷ୍ଣଙ୍କୁ (ମଦନମୋହନ) ଜନ୍ମ କରାଇବାର ଆଚରଣ କରିଥାନ୍ତି । ଜନ୍ମବିଧି ସମ୍ପାଦନ ପରେ ଜନ୍ମଚକଡ଼ାକୁ ଜୀରକ, କଟୁକ, ଲବଙ୍ଗ, ଫଳ, ବଟିକା, ଦୁଧ, ଲହୁଣୀ ଇତ୍ୟାଦି ଅଣାଯାଇ ଶ୍ରୀକୃଷ୍ଣଙ୍କୁ ଭକ୍ତି ଓ ଶ୍ରଦ୍ଧାର ସହ ଅର୍ପଣ କରାଯାଇଥାଏ । ତାପରେ ଜଗତମଙ୍ଗଳ ନିମନ୍ତେ ପ୍ରାର୍ଥନା କରି କର୍ପୂର ଆଳତି କରାଯାଇଥାଏ । ଏହା ପରେ ପରେ ଶ୍ରୀମଦ୍‍ଭାଗବତ ପୁରାଣ ଆଧାରରେ ରୂପାଥାଳିରେ ଶ୍ରୀକୃଷ୍ଣଙ୍କୁ ନିଶାର୍ଦ୍ଧରେ ବିନା ପଟୁଆରରେ କଂସ ବନ୍ଦୀଶାଳାରୁ ଗୋପନରେ ଗୋପକୁ ନେବାର ପରିକଳ୍ପନା କରି ଶ୍ରୀମନ୍ଦିରସ୍ଥ ଗୋପ ନଗରୀଭାବେ ପରିକଳ୍ପିତ ସରସ୍ୱତୀଙ୍କ ମନ୍ଦିର ଏବଂ ଲକ୍ଷ୍ମୀଙ୍କ ଚକଡ଼ାକୁ ନେବା ଉଦ୍ଦେଶ୍ୟରେ ଦେବୀ ସରସ୍ୱତୀଙ୍କ ମନ୍ଦିର ସାମନାକୁ ଯମୁନା ନଦୀ ଜ୍ଞାନ କରି ବାସୁଦେବରୂପୀ ମହାଜନ ଏଠାରେ ପହଞ୍ଚନ୍ତି ।

ହଠାତ୍ ରୂପାଥାଳିରେ କୃଷ୍ଣଙ୍କୁ ଧାରଣ କରିଥିବା ମହାଜନ ସେବକଙ୍କ ବାଟ ଓଗାଳନ୍ତି ପାଳିଆ ପୂଜାପଣ୍ଡା ଯିଏକି ଉଗ୍ରସେନ ବେଶରେ ସେଠାରେ ପ୍ରହରାରତ ଥାନ୍ତି । କିନ୍ତୁ କୃଷ୍ଣଙ୍କ ପରିଚୟ ପାଇବା ପରେ ଉଗ୍ରସେନରୂପୀ ପାଳିଆ ପୂଜାପଣ୍ଡା ଦଣ୍ଡ ପ୍ରଣାମ ବିଧି ପାଳନ କରି ବାଟ ଛାଡ଼ି ଦିଅନ୍ତି । ଏହିଠାରୁ ଯମୁନା ପାରି ହୋଇ ଗୋପଯାତ୍ରାର ଆଚରଣ କାଳରେ ଜଣେ ବେହେରା ଖୁଣ୍ଟିଆ ସପ୍ତଫଣା ବାସୁକୀ ହୋଇ କୃଷ୍ଣଙ୍କୁ ବର୍ଷାରୁ ରକ୍ଷା କରିବା ପାଇଁ ସଙ୍ଗେ ସଙ୍ଗେ ଚାଲିଥାନ୍ତି । ପରେ ପରେ ଗୋପରେ ପହଞ୍ଚିବାର ଆଚରଣ ସହିତ ଶ୍ରୀକୃଷ୍ଣଙ୍କୁ ଘଣ୍ଟଘଣ୍ଟା, ଛତ୍ର, କାହାଳୀ ସହ ନାଭିକଟା ମଣ୍ଡପରେ ବିଜେ କରାଯାଏ । ଏହାପରେ ଦକ୍ଷିଣି ଘରୁ ମହାଜନ ସେବକମାନେ ଶ୍ରୀରାମ ଶ୍ରୀକୃଷ୍ଣଙ୍କୁ ଆଣି ଖଟଶେଯରେ ବିଜେ କରାଇବା ପରେ ଏଠାରେ ନାଭିକଟା କର୍ମ ଅନୁଷ୍ଠିତ ହୁଏ । ନାଭିକଟା ପରେ ପଞ୍ଚାମୃତରେ ମଦନମୋହନଙ୍କୁ ମହାସ୍ନାନ କରାଯାଏ । ତାପରେ ଯଜ୍ଞୋପବିତ ଧାରଣ ପର୍ଯ୍ୟନ୍ତ ସମସ୍ତ ନୀତି ସମ୍ପନ୍ନ କରାଯାଇ ପଞ୍ଚୋପଚାରରେ ଶୀତଳ ଭୋଗ ଲାଗି ହୁଏ ଏବଂ ବନ୍ଦାପନା ନୀତି ହୁଏ । ଏହାପରେ ମଦନମୋହନ ତଥା ରାମକୃଷ୍ଣ ଦୋଳିରେ ବିଜେ ହୁଅନ୍ତି । ଏ ବିଷୟରେ ବାମଦେବ ସଂହିତା କହେ–

“ଦଶକର୍ମ ତତଃ କୃତ୍ୱା ସ୍ନାନଂ ଶୁଦ୍ଧୋଦକେନ ତୁ ।

କୃତ୍ୱା ଜୟସ୍ୟ ନିକଟେ ଦୋଳାୟାଂ ସ୍ଥାପୟେଚ୍ଚତମ୍ ॥”

 

ଏହାପରେ ଟେରା ପଡ଼ି ରାଶିକୋରା ଓ ଲଡ଼ୁ ଭୋଗ ହୁଏ ।

 

ଭାଦ୍ରବ କୃଷ୍ଣ ନବମୀ ଦିନ ଲୋକ ପରମ୍ପରା ଅନୁସାରେ ଶ୍ରୀମନ୍ଦିରରେ ଦୁଇଗୋଟି ଉତ୍ସବ ପାଳିତ ହୋଇଥାଏ । ପ୍ରଥମତଃ ମଥୁରାଭାବେ କଳ୍ପିତ ଶ୍ରୀମନ୍ଦିରଠାରେ କୃଷ୍ଣଙ୍କୁ ଗୋପରେ ଛାଡ଼ି ବସୁଦେବ ଘେନିଆସିଥିବା ବିଜୁଳିକନ୍ୟା ପ୍ରସ୍ତାବ ଏବଂ ଦ୍ୱିତୀୟତଃ ଗୋପଭାବେ କଳ୍ପିତ ଲକ୍ଷ୍ମୀମନ୍ଦିର ନିକଟରେ ନନ୍ଦ ଉତ୍ସବ । ମାତା ଯଶୋଦାଙ୍କ ଗର୍ଭଜାତ ବିଜୁଳି କନ୍ୟାକୁ କଂସ ବଧ କରିବା ପ୍ରସ୍ତାବ ପାଇଁ ଦେବୀ ସୁଭଦ୍ରାଙ୍କ ପାଖରୁ ଆଜ୍ଞାମାଳ ପାଇ ଭଣ୍ଡାରଘରୁ ମା’ ଦୁର୍ଗାଙ୍କୁ ରୂପାବଟାରେ ଅଣାଯାଇ ଖଟୁଳିରେ ବିଜେ କରାଯାଏ ତା ସହିତ ତାଙ୍କର ଛାୟା ଭାବରେ କାଠ ତିଆରି ବିଜୁଳି କନ୍ୟାକୁ କଂସ ଭାବରେ ଜଣେ ପାଳିଆ ସେବକ ସାତ ପାହାଚଠାରେ ପଥର ଉପରେ କଚାଡ଼ି ମାରିବାର ଆଚରଣ କରି ଏପରି ଭାବରେ ଫୋପାଡ଼ି ଦିଅନ୍ତି ଯେ, ମନେହେବ କଂସ ହାତରୁ ବିଜୁଳି କନ୍ୟା ଖସି ଶୂନ୍ୟକୁ ଚାଲିଗଲେ ।

 

ଦ୍ୱିତୀୟ ନୀତି ଭାବରେ ଅନୁଷ୍ଠିତ ନନ୍ଦୋତ୍ସବ ନୀତିରେ ଶ୍ରୀରାମ କୃଷ୍ଣଙ୍କୁ ସାତପାହାଚଠାରୁ ପାଲିଙ୍କିରେ ନେଇ ଗୋପରୂପୀ ମାତା ମହାଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନରେ ପଡ଼ିଥିବା ଖଟ ଉପରେ ବିଜେ କରାଯାଇଥାଏ । ଇତ୍ୟବସରରେ ଭିତରଛୁ ମହାପାତ୍ର ସେବକ ନନ୍ଦବେଶରେ ରାଜାଙ୍କ ନଅରକୁ ଯାଇ ସେଠାରୁ ଫେରି ଆସି ସ୍ନାନମଣ୍ଡପ ଠାରେ ବସନ୍ତି । ଏଣେ ଦୁହାଁଳିଆ ଗାଈଟିଏ ଗୋପ ବା ଲକ୍ଷ୍ମୀ ମନ୍ଦିରଠାକୁ ଅଣାଯାଏ ଏବଂ ସ୍ନାନମଣ୍ଡପଠାରେ ବସିଥିବା ନନ୍ଦଙ୍କୁ ପୁତ୍ର ଜନ୍ମର ସମ୍ବାଦ ପ୍ରଦାନ କରାଯାଇ ତାଙ୍କ ଫେରକୁ ଧରି ଭିଡ଼ିଭିଡ଼ି ଲକ୍ଷ୍ମୀଙ୍କ ମନ୍ଦିରକୁ ଅଣାଯାଏ । ସେଠାରେ ନନ୍ଦଙ୍କଦ୍ୱାରା ଗୋ ଦୋହନ କର୍ମ ସରିବା ସହିତ କ୍ଷୀର ଏବଂ ରାଶିକୋରା ଶ୍ରୀରାମକୃଷ୍ଣଙ୍କୁ ସମର୍ପଣ କରାଯାଏ । ଉପରୋକ୍ତ ଦୁଇଗୋଟି ନୀତି ମଧ୍ୟରୁ ପ୍ରଥମ ନୀତି ପାଇଁ ତିନିବାଡ଼ରେ ମଙ୍ଗଳ ଆଳତି ହେବା ପରେ ପତି ମହାପାତ୍ର ସେବକ ଭଣ୍ଡାରଘରୁ ଦୁର୍ଗାଦେବୀଙ୍କର ପ୍ରତିମା ରୂପାବଟାରେ ବିଜେ କରାନ୍ତି । ତାପରେ ପୂଜାପଣ୍ଡା ମଝିବାଡ଼ରୁ ବା ଦେବୀ ସୁଭଦ୍ରାଙ୍କଠାରୁ ଆଜ୍ଞାମାଳ ଦେବା ପରେ ମହାଜନ ସେବକମାନେ ଜଗମୋହନ ଦୋଳି ଆଗରେ ଖଟୁଲି ଉପରେ ବିଜେ କରାଇବେ । ଏଠାରେ ମହାସ୍ନାନ ଓ ଶୀତଳ ଭୋଗ ଲାଗି ହେବା ପରେ ବନ୍ଦାପନା ହୋଇ ସାତପାହାଚ ଦ୍ୱାରଠାରେ ଡମ୍ବରୁ ଉପରେ ଦେବୀଙ୍କୁ ବିଜେ କରାଗଲା ପରେ ବିଜୁଳି କନ୍ୟା ପ୍ରସ୍ତାବ ସମାପନ ହୁଏ ।

 

ଦ୍ୱିତୀୟ ନୀତି ପାଇଁ ଜଗନ୍ନାଥଙ୍କ ବାଡ଼ରେ ଷଷ୍ଠୀ ମାର୍କଣ୍ଡି ପୂଜା ଅନୁଷ୍ଠିତ ହୋଇଥାଏ ତାପରେ ମହାସ୍ନାନ ଏବଂ ଶୀତଳଭୋଗ ଇତ୍ୟାଦି ପରେ ନନ୍ଦୋତ୍ସବ ନୀତି ପାଳିତ ହୋଇଥାଏ ।

 

ବସ୍ତୁତଃ ନବମୀ ଦିନ ସକାଳୁ ଅର୍ଥାତ୍ ନନ୍ଦ ଉତ୍ସବଠାରୁ ସାତସାହିରେ ମଧ୍ୟ ଏ ଯାତ୍ରାର ପ୍ରଭାବ ଆରମ୍ଭ ହୋଇଯାଏ । ସାତ ପ୍ରାଚୀନ ସାହିର ବିଭିନ୍ନ ଯାଗା ଆଖଡ଼ାରୁ ଯୁବକମାନେ ପଟୁଆରରେ ମଙ୍ଗଳାଘାଟ ନଈଠାକୁ ଯମୁନା ଗାଧୁଆ ପାଇଁ ଯାଇଥାନ୍ତି । ଯେଉଁଠି ଆନନ୍ଦ ଉଲ୍ଲାସ ମଧ୍ୟରେ ଗାଧୁଆ ସହ ଗୋବରା ଚଢ଼େଇ ଲଢ଼େଇ ଓ ମେଣ୍ଢା ଲଢ଼େଇ ମଧ୍ୟ ଅନୁଷ୍ଠିତ ହୋଇଥାଏ ।

 

ପରଦିନ ଅର୍ଥାତ୍ ଦଶମୀ ଦିନ ଶ୍ରୀକୃଷ୍ଣଙ୍କର ଚାରିଗୋଟି ଲୀଳା ପ୍ରସ୍ତାବ ରଖାଯାଇଥାଏ-। ସେଗୁଡ଼ିକ ହେଲା, ବଣଭୋଜିବେଶ, କୋଳିବିକା, ବକାସୁର ଏବଂ ଅର୍ଘାସୁର ବଧ । ଭାଦ୍ରବ କୃଷ୍ଣ ଦଶମୀ ଦିନ ମଧ୍ୟାହ୍ନ ଧୂପ ବେଶରେ ଦୁଇଖଣ୍ଡ ଆଜ୍ଞାମାଳ ବଡ଼ବାଡ଼ ବା ଶ୍ରୀବଳଭଦ୍ରଙ୍କ ଅଙ୍ଗରେ ଲାଗିହୁଏ । ଖଣ୍ଡେ ଶ୍ରୀଜଗନ୍ନାଥଙ୍କ ଅଙ୍ଗରେ ଲାଗିହୁଏ । ମଧ୍ୟାହ୍ନ ଧୂପ ସରି ଭିତରେ ପାଣି ପଡ଼ିଲା ପରେ ମହାଜନମାନେ ଶ୍ରୀରାମ ଶ୍ରୀକୃଷ୍ଣ ଦୁଇ ମୂର୍ତ୍ତିଙ୍କୁ ଦକ୍ଷିଣି ଘରୁ ଆଣି ଭିତର ସିଂହାସନରେ ବିଜେ କରାନ୍ତି । ପୂଜାପଣ୍ଡା ଆସି ବଡ଼ବାଡ଼ରୁ ଶ୍ରୀରାମଙ୍କୁ ଏବଂ ମହାପ୍ରଭୁଙ୍କ ବାଡ଼ରୁ ଶ୍ରୀକୃଷ୍ଣଙ୍କୁ ଆଜ୍ଞାମାଳ ଦେବାପରେ ମହାଜନମାନେ ହାତରେ ରାମକୃଷ୍ଣଙ୍କୁ ବିଜେ କରାଇ ନେଇ ବଟଦ୍ୱାର ନିକଟ ପାଲିଙ୍କିରେ ବିଜେ କରାଇଥାନ୍ତି । ଏହାପରେ ବିମାନବଡ଼ୁ ସେବକମାନେ ଘଣ୍ଟ, ଛତା, କାହାଳି ସହ ପାଲିଙ୍କି ନେଇ ବଡ଼ଛତା ନିକଟ ଲକ୍ଷ୍ମୀ ଆଖଡ଼ାଠାରେ ପହଞ୍ଚନ୍ତି । ସେଠାରେ ଶ୍ରୀରାମକୃଷ୍ଣ ପାଲିଙ୍କିରୁ ବିଜେ ହୋଇ ଲକ୍ଷ୍ମୀ ଆଖଡ଼ା ଆଗରେ କାଠ ସିଂହାସନରେ ଉପବେଶନ କରନ୍ତି । ଏଠାରେ ଶ୍ରୀଜଗନ୍ନାଥଙ୍କଠାରୁ ଲେଙ୍କା ସେବକଙ୍କଦ୍ୱାରା ରେଖ ସୁନ୍ଦରୀ (ମହାପ୍ରଭୁଙ୍କ ଆଦେଶର ପ୍ରତୀକ ତାଙ୍କ ଅଙ୍ଗଲାଗି କନା) ପ୍ରାପ୍ତ ଜଣେ ବ୍ୟକ୍ତି ଶବରୁଣୀ ବେଶ ହୋଇ କୋଳିବିକା ପ୍ରସ୍ତାବ ରଖି ଡାକଛାଡ଼େ- “ପାଣିର ଫଳ ସିଙ୍ଗଡ଼ାର କୋଳି ଖାଇବ ଆସ ହେ ପୋଏ” । ଏହାପରେ ଭିତରଚ୍ଛୁ ମହାପାତ୍ର ଉକ୍ତ ଶବରୁଣୀଠାରୁ କୋଳି ନେଇ ରୂପା ପିଙ୍ଗଣରେ ରଖି ଠାକୁରଙ୍କୁ ସମର୍ପଣ କରିଥାନ୍ତି । ତା’ପରେ ଶ୍ରୀରାମକୃଷ୍ଣ ବାହୁଡ଼ିଯାଇ ଜଗମୋହନରେ ଖଟଶେଜରେ ବିଜେ ହୁଅନ୍ତି । ସନ୍ଧ୍ୟାଧୂପ ପରେ ପୁଷ୍ପାଳକ ସେବକମାନେ ତିନିବାଡ଼ରେ ବଣଭୋଜି ବେଶରେ ବିଗ୍ରହମାନଙ୍କୁ ସଜ୍ଜିତ କରନ୍ତି । ଏହି ବେଶରେ ସ୍ୱର୍ଣ୍ଣାଳଙ୍କାର ବ୍ୟତୀତ ଶ୍ରୀଜଗନ୍ନାଥ ଦକ୍ଷିଣ ହସ୍ତରେ ବଂଶୀ ବାମ ହସ୍ତରେ ଶିକା ଧରିଥାନ୍ତି । ଶିକା ଭିତରେ ରୂପା ପିଙ୍ଗଣରେ ସର ରହିଥାଏ । ଶ୍ରୀବଳଭଦ୍ର ଡାହାଣ ହାତରେ କ୍ଷୀର ପସରା ଓ ବାମ ହାତରେ ଶିଙ୍ଗା ଧରିଥାନ୍ତି ଏବଂ ପାଦ ଦେଶରେ ଗୋମାତା ରହିଥାନ୍ତି ।

 

ଶବରୁଣୀ ବେଶରେ ସଜ୍ଜିତ ବ୍ୟକ୍ତିକୁ ରେଖ ସୁନ୍ଦରୀ ଦେଲା ପରି ଶ୍ରୀକୃଷ୍ଣ ଲୀଳାର କଂସ ବଧ ପ୍ରସଙ୍ଗ ଯାଏ ଅନୁଷ୍ଠିତ ହେବାକୁ ଥିବା ପ୍ରସ୍ତାବ ଓ ଆଚରଣ ପାଇଁ ସାତ ସାହିର ସାହି ନାୟକମାନଙ୍କୁ ମଧ୍ୟ ମହାପ୍ରଭୁଙ୍କ ଆଜ୍ଞା ସଦୃଶ ରେଖ ସୁନ୍ଦରୀ ପ୍ରଦାନ କରାଯାଇଥାଏ । ରାମଜନ୍ମରେ ସାହିଯାତ୍ରାରେ କୌଶଲ୍ୟା-ଦଶରଥଙ୍କୁ ପ୍ରଦାନ କରାଯାଉଥିବା ରେଖ ସୁନ୍ଦରୀ ପରି ଶ୍ରୀକୃଷ୍ଣ ଜନ୍ମରେ ଦେବକୀ-ବସୁଦେବ ବେଶଧାରୀ ପଶୁପାଳକ ସେବକଙ୍କ ମୁଣ୍ଡରେ ଯଥାକ୍ରମେ କଳା ଓ ନାଲି ରଙ୍ଗର ଏବଂ ଧଳା ରଙ୍ଗର ରେଖ ସୁନ୍ଦରୀ ବନ୍ଧାଯାଇଥାଏ ।

 

ଏହିଦିନ ଅନ୍ୟଦୁଇଟି ପ୍ରସ୍ତାବ ମଧ୍ୟରୁ ପୁରୀର ପ୍ରାଚୀନ ବାଲିସାହିର ଲୋକଙ୍କଦ୍ୱାରା ବକାସୁର ବଧ ପ୍ରସ୍ତାବ ଆଗତ କରାଯାଏ । ସାହି ପକ୍ଷରୁ ବାଉଁଶ ପାତିଆ କନା ଇତ୍ୟାଦିଦ୍ୱାରା ବିରାଟକାୟ ଏକ ବକାସୁରକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଥାଏ ଏଠାରେ ସାହିର ଜଣେ ବ୍ୟକ୍ତି କୃଷ୍ଣ ବେଶରେ ବକାସୁରକୁ ବଧ କରିଥାନ୍ତି ।

 

ଏହା ପରେ ପରେ ଅନୁରୂପ ଭାବରେ ହରଚଣ୍ଡୀ ସାହି ପକ୍ଷରୁ ଅର୍ଘାସୁର ପ୍ରସ୍ତାବ ରଖାଯାଇ କୃଷ୍ଣକର୍ତ୍ତୃକ ତାକୁ ବଧ କରାଯାଏ । ଦୁଃଖର ବିଷୟ ଏହି ପ୍ରସ୍ତାବଟି କିଛି ବର୍ଷ ଧରି ଅନୁଷ୍ଠିତ ହେଉ ନ ଥିଲା ତେବେ ଗତବର୍ଷଠାରୁ ଏହାର ପୁନଃ ପ୍ରବର୍ତ୍ତନ ହୋଇଛି । ମନେହୁଏ ସାହିଯାତ୍ରା ପରମ୍ପରାରେ ରାମାୟଣର ଚରିତ୍ରମାନେ ସିଧାସଳଖ ସାହିର ଭେଣ୍ଡିଆମାନଙ୍କ ସକ୍ରୀୟ ଅଭିନୟର କ୍ଷେତ୍ର ଭାବରେ ପ୍ରତିଷ୍ଠିତ ଥିବାବେଳେ କୃଷ୍ଣଲୀଳାରେ, କଂସଦ୍ୱାରା ପ୍ରେରିତ ଅସୁରମାନେ ସୋଲ, ବାଉଁଶ, କନା ଆଦିଦ୍ୱାରା ପ୍ରସ୍ତୁତ ହେଉଥିବା ହେତୁ ସମାଜତାତ୍ତ୍ୱିକ ଦୃଷ୍ଟିରୁ ସେତେ ପରିମାଣରେ ମନକୁ ରଞ୍ଜିତ କରିବାରେ ସକ୍ଷମ ହେଉନାହାଁନ୍ତି । ତେବେ ଏ ଦିଗପ୍ରତି ଉଭୟ ସାହି ଓ ଶ୍ରୀମନ୍ଦିର ପ୍ରଶାସନ ଦୃଷ୍ଟିଦେଲେ ଲୋକପ୍ରିୟତା ବୃଦ୍ଧିରେ ସହାୟକ ହୁଅନ୍ତା ।

 

ଦଶମୀ ଦିନର ଚାରିଗୋଟି ଲୀଳା ପ୍ରସ୍ତାବ ପରେ ଏକାଦଶୀ ଦିନ ‘କାଳୀୟ ଦଳନ’ ଲୀଳା ପ୍ରସ୍ତାବ ଅନୁଷ୍ଠିତ ହୋଇଥାଏ । ଏହିଦିନ ମଧ୍ୟାହ୍ନ ଧୂପ ବେଶରେ ମହାପ୍ରଭୁ ତିନିଖଣ୍ଡ ଆଜ୍ଞାମାଳ ଲାଗି ହୁଅନ୍ତି । ଧୂପ ସରି ଦକ୍ଷିଣି ଘର ଭୋଗ ସରିଲେ ଶ୍ରୀମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣ ରତ୍ନସିଂହାସନକୁ ବିଜେ ହୁଅନ୍ତି । ପୂଜାପଣ୍ଡା ତିନିଖଣ୍ଡ ଆଜ୍ଞାମାଳ ଯଥାକ୍ରମେ ଶ୍ରୀବଳଭଦ୍ରଙ୍କ ବାଡ଼ରୁ ଶ୍ରୀରାମଙ୍କୁ, ଶ୍ରୀଜଗନ୍ନାଥଙ୍କ ବାଡ଼ରୁ ଶ୍ରୀମଦନମୋହନ ଏବଂ ଶ୍ରୀକୃଷ୍ଣଙ୍କୁ ଦେବା ପରେ ମହାଜନମାନେ ଠାକୁରମାନଙ୍କୁ ବଟପାଖରେ ପାଲିଙ୍କିରେ ବିଜେ କରାନ୍ତି । ବିମାନବଡ଼ୁମାନେ ଅନ୍ୟ ଏକାଦଶୀ ଭଳି ବେଢ଼ା ପରିକ୍ରମା ଥରଟିଏ କରନ୍ତି । ତାପରେ ଶ୍ରୀରାମକୃଷ୍ଣ ପାଲିଙ୍କିରେ ବିଜେ ହୋଇ ଶ୍ରୀଲୋକନାଥଙ୍କ ରାସ୍ତାରେ ଥିବା ଲବଣିଖିଆଠାରେ ପହଞ୍ଚିବାପୂର୍ବରୁ ମହାଭୋଇ ସେବକ-ଘରର ବୋହୂମାନେ ତାଙ୍କୁ ବନ୍ଦାପନା କରି ପାଛୋଟି ନିଅନ୍ତି-। ସେଠାରେ ସରଲବଣୀ ଭୋଗ ହେବା ପରେ ବିଗ୍ରହମାନେ ମାର୍କଣ୍ଡେଶ୍ୱର ସାହିସ୍ଥ ପବିତ୍ର ମାର୍କଣ୍ଡପୋଖରୀକୁ ବିଜେ ହୁଅନ୍ତି । ମାର୍କଣ୍ଡ ପୋଖରୀ ମଧ୍ୟସ୍ଥ ଦିପିଦାଣ୍ଡିଠାରେ ଗୋଟାଏ ମଞ୍ଚା ପ୍ରସ୍ତୁତ ହୋଇଥାଏ ଏବଂ ମାଟିମଣ୍ଡପ ସାହିର ଜଣେ ବ୍ୟକ୍ତି କାଳୀକୃଷ୍ଣ ଭାବରେ ସେଠାରେ ଅବସ୍ଥାନ କରିଥାନ୍ତି । ଯମୁନାଗଣ୍ଡଭାବେ ପରିକଳ୍ପିତ ମାର୍କଣ୍ଡ ପୁଷ୍କରିଣୀଠାରେ ଶ୍ରୀକୃଷ୍ଣ ପହଞ୍ଚିବାକ୍ଷଣି କନାରେ ପ୍ରସ୍ତୁତ ଏକ ବିରାଟକାୟ ସର୍ପ (କାଳୀୟନାଗ) କୃଷ୍ଣଙ୍କୁ ଦଂଶନ କରିଥାଏ ଏବଂ ବିଷ ଜ୍ୱାଳାରେ ଆହତ କୃଷ୍ଣଙ୍କୁ ଗରୁଡ଼ ବେଶଧାରୀ ଜଣେ ବ୍ୟକ୍ତି ଅମୃତଲଡୁ ପ୍ରଦାନ କରି ବିଷ ଝାଡ଼ନ୍ତି । ଏହାପରେ ମାଟିମଣ୍ଡପ ସାହିର ବ୍ୟକ୍ତି ଜଣକ (କାଳୀକୃଷ୍ଣ) କାଳୀୟନାଗ ଉପରକୁ ଉଠି ଦଳନ ଲୀଳା ଆଚରଣକୁ କାର୍ଯ୍ୟକାରୀ କରିଥାନ୍ତି । ଏହାପରେ ଶ୍ରୀରାମକୃଷ୍ଣ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି ଏବଂ ଶ୍ରୀଜୀଉଙ୍କ କାଳୀୟ ଦଳନ ବେଶ ଅନୁଷ୍ଠିତ ହୋଇଥାଏ ।

 

ଅପରଦିଗରେ ସେହି ଏକାଦଶୀ ଦିନ ଶ୍ରୀଜୀଉଙ୍କ ଆଜ୍ଞାମାଳ ପ୍ରାପ୍ତ ମଦନମୋହନ ଜଗମୋହନସ୍ଥ ଖଟ ଉପରେ ବିଜେ ହେବାପରେ ଧେନୁକାବଧ ପ୍ରସ୍ତାବ ଲୀଳା କୁଣ୍ଢେଇ ବେଣ୍ଟ ସାହି ଲୋକଙ୍କ ପକ୍ଷରୁ ଆଗତ କରାଯାଇଥାଏ । ଧେନୁକାସୁର ସାଜିଥିବା ବ୍ୟକ୍ତି ମଦନମୋହନଙ୍କଦ୍ୱାରା ନିହତ ହେବାପରେ ଏ ନୀତି ସମ୍ପନ୍ନ ହୋଇଥାଏ ।

 

ଭାଦ୍ରବ କୃଷ୍ଣ ଦ୍ୱାଦଶୀ ଦିନ ମଧ୍ୟାହ୍ନ ଧୂପ ପରେ ଶ୍ରୀବଳଭଦ୍ରଙ୍କର ‘ପ୍ରଳମ୍ବାସୁରବଧ’ ବେଶ ହେବା ସହିତ ସନ୍ଧ୍ୟାଧୂପ ପରେ ଶ୍ରୀରାମକୃଷ୍ଣ ଦକ୍ଷିଣି ଘରୁ ବିଜେ ହେଇ ଜଗମୋହନରେ ପହଞ୍ଚିବା ପରେ ଦୋଳମଣ୍ଡପ ସାହି ପକ୍ଷରୁ ପ୍ରଳମ୍ବାସୁର ବଧ ନୀତି ଅନୁଷ୍ଠିତ ହୁଏ । ଏଠାରେ ଶ୍ରୀରାମକୃଷ୍ଣଙ୍କ ସମ୍ମୁଖରେ ବଳରାମବେଶଧାରୀ ବାଳକଦ୍ୱାରା ପ୍ରଳମ୍ବାସୁର ବେଶରେ ଥିବା ବ୍ୟକ୍ତି ନିହତ ହେବାର ଆଚରଣ ସହ ଏ ନୀତି ସମ୍ପନ୍ନ ହୋଇଥାଏ ।

 

ତ୍ରୟୋଦଶୀ ଦିନ ସନ୍ଧ୍ୟାଧୂପ ପରେ ମଦନମୋହନ ଜଗମୋହନରେ ବିଜେ ହେବା ସହିତ ଗୌଡ଼ବାଡ଼ସାହି ପକ୍ଷରୁ ଅନ୍ନପ୍ରାଶନ୍ନ ପ୍ରସ୍ତାବ ରଖାଯାଇଥାଏ । ତା’ଛଡ଼ା ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କର ‘କୃଷ୍ଣବଳରାମ’ ବେଶ ଅନୁଷ୍ଠିତ ହୋଇଥାଏ । ଚତୁର୍ଦ୍ଦଶୀ ଦିନ ଶ୍ରୀକୃଷ୍ଣ ଲୀଳା ପ୍ରସ୍ତାବ କିଛି ହୁଏ ନାହିଁ । କିନ୍ତୁ ଅମାବାସ୍ୟା ଦିନ ସନ୍ଧ୍ୟାଧୂପ ପରେ କାଳିକାଦେବୀ ସାହି ପକ୍ଷରୁ ବସ୍ତ୍ରହରଣ ପ୍ରସ୍ତାବ ବା ଲୀଳା ଆଗତ କରାଯାଇଥାଏ । ମଦନମୋହନ ରତ୍ନସିଂହାସନରେ ଉଠି ଆଜ୍ଞାମାଳ ପାଇବା ପରେ ଉତ୍ତରପାର୍ଶ୍ୱସ୍ଥ ନଟପା ମଣ୍ଡପଠାରେ ଖଟ ଉପରେ ବିଜେ ହୁଅନ୍ତି । ଏହାପରେ କାଳିକାଦେବୀ ସାହି ପକ୍ଷରୁ ବସ୍ତ୍ରହରଣ ଲୀଳା ସମ୍ପନ୍ନ ହୋଇ ବନ୍ଦାପନା ପରେ ମଦନମୋହନ ଦକ୍ଷିଣି ଘରକୁ ବିଜେ କରନ୍ତି ।

 

ଭାଦ୍ରବ ଶୁକ୍ଳ ପ୍ରତିପଦା ଦିନ ନାଟ ମନ୍ଦିରରେ ସନ୍ଧ୍ୟାଧୂପ ପରେ ଶ୍ରୀମଦନମୋହନ ଖଟ ଉପରେ ବିଜେ ହେବା ପରେ ମାଟିମଣ୍ଡପ ସାହି ଲୋକଙ୍କଦ୍ୱାରା ଦାବାଗ୍ନୀ ଲୀଳା ଆଚରଣ ଅନୁଷ୍ଠିତ ହେବାପରେ ମଦନମୋହନଙ୍କ ବାହୁଡ଼ା ବିଜେ ହୁଏ । ଠିକ୍ ସେହିପରି ଦ୍ୱିତୀୟା ଦିନ ହରଚଣ୍ଡୀ ସାହି ଲୋକଙ୍କଦ୍ୱାରା ନିକୁଞ୍ଜଲୀଳା ପ୍ରସ୍ତାବ ଆଗତ ହୁଏ ।

 

ଭାଦ୍ରବ ଶୁକ୍ଳ ତୃତୀୟା ଦିନ ସନ୍ଧ୍ୟା ଆଳତି ପରେ ଦକ୍ଷିଣି ଘରୁ ଶ୍ରୀରାମକୃଷ୍ଣ ପାଲିଙ୍କିରେ ବିଜେ ହୋଇ ବଡ଼ଦେଉଳ ବେଢ଼ା ପରିକ୍ରମା ନ କରି ସିଧା ସିଂହଦ୍ୱାର ଦେଇ ଦକ୍ଷିଣ ପାର୍ଶ୍ୱସ୍ଥ ଲକ୍ଷିଉଦର ଆଗରେ ଥିବା କାଠ ସିଂହାସନ ଉପରେ ପାଲିଙ୍କି ସହିତ ବିଜେ କରନ୍ତି । ତାପରେ ବାସେଳି ସାହି ଲୋକଙ୍କଦ୍ୱାରା କଂସ କର୍ତ୍ତୃକ ପ୍ରେରିତ ଅନ୍ଧମନ୍ଦର ହାତୀ ପ୍ରସ୍ତାବର ଆଚରଣ କରାଯାଇଥାଏ । ହାତୀଟିକୁ ଶ୍ରୀକୃଷ୍ଣ ନିହତ କରିବା ସହିତ ଜଣେ ଅନ୍ଧ ବ୍ରାହ୍ମଣକୁ ଭଗବାନ ଚକ୍ଷୁ ଫେରାଇବାର ଅଲୌକିକ ଲୀଳା ଅନୁଷ୍ଠିତ ହୋଇଥାଏ । ଅବଶ୍ୟ ଏହି ଦ୍ୱିତୀୟ ଲୀଳାଟି ମନ୍ଦର ହାତୀକୁ ହତ୍ୟା କରି ଚଳନ୍ତି ପ୍ରତିମା ନାଟମଣ୍ଡପକୁ ଫେରିବା ପରେ ମନ୍ଦିର ସେବକଙ୍କଦ୍ୱାରା ଆଚରିତ ହୋଇଥାଏ ।

 

ଭାଦ୍ରବ ଶୁକ୍ଳ ପଞ୍ଚମୀ ଦିନ ସନ୍ଧ୍ୟାଧୂପ ବଢ଼ିବା ପରେ ମଦନମୋହନ ନାଟମଣ୍ଡପରେ ବିଜେ ହୁଅନ୍ତି ଏବଂ ସେହିଠାରେ ଗୌଡ଼ବାଡ଼ ସାହି ପକ୍ଷରୁ ଦାହଲୀଳା ବା ମୁଞ୍ଜବନର ଅଗ୍ନିପାନ କରି ଗୋପ ବାଳକ ତଥା ଗୋ ସମ୍ପଦର ରକ୍ଷା ପ୍ରସ୍ତାବ ଅନୁଷ୍ଠିତ ହୋଇଥାଏ । ଷଷ୍ଠୀ ଦିନ ମାର୍କଣ୍ଡେଶ୍ୱର ସାହି ପକ୍ଷରୁ ବିମ୍ବାସୁର ବଧ ଲୀଳା ପ୍ରସ୍ତାବ ତଥା ସପ୍ତମୀ ଦିନ କାଳିକାଦେବୀ ସାହି ପକ୍ଷରୁ କେକଶୀ ବଧ ବା କଂସର ପ୍ରିୟସଖା କେଶୀ ବଧ ପ୍ରସ୍ତାବ ଆଗତ ହୋଇଥାଏ । କେଶୀବଧ ପରେ ମଦନମୋହନ ପୁନଃ ପ୍ରତ୍ୟାବର୍ତ୍ତନ କରିଥାନ୍ତି ।

 

ଭାଦ୍ରବ ଶୁକ୍ଳ ଅଷ୍ଟମୀ ବା ରାଧାଷ୍ଟମୀ ଦିନ ଶ୍ରୀକୃଷ୍ଣଙ୍କ ଉତ୍ସବ ଅନୁଷ୍ଠିତ ନ ହେଲେ ମଧ୍ୟ ରାଧାଙ୍କ ଜନ୍ମ ଉତ୍ସବ ପାଇଁ ବିଶେଷ ନୀତି ପାଳିତ ହୋଇଥାଏ । ଏହି ଦିନ ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ପାଇ ଶ୍ରୀଦେବୀ ସାତପାହାଚଠାରେ ପାଲିଙ୍କିରେ ବିଜେ କରି ମା’ ଲକ୍ଷ୍ମୀଙ୍କ ଦେଉଳ ଜଗମୋହନକୁ ଯାଇଥାନ୍ତି ଏବଂ ସେଠାରେ ମାଜଣା, ଶୀତଳ ଭୋଗ ଓ ବନ୍ଦାପନା ପରେ ମଧ୍ୟାହ୍ନ ଧୂପ ଉଠିଲେ ସିଂହାସନକୁ ବିଜେ କରନ୍ତି ।

 

ନବମୀ ଦିନ ମଧ୍ୟ ଜନ୍ମାଷ୍ଟମୀ ଯାତ୍ରାର କିଛି ଅନୁଷ୍ଠିତ ହୁଏ ନାହିଁ କିନ୍ତୁ ଦଶମୀ ଦିନ ତିନିଗୋଟି ଲୀଳା ସହିତ ଜନ୍ମାଷ୍ଟମୀ ଉତ୍ସବର ବା ଶ୍ରୀକୃଷ୍ଣ ଲୀଳାର ପରିସମାପ୍ତି ଘଟେ । ତିନିଗୋଟି ଲୀଳା ହେଲା ଲବଣୀଖିଆ, ମଥୁରାହାଟ ଯୁର ଏବଂ କଂସ ବଧ । ଏହିଦିନ ମଧ୍ୟାହ୍ନ ଧୂପ ପରେ ଶ୍ରୀରାମକୃଷ୍ଣ ପାଲିଙ୍କିରେ ବିଜେ ହୋଇ କୁଣ୍ଢେଇବେଣ୍ଟ ସାହିସ୍ଥ ଲବଣିଖିଆ ଛକଠାରେ ବିଜେ ହୁଅନ୍ତି । ବାଟରୁ ମହାଭୋଇ ଘରର ବୋହୂମାନେ ଅର୍ଘ୍ୟବନ୍ଦାପନା କରି ପାଛୋଟି ନେଇ ଲବଣୀଖିଆଠାରେ ବିଜେ କରାନ୍ତି । ଏଠାରେ ସର, ଲବଣୀ, ମାଖନ ଭୋଗ କଲାପରେ ଶ୍ରୀରାମକୃଷ୍ଣ ବିମାନକୁ ବିଜେ ହୋଇ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସାମନା ମହାଖଳା (ମର୍ଚ୍ଚିକା ଠାକୁରାଣୀ ନିକଟ) ଠାରେ ପହଞ୍ଚିବା ପରେ ଅକ୍ରୁର ପ୍ରସ୍ତାବ ହୁଏ । ଅର୍ଥାତ୍ ଅକ୍ରୁର, ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଧନୁଯାତ୍ରା ପାଇଁ ଆମନ୍ତ୍ରଣ କରନ୍ତି । ଅକ୍ରୁରଙ୍କ ସହ ଅଳ୍ପ ବାଟ ଆଗେଇଯିବା ପରେ ରଜକ ଲୀଳା ପ୍ରସ୍ତାବ, ଧନୁଘର ଭାଙ୍ଗିବା ପ୍ରସ୍ତାବ ଏବଂ ମଲ୍ଲଯୁଦ୍ଧ ପ୍ରସ୍ତାବ ବା ଲୀଳା ଆଚରିତ ହୁଏ-। ଏହାପରେ ଶ୍ରୀନଅର ସାମ୍ନାରେ ଘଟୁଆରି ସେବକ, କୁବୁଜା ବେଶ ସାଜି ଡାଲାରେ ଗୁଆ ଓ ଖଇର ଭୋଗ କରନ୍ତି । ଏହି ସ୍ଥାନରେ ପୂଜାପଣ୍ଡା ସେବକଙ୍କଦ୍ୱାରା ଶୀତଳ ଭୋଗ ହେବା ପରେ ରକ୍ଷକ ପ୍ରସ୍ତାବ ଏବଂ ମଥୁରାହାଟ ଯୁର ଲୀଳା ପ୍ରସ୍ତାବ ଆଚରଣ କରାଯାଇଥାଏ । ଉଭୟ ଲୀଳା ପରେ ସେଠାରୁ ସିଂହଦ୍ୱାର ନିକଟ ଲକ୍ଷି ଉଦର ଆଗରେ କାଠସିଂହାସନ ଉପରେ ପାଲିଙ୍କିରେ ବିଜେ ହୋଇ ସାରିବା ପରେ କୁବଳୟା ଗଜ ପ୍ରସ୍ତାବ ବା ବଧ ତଥା କଂସ ବଧ ପ୍ରସ୍ତାବ ଲୀଳା ଅନୁଷ୍ଠିତ ହୋଇଥାଏ । ତା’ପରେ ଉଗ୍ରସେନ ବେଶରେ ଥିବା ଜଣେ ସେବକଙ୍କୁ ପୁନଃ ମଥୁରାର ରାଜା ଭାବରେ ଶାଢ଼ି ପ୍ରଦାନ କରାଯାଇଥାଏ । ବସ୍ତୁତଃ କଂସବଧ ପରେ ହିଁ ପୁରୀର ଏହି ଲୋକ ସଂସ୍କୃତି ମୂଳକ ଲୀଳା ବା ଯାତ୍ରାର ପରିସମାପ୍ତି ଘଟିଥାଏ ।

 

ପୁରୀରେ ସାହିଯାତ ଭାବରେ ପ୍ରସିଦ୍ଧ ରାମଲୀଳା ଦଶଦିନ ଧରି ଚାଲିଥାଏ କିନ୍ତୁ ଶ୍ରୀକୃଷ୍ଣଲୀଳା ତେରଦିନ ଧରି ଅନୁଷ୍ଠିତ ହୋଇଥାଏ । ଉଭୟ ଲୀଳାରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମାମାନଙ୍କ ସହିତ ପ୍ରତ୍ୟେକ ସାହିର ଲୋକଚେତନା ଏବଂ ଭାକ୍ତିକ ବିଶ୍ୱାସ ଓ ଧର୍ମୀୟ ଭାବନା ଅଙ୍ଗାଙ୍ଗୀଭାବେ ଜଡ଼ିତ ହୋଇ ରହିଥାଏ । ଲୋକ ସଂସ୍କୃତି ଦୃଷ୍ଟିରୁ ବିବେଚନା କଲେ ସର୍ବ ଭାରତୀୟ ସ୍ତରରେ ରହିଥିବା ବିଭିନ୍ନ ଲୋକ ଧର୍ମ ମୂଳକ ସାଂସ୍କୃତିକ ପ୍ରେକ୍ଷାପଟରେ ପୁରୀର ରାମଲୀଳା ପରି ଶ୍ରୀକୃଷ୍ଣ ଲୀଳା ମଧ୍ୟ ଏକ ମହତ୍ତର ଆସନ ଦାବି କରେ ।

 

ଅବଶ୍ୟ ଚୈତ୍ର ଶୁକ୍ଳ ନବମୀଠାରୁ ଆରମ୍ଭ ହେଉଥିବା ସାହିଯାତ୍ରା ପରି ଏହା ସେତେ ପରିମାଣରେ ଉତ୍ସାହ ଉଦ୍ଦିପନାର ସହିତ ପାଳିତ ହେଉ ନ ଥିଲେ ମଧ୍ୟ ଲୋକ ସଂସ୍କୃତିମୂଳକ ଚେତନାର ଏହା ଏକ ବିଶିଷ୍ଟ ଅଙ୍ଗଭାବେ ରହିଛି । ଏହି ଶ୍ରୀକୃଷ୍ଣ ଲୀଳା ବିଷୟକ ଲୋକ ଚେତନାର ଶ୍ରୀ ବୃଦ୍ଧି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପ୍ରାଚୀନ ସାତ ସାହିର ସମନ୍ୱୟ ରହିଲେ ଏହାର ଉତ୍ତରୋତ୍ତର ଉନ୍ନତି ଘଟିବ ଏଥିରେ ସନ୍ଦେହ ନାହିଁ ।

Image

 

Unknown

ପୁରୀର ଲୋକନୃତ୍ୟ ଚଇତି ଘୋଡ଼ା : ଏକ ଅନୁଶୀଳନ

 

ପ୍ରତ୍ୟେକ ଜାତିର ସ୍ୱକୀୟ ସଂସ୍କୃତିଟି ରହିଛି । କାରଣ ସଂସ୍କୃତି ମାଧ୍ୟମରେ ହିଁ, ସେହି ଜାତିର ଧର୍ମଧାରଣା, ଆଚାର ବିଚାର, ଐତିହ୍ୟ, ବିଶ୍ୱାସ ଓ ଅଭିରୂଚି ସମ୍ପର୍କରେ ଏକ ଅବବୋଧ ଆସିଥାଏ । ପାରିପାର୍ଶ୍ୱିକ ଏବଂ ସାମାଜିକ ଅବସ୍ଥା ସହ ଜୀବନର ସତ୍ୟତା ଏବଂ ମହତ୍ତ୍ୱକୁ ନିଜର ଚାଲିଚଳନ ଏବଂ ବ୍ୟବହାର ମାଧ୍ୟମରେ ଦେଖାଇବାର ନିରନ୍ତର ଉଦ୍ୟମ ହିଁ ଗୋଟିଏ ଜାତିର ସ୍ଥିତି ସ୍ଥାପକତାକୁ ବ୍ୟକ୍ତ କରିଥାଏ ।

 

ପ୍ରତ୍ୟେକ ସମାଜର ସାଂସ୍କୃତିକ ନିଦର୍ଶନର ଦୁଇଗୋଟି ବିଭବ ଦୃଷ୍ଟିଗୋଚର ହୋଇଥାଏ । ପ୍ରଥମଟି ଉଚ୍ଚତର ସଂସ୍କୃତି (Elite Culture) ଅପରଟି ଲୋକ ସଂସ୍କୃତି (Folk Culture) । ଉଭୟ ଧାରା ମଧ୍ୟରେ ଉଚ୍ଚତର ସଂସ୍କୃତି ଧାରାଟି-ସମାଜର ପ୍ରଗତି ଓ ପରିବର୍ତ୍ତନ ପରିପ୍ରେକ୍ଷୀରେ ଯେତେ ପରିମାଣରେ ସାଂସ୍କୃତିକ ବିବର୍ତ୍ତନଦ୍ୱାରା ବିବର୍ତ୍ତିତ ହୁଏ, ସେହି ପରିମାଣରେ ଲୋକ ସଂସ୍କୃତିର ଧାରାଟି ବିବର୍ତ୍ତିତ ହୁଏନାହିଁ । ତେଣୁ ଗୋଟିଏ ଜାତିର ପ୍ରାଚୀନ ଐତିହ୍ୟ, ଜୀବନଧାରା, ସ୍ଥିତିକୁ ଅବଲୋକନ କରିବାପାଇଁ ଲୋକ ସଂସ୍କୃତି ହିଁ ମୁଖ୍ୟ ଉପଜିବ୍ୟ ଭାବରେ ଦଣ୍ଡାୟମାନ ହୋଇ ରୁହେ । ଯେଉଁଥିପାଇଁ ଗୋଟିଏ ଜନଗୋଷ୍ଠୀ ତା’ର ଯାବତୀୟ ବାହ୍ୟ ସଂସର୍ଗ ପ୍ରତି ଗ୍ରହଣଶୀଳମାନସିକତା ସତ୍ତ୍ୱେ ଲୋକ ସଂସ୍କୃତିର ମୂଳଉତ୍ସଠାରୁ ମୋଟେ ଦୂରେଇ ଯାଇପାରେନାହିଁ ।

 

ଏହି ପରିପ୍ରେକ୍ଷୀରେ ଆମେ, ଓଡ଼ିଶାର ସାଂସ୍କୃତିକ ପରମ୍ପରାକୁ ନେଇ ବିବେଚନା କରି ଗର୍ବ ଅନୁଭବ କରିବା ସ୍ୱାଭାବିକ । କାରଣ ଆମକୁ ଉତ୍ତରାଧିକାର ସୂତ୍ରରେ ଶ୍ରୀଜଗନ୍ନାଥ ଚେତନା ପରି ଏକ ମହନୀୟ ସଂସ୍କୃତି ସହିତ ବହୁ ଲୋକ ସଂସ୍କୃତିର ମିଳିତ ଓ ସମୃଦ୍ଧ ଆଧାର ମିଳିଛି । ଯାହାକି ଶହ ଶହ ବର୍ଷ ଧରି ଆମକୁ ଏକ ସମନ୍ୱିତ ଚେତନାରେ ବାନ୍ଧି ରଖିଛି । ଆମ ପାଇଁ ଧର୍ମ ଓ ଜୀବନଠାରୁ ସଂସ୍କୃତି ମୋଟେ ଭିନ୍ନ ଭାବରେ ପ୍ରତିପାଦିତ ହୋଇପାରିନାହିଁ । ଇଂରାଜୀ ସାହିତ୍ୟର ଜଣେ ବିଶିଷ୍ଟ କବିଙ୍କ ଭାଷାରେ କହିଲେ,- What is part of out culture is also a part of out religion (୧) ଅର୍ଥାତ୍ ଯାହା ଆମ ସଂସ୍କୃତିର ପରିଚାୟକ ତାହା ମଧ୍ୟ ଧର୍ମର ପରିଚାୟକ ।

 

ଲୋକନୃତ୍ୟ ହେଉଛି ଉତ୍କଳୀୟ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ । କାରଣ ଓଡ଼ିଶାର ଭୌଗୋଳିକ ଅବସ୍ଥିତି ଭାରତ ମାନଚିତ୍ରର ଏପରି ଏକ ସ୍ଥାନରେ ରହିଛି, ଯେଉଁଠି ବୈଦିକ ଉଚ୍ଚତର ସଂସ୍କୃତି ସହିତ ଦାକ୍ଷିଣାତ୍ୟର ଦ୍ରାବିଡ଼ ସଂସ୍କୃତି ତଥା ଆଦିବାସୀ ସଂସ୍କୃତିର ଏକ ମିଳିତ ରୂପ ଏଠାରେ ଯେଉଁ ପରିମାଣରେ ଦୃଷ୍ଟିଗୋଚର ହୁଏ, ତାହା ଅନ୍ୟତ୍ର ବିରଳ । ଏହି ମହାସମନ୍ୱିତ ସଂସ୍କୃତି ହିଁ ଉତ୍କଳୀୟ ସଂସ୍କୃତି ।

 

କେବଳ ଲୋକନୃତ୍ୟ ନୁହେଁ, ଏହା ସହିତ ଲୋକଯାତ୍ରା, ଲୋକଗୀତ, ପାଲା, ଦାସକାଠିଆ, ସୁଆଙ୍ଗ, ରାମଲୀଳା, ଭାରତ ଲୀଳା ଆଦିରେ ମଧ୍ୟ ଉତ୍କଳୀୟ ସଂସ୍କୃତିର ସ୍ୱାତନ୍ତ୍ର‌୍ୟ ବେଶ୍ ସ୍ପଷ୍ଟ । ପୁନଶ୍ଚ ଓଡ଼ିଶାର ସଂସ୍କୃତି ସହିତ ଧର୍ମବିଶ୍ୱାସ ମଧ୍ୟ ଅଙ୍ଗାଙ୍ଗୀଭାବେ ଜଡ଼ିତ ହୋଇ ରହିଛି । କାରଣ ସଂସ୍କୃତି ସର୍ଜନାର ପୃଷ୍ଠଭୂମିରେ ଧର୍ମର ସର୍ଜନା ରହିଛି । ତେବେ ଆମ ଲୋକନୃତ୍ୟାଦି ସଂସ୍କୃତିକୁ ନେଇ ପର୍ଯ୍ୟାଲୋଚନା କଲେ ଜାଣିହୁଏ, ଧର୍ମ, ଏ କ୍ଷେତ୍ରରେ ଉପଚାର ସର୍ବସ୍ୱ ନ ହୋଇ ହୋଇଯାଏ ଜୀବନର ମଧୁମୟ ମନ୍ତ୍ର ।

 

ପ୍ରାଚୀନ ଓଡ଼ିଶାର ସହରାଞ୍ଚଳ ବୋଲି କିଛି ଥିଲା କି? ବସ୍ତୁତଃ ଯାହାକିଛି ଥିଲା ତାହା ଗ୍ରାମ୍ୟ ସଭ୍ୟତାର ପ୍ରଭାବରୁ ମୋଟେ ବିମୁକ୍ତ ନ ଥିଲା । ତେଣୁ ଓଡ଼ିଶାର ସର୍ବସାଧାରଣଙ୍କ ଧର୍ମବିଶ୍ୱାସ ସହିତ ଜୀବନ ମଧ୍ୟ ଓତଃପ୍ରୋତଃଭାବେ ଜଡ଼ିତ ହୋଇ ରହିଥିଲା । ଫଳରେ ନିଜ ନିଜର ଭିନ୍ନ ଭିନ୍ନ (ସାର୍ବଜନୀନ ହେଉ ବା ଗୋଷ୍ଠୀଗତ) ପୂଜା ପର୍ବାଣିରେ ମନୋରଞ୍ଜନକୁ ଏକ ମୁଖ୍ୟ ମାଧ୍ୟମଭାବେ ଗ୍ରହଣ କରାଯାଇଥିଲା । ଧର୍ମୀୟ ମନୋରଞ୍ଜନର ବଳିଷ୍ଟ ମାଧ୍ୟମଭାବେ ଓଡ଼ିଶାରେ ଛଉନାଚ, ଦଣ୍ଡନାଚ, ଗୋଟିପୁଅନାଚ, ପାଟୁଆ ନାଚ, ଡାଲଖାଇ ନାଚ, ଘୁମ୍‌ରା ନାଚ, ତେମ୍‌ସା ନାଚ, ଛେରଛେରା, କରମା ତଥା ଘୋଡ଼ା ନାଚ ଆଦି ପ୍ରଧାନ ଥିଲା । ଏହି ଲୋକନୃତ୍ୟମାନଙ୍କ ଭିତରେ ହିଁ ଭରି ରହିଥିଲା ଓଡ଼ିଶାର ସାଂସ୍କୃତିକ ଜୀବନର ନିରବଚ୍ଛିନ୍ନ ପ୍ରାଣପ୍ରବାହ ।

 

ଉପରଲିଖିତ ବିଭିନ୍ନ ଲୋକନୃତ୍ୟଗୁଡ଼ିକ ଓଡ଼ିଶାର ଭିନ୍ନ ଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଗୋଷ୍ଠୀମଧ୍ୟରେ ନିଜ ନିଜର ଜାତିଗତ ଧର୍ମାନୁଷ୍ଠାନକୁ ଆଧାର କରି ପ୍ରସିଦ୍ଧିଲାଭ କରିଥିଲା । ତନ୍ମଧ୍ୟରୁ ଘୋଡ଼ାନାଚ ଉପକୂଳବର୍ତ୍ତୀ ଅଞ୍ଚଳର କୈବର୍ତ୍ତ ସମ୍ପ୍ରଦାୟର ସାମାଜିକ ତଥା ସାଂସ୍କୃତିକ ଜୀବନଚର୍ଯ୍ୟା ସହିତ ଜଡ଼ିତ ହୋଇ ପଡ଼ିଥିଲା । ଅନ୍ୟାନ୍ୟ ଲୋକନୃତ୍ୟ ପରି ଘୋଡ଼ାନାଚରେ ମଧ୍ୟ ଧର୍ମ, ନୃତ୍ୟ ଓ ମନୋରଞ୍ଜନର ମିଶ୍ରିତ ରୂପ ଯେତେ ପରିମାଣରେ ଭରିରହିଛି ତାହା ଅନ୍ୟ ଲୋକନୃତ୍ୟମାନଙ୍କଠାରୁ କୌଣସି ଗୁଣରେ କମ୍ ନୁହେଁ ।

 

ଉପକୂଳବର୍ତ୍ତୀ ଅଞ୍ଚଳର କୈବର୍ତ୍ତ ସମ୍ପ୍ରଦାୟ,- ବିଶେଷ କରି ବାଲେଶ୍ୱର, ଭଦ୍ରକ, ଅବିଭକ୍ତ କଟକ ଜିଲ୍ଲାର କିଛି ଅଂଶ ଏବଂ ପୁରୀ ଓ ଗଞ୍ଜାମ ଜିଲ୍ଲାରେ ଚୈତ୍ରମାସ ପୂର୍ଣ୍ଣିମା ଦିନ ନିଜର ଆରାଧ୍ୟ ଦେବୀ ବାସେଳୀ ଠାକୁରାଣୀଙ୍କ ପୂଜା ଅତି ନିଷ୍ଠାର ସହ ସମ୍ପନ୍ନ କରିଥାନ୍ତି । ଚୈତ୍ର ପୂର୍ଣ୍ଣିମା ଦିନ ଅଶ୍ୱମୁଖୀ ବାସେଳୀଙ୍କର ପୂଜା ସମ୍ପନ୍ନ କରିବା ଅବସରରୁ ହିଁ ଘୋଡ଼ା ନାଚର ଅୟମାରମ୍ଭ ଘଟିଥାଏ । ବର୍ଷସାରା ମନ୍ଦିରର ଗମ୍ଭୀରାରେ ଅଶ୍ୱମୁଖୀ ବାସେଳୀଙ୍କ ପୂଜା ଆରାଧନା କରାଯାଉଥିବାବେଳେ, ଚୈତ୍ର ପୂର୍ଣ୍ଣିମାଠାରୁ ବୈଶାଖ ପୂର୍ଣ୍ଣିମା ପର୍ଯ୍ୟନ୍ତ ରାତ୍ରି ସମୟରେ ସାହିମାନଙ୍କରେ ତଥା ବିଭିନ୍ନ ଗ୍ରାମ ଦାଣ୍ଡରେ କିମ୍ବା କୌଣସି ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ ଅଗଣାରେ ଏହି ପୂଜିତ ଘୋଡ଼ାକୁ ନେଇ ନୃତ୍ୟ ପରିବେଷଣ କରାଯାଇଥାଏ ।

 

ଚଇତି ଘୋଡ଼ା ଏବଂ ଏହି ଘୋଡ଼ା ନାଚର ମୁଖ୍ୟ ଦେବୀ ବାସୁଳୀଙ୍କ ସମ୍ପର୍କରେ ତାତ୍ତ୍ୱିକ ଦିଗରୁ ବିବେଚନା କଲେ, ଅନୁମାନ କରାଯାଇପାରେ ଯେ, ବାସୁଳୀ ହେଉଛନ୍ତି ତନ୍ତ୍ର ଦେବୀ । ତେବେ ବ୍ରାହ୍ମଣ୍ୟବାଦ ପରିଚାଳିତ ଶାକ୍ତ ତନ୍ତ୍ରର ଦେବୀ ନୁହଁନ୍ତି । ମନେହୁଏ ବୌଦ୍ଧଧର୍ମର ଅବକ୍ଷୟକାଳ ଏବଂ ବଜ୍ରଯାନର ବିକାଶ କାଳର ପରବର୍ତ୍ତୀ ସମୟରେ ବୌଦ୍ଧତନ୍ତ୍ରର ବିସ୍ତାର ଘଟିବା ଯୋଗୁଁ ଶାକ୍ତ ତନ୍ତ୍ର ପରି ଏଥିରେ ମଧ୍ୟ ବହୁ ଦେବୀଙ୍କର ଉଦ୍ଭବ ଘଟିଥିଲା । ତତ୍କାଳୀନ ବ୍ରାହ୍ମଣ୍ୟବାଦଦ୍ୱାରା ଉପେକ୍ଷିତା ଏହି ଦେବୀମାନେ ଗ୍ରାମଦେବୀ ଭାବରେ ତଥା ବିଭିନ୍ନ ବ୍ରାହ୍ମଣେତ୍ତର ସମ୍ପ୍ରଦାୟର ଇଷ୍ଟଦେବୀ ଭାବରେ ଆତ୍ମପ୍ରକାଶ କରିଥିଲେ । ସାରଳା ଦାସ ତାଙ୍କ ମହାଭାରତରେ ଦୁର୍ଗାଙ୍କର ଶରୀରରୁ ଜାତ ହୋଇଥିବା ବିଭିନ୍ନ ଚଣ୍ଡୀମାନଙ୍କ ମଧ୍ୟରୁ ବାସୁଳୀ ଅନ୍ୟତମା ବୋଲି ଉଲ୍ଲେଖ କରିଛନ୍ତି । ଶ୍ରୀପୁରୁଷୋତ୍ତମ କ୍ଷେତ୍ରର ଦକ୍ଷିଣ ପଶ୍ଚିମ କୋଣରେ ପୂଜାତି ବାସେଳୀ ଠାକୁରାଣୀଙ୍କ ସମ୍ପର୍କରେ ମହାଭାରତରେ ବର୍ଣ୍ଣନା କରି କହିଛନ୍ତି-

 

“ନୀଳ ସୁନ୍ଦର ପର୍ବତେ ଅଛି ତିଳ ମନ୍ଦାର ସରି ।

ତହିଁରେ ବିଜୟ କରି ଅଛନ୍ତି ବାସେଳୀ ॥”

 

ଏ ବିଷୟରେ ବଳରାମ ଦାସ ତାଙ୍କର “ବଟ ଅବକାଶ” ଗ୍ରନ୍ଥରେ ଶ୍ରୀଜଗନ୍ନାଥଙ୍କୁ ଘେରି ରହିଥିବା ବହୁ ପ୍ରାଚୀନ ଛସ୍ତରୀ ମାତୃକା ଦେବୀ ତଥା ବିଭିନ୍ନ ଗ୍ରାମ ଦେବତୀଙ୍କ କଥା ଆଲୋଚନା କରିଛନ୍ତି ଏବଂ ସେଥିରେ ବାସେଳୀଙ୍କୁ ମଧ୍ୟ ସ୍ଥାନିତ କରିଛନ୍ତି ଏବଂ ଏମାନେ ଜଗନ୍ନାଥଙ୍କ ସେବା କରନ୍ତି ବୋଲି ଲେଖିଛନ୍ତି । ସେହି ଦେବୀ ବାସେଳୀଙ୍କୁ କୈବର୍ତ୍ତମାନେ ପୂଜା କରିବା ସହିତ ଉତ୍ସବାଦିର ଆୟୋଜନ କରୁଥିବାରୁ ଘୋଡ଼ା ନାଚର ଅୟମାରମ୍ଭ କାଳକୁ ନବମ, ଦଶମ ଶତାବ୍ଦୀ ପର୍ଯ୍ୟନ୍ତ ନିଆଯାଇପାରେ ।

 

ପୁରୀ ତଥା ଓଡ଼ିଶାରେ ମୁଖ୍ୟତଃ ବାସୁଳୀ ଠାକୁରାଣୀ ଅଶ୍ୱମୁଖୀ ହୋଇଥିବାସ୍ଥଳେ ଅନ୍ୟ କେତେକ ସ୍ଥାନରେ ସେ ମାନବ ଶରୀର ଧାରିଣୀ ଦେବୀ ରୂପରେ ବିରାଜମାନା । ବିଶେଷତଃ ଓଡ଼ିଶାର ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ତଥା ଦକ୍ଷିଣ ଭାରତରେ ମାନବ ମୁଖଧାରିଣୀ ଦେବୀ ବାସୁଳୀଙ୍କୁ ବିଶାଳଲୋଚନା ବା ବିଶାଳାକ୍ଷି ଭାବରେ ପୂଜା କରାଯାଇଥାଏ । ପଶ୍ଚିମବଙ୍ଗରେ ମଙ୍ଗଳଚଣ୍ଡୀ ଏବଂ ବାସୁଳୀଙ୍କୁ ଏକତ୍ୱ କରି ବର୍ଣ୍ଣନାମାନ ରହିଛି । ବୈଷ୍ଣବ କବି ଚଣ୍ଡୀ ଦାସ ବାସୁଳୀଙ୍କ ପୂଜକ ଥିବା କଥା “ଶ୍ରୀକୃଷ୍ଣ କୀର୍ତ୍ତନ”ରୁ ଜଣାଯାଏ । ବାସୁଳୀ ଠାକୁରାଣୀଙ୍କ ସମ୍ପର୍କରେ ଅମୂଲ୍ୟ ଚରଣ ବିଦ୍ୟାଭୂଷଣ ତାଙ୍କ ସରସ୍ୱତୀ ପୁସ୍ତକରେ ବାଗେଶ୍ୱରୀ ଶବ୍ଦରୁ ଏହି ବାସୁଳୀ ଶବ୍ଦ ଆସିଥିବା କଥା ଉଲ୍ଲେଖ କରିଛନ୍ତି । ବୃନ୍ଦାବନ ଦାସଙ୍କର ଚୈତନ୍ୟ ଭାଗବତରେ ମଧ୍ୟ ବାସୁଳୀଙ୍କ ପୂଜାର ଉଲ୍ଲେଖ ରହିଛି ।

 

ହରିଦାସ ପାଳିତଙ୍କ ମତରେ ଦକ୍ଷିଣ ଭାରତରେ ପୂଜା ପାଉଥିବା ସାତଭଉଣୀମାନଙ୍କ ମଧ୍ୟରୁ ଗ୍ରାମଦେବତା “ବାସୁଆଳୀ” କାଳକ୍ରମେ ଦେବୀ ବାସୁଳୀକୁ ପରିବର୍ତ୍ତିତ ହୋଇଯାଇଛନ୍ତି । ଆଉ କିଛି ଆଲୋଚକଙ୍କ ମତରେ ଧ୍ୟାନୀବୁଦ୍ଧଙ୍କର ଶକ୍ତି ବଜ୍ର ଧାତ୍ରେଶ୍ୱରୀ ବା ବଜ୍ରେଶ୍ୱରୀ କ୍ରମଶଃ ବାସୁଳୀ ନାମରେ ନାମିତ ହୋଇଛନ୍ତି ।

 

ବୌଦ୍ଧତନ୍ତ୍ରବାଦ ଓ ଶୂନ୍ୟବାଦ ସହିତ ବୈଷ୍ଣବ ଧର୍ମର ମହାମିଳନର ସୁବର୍ଣ୍ଣ କାଳରେ ଅର୍ଥାତ୍ ଷୋଡ଼ଶ ଶତାବ୍ଦୀବେଳକୁ ପଞ୍ଚସଖା ଧର୍ମୀୟ ଦର୍ଶନର ଅନ୍ୟତମ ମହାରଥି ମହାପୁରୁଷ ଅଚ୍ୟୁତାନନ୍ଦ, ଏହି ଘୋଡ଼ା ନାଚର ଏକ ଶାସ୍ତ୍ରୀୟ ରୂପ ପ୍ରଦାନ କରିବାକୁ ଯାଇ ‘କୈବର୍ତ୍ତ ଗୀତା’ ନାମକ ଏକ ଗ୍ରନ୍ଥ ରଚନା କରିଥିଲେ । ବସ୍ତୁତଃ ସେହି ସମୟରୁ ହିଁ ଘୋଡ଼ାନାଚ ଗୋଷ୍ଠୀଗତ ଉତ୍ସବରୁ ସାମାଜିକ ସ୍ତରର ଅନ୍ୟାନ୍ୟ ଗୋଷ୍ଠୀକୁ ସମ୍ପ୍ରେଷିତ ହୋଇଥିଲା ।

 

ଅଚ୍ୟୁତାନନ୍ଦଙ୍କ କୈବର୍ତ୍ତ ଗୀତା ଅନୁସାରେ, ଭଗବାନ ବିଷ୍ଣୁ ପ୍ରଳୟ କାଳରେ ବଟପତ୍ର ଉପରେ ଭାସମାନ ଅବସ୍ଥାରେ ରହିଥିଲେ । ଏହି କାଳରେ ପ୍ରଳୟ ଜଳର ଉତ୍ତାଳ ତରଙ୍ଗ ଆଘାତରେ ବଟପତ୍ରଟି ସ୍ଥିର ରହି ନ ପାରି ତୀବ୍ର ବେଗରେ ଆନ୍ଦୋଳିତ ହେବାରେ ଲାଗିଲା । ପରମବ୍ରହ୍ମ ବିଷ୍ଣୁ ବଟପତ୍ରକୁ ସ୍ଥିର ରଖିବା ପାଇଁ କର୍ଣ୍ଣମୂଳ ମଳୁଖରୁ ଏକ ମାନବମୂର୍ତ୍ତି ସର୍ଜନା କଲେ-। ପ୍ରଳୟକାଳୀନ ସେହି ମାନବ ହିଁ ପ୍ରଥମ ମାନବ ଏବଂ ସେ କୈବର୍ତ୍ତଭାବେ ପରିଚିତ ହେଲା-। କୈବର୍ତ୍ତଦ୍ୱାରା ଅସ୍ଥିର ବଟପତ୍ର ସ୍ଥିର ରହିଲା । ପରଂବ୍ରହ୍ମ କୈବର୍ତ୍ତ ଉପରେ ସନ୍ତୁଷ୍ଟ ହୋଇ ତାକୁ ଦାସରାଜା ଭାବରେ ପ୍ରତିଷ୍ଠିତ କରାଇଲେ ।

 

ପ୍ରଳୟ ଜଳ ଭିତରେ ଅବସ୍ଥାନ କାଳରେ, ଦାସରାଜା କୈବର୍ତ୍ତକୁ ଏକଦା ଏକ ବିରାଟକାୟ ରାଘବମାଛ ଗ୍ରାସ କରନ୍ତେ, ଭଗବାନ ବିଷ୍ଣୁ ରାଘବର ଗର୍ଭ ବିଦାରଣ କରି କୈବର୍ତ୍ତରାଜକୁ ଉଦ୍ଧାର କଲେ । ସେହିଦିନଠାରୁ ଦାସରାଜା କୈବର୍ତ୍ତକୁ ଭଗବାନ ଆଦେଶ ଦେଲେ ମାଛକୁ ବଧ କରି ସେ ତା’ର ଜୀବିକା ନିର୍ବାହ କରିବ । ଯଥା-

 

“ତୋତେ ଯେ ଗିଳିଲା ମୀନ ତୋହର ବଇରୀ,

ଏହାକୁ ମାରିବୁ ଜନ୍ମେ ଜନ୍ମେ ଅବତରୀ ॥

ତୋହର ସ୍ୱଗୋତ୍ର ଜାତି କୁଟୁମ୍ବ ଯେ ମାନ

ସମସ୍ତେ ଏ ଜୀବ ମାରି ପୋଷିବେ ଜୀବନ ॥”

 

ତତ୍‌ପଶ୍ଚାତ୍ ଭଗବାନଙ୍କ ଆଦେଶରେ ବିଶ୍ୱକର୍ମା ଏକ ନୌକା ନିର୍ମାଣ କରି ଦାସରାଜାକୁ ପ୍ରଦାନ କଲେ । ପୁନଶ୍ଚ ବଟପତ୍ରର ଶୃଙ୍ଗକୁ ଏକ ଘୋଡ଼ାର ରୂପ ପ୍ରଦାନ କରି ନୌକା ଏବଂ ଘୌଡ଼ା ସହିତ ସିଂହଳ ଦ୍ୱୀପକୁ ଯିବାପାଇଁ ତାକୁ ଆଦେଶ ପ୍ରଦାନ କଲେ । ଭଗବାନଙ୍କଦ୍ୱାରା ପ୍ରଦତ୍ତ ପ୍ରଥମ ଘୋଡ଼ାଟିର ନାମ ଥିଲା ବାସୁଳୀ । କିଛିକାଳ ପରେ ବାସୁଳୀ ଘୋଡ଼ାର ମୃତ୍ୟୁ ଘଟିଲା ଓ ମୃତ୍ୟୁ ପରେ ବାସୁଳୀ ଦେବୀ ରୂପ ଧାରଣ କରି କାନ୍ଦିବାରେ ଲାଗିଲା । କୈବର୍ତ୍ତ ଦେବୀଙ୍କୁ ଦେଖି ଭୟ ପାଇବାରୁ, ଭଗବାନ କୈବର୍ତ୍ତକୁ ଶାନ୍ତ୍ୱନା ଦେଇ କହିଲେ, ଜନ୍ମେ ଜନ୍ମେ ଅଶ୍ୱରୂପୀ ବାସୁଳୀ ହିଁ ତା’ର ଏବଂ ତା’ର ଉତ୍ତର ଦାୟାଦମାନଙ୍କର କୂଳଦେବତା ଭାବରେ ପୂଜା ପାଇବେ । ସେହିଦିନଠାରୁ ଅଶ୍ୱମୁଖୀ ବାସୁଳୀ ହିଁ କୈବର୍ତ୍ତ ସମାଜର ଇଷ୍ଟଦେବୀ ଭାବରେ ପୂଜା ପାଇ ଆସୁଛନ୍ତି ।

 

ଅଚ୍ୟୁତାନନ୍ଦଙ୍କର କୈବର୍ତ୍ତ ଗୀତାକୁ ବିଶ୍ଳେଷଣ କଲେ ବୁଝିହୁଏ ଯେ, ପଞ୍ଚଦଶ ଶତାବ୍ଦୀବେଳକୁ କୈବର୍ତ୍ତମାନଙ୍କ ମଧ୍ୟରେ ତାଙ୍କର ଇଷ୍ଟଦେବୀ ବାସୁଳୀ ପୂଜା ତଥା ଘୋଡ଼ା ବେଶ୍ ପ୍ରସିଦ୍ଧିଲାଭ କରି ସାରିଥିଲା । ଏପରିକି ପୁରୀର ପ୍ରାଚୀନତମ ସାହିମାନଙ୍କ ମଧ୍ୟରୁ ଗୋଟିଏ ସାହି, ବର୍ତ୍ତମାନର ଶ୍ରୀମନ୍ଦିର ନିର୍ମାଣକାଳ ପୂର୍ବରୁ, ବାସେଳୀ ସାହି ଭାବରେ, ପରିଚିତ ଥିଲା, ସାହିର ଆରାଧ୍ୟା ଦେବୀ ବାସେଳୀ ଠାକୁରାଣୀଙ୍କ ନାମରେ ।

 

ଘୋଡ଼ାନାଚର ପୂଜା ବିଧାନ ସମ୍ପର୍କରେ ବୁଝାଇବାକୁ ଯାଇ ମହାପୁରୁଷ ଅଚ୍ୟୁତାନନ୍ଦ କୈବର୍ତ୍ତ ଗୀତାରେ ଉଲ୍ଲେଖ କରିଛନ୍ତି,- ଚୈତ୍ର ପୂର୍ଣ୍ଣିମା ଦିନ ବାସୁଳୀଙ୍କୁ ପୂଜା କରିବା ପୂର୍ବରୁ, ଶୁଦ୍ଧପୂତ ଭାବରେ ବିଷ୍ଣୁଙ୍କ ନାମ ସ୍ମରଣ କରି ଅକ୍ଷତବାଉଶକୁ ଯଥାବିଧି ପୂଜା କରି କାଟି ଆଣିବ । ତତ୍‌ପଶ୍ଚାତ୍ ଶିବ ପାର୍ବତୀଙ୍କୁ ସ୍ମରଣ କରି ବାରଖଣ୍ଡ ବତା ପ୍ରସ୍ତୁତ କରିବ । ତାପରେ ବ୍ରହ୍ମାଙ୍କ ନାମ ସ୍ମରଣ କରି ସେହି ବତାରେ ଘୋଡ଼ାର ପଞ୍ଜର ପ୍ରସ୍ତୁତ କରିବାକୁ ପଡ଼ିବ । କୁସୁମ କାଠରେ ଘୋଡ଼ାର ମସ୍ତକ ପ୍ରସ୍ତୁତ କରିବ । ଘୋଡ଼ା ପଞ୍ଜରର ସର୍ବାଙ୍ଗରେ କାଇମାଟିର ଲେପ ଦେବ । ପାଟଶାଢ଼ିରେ ଘୋଡ଼ାକୁ ଆବୃତ କରିବ । ଘୋଡ଼ାର ପଞ୍ଜର ମଧ୍ୟରେ ଗର୍ତ୍ତ ରହିବ । ଯେଉଁ ଗର୍ତ୍ତମଧ୍ୟରେ ଦେହୁରୀ ପ୍ରବେଶ କରି ଘୋଡ଼ାକୁ କାନ୍ଧରେ ଓହଳାଇ ବାସୁଳୀ ଠାକୁରାଣୀଙ୍କ ପ୍ରିତ୍ୟାର୍ଥେ ନୃତ୍ୟ ପରିବେଷଣ କରିବ ।

 

ଅଚ୍ୟୁତାନନ୍ଦଙ୍କ କୈବର୍ତ୍ତଗୀତା ବ୍ୟତୀତ ଘୋଡ଼ା ନାଚକୁ ନେଇ ଆଉ ଦୁଇ ତିନି ପ୍ରକାରର କିମ୍ବଦନ୍ତୀ ଓ ଜନଶ୍ରୁତି ମଧ୍ୟ ରହିଛି । ପୌରାଣିକ କିମ୍ବଦନ୍ତୀ ଅନୁସାରେ ଶ୍ରୀରାମଚନ୍ଦ୍ରଙ୍କ ବନଗମନ କାଳରେ ଧୀବରମାନେ ତାଙ୍କୁ ବ୍ୟାକୁଳ ହୃଦୟରେ ତଥା ସମ୍ମାନ ଓ ମର୍ଯ୍ୟାଦାର ସହ ସରଯୂନଦୀ ପାରି କରାଇ ଦେଇଥିବାରୁ, ସେମାନଙ୍କ ସେବାରେ ମୁଗ୍ଧ ହୋଇ ଶ୍ରୀରାମଚନ୍ଦ୍ର ତାଙ୍କୁ ଗୋଟିଏ ଘୋଡ଼ା ଉପହାର ଦେଇଥିଲେ । ସେ ଦିନ ଥିଲା ଚୈତ୍ର ପୂର୍ଣ୍ଣିମା । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କଠାରୁ ଘୋଡ଼ାପ୍ରାପ୍ତ ହୋଇଥିବାରୁ ସେହି ଦିନଠାରୁ କୈବର୍ତ୍ତ ସମ୍ପ୍ରଦାୟ ଘୋଡ଼ାକୁ ପୂଜା କରିବା ସହ ଘୋଡ଼ା ନୃତ୍ୟ ପରିବେଷଣ କରି ଆସୁଛନ୍ତି ।(୨)

 

ଚଇତି ଘୋଡ଼ାନାଚ ସମ୍ପର୍କିତ ଅନ୍ୟତମ କିମ୍ବଦନ୍ତୀ ହେଉଛି- କୈବର୍ତ୍ତକନ୍ୟା ମତ୍ସ୍ୟଗନ୍ଧା (ପରେ ଯୋଜନଗନ୍ଧା)ଙ୍କ ଗର୍ଭରୁ ତଥା ମହର୍ଷି ପରାଶରଙ୍କ ଔରସରୁ ଜାତ ପୁତ୍ର ବ୍ୟାସଦେବଙ୍କ କ୍ରିଡ଼ା ବିନୋଦନ ପାଇଁ ବିନ୍ଧ୍ୟ ପର୍ବତରୁ ଏକ ଘୋଡ଼ା ଅଣାଯାଇଥିଲା । ସେହି ଘୋଡ଼ାକୁ ନେଇ କୈବର୍ତ୍ତ ସମାଜ ବ୍ୟାସଦେବଙ୍କ ମନୋରଞ୍ଜନ ପାଇଁ ନୃତ୍ୟଗୀତ ପରିବେଷଣ କରିଥିଲେ । ବ୍ୟାସଦେବଙ୍କ ଘୋଡ଼ା କୈନ୍ଦ୍ରିକ କ୍ରିଡ଼ାକୁ ସ୍ମରଣ ରଖିବା ପାଇଁ ଚଇତି ଘୋଡ଼ାନାଚର ସୃଷ୍ଟି ହୋଇଛି । (୩) ଏ ସମ୍ପର୍କରେ ଏକ ସୁନ୍ଦର କିମ୍ବଦନ୍ତୀ ରହିଛି । ତଦନୁସାରେ ବ୍ୟାସଦେବଙ୍କ ମନୋରଞ୍ଜନରେ ବ୍ୟବହୃତ ଅଶ୍ୱକୁ ଭଗବାନଙ୍କ ନିର୍ଦ୍ଦେଶରେ ମତ୍ସ୍ୟଗନ୍ଧାଙ୍କ ପିତା ଦାସରାଜା ସିଂହଳକୁ ନେଇ ଯାଇଛନ୍ତି । ଅଶ୍ୱଟି ଦୀର୍ଘଦିନ ଧରି ଦାସରାଜାଙ୍କ ବାହାନଭାବେ ରହିବା ପରେ ମୃତ୍ୟୁବରଣ କରିଥିଲା । ମୃତ୍ୟୁ ପରେ ସେହି ଅଶ୍ୱଟି ଲକ୍ଷ୍ମୀ ରୂପକୁ ଧାରଣ କରି କାନ୍ଦିବାରୁ ଦାସରାଜାଙ୍କ ମନରେ ଭୟ ସୃଷ୍ଟି ହେଲା । ଦାସରାଜାଙ୍କ ମନର ଭୟ ନିବାରଣ କରିବା ପାଇଁ ଭଗବାନ କହିଥିଲେ–

 

“ଏହାକୁ ପୂଜିବ ଜନ୍ମେ ଜନ୍ମେ ଅବତରୀ

ଏହାଙ୍କ ନାମ ଯେ ଅଟେ ଅଶ୍ୱିନୀ ବାସେଳୀ ॥”

 

ଉପରୋକ୍ତ କିମ୍ବଦନ୍ତୀ ସହିତ କୈବର୍ତ୍ତଗୀତାର କିମ୍ବଦନ୍ତୀ ପ୍ରାୟତଃ ମେଳ ଖାଉଛି କହିଲେ ଭୁଲ୍ ହେବ ନାହିଁ ।

 

ତେବେ ଅଞ୍ଚଳ ଭେଦରେ ଘୋଡ଼ାନାଚରେ ମଧ୍ୟ କିଛି ପାର୍ଥକ୍ୟ ପରିଲକ୍ଷିତ ହୁଏ । ପୁରୀ ଅଞ୍ଚଳରେ ଚୈତ୍ର ପୂର୍ଣ୍ଣିମାଠାରୁ ବୈଶାଖ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏକମାସ ଧରି ଘୋଡ଼ାନାଚ ଅନୁଷ୍ଠିତ ହୋଇଥାଏ । କିନ୍ତୁ ବାଲେଶ୍ୱର ଏବଂ ଭଦ୍ରକ ଅଞ୍ଚଳରେ ଚୈତ୍ରପୂର୍ଣ୍ଣିମାଠାରୁ ଅଷ୍ଟମୀ ପର୍ଯ୍ୟନ୍ତ କୈବର୍ତ୍ତମାନେ ଚଇତିଘୋଡ଼ାନାଚ କରନ୍ତି । ଏହାବ୍ୟତୀତ ପୁରୀ ଜିଲ୍ଲା ଏବଂ ତା’ର ଆଖପାଖ ଅଞ୍ଚଳରେ ଅଚ୍ୟୁତାନନ୍ଦଙ୍କ କୈବର୍ତ୍ତଗୀତା ଘୋଡ଼ାନାଚର ମୁଖ୍ୟ ଉପଜୀବ୍ୟ ବିଷୟ ହେଲାବେଳେ, ବାଲେଶ୍ୱର ଅଞ୍ଚଳରେ ଜନୈକ ‘କୃଷ୍ଣଦାସ’ଙ୍କ ନାମରେ ଭଣିତା ଥିବା ଘୋଡ଼ାନାଚର ଗୀତରେ କୈବର୍ତ୍ତ ଜନ୍ମ ପ୍ରସଙ୍ଗ ତଥା ଘୋଡ଼ାନାଚ ପ୍ରସଙ୍ଗ ପୁରୀଠାରୁ ସର୍ବାଦୌ ଭିନ୍ନ ଅଟେ ।

 

ଘୋଡ଼ାନାଚ ଅବସରରେ ଭଦ୍ରକ ନିକଟସ୍ଥ ଭଦ୍ରକାଳୀଙ୍କ ନିକଟରେ ‘ଘୋଡ଼ାମେଲଣ’ ନାମରେ ଏକ ମେଲଣ ଅନୁଷ୍ଠିତ ହୁଏ । କୈବର୍ତ୍ତମାନଙ୍କଦ୍ୱାରା ଅନୁଷ୍ଠିତ ଘୋଡ଼ାନାଚ ପରି ଏହି ମେଲଣରେ ମଧ୍ୟ ସେମାନଙ୍କର ପ୍ରମୁଖ ଭୂମିକା ରହିଥାଏ । ଏଠାରେ ବାଉଁଶ ପାତିଆରେ ଘୋଡ଼ା ଦେହରେ କାଠର ଘୋଡ଼ାମୁଣ୍ଡ ବଦଳରେ ମାଟିରେ ନିର୍ମିତ ଘୋଡ଼ାମୁଣ୍ଡ ସଂଯୋଗ କରାଯାଇଥାଏ-। ଏହା ବ୍ୟତୀତ ଘୋଡ଼ାନାଚରେ ବ୍ୟବହୃତ ବହୁ ସଂଖ୍ୟାରେ ଘୋଡ଼ା ବିଭିନ୍ନ ଅଞ୍ଚଳରୁ ଆସି ଏଠି ମେଲଣ କରିଥାନ୍ତି ।

 

ପୁରୀ ସହରକୁ ନେଇ ଚଇତି ଘୋଡ଼ା ସମ୍ପର୍କରେ ବିଚାର କଲେ ସ୍ପଷ୍ଟ ଅନୁଭୂତ ହୁଏ ଯେ, ପୁରୀର ସାହିଯାତରେ ବାହାରୁଥିବା ନାଗା, ରାବଣ, ଦେବୀ, ସୁଗ୍ରୀବ ତଥା ପୁରୀର ଅନ୍ୟତମ ମୁଖ୍ୟ ଲୋକନୃତ୍ୟ ଗୋଟିପୁଅଠାରୁ ଘୋଡ଼ାନାଚର ଆଦର କୌଣସି ଗୁଣରେ କମ୍ ନୁହେଁ । ଶ୍ରୀକ୍ଷେତ୍ରରେ ଶାକ୍ତ ଉପାସନାର ଧାରାରେ ଚଇତିଘୋଡ଼ା ନାଚ ଯେ ବହୁ ପ୍ରାଚୀନ ତାହା ପୂର୍ବରୁ ସୂଚିତ ହୋଇଛି । ପୁରୀର ସାତ ପ୍ରାଚୀନ ସାହିରୁ ଅନ୍ୟତମ ବାସେଳୀ ସାହିର ପ୍ରତିଷ୍ଠିତା ଦେବୀ ବାସେଳୀ ହିଁ ଘୋଡ଼ାନାଚରେ ବ୍ୟବହୃତ ଘୋଡ଼ା ଦେହରେ ସ୍ୱୟଂ ଆବିର୍ଭୂତା ହୁଅନ୍ତି ବୋଲି ଲୋକ ବିଶ୍ୱାସ ।

 

ପୁରୀ ବାସେଳୀ ଠାକୁରାଣୀ ଯଦିଓ କୈବର୍ତ୍ତ ସମ୍ପ୍ରଦାୟର ଇଷ୍ଟଦେବୀ ତଥାପି ଏହାଙ୍କ ସହିତ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତ୍ୟକ୍ଷ ସମ୍ପର୍କ ରହିଛି । ତେଣୁ ଘୋଡ଼ାବାସେଳୀ ବା ଅଶ୍ୱିନୀ ବାସେଳୀଙ୍କୁ ଅଡ଼ଙ୍ଗବାସେଳୀ ମଧ୍ୟ କୁହାଯାଇଥାଏ । କାରଣ ଜନଶ୍ରୁତି ଅନୁସାରେ ଶ୍ରୀଜଗନ୍ନାଥ ଯେଉଁଠି ବିରାଜମାନ କରିଛନ୍ତି ତାହାର ଅଡଙ୍ଗରେ (ବାରଣ୍ଡାରେ) ବାସେଳୀ ଠାକୁରାଣୀ ବିଦ୍ୟମାନ-। (୪)

 

ଦେବୀ ବାସେଳୀଙ୍କ ଗମ୍ଭିରା ଭିତରେ ବର୍ଷସାରା ବାସେଳୀଙ୍କ ସହ ତାଙ୍କ ପ୍ରତିକାତ୍ମକ ଅଶ୍ୱମସ୍ତକଟି ପୂଜା ପାଉଥାନ୍ତି । ଚୈତ୍ର ପୂର୍ଣ୍ଣିମା ଦିନ ତାଙ୍କର ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହେବାପରେ ସେହିଦିନଠାରୁ ବୈଶାଖ ପୂର୍ଣ୍ଣିମା ପର୍ଯ୍ୟନ୍ତ ରାତ୍ରି ସମୟରେ ସାହି ବସ୍ତିମାନଙ୍କରେ ବୁଲି ପୂଜା ଗ୍ରହଣ କରିଥାନ୍ତି । ତତ୍‍ସହିତ ସେବକ ପରିବେଷ୍ଟିତା ହୋଇ ଘୋଡ଼ାନାଚର ମୁଖ୍ୟ ମାଧ୍ୟମ ସାଜିଥାନ୍ତି ।

 

ବାସେଳୀ ଠାକୁରାଣୀଙ୍କଠାରେ ନିଜ ନିଜର ଶୁଭକାମନା କରି ମାନସିକ ରଖୁଥିବା ଭକ୍ତମାନେ ଏହି ମାସଟିରେ ଗୃହ ସମ୍ମୁଖରେ ରାସ୍ତା ଉପରେ ଘୋଡ଼ାନାଚ କରାଇଥାନ୍ତି । ବାସେଳୀଙ୍କର ଘୋଡ଼ାନାଚ ଦଳରେ ମୁଖ୍ୟତଃ ସାତଜଣ ରହିଥାନ୍ତି । ସେମାନଙ୍କ ମଧ୍ୟରେ ରାଉତ-ରାଉତାଣୀ କିମ୍ବା ଚଢ଼େୟା-ଚଢ଼େୟାଣୀ, ଢୋଲକିଆ, ମହୁରୀଆ, ଝାଞ୍ଜୁଆ, ସିପାହି (ଘୋଡ଼ା ପଞ୍ଜରାରେ ପଶି ଘୋଡ଼ାନାଚ କରୁଥିବା ବ୍ୟକ୍ତି-ଯାହାକୁ ଅଚ୍ୟୁତାନନ୍ଦଙ୍କ କୈବର୍ତ୍ତଗୀତାରେ ଦେହୁରୀ ବୋଲି ଉଲ୍ଲେଖ ଅଛି ଏବଂ ବାଲେଶ୍ୱର ଅଞ୍ଚଳରେ ବେହେରା କୁହାଯାଏ), ଏବଂ ବାସେଳୀଙ୍କ ପୂଜକ ।

 

ଏତଦ୍‌ବ୍ୟତୀତ ଲାଇଟ୍‍ବାଲା ଏବଂ ଅନ୍ୟାନ୍ୟ ସାହାଯ୍ୟକାରୀ କିଛି ମଧ୍ୟ ସାଙ୍ଗରେ ଥାନ୍ତି-। ଏହି ଘୋଡ଼ାନାଚ ଦଳ ମାନସିକ କରିଥିବା ବ୍ୟକ୍ତିଦ୍ୱାରା ବରଣ ହୋଇଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ଦ୍ୱାର ସମ୍ମୁଖରେ ବାସେଳୀଙ୍କ ପୂଜା ଆରାଧନା କରି ଆଶୀଷ ପ୍ରଦାନ ଓ ଅଭିଷ୍ଟ ଫଳପ୍ରାପ୍ତି କାମନା କରି ନୃତ୍ୟ ଆରମ୍ଭ କରିଥାନ୍ତି । ଗୀତ, ଢୋଲ, ମହୁରୀର ତାଳେ ତାଳେ ନୃତ୍ୟ ପରିବେଷଣ କରାଯାଇଥାଏ । ଗୀତ ମାଧ୍ୟମରେ ଚର୍ଚ୍ଚିତ ହୁଏ ବାସେଳୀଙ୍କ ମହିମା, ବିଭିନ୍ନ ପୌରାଣିକ ଏବଂ ଆଧ୍ୟାତ୍ମିକ ଆଖ୍ୟାନ, ଚଟୁଳ ଢଗଢମାଳୀ ଓ ସାମାଜିକ ଜୀବନର କିଛି କିଛି ବାସ୍ତବଚିତ୍ର ।

 

ଚଢ଼େୟାଣୀ ବା ରାଉତାଣୀ ସାଜିଥିବା ଯୁବକଟି ବାସୁଳୀଙ୍କ ମାହାତ୍ମ୍ୟ ପ୍ରକ୍ଷାପନ କରି ଗାଇଥାଏ,–

 

“ରାଉତାଣୀ ବେଶରେ ମାଗୋ ବନ୍ଦୁଅଛି ମୁହିଁ,

ନମସ୍ତେ ନମସ୍ତେ ମାଗୋ ପାଦପଦ୍ମ ଦୁଇ ।

ବନ୍ଦନା ବନ୍ଦଇ ମାଗୋ ସିଦ୍ଧ ଯେ ବାସେଳୀ,

ଦୁର୍ବାକ୍ଷତ ତଣ୍ଡୁଳ ଯେ ହସ୍ତେ ଅଛି ଧରି ।

+      +      +      +

କମଳ ବଦନୀ କୃପା କରିବୁ ବହନ,

କରୁଣା ଲୋଚନୀ ଚାହିଁଥିବୁ ଅନୁକ୍ଷଣ ।”

 

ଏହା ସହିତ ବାସେଳୀ ଠାକୁରାଣୀଙ୍କର ସୃଷ୍ଟି ରହସ୍ୟକୁ ମଧ୍ୟ ପ୍ରସଙ୍ଗକ୍ରମେ ଅଚ୍ୟୁତାନନ୍ଦଙ୍କ କୈବର୍ତ୍ତଗୀତା ଅବଲମ୍ବନରେ ଗାୟନ କରି, ବାସେଳୀକୁ ପୂଜା କଲେ ବହୁ ସୌଭାଗ୍ୟ ଲାଭ କଥା ମଧ୍ୟ ପଦ ମଧ୍ୟରେ ସଂଯୋଜିତ କରିଥାନ୍ତି । ଯଥା–

 

“ନିରାକାର ଅଙ୍ଗୁ ଏ ବାସେଳୀ ଅଟେ ଜାଣ,

ଏହାଙ୍କୁ ପୂଜିଲେ ପାଇ ବଇକୁଣ୍ଠେ ସ୍ଥାନେ ।

ମାନସିକ କରି ଯେହୁ ବାସେଳୀ ପୂଜିବ,

ଅପୁତ୍ରିକ ହୋଇଥିଲେ ପୁତ୍ର ସେ ଲଭିବ ।”

 

କୈବର୍ତ୍ତଗୀତାର ଅଂଶଗୁଡ଼ିକ ସ୍ୱତନ୍ତ୍ର ଗାୟକ ବା ପୂଜକ ଗାନ କରିଥାନ୍ତି । ଏହା ଚଢ଼େୟା ଚଢ଼େୟାଣୀଙ୍କଦ୍ୱାରା ଗାନ କରାଯାଇ ନ ଥାଏ । ତେବେ ପ୍ରତ୍ୟେକ ସ୍ଥଳରେ କୈବର୍ତ୍ତବଂଶର ପ୍ରଥମ ପୁରୁଷ, ବିଷ୍ଣୁଙ୍କଠାରୁ ଜନ୍ମଲାଭ କରି ମହାଦେବ ଏବଂ ପାର୍ବତୀଙ୍କଦ୍ୱାରା ସ୍ନେହପ୍ରାପ୍ତ ହୋଇ ମାଛ ଧରାକୁ ଜୀବିକାରୂପେ ଗ୍ରହଣ କରିଥିବା କଥା ପ୍ରାୟତଃ ଗାନ କରିଥାନ୍ତି । ରାଉତ ରାଉତାଣୀଙ୍କଦ୍ୱାରା ଲଘୁ ସାମାଜିକ ଦୃଶ୍ୟର ଅବତାରଣା ଆରୋହ ଅବରୋହ ଯୁକ୍ତ ଦାୟିକା ଓ ଲାଳିକା ଦ୍ୱାରା ବେଶ୍ ମନୋରଞ୍ଜନଧର୍ମୀ ହୋଇଥାଏ ।

 

ଘୋଡ଼ାନାଚ ପାଇଁ ପ୍ରସ୍ତୁତ ଅଶ୍ୱମୁଖୀ ବାସେଳୀଙ୍କ ମସ୍ତକରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି କାଳୀନ ଟାହିୟା ପରି ଟାହିୟା ଶୋଭା ପାଇଥାଏ । ନୃତ୍ୟକାଳରେ ଝାଞ୍ଜ, ଢୋଲ ଓ ପଦପାତର ତାଳେ ତାଳେ ତାହାର ଦୋଳନ ମଧ୍ୟ ବେଶ୍ ମନମୁଗ୍ଧକର ।

 

ଚୈତ୍ରପୂର୍ଣ୍ଣିମା ଦିନ ଘୋଡ଼ାନାଚର ପ୍ରାରମ୍ଭରେ ସିଂହଦ୍ୱାର ସମ୍ମୁଖରେ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପତିତପାବନଙ୍କ ସମ୍ମୁଖରେ ପ୍ରଥମନୃତ୍ୟ ପରିବେଷଣ କରି ଆଶୀର୍ବାଦ ଗ୍ରହଣ କରିଥାନ୍ତି । ତତ୍‌ପଶ୍ଚାତ୍ ଚଳନ୍ତି ଠାକୁର ଗଜପତି ମହାରାଜାଙ୍କ ଶ୍ରୀନଅର ସମ୍ମୁଖରେ ନୃତ୍ୟ ପରିବେଷଣ କରିବା ପରେ ହିଁ ଭକ୍ତମାନଙ୍କ ତଥା ମାନସିକ ରଖିଥିବା ବ୍ୟକ୍ତିବିଶେଷଙ୍କ ଦ୍ୱାର ସମ୍ମୁଖରେ ନୃତ୍ୟ ପ୍ରସ୍ତୁତ କରିଥାନ୍ତି ।

 

କୈବର୍ତ୍ତ ସମ୍ପ୍ରଦାୟର ସିଦ୍ଧବାସେଳୀଙ୍କ ଆସ୍ଥାନ ପୁରୀର ଘୋଡ଼ା ବାସେଳୀ ସାହି, ଖଟୁଆ ସାହି, ଗୁଡ଼ିଆ ସାହି, ମାର୍କଣ୍ଡେଶ୍ୱର ସାହି, ଟିକର ପଡ଼ା ଏବଂ ବ୍ୟତିକ୍ରମ ଭାବରେ ମହାନ୍ତି ସାହିରେ ମଧ୍ୟ ରହିଛି । ଏହି ଆସ୍ଥାନର ଦେବୀମାନଙ୍କର ଶ୍ରଦ୍ଧାନାମ ଚନ୍ଦ୍ରମଣି, କ୍ଷେତ୍ରମଣି, ନେତ୍ରମଣି ଆଦି ଭାବରେ ପରିଚିତ ।

 

ପ୍ରାଚୀନ କାଳରେ ଘୋଡ଼ାନାଚ ଦଳ ସହର ନିକଟବର୍ତ୍ତୀ ଗ୍ରାମମାନଙ୍କୁ ଯାଇ ନୃତ୍ୟ ପରିବେଷଣ କରିଥିଲେ । ବର୍ତ୍ତମାନ କାଳରେ ସହରର ବୃଦ୍ଧି ଘଟିବା ସହ ସମୟର ଅଭାବ ହେତୁ ଘୋଡ଼ାନାଚ କେବଳ ସହର ସୀମା ଭିତରେ ହିଁ ଆବଦ୍ଧ ରହିଯାଉଛି ।

 

ବାସେଳୀ ଠାକୁରାଣୀଙ୍କ ଘୋଡ଼ା ବ୍ୟତୀତ ପୁରୀ ଘୋଡ଼ା ବଜାରସ୍ଥ ଝାଡ଼େଶ୍ୱରୀଙ୍କ ଗମ୍ଭୀରାରେ ମଧ୍ୟ ଘୋଡ଼ା ମସ୍ତକ ପୂଜା ପାଆନ୍ତି । ଚୈତ୍ରପୂର୍ଣ୍ଣିମାଠାରୁ ବୈଶାଖ ପୂର୍ଣ୍ଣିମା ପର୍ଯ୍ୟନ୍ତ ସେ ମଧ୍ୟ ଘୋଡ଼ାନାଚ ପାଇଁ ବାହାରନ୍ତି । ଦେବୀଙ୍କ ପୀଠ ନିକଟବର୍ତ୍ତୀ ସ୍ଥାନଟି ଅତୀତରେ ପୁରୀ ଗଜପତିଙ୍କ ଘୋଡ଼ାଶାଳ ଥିଲା । ଅନୁମାନ କରାଯାଇପାରେ ଯେ, ତତ୍କାଳୀନ ସମୟରୁ ଏଠାରେ ଘୋଡ଼ାନାଚର ପ୍ରଚଳନ ଥିବ । ଇଂରେଜମାନଙ୍କ ପୁରୀ ଅଧିକାର ପରେ ଏଠାରୁ ଘୋଡ଼ାଶାଳ ଉଠିଯାଇଥିଲା ଏବଂ ଦେବୀ ଅବହେଳିତ ହୋଇ ରହିଯାଇଥିଲେ । ପ୍ରାୟ ସାତ, ଆଠ ଦଶକ ତଳେ ତାଙ୍କର ପୁନଃ ଆବିର୍ଭାବ ଘଟି ଘୋଡ଼ାନାଚର ପ୍ରଚଳନ ମଧ୍ୟ ଆରମ୍ଭ ହୋଇଯାଇଥିଲା ।

 

ଯଦିଓ ଘୋଡ଼ାନାଚ ସମ୍ପୂର୍ଣ୍ଣ ଭାବରେ ଶକ୍ତି ଉପାସନା ଉପରେ ଆଧାରିତ ଏବଂ ଶାକ୍ତ ପରମ୍ପରାର ଲୋକନୃତ୍ୟ, ତଥାପି କରମା, ଛଉ, ଦାସକାଠିଆ, ପାଲା, ସୁଆଙ୍ଗ, ଡାଲଖାଇ ଆଦି ପରି ଏଥିରେ ମଧ୍ୟ ପଞ୍ଚଦେବତା ପୂଜାକୁ ସ୍ୱୀକାର କରାଯାଇଛି । ଅବଶ୍ୟ ଘୋଡ଼ାନାଚ ପଞ୍ଚଦେବତା ଉପାସନାର ଧର୍ମୀୟ ବନ୍ଧନରେ ବାନ୍ଧି ନ ହୋଇ, ସରଳ ଲୋକବିଶ୍ୱାସ ଓ ଭକ୍ତିକୁ ମୁଖ୍ୟ ଭାବରେ ଗ୍ରହଣ କରିଥାଏ । ଦୁଃଖର ବିଷୟ ଏହିକି ଯେ, ଏହା ଏକ ଲୋକପ୍ରିୟ ନୃତ୍ୟ ଓ ମନୋରଞ୍ଜନଧର୍ମୀ ହୋଇମଧ୍ୟ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଆରାଧ୍ୟଙ୍କ ଯାତ୍ରା ଉପରେ ପର୍ଯ୍ୟବସିତ ଥିବାରୁ ତଥା କେବଳ ଉପକୂଳବର୍ତ୍ତୀ ଅଞ୍ଚଳର କୈବର୍ତ୍ତଙ୍କ ଗୋଷ୍ଠୀଧର୍ମକୁ ଅବଲମ୍ବନ କରୁଥିବାରୁ ସମଗ୍ର ଉତ୍କଳୀୟ ଚେତନାକୁ ସ୍ପର୍ଶ କରିପାରିନାହିଁ । ଏପରିକି ଗଡ଼ଜାତ ଏବଂ ଆଟବିକ ଅଞ୍ଚଳର କୈବର୍ତ୍ତମାନଙ୍କୁ ମଧ୍ୟ ଏହା ପ୍ରଭାବିତ କରିପାରିନାହିଁ । ଯଦ୍ୱାରା ଏହା ସମଗ୍ର ଓଡ଼ିଶାକୁ ପରିବ୍ୟାପ୍ତ ହୋଇପାରିନାହିଁ-। ଚଇତି ଘୋଡ଼ାନାଚ ପରି ଏକ ଧର୍ମଭିତ୍ତିକ ନାଟ୍ୟପରମ୍ପରାରେ ବି ଏହା ସହିତ ସମ୍ପୃକ୍ତ ବ୍ୟକ୍ତିମାନଙ୍କର ଜୀବନର କରୁଣ ଗାଥା ସେମାନଙ୍କ ମୁଖନିଃସୃତ ଗୀତମାନଙ୍କରୁ ଜାଣିହୁଏ । ତତ୍କାଳୀନ ସମାଜରେ ଏମାନଙ୍କର ସାମାଜିକ ସ୍ଥିତି ଓ ଅର୍ଥନୈତିକ ଅବସ୍ଥାର କଥା ମଧ୍ୟ ବେଶ୍ ହୃଦୟଙ୍ଗମ କରିହୁଏ । ଯେପରି–

 

“ବାଟରେ ମାଇଲି ବୋଡ଼ା

ରାତିରେ ନଚାଏ ଚଇତିଘୋଡ଼ା

ମୁଁ ଦିନରେ କୁଟଇ ଚୂଡ଼ା ।”(୫)

 

ସାମାଜିକ ସ୍ତରରେ ଅବହେଳିତ ସମ୍ପ୍ରଦାୟମାନଙ୍କ ମଧ୍ୟରୁ କୈବର୍ତ୍ତ ସମ୍ପ୍ରଦାୟ ଅନ୍ୟତମ-। ଏମାନଙ୍କ ପାଇଁ ସମ୍ମାନବୋଧ ତଥା ଏମାନଙ୍କ ମନରେ ଆତ୍ମସମ୍ମାନ ସୃଷ୍ଟି କରିବା ସହିତ ଆତ୍ମପରିଚୟର ସୁରକ୍ଷା ପାଇଁ ଘୋଡ଼ାନାଚର ଭୂମିକା କମ୍ ନୁହେଁ । ଏହି ଗୋଷ୍ଠୀର ବ୍ୟକ୍ତିଗଣଙ୍କଦ୍ୱାରା ନୃତ୍ୟ ଓ ଗୀତ ସହିତ ଆଧ୍ୟାତ୍ମିକ ଭାବନା ସମ୍ବଳିତ ତତ୍ତ୍ୱପୂର୍ଣ୍ଣ ତଥ୍ୟ ପ୍ରକ୍ଷାପନଦ୍ୱାରା, ସେମାନେ ଯେ କୌଣସି ଗୁଣରେ ନିକୃଷ୍ଠ ନୁହନ୍ତି ପରି ଭାବଟିଏ ସୃଷ୍ଟିହେବା ସ୍ୱାଭାବିକ ।

 

ଚଇତି ଘୋଡ଼ା ନାଚରେ ଶାକ୍ତ ତଥା ସ୍ମାର୍ତ୍ତ ଧାରାର ଧର୍ମୀୟ ଆବେଦନ ଯଥେଷ୍ଟ ପରିମାଣରେ ରହିଥିଲେ ହେଁ ଏହା ବୀରପୂଜାର ସ୍ମାରକୀ ଭାବରେ ଉତ୍କଳୀୟ ସଂସ୍କୃତିରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ।(୬) ଭଦ୍ରକ ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ଘୋଡ଼ାନାଚର ଘୋଡ଼ା ମଝିରେ ଥାଇ ନୃତ୍ୟ କରୁଥିବା ବ୍ୟକ୍ତି ହାତରେ କାଠ ଖଣ୍ଡାଧରିଥାଏ ଏବଂ ତା ସମ୍ମୁଖରେ ଅନ୍ୟଜଣେ ବ୍ୟକ୍ତି ଢାଲ ଓ ତରବାରୀ ଧରି ଯୁଦ୍ଧ କରିବାର ଅଭିନୟ କରିଥାଏ । ପୁରୀରେ ଏକ ପ୍ରବାଦ ଅଛି ଯେ, ଝାଡ଼େଶ୍ୱରୀ ଓ ବାସେଳୀ ଠାକୁରାଣୀଙ୍କର ଯଥାକ୍ରମେ କଳାଧଳା ଘୋଡ଼ାଦ୍ୱୟ ଜଗନ୍ନାଥ ଏବଂ ବଳଭଦ୍ରଙ୍କ ବାହାନର ପ୍ରତୀକ । କଳାଘୋଡ଼ା ଓ ଧଳାଘୋଡ଼ା ଆରୋହଣ କରି ନିଜର ଆଶ୍ରିତ ରାଜା ପୁରୁଷୋତ୍ତମ ଦେବଙ୍କ ପାଇଁ ଯୁଦ୍ଧ କରିବାକୁ ଦୁଇଦେବତା କାଞ୍ଚି ଗମନ କରିଥିଲେ । ତତ୍କାଳୀନ ଗଜପତି ମହାରାଜାମାନେ ଯୁଦ୍ଧଯାତ୍ରା କାଳରେ, ଶ୍ରୀକ୍ଷେତ୍ରର ଯେଉଁ କେତୋଟି ପୀଠର ଦେବୀଙ୍କଠାରୁ ଆଜ୍ଞାମାଳ ଆଣୁଥିଲେ, ସେମାନଙ୍କ ମଧ୍ୟରେ ବାସେଳୀ ଅନ୍ୟତମ ।

 

ପ୍ରାଚୀନ ସମୟରେ ଘୋଡ଼ାନାଚର ସିପାହୀ (ଦେହୁରୀ) ଘୋଡ଼ାକୁ ବହନ କରି ନୃତ୍ୟ ପରିବେଷଣ କରିବା ଅବସରରେ କାଠ ଖଣ୍ଡାଟିଏ ପ୍ରତୀକ ଭାବରେ ଧାରଣ କରୁଥିଲେ । ଅନ୍ୟ ଜଣେ ବ୍ୟକ୍ତି ଘୋଡ଼ା ସମ୍ମୁଖରେ ଢାଲ ଓ ତରବାରୀ ଧରି ଯୁଦ୍ଧ କରିବାର ଅଭିନୟ କରୁଥିଲେ । ଏ ଦୃଶ୍ୟ ମନେ କରାଇଦିଏ ଦୁଇ ପ୍ରତିସ୍ପର୍ଦ୍ଧିଙ୍କ ଯୁଦ୍ଧ ଦୃଶ୍ୟର ଚିତ୍ର ।

 

ସାଂସ୍କୃତିକ ଦୃଷ୍ଟିକୋଣରୁ ବିବେଚନା କଲେ ମନେହୁଏ, ଏହା କେବଳ ଅବସର ବିନୋଦନ ବା ଭାକ୍ତିକ ନୃତ୍ୟ ଭାବରେ ମନୋରଞ୍ଜନକାରୀ ନୃତ୍ୟ ନ ଥିଲା । ଏହା ପଛରେ ବୀରତ୍ୱ ଓ ଯୁଦ୍ଧର ପରିବେଶ ରହିଥିଲା । ଯାହା କାଳକ୍ରମେ ଅବକ୍ଷୟଆଡ଼କୁ ଗତିକରି ମୂଳାଧାରଠାରୁ ବିଚ୍ୟୁତ ହୋଇ ପରବର୍ତ୍ତୀ କାଳରେ ନର୍ତ୍ତକ ନର୍ତ୍ତକୀ ସମାଯୁକ୍ତ ହୋଇ ଆଧ୍ୟାତ୍ମିକ ବୀର ରସ ପରିବେଷଣ ସ୍ଥାନରେ ଭାକ୍ତିକ, ସାମାଜିକ ଓ ସାଂସ୍କୃତିକ ବିନୋଦନ ପର୍ଯ୍ୟାୟରେ ରହିଯାଇଛି ।

 

ସବୁଠାରୁ ବଡ଼କଥା ହେଲା ସମାଜ କିମ୍ବା ସଂସ୍କୃତିର ଏତେ ପରିବର୍ତ୍ତନ ପରେ ମଧ୍ୟ, ବାସେଳୀ ଠାକୁରାଣୀ କୈନ୍ଦ୍ରିକ ଘୋଡ଼ାନାଚର ପୃଷ୍ଠଭୂମିରେ କୈବର୍ତ୍ତ ସମ୍ପ୍ରଦାୟର ଭଲମନ୍ଦ, ସୁଖଦୁଃଖ, ହସଖୁସି ଜଡ଼ିତ । ଓଡ଼ିଶାର ସାମଗ୍ରିକ ସାଂସ୍କୃତିକ ଅଭିପ୍ରକାଶରେ ଘୋଡ଼ାନାଚର ଭୂମିକା କୌଣସି ଗୁଣରେ ନ୍ୟୂନ ନୁହେଁ । ଏଥିରେ ଥିବା କଳା, ନୃତ୍ୟ, ସାହିତ୍ୟ ଓ ଜୀବନଦର୍ଶନ, ଉତ୍କଳୀୟ ପ୍ରେକ୍ଷାପଟରେ ନିଶ୍ଚିତ ଭାବରେ ଅନ୍ତଃନିର୍ଭରଶୀଳ ଏଥିରେ ସନ୍ଦେହ ନାହିଁ ।

 

ପାଦଟୀକା :

 

୧.

T.S. Eliot-Notes towards the Defination of Culture feber 1972 Edn-P.31.

 

 

୨.

ଡଃ କୁଞ୍ଜବିହାରୀ ଦାଶ–ଓଡ଼ିଆ ଲୋକଗୀତ ଓ କାହାଣୀ-ପୃ.୧୮୬ ।

 

 

୩.

ଡଃ ଦେବୀପ୍ରସନ୍ନ ପଟ୍ଟନାୟକ–ଓଡ଼ିଶାର ପଲ୍ଲୀନୃତ୍ୟ, ଚିତ୍ରପୁରୀ-୧୯ବର୍ଷ ୧ମ ସଂଖ୍ୟା ।

 

 

୪.

ଶ୍ରୀଭାସ୍କର ମିଶ୍ର–ଶ୍ରୀକ୍ଷେତ୍ରର ଦେବଦେବୀ-ପୃ.୯୦ ।

 

 

୫.

ଡଃ କୁଞ୍ଜବିହାରୀ ଦାଶ–ପଲ୍ଲୀଗୀତ ସଞ୍ଚୟନ-ପୃ.୫୬୧ ।

 

 

୬.

ଡଃ ମନିନ୍ଦ୍ର ମହାନ୍ତି–ଓଡ଼ିଆ ଯାତ୍ରା ଓ ଲୋକନାଟ୍ୟ ପରିକ୍ରମା- ପୃ.୧୮୧ ।

Image

 

ଶ୍ରୀମନ୍ଦିରର ମାହାରୀ ସେବା

 

ଛତିଶା ନିଯୋଗର ବିଭିନ୍ନ ସେବା ବ୍ୟବସ୍ଥା ମଧ୍ୟରେ ରହି ଆସିଥିବା ତଥା ଶ୍ରୀମନ୍ଦିରର ମୁଖ୍ୟ ବିଧିବିଧାନ ଓ ଉତ୍ସବମାନଙ୍କରେ ପ୍ରବର୍ତ୍ତିତ ହେଉଥିବା ମାହାରୀ ସେବା ଅଧୁନା ଇତିହାସର ବିଷୟବସ୍ତୁ ହେବାକୁ ଯାଉଛି କହିଲେ ଅତ୍ୟୁକ୍ତି ହେବନାହିଁ । ଅବଶ୍ୟ ଏ କଥା ସତ୍ୟ ଯେ, ଇଂରେଜମାନଙ୍କ ଓଡ଼ିଶା ଅଧିକାରର ପ୍ରାୟ ଏକ ଶତାବ୍ଦୀ ପରେ ଇଂରେଜ ସରକାର କ୍ରମଶଃ ସର୍ବ ଭାରତୀୟ ସ୍ତରରେ ଦେବଦାସୀ ସେବାର ଉଚ୍ଛେଦ ପାଇଁ ଯତ୍ନଶୀଳ ହୋଇ ସେହି କ୍ରମରେ ମାହାରୀ ସେବାକୁ ମଧ୍ୟ ଉଚ୍ଛେଦ ପାଇଁ ପର୍ଯ୍ୟାୟକ୍ରମେ ବ୍ୟବସ୍ଥାମାନ ଗ୍ରହଣ କରି ଚାଲିଲେ ଏବଂ ସ୍ୱାଧୀନତା ପରବର୍ତ୍ତୀ କାଳରେ ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯାଇ ତଥା ରେକର୍ଡ଼ ଅଫ ରାଇଟ୍ ମାଧ୍ୟମରେ ମାହାରୀ ସେବାକୁ ଆଇନ ସିଦ୍ଧ କରାଯାଇଥିଲେ ହେଁ, ଶ୍ରୀମନ୍ଦିରର ମାହାରୀ ନିଯୁକ୍ତି ପାଇଁ ରହିଥିବା ବିଧି ବ୍ୟବସ୍ଥା ଅନୁସାରେ ସେବା ନିଯୁକ୍ତ ମାହାରୀମାନେ ପୋଷ୍ୟ କନ୍ୟା ଗ୍ରହଣ ନ କରିବା ହେତୁ ତଥା ପ୍ରଶାସନିକ ସ୍ତରର ଅନାଗ୍ରହ ପାଇଁ ଏହି ମହାନ୍‍ ସେବା ବ୍ୟବସ୍ଥାର ମୂଳ ଉତ୍ସରେ କୁଠାରଘାତ ହୋଇ ଏହା ଇତିହାସର ବିଷୟଭାବେ ସ୍ୱୀକୃତ ହେବାକୁ ଆଗେଇଯାଉଛି । ଅବଶ୍ୟ ମାହାରୀ ସେବାପ୍ରତି ଅନାଗ୍ରହର ଅନ୍ୟତମ ଦୁଃଖଦ କାରଣଟି ହେଲା ସର୍ବଭାରତୀୟ ସ୍ତରର ଦେବଦାସୀଙ୍କ ପ୍ରତି ରହିଥିବା ଦୃଷ୍ଟିକୋଣାନୁସାରେ ଶ୍ରୀମନ୍ଦିରର ମାହାରୀମାନଙ୍କୁ ବିବେଚନା କରିବା । ଏହାଫଳରେ ଅନେକ ପିତାମାତା ଏ ସେବାପାଇଁ କନ୍ୟା ଉତ୍ସର୍ଗ ପାଇଁ ଅନାଗ୍ରହ ପ୍ରକାଶ କରିବା ସ୍ୱାଭାବିକ ଥିଲା ।

 

କାରଣ ଯାହା ହୋଇଥାଉ ନା କାହିଁକି ମୋଟାମୋଟି କଥାଟି ହେଲା ଦେବଦାସୀ ପ୍ରଥାଠାରୁ ସମ୍ପୂର୍ଣ୍ଣ ଭିନ୍ନ ମାହାରୀ ସେବାଟି ଶ୍ରୀଜଗନ୍ନାଥ ଛତିଶା ନିଯୋଗ ପାଇଁ ଏବଂ ଓଡ଼ିଆ ଗଣ ସଂସ୍କୃତିର ଏକ ଐତିହାସିକ ବିଭବରୂପେ ସ୍ଥାନିତ ହେବାକୁ ଯାଉଛି ଏଥିରେ ସନ୍ଦେହ ନାହିଁ ବୋଲି ଦ୍ୱିରୁକ୍ତି କରାଯାଇପାରେ ।

 

ଦେବଦାସୀଙ୍କ ଠାରୁ ସର୍ବାଦୌଭିନ୍ନ ‘ମାହାରୀ’ ଶବ୍ଦଟି ମୁଖ୍ୟତଃ ଛତିଶାନିଯୋଗ ସେବା ସହିତ ସମ୍ପୃକ୍ତ ଥିବା ଶ୍ରୀଜଗନ୍ନାଥ ମନ୍ଦିର, ପୁରୀର ‘ମହତ୍‌ନାରୀ’ ଶବ୍ଦର ଏକ ଅପଭ୍ରଷ୍ଟ ରୂପ ବୋଲି ବହୁ ଆଲୋଚକ ମତ ଦିଅନ୍ତି । ପଞ୍ଚସଖା ସାହିତ୍ୟ ସାଧକ ଯୁଗର ମହାନ୍ ସନ୍ଥ ଶ୍ରୀଚୈତନ୍ୟ ମାହାରୀମାନଙ୍କ ସମ୍ପର୍କରେ ମତପ୍ରଦାନ କରି କହିଥିଲେ- ଏମାନେ ହେଉଛନ୍ତି ଶ୍ରୀଜଗନ୍ନାଥଙ୍କ ସର୍ବଶ୍ରେଷ୍ଠ ସେବାୟତ । ଏହି ମାହାରୀ ଶବ୍ଦ ସମ୍ପର୍କରେ ଆଲୋଚନା କରି କେତେକ ପଣ୍ଡିତ ମତପ୍ରଦାନ କରନ୍ତି ଯେ ଅଥର୍ବବେଦରେ ରହିଥିବା ‘ମହାନ୍‍ଗ୍ରୀ’ (୧୪/୨/୬୩) ଶବ୍ଦ କ୍ରମଶଃ ଅପଭ୍ରଷ୍ଟ ହୋଇ ମହାନାରୀ ଓ ମାହାରୀ ହୋଇଛି । ବୈଷ୍ଣବତତ୍ତ୍ୱର ଉଲ୍ଲେଖ ଅନୁସାରେ ମାହାର୍ଦ୍ଦ ପରି ପବିତ୍ରତାଯୁକ୍ତ ନାରୀକୁ ମାହାରୀ ବୋଲି କୁହାଯାଉଥିଲା । ପୁଣି କିଛି ଆଲୋଚକ ମତ ପ୍ରଦାନ କରି କହିଥାନ୍ତି ଯେ, ମା’ ଶବ୍ଦରୁ ମାଆରୀ ହୋଇ ଶେଷରେ ‘ମାହାରୀ’ରେ ପରିଣତ ହୋଇଛି (ଓଡ଼ିଶୀ ନୃତ୍ୟ-ପଦ୍ମଶ୍ରୀ ଡଃ ପ୍ରଫେସର ପ୍ରିୟମ୍ବଦା ମହାନ୍ତି ହେଜମାଦି) ।

 

ଗୁରୁ ପଙ୍କଜ ଚରଣ ଦାସ ମାହାରୀ ଶବ୍ଦକୁ ବ୍ୟାଖ୍ୟା କରି କହିଛନ୍ତି ମାହାରୀ ଅର୍ଥ ‘ମହା-ରୀପୁ-ଅରି’ ଅର୍ଥାତ୍ ଯିଏ ସମସ୍ତ ରୀପୁମାନଙ୍କୁ ବା ଇନ୍ଦ୍ରିୟମାନଙ୍କୁ ଦମନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାରେ କାୟମନୋବାକ୍ୟରେ ନିଜକୁ ଉତ୍ସର୍ଗ କରିଦିଅନ୍ତି ସିଏ ହିଁ ମାହାରୀ ଅଟନ୍ତି । ଏହି କାରଣରୁ ସ୍କନ୍ଦପୁରାଣ ଉତ୍କଳଖଣ୍ଡ, ନୀଳାଦ୍ରୀ ମହୋଦୟ, ମାଦଳାପାଞ୍ଜି ଆଦିରେ ଶ୍ରୀଜଗନ୍ନାଥଙ୍କ ନିତ୍ୟପୂଜାର ଅଙ୍ଗଭାବରେ ମାହାରୀମାନେ ବର୍ଣ୍ଣିତା ହୋଇଛନ୍ତି । ଏତଦ୍‌ଭିନ୍ନ ଅଗ୍ନିପୁରାଣ, ବିଷ୍ଣୁପୁରାଣ, ପଦ୍ମପୁରାଣ ଏବଂ ବାମଦେବ ସଂହିତା ଆଦିରେ ରହିଥିବା ନୃତ୍ୟ ମାଧ୍ୟମରେ ଶ୍ରୀବିଗ୍ରହମାନଙ୍କ ପୂଜା ବ୍ୟବସ୍ଥା ବସ୍ତୁତଃ ଏହି ମାହାରୀମାନଙ୍କ ଦ୍ୱାରା ହିଁ ସମ୍ପାଦିତ ହେଉଥିଲା ।

 

ଶ୍ରୀମନ୍ଦିରର ପ୍ରଚଳିତ ସମସ୍ତ ସେବା ବ୍ୟବସ୍ଥା ମଧ୍ୟରେ ମାହାରୀମାନଙ୍କ ସେବା ଥିଲା ଏକମାତ୍ର ନାରୀସେବା । ପ୍ରତ୍ୟେକ ସେବକ ପାଇଁ ତା’ର ସେବା ଆତ୍ମସମର୍ପଣର ଭାବ ବହନ କରୁଥିଲେ ହେଁ ମାହାରୀ ସେବାଥିଲା ଆତ୍ମ ଉତ୍ସର୍ଗର ସର୍ବଶ୍ରେଷ୍ଠ ଅଙ୍ଗ । ଏହାର ଶାସ୍ତ୍ରୀୟ ଦିଗଟିକୁ ଚାହିଁ ଆମେ ଯଦି ଏ ବିଷୟରେ ତର୍କଣା କରିବା ତେବେ ଆମେ ଦେଖିବା- “ସ୍ତ୍ରୀ ରୂପସ୍ତ୍ୱ ଜଗତ୍‌, ସର୍ବ ପୁରୁଷଃ ଜଗଦୀଶ୍ୱର” ପ୍ରାଚୀନ ଓଡ଼ିଆ ବୈଷ୍ଣବଶାସ୍ତ୍ରମାନଙ୍କରେ ମଧ୍ୟ ଅନୁରୂପ ଏକ ଉକ୍ତି ଅଛି “ପୁରୁଷ ରୂପରେ କେହୁ କୃଷ୍ଣଙ୍କୁ ଭଜିବ, ମୁଣ୍ଡର ଉପରେ କାହୁଁ ମୁଣ୍ଡେକ ବହିବ ।” ତେଣୁ ପ୍ରତ୍ୟେକ ଭକ୍ତିଧାରାରେ ନାରୀଭାବ ବା ଦାସୀ ଭାବ ହିଁ ମୁଖ୍ୟ । ପୁନଶ୍ଚ ଶ୍ରୀମଦ୍ ଭାଗବତର ଏକାଦଶ ସ୍କନ୍ଧରେ ଶ୍ରେଷ୍ଠ ଭକ୍ତର ଲକ୍ଷଣ ସମ୍ପର୍କରେ କୃଷ୍ଣ କହିଛନ୍ତି ଯେ,-

 

“ମୋ ଜନ୍ମ କର୍ମର କଥନ ।

ମୋର ଉତ୍ସବେ ହୃଷ୍ଟମନ ।

ନାନା ସୁବାଦ୍ୟ ନୃତ୍ୟଗୀତେ ।

କୀର୍ତ୍ତନ କର ମୋ ଅଗ୍ରତେ ॥”

 

ଏହି ନୃତ୍ୟଗୀତ ଓ ଜନ୍ମକର୍ମର କଥନ ଓ ବିଧିବିଧାନ ଯାହା ଶ୍ରୀମନ୍ଦିରରେ ପାଳିତ ହୁଏ, ଏ ସମସ୍ତ କର୍ମର ଅଧିକାରିଣୀ ଥିଲେ ମାହାରୀ ସେବିକାଗଣ । ଯାହାକି ପର୍ଯ୍ୟାୟକ୍ରମେ ଆଲୋଚିତ ହେବ । ତେବେ ମାହାରୀ ସେବା ସମ୍ପର୍କରେ ରହିଆସିଥିବା ପ୍ରାଚୀନତମ ବ୍ୟବସ୍ଥାର ସଂକ୍ଷିପ୍ତ ଲିଖିତ ରୂପ, ଭାବରେ ରେକର୍ଡ଼ ଅଫ ରାଇଟ୍‌ରେ ଲିପିବଦ୍ଧ ହୋଇ ରହିଛି ସେ ସମ୍ପର୍କରେ କିଛି ଆଲୋଚନା କରାଯାଇପାରେ । ରେକର୍ଡ଼ ଅଫ୍ ରାଇଟସ୍‌ର ୭୫ ଏବଂ ୭୬ ତମ ପ୍ରସଙ୍ଗରେ ମାହାରୀ ସେବା ସମ୍ପର୍କରେ ଉଲ୍ଲେଖ ଅଛି । ଏହି ଅନୁସାରେ ଦେଖିବାକୁ ଗଲେ ମାହାରୀ ସେବା ପ୍ରଧାନତଃ ଦୁଇଭାଗରେ ବିଭକ୍ତ, ଯଥା-ଭିତର ଗାଆଣୀ ଓ ବାହାର ଗାଆଣୀ ।

 

ଭିତର ଗାଆଣୀ ସେବିକା ସକାଳଧୂପ ପଟୁଆରବେଳେ ଜଗମୋହନଠାରେ ନୃତ୍ୟ କରିବେ । ବଡ଼ସିଂହାର ଭୋଗପରେ ଶୟନ ଠାକୁର ଭିତରକୁ ବିଜେ କଲେ କଳାହାଟ ଦ୍ୱାର ଲଣ୍ଡାବର୍ତ୍ତଠାରେ ଠିଆହୋଇ ଗୀତଗୋବିନ୍ଦ ଗାଇବେ । ଶୟନ ଠାକୁର ବିଜେ ହୋଇ ଆସିବା ପରେ ଏମାନେ ଆଗେ ଆଗେ ଗୀତ ବୋଲିବେ । ଠାକୁର ଭିତରକୁ ଗଲାଯାଏଁ ଜୟବିଜୟ ଦ୍ୱାରଠାରେ ଗୀତ ଗାଇବେ । ଏହି ଦୈନନ୍ଦିନ ସେବା ବ୍ୟତୀତ ଏମାନଙ୍କର ଅନ୍ୟାନ୍ୟ ପର୍ବପର୍ବାଣୀରେ ସ୍ୱତନ୍ତ୍ର ସେବା ରହିଛି । ବାହାର ଗାଉଣୀ ସକାଳଧୂପବେଳେ ନାଟମଣ୍ଡପରେ ନୃତ୍ୟକରିବା ସଙ୍ଗେ ସଙ୍ଗେ ଚନ୍ଦନ ଯାତ୍ରାରେ ତଥା ମନ୍ଦିରର ଅନ୍ୟାନ୍ୟ ବିଶେଷ ଉତ୍ସବମାନଙ୍କରେ ନୃତ୍ୟ ପରିବେଷଣ କରିବେ ।

 

ଏହି ପରିପ୍ରେକ୍ଷୀରେ ୧୫୯୮ ଖ୍ରୀଷ୍ଟାବ୍ଦରେ ଶ୍ରୀମନ୍ଦିର ଗାତ୍ରରେ ଲିପିବଦ୍ଧ ପ୍ରତାପରୁଦ୍ର ଦେବଙ୍କ ଅନୁଶାସନରେ ବର୍ଣ୍ଣିତ ହୋଇଥିବା- “ବଡ଼ ଠାକୁରଙ୍କ ସମ୍ପ୍ରଦା, କପିଳେଶ୍ୱର ଠାକୁରଙ୍କ ବନ୍ଧାନାଚୁଣୀମାନେ ପୁରୁଣା ସମ୍ପରଦା, ତେଲିଙ୍ଗି ସମ୍ପରଦା, ଏମାନେ ସଭିଏଁ ବଡ଼ଠାକୁରଙ୍କ ଗୀତଗୋବିନ୍ଦହୁଁ ଆନଗୀତ ନ ଶିଖିବେ + + +” ଇତ୍ୟାଦିରୁ ଆଉ ଗୋଟିଏ କଥା ସ୍ପଷ୍ଟ ହୁଏ ଯେ, ବଡ଼ଠାକୁରଙ୍କ ସମ୍ପ୍ରଦା, ପୁରୁଣା ସମ୍ପ୍ରଦା ଏବଂ ତେଲିଙ୍ଗି ସମ୍ପ୍ରଦା ଭାବରେ ମାହାରୀ ସେବିକାମାନେ ବିଭାଗୀକୃତ ହୋଇଥିଲେ । ମନେହୁଏ ଗଙ୍ଗବଂଶୀ ରାଜାଙ୍କଦ୍ୱାରା ଦାକ୍ଷିଣାତ୍ୟରୁ ସାନି (ତେଲିଙ୍ଗି) ସମ୍ପ୍ରଦାୟର ନୃତ୍ୟଗୀତ ପ୍ରବୀଣା କନ୍ୟାମାନଙ୍କୁ ଆଣିବା ପୂର୍ବରୁ ଶ୍ରୀମନ୍ଦିରରେ ମାହାରୀ ସେବାର ପରମ୍ପରା ରହିଥିଲା । ଯେଉଁ ସମ୍ପ୍ରଦାୟକୁ ଅନୁଶାସନରେ ବର୍ଣ୍ଣିତ ‘ପୁରୁଣା ସମ୍ପ୍ରଦା’ ଶବ୍ଦଟି ଇଙ୍ଗିତ କରୁଛି । ମନେହୁଏ ଏମାନେ ସମସ୍ତେ ଭିନ୍ନ ଭିନ୍ନ ନୃତ୍ୟଗୀତ ଶୈଳୀ (ଘରାନା)ର ପ୍ରତିନିଧିତ୍ୱ କରୁଥିଲେ ।

 

ମୋଟ ଉପରେ ମାହାରୀମାନେ ଯେଉଁ ସମ୍ପ୍ରଦାର ହୋଇଥିଲେ ମଧ୍ୟ ଏକ ଦିଗରେ ବ୍ରହ୍ମଚାରିଣୀ ଭାବରେ ମର୍ଯ୍ୟାଦା ପାଇବା ସହିତ, ଅନ୍ୟ ଦିଗରେ ସାମଗ୍ରିକ ଭାବରେ ଶ୍ରୀଜଗନ୍ନାଥଙ୍କଠାରେ ସମର୍ପିତ ହୋଇ ଅଖଣ୍ଡ ସୌଭାଗ୍ୟବତୀ ଭାବରେ ଜୀବନ ନିର୍ବାହ କରୁଥିଲେ । ଧାର୍ମିକତା ଏବଂ ଆଧ୍ୟାତ୍ମିକ ଭାବର ପ୍ରଭାବରେ ଏମାନେ କଠୋର ସଂଯମବ୍ରତ, ତ୍ୟାଗ, ନିଷ୍ଠା ଓ ପବିତ୍ରତାର ସହିତ ଜୀବନ ନିର୍ବାହ କରୁଥିଲେ । ଏମାନଙ୍କ ପାଇଁ ଛାମୁଚିଟାଉରେ ସ୍ୱତନ୍ତ୍ର ଆଦେଶ ମଧ୍ୟ ଅତୀତରେ ପ୍ରଦାନ କରାଯାଇଥିଲା, “ମାହାରୀ ସେବକ କାହା ସଙ୍ଗେ ଅଙ୍ଗସଙ୍ଗ ନ ହେବେ । ଅନ୍ୟଯାତ୍ରାରେ ନ ଗମିବେ । ଗଙ୍ଗାମାତା ମଠୁ, କୁଞ୍ଜମଠୁ ରଥସାମନ୍ତଠାରୁ ଦୀକ୍ଷା ନେଇ କଲିତିଳକ ନେବେ । ପାଳିଦିନେ ଘରେ ପାକ ନ କରିବେ । ପହୁଡ଼ ଲୁଗା ନ ପିନ୍ଧିବେ, ତୁଳସୀ କଣ୍ଠୀ ଗଳାରେ ଧାରଣ କରିବେ, ଶାସ୍ତ୍ର ପ୍ରମାଣେ ନୃତ୍ୟ କରିବେ । ନୃତ୍ୟକାଳେ ଯାତ୍ରୀ, ଦର୍ଶନୀୟାଙ୍କୁ ନ ଚାହିଁବେ । ପରମେଶ୍ୱରଙ୍କ ଦାସୀ ତୁଲ୍ୟ ଚଳିବେ । ଶୂଦ୍ର ଅଙ୍ଗ ନ ଛୁଇଁବେ । ସେବା ଖଟନେ ପାଳିଦିନ ପୁରୁଷଙ୍କୁ ବଚନ ନ କହିବେ । ମୀନ ନାହାକ ଜାଣି ଖଟାଇବ । ନାଚୁଣୀ, ଗାଉଣୀ ସେବା କାଳେ ବିକଳ ନ କରିବ । ସୂରଉଁଚା ନ କରିବ, ପହପଟ, ସଇମାନ, ପରମେଶ୍ୱର, ମାଳଶ୍ରୀ, ହରଚଣ୍ଡୀ, ଚନ୍ଦନଝୁଲା, ଶ୍ରୀମଙ୍ଗଳ ବଚନିକା, ଝୁଟି ଆଠତାଳି, ଗୀତଗୋବିନ୍ଦ କାବ୍ୟ ଗାଉଣୀ କରିବେ ।” ଉଲ୍ଲିଖିତ କଠୋର ସାଧନା ଏବଂ ପବିତ୍ର ଜୀବନଯାପନ ଶୈଳୀ ହିଁ ଥିଲା ମାହାରୀ ପରମ୍ପରାର ବୈଶିଷ୍ଟ୍ୟ ଏବଂ ସ୍ୱାତନ୍ତ୍ର‌୍ୟ । ଅନ୍ୟାନ୍ୟ ମନ୍ଦିରମାନଙ୍କରେ ଯେ କେହି ଦେବଦାସୀ ଭାବରେ ନିଯୁକ୍ତ ହେବାପରି, ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଏ ବ୍ୟବସ୍ଥା ଥିଲା ସମ୍ପୂର୍ଣ୍ଣ ଭିନ୍ନ ଏବଂ କଠୋର ନିୟମଦ୍ୱାରା ପରିଚାଳିତ । ଏଠାକାର ମାହାରୀ ସେବା ଥିଲା ଏକପ୍ରକାରର ବଂଶାନୁକ୍ରମିକ । ଏହି ପରମ୍ପରା କ୍ରମରେ ମାହାରୀମାନେ କୁଳୀନ ପରିବାରରୁ ପୋଷ୍ୟକନ୍ୟା ଗ୍ରହଣ କରି, ଅତି ଅଳ୍ପ ବୟସରୁ ସେମାନଙ୍କୁ ନୃତ୍ୟ ଓ ସଙ୍ଗୀତ ଶିକ୍ଷା ପ୍ରଦାନ କରୁଥିଲେ । ପରେ ସେହି ପାଳିତା କନ୍ୟାମାନଙ୍କର ଶ୍ରୀଜଗନ୍ନାଥଙ୍କ ସେବାପାଇଁ ଶାଢ଼ିବନ୍ଧା ଉତ୍ସବ ଅନୁଷ୍ଠିତ ହେଉଥିଲା-। ଏହା ପରଠାରୁ ହିଁ ସେହି କନ୍ୟାମାନେ ମାହାରୀ ଭାବରେ ଛତିଶା ନିଯୋଗ ସେବା ସହିତ ଜଡ଼ିତ ହେଉଥିଲେ । ଅବଶ୍ୟ ଶାଢ଼ିବନ୍ଧା ଉତ୍ସବ ପରେ କନ୍ୟାମାନେ ସେବା ନିଯୁକ୍ତା ହେଉଥିଲେ ମଧ୍ୟ ସେମାନେ ନାରୀତ୍ୱ ପ୍ରାପ୍ତ ହେବା ପରେ ଦ୍ୱିତୀୟଥର ପାଇଁ ଶ୍ରୀଜଗନ୍ନାଥଙ୍କ ସହ ବିବାହ କର୍ମ ଅନୁଷ୍ଠିତ ହେଉଥିଲା । ଏହି ସମୟରେ ଶ୍ରୀଜୀଉଙ୍କ ଅଙ୍ଗବସ୍ତ୍ର ଶାଢ଼ି ପ୍ରଦାନ କରାଯାଇ ଏମାନଙ୍କୁ ସ୍ୱୀକୃତି ଦିଆଯାଉଥିଲା । ଏହାପରେ ହିଁ ସେମାନେ ବଡ଼ସିଂହାର ସେବାପାଇଁ ଯୋଗ୍ୟ ବିବେଚିତା ହେଉଥିଲେ । ଶ୍ରୀମନ୍ଦିରର ବ୍ୟବସ୍ଥାନୁସାରେ ଯେଉଁ ମାହାରୀ ନିଜର ପାଳିତା କନ୍ୟାକୁ ମାହାରୀ କରିବାକୁ ଚାହିଁବେ ସେ ଏକ ଲିଖିତ ଆବେଦନ ପୁରୀ ଗଜପତି ମହାରାଜାଙ୍କ ପାଖକୁ ପଠାଇବେ । ରାଜା ଏହି ଆବେଦନ ପତ୍ର ପୂଜାପଣ୍ଡା ଏବଂ ଦେଉଳ କରଣଙ୍କ ଯାଞ୍ଚ ପାଇଁ ପଠାନ୍ତି । ସେମାନେ ସମସ୍ତ ବିଷୟ ଯାଞ୍ଚ କରି ସୁପାରିଶ କଲେ ତାହାକୁ ରାଜା ଅନୁମୋଦନ କରିଥାନ୍ତି । ଏହାପରେ ହିଁ ଶ୍ରୀଜଗନ୍ନାଥଙ୍କ ସହ ଶାଢିବନ୍ଧା ବା ବିବାହ ଉତ୍ସବ ପାଇଁ ଏକ ଶୁଭଦିନ ସ୍ଥିର କରାଯାଇଥାଏ । ସେହିଦିନ ପାରମ୍ପରିକ ରୀତିରେ ମାହାରୀ କନ୍ୟାସହିତ ଶ୍ରୀଜଗନ୍ନାଥଙ୍କ ବିବାହ ଅନୁଷ୍ଠିତ ହେଉଥିଲା-। ବସ୍ତୁତଃ ଶ୍ରୀଜଗନ୍ନାଥଙ୍କୁ ବିବାହ କରି ସଧବା ସାଜୁଥିବା ମାହାରୀକୁ ସାରା ଜୀବନ କୁମାରୀ ଜୀବନ ଯାପନ କରିବାକୁ ପଡ଼ୁଥିଲା । ତେବେ ସମାଜରେ ଏମାନଙ୍କ ସ୍ଥାନ ଥିଲା ବହୁ ଉଚ୍ଚରେ-। ମାହାରୀମାନଙ୍କୁ ମୃତ୍ୟୁପରେ ଶ୍ରୀଜଗନ୍ନାଥଙ୍କର ପତ୍ନୀ ଭାବରେ ସଧବା ସ୍ତ୍ରୀ ଭାବରେ ଶଙ୍ଖାସିନ୍ଦୂର ଲଗାଇ ପାଦରେ ଅଳତା ଲଗାଇ ଅହିଅ ଡେଙ୍ଗୁରାପିଟି ସ୍ୱର୍ଗଦ୍ୱାରକୁ ନିଆଯାଉଥିଲା । ତା ସହିତ ଶ୍ରୀମନ୍ଦିରରୁ ବୈଷ୍ଣବାଗ୍ନୀ ନିଆଯାଇ ଅନ୍ତେଷ୍ଟିକ୍ରିୟା ସମ୍ପାଦନ କରାଯାଉଥିଲା ।

 

ମାହାରୀମାନଙ୍କ ସେବା ବିଧାନକୁ ଲକ୍ଷ୍ୟକଲେ ଗୋଟିଏ କଥା ସ୍ପଷ୍ଟ ମନକୁ ଆସିଥାଏ ଯେ, ଏମାନେ ହିଁ ଥିଲେ ଜୀବନ୍ତ ଲକ୍ଷ୍ମୀ ବା ମାନବଦେହ ଧାରିଣୀ ଶ୍ରୀଜଗନ୍ନାଥଙ୍କ ସପତ୍ନୀ, ସଖୀ, ସହଚରୀ ତଥା ହ୍ଲାଦିନୀ ଭାବର ମୂର୍ତ୍ତିମନ୍ତ ବିଗ୍ରହ-ଠିକ୍ ବୈଷ୍ଣବ ସାହିତ୍ୟର ଶ୍ରୀରାଧାଙ୍କ ପରି । ମାତ୍ର ନଅ, ଦଶ ବର୍ଷ ବୟସରୁ ହିଁ ମାହାରୀ ସେବିକା ନିଜକୁ ସଜାଇଥାଏ ଜଗନ୍ନାଥଙ୍କର ମନୋହାରିଣୀ ଭାବରେ । ମୁଣ୍ଡରେ ଲୋଟଣୀ ଜୁଡ଼ା ନଚେତ୍ ଟଭାଫଳ ଖୋସା । ଲୋଟଣୀ ଜୁଡ଼ା ଧୂପବେଳର ନାଚ ପାଇଁ, ଟଭାଫଳ ଖୋସା ଚାପରେ ନାଚିବା ପାଇଁ । ରୋହିଣୀ, ଯଶୋଦା ସେବାପାଇଁ ବାଙ୍କଚୂଡ଼ା ଖୋସା । ସୁନ୍ଥାରେ ସିନ୍ଦୂର, ତା ତଳକୁ କପାଳ ଉପରେ ସିନ୍ଦୂରଶିରୀ, ତା ତଳକୁ କଳାଟୋପା ନଚେତ୍ ଚନ୍ଦନବିନ୍ଦୁ । ଦୁଇ ଭୃଲତା ସନ୍ଧିରେ ଗୋରଚନା । ନାକରେ ଚାରୁକଲି, ହାତରେ କୁଙ୍କୁମ ନଚେତ୍ ହରଗଉରା ପତ୍ର ଓ ଫୁଲର ମିଶ୍ରିତ ରସରେ ହାତପଚା, ଓଠରେ କଳାଟୋପା, ଗାଲ ଓ ବେକରେ ଚନ୍ଦନ ପାଟି, ଛାତିରେ ଚନ୍ଦନ କସ୍ତୁରୀ ଏବଂ ଅତର ମିଶ୍ରିତ ଚିତା, ଯାହାକୁକି ମନ୍ଦିରଭାଷାରେ ପତ୍ରବାଳ କୁହାଯାଉଥିଲା । ପାଦରେ କାମଅଳତା । ମୁଣ୍ଡରେ ଅଳକା ନ ହେଲେ କେତକୀ ରେଖା । ଜୁଡ଼ାରେ ଚଉଁରୀଭୁଣ୍ଡି, ଝରାକାଠୀ, କାନରେ ଧେଡ଼ି କିମ୍ବା ଦହିଖିଆ ମଲ୍ଲୀକଢ଼ି ନଚେତ୍ ଚନ୍ଦ୍ରବାଉଲୀ । ନାକରେ ଦେଶୀ ବଣି ଅଥବା ମୟୂରବସା ଗୁଣା ଓ ନୋଥ । କଣ୍ଠରେ ତୁଳସୀ ମାଳି, ଚାପସରି, ଅଅଁଳାମାଳି, ଚମ୍ପାକଢ଼ି ମାଳ, ମୀନମାଳି, ନକ୍ଷତ୍ରମାଳି, ମହୁଡ଼ ଆଦି ମଧ୍ୟରୁ ଯେ କୌଣସି ବା ଅଧିକାଂଶ ଅଳଙ୍କାର । ବାହୁରେ ବାଜୁବନ୍ଧ, ତାଇତ, ରସୁଣିଆ, କାଠ କେଉଁରିଆ କିମ୍ବା ବାଙ୍କ କେଉଁରିଆ । ହାତରେ ପଇଁଚ ଖଡ଼ୁ, ଅତୁଲ ଖଡ଼ୁ, ଗଜରା, ବାହିଚୂଡ଼ି, ହାତପଦ୍ମ ଓ ମୁଦି । ଗୋଡ଼ରେ ବାଙ୍କିପାହୁଡ଼, ଗୋଲ ଗୋଡ଼ଖଡ଼ୁ, ବେଙ୍ଗପାଟିଆ, ପାଉଁଜି, ଚିପୁଲି ଓ ପାଦପଦ୍ମ । ଧୂପ ଓ ଚାପରେ କାଣିଆ କଛାମାରି ଶାଢ଼ି ଦେହରେ କୁଞ୍ଚ । ଛାତିରେ କାଙ୍ଗୁଲା ପରି କାଞ୍ଚଲା, ଅଣ୍ଟାରେ ଭିଡ଼ା ପାଟ ଚାଦର । ଗଭାରେ ବନ୍ଧା ଚମ୍ପାବେତ ତା ଉପରେ ମଲ୍ଲୀ କିମ୍ବା ଯୁଇର ବେଢ଼, ତା ଉପରେ ଅଅଁଳା ବେଢ଼, ତା ଉପରେ ଛୋଟ ଧଳା ଫୁଲମାଳ । ବାସ୍ତବରେ ରସିକ ଶେଖର ଶ୍ରୀଜଗନ୍ନାଥଙ୍କ ମନ ମୋହିବାରେ ମାହାରୀମାନଙ୍କ ଏ ବେଶକୁ ସର୍ବଶ୍ରେଷ୍ଠ ବେଶର ଆଖ୍ୟା ଦିଆଯାଇପାରେ ।

 

ମାର୍କଣ୍ଡେୟ ପୁରାଣରେ ଉଲ୍ଲେଖ ରହିଛି ଯେ- “ନୃତ୍ୟେ ନାଳମରୂପେଣ ସିଦ୍ଧିର୍ନାଟସ୍ୟ ରୂପତଃ” ଅର୍ଥାତ୍ ଦେବଦାସୀ ବା ମାହାରୀ ବେଶଭୂଷଣରେ ଅଳଙ୍କୃତ ହୋଇ ନୃତ୍ୟ କରିବା ଉଚିତ-। ଅନ୍ୟଥା ଦେବତାଙ୍କ ମନ ହରଣ ହେବନାହିଁ । ମନେହୁଏ ଏହି କାରଣରୁ ମାହାରୀମାନେ ଉପରବର୍ଣ୍ଣିତ ବେଷଭୂଷାକୁ ଆଧାର କରି ନିଜ ନିଜକୁ ସଜ୍ଜିତ କରୁଥିଲେ । ଏଠାରେ ସୂଚନାଯୋଗ୍ୟ ଯେସ ଭୋଇ ରାଜ ବଂଶର ରାଜା ମୁକୁନ୍ଦଦେବ(୧)ଙ୍କ ରାଜସଭାର (୧୬୫୭-୮୯), ପ୍ରସିଦ୍ଧ ଓଡ଼ିଆ କବି ଦନେଇ ଦାସଙ୍କ ମାଳିକାରେ ମଧ୍ୟ ମାହାରୀମାନଙ୍କ ବେଶଭୂଷାର ସାଜସଜ୍ଜା ସମ୍ପର୍କରେ ସ୍ୱତନ୍ତ୍ର ବର୍ଣ୍ଣନା ରହିଛି-

 

“ଜୂଡ଼ା ବାନ୍ଧିଲି ଝରାକାଠି ନେଇ ।

ତାପରେ ଜଞ୍ଜିରି ବେଢ଼ାଇଲି ମୁହିଁ ।୧।

ଅଳକା ଗୋଟିଏ ମସ୍ତକେ ଦେଲି ।

ନେଇ କରି ଗଭା ଫୁଲ ଖଞ୍ଜିଲି ।୨।

ଫୁଲ ପରେ ଦେଲି ଟାହିଆ ପୁଣ ।

ବେଶ କରାଇ ମଲ୍ଲୀ ଗଭା ଜାଣ ।୩।

ସିନ୍ଦୂର ବିନ୍ଦୁ କପାଳରେ ଦେଲି ।

ନୟନେ ଅଞ୍ଜନ ଦେଇ ରଞ୍ଜିଲି ।୪।

କାପ ମଲ୍ଲୀକଢୀ ଖଞ୍ଜିଲି କର୍ଣ୍ଣେ ।

ଚନ୍ଦ୍ରଫାସିଆ ଲଗାଇ ବହନେ ।୫।

ନାସାରେ ବସଣି ଗୁଣା ଖଞ୍ଜିଲି ।

ତହିଁ ପାଶେ ନୋଥ ଗୋଟିଏ ଦେଲି ।୬।

ବେକରେ ପିନ୍ଧିଲି ପଦକ ମାଳା ।

ଛେଚା କଣ୍ଠି ସଙ୍ଗେ ହରଡ ଫଳା ।୭।

ଚାପସରି ମାଳା ଉପରେ ନାଇ ।

ଚନ୍ଦ୍ରହାର ଏକା ତଳେ ଝୁଲଇ ।୮।

କଳା କାଞ୍ଚଲା ବକ୍ଷସ୍ଥଳେ ମୋର ।

ରୂପା ଜରି ଲାଗିଅଛି ତହିଁର ।୯।

କଳା ପିତାମ୍ବରୀ ପାଟ ପିନ୍ଧିଲି ।

ବାହାରେ ବାହୁଟି ତାଡ ନାଇଲି ।୧୦।

ବେନି ହସ୍ତେ ଶୋହେ ସୁବର୍ଣ୍ଣ ଚୂଡ଼ି ।

ମୁଖ ଦିଶିଲା ଜେହ୍ନେ ପଦ୍ମ କଢ଼ି ।୧୧।

ପାହୁଡ଼ ନୁପୁର ଖଞ୍ଜିଲି ପାଦେ ।

ଆଙ୍ଗୁଠି ମାନଙ୍କରେ ମୁଦି ପିନ୍ଧେ ।୧୨।

ଅଳତା ଦୁଇପାଦେ ରଞ୍ଜିଣ ।

ବେଶ ହୋଇଲି ଦୁଇ ଘଡ଼ି ଜାଣ ।୧୩।

 

ମାହାରୀ ସେବା ସମ୍ପର୍କରେ ଶ୍ରୀମନ୍ଦିର କର୍ମାଙ୍ଗୀରେ ବିଷଦ ଭାବରେ ବର୍ଣ୍ଣନା ଦେଖିବାକୁ ମିଳିଥାଏ । ତତ୍‍ସହିତ ବାହାର ଏବଂ ଭିତର ଗାଆଣିଙ୍କ ପାଇଁ କେତେକ ନିର୍ଦ୍ଦିଷ୍ଟ ବିଧିବ୍ୟବସ୍ଥା କଥା ମଧ୍ୟ ଉଲ୍ଲେଖ ଅଛି । ତଦନୁସାରେ ବାହାର ନିଯୋଗ ଦର୍ଶନକୁ ଜୟବିଜୟ ଦ୍ୱାର ନ ଡେଇଁବେ । ଭିତର ଗାଆଣି ପାଳିଆ କଳାହାଟ ଦୁଆର ପର୍ଯ୍ୟନ୍ତ ଯିବେ । ଏ ବିଭାଘରରେ ମଙ୍ଗଳଗୀତ ପଢ଼ିବେ-। ଚମ୍ପକ ଦ୍ୱାଦଶୀ ଗୁଆଲି ପଟୁଆରରେ ଯିବେ । ରଥରେ ପରମେଶ୍ୱରଙ୍କ ବାହୁଡ଼ାକାଳେ ପରମଲକ୍ଷ୍ମୀଙ୍କ ପଟୁଆରରେ ଯିବେ । ମହାଲକ୍ଷ୍ମୀ ଯହିଁ ତହିଁ ଗଲେ ଏ ଛଳକରି ଗମିବେ । ମଙ୍ଗଳ ପଢ଼ିବେ । ନିତ୍ୟ ପହୁଡ଼ ସମୟରେ କଳାହାଟ ଦ୍ୱାରରେ ଗୀତ ଗାଇବେ । ନିତ୍ୟାନିଧୂପ ସମୟେ ଗରୁଡ଼ ଆଗେ ଅଳସୀ ନାଚ ନାଚିବେ । ଷୋଳ ପୂଜାରେ ବିମ୍ବଳାଙ୍କ ମଣ୍ଡପେ ନାଚିବେ । ଚାପ ପଟୁଆରରେ ନାଚିବେ । ମହାପ୍ରଭୁଙ୍କ ଚାପରେ ନିତ୍ୟାନି ନାଚିବେ ।

 

କର୍ମାଙ୍ଗୀ ବ୍ୟତୀତ ମାଦଳାରେ ମଧ୍ୟ ମାହାରୀ ସେବା ବ୍ୟବସ୍ଥା ସମ୍ପର୍କରେ ଉଲ୍ଲେଖ ରହିଛି । ମାହାରୀ ସେବାଦ୍ୱାରା ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ସେବା ଏବଂ ବିଭିନ୍ନ ପର୍ବପର୍ବାଣି ବେଶ୍ ନାଟକୀୟ ତଥା ମନୋହର ହୋଇ ଉଠୁଥିଲା । ଶ୍ରୀଜଗନ୍ନାଥଙ୍କ ପୂଜାବିଧିର ଶ୍ରେଷ୍ଠ ଗ୍ରନ୍ଥ ନୀଳାଦ୍ରି ମହୋଦୟରେ ମଧ୍ୟ ମାହାରୀମାନଙ୍କ ନୃତ୍ୟ ପରିବେଷଣ ସମ୍ପର୍କରେ ଉଲ୍ଲେଖ ରହିଛି । ତଦନୁସାରେ–

 

“ମୃଦଙ୍ଗମ୍ କାଂସ୍ୟ ତାଳଂ ଚ କରତାଳାଂ ସ୍ତଥୈବଚ

ନର୍ତ୍ତକାନ୍ ଗାୟକାଦୀଂଶ୍ଚ ଦିବ୍ୟସ୍ତୋତ୍ର ମନୋରମାଃ

ସାଳଂକାରା ସଦୃଶ୍ୟାଶ୍ଚ ନିଜ ଯୌବନ ଗର୍ବିତା

ଜୟଂ ଚ ବିଜୟଂ ଚୈବ ମହେଶ ଚ ତତଃ ପରମ୍ ।”

 

ଗୀତଗୋବିନ୍ଦର ତାଳେତାଳେ ବାଦ୍ୟ, କରତାଳର ସହ ମାହାରୀଙ୍କ ଛନ୍ଦାୟିତ ସମର୍ପଣ ଭଙ୍ଗୀ ବେଶ୍ ଭାକ୍ତିକ ଆବେଦନ ସୃଷ୍ଟି କରୁଥିଲା । ମାହାରୀମାନଙ୍କ ନୃତ୍ୟ ସହ ଭିତର ଗାଉଣୀଙ୍କ ଗୀତ, ବୀଣାବାଦକ, ମାଦେଳୀ ଏବଂ ବୈଜୟନ୍ତୀଙ୍କ ବାଦ୍ୟର ସ୍ୱତନ୍ତ୍ର ଏବଂ ନିଆରା ପରମ୍ପରା ରହିଥିଲା । ମାହାରୀ ନୃତ୍ୟରେ ସଂଦର୍ଶନରେ ଅଭିଭୂତ ଭକ୍ତ କବୀର ମଧ୍ୟ ନିଜକୁ ଅଟକାଇ ନ ପାରି କହିଛନ୍ତି–

 

“ଠାକୁର ଆଗେ ଦାସୀ ନାଚେ

ଗାୱେ ସନ୍ଥ କବୀର”

 

ଏ ସମ୍ପର୍କରେ ପାଶ୍ଚାତ୍ୟ ସମାଲୋଚକ କର୍ଣ୍ଣେଲ୍ ଫିପ୍‌‌ସ୍ ତାଙ୍କ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି,- ପ୍ରତିଦିନ ରାଜଧୂପ ଟେରା ପଡ଼ିଲା ପରେ ରାଜଗୁରୁ ସୁନାବେତ ଧରି ପହରା ଦିଅନ୍ତି । ଭକ୍ତ ଏବଂ ସାଧୁସନ୍ଥମାନେ ଦୁଇଧାଡ଼ିରେ ଠିଆ ହୋଇ ଆଲଟଚାମର କରୁଥାନ୍ତି । ହୁଳହୁଳି ପଡ଼ୁଥାଏ । ଏହି ସମୟରେ ବହୁ ଖମ୍ବଥିବା ଘର ଭିତର (ଜଗମୋହନନ) ମାହାରୀ (God’s wife) ନୃତ୍ୟ ପରିବେଷଣ କରିଥାଏ ।

 

କେବଳ ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ସେବାରେ ମାହାରୀ ସେବା ମୁଖ୍ୟ ଅଙ୍ଗ ନ ଥିଲା ବରଂ ବିଭିନ୍ନ ପର୍ବପର୍ବାଣିରେ ମାହାରୀ ସେବାଥିଲା ଏକ ଅପରିହାର୍ଯ୍ୟ ଅଙ୍ଗ । ଏହି ଅପରିହାର୍ଯ୍ୟତା ପାଇଁ ମାହାରୀମାନେ ସର୍ବଭାରତୀୟ ସ୍ତରର ମନ୍ଦିରମାନଙ୍କର ଦେବଦାସୀଙ୍କ ଠାରୁ ଭିନ୍ନ ବୋଲି ପ୍ରମାଣିତ ହୋଇପାରିଥିଲା ।

 

ସେବାରସ୍ୱରୂପ

 

ପୁରୀ ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିର ବିବରଣୀରେ ରହିଥିବା ୧୧୯ ପ୍ରକାର ସେବା ବ୍ୟବସ୍ଥାର ୭୫ ଏବଂ ୭୬ ନମ୍ବର ସେବାର ଧାରାରେ ରହିଥିବାର ଏକ ବିବରଣୀ ଏହି ସେବାର ସ୍ୱରୂପରେ ପ୍ରଦାନ କରାଯାଇପାରେ । ତେବେ ସେମାନଙ୍କଦ୍ୱାରା ଅତୀତରେ ଅନୁଷ୍ଠିତ ହେଉଥିବା ଦୈନନ୍ଦିନ ସେବା ଏବଂ ବିଶେଷ ପର୍ବପର୍ବାଣିର ସେବାରସ୍ୱରୂପ ଏଠାରେ ମିଳିତଭାବେ ଆଲୋଚନା କରିବାକୁ ଯାଉଛି ।

 

ମାହାରୀ ସେବାରେ ଭିତର ଗାଆଣିମାନେ (୧) ସକାଳ ଧୂପ ସମୟରେ ଜଗମୋହନଠାରେ ନୃତ୍ୟ ପରିବେଷଣ କରୁଥିଲେ । ନିତ୍ୟାନିଧୂପ ସମୟରେ ବା ପ୍ରାତ୍ୟାହିକ ଧୂପ ସମୟରେ ଗରୁଡ଼ଙ୍କ ସମ୍ମୁଖ ଭାଗରେ ରହି ଅଳଷା ନୃତ୍ୟ ପରିବେଷଣ କରୁଥିଲେ । (୨) ବଡ଼ସିଂହାର ଭୋଗ ପରେ ରାତିରେ ଶୟନ ଠାକୁର ଭିତରକୁ ବିଜେ କଲେ କଳାହାଟ ଦ୍ୱାର ନଣ୍ଡାବର୍ତ୍ତଠାରେ ଠିଆହୋଇ ଏମାନେ ଗୀତଗାଇବା ସହିତ ଶୟନ ଠାକୁରଙ୍କ ବିଜେରେ ଆଗେ ଆଗେ ଗୀତ ବୋଲିବା ଏବଂ ଠାକୁର ଭିତରକୁ ଗଲାଯାଏଁ ଜୟବିଜୟ ଦ୍ୱାରଠାରେ ଦଣ୍ଡାୟମାନ ହୋଇ ଗୀତ ଗାଉଥିଲେ । (୩) କାର୍ତ୍ତିକ ମାସରେ ବାଳଧୂପ ଅନୁଷ୍ଠିତ ହେବା ସମୟରେ ମଧ୍ୟ ଗୀତ ଗାଉଥିଲେ । (୪) ୪୨ ଦିନର ଚନ୍ଦନଯାତ୍ରା କାଳରେ ଆଲଟ ଲାଗିରେ ଭିତର ଖୁଣ୍ଟିଆ ମଣିମା ଡାକ ପକାଇବା ପରେ ଭିତରକୁ ଯାଇ ଅଣସର ପିଣ୍ଡିରେ ଠିଆ ହୋଇ ଗୀତ ବୋଲୁଥିଲେ-। ପ୍ରଥମ ୨୧ ଦିନ ବିଭିନ୍ନ ଭଜନ, ଜଣାଣ ଗାଉଥିଲେ ଏବଂ ପରବର୍ତ୍ତୀ ୨୧ ଦିନ ସ୍ନାନ ଉତ୍ସବ ଗୀତ ମଧ୍ୟ ଗାନ କରୁଥିଲେ । (୫) ପୁନଶ୍ଚ ସେହି ୪୨ ଦିନଯାକ ଚନ୍ଦନ ଲାଗି ସମୟରେ ଜଗମୋହନରେ ନୃତ୍ୟ ପରିବେଷଣ କରୁଥିଲେ । (୬) ଏହି ଚନ୍ଦନ ଯାତ୍ରାର ପ୍ରଥମ ୨୧ ଦିନ ବାହାର ଚନ୍ଦନରେ ନରେନ୍ଦ୍ରରେ ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମା ଚାପରେ ଥିବା ସମୟରେ ଏମାନେ ମଦନମୋହନଙ୍କ ଚାପରେ ନୃତ୍ୟ ପରିଷେଣ କରୁଥିଲେ । (୭) ରୁକ୍ମିଣୀ ବିବାହ ଉତ୍ସବ ଅବସରରେ ଭିତର ଗାଆଣି ଲକ୍ଷ୍ମୀଙ୍କ ମନ୍ଦିରଠାରେ ବିବାହ ବେଦୀରେ ରାତ୍ରିରେ ମଙ୍ଗଳ ଗାନ କରୁଥିଲେ । (୮) ଲକ୍ଷ୍ମୀ ଯେତେବେଳେ ବିମଳାଙ୍କ ପାଖକୁ ଯାତ୍ରା କରୁଥିଲେ ସେ ସମୟରେ ଏମାନେ ଖଦୀ ଚାମର ପକାଇ ଲକ୍ଷ୍ମୀଙ୍କ ଦାସୀ ଭାବରେ ମଙ୍ଗଳ ଗାନ କରୁଥିଲେ । (୯) ଚମ୍ପକ ଦ୍ୱାଦଶୀ ଦିନ ବରକନ୍ୟାଙ୍କ ସହିତ ରାଜନଅରକୁ ଯାଉଥିଲେ ତଥା ପୁରୀର ପାରମ୍ପରିକ ଗୁଆଲି ଯାତ୍ରାରେ ସେହି ଚମ୍ପକ ଦ୍ୱାଦଶୀ ଦିନ ଋକ୍ମିଣୀ ଏବଂ ମଦନମୋହନ ଯମେଶ୍ୱରଙ୍କ ପାଖକୁ ଯାତ୍ରା କରିବା ସମୟରେ ଏମାନେ ପଟୁଆରରେ ଯାଉଥିଲେ । (୧୦) ନୀଳାଦ୍ରି ବିଜେ ଦିନ ଲକ୍ଷ୍ମୀଙ୍କ ସହିତ ଭେଟ ମଣ୍ଡପକୁ ଯାଉଥିଲେ ଏବଂ ବାହୁଡ଼ା ବିଜେ ସମୟର ଲକ୍ଷ୍ମୀ ନାରାୟଣ ବଚନିକାରେ ଲକ୍ଷ୍ମୀଙ୍କ ପାଇଁ ବଚନିକା କରୁଥିଲେ । (୧୧) ଗୁଣ୍ଡିଚା ମଣ୍ଡପଠାରେ ଠାକୁର ବିଜେ ହୋଇସାରିବା ପରେ ପ୍ରଥମ ଦିନ ଏମାନେ ନାଚ ପରିବେଷଣ କରୁଥିଲେ । (୧୨) ଆଶ୍ୱିନ ମାସରେ ବିମଳାଙ୍କ ଠାରେ ଷୋଳପୂଜା ଅବସରରେ ସକାଳଧୂପ ସମୟରେ ପଟୁଆର କରୁଥିଲେ ଏବଂ ବିମଳାଙ୍କ ପହୁଡ଼ ମାଜଣା ସମୟରେ ମାଳଶ୍ରୀ ଗାନ କରୁଥିଲେ । (୧୩) ଶ୍ରୀନଅରଠାରେ କନକଦୁର୍ଗାଙ୍କ ପୂଜା ଅବସରରେ ପଟୁଆର କରୁଥିଲେ । (୧୪) ପୁଷ୍ୟାଭିଷେକ ଦିନ ମୁଦିରସ୍ତଙ୍କ ସହିତ ତାଙ୍କ ଘରକୁ ଯାଇ ବନ୍ଦାପନା କରୁଥିଲେ । (୧୫) ଫାଲ୍‌ଗୁନ ଶୁକ୍ଳଦଶମୀ ଅର୍ଥାତ୍ ଫଗୁଦଶମୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ୬ ଦିନ ଭୋଗ ସମୟରେ ବେଦୀରେ ସେବା କରୁଥିଲେ । (୧୬) ଫାଲ୍‌ଗୁନ ଚତୁର୍ଦ୍ଦଶୀ ଦିନ ଲକ୍ଷ୍ମୀଙ୍କ ଜଗମୋହନରେ ପ୍ରତିନିଧିଭାବେ ମୁଦିରସ୍ତଙ୍କ ସହିତ ଫଗୁ ଖେଳୁଥିଲେ । (୧୭) ଚୈତ୍ର ମାସରେ ନବପତ୍ରିକା ପୂଜା ଅବସରରେ ଶ୍ରୀନଅରରେ କନକଦୁର୍ଗାଙ୍କ ସେବା କରୁଥିଲେ (୧୮) ସ୍ନାନପୂର୍ଣ୍ଣିମା ଅବସରରେ ସ୍ନାନବେଦୀଠାରେ ନୃତ୍ୟ ପରିବେଷଣ କରୁଥିଲେ । (୧୯) ନବକଳେବର ସମୟରେ ମହାପ୍ରଭୁଙ୍କ ଦାରୁ ଆସିବାବେଳେ ଆଲାମ ଚଣ୍ଡୀଙ୍କ ନିକଟରୁ ହେଉ କିମ୍ବା ଗୁଣ୍ଡିଚା ମନ୍ଦିର ନିକଟସ୍ଥ ନୃସିଂହଙ୍କ ନିକଟରୁ ହେଉ ପଟୁଆରରେ ହୁଳହୁଲି ପକାଇ ଦାରୁଙ୍କ ସହ କୋଇଲି ବୈକୁଣ୍ଠକୁ ଆସୁଥିଲେ ।

 

ମାହାରୀ ସେବାର ଅନ୍ୟତମ ଗୋଷ୍ଠୀ ସମ୍ପ୍ରଦା ନିଯୋଗର ସେବା ମଧ୍ୟ ନିର୍ଦ୍ଦିଷ୍ଟ ଥିଲା । ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ଅନୁସାରେ ସକାଳ ଧୂପରେ ନୃତ୍ୟ କରିବା, ଚନ୍ଦନଯାତ୍ରା କାଳରେ ଚନ୍ଦନଲାଗି ସମୟରେ ଜଗମୋହନରେ ପଟୁଆର କରିବା । ଚାପ ପରେ ଏବଂ ଚାପ ବାହୁଡ଼ା ବିଜେରେ ନାଚିବା, ଋକ୍ମିଣୀ ବିଭାକାଳୀନ ଚିଟାଉ ଲେଖା କାଳରେ ଗୀତ ବୋଲିବା ଓ ହୁଳହୁଳି ଦେବା । ବିମଳା ମନ୍ଦିରରେ ଲକ୍ଷ୍ମୀ ବିଜେବେଳେ ଖଦି ଚାମର ପକାଇବା । ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନବେଦୀ ତଳେ ପଟୁଆର କରିବା । ଚାହାଣୀ ମଣ୍ଡପରେ ଲକ୍ଷ୍ମୀଙ୍କ ସହିତ ଜଗନ୍ନାଥଙ୍କ ଭେଟଯାତ୍ରାରେ ଯିବା-। ଗୁଣ୍ଡିଚା ମଣ୍ଡପରେ ଦ୍ୱିତୀୟ ଦିନଠାରୁ ପଟୁଆର ଏବଂ ହେରାପଞ୍ଚମୀ ଦିନ ଦଣ୍ଡମଣ୍ଡ ସେବା ଓ ରଥକାଠରୁ ଖଣ୍ଡେ ଭାଙ୍ଗିବା । ଝୁଲଣ ସମୟରେ ଝୁଲଣ ମଣ୍ଡପ ତଳେ ପଟୁଆର କରିବା । କୃଷ୍ଣଜନ୍ମରେ ଯଶୋଦା ଏବଂ ରୋହିଣୀ ସେବା, କୃଷ୍ଣଙ୍କୁ କ୍ଷୀର ଖୁଆଇବା, ଷୋଳପୂଜାରେ ବିମଳାଙ୍କ ପଟୁଆର । ଋକ୍ମିଣୀ ହରଣରେ ଲକ୍ଷ୍ମୀଙ୍କ ଦାସୀ ଭାବରେ ବିପ୍ର ବ୍ରାହ୍ମଣଙ୍କ ସଙ୍ଗେ ଯିବା ଆଦି କାର୍ଯ୍ୟ ଏହି ମାହାରୀମାନଙ୍କଦ୍ୱାରା ସାଧିତ ହେଉଥିଲା । ମାହାରୀମାନଙ୍କ ସେବା ବିବରଣୀ ସହିତ ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରୁ ଏକଥା ମଧ୍ୟ ଜଣାଯାଇଥାଏ ଯେ,- ସେ ସମୟରେ ନିମ୍ନଲିଖିତ ମାହାରୀମାନେ ଶ୍ରୀମନ୍ଦିରରେ ସେବା କରୁଥିଲେ, ଯଥା- କୁଳମଣି ମାହାରୀ, କୋକିଳପ୍ରଭା ମାହାରୀ, ପ୍ରଭା ମାହାରୀ, ତାରାମଣି ମାହାରୀ, ବସନ୍ତ ମାହାରୀ, ପରଶମଣି ମାହାରୀ, ବିନୋଦିନୀ ମାହାରୀ, ଶ୍ରୀମତୀ ମାହାରୀ, ସୁଭାଷିନୀ ମାହାରୀ (ବାସେଳି ସାହି), ଇନ୍ଦୁମଣି ମାହାରୀ (ମାର୍କଣ୍ଡେଶ୍ୱର ସାହି) ଏମାନଙ୍କ ନୃତ୍ୟଗୀତ ପରିବେଷଣ କାଳରେ ମାଦେଳୀ ଭାବରେ ଗୋପୀ ଦାସ, ବୃନ୍ଦାବନ ଦାସ (ମର୍ଦ୍ଦଳ ସେବା), ନିଯୁକ୍ତ ଥିଲେ । ଅନ୍ୟାନ୍ୟ ବାଦ୍ୟକାରଙ୍କ ମଧ୍ୟରେ ଗୌରାଙ୍ଗ ମହାପାତ୍ର (ମହୁରୀ), ନିତ୍ୟାନନ୍ଦ ମହାପାତ୍ର (ଖୋଳ), ମାର୍କଣ୍ଡେୟ ମହାପାତ୍ର (ଢୋଲକି), ଜଗନ୍ନାଥ ମହାପାତ୍ର (ଝାଞ୍ଜ), ରାମ ମହାପାତ୍ର (ଘଷା ବାଦ୍ୟ) ସହଯୋଗ କରୁଥିଲେ । ଏହାଛଡ଼ା ବୀଣାକାର ଭାବରେ ବାଳକୃଷ୍ଣ ବୀଣାକାର, ମୁକୁନ୍ଦ ବୀଣାକାର, ଲକ୍ଷ୍ମଣ ବୀଣାକାର ଏବଂ ଆର୍ତ୍ତତ୍ରାଣ ବୀଣାକାର ସହଯୋଗ ଦେଇ ମାହାରୀ ନୃତ୍ୟକୁ ମନୋଜ୍ଞ କରୁଥିଲେ ।

 

ବର୍ତ୍ତମାନ ଅବଲୁପ୍ତ ହେବାର ଶେଷ ପାହାଚ ଡେଇଁ କିମ୍ବଦନ୍ତୀ ହେବାକୁ ଯାଉଥିବା ଏହି ମାହାରୀ ସେବା ଯେ ଏକଦା ମୁଖ୍ୟ ଥିଲା ତାହା କେତେଗୋଟି ଛାମୁ ଚିଟାଉକୁ ନେଇ ସୂଚନା ପ୍ରଦାନ କରାଯାଇପାରେ ।

 

ଭୋଇବଂଶର ରାଜା ହରେକୃଷ୍ଣ ଦେବ ତଥା ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ସମୟରେ ପ୍ରଦାନ କରାଯାଉଥିବା ଛାମୁଚିଟାଉରୁ ଜଣାଯାଏ ଯେ ସେ ସମୟରେ ରତନୀ ମାହାରୀ, ତିଳ ମାହାରୀ, ଶାରୀ ମାହାରୀ, ପୁରାଣ ମାହାରୀ, ଚନ୍ଦ୍ରମଣି ମାହାରୀ, ନବ ମାହାରୀ, ରାହାସ ମାହାରୀ, ଅମ୍ବିକା ମାହାରୀ, ବାଉରୀ ମାହାରୀ, ହରପ୍ରିୟା ମହାରୀ, ରାଣୀ ମାହାରୀ, କିରୀ ମାହାରୀ, ବୃନ୍ଦା ମାହାରୀ, ଅପର୍ତ୍ତି ମାହାରୀ, ମୁକ୍ତା ମାହାରୀ, ପାର୍ବତୀ ମାହାରୀ ଏବଂ ବିଷ୍ଣୁ ମାହାରୀଙ୍କୁ ସେବାପାଇଁ ଆଦେଶ ଦିଆଯାଇଥିଲା ।

 

ବୀରକେଶରୀ ଦେବ (୧୪୭୩-୯୨)ଙ୍କ ରାଜତ୍ୱ ସମୟରେ ଏକ ‘ରାଜଭୋଗ’ ଚିଟାଉରୁ ଜଣାଯାଏ, ତତ୍କାଳରେ ଶ୍ରୀମନ୍ଦିରରେ ନିଯୁକ୍ତି ପାଇଥିବା ମାହାରୀ ସେବା ଦାସୀ ହେଲେ ହାତୀ ମାହାରୀ, ତିଳୋତ୍ତମା ମାହାରୀ, ଅନନ୍ତ ମାହାରୀ, ଫକୀର ମାହାରୀ, କୁସୁମ ମାହାରୀ ଏବଂ ମୁକ୍ତା ମାହାରୀ । ଏହାଛଡ଼ା ୧୯ ଅଙ୍କରେ (୧୭୫୨) ସେ ଛାମୁଚିଟାଉ ଦେଇ ଲେଖିଥିଲେ ଶାଢ଼ି ଓ ଚନ୍ଦନ ସମର୍ପଣ କରି କୁସୁମ ମାହାରୀଙ୍କ ଦୁଇ ଝିଅଙ୍କୁ ନିଯୁକ୍ତ କର । ମିଥୁନ ୧୨ ଦିନ ଆଉ ଏକ ଚିଟାଉରେ (ନିର୍ଦ୍ଦେଶନାମା) କୁସୁମ ମାହାରୀଙ୍କୁ ଏକାନ୍ତ ନାଟ ପାଇଁ ଡକାଯାଇଥିଲା । ଫକୀର ମାହାରୀଙ୍କ ସ୍ଥାନରେ କୁସୁମ ମାହାରୀ ଏହି ଏକାନ୍ତ ନାଟ (ବଡ଼ସିଂହାରବେଳେ ଜଗମୋହନରେ ପ୍ରଦର୍ଶିତ ନୃତ୍ୟ) କରୁଥିଲେ ପରେ ଏହି ସେବା ବନ୍ଧକସୂତ୍ରେ ତିଳୋତ୍ତମା ମାହାରୀ ପାଇ ପରେ ଅଧିକାର ସାବ୍ୟସ୍ତ କରିଥିଲେ ।

 

ଗଜପତି ମୁକୁନ୍ଦଦେବଙ୍କ ରାଜତ୍ୱ ସମୟରେ ଛାମୁଚିଟାଉଦ୍ୱାରା ନିଯୁକ୍ତ ମାହାରୀମାନେ ହେଲେ,- ଯଶୋଦା ମାହାରୀ, କୃଷ୍ଣପ୍ରିୟା ମାହାରୀ, ମଣିମା ମାହାରୀ, ରମା ମାହାରୀ, ତିଳ ମାହାରୀ, ଲକ୍ଷ୍ମୀ ମାହାରୀ, ତାରା ମାହାରୀ ଏବଂ ଚନ୍ଦ୍ର ମାହାରୀ ସେହିପରି ଦିବ୍ୟସିଂହ ଦେବଙ୍କ ରାଜତ୍ୱ ସମୟରେ ଲତା ମାହାରୀ ଚନ୍ଦ୍ରମଣି ମାହାରୀ, ଦ୍ରୌପଦୀ ମାହାରୀ, ଅନ୍ନପୂର୍ଣ୍ଣା ମାହାରୀ ପ୍ରମୁଖ ମାହାରୀ ସେବା ପାଇଁ ଶ୍ରୀମନ୍ଦିରରେ ନିଯୁକ୍ତ ହୋଇଥିଲେ ।

 

ଶ୍ରୀମନ୍ଦିରର ସମସ୍ତ ସେବା ବ୍ୟବସ୍ଥା ଭିତରେ ମାହାରୀ ସେବା ଥିଲା ଏକ ଅପରିହାର୍ଯ୍ୟ ଅଙ୍ଗ । ଯାହାର ବିଶଦ୍ ସେବା ବ୍ୟବସ୍ଥା ସମ୍ପର୍କରେ ଆଉ କିଛି ଅଧିକା ଆଲୋଚନା କରାଯାଇପାରେ ।

ଶ୍ରୀଜଗନ୍ନାଥଙ୍କ ଅନ୍ୟତମ ମୁଖ୍ୟ ପର୍ବ ଚନ୍ଦନଯାତ୍ରା କାଳରେ ସୁଦୀର୍ଘ ୪୨ ଦିନ ଧରି ଅନୁଷ୍ଠିତ ହେଉଥିବା ନୃତ୍ୟଗୀତର ମୁଖ୍ୟ ଅଙ୍ଗଥିଲେ ମାହାରୀମାନେ । ପ୍ରଥମ ୨୧ ଦିନର ବାହାର ଚନ୍ଦନ ସମୟରେ ଏମାନେ ପଟୁଆରରେ ଆସି ଚନ୍ଦନଘରେ ତଥା ଚାପ ଉପରେ ମଦନମୋହନଙ୍କ ସମ୍ମୁଖରେ ନୃତ୍ୟଗୀତାଭିନୟ କରୁଥିଲେ । ଏହି ସମୟରେ ମାହାରୀମାନେ ପ୍ରଦର୍ଶିତ କରୁଥିବା ନୃତ୍ୟ ମଧ୍ୟରେ ଭଉଁରୀ ଥିଲା ମୁଖ୍ୟ ନୃତ୍ୟ । ଯାହାକୁ କି ନବଧା ଭକ୍ତିର ସ୍ୱରୂପଭାବେ ଗ୍ରହଣ କରାଯାଉଥିଲା ବୋଲି ଗୁରୁ ପଙ୍କଜ ଚରଣ ଦାସ ମତ ପ୍ରଦାନ କରି କହିଛନ୍ତି । ତାଙ୍କ ମତରେ ନଅ ଭାଗରେ ବିଭକ୍ତ ଏହି ଭଉଁରୀକୁ ଚକା ଭଉଁରୀ, ଓଲଟ ଭଉଁରୀ, ଜଳଭଉଁରୀ, ଲଳିତ ଭଉଁରୀ, ନେତ୍ର ଭଉଁରୀ, ଶୂନ୍ୟ ଭଉଁରୀ, କଟୀ ଭଉଁରୀ, କର ଭଉଁରୀ ଓ କଳା ଭଉଁରୀ କ୍ରମରେ ମାହାରୀମାନେ ଚାପରେ ପ୍ରଦର୍ଶିତ କରୁଥିଲେ । ମନେହୁଁ ଏହି ଭଉଁରୀ ନୃତ୍ୟ ସହିତ ୨୧ ଦିନ ଚାପର ଭଉଁରୀର କିଛି ସମନ୍ୱୟ ରହିଛି ଯାହା ଗବେଷଣା ସାପେକ୍ଷ ।

୪୨ ଦିନର ଚନ୍ଦନଯାତ୍ରା କାଳରେ କେବଳ ନୃତ୍ୟ ପ୍ରଦର୍ଶନ କରୁ ନ ଥିଲେ । ଏହା ସହିତ ମାହାରୀମାନେ ଭଜନ ଗାଇବା ଏବଂ ଜଗମୋହନରେ ସଙ୍ଗୀତ ପରିବେଷଣ ମଧ୍ୟ କରୁଥିଲେ । ଏହା ବ୍ୟତୀତ ମାହାରୀ ସେବିକାଗଣ ରୁକ୍ମିଣୀ ବିବାହ ଉତ୍ସବ ଦିନ ଅର୍ଥାତ୍ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଦିନ, ଋକ୍ମିଣୀ ଯେଉଁ ପତ୍ର ଶ୍ରୀକୃଷ୍ଣସ୍ୱରୂପ ଶ୍ରୀଜଗନ୍ନାଥଙ୍କ ପାଖକୁ ଲେଖନ୍ତି ସେ କାର୍ଯ୍ୟକୁ ସମ୍ପାଦନ କରୁଥିଲେ । ଅର୍ଥାତ୍ ଋକ୍ମିଣୀଙ୍କ ଭୂମିକାରେ ଅଭିନୟ କରୁଥିଲେ । ଋକ୍ମିଣୀ ହରଣ କାର୍ଯ୍ୟ ସମ୍ପାଦିତ ହେବାପରେ ମାହାରୀମାନେ ଋକ୍ମିଣୀ ବିବାହ କାଳରେ ଶ୍ରୀମନ୍ଦିରସ୍ଥ ମାଜଣା ମଣ୍ଡପ ବାହାବେଦୀରେ ମଙ୍ଗଳ ଗାନ କରୁଥିଲେ । ଏହି ପ୍ରାଗ୍‍ବିବାହ କର୍ମ ସମୟରେ ଋକ୍ମିଣୀ, ବିମଳାଙ୍କଠାରୁ ଆଶୀର୍ବାଦ ନେବାକୁ ଆସିବା ସମୟରେ ମଧ୍ୟ ଚାମର ପକାଇ ମଙ୍ଗଳଗାନ କରୁଥିଲେ ।

ଆଷାଢ଼ ଶୁକ୍ଳ ଷଷ୍ଠୀ ତିଥିରେ ଅନୁଷ୍ଠିତ ହେଉଥିବା ହେରାପଞ୍ଚମୀ ଉତ୍ସବରେ ଲକ୍ଷ୍ମୀ ଠାକୁରାଣୀଙ୍କ ସହିତ ମାହାରୀମାନେ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରୁଥିଲେ ଏବଂ ସେଠାରେ ଅନୁଷ୍ଠିତ ଲକ୍ଷ୍ମୀନାରାୟଣ ବଚନିକା (ଯାତ୍ରା ଭାଗବତ)ରେ ଦଇତାପତିମାନେ ନାରାୟଣଙ୍କ ପ୍ରତିନିଧିତ୍ୱ ଏବଂ ମାହାରୀମାନେ ଲକ୍ଷ୍ମୀଙ୍କ ପ୍ରତିନିଧିତ୍ୱ କରୁଥିଲେ । ଏହାପରେ ଅଭିମାନିନୀ ଲକ୍ଷ୍ମୀ କର୍ତ୍ତୃକ ନନ୍ଦିଘୋଷ ରଥ ଭଙ୍ଗା କାର୍ଯ୍ୟରେ ମାହାରୀମାନେ ମୁଖ୍ୟ ଭୂମିକା ନିର୍ବାହ କରୁଥିଲେ । ମାହାରୀମାନଙ୍କ ଗୁରୁତ୍ୱ ଏତେଥିଲା ଯେ ଲକ୍ଷ୍ମୀଙ୍କ ପଛେ ପଛେ ଅନ୍ୟ ପାଲିଙ୍କିରେ ବସି ଏମାନେ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରୁଥିଲେ ।

ବାହୁଡ଼ା ରଥଯାତ୍ରା ପରେ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ସମୟରେ ରୁଦ୍ଧ ଜୟବିଜୟ ଦ୍ୱାରର ଅପରପାଶ୍ୱର୍ରେ ଲକ୍ଷ୍ମୀଙ୍କ ସହିତ ମାହାରୀମାନେ ରହି, ଲକ୍ଷ୍ମୀନାରାୟଣ କଳିରେ ସକ୍ରୀୟ ସହଯୋଗ ପ୍ରଦାନ କରୁଥିଲେ । ଶ୍ରାବଣ ମାସର ଝୁଲଣ ଯାତ୍ରା ଅବସରରେ ଝୁଲଣ କୁଞ୍ଜ ସେବା ମଧ୍ୟ ମାହାରୀମାନଙ୍କଦ୍ୱାରା ସମ୍ପାଦିତ ହେଉଥିଲା । ଏହି ନୃତ୍ୟଗୀତ ପ୍ରଧାନ ଯାତ୍ରାରେ ମାହାରୀମାନେ ଯଥାର୍ଥ ରସସଙ୍ଗିନୀ ଭାବରେ ସଙ୍ଗୀତ ସହ ନୃତ୍ୟ ପରିବେଷଣ କରୁଥିଲେ ।

ଭାଦ୍ରବ ମାସରେ ଅନୁଷ୍ଠିତ ହେଉଥିବା ଜନ୍ମାଷ୍ଟମୀ ଉତ୍ସବ ଅବସରରେ ଦୁଇଜଣ ମାହାରୀ ଯଶୋଦା ଏବଂ ରୋହିଣୀ ଭୂମିକାରେ ଅବତୀର୍ଣ୍ଣ ହୋଇ ମାତୃତ୍ୱର ପରାକାଷ୍ଠାସ୍ୱରୂପ ଶ୍ରୀକୃଷ୍ଣଙ୍କୁ ଖିର ଖୁଆଇବାର ଅଭିନୟ କରୁଥିଲେ । ଆଶ୍ୱିନ ମାସରେ ଅନୁଷ୍ଠିତ ହେଉଥିବା ଶାରଦୀୟ ଦୁର୍ଗାପୂଜା ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ଷୋଡ଼ଶ ଦିନାତ୍ମକ ପୂଜା କାଳରେ ସାଧାରଣ ସ୍ତ୍ରୀ ଲୋକଙ୍କର ବିମଳାଙ୍କ ଦର୍ଶନ ପାଇଁ ଦୃଢ଼ ନିଷେଧାଜ୍ଞା ରହିଥିଲେ ହେଁ ମାହାରୀ ସେବିକାମାନେ ନାରୀ ହୋଇ ମଧ୍ୟ ଏହି ସମୟରେ ବିମଳାଙ୍କ ମନ୍ଦିରକୁ ପଟୁଆରରେ ଯାଇଥାନ୍ତି ଏବଂ ବିମଳାଙ୍କ ପହୁଡ଼ ମାଜଣା କାଳରେ ମାଳଶ୍ରୀ ଗାନ କରିଥାନ୍ତି । ଯାହାକି ନାରୀ ଜାତିଠାରୁ ଏମାନଙ୍କ ସ୍ୱାତନ୍ତ୍ର‌୍ୟକୁ ଚିହ୍ନିତ କରୁଥିଲା । ଏତଦ୍‌ଭିନ୍ନ ଏହି ସମୟରେ ଗଜପତି ମହାରାଜାଙ୍କ ନଅରସ୍ଥିତ କନକଦୁର୍ଗା ମନ୍ଦିରରେ ମଧ୍ୟ ମାହାରୀମାନେ ଗୀତ ପରିବେଷଣ କରୁଥିଲେ ।

କାର୍ତ୍ତିକ ମାସର ବାଳଧୂପ କାଳରେ ମାହାରୀମାନେ ଗୀତ ପରିବେଷଣ କରୁଥିଲେ । ପୁଷ୍ୟାଭିଷେକ ଦିନ ମହାପ୍ରଭୁଙ୍କ ଅଭିଷେକ ଉତ୍ସବରେ ମାହାରୀମାନେ ମଧ୍ୟ ଶ୍ରୀଜଗନ୍ନାଥଙ୍କୁ ବନ୍ଦାପନା କରୁଥିଲେ । ଫଗୁ ଦଶମୀଠାରୁ ଦୋଳପୂର୍ଣ୍ଣିମା ପର୍ଯ୍ୟନ୍ତ ଦୋଳବେଦୀ ଉପରେ ମାହାରୀସେବା ଅପରିହାର୍ଯ୍ୟ ଥିଲା । ବିଶେଷତଃ ଦୋଳପୂର୍ଣ୍ଣିମାର ପୂର୍ବଦିନ ଅର୍ଥାତ୍ ଚତୁର୍ଦ୍ଦଶୀ ଦିନ ଜଗନ୍ନାଥଙ୍କ ପ୍ରତିନିଧି ମୁଦିରସ୍ତଙ୍କ ସହିତ ଲକ୍ଷ୍ମୀଙ୍କ ପ୍ରତିନିଧି ଭାବରେ ମାହାରୀମାନେ ଫଗୁଖେଳ କାର୍ଯ୍ୟ ସମ୍ପାଦନ କରୁଥିଲେ । ପୁନଶ୍ଚ ବାସନ୍ତିକ ଦୁର୍ଗାପୂଜା ବା ନବପତ୍ରିକା ଅବସରରେ ଶ୍ରୀନଅରସ୍ଥ ଦୁର୍ଗାଙ୍କର ସେବା ଏମାନେ କରୁଥିଲେ । ସ୍ନାନପୂର୍ଣ୍ଣିମା ଉତ୍ସବ ସମୟରେ ସ୍ନାନବେଦୀ ଉପରେ ନୃତ୍ୟସେବା ମଧ୍ୟ ମାହାରୀମାନଙ୍କ ସେବାର ଅନ୍ତର୍ଗତ ଥିଲା । ଏତଦ୍‌ଭିନ୍ନ ନବକଳେବର ସମୟରେ ଶ୍ରୀକ୍ଷେତ୍ରକୁ ଦାରୁ ଆଣିବା ସମୟରେ ଦାରୁ ସମ୍ମୁଖରେ ହୁଳହୁଲି ପକାଇ ଆଣିବା କାର୍ଯ୍ୟ ମାହାରୀମାନେ ସମ୍ପାଦନ କରୁଥିଲେ ।

ମୋଟାମୋଟି ଭାବରେ କହିବାକୁ ଗଲେ ସାରା ଭାରତରେ ଶ୍ରୀଜଗନ୍ନାଥ ମନ୍ଦିର ହିଁ ଏକମାତ୍ର ସ୍ଥାନ ଯେଉଁଠି ମାହାରୀମାନେ ଅନ୍ୟାନ୍ୟ ମନ୍ଦିରର ଦେବଦାସୀଙ୍କ ପରି କେବଳ ନୃତ୍ୟଗୀତରେ ସୀମାବଦ୍ଧ ନ ଥିଲେ । ଏମାନେ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ପର୍ବପର୍ବାଣିରେ ସ୍ୱତନ୍ତ୍ର ଓ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇ ମହାନାରୀ ଶବ୍ଦର ସାର୍ଥକତା ପ୍ରତିପାଦନ କରୁଥିଲେ । ଉଦାହରଣତଃ,- ନନ୍ଦ ଉତ୍ସବରେ ମାତା ଯଶୋଦା, ହେରା ପଞ୍ଚମୀରେ ଅଭିମାନିନୀ ପତ୍ନୀ ଲକ୍ଷ୍ମୀ, ଝୁଲଣରେ ରସ ସଙ୍ଗିନୀ ଗୋପୀକା, ଋକ୍ମିଣୀ ହରଣରେ ପ୍ରେମିକା, ବଡ଼ସିଂହାର କାଳରେ ଶଯ୍ୟାସଙ୍ଗିନୀ ପରି ବିବିଧ ଭୂମିକା ମାହାରୀ ସେବାର ଅନନ୍ୟତ୍ୱକୁ ଓ ବିରଳତ୍ୱକୁ ପ୍ରତିଷ୍ଠା କରିଥିଲା-। ପ୍ରାଚୀନ ସମୟରେ ମାହାରୀ ସେବା ଏତେ ମହତ୍ୱପୂର୍ଣ୍ଣ ଥିଲା ଯେ ସ୍ୱୟଂ ଗଙ୍ଗବଂଶୀ ରାଜା ଅନଙ୍ଗଭୀମଙ୍କ ଭଗ୍ନୀ ଚନ୍ଦ୍ରିକାଦେବୀ ବିଧବା ହେବାପରେ ଶ୍ରୀପୁରୁଷୋତ୍ତମଙ୍କ ଆଶ୍ରିତା ଭାବରେ ମାହାରୀ ବ୍ରତ ପାଳନ କରିଥିଲେ । ଆଦ୍ୟ ସେବକ ଗଜପତି ମହାରାଜା ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ଥିବା ପରି ମାହାରୀମାନେ ମଙ୍ଗଳନାରୀଭାବେ ଲକ୍ଷ୍ମୀତୁଲ୍ୟା ସମ୍ମାନ ପାଉଥିଲେ ।

ଏମାନେ ଆମୃତ୍ୟୁ ଅଖଣ୍ଡ ସୌଭାଗ୍ୟବତୀ ଭାବରେ କପାଳରେ ଗୋଲସିନ୍ଦୂର ଟିପା ଧାରଣ କରିବା ସହ ସମସ୍ତ ପୂଜା ଉତ୍ସବରେ ସଧବା ସ୍ତ୍ରୀର ମର୍ଯ୍ୟାଦା ଲାଭ କରୁଥିଲେ । ଦେବ ଆରାଧନାରେ ଉତ୍ସର୍ଗୀକୃତ ଏହି ସେବା କ୍ରମଶଃ ସରକାରୀ ନିୟମ ଓ ସାମାଜିକ ତଥା ଅର୍ଥନୈତିକ ବ୍ୟବସ୍ଥାର ପେଷଣରେ ପିଷ୍ଟ ହୋଇ ପ୍ରୋଚ୍ଛାହନ ଅଭାବରୁ ବିଲୁପ୍ତି ଗର୍ଭକୁ ଚାଲିଯାଇଛି ଯାହା ଏ ବ୍ୟବସ୍ଥା ପାଇଁ ଏକ ପରିତାପର ବିଷୟ ।

Image

 

ଗୋଟିପୁଅ ନୃତ୍ୟ

 

ଓଡ଼ିଶାର ଲୋକନୃତ୍ୟ ପରମ୍ପରାରେ ଗୋଟିପୁଅ ନୃତ୍ୟ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରେ-। ଯେଉଁ ସମୟରେ ଶ୍ରୀଜଗନ୍ନାଥ ମନ୍ଦିରଠାରୁ ଆରମ୍ଭ କରି କାକଟପୁର ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ସର୍ବତ୍ର ମାହାରୀ ନୃତ୍ୟ ପରମ୍ପରା ମୁଖ୍ୟ ଭାବରେ ଗୃହୀତ ହୋଇ ନାଟମଣ୍ଡପଠାରେ ଠାକୁରମାନଙ୍କର ତଥା ଉପସ୍ଥିତ ରାଜପୁରୁଷମାନଙ୍କର ମନୋରଞ୍ଜନର ଭାକ୍ତିକ ମାଧ୍ୟମ ଥିଲା । ଠିକ୍ ସେହି ସମୟରେ ଅର୍ଥାତ୍ ଆଜକୁ ଚାରି ପାଞ୍ଚଶହ ବର୍ଷ ତଳେ ଘନଘନ ମୁସଲମାନ, ମୋଗଲ ଆଦିଙ୍କ ଆକ୍ରମଣ ଏବଂ ଅତ୍ୟାଚାର ଫଳରେ ନାରୀସେବା ଭାବରେ ମନ୍ଦିରମାନଙ୍କରେ ପ୍ରଚଳିତ ମାହାରୀମାନଙ୍କ ସେବାରେ ବାଧା ସୃଷ୍ଟି ହେଲା । କେବଳ ବାଧା ସୃଷ୍ଟି ହେଲା କହିଲେ ଭୁଲ ହେବ ଏହି ବିଦେଶାଗତ ବର୍ବର ଆକ୍ରମଣକାରୀଙ୍କ ପାଶବିକତାର ଶିକାର ମଧ୍ୟ ସେମାନେ ହୋଇଥିଲେ-। ଫଳରେ ମାହାରୀ ନୃତ୍ୟର ବିକଳ୍ପ ଭାବରେ ମନୋରଞ୍ଜନ ଉଦ୍ଦେଶ୍ୟରେ ପ୍ରାଥମିକ ସ୍ତରରେ ମାହାରୀ ନୃତ୍ୟକୁ ଆଦର୍ଶଭାବେ ଗ୍ରହଣ କରି ଗୋଟିପୁଅ ନାଚର ବିକାଶ ଘଟିଥିଲା । ମୁଖ୍ୟତଃ ଏହି ଗୋଟିପୁଅ ନାଚର ବିକାଶଧାରା ଭୋଇବଂଶର ପ୍ରତିଷ୍ଠାତା ରାଜା ରାମଚନ୍ଦ୍ର ଦେବଙ୍କ ସମୟରୁ ହିଁ ପୁରୀ ଜିଲ୍ଲାରେ ଆରମ୍ଭ ହୋଇଥିଲା ।

ଯେହେତୁ ମାହାରୀ ନୃତ୍ୟ ପରମ୍ପରାରୁ ଏହାର ସୃଷ୍ଟି, ସେହି କାରଣରୁ ଗୋଟିପୁଅ ନାଚକୁ ସମ୍ପୂର୍ଣ୍ଣଭାବେ ଲୋକନୃତ୍ୟ ବୋଲି ନ କହି-ଶାସ୍ତ୍ରୀୟ ନୃତ୍ୟ ଆଧାରିତ ଏବଂ ଲୌକିକ ରୀତିରେ ପରିବେଷିତ ହେଉଥିବା ନୃତ୍ୟ ବୋଲି କୁହାଯାଇପାରେ । ଯେହେତୁ ଏହାର ପୃଷ୍ଠଭୂମିରେ ଥିଲା ଲୋକାଚାର ଆଧାରିତ ମନୋରଞ୍ଜନ ତଥା ମାହାରୀ ନୃତ୍ୟର ଶାସ୍ତ୍ରୀୟ ଭାବ । ଯଦିଓ ମୋଗଲ ଏବଂ ମୁସଲମାନମାନଙ୍କ କବଳରୁ ମାହାରୀ ତଥା ଦେବଦାସୀମାନଙ୍କୁ ସୁରକ୍ଷା ଦେବାପାଇଁ ଗୋଟିପୁଅ ନୃତ୍ୟର ସୃଷ୍ଟି ହୋଇଥିଲା ତଥାପି ‘ଅଭିନୟ ଚନ୍ଦ୍ରିକା’ ଗ୍ରନ୍ଥରେ ସ୍ତ୍ରୀ ବେଶଧାରୀ ପୁରୁଷଙ୍କଦ୍ୱାରା ପରିବେଷିତ ଏହି ନୃତ୍ୟକୁ ନିକୃଷ୍ଟ ନୃତ୍ୟ ବୋଲି ଉଲ୍ଲେଖ କରାଯାଇଛି-

ତେବେ ଗୋଟିଏ କଥା ସ୍ୱୀକାର କରିବାକୁ ପଡ଼ିବ ଯେ, ଷୋଡ଼ଶ ଶତାବ୍ଦୀର ମଧ୍ୟ ଭାଗରୁ ଅଷ୍ଟାଦଶ ଶତାବ୍ଦୀର ଆଦ୍ୟ ଭାଗ ପର୍ଯ୍ୟନ୍ତ ମୋଗଲ-ମୁସଲମାନଙ୍କ ବର୍ବରତାର ଶୀକାର ହୋଇ ମଧ୍ୟ ଓଡ଼ିଶାର ସ୍ୱକୀୟ ନୃତ୍ୟ ସଙ୍ଗୀତ ଯାହା ମାହାରୀ ନୃତ୍ୟ ବା ଉଡ୍ର ନୃତ୍ୟରେ ରହିଥିଲା, ତାହା ଗୋଟିପୁଅ ନୃତ୍ୟ ମାଧ୍ୟମରେ ସୁରକ୍ଷିତ ରହିପାରିଥିଲା । କାରଣ ‘ଗୋଟିପୁଅ’ ନାଚ ଏହି ସମୟ ଖଣ୍ଡରେ ଅଧିକରୁ ଅଧିକ ଗଣଧର୍ମୀ ହୋଇ ଲୋକଚେତନାକୁ ବହୁଧା ସ୍ପର୍ଶ କରିଥିଲା ।

ନୃତ୍ୟ ସମ୍ପର୍କରେ ହରିବଂଶ ପୁରାଣରେ ଉଲ୍ଲେଖ ଅଛି ଯେ,- ଏହା ଦେଶୀ, ମାର୍ଗୀ, ଲୋକଧର୍ମୀ ଏବଂ ନାଟ୍ୟଧର୍ମୀ ଏହିପରି ଚାରି ଭାଗରେ ବିଭକ୍ତ । ଏଥିରୁ ସ୍ପଷ୍ଟ ବୁଝିହୁଏ ଯେ, କେବଳ ବର୍ତ୍ତମାନ କାଳଖଣ୍ଡରେ ନୁହଁ, ପ୍ରାଚୀନ ସମୟରେ ମଧ୍ୟ ଲୋକନୃତ୍ୟର ଗୁରୁତ୍ୱ ଆମର ସାଂସ୍କୃତିକ ପରମ୍ପରାରେ ରହିଥିଲା । ହରିବଂଶ ପୁରାଣରେ ଉଲ୍ଲେଖ ଥିବା ଦେଶୀ ଏବଂ ଲୋକଧର୍ମୀ ନୃତ୍ୟର ବର୍ଣ୍ଣନା ସ୍ପଷ୍ଟ ଭାବରେ ଲୋକନୃତ୍ୟକୁ ଇଙ୍ଗିତ କରେ । ଏକଥା ମଧ୍ୟ ସତ୍ୟ ଯେ, ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଲୋକନୃତ୍ୟ ପରମ୍ପରାରୁ ହିଁ ସେଠାକାର କ୍ଲାସିକ୍‌ଧର୍ମୀ ଶାସ୍ତ୍ରୀୟ ନୃତ୍ୟ ଶୈଳୀର ବିକାଶ ହୋଇଥାଏ । ଅପର ଦିଗରେ ଲୋକନୃତ୍ୟ ମଧ୍ୟ ତା’ର ପାରମ୍ପରିକ ଧାରାରେ ଗତି କରିଥାଏ । ଗୋଟିପୁଅ ନୃତ୍ୟ ପରିପ୍ରେକ୍ଷୀରେ ଦେଖାଯିବ ଯେ, ମାହାରୀ ନୃତ୍ୟଧାରାର ଏକ ବିକଳ୍ପଭାବେ ସୃଷ୍ଟି ଗୋଟିପୁଅ ନାଚ ଭିତରୁ ଲାସ୍ୟଯୁକ୍ତ ଓଡ଼ିଶୀନୃତ୍ୟର ସୃଷ୍ଟି ବୋଲି ମଧ୍ୟ କିଛି ଆଲୋଚକ ଦାବି କରିଥାନ୍ତି ।

ଗୋଟିପୁଅ ନାଚ ମୁଖ୍ୟତଃ ପୁରୀ ଜିଲ୍ଲାର ଏକ ପାରମ୍ପରିକ ଲୋକନୃତ୍ୟଭାବେ ପ୍ରତିଷ୍ଠିତ ଯାହାର ସୃଷ୍ଟି ପ୍ରାୟତଃ ଚାରି-ପାଞ୍ଚ ଶହ ବର୍ଷତଳୁ ହୋଇ କିଶୋର ବାଳକମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇ ଆସୁଛି । ଏହି ନୃତ୍ୟରେ ସାତବର୍ଷରୁ ୧୭ ବର୍ଷ ବୟସର ବାଳକମାନେ ନାରୀ ବେଶଭୂଷାରେ ସଜ୍ଜିତ ହୋଇ ରାଧାକୃଷ୍ଣଙ୍କୁ ଆଧାରିତ ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରିଥାନ୍ତି । ଏଥିରେ ରହିଥିବା ଅଙ୍ଗଭଙ୍ଗୀ ପ୍ରଦର୍ଶନ ଓ ନୃତ୍ୟଶୈଳୀରୁ ମନେହେବ ଏହା ବୀର ରସାତ୍ମକ ବ୍ୟାୟାମଯୁକ୍ତ ଶରୀର ଚର୍ଯ୍ୟା ଉପରେ ଆଧାରିତ । ମାତ୍ର ଅନ୍ତଃକରଣରେ ଏହା ବୈଷ୍ଣବୀୟ ଚେତନା ଆଧାରିତ ଭକ୍ତି ରସାତ୍ମକ ନୃତ୍ୟ ଅଟେ ।

ଗୋଟିପୁଅ ନାଚ ଶିକ୍ଷା କରିବାପାଇଁ ପ୍ରାୟ ଛଅ-ସାତ ବର୍ଷ ବୟସବେଳରୁ ପୁଅପିଲାମାନେ ଗୁରୁଙ୍କ ପାଖରେ ରହି ଏହି ନୃତ୍ୟ ଶିକ୍ଷା କରିଥାନ୍ତି । ଯୁବକତ୍ୱପ୍ରାପ୍ତି ପରେ ସେମାନଙ୍କୁ ଆଉ ନର୍ତ୍ତକ ଭାବରେ ଗ୍ରହଣ କରାଯାଇ ନ ଥାଏ । ବାଳକ ଏବଂ କିଶୋରମାନଙ୍କୁ ନାରୀ ବେଶରେ ଏହି ନାଚ କରିବାକୁ ପଡ଼ୁଥିବାରୁ ସେମାନେ ଝିଅ ପିଲାଙ୍କ ପରି ଲମ୍ବା କେଶ ରଖିଥାନ୍ତି । କାରଣ ନୃତ୍ୟ କାଳରେ ଜୁଡ଼ା ବାନ୍ଧି ତା ସହିତ ଫୁଲ ହାରରେ ସଜ୍ଜିତ ହୋଇ ମୁଣ୍ଡକୁ ଆକର୍ଷଣୀୟ କରିବାକୁ ପଡ଼ିଥାଏ । ଏମାନେ ବେଶ ହେବା ପୂର୍ବରୁ ପାରମ୍ପରିକ ପ୍ରସାଧାନ ସାମଗ୍ରୀ ଯଥା ହଳଦୀ, ଗୋରଚନା ଓ ଚନ୍ଦନ ଟୋପା, ରକ୍ତଚନ୍ଦନ ଓ କୁଙ୍କୁମରେ କପାଳ ଓ ଗଣ୍ଡ ଦେଶରେ ଚିତା ଫୁଟାଇବା ସହ କଜ୍ଜଳ ଧାରଣ କରିଥାନ୍ତି । ଏହାଛଡ଼ା ଲମ୍ବା ପାଟ ଶାଢ଼ିକୁ ବନ୍ଧ ନୃତ୍ୟର ସୁବିଧା ପାଇଁ କାଛେଣି ଭଳି ପରିଧାନ କରିଥାନ୍ତି । ଅନ୍ୟଭାବରେ କହିଲେ ଗୋଟିପୁଅଙ୍କ ନୃତ୍ୟର ବେଶପୋଷାକ ବସ୍ତୁତଃ ମାହାରୀମାନଙ୍କ ବେଶପୋଷାକର ସାଦୃଶ୍ୟତା ରକ୍ଷା କରିଥାଏ । ତେବେ ମାହାରୀମାନେ ମୁଣ୍ଡ ଉପରେ ଓଢ଼ଣୀ ପକାଇବାସ୍ଥଳେ ଏମାନେ ତାହା କରି ନ ଥାନ୍ତି ।

‘ଗୋଟିପୁଅ’ ନାଚର ନାମକରଣ ପଛରେ ମଧ୍ୟ କିଛି କାରଣ ରହିଛି । ଏ ବିଷୟରେ କୁହାଯାଏ ଯେ, ପ୍ରାଚୀନ ସମୟରେ ଗୋଟିଏ ପୁଅ ଏହି ନୃତ୍ୟ କରୁଥିବାରୁ ଏହା ‘ଗୋଟିପୁଅ’ ନାଚ ଭାବରେ ଜଣାଶୁଣା ହେଲା । ଅପରପକ୍ଷରେ ବିଶିଷ୍ଟ ମାହାରୀ ଏବଂ ଓଡ଼ିଶୀ ନୃତ୍ୟଗୁରୁ ମାଗୁଣି ଦାସଙ୍କ ମତରେ, ଗୋଟିପୁଅ ହେଉଛି-‘ଗୋ’ ଶବ୍ଦର ଅର୍ଥ ଇନ୍ଦ୍ରିୟ, ‘ଟି’ ଶବ୍ଦର ଅର୍ଥ ବାମନ ବା ନ୍ୟୁନତର, ‘ପୁ’ ଶବ୍ଦର ଅର୍ଥ ପୁରୁଷାକାର, ‘ଅ’ ଶବ୍ଦର ଅର୍ଥ ଶିବ, ବିଷ୍ଣୁ । ଗୋଟିପୁଅର ଭାବାର୍ଥ ହେଉଛି, ଏକାଦଶ ଇନ୍ଦ୍ରିୟକୁ ନିରୋଧ କରି, ଗର୍ବ ଅହଙ୍କାର ମନରୁ ତ୍ୟାଗ କରି, ନିଜକୁ ବାମନ ମନେ କରି, ନିଜର ପୁରୁଷ ପଣକୁ ଶିବ ବା ବିଷ୍ଣୁଙ୍କ ଚରଣରେ ସମର୍ପଣ କରିବା । ଏହା ବସ୍ତୁତଃ ବୈଷ୍ଣବୀୟ ଭାବନାରେ ସଖୀ ଭାବରେ କିମ୍ବା ଦାସୀ ଭାବରେ କୃଷ୍ଣଙ୍କଠାରେ ବା ପୁରୁଷୋତ୍ତମଙ୍କଠାରେ ଶରଣ ଯିବା । ଅବଶ୍ୟ ଏହାର ପୃଷ୍ଠଭୂମିରେ ରାୟ ରାମାନନ୍ଦଙ୍କଠାରୁ ରାଗାନୁଗା ପ୍ରୀତି ଭାବର ତତ୍ତ୍ୱକୁ ଶିକ୍ଷା କରି ଚୈତନ୍ୟ ଯେଉଁ ମାଧୁର୍ଯ୍ୟ ରସର ପ୍ରଚାର କରିଥିଲେ ତାହାର ପ୍ରଭାବ ବହୁଳ ଭାବରେ ଗୋଟିପୁଅ ନୃତ୍ୟ ଉପରେ ପଡ଼ିଥିଲା । କାରଣ ଗୋଟିପୁଅ ନୃତ୍ୟର ପୃଷ୍ଠପୋଷକ ଭାବରେ ବିଭିନ୍ନ ଜମିଦାର ଶ୍ରେଣୀୟ ବ୍ୟକ୍ତିମାନଙ୍କ ଛଡ଼ା ବହୁ ମଠବାଡ଼ିର ମହନ୍ତମାନେ ମଧ୍ୟ ରହିଥିଲେ ।

ଗୋଟିପୁଅ ନୃତ୍ୟକୁ ଯେଉଁମାନେ ପରିବେଷଣ କରୁଥିଲେ ସେମାନଙ୍କୁ ଆଖଡ଼ା ପିଲା, ସଙ୍ଗୀତ ପିଲା, ନାଟୁଆ ପିଲା ଏବଂ ଗଞ୍ଜାମ ଅଞ୍ଚଳର ନର୍ତ୍ତକଙ୍କୁ ଦକ୍ଷିଣ ପିଲା ଭାବରେ ମଧ୍ୟ ଚିହ୍ନିତ କରାଯାଉଥିଲା । ଏମାନଙ୍କୁ ଆଖଡ଼ାପିଲା କହିବାର ମୁଖ୍ୟ କାରଣ ଥିଲା ଜମିଦାର ଏବଂ ମଠ ମହନ୍ତମାନଙ୍କ ପରି ପୁରୀର ପ୍ରାଚୀନ ସାତସାହିରେ ପ୍ରତିଷ୍ଠିତ ଥିବା ଆଖଡ଼ାମାନଙ୍କ ପୃଷ୍ଠପୋଷକତାରେ ଗୋଟିପୁଅ ନୃତ୍ୟର ପ୍ରଚାର ଓ ପ୍ରଚାର ହେଉଥିଲା । ଭୋଇବଂଶର ରାଜା ପ୍ରଥମ ରାମଚନ୍ଦ୍ର ଦେବଙ୍କ ରାଜତ୍ୱ ସମୟରେ ତଥା ତାଙ୍କ ପୂର୍ବବର୍ତ୍ତୀ ରାଜା ମୁକୁନ୍ଦ ଦେବଙ୍କ ସମୟରେ ଶ୍ରୀକ୍ଷେତ୍ର ଏବଂ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ପ୍ରାଚୀନ ସାହିମାନଙ୍କରେ ଜାଗା ଆଖଡ଼ାମାନଙ୍କୁ ଅଧିକରୁ ଅଧିକ ସୁଦୃଢ଼ ଏବଂ ଉନ୍ନତ କରାଯାଇଥିଲା । ଜାଗା ଆଖଡ଼ା ଥିଲା ଶରୀର ଚର୍ଚ୍ଚାର ଶ୍ରେଷ୍ଠ ସ୍ଥାନ । ତେବେ ପୁରୀର ପରୋକ୍ଷ ସାମରିକ ଶିକ୍ଷାଦାନର ପେଣ୍ଠ ଆଖଡ଼ାମାନଙ୍କରେ ସଙ୍ଗୀତ ଚର୍ଚ୍ଚା ମଧ୍ୟ ସମତାଳରେ ରହିଥିଲା । ଅବଶ୍ୟ ଆଖଡ଼ା ଘରକୁ ନାରୀମାନଙ୍କର ପ୍ରବେଶାଧିକାର ନ ଥିବା ହେତୁ ନୃତ୍ୟ ସଙ୍ଗୀତ ପରି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପାଇଁ ବାଳକମାନଙ୍କୁ ଚୟନ କରାଯାଇ ନୃତ୍ୟଶିକ୍ଷା ଦିଆଗଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ଥିଲେ ଶ୍ରୀଜଗନ୍ନାଥଙ୍କ ସେବକ ପରିବାରର ବ୍ୟକ୍ତି ବିଶେଷ । ନୃତ୍ୟଗୁରୁ ଏବଂ ସଙ୍ଗୀତ ଗୁରୁ ଭାବରେ ଆଖଡ଼ା ପିଲାଙ୍କୁ ପ୍ରତିଷ୍ଠିତ କରାଇବା ସହିତ ଚନ୍ଦନ ଯାତ୍ରା ଝୁଲଣ ଯାତ୍ରା ତଥା ସାହିଯାତ ସମୟରେ ଏମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରୁଥିଲେ । ପ୍ରତି ସାହିର ସାହିନାୟକଙ୍କ ଅଧିନାୟକତ୍ୱରେ ଚନ୍ଦନଯାତ୍ରା ଏବଂ ଝୁଲଣ ସମୟରେ ପାଳି ଅନୁସାରେ ଆଖଡ଼ାରେ ଶିକ୍ଷା ଲାଭ କରିଥିବା ଗୋଟିପୁଅମାନେ ଚାପ ଉପରେ ନୃତ୍ୟ କରୁଥିଲେ । ଚନ୍ଦନଯାତ୍ରା ସମୟରେ ଯେଉଁ ଚାପ ଚାଲୁଥିଲା ସେଥି ମଧ୍ୟରୁ ନାଲିଚାପ ଆଗରେ ବାଦ୍ୟଯନ୍ତ୍ରାଦିର ଡଙ୍ଗା ଯାଇଥାଏ । ନାଲିଚାପରେ ଆଖଡ଼ା ପିଲା ବା ଗୋଟିପୁଅ ଏବଂ ଧଳାଚାପରେ ମାହାରୀ ଯାଉଥିଲେ ପାଳିଆ ମାହାରୀମାନଙ୍କ ପରି ଗୋଟିପୁଅମାନେ ନୃତ୍ୟ ଓ ଗୀତ ପରିବେଷଣ କରିବା ସମୟରେ ସେବକମାନେ ଗୀତର ପାଳି ଧରୁଥିଲେ ।

ଚନ୍ଦନଯାତ୍ରା ପରି ଝୁଲଣ ଯାତ୍ରା ସମୟରେ ବିଭିନ୍ନ ମଠମାନଙ୍କରେ ଅନୁଷ୍ଠିତ ହେଉଥିବା ଝୁଲଣ ସମୟରେ ପ୍ରତିଯୋଗୀତାମୂଳକ ଗୋଟିପୁଅ ନାଚ ଅନୁଷ୍ଠିତ ହେଉଥିଲା । ଗୋଟିପୁଅ ନୃତ୍ୟ ପ୍ରତିଯୋଗୀତାର ପ୍ରଭାବରେ ପ୍ରଭାବିତ ହୋଇ ପୁରୀ ନିକଟବର୍ତ୍ତୀ ଶାସନ କରବାଡ଼ ପ୍ରଭୃତି ଅଞ୍ଚଳରେ ଦୋଳଯାତ୍ରା ଓ ମେଳଣ ସମୟରେ ଗୋଟିପୁଅ ନାଚର ପ୍ରବର୍ତ୍ତନ ହେବାରେ ଲାଗିଲା । ପୁରୀର ପ୍ରସିଦ୍ଧ ସାହିଯାତ ସମୟରେ ଯାଗା ଆଖଡ଼ାମାନଙ୍କରେ ନାଗାନାଚ, ରାବଣ, ଦେବୀ ମେଢ଼, ଅର୍ଦ୍ଧନାରୀଶ୍ୱର, ପର୍ଶୁରାମ ଆଦି ନୃତ୍ୟ ଶିକ୍ଷାରେ ରହିଥିବା ଶରୀର ଚର୍ଯ୍ୟା, ବନ୍ଧ ଆଦି ଗୋଟିପୁଅ ନାଚକୁ ପ୍ରଭାବିତ କରିଥିଲା । ଯାହାଫଳରେ କି ଗୋଟିପୁଅଙ୍କ ନୃତ୍ୟରେ ବ୍ୟାୟାମ ଭାଗ ମଧ୍ୟ ଅର୍ଦ୍ଧାଧିକ ସ୍ଥାନ ମାଡ଼ି ବସିଥିଲା । ଫଳରେ ଏହି ନୃତ୍ୟରେ ଉଭୟ ଲାସ୍ୟନୃତ୍ୟ ଏବଂ ତାଣ୍ଡବ ବା ପୌରୁଷଦୀପ୍ତ ଭାବର ମିଳନ ଘଟିଥିଲା ।

ଗୋଟିପୁଅ ନୃତ୍ୟ ପରିପ୍ରେକ୍ଷୀରେ ଆଉ ଗୋଟିଏ କଥା ମଧ୍ୟ ଚିନ୍ତା କରାଯାଇପାରେ ଯେ, ନାରୀ ବେଶ ଧାରଣ କରି ପୁରୁଷ ନର୍ତ୍ତକ ନୃତ୍ୟ କରିବା ପ୍ରଥା ଅନେକତ୍ର ପ୍ରଚଳିତ ଅଛି । ବିଶେଷତଃ ମୁସଲମାନଙ୍କ ପ୍ରଭାବ ଓ ଅତ୍ୟାଚାର ବୃଦ୍ଧି ପରେ ଭାରତୀୟ ସାମନ୍ତବାଦୀ ବ୍ୟବସ୍ଥାରେ ନାରୀମାନଙ୍କୁ ପରଦା ଆଢ଼ୁଆଳରେ ରହିବାପାଇଁ ବାଧ୍ୟ କରାଗଲା ତେବେ ନାରୀମାନଙ୍କ ଭୂମିକାକୁ ପୂରଣ କରିବାପାଇଁ କିଶୋର ବାଳକ ଏବଂ ସୌମ୍ୟ ଦର୍ଶନ ଯୁବକମାନଙ୍କୁ ସାଂସ୍କୃତିକ ଅନୁଷ୍ଠାନମାନଙ୍କରେ ନାରୀ ଭୂମିକାରେ ଅଭିନୟ କରିବାକୁ ପଡ଼ିଲା । ଯଦ୍ୱାରା ଘୋଡ଼ାନାଚର ରାଉତାଣୀ, ଚଢ଼େୟାଣୀର ଭୂମିକା ପୁରୁଷମାନେ ନିର୍ବହଣ କରୁଥିଲେ । ତା ଛଡ଼ା ଧୁଡ଼ୁକି ନାଚ, ରାଧା ପ୍ରେମଲୀଳା, ଭାରତ ଲୀଳା, ରାମଲୀଳା, ପ୍ରହଲ୍ଲାଦ ନାଟକ ଏବଂ ଯାତ୍ରା ଓ ସୁଆଙ୍ଗ ଆଦିରେ ନାରୀର ଅଭିନୟ ନାରୀବେଶଧାରଣୀ ପୁରୁଷ କରୁଥିଲେ ।

ଓଡ଼ିଶା ବାହାରେ ମଧ୍ୟ ପଞ୍ଜାବର ‘ଜଲସା’ ନାଚରେ ରାତିରେ ଟର୍ଚ୍ଚ ଆଲୋକରେ ସଙ୍ଗୀତ ଓ ନୃତ୍ୟ ପରିବେଷଣ ଧାରା ରହିଛି । ଏହି ନୃତ୍ୟରେ କିଶୋରମାନେ ଝିଅ ପିଲାଙ୍କ ବେଶ ପୋଷାକରେ ସଜ୍ଜିତ ହୋଇ ମନୋରଞ୍ଜନ ପାଇଁ ବିବାହ ଉତ୍ସବ ଆଦିରେ ‘ଜଲସା’ ନୃତ୍ୟ ପରିବେଷଣ କରିଥାନ୍ତି । ଉତ୍ତରପ୍ରଦେଶରେ ମଧ୍ୟ ବିବାହ ଉତ୍ସବରେ ପୁରୁଷମାନେ ନାରୀ ବେଶରେ ନୃତ୍ୟ ପରିବେଷଣ କରିଥାନ୍ତି । ଢୋଲ ଓ ମହୁରୀ ତାଳରେ ଏହି ନୃତ୍ୟ ପରିବେଷିତ ହୋଇଥାଏ । କାଶ୍ମୀର ଅଞ୍ଚଳରେ ମଧ୍ୟ ‘ବଚ୍ଚାନଗ୍‌ମା’ ନୃତ୍ୟରେ ବାଳକମାନେ ବାଳିକା ବେଶରେ ନୃତ୍ୟ ପରିବେଷଣ କରିଥାନ୍ତି । ‘ବଚ୍ଚା’ ଅର୍ଥାତ୍ ଛୋଟ ପିଲା ‘ନଗ୍‌ମା’ ଅର୍ଥ ନର୍ତ୍ତକ । ଅବଶ୍ୟ ପ୍ରାଚୀନ ସମୟରେ ମହିଳାମାନଙ୍କ ଦ୍ୱାରା ସୁଫିସଙ୍ଗୀତ ଗାନ ମାଧ୍ୟମରେ ଏହି ନୃତ୍ୟ ଅନୁଷ୍ଠିତ ହେଉଥିଲା । ମୁଖ୍ୟତଃ ଫସଲ ଅମଳ ସମୟର ଏହି ନୃତ୍ୟରୁ ନାରୀମାନଙ୍କୁ ନିବୃତ୍ତ ରଖାଯାଇ ସୁନ୍ଦର ମୁଖମଣ୍ଡଳଯୁକ୍ତ କିଶୋରମାନଙ୍କୁ ଲାସ୍ୟମୟୀ ଭାବ ପ୍ରଦର୍ଶନ ଶିକ୍ଷା ଦିଆଯାଇ ଏହି ନୃତ୍ୟରେ ଅବତୀର୍ଣ୍ଣ କରାଗଲା । ଆସାମର ଶ୍ରେଷ୍ଠ ବୈଷ୍ଣବ ସନ୍ଥ ଓ କବି ଶଙ୍କରଦେବଙ୍କଦ୍ୱାରା ପ୍ରବର୍ତ୍ତିତ ଅଙ୍କିଆ ନାଟରେ କିଶୋରମାନେ ପ୍ରାଥମିକ ଅବସ୍ଥାରେ ନାରୀ ବେଶରେ ଅଭିନୟ କରୁଥିଲେ । ଏତଦ୍‌ବ୍ୟତୀତ ସତ୍ରିୟା ନୃତ୍ୟରେ ମଧ୍ୟ ପୁରୁଷ ଭକ୍ତମାନେ ସତ୍ରଘରଠାରେ ଏହି ନୃତ୍ୟ ପ୍ରଦର୍ଶିତ କରୁଥିଲେ । ଓଡ଼ିଶାର ଗୋଟିପୁଅ ବା ଆଖଡ଼ା ପିଲାଙ୍କ ପରି ପୁରୁଷ କୃଷ୍ଣଭକ୍ତମାନେ ଯେଉଁ ସତ୍ରରେ ଏହି ନୃତ୍ୟ ଶିକ୍ଷା କରୁଥିଲେ ତାକୁ ମାଟିଆଖଡ଼ା ବୋଲି କୁହାଯାଉଥିଲା । ଏହା ପୁଣି ଓରା, ସତ୍ତା, ଝଲକ, ସିତିକା, ଜାପ, ଆଦି ଭେଦରେ ରହିଥିଲା । ଏଠାରେ ଦୁଇ ପ୍ରକାରର ଶୈଳୀରେ ନୃତ୍ୟଶିକ୍ଷା ଦିଆଯାଉଥିଲା ପୁରୁଷ ଭଙ୍ଗୀ ଓ ସ୍ତ୍ରୀ ଭଙ୍ଗୀ । ପୁରୁଷ ଭଙ୍ଗୀରେ ଡେଇଁବା, ଦୃଢ଼ ଓ ଦୃଢ଼ ପଦପାତ, ବୀର ଚାହାଣୀ, ସ୍ତ୍ରୀ ଭଙ୍ଗୀରେ ଲାସ୍ୟ । ଅବଶ୍ୟ ବର୍ତ୍ତମାନ ଏହା ସତ୍ର ଘରୁ ବାହାରକୁ ଆସିବା ପରେ ଉଭୟ ପୁରୁଷ ଏବଂ ନାରୀ ଏହାକୁ ପରିବେଷଣ କରୁଛନ୍ତି । ଗୋଟିପୁଅ ନୃତ୍ୟ ପରି ଏହି ନୃତ୍ୟର ମୁଖ୍ୟ ବିଷୟବସ୍ତୁ ରାଧାକୃଷ୍ଣ ଆଧାରିତ ଶଙ୍କର ଦେବଙ୍କ ରଚିତ ବରଗୀତ ହିଁ ରହି ଆସିଛି ।

 

ଗୋଟିପୁଅ ନାଚ ପରିପ୍ରେକ୍ଷୀରେ ପୁରୁଷମାନଙ୍କ ନାରୀବେଶ ଧାରଣ କରି ନୃତ୍ୟ କରିବା ପ୍ରସଙ୍ଗକୁ ଆଲୋଚନା କରିବା ତେବେ ଦେଖିବା ଯେ, ସାରଳା ଦାସଙ୍କ ମହାଭାରତର ବନପର୍ବରେ ଅର୍ଜ୍ଜୁନଙ୍କ ବୃହନ୍ନଳା ବେଶର ବର୍ଣ୍ଣନା ପ୍ରସଙ୍ଗରେ ଗୋଟିପୁଅଙ୍କର ନୃତ୍ୟ ବେଶର ବିବରଣୀ ପାଇଥାଉ । ସାରଳା ଦାସ ଲେଖିଛନ୍ତି–

 

“ଏଥୁ ଅନ୍ତରେ ଗମନ କଲେ ସବ୍ୟସାଚୀ

 

କବରୀ ଶାମଳୀ ବୀର ଖୋସାଏକ ରଚି ।

ଶିରେ ଶୋଭେ ସୀମନ୍ତିନୀ ମୁକୁତାର ଜାଲି

 

ଲଲାଟରେ ମଥା ମଣି କର୍ଣ୍ଣେ କର୍ଣ୍ଣ ଝଳି ।

ଦୁଇ ହସ୍ତେ ପିନ୍ଧିଛନ୍ତି ସୁବର୍ଣ୍ଣର ଚୂଡ଼ି

 

ଗଳେ ଚାପସରି ଅଙ୍ଗେ ରହିଅଛି ଜଡ଼ି ।

ଦୁଇ ପାଦରେ ନୁପୂର ରୁଣୁଝୁଣୁ ବାଜେ

 

ମୁକୁତା ଗୁନ୍ଥା କାଞ୍ଚନ ହୃଦରେ ବିରାଜେ ।

ଚାଲନ୍ତି ପଥରେ ପାର୍ଥ ସ୍ତୀରୀରୂପ ହୋଇ

 

ମାଧୁରୀ ଫୁଲ ପରାଏ ତ୍ରୈଲୋକ୍ୟ ମୋହଇ ।”

 

ଗୋଟିପୁଅ ନାଚର ପ୍ରାରମ୍ଭ କାଳରୁ ଏଯାବତ୍‍ ଯେଉଁ ବାଳକମାନେ ଏହି ନୃତ୍ୟକୁ ଗ୍ରହଣ କରିଛନ୍ତି, ପ୍ରାୟତଃ ସାମାଜିକ ଏବଂ ଆର୍ଥିକ ଦିଗରୁ ଏମାନେ ଦୁର୍ବଳ ପରିବାରରୁ ଆସିଛନ୍ତି । ଗରିବ ଘରର ବାପା ମା’ମାନେ ପୁଅର ଅନ୍ନ ସଂସ୍ଥାନର ସୁବିଧା ପାଇଁ ପିଲାବେଳୁ ଗୁରୁଗୃହକୁ ନାଚ ଶିକ୍ଷା ପାଇଁ ପଠାଇ ଦେଉଥିଲେ । ସେମାନେ ବିଭିନ୍ନ ଆଖଡ଼ା, ମଠ ଓ ଜମିଦାରଙ୍କ ପୃଷ୍ଠପୋଷକତାରେ ରହି ନୃତ୍ୟଶିକ୍ଷା ସହିତ ଅନ୍ନ ସଂସ୍ଥାନର ବ୍ୟବସ୍ଥା କରୁଥିଲେ । ଦ୍ୱିତୀୟତଃ ଗୋଟିପୁଅ ନୃତ୍ୟ ପଛରେ ରହିଥିବା ଧର୍ମୀୟ ଭାବନା ମଧ୍ୟ ଏହି ନୃତ୍ୟ ପାଇଁ ସହାୟକ ହୋଇଥିଲା-। ଲୋକଉକ୍ତି ଏବଂ କିମ୍ବଦନ୍ତୀରୁ ଜଣାଯାଏ, କୌଣସି ପରିବାରର ସନ୍ତାନ ନ ହେଲେ କିମ୍ବା ହୋଇ ମରି ଯାଉଥିଲେ ସେମାନେ ବାଲୁଙ୍କେଶ୍ୱର ମହାଦେବଙ୍କ ଶରଣାପନ୍ନ ହେଉଥିଲେ । ମାନସିକ ରଖୁଥିଲେ ପୁଅ ହେଲେ ଶ୍ରୀବାଲୁଙ୍କେଶ୍ୱରଙ୍କ ସେବାରେ ସମର୍ପଣ କରିବେ । ତଦନୁସାରେ ପୁଅ ଜନ୍ମ ହେବାର ଏକୋଇଶ ଦିନ ପରେ ମହାଦେବଙ୍କୁ ସମର୍ପଣ କରି ପୁଅକୁ ଘରକୁ ଆଣୁଥିଲେ । ପୁଅକୁ ଛ’ ସାତ ବର୍ଷ ବୟସ ହେବା ପରେ ଠାକୁରଙ୍କ ପାଖରେ ଛାଡ଼ି ଦେଉଥିଲେ । ପୁଅ ଚଉଦ ବର୍ଷ ବୟସ ହେବା ପର୍ଯ୍ୟନ୍ତ ଆଖଡ଼ାପିଲା ଭାବରେ ଠାକୁରଙ୍କ ସେବାରେ ଲାଗୁଥିଲା । ଚୁଟି କାଟୁ ନ ଥିଲା । ନୃତ୍ୟ, ଗୀତ ଆଦି ଶିକ୍ଷା ଲାଭ କରି ଠାକୁରଙ୍କ ପର୍ବପର୍ବାଣିରେ ନୃତ୍ୟ କରୁଥିଲା । ତାଛଡ଼ା ଠାକୁରଙ୍କ ଫୁଲତୋଳା, ମନ୍ଦିର ପରିଷ୍କାର ଓ ଅନ୍ୟାନ୍ୟ ସେବାପୂଜାରେ ସହାୟତା କରୁଥିଲେ । ଏହି ଧର୍ମୀୟ ଭାବଧାରା ମଧ୍ୟ ଗୋଟିପୁଅ ନୃତ୍ୟ ଧାରାର ବିକାଶରେ ସହାୟକ ହେଉଥିଲା । ଗୋଟିପୁଅ ନାଚର ନିଜସ୍ୱ କିଛି ସ୍ୱତନ୍ତ୍ର ଶୈଳୀ, ଭାବଭଙ୍ଗୀ, ପଦଚାଳନା ପଦ୍ଧତି ରହିଥିଲା । ଏଗୁଡ଼ିକୁ ଲୌକିକ ଭାଷାରେ ଛଇ, ଛଟକ, ଛପକ ଆଦି ଭାବରେ ଚିହ୍ନିତ କରାଯାଉଥିଲା । ଏ ବିଷୟରେ ପ୍ରାଚୀନ ଉକ୍ତିଟିଏ ଗୋଟିପୁଅଙ୍କୁ ନେଇ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଉଦ୍ଧାର କରି କହିଛନ୍ତି–

 

“ଉଠା ବଇଠା ଠିଆ ଚାଲି

ବୁଡ଼ା ଭସା ଭଉଁରୀ ପାଲି

ଆଖଡ଼ା ପିଲାର ଏ ଆଠ ବୋଲି ।”

 

ଉଠା-ଅର୍ଥାତ୍ ବସିଥିବା ଭଙ୍ଗୀରୁ ହଠାତ୍ ଠିଆ ହୋଇ ମର୍ଦ୍ଦଳର ବୋଲ (ଭକୁଟା ବା ବାଣୀ) ଅନୁସାରେ ନୃତ୍ୟ କରିବା ।

 

ବଇଠା-ମର୍ଦ୍ଦଳର ବୋଲ ଓ ତାଳକୁ ଆଧାର କରି ଗୋଟିପୁଅ ଆଣ୍ଠୁଠାରୁ ଅଣ୍ଟା ପର୍ଯ୍ୟନ୍ତ ଭୂମି ସହ ସମତଳରେ ରହି ଶରୀର ଭାରକୁ ପାଦ ଓ ଗୋଇଠି ଉପରେ ରଖି ନୃତ୍ୟ ପରିବେଷଣ କରିଥାଏ ।

 

ଠିଆ-ନୃତ୍ୟର ଆରମ୍ଭ ତଥା ଶେଷରେ ଏହି ଠିଆ ବା ଠାଇ ଭଙ୍ଗୀରେ ବାଦ୍ୟର ତାଳେ ତାଳେ ପଦପାତ କରିଥାଏ । ନୃତ୍ୟର ପ୍ରାରମ୍ଭରେ ନିଜର ଆରାଧ୍ୟ ଦେବତାଙ୍କୁ ପୁଷ୍ପ ଅର୍ପଣ ଠିଆ ନୃତ୍ୟ ମାଧ୍ୟମରେ କରିଥାଏ ।

 

ଚାଲି-ଗୋଟିପୁଅ ନର୍ତ୍ତକ ନୃତ୍ୟ ସହିତ ତାଳଦେଇ ସଙ୍ଗୀତ ଗାନ କରୁଥାଏ ଏବଂ ସେହି ଅନୁସାରେ ଆଗକୁ ତଥା ପଛକୁ ପଦପାତ କରୁଥାଏ । ଯେପରି ତାଳ, ଗୀତ ଏବଂ ପଦଚାଲି ଗୋଟିଏ ଛନ୍ଦରେ ରହୁଥିବ ସେଥିପ୍ରତି ଧ୍ୟାନ ଦେଇଥାଏ ।

 

ବୁଡ଼ା-ନୃତ୍ୟର ଚରମ ମୁହୂର୍ତ୍ତରେ ନର୍ତ୍ତକ ତା’ର ହାତକୁ ଊର୍ଦ୍ଧ୍ୱକୁ ଉତ୍ତୋଳିତ କରି, ଗୋଟିଏ ହାତରେ ଅନ୍ୟ ହାତର ଅଙ୍ଗୁଳିକୁ ଧରି ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରି ନୃତ୍ୟ ଓ ଗୀତର ରସରେ ବୁଡ଼ିଯାଇ ଆତ୍ମ ସତ୍ତା ହରାଇ ବସେ ।

 

ଭସା-ଏଥିରେ ଗୋଟିପୁଅ ବାମ ଓ ଡାହାଣ ଦିଗକୁ ଅଣ୍ଟା ପାଖରୁ ବଙ୍କାଇ ହୋଇ ହାତରେ ଅଭିନୟ ମୁଦ୍ରା ପ୍ରଦର୍ଶନପୂର୍ବକ ନୃତ୍ୟ ପରିବେଷଣ କରିଥାଏ । ଏହା ଦେଖିଲେ ମନେହେବ ଯେପରି ନର୍ତ୍ତକ ଶୂନ୍ୟରେ ପହଁରୁଛି ।

 

ଭଉଁରୀ-ଆଖଡ଼ା ପିଲାଙ୍କ ନୃତ୍ୟର ପ୍ରଥମକ୍ରମ ହେଉଛି ଭଉଁରୀ, ଏହାରି ମାଧ୍ୟମରେ ସେ ତା’ର ମନ ଓ ଚେତନାକୁ ସ୍ଥିର ଓ ଏକଲୟ କରିପାରୁଥିଲା । ଭଉଁରୀ କହିଲେ ମଞ୍ଚ ଉପରକୁ ଆସିବା ପରେ ଦେବତାଙ୍କୁ ପ୍ରଣାମ କରି ଚକ୍ରାକାରରେ ତିନିଥର ବୁଲିବ ତାପରେ ପୁନର୍ବାର ପ୍ରଣାମ କରି ଆଡ଼ଭଙ୍ଗୀରେ ଦଣ୍ଡାୟମାନ ହେବ । ଏହି ଭଉଁରୀ ନଅ ପ୍ରକାରର ରହିଛି ।

 

ପାଲି-ଏଥିରେ ପଛକୁ ପଦପାତ କରି ଆଖଡ଼ାପିଲା ନୃତ୍ୟ କରିଥାଏ ।

 

ଏହି ଉପର ବର୍ଣ୍ଣିତ ବିଭିନ୍ନ ଶୈଳୀ ଏବଂ ତାଳଲୟଯୁକ୍ତ ଗତି ଓ ଭଙ୍ଗୀ ବ୍ୟତୀତ ଗୋଟିପୁଅ ‘ପାରିଜା’ ବା ନୃତ୍ୟାଭିନୟ କରିଥାଏ । ଓଡ଼ିଶୀ ନୃତ୍ୟ ପରି ମାଦେଳୀ ସ୍ୱର ଉଚ୍ଚାରଣ କରି ବୋଲ ଦିଏ ଏବଂ ଗୋଟିପୁଅ ସେହି ବୋଲର ତାଳେ ତାଳେ ମୃଦୁ ଅଙ୍ଗଭଙ୍ଗୀ ସୃଷ୍ଟି କରି ନେତ୍ର ଭଙ୍ଗୀ, ହସ୍ତମୁଦ୍ରା ସହ ଶରୀର ସଞ୍ଚାଳନ କରିଥାଏ । ଗୋଟିପୁଅ ନୃତ୍ୟକୁ ପୁନଶ୍ଚ ଚାରି ଭାଗରେ ବିଭକ୍ତ କରାଯାଇ ପାରେ ଯଥା- ଆଙ୍ଗିକ, ବାଚିକ, ଆହାର୍ଯ୍ୟ ଏବଂ ସାତ୍ତ୍ୱିକ ।

 

ଆଙ୍ଗିକରେ ଶରୀରର ଅଙ୍ଗପ୍ରତ୍ୟଙ୍ଗର ବିଭିନ୍ନ ମୁଦ୍ରା ଏବଂ ଗତିଶୀଳତାକୁ ଆଧାର କରି ନିଜର ଭାବ ପ୍ରକାଶ କରିବା ଏହାକୁ ପାରିଜା ମଧ୍ୟ କୁହାଯାଏ । ଆହାର୍ଯ୍ୟ କହିଲେ ବେଶପୋଷାକ ଓ ସାଜସଜ୍ଜାକୁ ବୁଝାଇଥାଏ । ବାଚିକ ଅର୍ଥାତ୍ ଗୋଟିପୁଅ ନିଜେ ଗୀତ ଗାଇବା ଭିତରେ ନିଜର ଭାବକୁ ଦର୍ଶକଙ୍କ ପାଖକୁ ହୃଦୟଙ୍ଗମ କରିବା ପାଇଁ ପ୍ରେରଣ କରିବା । ବର୍ତ୍ତମାନ ଯଦିଓ ଗୋଟିପୁଅ ନିଜେ ନୃତ୍ୟ ସମୟରେ ଗୀତ ଗାଇ ନ ଥାନ୍ତି ତଥାପି ପାର୍ଶ୍ୱଗାୟକର ସ୍ୱରକୁ ଅନୁସରଣ କରି ଭାବ ପ୍ରେରଣ କରିଥାନ୍ତି । ସାତ୍ତ୍ୱିକ ଭାବ କହିଲେ ହିଁ ଗୋଟିପୁଅ ନୃତ୍ୟଗୀତ ଓ ଅଭିନୟ ଭିତରେ ସମ୍ପୂର୍ଣ୍ଣ ଭାବରେ ଭଗବାନଙ୍କଠାରେ ନିଜକୁ ସମର୍ପଣ କରିଦେବା, ଯାହା ଫଳରେ ତା’ର ଭାବ ଓ ମୁଖଣ୍ଡଳରୁ ସ୍ୱତଃ ଏକ ସାତ୍ତ୍ୱିକଭାବ ଫୁଟି ଉଠିବ ।

 

ଉପରେ ସୂଚିତ ଗୋଟିପୁଅ ନାଚର ବିଭିନ୍ନ ଆଙ୍ଗିକ ଓ ଆତ୍ମିକ ଦିଗରୁ ସଫଳ ନର୍ତ୍ତକ ହେବାପାଇଁ ଆଖଡ଼ା ପିଲାମାନଙ୍କୁ ଅତି ପିଲାବେଳୁ କଠିନ ପରିଶ୍ରମ ଓ ସାଧନା ଭିତରେ ଗତି କରିବାକୁ ପଡ଼ିଥାଏ । କାରଣ ଏହା ଏକ ସାଧାରଣ ନୃତ୍ୟ ଭାବରେ ସେ ସମୟରେ ବିବେଚିତ ହେଉ ନ ଥିଲା । ଏହା ପଛରେ ରହିଥିଲା ଭକ୍ତି, ତ୍ୟାଗ, ଯୋଗ ଓ ବିଭୂ ପ୍ରେରଣା । ଏଥିପାଇଁ ନିଜର ପାଞ୍ଚ-ଛଅ ବର୍ଷର ପୁଅକୁ ଗୁରୁ କୁଳରେ ଶିକ୍ଷାଲାଭ ପାଇଁ ଛାଡ଼ିଲାବେଳେ ପିତାମାତାଙ୍କ ସ୍ୱୀକୃତି ଓ ନିଷ୍ଠା ତଥା ପୁଅର ଆଗ୍ରହ ମଧ୍ୟ ମୁଖ୍ୟ ଭାବରେ ଗୃହୀତ ହେଉଥିଲା ।

 

ଗୋଟିପୁଅ ନୃତ୍ୟ ଶିକ୍ଷାର ପ୍ରାରମ୍ଭ ସମୟ ଥିଲା ପାଞ୍ଚ, ଛଅ କିମ୍ବା ସାତବର୍ଷ ବୟସ । କାରଣ ଏହି ବୟସରେ ହିଁ ପିଲାମାନଙ୍କର ହାଡ଼ ଓ ମାଂସପେଶୀ ଅତି କୋମଳ ଥାଏ ଯାହାକି ସହଜରେ ନୃତ୍ୟର ଯୌଗୀକ ସ୍ଥିତି ଅନୁସାରେ ନମନଶୀଳ ହୋଇ ପାରିଥାଏ । ଗୁରୁକୁଳରେ ରହି ଗୋଟିପୁଅ ନୃତ୍ୟ ଶିକ୍ଷାକାରୀଙ୍କୁ ପୃଷ୍ଠପୋଷକଙ୍କ ପକ୍ଷରୁ ହେଉ କିମ୍ବା ଗୁରୁଙ୍କ ତରଫରୁ ଖାଦ୍ୟପେୟ ଆଦିର ବ୍ୟବସ୍ଥା କରାଯାଇଥାଏ । ତା ସହିତ ଚାଟଶାଳୀର ପାଠ ପଢ଼ିବା ବ୍ୟବସ୍ଥା ମଧ୍ୟ ଗୁରୁଙ୍କଦ୍ୱାରା କରାଯାଇଥାଏ ।

 

ପାହାନ୍ତି ପହରରୁ ଉଠି ଗୋଟିପୁଅମାନେ ସଙ୍ଗୀତ ଗାଇବା ପାଇଁ ଗଳାସାଧନା ଆରମ୍ଭ କରିଥାନ୍ତି । ଗଳାସାଧନା ମୁଖ୍ୟତଃ ଉଡ୍ର ନୃତ୍ୟ ଓ ଓଡ଼ିଶୀ ସଙ୍ଗୀତ ଆଧାରିତ ରାଗ ରାଗିଣୀ ଉପରେ ହିଁ ଆଧାରିତ ଥାଏ । ଏହାପରେ ପ୍ରାଚୀନ ବୈଷ୍ଣବ କବିମାନଙ୍କ ପଦାବଳୀକୁ ମୁଖସ୍ଥ କରିଥାନ୍ତି ଓ ସେହି ସଙ୍ଗୀତ ଆଧାରରେ ରିଆଜ କରିଥାନ୍ତି । ଏହାପରେ ପ୍ରାତଃ କାଳରେ ବ୍ୟାୟାମ ଏବଂ ଯୋଗର ଅଭ୍ୟାସ ଆରମ୍ଭ କରନ୍ତି । ବ୍ୟାୟାମ ପରେ ଗୁରୁ ଶିଷ୍ୟମାନଙ୍କୁ ଶୁଆଇ ଦେଇ ତାଙ୍କର ଆପାଦମସ୍ତକ ତୈଳ ମର୍ଦ୍ଦନର ବ୍ୟବସ୍ଥା କରନ୍ତି । ଏହାଦ୍ୱାରା ହାତ ଗୋଡ଼ ଓ ଶରୀରର ଭିନ୍ନ ଭିନ୍ନ ଭାଗ ଅଧିକ ନମନଶୀଳ ଓ କୋମଳ ହୋଇଯାଏ, ଯଦ୍ୱାରାକି ଗୋଟିପୁଅ ନାଚର ବିଭିନ୍ନ ଯୋଗ ସମ୍ବନ୍ଧୀୟ କଳାକୌଶଳ ପ୍ରଦର୍ଶନରେ ଅସୁବିଧା ନ ହୁଏ ।

 

ଗଳାସାଧନା, ସଙ୍ଗୀତ ସାଧନା, ବ୍ୟାୟାମ ଏବଂ ତୈଳ ମର୍ଦ୍ଦନ ପରେ ଶିଷ୍ୟମାନଙ୍କୁ ପୁଷ୍ଟିକର ଖାଦ୍ୟ ଭାବରେ ଖେଚେଡ଼ି ଦିଆଯାଇଥାଏ । ଖେଚେଡ଼ି ସହିତ ଦହି, ପାଚିଲା କଦଳୀ ଦିଆଯାଏ । କିମ୍ବା ଚୂଡ଼ାରେ ଦହି କଦଳୀ ଏବଂ କୋରା ନଡ଼ିଆ ପକାଇ ଚୂଡ଼ା ଚକଟା ଦିଆଯାଏ । ଏହାପରେ ଗୋଟିପୁଅ ଶିଷ୍ୟମାନେ ଚାଟଶାଳୀକୁ ପାଠ ପଢ଼ିବାକୁ ଯାଇଥାନ୍ତି । ଚାଟଶାଳୀରୁ ଫେରିବା ପରେ ସାମାନ୍ୟ ବିଶ୍ରାମ ନେଇ ଅପରାହ୍ନରେ ପୁନର୍ବାର ସଙ୍ଗୀତ ଏବଂ ନୃତ୍ୟଶିକ୍ଷା ଆରମ୍ଭ କରିଥାନ୍ତି । ବର୍ତ୍ତମାନ କାଳଖଣ୍ଡରେ ଯଦିଓ ସଙ୍ଗୀତ ଗାନ ପାଇଁ ସଙ୍ଗୀତଜ୍ଞ ରହୁଛନ୍ତି, କିନ୍ତୁ ପ୍ରାଚୀନ ସମୟରେ ଗୋଟିପୁଅଙ୍କୁ ହିଁ ଗୀତ ଗାଇବା ସହ ନୃତ୍ୟ ପରିବେଷଣ କରିବାକୁ ପଡ଼ୁଥିଲା ।

 

ଗୋଟିପୁଅ ନୃତ୍ୟ ଶିକ୍ଷାର୍ଥୀମାନେ ବେଳେବେଳେ ଗଳାସାଧନା ପାଇଁ ବେକ ପର୍ଯ୍ୟନ୍ତ ପାଣିରେ ରହି ରିଆଜ କରିଥାନ୍ତି । ନୃତ୍ୟରେ ଶତକଡ଼ା ଶହେ ସମର୍ଥ ହେବାପାଇଁ ପ୍ରତ୍ୟହ ପଦଚାଳନା, ହସ୍ତମୁଦ୍ରା ସଞ୍ଚାଳନ, ଶରୀରର ଭିନ୍ନ ଭିନ୍ନ ଅଙ୍ଗ ସଞ୍ଚାଳନ, ଗ୍ରୀବା, ମସ୍ତକ, ଚକ୍ଷୁଚାଳନା ଆଦି ଶିକ୍ଷା ମଧ୍ୟ ଗ୍ରହଣ କରିଥାନ୍ତି । ସଙ୍ଗୀତ ଓ ନୃତ୍ୟର ତାଳ, ଲୟ ଉପରେ ମଧ୍ୟ ଗୋଟିପୁଅମାନେ ଅଭ୍ୟସ୍ତ ହୋଇଥାନ୍ତି ।

 

ଗୋଟିପୁଅ ନାଚର ସବୁଠାରୁ ଉଲ୍ଲେଖଯୋଗ୍ୟ ତଥା ଦର୍ଶନୀୟ ନୃତ୍ୟ ହେଉଛି ବନ୍ଧ ନୃତ୍ୟ । ବନ୍ଧନୃତ୍ୟରେ ନୃତ୍ୟ ସହିତ ତାଳ ଦେଇ ବିଭିନ୍ନ ବନ୍ଧର ପ୍ରଦର୍ଶନ କରିବାକୁ ପଡ଼ିଥାଏ । ବନ୍ଧ ନୃତ୍ୟ କହିଲେ ହିଁ ନୃତ୍ୟ ସହ ଶାରୀରିକ କଳା କୌଶଳର ପ୍ରଦର୍ଶନକୁ ବୁଝାଏ । ବନ୍ଧନୃତ୍ୟ ସମ୍ପର୍କରେ ‘ଅଭିନୟ ଚନ୍ଦ୍ରିକା’ ପୁସ୍ତକରେ ମହେଶ୍ୱର ମହାପାତ୍ର ଉଲ୍ଲେଖ କରି- ଗଗନ, ଦ୍ୱିମୁଖ, ତୋରଣ, ସଂୟନ, କ୍ଷୁଦ୍ର, ତ୍ରିଶୂଳ, ବୃତ୍ତାଙ୍ଗ, ଡମ୍ବରୁ, ପ୍ରଦୀପ ଏବଂ ମିଥୁନାଶ୍ରୟ ଆଦି ବନ୍ଧର ସୂଚନା ଦେଇଥିଲେ ହେଁ ଲୋକନୃତ୍ୟ ପରମ୍ପରାରେ ଗୋଟିପୁଅ ନୃତ୍ୟଗୁରୁମାନେ ଏହାର ବିଭିନ୍ନ ଲୌକିକ ନାମକରଣ କରି ତଦନୁସାରେ ବନ୍ଧ ନୃତ୍ୟ ପ୍ରଦର୍ଶନ କରିଥାନ୍ତି । ଗୋଟିପୁଅ ନୃତ୍ୟଗୁରୁଙ୍କଦ୍ୱାରା ପ୍ରବର୍ତ୍ତିତ ହେଉଥିବା ବନ୍ଧ ନୃତ୍ୟର ନାମଗୁଡ଼ିକ ହେଉଛି- ଚିରା, ପଦ୍ମାସନା, ହଂସ, ମୟୁର, ଚରାମୟୁର, କେଳିକଦମ୍ବ, ଗରୁଡ଼, କନ୍ଦର୍ପରଥ, ଶଗଡ଼ି, ନୌକା, କାଳୀୟଦଳନ, ବକାସୁର, ଖାଇ, ଚକ୍ରି, ନହୁଣିଆ, ଓଲଟଚିତ୍‌, ଏକପାଦିଆ । ଏହାବ୍ୟତୀତ ଗୋଟିପୁଅ ନୃତ୍ୟଗୁରୁମାନେ ସ୍ୱକୀୟ ଚିନ୍ତାଧାରାରୁ ନୂତନ ବନ୍ଧ ନୃତ୍ୟର ପରିକଳ୍ପନା କରିଥାନ୍ତି ।

 

ଗୋଟିପୁଅମାନେ ବନ୍ଧନୃତ୍ୟ ମାଧ୍ୟମରେ ହିଁ ନିଜର ଶ୍ରେଷ୍ଠତ୍ୱ ଏବଂ ପରାକାଷ୍ଠା ଦେଖାଇଥାନ୍ତି । କିଶୋର ବୟସ ଚାଲିଗଲା ପରେ କ୍ରମଶଃ ଅଙ୍ଗପ୍ରତ୍ୟଙ୍ଗ କଠିନ ହେବା ଆରମ୍ଭ ହେଲେ ଏ ନୃତ୍ୟ କରିବା ସମ୍ଭବ ହୁଏନାହିଁ । ଆନ୍ତର୍ଜାତିକ ତଥା ସର୍ବଭାରତୀୟ ସ୍ତରରେ ଯଦି ଗୋଟିପୁଅ ନାଚ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରି ସୁନାମ ଆଣିପାରିଛି ତାହା କେବଳ ବନ୍ଧନାଚରେ ରହିଥିବା ଅଭିନବତ୍ୱ ପାଇଁ ।

 

ବନ୍ଧ ନୃତ୍ୟ ଶିକ୍ଷା ସହିତ ଅପରାହ୍ନରେ ପଦସାଧନା ମଧ୍ୟ କରିଥାନ୍ତି । ଏହାକୁ ଲୌକିକ ଭାଷାରେ ଅରସା, ଖଣ୍ଡି, ଗତି ଆଦି ଭେଦରେ ବିଭକ୍ତ କରାଯାଇଥାଏ । କାରଣ ପ୍ରତ୍ୟେକ ବନ୍ଧନାଚ ପରେ ଗୋଟିପୁଅ ଉକୁଟ ଓ ତାଳ ମାଧ୍ୟମରେ ଅନ୍ୟ ଏକ ବନ୍ଧନୃତ୍ୟ ପାଇଁ ପ୍ରସ୍ତୁତ ହୋଇଥାନ୍ତି । ବୋଲ୍ ମାଧ୍ୟମରେ କୁହାଯାଇଥାଏ ଯଥା,-ଚଟାକଡ଼ା ତାକ୍‌, ଚଉକା କଡ଼ା ତାକ୍‌, ପଞ୍ଜାକଡ଼ା ତାକ୍ ଏବଂ ଗୋଇଠି କଡ଼ା ତାକ୍ ଇତ୍ୟାଦି ।

 

ପଦସାଧନା ପରେ ପରେ ନେତ୍ର ସାଧନା, ଗ୍ରୀବା ସାଧନା ବା ନେତ୍ର ଚାଳନା, ଗ୍ରୀବା ଚାଳନା ଶିକ୍ଷା କରିଥାନ୍ତି । ତାପରେ ବିଭିନ୍ନ ମୁଦ୍ରା ଚାଳନା ସମ୍ପର୍କରେ ଶିକ୍ଷା ଗ୍ରହଣ କରିଥାନ୍ତି । ସେଗୁଡ଼ିକ ହେଲା- ପ୍ରଦୀପ, ଗବାକ୍ଷ, ତାମ୍ବୁଳ, ଆକାଶ, ପାଣି, ରାତ୍ରୀ, ରାଧାକୃଷ୍ଣ, ଶିବ, ବ୍ରହ୍ମା, ଚନ୍ଦ୍ର, ସୂର୍ଯ୍ୟ, ବଜ୍ର । ଏହାଛଡ଼ା କୁମ୍ଭ, ଧନୁ, ସ୍ତମ୍ଭ ଆଦି ପାଦମୁଦ୍ରା । ପତାକା, କର୍ତ୍ତରୀମୁଖ, ଅର୍ଦ୍ଧଚନ୍ଦ୍ର, ଆରାଳ, ମୟୁର, ଶିଖର, ଅଳପଦ୍ମ, ଚତୁର, ସର୍ପଶୀର୍ଷ, ମୃଗଶୀର୍ଷ, ହଂସମୁଖ, ସିଂହମୁଖ, ତ୍ରିଶୂଳ ଆଦି ହସ୍ତମୁଦ୍ରା ମଧ୍ୟ ଶିକ୍ଷା ଗ୍ରହଣ କରିଥାନ୍ତି ।

 

ଗୋଟିପୁଅ ନର୍ତ୍ତକମାନେ ପ୍ରାୟ ବିଂଶ ଶତାବ୍ଦୀର ଆଦ୍ୟଭାଗ ପର୍ଯ୍ୟନ୍ତ ନିଜେ ଗୀତ ଗାଇବା ସହ ନୃତ୍ୟ ପରିବେଷଣ କରୁଥିଲେ । ତାଙ୍କ ସହିତ ଜଣେ ଗୁରୁ, ଦୁଇଜଣ ବା ତିନିଜଣ ବାଦ୍ୟକାର ରହୁଥିଲେ । ମୁଖ୍ୟତଃ ବାଦ୍ୟଯନ୍ତ୍ର ମଧ୍ୟରେ ପଖଉଜ, ଗୀନି ତଥା ବଂଶୀର ବ୍ୟବହାର ହେଉଥିଲା । ପରବର୍ତ୍ତୀ ସମୟରେ ହାରମୋନିୟମ ଇତ୍ୟାଦି ସଂଯୁକ୍ତ ହୋଇଥିଲା । ଆଜିପରି ବେଶଭୂଷାରେ ମଧ୍ୟ ବିଶେଷ କିଛି ଆଡ଼ମ୍ବର ନ ଥିଲା । ମୁକ୍ତ ରଙ୍ଗମଞ୍ଚରେ ପ୍ରଦର୍ଶିତ ହେଉଥିବା ଗୋଟିପୁଅ ନାଚ ପାଖରେ ଦିହୁଡ଼ି ଜଳୁଥିଲା ପରେ ପରେ ପ୍ରେଟ୍ରୋମ୍ୟାକ୍‌ସ ଆଲୁଅର ବ୍ୟବହାର ହୋଇଥିଲା ।

 

ଆଧୁନିନକତାର ସ୍ପର୍ଶରେ ତଥା ସମୟ ସହ ତାଳଦେଇ ଗୋଟିପୁଅ ନାଚରେ ମଧ୍ୟ ବହୁ ପରିବର୍ତ୍ତନ ଦେଖା ଦେଇଛି । ବର୍ତ୍ତମାନ ଗୋଟିପୁଅ ନାଚ ଏକାଧିକ ନର୍ତ୍ତକଙ୍କୁ ନେଇ ଗୋଷ୍ଠୀଗତ ନୃତ୍ୟରେ ପରିଣତ ହୋଇଯାଇଛି । ବାଦ୍ୟଯନ୍ତ୍ର ମଧ୍ୟ ବହୁଭାବରେ ସଂଯୁକ୍ତ ହୋଇଛି । ମର୍ଦଳ ସହିତ ତବଲା, ଭାଓଲିନ୍‌, ଗୀନି, ହାରମୋନିୟମ, ବୀଣା, କେନ୍ଦେରା, ଚାଙ୍ଗୁ ମଧ୍ୟ ବ୍ୟବହାର ହେଉଛି । ନୃତ୍ୟଗୁରୁ ବୋଲ ଡାକିବାବେଳେ ପାଳିଆମାନେ ମଧ୍ୟ ପାଳି ଧରୁଛନ୍ତି ।

 

ବିଶେଷ କଥା ହେଲା ଗୋଟିପୁଅ ନାଚରେ କୌଣସି ଦୀର୍ଘ ଆଖ୍ୟାୟିକା ବା କିମ୍ବଦନ୍ତୀ ଆଧାରିତ କଥାବସ୍ତୁର ଅବଲମ୍ବନରେ ଅଭିନୟ ପ୍ରସ୍ତୁତ ହୁଏ ନାହିଁ । ଗୀତଗୁଡ଼ିକ ମୁଖ୍ୟତଃ ରାଧାକୃଷ୍ଣ ପ୍ରେମଲୀଳା ଆଧାରିତ,- କବିସମ୍ରାଟ୍‍ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ, ଭକ୍ତ କବି ଦୀନକୃଷ୍ଣ ଦାସ, ଗୋପାଳ କୃଷ୍ଣ, ବନମାଳୀ, ଆଦିଙ୍କ ପଦାବଳୀ ସହିତ ଅନ୍ୟାନ୍ୟ କବିଙ୍କ ରଚିତ ଛାନ୍ଦ, ଚମ୍ପୂ, ଚଉପଦୀ ଗାୟନପୂର୍ବକ ଅଭିନୟ କରିଥାନ୍ତି । ଅବଶ୍ୟ କିଛି ଗୋଟିପୁଅ ଦଳ ବର୍ତ୍ତମାନ ସମୟରେ ଉତ୍କଳ ବନ୍ଦନା, ଭାରତ ବନ୍ଦନା ତଥା ମହାପୁରୁଷମାନଙ୍କ ବନ୍ଦନା ଗାନ ସହ ନୃତ୍ୟାଭିନୟ କରୁଛନ୍ତି ।

 

ଗୋଟିପୁଅ ନାଚର ମଧ୍ୟ ଏକ ବ୍ୟାକରଣ ରହିଛି । ତଦନୁସାରେ ସେମାନେ ଗୋଟିଏ ନିର୍ଦ୍ଦିଷ୍ଟ କ୍ରମରେ ନୃତ୍ୟ ପରିବେଷଣ କରିଥାନ୍ତି । ବର୍ତ୍ତମାନ ସମୟରେ ବାଦ୍ୟର ତାଳ ସହିତ ପଦଚାଳନା କରି ଗୋଟିପୁଅମାନେ ମଞ୍ଚ ପ୍ରବେଶ କରି ଆରାଧ୍ୟଙ୍କୁ ପୁଷ୍ପ ଅର୍ପଣ ସହିତ ଦେବ ବନ୍ଦନା, ତାପରେ ଗୁରୁ ବନ୍ଦନା, ଭୂମି ପ୍ରଣାମ ଏବଂ ସଭା ପ୍ରଣାମ କରିଥାନ୍ତି । ଏହାପରେ ଲୋକନୃତ୍ୟ ପରମ୍ପରା ଆଧାରରେ ଜନତା ଦର୍ଶକଙ୍କୁ ନୃତ୍ୟ ଆରମ୍ଭ ପାଇଁ ଅନୁମତି ମାଗିଥାନ୍ତି । ଏହାପରେ ବାଦ୍ୟର ତାଳ ସହିତ ତାଳ ଦେଇ ଆମ ମନ୍ଦିରଗାତ୍ରରେ ରହିଥିବା ମୂର୍ତ୍ତିମାନଙ୍କର ନୃତ୍ୟ ମୁଦ୍ରାକୁ ପ୍ରଦର୍ଶିତ କରିଥାନ୍ତି ଏହାକୁ ଶୁଦ୍ଧ ନୃତ୍ୟ ଭାବରେ ପରିବେଷଣ କରାଯାଇଥାଏ ଏବଂ ଏଥିରେ କୌଣସି ଗୀତ ଗାୟନ କରାଯାଇ ନ ଥାଏ । ଏହା ପରେ ପରେ ରାଗ ଆଧାରିତ ନୃତ୍ୟ ପରିବେଷିତ ହୋଇଥାଏ । ନାଚର ପରବର୍ତ୍ତୀ ପର୍ଯ୍ୟାୟ ହେଉଛି ଅଭିନୟ । ଏହି ଅଭିନୟ ଭିତରେ ହିଁ ପ୍ରାଚୀନ କବିଙ୍କ ପଦାବଳୀର ନୃତ୍ୟରୂପକୁ ଦର୍ଶକଙ୍କଠାରେ ପହଞ୍ଚାଇଥାନ୍ତି । ପରିଶେଷରେ ବନ୍ଧ ନୃତ୍ୟ ମାଧ୍ୟମରେ ଦର୍ଶକଙ୍କ ମନ ମୋହି ମଞ୍ଚ ପ୍ରସ୍ଥାନ କରିଥାନ୍ତି ।

 

ପରିଶେଷରେ ଗୋଟିପୁଅ ନାଚ ସମ୍ପର୍କରେ ଏତିକି କୁହାଯାଇପାରେ ଯେ, ମାହାରୀ ନୃତ୍ୟର ପରିପୂରକ ଭାବରେ ଗୋଟିପୁଅ ନାଚର ସୃଷ୍ଟି ହୋଇଥିଲେ ହେଁ, ଏହି ନୃତ୍ୟଧାରା ହିଁ ଓଡ଼ିଶୀ ନୃତ୍ୟର ଶାସ୍ତ୍ରୀୟ ମାନ୍ୟତା ପ୍ରଦାନର ପ୍ରଧାନ ସହାୟକ ଥିଲା । ଓଡ଼ିଶୀ ନୃତ୍ୟର ପ୍ରାରମ୍ଭିକ ପର୍ଯ୍ୟାୟର ସମସ୍ତ ଗୁରୁ ପ୍ରାୟତଃ ଗୋଟିପୁଅ ନର୍ତ୍ତକ ଥାଇ ପରେ ଗୁରୁ ଭାବରେ ପ୍ରତିଷ୍ଠିତ ହୋଇ ଓଡ଼ିଶୀ ନୃତ୍ୟର ଶାସ୍ତ୍ରୀୟ ପ୍ରାଣ ପ୍ରତିଷ୍ଠା କରିଥିଲେ । ଏ ଦୃଷ୍ଟିରୁ ଦେଖିଲେ ନୃତ୍ୟଗୁରୁ କେଳୁଚରଣ ମହାପାତ୍ର ହେଉଛନ୍ତି ଶ୍ରେଷ୍ଠ ଉଦାହରଣ ।

Image

 

Unknown

ପ୍ରାଚୀନ ଓଡ଼ିଆ ନୃତ୍ୟଶୈଳୀ; ମାହାରୀ ନୃତ୍ୟ ଓ ଓଡ଼ିଶୀ ଏକ ବିମର୍ଶ

 

ପ୍ରତ୍ୟେକ ଜାତିର ସଭ୍ୟତା ଏବଂ ସଂସ୍କୃତି ହେଉଛି ତା’ର ଆତ୍ମପରିଚୟର ମୂଳଭିତ୍ତି । ତେଣୁ ଯେ କୌଣସି ଜାତି ବା ଗୋଷ୍ଠୀର ଶ୍ରେଷ୍ଠତ୍ୱକୁ ଖୋଜିବସିଲାବେଳେ ଆମକୁ ପ୍ରଥମେ ତା’ର ସାଂସ୍କୃତିକ ଶ୍ରେଷ୍ଠତ୍ୱ ପ୍ରତି ଦୃଷ୍ଟିଦେବାକୁ ପଡ଼ିଥାଏ । ସାଂସ୍କୃତିକ ଶ୍ରେଷ୍ଠତ୍ୱ କହିଲେ ହିଁ ସେହି ଜାତି ବା ଦେଶର ନୃତ୍ୟ, ସଙ୍ଗୀତ, ସାହିତ୍ୟ ତଥା ଶିଳ୍ପ କଳା, ଭାସ୍କର୍ଯ୍ୟ, ଆଚାର ବିଚାର ଇତ୍ୟାଦିକୁ ମଧ୍ୟ ସାଂସ୍କୃତିକ ପ୍ରେକ୍ଷାପଟ୍ଟରେ ଆକଳନ କରିବାକୁ ପଡ଼ିଥାଏ । ଉପରୋକ୍ତ ବିଭିନ୍ନ ବିଭବମାନଙ୍କ ମଧ୍ୟରେ ନୃତ୍ୟକୁ ଶ୍ରେଷ୍ଠ ଭାବରେ ଗ୍ରହଣ କରାଯାଇପାରେ କାରଣ ଏହା ତୈର୍ଯ୍ୟତିକା ଅର୍ଥାତ୍‍ ଗୀତ, ବାଦ୍ୟ ଓ ଅଭିନୟର ମିଳିତ ରୂପ । ଅପର ପକ୍ଷରେ ନୃତ୍ୟାଭିନୟ ହିଁ ଥିଲା ମଣିଷର ଭାବ ବିନିମୟର ଅନ୍ୟତମ ପ୍ରାଚୀନ ଅଭିବ୍ୟକ୍ତି । ଜଣକ ଜୀବନର ସୁଖ ଦୁଃଖ, ଭୟ, ବିସ୍ମୟ, ଭକ୍ତି, ଆନନ୍ଦ, ଘୃଣା ଇତ୍ୟାଦି ପ୍ରଦର୍ଶନର ମୁଖ୍ୟ ଭାଷା ଥିଲା ଅଙ୍ଗ ପ୍ରଦର୍ଶନ, ଚକ୍ଷୁ ଓ ଓଠର ଭାବ ପରିବର୍ତ୍ତନ । ଏହାଦ୍ୱାରା ନୃତ୍ୟରତ ବ୍ୟକ୍ତିର ମନର ଭାବ ସମ୍ପ୍ରେଷିତ ହୋଇ ଅନ୍ୟ ବ୍ୟକ୍ତି ନିକଟରେ ପହଞ୍ଚିଥାଏ ।

 

ଏହି ପରିପ୍ରେକ୍ଷୀରେ ବିଚାର କରିବାକୁ ଗଲେ ପୃଥିବୀର ବିଭିନ୍ନ ପ୍ରାନ୍ତରେ ଗଢ଼ି ଉଠିଥିବା ସମ୍ପ୍ରଦାୟମାନଙ୍କ ପରି ପ୍ରାଚୀନ ଓଡ଼ିଶାର ମଧ୍ୟ ଏକ ସମୃଦ୍ଧ ସାଂସ୍କୃତିକ ପରମ୍ପରା ଖ୍ରୀଷ୍ଟପୂର୍ବ ପାଞ୍ଚଶହ କିମ୍ବା ତା’ଠାରୁ ପ୍ରାଚୀନ ସମୟରୁ ରହିଆସିଛି । ଏହି ପରମ୍ପରାର ପ୍ରାଚୀନ ନୃତ୍ୟ ଓ ଅଭିନୟ ଶୈଳୀ କେଉଁ ନାମରେ ନାମିତ ଥିଲା ତାହା କହିବା କଷ୍ଟକର ହେଲେ ହେଁ ତାହା ଯେ ପ୍ରାଚୀନ ଏହି ଓଡ଼ିଆ ଭୂଖଣ୍ଡର ପ୍ରାଣବିନ୍ଦୁ ଥିଲା ଏକଥା ସ୍ୱୀକାର କରିବାକୁ ପଡ଼ିବ । ଅବଶ୍ୟ ଏହା ସେ ସମୟରେ ଲୋକନୃତ୍ୟ ଭାବରେ ହିଁ ପରିବର୍ଦ୍ଧିତ ଓ ପ୍ରସାରିତ ଥିଲା ଯାହାକି କାଳକ୍ରମେ ନିର୍ଦ୍ଦିଷ୍ଟ ତଥା ବିଧିବଦ୍ଧ ନିୟମାନୁବର୍ତ୍ତୀ ହୋଇ ବା କ୍ରମଶଃ ଶାସ୍ତ୍ରୀୟ ରୀତି ଓ ଶୈଳୀର ବର୍ଗବନ୍ଧନୀ ମଧ୍ୟରେ ଆବଦ୍ଧ ହୋଇ ଓଡ଼ିଶୀନୃତ୍ୟର ନାମ ପରିଗ୍ରହଣ କରିଥିଲା । ଏ ପ୍ରକ୍ରିୟା ଥିଲା ଶହଶହ ବର୍ଷର ସାଂସ୍କୃତିକ କ୍ରମ ବିବର୍ତ୍ତନ ଓ ବିବର୍ଦ୍ଧନର ପରିଣତି । ତେବେ ମୁଖ୍ୟତଃ ଏହାକୁ ତିନୋଟି ପର୍ଯ୍ୟାୟ ମଧ୍ୟରେ ସୀମିତ କରାଯାଇପାରେ । ପ୍ରଥମତଃ ଓଡ଼ିଶା ଜାତିର ମେରୁଖୁଣ୍ଟ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣର ପୂର୍ବାବସ୍ଥା ଅର୍ଥାତ୍ ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀ ପୂର୍ବ ଓଡ଼ିଆ ନୃତ୍ୟ । ଦ୍ୱିତୀୟତଃ ଶ୍ରୀମନ୍ଦିର ନିର୍ମାଣ ପରେ ଏ ନୃତ୍ୟକୁ ମାହାରୀ ବା ଦେବଦାସୀ ନୃତ୍ୟ ଭାବରେ ପ୍ରାଣ ସଞ୍ଚାରିତ କରାଇ ଜୟଦେବଙ୍କ ଗୀତଗୋବିନ୍ଦ ମାଧ୍ୟମରେ ପ୍ରତିଷ୍ଠା ପ୍ରଦାନ । ତୃତୀୟରେ ପ୍ରତାପରୁଦ୍ର ଦେବଙ୍କ ସମୟରୁ ଅର୍ଥାତ୍ ଷୋଡ଼ଶ ଶତାବ୍ଦୀର ଆଦ୍ୟରୁ ଓଡ଼ିଆ ରାଗରାଗିଣୀଯୁକ୍ତ ଛାନ୍ଦ, ଚମ୍ପୂ, ଚଉତିଶା ମାଧ୍ୟମରେ ଏହାର ପରିବୃଦ୍ଧି ଘଟି ପ୍ରାଗ୍‍ସ୍ୱାଧୀନତା ଓ ସ୍ୱାଧୀନତା କାଳରେ ଓଡ଼ିଶୀ ନୃତ୍ୟର ନାମକରଣ । ଅବଶ୍ୟ ଏଠି ଗୋଟିଏ କଥା କହି ରଖିଲେ ଭୁଲ ହେବନାହିଁ ଯେ ପ୍ରତାପରୁଦ୍ର ଦେବଙ୍କ ପରେ ପରେ ଓଡ଼ିଶା ଆଫଗାନ୍ ଓ ମୋଗଲମାନଙ୍କ ଆକ୍ରମଣରେ କବଳିତ ହେବା ହେତୁ, ବିଜୟୀ ଜାତିଙ୍କ ସମକ୍ଷରେ ଏ ନୃତ୍ୟ ଦେବଦାସୀଙ୍କଦ୍ୱାରା ପରିବେଷଣ ନ କରିବା ପାଇଁ ପୁଅପିଲାଙ୍କୁ ନୃତ୍ୟଶିକ୍ଷା ଦେଇ ଉପସ୍ଥାପିତ କରାଗଲା ଯାହାକି ଗୋଟିପୁଅ ନୃତ୍ୟ ଭାବରେ ଏବେ ବିଖ୍ୟାତ ।

 

ବର୍ତ୍ତମାନର ଓଡ଼ିଶା, ପ୍ରାଚୀନ କାଳରେ କଳିଙ୍ଗ, ଉତ୍କଳ, କଙ୍ଗୋଦ, କୋଶଳ ଏବଂ ଉଡ୍ର ଆଦି ନାମରେ ନାମିତ ହୋଇ ନିଜର ସୀମାରେଖାକୁ ଭିନ୍ନ ଭିନ୍ନ ସମୟରେ ସଙ୍କୁଚିତ ଓ ପ୍ରସାରିତ କରି ଆସିଥିଲା । ପରବର୍ତ୍ତୀ କାଳରେ ଉଡ୍ର ଶବ୍ଦରୁ ଓଡ଼ିଶା ଶବ୍ଦର ଉତ୍ପନ୍ନ ହୋଇ ସମସ୍ତ ଭୂଖଣ୍ଡର ନାମ ମଧ୍ୟ ସେହି ଅନୁସାରେ ନାମିତ ହୋଇଥିଲା । ଓଡ଼ିଶୀ ନୃତ୍ୟ ଏବଂ ସଙ୍ଗୀତର ପ୍ରାଚୀନତା ପରିପ୍ରେକ୍ଷୀରେ ବୈଦିକ ଯୁଗର ପରବର୍ତ୍ତୀ ସମୟରେ ରଚିତ ଭରତଙ୍କ ନାଟ୍ୟ ଶାସ୍ତ୍ରରେ ଯେଉଁ ଚାରିପ୍ରକାରର ପ୍ରାନ୍ତୀୟ ନୃତ୍ୟାଭିନୟର କଥା କହିଥିଲେ ତନ୍ମଧ୍ୟରୁ ଉଡ୍ରମାଗଧୀ(୧) ଅନ୍ୟତମ । କାରଣ, ଓଡ଼ିଶାର ପ୍ରାଚୀନ ନାମ ଭାବରେ ‘ଉଡ୍ର’ ଶବ୍ଦର ବ୍ୟବହାର କରାଯାଇ ଏହାକୁ ‘ଉଡ୍ରଦେଶ’ କୁହାଯାଉଥିଲା । ତେଣୁ ଭରତ ତାଙ୍କ ନାଟ୍ୟ ଶାସ୍ତ୍ରରେ ଅବନ୍ତୀ, ଦାକ୍ଷିଣାତ୍ୟ, ପାଞ୍ଚାଳୀ ଏବଂ ‘ଉଡ୍ର ମାଗଧୀ’କୁ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ପ୍ରଦାନ କରିଥିଲେ । କାଳକ୍ରମେ ଉଡ୍ରଦେଶ ଓଡ଼ିଶାକୁ ରୂପାନ୍ତରିତ ହେବାପରି ଉଡ୍ର ନୃତ୍ୟ ମଧ୍ୟ ଓଡ଼ିଶୀ ନୃତ୍ୟର ନାମରେ ପରିଚିତ ହୋଇଥିଲା ।

 

ଆଜିର ଓଡ଼ିଶା ଯେ ପ୍ରାଚୀନ ଉଡ୍ର ଭୂଖଣ୍ଡ ଥିଲା ଏହାର ପ୍ରମାଣ ଆମକୁ ତନ୍ତ୍ରଗ୍ରନ୍ଥମାନଙ୍କରୁ ମିଳିଥାଏ । ତନ୍ତ୍ର ଅନୁସାରେ ଓଡ଼ିଆର ତନ୍ତ୍ର ହେଉଛି ଉଡ୍‌ଡିୟାନ ତନ୍ତ୍ର । ଏପରିକି ଉଡ୍‌ଡିୟାନର ରାଜା ଇନ୍ଦ୍ରଭୁତି ତାଙ୍କ ଜ୍ଞାନସିଦ୍ଧି ଗ୍ରନ୍ଥରେ ଶୂନ୍ୟକୁ ଶ୍ରୀଜଗନ୍ନାଥ ଭାବରେ ଉପସ୍ଥାପିତ କରିଯାଇଛନ୍ତି ।

 

ଓଡ଼ିଆ ଭୂମିର ପ୍ରତ୍ନତାତ୍ତ୍ୱିକ ଆକଳନରୁ ଓଡ଼ିଶୀ ନୃତ୍ୟର ପ୍ରାଚୀନତ୍ୱ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀର ମୂର୍ତ୍ତିକଳାରୁ ମିଳିଥାଏ । ବିଶ୍ୱବିଖ୍ୟାତ ବୌଦ୍ଧପୀଠ ଲଳିତଗିରିରୁ ମିଳିଥିବା କୋଡ଼ିଏ ଇଞ୍ଚ ଉଚ୍ଚତା ବିଶିଷ୍ଟ ପୃଥୁଳୋଦର, ଅଶ୍ୱମୁଖ, ଖର୍ବକାୟ ଏକ କିନ୍ନର ମୂର୍ତ୍ତି ପଖଉଜ ବହନ ପୂର୍ବକ ମତୁଆଲା ବାଦ୍ୟ ବାଦନରେ ମଗ୍ନ । ଏହାକୁ ବିଶ୍ୱବିଖ୍ୟାତ ମୂର୍ତ୍ତିତତ୍ତ୍ୱ ବିଶେଷଜ୍ଞ ତଥା କଳା ସମାଲୋଚକ ସାର୍ ଆଲବର୍ଟ ଗୂରୁନ୍‌ୱେଡେଲ୍‌ଙ୍କ ମତରେ- ଏ ପ୍ରକାର ମୂର୍ତ୍ତି ଅଶୋକଙ୍କଦ୍ୱାରା ନିର୍ମିତ ବୌଦ୍ଧସ୍ତୂପଗୁଡ଼ିକରେ ଆଳଙ୍କାରିକ ଉପଦେବତା ଭାବରେ ସଂସ୍ଥାପିତ କରାଯାଉଥିଲା । ଗୁରୁନ୍‌ୱେଡେଲ୍‌ଙ୍କ ମତକୁ ଆଧାର କରି ଦେଖିଲେ- ଲଳିତଗିରିର ପ୍ରତ୍ନଉତ୍‌ଖନନରୁ ନୃତ୍ୟ, ବାଦ୍ୟ, ବାଦନର ଆଲେଖ୍ୟକୁ ବହନ କରିଥିବା ବହୁ ଉଚ୍ଚାଙ୍ଗ କିନ୍ନର, ନାଗ, ଯକ୍ଷଗଣଙ୍କ ମୂର୍ତ୍ତି ମିଳିଅଛି । ଏ ସମସ୍ତଙ୍କୁ ଅନୁଶୀଳନ କଲେ ଜାଣିବାରେ ଅସୁବିଧା ହୁଏନାହିଁ ଯେ, ଓଡ଼ିଶୀ ସଙ୍ଗୀତ ଏବଂ ନୃତ୍ୟ ତଥା ନୃତ୍ୟାଭିନୟର ଐତିହ୍ୟ ଏବଂ ପ୍ରାଚୀନତା ନିଶ୍ଚିତ ଭାବରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତକ ପୂର୍ବରୁ ରହିଅଛି ।

 

ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ଚେଦୀ ସମ୍ରାଟ୍‍ ମହାମେଘବାହାନ ଐର ଖାରବେଳଙ୍କ କାଳଖଣ୍ଡରେ ଅର୍ଥାତ୍ ଖ୍ରୀ.ପୂ. ପ୍ରଥମ ଶତାବ୍ଦୀରେ ଓଡ଼ିଶାର ନୃତ୍ୟ, ସଙ୍ଗୀତ ଏବଂ ଅଭିନୟ କଳା ଏକ ସୁବର୍ଣ୍ଣଯୁଗର ଅଧ୍ୟାୟ ସୃଷ୍ଟି କରିଥିଲା । ଏହାର ପ୍ରାମାଣିକ ନିଦର୍ଶନ ଖଣ୍ଡଗିରି-ଉଦୟଗିରିଠାରେ ଥିବା ହାତିଗୁମ୍ଫା ଶିଳାଲେଖର ପଞ୍ଚମ ଧାଡ଼ିରୁ ମିଳିଥାଏ । ଉକ୍ତ ଶିଳାଲେଖର ଆଦେଶରେ ଖାରବେଳ ନୃତ୍ୟ, ସଙ୍ଗୀତ ସମ୍ପର୍କରେ ଉଲ୍ଲେଖ କରି କହିଛନ୍ତି(୨), ସେ ଗାନ୍ଧର୍ବ କଳା ନିପୁଣ ବ୍ୟକ୍ତିଙ୍କ ସାହାଯ୍ୟରେ ଦର୍ପ, ନୃତ୍ୟ, ଗୀତିବାଦ୍ୟ ସହ ବିବିଧ ସଂଦର୍ଶନର ଆୟୋଜନ ପୂର୍ବକ ଉତ୍ସବ ଓ ସମାଜମାନ କରାଇଥିଲେ । ତଦ୍ୱାରା କଳିଙ୍ଗ ନଗରୀ ନୃତ୍ୟ ସଙ୍ଗୀତ କ୍ରୀଡ଼ାରେ ମାତି ଉଠିଲା ପରେ ମନେ ହେଉଥିଲା । ଏତଦ୍‌ଭିନ୍ନ ରାଣୀଗୁମ୍ଫାରେ ଖୋଦିତ ଏକାଧୀକ ଚିତ୍ରାବଳୀରୁ ତତ୍କାଳୀନ ଉଡ୍ର ନୃତ୍ୟ ଶୈଳୀର ଝଲକ ବେଶ୍ ବୁଝିହୁଏ । ଏ ସମ୍ପର୍କରେ ମତବ୍ୟକ୍ତ କରି ଓଡ଼ିଆ ଜାତିର ଇତିହାସ ପୁସ୍ତକରେ ଡଃ ନବୀନ କୁମାର ସାହୁ ଉଲ୍ଲେଖ କରିଛନ୍ତି ଯେ, ମୌର୍ଯ୍ୟ ଶାସନ କାଳରେ କଳିଙ୍ଗରେ ଯେଉଁ ଗୀତ, ନୃତ୍ୟ, ବାଦିତ୍ର‌୍ୟ ସମନ୍ୱିତ ଚଉଷଠି କଳାର ବ୍ୟବହାର କରାଯାଉଥିଲା, ତାହାର ପୁନଃରୁଦ୍ଧାର ମହାମେଘବାହାନ ଖାରବେଳ କରିଥିଲେ । ଏଥିରୁ ମଧ୍ୟ ସ୍ପଷ୍ଟ ହୁଏ ଯେ ଖ୍ରୀଷ୍ଟପୂର୍ବ ଚତୁର୍ଥ-ତୃତୀୟ ଶତାବ୍ଦୀ ପୂର୍ବରୁ ଆମର ଏହି ଉଡ୍ର ଭୂଖଣ୍ଡରେ ନୃତ୍ୟ ସଙ୍ଗୀତାଦିର ଗୌରବାବହ ପରମ୍ପରା ରହିଥିଲା ।

 

ରାଣୀଗୁମ୍ଫାର ତଳମହଲାର ଡାହାଣ କୋଠରୀରେ ଚାନ୍ଦୁଆ ମଣ୍ଡିତ ରଙ୍ଗମଞ୍ଚ ଉପରେ ଜଣେ ତରୁଣୀ ଦୁଇଟି ବେଣୀରେ ପାତଳାଉତ୍ତରୀୟ ପକାଇ ନୃତ୍ୟ ପରିବେଷଣ କରୁଛନ୍ତି । ଚାରିଜଣ ନାରୀ ମୃଦଙ୍ଗ, ତବଲା, ବୀଣା ଓ ବଂଶୀ ବଜାଇ ନୃତ୍ୟପାଇଁ ତାଳ ଦେଉଛନ୍ତି । ସେହି ନୃତ୍ୟକୁ ଖାରବେଳ ଏବଂ ତାଙ୍କର ଦୁଇଜଣ ରାଣୀ ତନ୍ମୟ ପ୍ରାଣରେ ଉପଭୋଗ କରୁଛନ୍ତି । ରାଣୀଗୁମ୍ଫାର ଉପର ମହଲାର କାନ୍ଥରେ ରହିଥିବା ଭିନ୍ନ ଭିନ୍ନ ଭଙ୍ଗୀରେ ନୃତ୍ୟରତା ଦୁଇ ତରୁଣୀଙ୍କ ଖୋଦିତ ଚିତ୍ର ବେଶ୍ ମନୋହର । ସେଠାରେ ମଧ୍ୟ ନୃତ୍ୟକୁ ତାଳ ଦେବାପାଇଁ ମୃଦଙ୍ଗ, କରତାଳ ଓ ବୀଣାଧାରିଣୀ ତିନିଜଣ ନାରୀ ରହିଛନ୍ତି । ଉପରୋକ୍ତ ଖୋଦିତ ଚିତ୍ରାବଳୀରୁ ସ୍ପଷ୍ଟ ସୂଚନା ମିଳିଥାଏ ଯେ, ଖ୍ରୀଷ୍ଟପୂର୍ବ ସମୟରୁ ଓଡ଼ିଶାର ନିଜସ୍ୱ ଏକ ନୃତ୍ୟର ଧାରା ରହିଥିଲା । ଏହାଛଡ଼ା ଠିକ୍ ଏହି କାଳଖଣ୍ଡ ତଥା ଏହାର ପରବର୍ତ୍ତୀ ଚାରି ପାଞ୍ଚଶହ ବର୍ଷଧରି ବୌଦ୍ଧ ଧର୍ମଧାରାର କାମବଜ୍ରଯାନ ତନ୍ତ୍ରକୁ ଆଧାର କରି ଲଳିତଗିରି, ରତ୍ନଗିତି ଛଡ଼ା ଅନ୍ୟାନ୍ୟ ବହୁ ବୌଦ୍ଧପୀଠମାନଙ୍କରେ ତ୍ରିଭଙ୍ଗୀ ଠାଣିରେ ନୃତ୍ୟରତା, ବାଦ୍ୟକାରିଣୀ ଷୋଡ଼ଶୀ କନ୍ୟା, ଅଳସ କନ୍ୟା, ମିଥୁନ ଯୁଗଳ ଆଦିଙ୍କ ପ୍ରସ୍ତର ବିଗ୍ରହ ତଥା ଖୋଦିତ ରୂପ ଏବଂ ବିଭିନ୍ନ ଦ୍ୱାର ତୋରଣରେ ଉତ୍କୀର୍ଣ୍ଣ ହୋଇଥିବା ହାସ୍ୟମୟୀ, ଲାସ୍ୟମୟୀ ନବଯୌବନା, ପୀନସ୍ତନା, ନୃତ୍ୟ ଓ ବାଦ୍ୟରତା ଯୁବତୀ ଓ ଯୁବକ, ଗଭୀର ପ୍ରେମ ନିଶାରେ ମଗ୍ନ ଅର୍ଦ୍ଧନିମ୍ମିଳିତ ଚକ୍ଷୁ, ସ୍ମିତହାସ ବଦନ ମିଥୁନ ମୂର୍ତ୍ତିଙ୍କ ବିଭିନ୍ନ ଅଙ୍ଗଭଙ୍ଗୀ ଓ ଭାବ ପ୍ରଦର୍ଶକ ମୁଦ୍ରା ତଥା ଅଳଙ୍କାର ବିମଣ୍ଡିତ ଦେହ ବହ୍ଲରୀ ସ୍ପଷ୍ଟ ସୂଚିତ କରେ ଯେ ପରବର୍ତ୍ତୀ ମଧ୍ୟଯୁଗୀୟ ମାହାରୀ ନୃତ୍ୟ ତଥା ତତ୍‌ପରବର୍ତ୍ତୀ ଆଧୁନିକ ସମୟର ଓଡ଼ିଶୀ ନୃତ୍ୟର ସ୍ୱୟଂ ସମ୍ପୂର୍ଣ୍ଣତା ପାଇଁ ଏସବୁର ଭୂମିକା ଯଥେଷ୍ଟ ଅଧିକ ଥିଲା ।

 

ବୌଦ୍ଧଯୁଗୀୟ କାମବଜ୍ରଯାନର ପ୍ରଭାବ ରହିଥିବା ସମୟରେ ଅର୍ଥାତ୍ ସପ୍ତମ ଶତାବ୍ଦୀଠାରୁ ଓଡ଼ିଶାରେ ନିର୍ମିତ ହୋଇଥିବା ମନ୍ଦିରମାନଙ୍କ ଗାତ୍ରରେ ସ୍ଥାପିତ ଅଳସୀ କନ୍ୟା ଏବଂ ଅନ୍ୟାନ୍ୟ ମୂର୍ତ୍ତିଙ୍କ ଠାଣିମାଣି, ବିଭିନ୍ନ ନୃତ୍ୟତାଳଲୟକୁ ଆଧାର କରି ରହିଥିବା ସୁନ୍ଦରୀ ନାରୀଙ୍କ ମନୋହାରିଣୀ ମୂର୍ତ୍ତି, ବିଭିନ୍ନ ହସ୍ତମୁଦ୍ରା, ମୁଖଭଙ୍ଗୀ, କଟାକ୍ଷ, କାମକଳାର ବିବିଧ ବନ୍ଧ ପ୍ରଦର୍ଶନ କରୁଥିବା ମିଥୁନ ମୂର୍ତ୍ତିଙ୍କ ଅଙ୍ଗସଜ୍ଜା ଓ ସୌଷ୍ଟବତା । ଏହାଛଡ଼ା ମନ୍ଦିର ଗାତ୍ରରେ ସ୍ଥାନିତ ବୀଣା, ମୃଦଙ୍ଗ, ପଖଉଜ, ଝାଞ୍ଜ, ତୁରୀ ଆଦି ଧାରଣ କରି ବିଭିନ୍ନ ଅଙ୍ଗଭଙ୍ଗୀରେ ନୃତ୍ୟରତ ନଟନଟୀଙ୍କ କଳାପାଟବତା ଦ୍ୱାଦଶ ତ୍ରୟୋଦଶ ଶତାବ୍ଦୀ ବେଳକୁ ସୃଷ୍ଟ ମାହାରୀ ବା ଦେବଦାସୀ ନୃତ୍ୟ ଭିତରେ ଫୁଟି ବାହାରିଥିଲା ।

 

ଏହି ସମୟର ମନ୍ଦିରମାନଙ୍କ ମଧ୍ୟରୁ ମୟୁରଭଞ୍ଜର ଖିଚିଂ, ଭୁବନେଶ୍ୱରର ବୈତାଳ ମନ୍ଦିର, ମେଘେଶ୍ୱର, ପର୍ଶୁରାମେଶ୍ୱର, ଶତୃଘ୍ନେଶ୍ୱର, ଲକ୍ଷ୍ମଣେଶ୍ୱର, ରାଜାରାଣୀ, ଲିଙ୍ଗରାଜ ମନ୍ଦିର, ନିଆଳିର ଶୋଭନେଶ୍ୱର ମନ୍ଦିର, ବାଲେଶ୍ୱରର ଖିରଚୋରା ଗୋପୀନାଥ, କେନ୍ଦ୍ରାପଡ଼ାର ବିନୋଦ ବିହାରୀ, ମାହାଙ୍ଗାର ବିନୋଦବିହାରୀଙ୍କ ତ୍ରିଭଙ୍ଗୀ ଠାଣୀର ନୃତ୍ୟରତ ଗୋପାଳକୃଷ୍ଣ, ବାଳମୁକୁନ୍ଦ ଆଦିଙ୍କ ଭଙ୍ଗୀ, କଟାକ୍ଷ ଏବଂ ଶରୀର ଗଠଣ ଓଡ଼ିଶୀ ମୁଦ୍ରାର ପ୍ରାଚୀନ ବୈଭବ ଆଦିର ଏକ ଏକ ମୁଖ୍ୟ ପ୍ରତ୍ନତାତ୍ତ୍ୱିକ ନିଦର୍ଶନ ।

 

ଏହାର ପରବର୍ତ୍ତୀ ଦ୍ୱାଦଶ ଏବଂ ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଅନନ୍ତ ବାସୁଦେବ ମନ୍ଦିର ଆଦି ଦେହରେ ଉପରୋକ୍ତ ଉଡ୍ର ନୃତ୍ୟକଳାର ଚରମଉତ୍କର୍ଷ ରୂପକୁ ଦର୍ଶାଯାଇଥିଲା । ଏଥିରୁ ସ୍ପଷ୍ଟ ଅନୁଭବ କରିହୁଏ ଯେ, ଶାସ୍ତ୍ରୀୟ ନୀତି ନିୟମର ନିଗଢ଼ ବନ୍ଧନରେ ବାନ୍ଧି ହୋଇ ନଥିଲେ ମଧ୍ୟ ଓଡ଼ିଶାର ସ୍ୱକୀୟ ନୃତ୍ୟକଳାର ଧାରାଟିଏ ଯଥେଷ୍ଟ ଲୋକପ୍ରିୟ ଏବଂ ବହୁଳ ପ୍ରଚାରିତ ହୋଇ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ରାଜକନ୍ୟାମାନଙ୍କ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା । ଏ ସମ୍ପର୍କରେ ଅନନ୍ତ ବାସୁଦେବ ମନ୍ଦିରର ଶିଳାଲେଖକୁ ଏଠାରେ ଉଦାହରଣଭାବେ ଗ୍ରହଣ କରାଯାଇପାରେ । ଶିଳାଲେଖରେ ଉଲ୍ଲେଖ ଅଛି ଯେ–

 

“ଗୀତାଞ୍ଜଲୟ ତାନ ନର୍ତ୍ତନ କଳା କୌଶଳ ଲୀଳାମୟ

ବାଲ୍ୟଦ୍ୟଚ୍ୟୁତ ଭକ୍ତିଭାବିତ ମତି ଭାବୁକ ରୂପଶ୍ରୀୟୋ

ଚିତ୍ରା ହୈହୟ ବଂଶୀୟାୟ ଶୁଚୟେ ଚନ୍ଦ୍ରାପହା ଚନ୍ଦ୍ରିକା

ପୁତ୍ରୀୟାଂ ପରମର୍ଦ୍ଧିତ ନାମ ଭବଣଂ କ୍ଷେତ୍ରୟା ରତ୍ନନ୍ୱିତାଃ ।”

 

ଉପରୋକ୍ତ ଶ୍ଳୋକରୁ ଜାଣିହୁଏ ଯେ ଗଙ୍ଗବଂଶୀ ରାଜକନ୍ୟା ଚନ୍ଦ୍ରିକାଦେବୀ ନୃତ୍ୟକଳାରେ ପ୍ରବୀଣା ଥିଲେ । ଦ୍ୱିତୀୟରେ ସୋମବଂଶୀ ରାଜା କର୍ଣ୍ଣକେଶରୀ ମଧ୍ୟ ଗଙ୍ଗ ସାମ୍ରାଜ୍ୟ ପୂର୍ବରୁ କର୍ପୂରଶ୍ରୀ ନାମକ ଜଣେ ନୃତ୍ୟପ୍ରବୀଣା ଦେବଦାସୀଙ୍କୁ ଗ୍ରାମ ଦାନ କରିଥିବା ତଥା ପରବର୍ତ୍ତୀ ସମୟରେ କର୍ପୂରଶ୍ରୀଙ୍କୁ ରାଣୀ ଭାବରେ ଗ୍ରହଣ କରିଥିବା ତଥ୍ୟ ଇତିହାସରେ ରହିଛି ।(୩)

 

ମାହାରୀ ନୃତ୍ୟ ଓ ଜୟଦେବ

 

ଏହିଭଳି ଏକ ନୃତ୍ୟ ପରମ୍ପରାକୁ ଦେଖି ଆନ୍ତର୍ଜାତିକ କଳାସମୀକ୍ଷକ ଚାର୍ଲସ ଫାବ୍ରୀ ଉଡ୍ର ନୃତ୍ୟଧାରାକୁ ସର୍ବାନ୍ତକରଣରେ ସ୍ୱୀକାର କରି ଏହାକୁ ଭାରତର ପ୍ରାଚୀନ ଶାସ୍ତ୍ରୀୟ ନୃତ୍ୟ ଭାରତନାଟ୍ୟମ୍‍ଠାରୁ ମଧ୍ୟ ପ୍ରାଚୀନତର ବୋଲି ମତ ଦେଇଛନ୍ତି । (୪)

 

ସୁଖର କଥା ଦ୍ୱାଦଶ ଶତାବ୍ଦୀରେ ଏମିତି ଏକ ନୃତ୍ୟ ପୃଷ୍ଠଭୂମିରେ ଜୟଦେବଙ୍କ ଆବିର୍ଭାବ ଏ ଜାତିପାଇଁ ବରଦାନ ସଦୃଶ ଥିଲା । ନୃତ୍ୟ, ସଙ୍ଗୀତ, କଳା ଓ ଅଭିନୟରେ ପ୍ରବୀଣ ଜୟଦେବ ‘ଗୀତଗୋବିନ୍ଦ’କୁ ରଚନା କରି ଏହାରି ମାଧ୍ୟମରେ ଦେବଦାସୀମାନଙ୍କୁ ନେଇ ଓଡ଼ିଶାର ନୃତ୍ୟ ଧାରାରେ ଚମତ୍କାରିତା ଆଣିବା ପୂର୍ବରୁ ସାମଗ୍ରିକ ଭାବରେ ଉପରୋକ୍ତ ପୃଷ୍ଠପଟକୁ କିତା କିତା କରି ଅନୁଧ୍ୟାନ କରିଥିବେ ତଥା ସମସାମୟିକ ସମୟର ଦେବଦାସୀମାନଙ୍କ ନୃତ୍ୟ, ସଙ୍ଗୀତ, ଅଭିନୟକୁ ଆଖି ଆଗରେ ରଖିଥିବେ । ଯାହାଫଳରେ କି ନୃତ୍ୟ ଓ ଅଭିନୟର ସଫଳ ରୂପାୟନ ସହ ରସମୟ ଗୀତଗୋବିନ୍ଦର ସଙ୍ଗୀତଧାରା ନୃତ୍ୟକୁ ବେଶୀରୁ ବେଶୀ ଲୋକାଭିମୁଖୀ କରିଥିଲା ।

 

ଏଠାରେ ସୂଚାଇ ଦେବାକୁ ଚାହେଁ ଯେ, ଗୀତଗୋବିନ୍ଦର ଦ୍ୱିତୀୟ ଶ୍ଳୋକରେ ରହିଥିବା ‘ପଦ୍ମାବତୀ ଚରଣ ଚାରଣ ଚକ୍ରବର୍ତ୍ତୀ’ ପଦଟିକୁ ଟୀକା କରି କୁହାଯାଇଛି ‘ଚକ୍ରଭ୍ରମରୀ’ ନୃତ୍ୟ ଛନ୍ଦରେ ପଦ୍ମାବତୀଙ୍କ ଚରଣଯୁଗଳକୁ ଚାଳନ କରାଇବାରେ ଯିଏ ଦକ୍ଷ ଥିଲେ ସେ ହେଉଛନ୍ତି କବି ଓ ମାହାରୀମାନଙ୍କ ନୃତ୍ୟସଙ୍ଗୀତ ଗୁରୁ ଶ୍ରୀଜୟଦେବ ।

 

କହିବାକୁ ଗଲେ ମାହାରୀ ନୃତ୍ୟର ପ୍ରତ୍ୟେକ ପଦପାତ ସହିତ ଗୀତଗୋବିନ୍ଦର ତାଳ ଦେଇ ଓଡ଼ିଶୀ ନୃତ୍ୟର ଅଙ୍ଗସୌଷ୍ଟବ ପରିମାର୍ଜିତ ହେବାରେ ଲାଗିଲା । ଦେଖିବାକୁ ଗଲେ ଶ୍ରୀଜଗନ୍ନାଥ ମନ୍ଦିର ତଥା କୋଣାର୍କ ମନ୍ଦିର ଆଦିରେ ଖୋଦିତ ସମସ୍ତ ମୁଦ୍ରା, ଛନ୍ଦ, ଠାଣିମାଣି ଏବଂ ଶିଳ୍ପ କଳାର ତ୍ରିଭଙ୍ଗଛନ୍ଦ ମାହାରୀ ନୃତ୍ୟରେ ଗୋଟିଗୋଟି ହୋଇ ପ୍ରତିଫଳିତ ହୋଇଥିଲା । ଯାହାକି ଏଯାବତ୍ ଓଡ଼ିଶୀ ନୃତ୍ୟର ଅଧୁନାତନ ଅବସ୍ଥାରେ ମଧ୍ୟ ବଜାୟ ରହିଛି ।

 

ମଧ୍ୟଯୁଗୀୟ ମନ୍ଦିର ସଂଲଗ୍ନ ନାଟମନ୍ଦିରମାନଙ୍କରେ ଦେବତାଙ୍କର ପ୍ରିତି ପାଇଁ ନୃତ୍ୟ, ଗୀତ ଓ ଅଭିନୟର ବ୍ୟବସ୍ଥା କରାଯାଉଥିଲା । ଶାସ୍ତ୍ରୀୟ ଦିଗରୁ କହିବାକୁ ଗଲେ ଭାରତୀୟ ନୃତ୍ୟ ସଙ୍ଗୀତ ପରମ୍ପରା ସମ୍ପୂର୍ଣ୍ଣ ଭାବରେ ଧର୍ମୀୟ ପ୍ରେରଣାରୁ ହିଁ ସୃଷ୍ଟି ହୋଇଥିଲା । ଦେବପ୍ରୀତି ସହିତ ପବିତ୍ର ରସ ସୃଷ୍ଟି ଏବଂ ଏହାର ପରିବେଷଣ ଥିଲା ମୁଖ୍ୟ । ଏହି ଧାରା ଓଡ଼ିଶାରେ ମଧ୍ୟ ରହିଥିଲା, ଯେଉଁ କାରଣରୁ କି ମଧ୍ୟଯୁଗୀୟ ମନ୍ଦିରମାନଙ୍କରେ ନାଟମନ୍ଦିର ରହିବା ଏକ ଅପରିହାର୍ଯ୍ୟ ଅଙ୍ଗରେ ପରିଣତ ହୋଇ ଯାଇଥିଲା । ଯେଉଁଠାରେ କି ଦେବନର୍ତ୍ତକୀମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ ମାଧ୍ୟମରେ ଧର୍ମ ଓ ସଂସ୍କୃତିର ପରମ୍ପରାକୁ ବଜାୟ ରଖିଥିଲେ ।

 

ଦେବତାମାନଙ୍କ ପୂଜାନୁଷ୍ଠାନ ସହିତ ନୃତ୍ୟାନୁଷ୍ଠାନ ବିଧି ପ୍ରଚଳିତ ରହି ଆସିଥିଲା । ଏଥିପାଇଁ ଶାସ୍ତ୍ରରେ ଉଲ୍ଲେଖ ରହିଥିଲା ଯେ,–

 

“ନୃତ୍ୟ ମାନସ୍ୟ ବକ୍ଷ୍ୟାମି ତଚ୍ଛଶୁସ୍ୱ ବସୁନ୍ଧରେ ।

ମନୁଜା ଯେନ ଗଚ୍ଛନ୍ତି ଛିତ୍ୱା ସଂସାର ସାଗରଂ ॥”

 

ଅର୍ଥାତ୍ ଯେଉଁମାନେ ଦେବତାଙ୍କ ଉଦ୍ଦେଶ୍ୟରେ ନୃତ୍ୟ କରନ୍ତି, ସେମାନେ ଭବସାଗର ପାର ହୋଇ ମୁକ୍ତି ଲାଭ କରିଥାନ୍ତି । ତଥା ଯିଏ କାୟମନୋବାକ୍ୟରେ ଗଭୀର ଭକ୍ତି ଏବଂ ଆତ୍ମସମର୍ପଣ ଭାବ ନେଇ ନୃତ୍ୟ କରନ୍ତି, ସିଏ ଶତଜନ୍ମର ପାପରୁ ମୁକ୍ତ ହୁଅନ୍ତି । ଏହି କାରଣରୁ ଦେବତାଙ୍କ ପୂଜା ବ୍ୟବସ୍ଥା ମଧ୍ୟରେ ନୃତ୍ୟର ପ୍ରଚଳନ କରାଯାଇଥିଲା ।       ସେହି କ୍ରମରେ ବର୍ତ୍ତମାନ ଭବ୍ୟ ଶ୍ରୀଜଗନ୍ନାଥ ମନ୍ଦିରରେ ମଧ୍ୟ ନୃତ୍ୟ ଓ ଗୀତାଭିନୟର ବ୍ୟବସ୍ଥା ବିଧିବଦ୍ଧ ସେବା ଭାବରେ ରହିଥିଲା । ଏହିଠାରେ ଦେବଦାସୀମାନେ ଓଡ଼ିଶାର ପାରମ୍ପରିକ ନୃତ୍ୟଶୈଳୀକୁ ଆଧାର କରି ନାଟମଣ୍ଡପଠାରେ ତଥା ଶ୍ରୀବିଗ୍ରହମାନଙ୍କ ସମକ୍ଷରେ ନୃତ୍ୟ ପରିବେଷଣ କରୁଥିଲେ । ଦେବଦାସୀମାନଙ୍କ ନୃତ୍ୟ ସହିତ ସଙ୍ଗୀତରାୟ ଉପାଧିଧାରୀ ଗାନ୍ଧର୍ବବିଦ୍ୟା ପ୍ରବୀଣ ବ୍ରାହ୍ମଣ ସେବକଗଣ ନୃତ୍ୟଗୁରୁ ଭାବରେ ସମସ୍ତ ନୃତ୍ୟ କାର୍ଯ୍ୟକ୍ରମ ପରିଚାଳନା କରୁଥିଲେ ।

 

ସତ୍ୟନାରାୟଣ ରାଜଗୁରୁଙ୍କ ମତରେ ବର୍ତ୍ତମାନର ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କାଳରେ ଚୋଡ଼ଗଙ୍ଗ ଦେବଙ୍କଦ୍ୱାରା ଆନୀତ ଦାକ୍ଷିଣାତ୍ୟର ସାନିସମ୍ପ୍ରଦାୟର ମାତୃଭାଷା ତେଲୁଗୁ ହୋଇଥିବାରୁ ସେମାନଙ୍କ ଭାଷାର ଭକ୍ତିଗୀତ ସର୍ବଜନଗ୍ରାହ୍ୟ ହୋଇ ନ ଥିବ । ତେଣୁ କବି ଜୟଦେବ ସର୍ବଜନଗ୍ରାହ୍ୟ ଓ ସର୍ବଜନବୋଧ୍ୟ ସରଳ ସଂସ୍କୃତ ଭାଷାରେ ଛୋଟ ଛୋଟ ଶୃଙ୍ଗାରରସପୂର୍ଣ୍ଣ ଭକ୍ତି ସଙ୍ଗୀତ ରଚନା କରି ଓଡ଼ିଶାର ପାରମ୍ପରିକ ତାଳ ଲୟରେ ସେ ସବୁକୁ ସଜ୍ଜିତ କରି ତଥା ଓଡ଼ିଶାର ପାରମ୍ପରିକ ନୃତ୍ୟଶୈଳୀରେ ପରିବେଷଣ କରିବାକୁ ଆଗେଇ ଆସିଥିଲେ । (୫) ଭକ୍ତି ଓ ଶୃଙ୍ଗାରିକତାର ଏକତ୍ର ସମାବେଶ ପାଇଁ ରାଧାକୃଷ୍ଣଙ୍କୁ କେନ୍ଦ୍ର କରି ଗୀତ ରଚନା କରିବାଛଡ଼ା ଅନ୍ୟ ଉପାୟ ମଧ୍ୟ ସେ ସମୟରେ ତାଙ୍କ ନିକଟରେ ନଥିଲା ।

 

କ୍ରମଶଃ ଉଡ୍ର ନୃତ୍ୟଶୈଳୀ ମାହାରୀମାନଙ୍କ ମାଧ୍ୟମରେ ଏବଂ ଗୀତଗୋବିନ୍ଦକୁ ଆଧାର କରି ଉତ୍କୃଷ୍ଟ କଳାନୈପୁଣ୍ୟର ପରାକାଷ୍ଠା ଭାବରେ ସର୍ବତ୍ର ପ୍ରଚାରିତ ହେବାରେ ଲାଗିଲା । ଏ ସମ୍ପର୍କରେ “ଅଭିନୟ ଚନ୍ଦ୍ରିକା”ର ଲେଖକ ମହେଶ୍ୱର ମହାପାତ୍ରଙ୍କ ମତ ପ୍ରଣିଧାନଯୋଗ୍ୟ । ତାଙ୍କ ମତରେ ଉଡ୍ର ନୃତ୍ୟ ବିଷାରଦ ‘ଅଟ୍ଟହାସ୍ୟ’ ଏହାର ପ୍ରଚାର ଓ ପ୍ରସାର ଦେବଦାସୀମାନଙ୍କୁ ନେଇ କରିଥିଲେ । ଅଟ୍ଟହାସ୍ୟ ଦେବଙ୍କ ପରିଚୟ ଦେବାକୁ ଯାଇ ଏଥିରେ ଉଲ୍ଲେଖ ଅଛି–

 

“ରନ୍ତି ଦେବ ନୃପସ୍ତସ୍ମାତ୍ ତତସ୍ତ ଜ୍ଞାନ ସଂଗ୍ରହୀ ।

ଅଟ୍ଟହାସ୍ୟ ମହାନ୍ ପ୍ରାଜ୍ଞ ଉଡ୍ର ନୃତ୍ୟ ବିଷାରଦଃ ॥”

 

ଐତିହାସିକ କେଦାରନାଥ ମହାପାତ୍ରଙ୍କ ମତରେ ପ୍ରାଜ୍ଞ ଅଟ୍ଟହାସ୍ୟ ହେଉଛନ୍ତି ଚୋଡ଼ଗଙ୍ଗ ଦେବଙ୍କ ଏକ କନିଷ୍ଠ ପୁତ୍ର ଅଟ୍ଟହାସ ଦେବ । ଏ ସମ୍ପର୍କରେ ଆନ୍ଧ୍ରର ଏକ ତେଲୁଗୁ ଶିଳାଲେଖର ପାଠୋଦ୍ଧାର କରି ସେ କହିଛନ୍ତି ନୃତ୍ୟ ଓ ସଙ୍ଗୀତ ବିଦ୍ୟାର ପରମଭକ୍ତ ଚୋଡ଼ଗଙ୍ଗ ଦେବଙ୍କ ପୁତ୍ର ଅଟ୍ଟହାସ ଦେବ ଉଡ୍ର ନୃତ୍ୟ ବିଷାରଦ ହେବା ଅସମ୍ଭବ ନୁହେଁ । (୬)

 

ଏ ସମୟରେ ମାହାରୀ ନୃତ୍ୟ ଭାବରେ ପ୍ରତିଷ୍ଠିତ ହୋଇସାରିଥିବା ଉଡ୍ର ନୃତ୍ୟର ଶ୍ରେଷ୍ଠତ୍ୱକୁ ସୂଚାଇ ‘ଅଭିନୟ ଚନ୍ଦ୍ରିକା’ ଗ୍ରନ୍ଥରେ ଉଲ୍ଲେଖ ଅଛି–

 

“ମାଗଧୀ ସୌରସେନୀ ଚ କର୍ଣ୍ଣାଟ କେରଳାଦୟ ।

ଗୌଡ଼ ପାଞ୍ଚାଳଦଶ୍ଚୈବ ଉଡ୍ରନୃତ୍ୟାଦି ସପ୍ତଧା ॥”

 

ଗଙ୍ଗବଂଶୀ ରାଜାମାନଙ୍କ ସମୟରୁ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ତାଙ୍କର ମନୋରଞ୍ଜନ ପାଇଁ ଉଡ୍ର ନୃତ୍ୟଗୀତର ସେବାବ୍ୟବସ୍ଥା ପ୍ରଚଳିତ ଥିଲେ ମଧ୍ୟ ନାଟମନ୍ଦିରରେ ବହିରାଗତ ରାଜା, ମହାରାଜା ଓ ସାମନ୍ତମାନଙ୍କ ପାଇଁ ଧାରାବାହିକଭାବେ ସଂସ୍କୃତ ନାଟ୍ୟାଭିନୟ ଏବଂ ପାରମ୍ପରିକ ନୃତ୍ୟାଭିନୟ ପରିବେଷିତ ହେଉଥିଲା । ଏହି ଧାରା ଦ୍ୱାଦଶ ତ୍ରୟୋଦଶ ଶତାବ୍ଦୀରୁ ଆରମ୍ଭ କରି ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ବେଶ୍ ଗତିଶୀଳ ଥିଲା । କିନ୍ତୁ ଷୋଡ଼ଶ ଶତାବ୍ଦୀରେ ରାୟରାମାନନ୍ଦଙ୍କ ମୃତ୍ୟୁ ପରେ ତଥା ଏହି ସମୟବେଳକୁ ମୁସଲମାନମାନଙ୍କ ଘନଘନ ଆକ୍ରମଣ ହେତୁ ଉଡ୍ର ନୃତ୍ୟର ଧାରା ନିଷ୍ପ୍ରଭ ହେବାରେ ଲାଗିଲା । ଏହା ସହିତ ଦେବଦାସୀମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଛୋଟ ଛୋଟ ପୁଅପିଲାଙ୍କ ମାଧ୍ୟମରେ ଦେବସ୍ଥଳୀ ତଥା ବିଭିନ୍ନ ସର୍ବସାଧାରଣ ସ୍ଥାନର ଦେବାନୁଷ୍ଠାନମାନଙ୍କରେ ଏହି ନୃତ୍ୟ ଶୈଳୀକୁ ପ୍ରଚାର କରାଗଲା । ଯାହାକି ଗୋଟିପୁଅ ନାଚ ଭାବରେ ଏଯାବତ ପରିଚିତ ଏବଂ ପ୍ରଚଳିତ ।

 

ମୋଗଲ ଏବଂ ମୁସଲମାନଙ୍କ କବଳରୁ ମାହାରୀ ଏବଂ ଦେବଦାସୀମାନଙ୍କୁ ସୁରକ୍ଷା ଦେବାପାଇଁ ଗୋଟିପୁଅ ନୃତ୍ୟର ସୃଷ୍ଟି ହୋଇଥିଲେ ହେଁ ‘ଅଭିନୟ ଚନ୍ଦ୍ରିକା’ରେ ଏହାକୁ ନିକୃଷ୍ଟ ନୃତ୍ୟ ବୋଲି ଉଲ୍ଲେଖ କରାଯାଇଛି । ମହେଶ୍ୱର ମହାପାତ୍ରଙ୍କ ମତରେ ସ୍ତ୍ରୀ ବେଶଧାରୀ ପୁରୁଷ ନୃତ୍ୟ (ଗୋଟିପୁଅ) ଅନୁଷ୍ଠିତ ହେଲେ ମଧ୍ୟ ଏହା ତାମସୀ ବା ଅଧମ ପ୍ରକାରର । କାରଣ ନର୍ତ୍ତକୀ ନିଜର ଅଙ୍ଗଭଙ୍ଗୀ ଓ ମଧୁର କଣ୍ଠଦ୍ୱାରା ଯେପରି ବିଚକ୍ଷଣ ଭାବ ପ୍ରକାଶ କରିପାରେ ଗୋଟିପୁଅ ତା କରିବାରେ ଅସମର୍ଥ । କିନ୍ତୁ ଯବନ ନୃପଙ୍କ ସନ୍ତୋଷ ବିଧାନ ତଥା ମାହାରୀଙ୍କୁ ଯବନ ନୃପଚକ୍ଷୁର ସ୍ପର୍ଶରୁ ରକ୍ଷା ପାଇଁ ବାଧ୍ୟ ହୋଇ ରାଜ ଦରବାରରେ ଗୋଟିପୁଅ ନାଚ କରାଯାଇପାରେ ।

 

ସୂଚନାଯୋଗ୍ୟ ଯେ ଏହି ଷୋଡ଼ଶ ଶତାବ୍ଦୀ ଅର୍ଥାତ୍ ୧୫୬୮ ମସିହାରେ ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦଦେବଙ୍କ ପରେ ଓଡ଼ିଶା ପରାଧୀନତାର କାଳିମାରେ ବୁଡ଼ିଗଲା । ୧୫୬୮ରୁ ୧୫୯୨ ମସିହା ପର୍ଯ୍ୟନ୍ତ ଆଫଗାନ୍‍ ଶାସନାଧୀନ ଏବଂ ୧୫୯୨ ରୁ ୧୭୦୭ ମସିହା ପର୍ଯ୍ୟନ୍ତ ମୋଗଲ ଅଧୀନରେ ରହି ମଧ୍ୟ ଓଡ଼ିଶାର ସ୍ୱକୀୟ ନୃତ୍ୟ ଓ ସଙ୍ଗୀତ ଅର୍ଥାତ୍ ମାହାରୀ ନୃତ୍ୟ ଏବଂ ଓଡ଼ିଶୀ ସଙ୍ଗୀତର ଧାରା ଶୁଷ୍କ ହୋଇ ନ ଯାଇ କିମ୍ବା ଭାରତର ଅନ୍ୟାନ୍ୟ ପ୍ରାନ୍ତର ନୃତ୍ୟ ଶୈଳୀପରି ମୋଗଲ ପ୍ରଭାବରେ ସ୍ୱତନ୍ତ୍ରତା ନ ହରାଇ ଗୋଟିପୁଅ ନୃତ୍ୟ ମାଧ୍ୟମରେ ସୁରକ୍ଷିତ ରହିଥିଲା । ଏହାର ଅର୍ଥ ନୁହେଁ ମାହାରୀ ନୃତ୍ୟ ଅନୁଷ୍ଠାନ ବନ୍ଦ ହୋଇଯାଇଥିଲା । ଶ୍ରୀଜଗନ୍ନାଥ ମନ୍ଦିର ସେବାରେ ଏହା ବଳବତ୍ତର ରହିଗଲା ।

 

ଅନ୍ୟଦିଗରେ ଷୋଡ଼ଶ ଶତାବ୍ଦୀର ଓଡ଼ିଆ କବି କୃଷ୍ଣ ଦାସ ବଡ଼ଜେନା ମହାପାତ୍ର, ଯିଏ କି ଆକବରଙ୍କ ଦରବାରରେ ତାନସେନ୍‌ଙ୍କ ସହିତ ସମମର୍ଯ୍ୟଦାପ୍ରାପ୍ତ ଥିଲେ, ସେ ଏ ପ୍ରକାର ଘଡ଼ିସନ୍ଧି ମୁହୂର୍ତ୍ତରେ ଓଡ଼ିଆ ନୃତ୍ୟ ଓ ସଙ୍ଗୀତର ଧାରାକୁ ସୁରକ୍ଷା ଦେବାପାଇଁ ‘ଗୀତପ୍ରକାଶ’ ନାମକ ଗ୍ରନ୍ଥ ରଚନା କରି ଓଡ଼ିଶୀ ନୃତ୍ୟ ଏବଂ ସଙ୍ଗୀତର ବ୍ୟାକରଣ ପ୍ରସ୍ତୁତ କରିଥିଲେ । ଠିକ୍ ଏହାର ଚାଳିଶ ବର୍ଷ ପରେ ମହେଶ୍ୱର ମହାପାତ୍ର ରଚନା କରିଥିବା ଅଭିନୟ ଚନ୍ଦ୍ରିକା ବିଷୟରେ ପୂର୍ବରୁ ଏଥିରେ ଆଲୋଚିତ ହୋଇଛି । ଏଥିରେ ମଧ୍ୟ ଉଡ୍ର ନୃତ୍ୟକୁ ଲିପିବଦ୍ଧ କରିବାପାଇଁ ଉଦ୍ୟମ କରାଯାଇଥିଲା । ଏହାପରେ ପରେ ୧୬୪୬ ଖ୍ରୀଷ୍ଟାବ୍ଦରେ ପାରଳାର ଗଜପତି ବଂଶୀଧର ନାରାୟଣ ଦେବଙ୍କ ରଚିତ ସଙ୍ଗୀତ ନାରାୟଣ, ଗଜପତି ନରସିଂହ ଦେବଙ୍କ ସମୟର (୧୬୨୩-୧୬୪୭) କବି ହଳଧର ମିଶ୍ରଙ୍କ ସଙ୍ଗୀତ କଳ୍ପଲତା, ସପ୍ତଦଶ ଶତାବ୍ଦୀର ଶାସ୍ତ୍ରଜ୍ଞ ରଘୁନାଥ ରଥଙ୍କ ‘ନାଟ୍ୟ ମନୋରମା’ ଏବଂ ସଙ୍ଗୀତ କୌମୁଦୀ, ତିଗିରିଆ ଯୁବରାଜ ଯଦୁନାଥ ତୁଙ୍ଗ ରାଜସିଂହଙ୍କ ‘ଅଭିନୟ ଦର୍ପଣ ପ୍ରକାଶ’, ପୁନଶ୍ଚ ଷୋଡ଼ଶ ଶତାବ୍ଦୀର ଶ୍ରୀହରିଚନ୍ଦନଙ୍କ ‘ସଙ୍ଗୀତ ମୁକ୍ତାବଳୀ’ରେ ଓଡ଼ିଶୀ ସଙ୍ଗୀତ ପାଇଁ ବିଷଦ ଆଲୋଚନା ହୋଇଥିଲେ ମଧ୍ୟ ‘ମାହାରୀ ନୃତ୍ୟ’ର ସଂକ୍ଷିପ୍ତ ଆଲୋଚନାରେ ଏହା ରୁଦ୍ଧିମନ୍ତ । ଓଡ଼ିଶୀ ସଙ୍ଗୀତ ସହ ମାହାରୀନୃତ୍ୟର ଆଲୋଚନା ସ୍ପଷ୍ଟ କରେ ଯେ ଶ୍ରୀହରିଚନ୍ଦନଙ୍କ ଦୃଷ୍ଟିରେ ମାହାରୀ ନୃତ୍ୟ ହିଁ ଥିଲା ଓଡ଼ିଶୀନୃତ୍ୟର ଏନ୍ତୁଡ଼ିଶାଳ ।

 

୧୭୫୧ ରୁ ୧୮୦୩ ପର୍ଯ୍ୟନ୍ତ ମରହଟ୍ଟା ଶାସନର ଅତ୍ୟାଚାର ସୀମା ଲଂଘନ କରିଯାଇଥିଲେ ମଧ୍ୟ ଓଡ଼ିଶାରେ ନିଜସ୍ୱ ନୃତ୍ୟ ସଙ୍ଗୀତର ଚର୍ଚ୍ଚାରେ ଭଟ୍ଟା ପଡ଼ିଯାଇ ନ ଥିଲା । ବରଂ ଏ ସମୟରେ କବିସମ୍ରାଟ୍‍ ଉପେନ୍ଦ୍ରଭଞ୍ଜଙ୍କଠାରୁ ଆରମ୍ଭ କରି କବିସୂର୍ଯ୍ୟ ବଳଦେବ ରଥ, କବି ଗୋପାଳକୃଷ୍ଣ ଛାନ୍ଦ, ଚଉପଦୀ, ଚମ୍ପୂ ଆଦିକୁ ଆଧାର କରି ଉଡ୍ର ନୃତ୍ୟ ବିଭିନ୍ନ ରାଜ ଦରବାରକୁ ସଂକ୍ରମିତ ହୋଇଯାଇଥିଲା । ତତ୍‍ସହିତ ଏହି ସମୟରେ ରଚିତ ନାଟ୍ୟମନୋରମା ଗ୍ରନ୍ଥରେ ମାହାରୀ ଏବଂ ଗୋଟିପୁଅ ନର୍ତ୍ତକୀ ନର୍ତ୍ତକମାନଙ୍କ ନୃତ୍ୟ ଲକ୍ଷଣ ଉପରେ ଧ୍ୟାନ ଦିଆଯାଇଥିଲା ।

 

ଓଡ଼ିଶୀ ନୃତ୍ୟ- ଇଂରେଜ ଶାସନାଧୀନ ଭାରତରେ ଅବଶ୍ୟ ମାହାରୀ ନୃତ୍ୟ ଅପେକ୍ଷା ଗୋଟିପୁଅଙ୍କ ଭୂମିକା ମୁଖ୍ୟ ହୋଇ ଉଠିଥିଲା । ଏହି ସମୟରେ ମୋହନସୁନ୍ଦର ଦେବ ଗୋସ୍ୱାମୀଙ୍କ ରାସଲୀଳା ସଂଗଠନ (୧୯୧୮) ଭଳି କିଛି ସଂଗଠନ ରାସଲୀଳା ମାଧ୍ୟମରେ ଓଡ଼ିଆ ନୃତ୍ୟକୁ ବଞ୍ଚାଇ ରଖିଥିଲେ । ଅବଶ୍ୟ ପ୍ରାଗ୍‍ସ୍ୱାଧୀନତା କାଳରେ ମାହାରୀ ନୃତ୍ୟକୁ ପୁନର୍ଜିବିତ କରିବାପାଇଁ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଓଡ଼ିଶାର ନିଜସ୍ୱ ଶାସ୍ତ୍ରୀୟ ନୃତ୍ୟ ବା ମାହାରୀ ନୃତ୍ୟକୁ ପ୍ରତିଷ୍ଠା କରିବାପାଇଁ ସଂଘର୍ଷ ଆରମ୍ଭ କରି ଦେଇଥିଲେ । ସେ ପ୍ରଥମେ ‘କଟକ କଳାବିକାଶ କେନ୍ଦ୍ର’ ମାଧ୍ୟମରେ ଅତିବଡ଼ୀ ଜଗନ୍ନାଥ ଦାସ (୧୯୪୩-୪୪) ନାଟକ ମାଧ୍ୟମରେ ମୁଖ୍ୟତଃ ଯେଉଁ ମାହାରୀ ନୃତ୍ୟ ପରିବେଷଣ କରାଇଥିଲେ ତାହା ଏତେ ମାତ୍ରାରେ ଦର୍ଶକଙ୍କୁ ପ୍ରଭାବିତ କରିଥିଲା ଯେ ତା ପରେ ପରେ ସେ ମାହାରୀ ନୃତ୍ୟକୁ ଆଧାର କରି ଏବଂ ନାଟ୍ୟଗୁରୁ ମାୟାଧର ରାଉତଙ୍କୁ ନିୟୋଜିତ କରି ଓଡ଼ିଶୀ ନୃତ୍ୟର ଏକ ପାଠ୍ୟକ୍ରମ ପ୍ରସ୍ତୁତ କରି ପକାଇଲେ ।

 

ଠିକ୍ ଏହାର ଦୁଇବର୍ଷ ପରେ ଅର୍ଥାତ୍ ୧୯୪୬ରେ ଗୁରୁ ପଙ୍କଜ ଚରଣ ଦାସ, ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ, କଟକଠାରେ ନାଟ୍ୟକାର ଅଶ୍ୱିନୀକୁମାର ଘୋଷକ ‘ଅଭିଷେକ’ ନାଟକରେ ନିଜର ପ୍ରଥମ ଛାତ୍ରୀ ଶ୍ରୀମତୀ ଲକ୍ଷ୍ମୀପ୍ରିୟାଙ୍କଦ୍ୱାରା ମାହାରୀ ନୃତ୍ୟ ପରିବେଷଣ କରାଇଥିଲେ । ଏହି ନୃତ୍ୟରେ ମାଦେଳୀ ଭୂମିକାରେ ଥିଲେ ତାଙ୍କର ଅନ୍ୟତମ ପ୍ରିୟ ଛାତ୍ର ପଦ୍ମଶ୍ରୀ କେଳୁଚରଣ ମହାପାତ୍ର । ଏହାର କିଛିଦିନ ପରେ ଭାରତର ବଡ଼ଲାଟ ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ ଓଡ଼ିଶା ଭ୍ରମଣରେ ଆସିଥିବା ସମୟରେ ତାଙ୍କୁ ସମ୍ବର୍ଦ୍ଧନା ଦେବାପାଇଁ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରୀମତୀ ଲକ୍ଷ୍ମୀପ୍ରିୟାଙ୍କ ମାହାରୀ ନୃତ୍ୟ ଥିଲା ମୁଖ୍ୟ ଆକର୍ଷଣ । ଏହି ନୃତ୍ୟରେ ମୁଗ୍ଧ ରାଜଗୋପାଳାଚାରୀଙ୍କ ପ୍ରଶ୍ନର ଉତ୍ତରରେ ଏହା ଏକ ‘ଓଡ଼ିଆ ନାଚ’ ବୋଲି କୁହାଯାଇଥିଲା । ଏହା ମଧ୍ୟ କାଳୀଚରଣଙ୍କୁ ଓଡ଼ିଶୀନୃତ୍ୟ ପାଠ୍ୟକ୍ରମପାଇଁ ଅଧିକ ପ୍ରୋତ୍ସାହିତ କରିଥିଲା । ଏହି ପାଠ୍ୟକ୍ରମ ୧୯୫୨ରୁ ଆରମ୍ଭ ହୋଇଥିଲା । କିନ୍ତୁ ୧୯୬୦ ଖ୍ରୀଷ୍ଟାବ୍ଦରେ ଜୟନ୍ତିକା ମାଧ୍ୟମରେ ସେହି ପାଠ୍ୟକ୍ରମ ଅଧିକ ପରିମାର୍ଜିତ ହୋଇ ଆଧୁନିକ ଓଡ଼ିଶୀ ନୃତ୍ୟର ପଦ୍ଧତି ନିରୂପଣ କରିଥିଲା ।

 

ସୂଚନାଯୋଗ୍ୟ ଯେ, ବର୍ତ୍ତମାନର ‘ଓଡ଼ିଶୀନୃତ୍ୟ’ ଶବ୍ଦଟି ୧୯୫୨ ମସିହା ପର୍ଯ୍ୟନ୍ତ ବିଧିବଦ୍ଧ ଭାବରେ ନାମିତ ହୋଇ ନ ଥିଲା ବରଂ ଏହା ମାହାରୀନୃତ୍ୟ ଓ ଓଡ଼ିଆ ନାଚ ଭାବରେ ପରିଚିତ ଥିଲା । ଏହିଠାରୁ ମାହାରୀନୃତ୍ୟ ଅଧିକ ପରିମାର୍ଜିତ, ଶୃଙ୍ଖଳିତ ଏବଂ ରସଯୁକ୍ତ ହୋଇ ପ୍ରଥମେ ଶ୍ରୀମନ୍ଦିର ମାହାରୀମାନଙ୍କ ସହାୟତାରେ ଓଡ଼ିଶୀନୃତ୍ୟର ରୂପ ପରିଗ୍ରହଣ କଲା ।

 

ଏହି ପରିପ୍ରେକ୍ଷୀରେ ଗୁରୁପଙ୍କଜ ଚରଣ ଦାସଙ୍କ ଉକ୍ତିଟିଏ ଉଦ୍ଧାର କରାଯାଇପାରେ- “ଓଡ଼ିଶୀ ନୃତ୍ୟ ବୋଲି ଯାହାକୁ ଆଜି ଆମେ ବୁଝୁଛୁ, ତାହା ମଞ୍ଚ ଉପରେ ପରିବେଷିତ ହେଉଥିବା କେଇ ଘଣ୍ଟାର କାର୍ଯ୍ୟକ୍ରମ ମାତ୍ର । କିନ୍ତୁ ଏହି ନୃତ୍ୟର ଭିତ୍ତିଭୂମି ଯେ ମାହାରୀ ସେବା-ଏ କଥା ଭୁଲିଗଲେ ଆମର ଏକ ଐତିହାସିକ ପାପ ହେବ ବୋଲି ମୋର ବିଶ୍ୱାସ । (୭)

 

ଭାରତର ସମସ୍ତ ନୃତ୍ୟ ପରମ୍ପରା ପରି ଓଡ଼ିଶୀ ନୃତ୍ୟ ପରମ୍ପରା ମାର୍ଗୀ ଓ ଦେଶୀ ଏହିପରି ଦୁଇଭାଗରେ ବିଭକ୍ତ । ଯେଉଁ ନୃତ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଥିଲା ତାକୁ ମାର୍ଗୀ ଶ୍ରେଣୀଭୁକ୍ତ ଓ ଯେଉଁ ନୃତ୍ୟ ସାଧାରଣ ମଣିଷର ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ଥିଲା ତାକୁ ଦେଶୀ କୁହାଯାଇଛି । ତେଣୁ ଦେବତାଙ୍କ ଉଦ୍ଦେଶ୍ୟରେ ସମର୍ପିତ ମାହାରୀ ନୃତ୍ୟ ସାମାନ୍ୟ ପରିବର୍ତ୍ତିତ ହୋଇ ‘ଓଡ଼ିଶୀ’ ନାମ ପରିଗ୍ରହଣ କରିଥିଲେ ମଧ୍ୟ ଏହା ମାର୍ଗୀ ପର୍ଯ୍ୟାୟର ସମସ୍ତ ବିଧି, ନିୟମ ପାଳନ କରି ଶୁଦ୍ଧ ଓ ଶୃଙ୍ଖଳିତ ଭାବରେ ଶାସ୍ତ୍ରୀୟ ବୈଧି ମାର୍ଗରେ ପରିଚାଳିତ ହୋଇଆସିଛି ।

 

ପାଦଟୀକା :

 

୧.

“ଚତୁର୍ବିଧା ପ୍ରବୃତ୍ତିଶ୍ଚ ପ୍ରୋକ୍ତ ନାଟ୍ୟେ ପ୍ରୟୋକ୍ତୃଭିଃ

ଆବନ୍ତୀ ଦାକ୍ଷିଣାତ୍ୟାଶ୍ଚ ପାଞ୍ଚାଳୀ ଚୋଡ୍ର ମାଗଧିଃ ।”

 

 

୨.

“ଗଂଧବବେଦ ବୂଧୋ ଦପନତ ଗୀତ ବାଦିତ ସନ୍ଦସିନାହି ଉସବ ସମାଜ କାରାପନାହି ଚ କ୍ରୀଡ଼ାପୟତି ନଗରିଂ ତଥା ଚ ବୁଧେବସେ ବିଜାଧାରାଧିବାସଂ ଅହତପୂବଂ କଲିଂଗ ଯୁବରାଜ ନିବେସିତଂ ବିତଥ ମୁକୁଟ ସ... ନିଖିତଶୁତ ।” (ଖାରବେଳଙ୍କ ଖଣ୍ଡଗିରି ଶିଳାଲେଖ)

 

 

୩.

Chronology of the Bhoumakara & Somavsansis of Orissa-Dr.K.C.Panigrahi, P-39.

 

 

୪.

“I have also reasons to conclude that Odissi is a more pristine a more carefully preserved prinsitive form of Natya x x x”

 

 

୫.

ଶ୍ରୀପୁରୁଷୋତ୍ତମ ଓ ଶ୍ରୀମନ୍ଦିର-ଡ. ସତ୍ୟନାରାୟଣ ରାଜଗୁରୁ ।

 

 

୬.

ଓଡ଼ିଆ ଆତ୍ମପରିଚିତି ଚର୍ଚ୍ଚା-ସମ୍ପାଦନା-ସରକାରୀ ମହିଳା ମହାବିଦ୍ୟାଳୟ, ପୁରୀ ।

 

 

୭.

ଓଡ଼ିଶୀ ନୃତ୍ୟର ବିଭାଗୀକରଣ ଓ କ୍ରମ ନିରୂପଣ । ସାଂସ୍କୃତିକ ପରିବର୍ତ୍ତନ ଓ କ୍ରମନିରୂପଣ । ପ୍ରକାଶକ-ଅନଗୁଳ ମହିଳା ମହାବିଦ୍ୟାଳୟ, ଅନଗୁଳ ।

Image

 

ଲୋକନୃତ୍ୟ ପରମ୍ପରାରେ ପୁରୀର ‘ନାଗା’

 

ଓଡ଼ିଶାର ଲୋକନୃତ୍ୟ ପରମ୍ପରାରେ ପୁରୀର ନାଗାନୃତ୍ୟର ଏକ ସ୍ୱତନ୍ତ୍ର ଆସନ ରହିଛି-। ଏଠାରେ ନାଗା ବେଶ କିମ୍ବା ନାଗା ନାଚ ବୋଲି ଶବ୍ଦଟିଏ ଉଚ୍ଚାରଣ କରିବାକ୍ଷଣି ସ୍ୱତଃ ମନ ଭିତରକୁ, ପୁରୀର ବଡ଼ଦାଣ୍ଡରେ ନାଗାବାନ୍ଧି ବୀରଦର୍ପରେ ବ୍ୟାୟମପୁଷ୍ଟ ଶରୀର ଉପରେ ଅଶୀ କିଲୋରୁ ଊର୍ଦ୍ଧ୍ୱ ଓଜନର ବିଭିନ୍ନ ଅସ୍ତ୍ରଶସ୍ତ୍ର ତଥା ସାଜ ଅଳଙ୍କାର ବାନ୍ଧି ପାହୁଣ୍ଡ ପକାଇ, ଆଖି ତରାଟି ଚାଲୁଥିବା ଏକ ଯୁବକର ଛବି ଅଙ୍କିତ ହୋଇଯାଏ । ଏହାସହ ଆହୁରି ଗୋଟାଏ ଦୃଶ୍ୟ ମନରେ ଅଙ୍କିତ ହୁଏ, ଏହି ‘ନାଗା’ର ପୃଷ୍ଠଭୂମିରେ ରହିଥିବା ଓଡ଼ିଆ ଅସ୍ମିତାର ପ୍ରତୀଭୂ ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶର ଆଲୋକ ଚିତ୍ର ।

 

ଶ୍ରୀଜଗନ୍ନାଥଙ୍କ ପାରମ୍ପରିକ ଯାତ୍ରା ଓ ବେଶ ବୈଶିଷ୍ଟ୍ୟମାନଙ୍କ ସହିତ, ପୁରୀ ଲୋକ ସଂସ୍କୃତିର ଗୋଟାଏ ନିବିଡ଼ ସମ୍ପର୍କ କେଉଁ ଆବାହମାନକାଳରୁ ରହି ଆସିଛି ତାହାର ସଠିକ୍ ଐତିହାସିକ କାଳ ନିର୍ଣ୍ଣୟ କରିବା ସମ୍ଭବପର ନୁହେଁ । ତେଣୁ ଶ୍ରୀଜଗନ୍ନାଥଙ୍କର ନାଗାର୍ଜ୍ଜୁନ ବେଶକୁ ଆଧାର କରି ପୁରୀର ଲୋକନୃତ୍ୟ ‘ନାଗା’ର ଉଦ୍ଭବ ହୋଇଛି କି ନାଗା ନାଚକୁ ଆଧାର କରି ପରବର୍ତ୍ତୀ ସମୟରେ ଶ୍ରୀଜଗନ୍ନାଥଙ୍କଠାରେ ଏହି ବେଶର ସଂଯୋଜନା କରାଯାଇଛି ତାହା କହିବା କଠିଣ । ଅବଶ୍ୟ ଏ ସମ୍ପର୍କରେ ଭିନ୍ନ ଭିନ୍ନ ସମୟରେ ଆଲୋଚକଗଣ ଭିନ୍ନ ଭିନ୍ନ ମତାମତ ପ୍ରଦାନ କରିଯାଇଛନ୍ତି । ତେବେ ସମସ୍ତଙ୍କ ମତାମତର ମୁଖ୍ୟ ବିନ୍ଦୁ ସମ୍ଭାବନା ଭିତରେ ହିଁ ସୀମାବଦ୍ଧ ହୋଇ ରହିଯାଇଛି ।

 

ଅଳ୍ପ ବିଶ୍ୱାସ ଓ ଅଧିକ ସମ୍ଭାବନାକୁ ନେଇ ଆସିଥିବା ମତାମତମାନଙ୍କ ମଧ୍ୟରେ ଗୋଟିଏ ମତ ହେଲା, ପରଶୁରାମଙ୍କ ବେଶରୁ ନାଗା ବେଶର ସୃଷ୍ଟି । ବ୍ରାହ୍ମଣ ବୀର ପରଶୁରାମ ଗୁରୁଦତ୍ତାତ୍ରେୟଙ୍କଠାରୁ ଶ୍ରୀବିଦ୍ୟାଗ୍ରହଣ କରିବା ପରେ ଏହି ଶ୍ରୀକ୍ଷେତ୍ରଠାରେ ଶ୍ରୀଯନ୍ତ୍ର ସ୍ଥାପନା କରି ଶ୍ରୀ ସାଧନା କରୁଥିଲେ । ତାଙ୍କର ଏକୋଇଶ ବାର ପୃଥିବୀ ନିକ୍ଷତ୍ରୀ କରିବାର ଯୋଦ୍ଧାବେଶରୁ ନାଗା ବେଶର ସୃଷ୍ଟି । ଅପରପକ୍ଷରେ ପଣ୍ଡିତ କୁଳମଣି ମିଶ୍ରଙ୍କ ପରି କେତେଜଣଙ୍କ ମତରେ ଶ୍ରୀଜଗନ୍ନାଥଙ୍କ ନାଗାର୍ଜ୍ଜୁନ ବେଶରୁ ନାଗା ନାଚର ଅୟମାରମ୍ଭ ଘଟିଛି । ତୃତୀୟ ଗୋଷ୍ଠୀଙ୍କ ମତାନୁସାରେ ଆସାମ ନିକଟବର୍ତ୍ତୀ ନାଗା ସନ୍ୟାସୀମାନଙ୍କ ତ୍ୟାଗ, ନିଷ୍ଠା, ଶରୀର ଚର୍ଚ୍ଚା ଓ ବୀରତ୍ୱର ପ୍ରତୀକ ଭାବରେ ପୁରୀ ‘ନାଗା ନାଚ’ର ଉତ୍ପତ୍ତି । ଅବଶ୍ୟ ଏହି ତୃତୀୟ ମତର ପୃଷ୍ଠଭୂମିରେ ଥିବା କାରଣଟି ହେଲା ମୋଗଲ ଆକ୍ରମଣ କାଳରେ ଏହି ନାଗା ସନ୍ୟାସୀମାନେ ଶ୍ରୀକ୍ଷେତ୍ରରେ ଅବସ୍ଥାନ କାଳରେ ଶ୍ରୀଜଗନ୍ନାଥଙ୍କ ସୁରକ୍ଷା ପାଇଁ ବୀରତ୍ୱ ଓ ତ୍ୟାଗର ନମୂନା ସୃଷ୍ଟି କରିଥିଲେ । ମୋଟାମୋଟି ଭାବରେ କହିବାକୁ ଗଲେ ‘ନାଗା’ ଜଣେ ଜିତେନ୍ଦ୍ରିୟ ବୀର ଏବଂ ନିର୍ଭୀକ ବ୍ୟକ୍ତିତ୍ୱର ଅଧିକାରୀ ଭାବରେ ପରିଚିତ ଅଟନ୍ତି ।

 

ଉପରୋକ୍ତ ‘ନାଗା’ ନାଚର ନାଗା ଶବ୍ଦକୁ ମଧ୍ୟ ଭିନ୍ନ ଭିନ୍ନ ଭାବରେ ଅର୍ଥ କରାଯାଇଛି । ପ୍ରାଚୀନ ସମୟରେ ଆସାମ ରାଜ୍ୟ ସହ ସଂଯୁକ୍ତ ଥିବା ନାଗାଲ୍ୟାଣ୍ଡର ନାଗା ସନ୍ୟାସୀମାନଙ୍କ ସହ ଏ କ୍ଷେତ୍ରର ସମ୍ପର୍କରୁ ଏ ଶବ୍ଦର ସୃଷ୍ଟି ହୋଇଛି । କେତେକଙ୍କ ମତରେ ଉଲଗ୍ନ ସନ୍ୟାସୀମାନଙ୍କୁ ହିନ୍ଦୀରେ ନଙ୍ଗା କୁହାଯାଏ । ଏହି ନଙ୍ଗାର ଅପଭ୍ରଷ୍ଟ ରୂପ ହିଁ ନାଗା ବୋଲି ସେମାନେ କହନ୍ତି । ପୁରୀରେ ନାଗାର ଅର୍ଥ ଉଲଗ୍ନବାଚକ ନୁହେଁ । ଏଠାରେ ନାଗା ବହୁଅସ୍ତ୍ରଧାରୀ ଓ ବହୁ ବସ୍ତ୍ରଧାରୀ ଅଟନ୍ତି । କିନ୍ତୁ ବୀରତ୍ୱ ଦୃଷ୍ଟିରୁ ଦୁହେଁ ସମ ପର୍ଯ୍ୟାୟର । ଲୋକ ଚଳଣିରେ ଯାହାର ଆଗକୁ ପଛକୁ କିଛି ନାହିଁ–ଅର୍ଥାତ୍ ନାଗାବାଗା ଲୋକ । ଆଉ ଗୋଟିଏ କଥା ହେଲା, ଆଦିଶଙ୍କରଙ୍କଦ୍ୱାରା ସୃଷ୍ଟ ଦଶନାମୀ ସମ୍ପ୍ରଦାୟ ମଧ୍ୟରେ ‘ନାଗା’ ମଧ୍ୟ ଗୋଟିଏ ସମ୍ପ୍ରଦାୟ । ସେହି ପ୍ରାଚୀନ କାଳରୁ ମନ୍ଦିର ଓ ମଠମାନଙ୍କର ସୁରକ୍ଷା ପାଇଁ ଏମାନଙ୍କୁ ସୃଷ୍ଟି କରାଯାଇଥିଲା ବୋଲି ଅନୁମାନ କରାଯାଇପାରେ । ଏହି ଅନୁମାନ ପଛରେ ରହିଥିବା କାରଣଟି ହେଲା, ଚତୁର୍ଦ୍ଦଶ ଶତାବ୍ଦୀରେ ବୈଷ୍ଣବଧର୍ମର ପୂର୍ଣ୍ଣ ଅଭ୍ୟୁଦୟ କାଳରେ ଭାରତରେ ବହୁବିଧ ସମ୍ପ୍ରଦାୟମାନଙ୍କର ସୃଷ୍ଟି ହୋଇଥିଲା । ଏହି କାଳଖଣ୍ଡରେ ତିନିଗୋଟି ନାଗା ସମ୍ପ୍ରଦାୟ ଆଞ୍ଚଳିକ ଭେଦରେ ପ୍ରଚାରିତ ହୋଇଥିଲେ । ଏମାନେ ମଧ୍ୟ ନିଜକୁ ବୈଷ୍ଣବ ବୋଲି ପ୍ରଚାର କରୁଥିଲେ । ଏହି ନାଗା-ବୈଷ୍ଣବ ଶ୍ରୀରାମଚନ୍ଦ୍ର ତଥା ମହାବୀର ହନୁମାନଙ୍କ ଉପାସକ ହୋଇଥିବା ସ୍ଥଳେ, ତିନିଗୋଟି ନାମରେ ପରିଚିତ ଥିଲେ । ପ୍ରଥମତଃ ବୈଷ୍ଣବ ରାମଭୂତି ସମ୍ପ୍ରଦାୟ, ଦ୍ୱିତୀୟରେ ପଞ୍ଚ ରାମାନନ୍ଦ ଦିଗମ୍ବରୀ ନାଗା, ତୃତୀୟତଃ ଖାଲ୍‌ସା ନାଗା ବା ପରିବ୍ରାଜକ ନାଗା ସନ୍ୟାସୀ ।

 

ଖାଲ୍‌ସା ନାଗାଙ୍କୁ ପୁରୀରେ ସଠରା ଭାବରେ ଚିହ୍ନିତ କରାଯାଇଥାଏ । ମନେହୁଏ ମୋଗଲ ରାଜତ୍ୱ କାଳରେ ଏମାନଙ୍କୁ ଶ୍ରୀକ୍ଷେତ୍ରରେ ତାଙ୍କ ବୀରତ୍ୱ ପାଇଁ ଏକ ମର୍ଯ୍ୟଦାବନ୍ତ ସ୍ଥାନ ମିଳିଥିଲା । ଏମାନେ ମଧ୍ୟ ପୁରୀରେ ଶ୍ରୀଜଗନ୍ନାଥଙ୍କ ସୁରକ୍ଷା ପାଇଁ ନିଜକୁ ସମର୍ପଣ କରି ଦେଇଥିଲେ । ଏମାନଙ୍କ ଶାରୀରିକ ଓ ସାମରିକ ସାମର୍ଥ୍ୟକୁ ଦେଖି ଗଜପତି ଏମାନଙ୍କ ପାଇଁ ରାମାନନ୍ଦ ଦିଗମ୍ବରୀ ଯାଗା ଆଖଡ଼ାମାନ ସ୍ଥାପନା କରାଇ ଶ୍ରୀକ୍ଷେତ୍ର ରକ୍ଷାର ଭାର ପ୍ରଦାନ କରିଥିଲେ ।

 

ତେବେ ସେ ଯାହା ହେଉନା କାହିଁକି, ପୁରୀର ଜୀବନଚର୍ଯ୍ୟାର ଯେଉଁ କେତୋଟି ମୁଖ୍ୟ ଦିଗ ରହିଛି-ଯାହାକୁ ଏଠାକାର ଲୋକ ଚଳଣିରେ ସାଙ୍ଗ, ଭାଙ୍ଗ, ସଙ୍ଗୀତ ଏବଂ ପଙ୍ଗତ ମଧ୍ୟରେ ସୀମାବଦ୍ଧ କରାଯାଇଛି, ବାସ୍ତବରେ କିନ୍ତୁ ତାହା ସେତିକିରେ ସୀମାବଦ୍ଧ ନୁହେଁ । କାରଣ ପୁରୀ ସଂସ୍କୃତିର ସବୁଠାରୁ ମହନୀୟ ଦିଗଟି ହେଉଛି ଶରୀର ଚର୍ଚ୍ଚା । “ନାରୀର ଯୌବନ ପୁଷ୍ଟଶରୀର ଅପେକ୍ଷା ପୁରୁଷର ବ୍ୟାୟାମପୁଷ୍ଟ ଶରୀରର ଆଦର ଏଠାରେ ବେଶୀ । ଆନ୍ତର୍ଜାତିକ ସ୍ତରରେ ଶରୀର ଗଠଣ, କୁସ୍ତି, ଭାରୋତ୍ତଳନ ଆଦିରେ ସୁନାମ ଅର୍ଜନର ସ୍ୱପ୍ନ ଏଠି ବେଶି । (ପୁରୀବୋଲି-ଡଃ ସିଦ୍ଧେଶ୍ୱର ମହାପାତ୍ର ପୃ-୧୨ ୨ୟ ସଂସ୍କରଣ) ତେଣୁ ପୁରୀରେ ରହିଥିବା ପ୍ରତ୍ୟେକ ସାହିର ଜାଗା ଆଖେଡ଼ାମାନଙ୍କ କାନ୍ଥରେ ମାଲକୁସ୍ତିଚିତ୍ର ସହିତ ‘ନାଗା’ ଚିତ୍ର ମଧ୍ୟ ଅଙ୍କିତ ହୋଇଥାଏ ।

 

ପୁରୀଟୋକା କହିଲେ ମୁଖ୍ୟତଃ ବୁଝାଇଥାଏ ସେବାୟତ ପିଲାଙ୍କୁ । ଏମାନଙ୍କ ପାଇଁ, “ଯଦି ଖାଇବା ଅଛି, ମଉଜ ଅଛି, ଆଖଡ଼ା ଅଛି, ଜେଗା ଅଛି ତେବେ ଆଉ କିଛି ଦରକାର ନାହିଁ । ଖାଇବା ପାଇଁ ଦେଉଳ, ପୋଖରୀର ପାଣି ଗାଧୁଆ ପାଇଁ, ରଙ୍ଗରସ ପାଇଁ, ଶୋଇବା ପାଇଁ ଜେଗା ଅଛି ତ, ଆଉ କିଛି ଦରକାର ନାହିଁ । ଯୁଆନ୍ ହେବା ‘ନାଗା’ ବାନ୍ଧିବା ଏମାନଙ୍କର ନିଶା” (ଟାହିଆ-ଦେବପ୍ରସାଦ ଦାଶ, ପୃ-୩୦, ୧୯୯୩) ।

 

ଏହା ପଛରେ ରହିଥିବା ସମାଜତାତ୍ତ୍ୱିକ କାରଣଟି ହେଲା, ପୁରୀର ପ୍ରାଚୀନ ସାତ ସାହିର ବାସିନ୍ଦାମାନେ, ସତେ ଯେମିତି ଲୋକ ନର୍ତ୍ତକ ‘ନାଗା’ ବାନ୍ଧିଥିବା ଯୁବକ ଭିତରେ ନିଜ ନିଜର ସ୍ୱପ୍ନର ପୁରୁଷମାନଙ୍କୁ ଖୋଜି ପାଇଯାନ୍ତି । ପୁରୀର ପ୍ରାଚୀନ ଲୋକସଂସ୍କୃତିକୁ ଧରି ରଖିଥିବା ସାହିମାନଙ୍କରେ ଦୈବାତ୍ କୌଣସି ଯୁବକ ଶରୀର ଚର୍ଚ୍ଚାକୁ ଯଦି ପ୍ରାଥମିକତା ପ୍ରଦାନ ନ କଲା, ଯାଗାକୁ ଯାଇ ଦଣ୍ଡ ନ ପକାଇଲା କି ମୁଦ୍‌ଗର ନ ବୁଲାଇଲା, ତେବେ ତାକୁ ସମ ବୟସ୍କଠାରୁ ବାଣୀ ବା ଥଟ୍ଟା ପରିହାସ ଶୁଣି ସହିବାକୁ ପଡ଼ିଥାଏ । ଏଭଳି ଯୁବକଙ୍କୁ ଦେଖିଲେ ଶରୀର ଚର୍ଚ୍ଚାକୁ ପ୍ରାଧାନ୍ୟ ଦେଉଥିବା ଆବୃଦ୍ଧ ଯୁବକଙ୍କ କଣ୍ଠରୁ ଶାଣିତ ବ୍ୟଙ୍ଗ ନିକ୍ଷିପ୍ତ ହୁଏ-“ବାଇ ଅସଲ ଯୁଆନ ବେଳ ଇଏ । ପଥର ଖାଇଲେ ପାର କରିବୁ । ସାତ ସମୁଦ୍ର ତେର ନଈ ଲଂଘିବୁ । ଡେଲି ଏ ଓଳି ସେ ଓଳି ଗଜାମୁଗ ଆଉ ନଡ଼ିଆ ମେଞ୍ଚେ ମେଞ୍ଚେ ଖାଇ ପୁଞ୍ଜେ ପୁଞ୍ଜେ ଦଣ୍ଡ ବୈଠକ ସିନା ପକାନ୍ତୁ-। ଆଉ ଗାଣ୍ଡି କ’ଣ ହଲଉଚୁ ମ ବାଇ? ମାୟାଟେ କି? (ପୁରୀ ବୋଲି-ପୃ.୧୪) । ଉପରୋକ୍ତ ଉଦ୍ଧୃତି ପଛରେ ରହିଛି ପୁରୀର ଲୋକ ଚେତନା ଭିତରେ ପରିପୂର୍ଣ୍ଣ ହୋଇ ରହିଥିବା ପୌରୁଷର ଅନୁପସ୍ଥିତି ଜନିତ ଅସହ୍ୟଭାବ । ଯେଉଁ ପୌରୁଷଦୀପ୍ତ ଭାବଟିକୁ ସାମଗ୍ରିକ ଭାବରେ ଏମାନେ ‘ନାଗା’ଠାରେ ହିଁ ଦେଖିଥାନ୍ତି ।

 

ନାଗା ବନ୍ଧାଇବା ପାଇଁ (ନାଗା ନୃତ୍ୟ ପାଇଁ ଆବଶ୍ୟକୀୟ ବେଶ) ପ୍ରତ୍ୟେକ ସାହିର ଯୁବକମାନଙ୍କ ମଧ୍ୟରେ ଏକ ଶୀତଳ ପ୍ରତିଯୋଗିତା ରହିଥାଏ । ଯଦିଓ ନାଗା ବନ୍ଧାଇବା ଅର୍ଥାତ୍ ଓଜନଦାର ବସ୍ତ୍ର, ଅଳଙ୍କାର ଏବଂ ଅସ୍ତ୍ରଶସ୍ତ୍ର ଧାରଣ କରି ନାଚିବା ଖୁବ୍ କଷ୍ଟସାଧ୍ୟ ବ୍ୟାପାର । ତଥାପି ଏଥିପାଇଁ ପ୍ରତିଯୋଗିତାର ମୂଳ କାରଣ ହେଲା ନାଗା ବନ୍ଧାଇବାକୁ ଶକ୍ତି, ସାମର୍ଥ୍ୟ ଓ ଶୌର୍ଯ୍ୟର କଷଟିପଥରଭାବେ ଗ୍ରହଣ କରାଯାଇଥାଏ । ଏହି ବେଶ ଏବଂ ନୃତ୍ୟ ଏକ ବିସ୍ମୟକର ବ୍ୟାପାର । ମୁଣ୍ଡରେ ଝୋଟର ତିନିସରି ପାଗ ଏହାକୁ ହାଣ୍ଡିଆ କୁହାଯାଏ । ପାଗ ଉପରେ ଦୀର୍ଘ ଚୂଳ, ଚୂଳର ଅଗ୍ରଭାଗରେ ରଙ୍ଗୀନ୍ ସୋଲଫୁଲ କିମ୍ବା ମୟୁର ଚନ୍ଦ୍ରିକା, ପାଗକୁ ଘେରି ମଣ୍ଡିତ ହୁଏ ନାନା ଅଳଙ୍କାର । ଦେହରେ ବୋଳା ହୋଇଥାଏ ରାମରଜ । ପରିଧେୟ ପାଟ କାଛେଣି ଅର୍ଥାତ୍ ପାଟବସ୍ତ୍ରକୁ କଛା ଆକାରରେ ପରିଧାନ କରାଯାଇଥାଏ । ଶରୀରରେ ଦୀର୍ଘ ଉତ୍ତରୀୟ । ମୁହଁରେ ଦୀର୍ଘ, ଘଞ୍ଚ ଭୟ ଉଦ୍ରେକକାରୀ ଦାଢ଼ୀ ଓ ନିଶ । କପାଳରେ ସିନ୍ଦୁର କଲି । ଗଳାରେ କଠା ଅର୍ଥାତ୍ ସୁନା ଓ ପୋହଳା ମିଶା ମାଳି ଏବଂ ରୁଦ୍ରାକ୍ଷମାଳ । ଛାତିରୁ ଅଣ୍ଟାଯାଏ ବାଘଛାଲ । ବାହୁ ମୂଳରେ ଏରାପକ୍ଷୀ ପରରେ ତିଆରି କଲିଙ୍ଗି (ଏକ ପ୍ରକାରର ଆବରଣ ଯାହା ବାହୁମୂଳକୁ ଆବୃତ୍ତ କରେ) । ଦୁଇ ହାତରେ ପାଟଲୁଗା ଧଡ଼ିର ଓହଳ ମାନ । କାନ୍ଧରେ ବାଘଛାଲର ହୁଦା ବା ପରତାରା । ହାତର ମଣିବନ୍ଧରେ ବାଘଛାଲର ପଟି ବା ହତା । ବାମ ଜଂଘରେ ଘଣ୍ଟି ଓ ଗୋଇଠିରେ ବଜ୍ର ଚଉଁରୀ (ଚମରୀ ଗାଈର ବାଳରେ ମୋଡ଼ା ହୋଇ ପ୍ରସ୍ତୁତ ଏକ ପ୍ରକାର ଦଉଡ଼ି) । ଅଳଙ୍କାର ମଧ୍ୟରେ ମୁଖ୍ୟତଃ ଚନ୍ଦ୍ରହାର, ଗୋଠ, ପାଉଜି, ବେଙ୍ଗପାଟିଆ ମାଳ, ବାଘନଖୀ ଆଦି ପରିଧାନ କରିଥାନ୍ତି ।

 

ନାଗାର ବୀରତ୍ୱପୂର୍ଣ୍ଣ ସାଜ ବିଷୟରେ ମଧ୍ୟ ଏକାଧିକ ମତ ଦୃଷ୍ଟିଗୋଚର ହୁଏ । ପୁରୀର ପ୍ରାଚୀନ ପରମ୍ପରା ଅନୁସାରେ ନାଗା ବାନ୍ଧୁଥିବା ଯୁବକ ପ୍ରାୟ କୋଡ଼ିଏ ପ୍ରକାରର ସାଜରେ ସଜ୍ଜିତ ହୁଏ । ସେଗୁଡ଼ିକ ହେଲା,- ତରବାରୀ, କଟାରି, ଛୁରୀ, ବାଙ୍କଛୁରୀ, ଧନୁଶର, କୁନ୍ତ, ବର୍ଚ୍ଛା, ତେଣ୍ଟା, ବନ୍ଧୁକ, ଚକ୍ର, ମୁଦଗର, ନିଝାମ, ଲୁହା ଶିଙ୍କୁଳି, ଛାତି ପାଖରେ ଝାଞ୍ଜ, ହରିଣ ଶିଙ୍ଘ, ଶିଙ୍ଗଡ଼ା (ଗାଈ ବା ମଇଁଷିର ଶିଙ୍ଘ), ରଞ୍ଜକ ଦାନୀ (ବାରୁଦ କୁମ୍ପା), ଢାଲ, ହୋଦା, ଢେଣୁ ଇତ୍ୟାଦି । କିନ୍ତୁ କହ୍ନେଇ ଚମ୍ପତ୍ତିରାୟଙ୍କ ପାଇକଖେଦାର ବର୍ଣ୍ଣନା ଅନୁସାରେ ଏମାନେ ଷୋହଳ ପ୍ରକାରର ଅସ୍ତ୍ରଶସ୍ତ୍ରରେ ଭୂଷିତ ହେଉଥିଲେ । ପାଇକ ଖେଦାର ବର୍ଣ୍ଣନା ହୋଇଥିବା ଅସ୍ତ୍ର ହେଲା,- ନଳୀ, ଠୁଙ୍କା, ବାରୁଦକୁମ୍ପା, ଝଲକଣ, ଶଗଡ଼ିଆ ନଳି, ଓଲଟଧାର ଖଣ୍ଡା, ହାତଭରା ଖଣ୍ଡା, ଖର୍ପର ଢାଲ, କାଣ୍ଡ, କଟାରୀ, ବାଙ୍କ ଛୁରୀ, କଟି ଢାଲ, କାଚିମାଳ, ଛତି ଓ ଧନୁ । ତେବେ ମୋଟାମୋଟି ଭାବରେ ଦେଖିବାକୁ ଗଲେ ଉଭୟ ମତର ଅସ୍ତ୍ରଶସ୍ତ୍ର ସାଜ ପାଖାପାଖି ସମାନ କହିଲେ ଭୁଲ ହେବନାହିଁ ।

 

ଏହି ନାଗା ସମ୍ପର୍କରେ ମତ ଦେଇ ଲୋକରତ୍ନ କୁଞ୍ଜବିହାରୀ ଦାଶ ପଲ୍ଲିଗୀତ ସଞ୍ଚୟନର ତୃତୀୟ ଭାଗରେ ଉଲ୍ଲେଖ କରିଛନ୍ତି,- “ନାଗା ତାରୁଣ୍ୟ ଓ ପୌରୁଷର ଏକ ପ୍ରଚଣ୍ଡ ରୂପ, ବୈଦିକ-ଶକ୍ତି ଓ ଉନ୍ମାଦନାର ଏକ ବିସ୍ଫୋରଣ, ତାର ବୀର ପାହୁଲ ଓ ଦୁର୍ଦ୍ଦଷ ଗତି, ବୀରତ୍ୱପୂର୍ଣ୍ଣ ପରମ୍ପରା, ଦୀର୍ଘ ରଣାଭ୍ୟାସ ଓ କୌଶଳର ପରିଚୟ ଦିଏ ।”

 

ନାଗା ନୃତ୍ୟରେ ଦାମାମା, ଦୁନ୍ଦୁଭି ବାଜେ ନାହିଁ । ଚାଙ୍ଗୁର ତାଳେ ତାଳେ ବୀର ଦର୍ପରେ ପାହୁଣ୍ଡ ପକାଇ, ମୁରାଟି କରି ଚାହିଁ, ନିଶ ମୋଡ଼ି ନାଗା, ନୃତ୍ୟ କରୁଥିବା ସମୟରେ ମଝିରେ ମଝିରେ ବନ୍ଧୁକ ଫୁଟାଇ ଦର୍ଶକମାନଙ୍କୁ ଚମକାଇ ଦେଉଥାଏ । ତା’ସହିତ ବେଳେବେଳେ ନାଗା ପାହୁଣ୍ଡ ପକାଇ ଏକ ବିଶେଷ ଠାଣିରେ ଘୁରି ଯାଉଥାଏ । ଏଇ ଘୂରିବା ପର୍ଯ୍ୟାୟକୁ ‘ଚକ୍ରଦାଣ୍ଡି’ ବୋଲି କୁହାଯାଇଥାଏ । ଏ ଦୃଶ୍ୟ ଯେତିକି ଚିତ୍ତାକର୍ଷକ ସେତିକି ରୋମାଞ୍ଚ ସୃଷ୍ଟିକାରୀ । ନାଗା, ଚାଙ୍ଗୁ ଓ ନାଗରାର ତାଳେ ତାଳେ ଏକ ସ୍ୱତନ୍ତ୍ର ଚାଲିରେ ଆଗେଇ ଯାଉଥିବା ସମୟରେ ଲୋକେ ପଛେଇ ଯାଇ ବାଟ ତିଆରି କରି ଦେଇଥାନ୍ତି ।

 

ନାଗାନୃତ୍ୟ-ବୀରତ୍ୱ, ଦମ୍ଭ ଓ ଶୌର୍ଯ୍ୟପୂର୍ଣ୍ଣ ନୃତ୍ୟ । ଶାସ୍ତ୍ରୀୟ ରାଗର ବିଳମ୍ବିତ ଏବଂ ଦ୍ରୁତଲୟରେ ଚାଚେଡ଼ୀ ବାଦ୍ୟ ବାଜିବା ସହିତ ‘ଚଣ୍ଡନିସାରୁକ’ ବା ଭୈରବତାଣ୍ଡବ ତାଳରେ ଏତେଗୁଡ଼ାଏ ଅସ୍ତ୍ରଶସ୍ତ୍ର ଓ ସାଜସରଞ୍ଜାମରେ ସଜ୍ଜିତ ନାଗାର ନୃତ୍ୟ ଦର୍ଶକମାନଙ୍କୁ ସ୍ତବ୍ଧ ଚକିତ କରିଦେବା ସ୍ୱାଭାବିକ । ନାଗାନୃତ୍ୟକାରୀକୁ ଉତ୍ସାହ ପ୍ରଦାନ କରିବାପାଇଁ ପ୍ରଦ୍ୟୋତକ, ସ୍ତାବକ ଏବଂ କଳାପ୍ରେମୀମାନେ ବିଭିନ୍ନ ଧ୍ୱନି ସୃଷ୍ଟି କରିଥାନ୍ତି ।

 

ନାଗାନୃତ୍ୟରେ ଗାନ କରାଯାଉଥିବା ଗୀତରୁ ହିଁ ବୁଝିହୁଏ ଏହା ପଛରେ ରହିଥିବା ସମରଲିପ୍ସା ଓ ବୀରତ୍ୱର କାହାଣୀ । ଯଥା–

 

“ଯେବେ ସମରେ ଯିବୁ, ହୋଦା ବାହୁଟି ନେବୁ

ଆଦର କରିବୁ ଗୋ

କଟି ଢାଲେ ନାଭିଚକ୍ରକୁ ଛେକିବୁ ଛେକିଣଭାଲେ

କଟି ଢାଲଗୋ

କାଲିକି ମାନ ବାହୁମୂଳରେ ଭୂଜମାନଙ୍କୁ ଖଣ୍ଡାଗତିରେ

ବାପ, ଧିରେ ଧିରେ ଦୋହଲିଗତି ଯେ ଦଶବଡ଼

ଆଣ୍ଟ ନ ହେବ ଗୋ

ଆଣ୍ଟ ସମରେ ଗଲେ

ଜୀବନ ତେଜା କଲେ

ସମ୍ମାନ ତୋର ଗତି ହେବ ଗୋ ।”

 

ନାଗାନୃତ୍ୟ ସମ୍ପର୍କରେ କବି ହରିହର ମିଶ୍ର ମତପ୍ରଦାନ କରି କହିଛନ୍ତି- ଦୁର୍ଦ୍ଦଷ ସାମରିକତା ଯେତେବେଳେ କଳାର ସ୍ୱୀକୃତି ଖୋଜିଛି, ସଂସ୍କୃତିର ପରିବର୍ତ୍ତନ ସହ ତାଳ ଦେଇ ଗତିକରି ଭିନ୍ନ ଭିନ୍ନ ସମ୍ପ୍ରଦାୟ ଏବଂ ଲୋକରୁଚିଦ୍ୱାରା ପ୍ରଭାବିତ, ସମନ୍ୱିତ ଓ ବିବର୍ତ୍ତିତ ହୋଇ ଏହିଭଳି ଏକ ନୃତ୍ୟରେ ନିଜକୁ ପ୍ରକାଶିତ କରିଛି ।

 

ନାଗାନୃତ୍ୟ ଏକ ଭକ୍ତିରସ ଆଶ୍ରିତ ବୀରନୃତ୍ୟ । ଲୋକବିଶ୍ୱାସ ରହିଛି ଯେ, ଓଡ଼ିଆ ଜାତିର ଆରାଧ୍ୟ ଦେବତା, କଳାଧଳା ଘୋଡ଼ା ଚଢ଼ି କାଞ୍ଚି ଯୁଦ୍ଧ ଯାତ୍ରାରେ ଯାଇଥିଲେ ଏବଂ ସେ ମଧ୍ୟ ଯୋଦ୍ଧୃ ବେଶ ଧାରଣ କରି ଆଜିର ଲୋକନର୍ତ୍ତକ ‘ନାଗା’ର ବେଶ ପରିପାଟୀ ଅନୁରୂପ ସାଜସରଞ୍ଜାମରେ ଭୂଷିତ ହୋଇଥିଲେ । ତେଣୁ ଯେଉଁ ବର୍ଷ କାର୍ତ୍ତିକ ମାସରେ ଛ’ ଦିନିଆ ପଞ୍ଚକ ପଡ଼େ, ସେହି ବର୍ଷର ଅଧିଦିନଟିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଗାବେଶ ଅନୁଷ୍ଠିତ ହୋଇଥାଏ ।

 

ପୁରୀର ଲୋକ ଚଳଣି ସହିତ ବୀରତ୍ୱ ବ୍ୟଞ୍ଜକ ନାଗାନୃତ୍ୟ ଏତେ ପରିମାଣରେ ଜଡ଼ିତ ହୋଇ ଯାଇଛି ଯେ, ଶୌର୍ଯ୍ୟ, ବୀରତ୍ୱ ଓ ଦୁଃସାହସିକ ଶକ୍ତିର ପ୍ରତୀକ ମହାବୀର ହନୁମାନଙ୍କୁ ମଧ୍ୟ ଏଠାରେ ନାଗା ବେଶରେ ସଜ୍ଜିତ କରିବାକୁ ସମସ୍ତେ ତତ୍ପର । ମହାବୀରଙ୍କ ଜନ୍ମ ଜୟନ୍ତୀ-ମହାବିଷୁବ ସଂକ୍ରାନ୍ତି ଦିନ ପୁରୀର ସମସ୍ତ ଜାଗା ଆଖଡ଼ାର ହନୁମାନ ବିଗ୍ରହମାନଙ୍କୁ ନାଗା ବେଶରେ ସଜ୍ଜିତ କରାଯାଇଥାଏ । ଏତଦ୍‌ବ୍ୟତୀତ ଶ୍ରୀକ୍ଷେତ୍ର ପରିକ୍ରମା ଦିନ ଅର୍ଥାତ୍ ମାର୍ଗଶୀର କୃଷ୍ଣ ପଞ୍ଚମୀ ଦିନ ମହାବୀରଙ୍କୁ ପୀଠରେ ନାଗାର୍ଜ୍ଜୁନ ବେଶରେ ଭୂଷିତ କରାଯାଇଥାଏ ।

 

ପୁରୀର ପ୍ରସିଦ୍ଧ ଗୋସାଣୀ ଯାତ୍ରା କାଳରେ ବିଭିନ୍ନ ସାହିରେ ‘ନାଗା’ଙ୍କର ମୃଣ୍ମୟ ମୂର୍ତ୍ତି ନିର୍ମାଣ କରି ପୂଜା କରାଯାଇଥାଏ । ଆଶ୍ଚର୍ଯ୍ୟ କଥା ହେଲା ଏହି ସମୟରେ ନାଗାଙ୍କୁ ବନଦୁର୍ଗା ମନ୍ତ୍ରରେ ପୂଜା କରାଯାଇଥାଏ । ଅବଶ୍ୟ ନାଗାଙ୍କୁ କିପରି ଓ କାହିଁକି ବନଦୁର୍ଗା ମନ୍ତ୍ରରେ ତଥା ଦଶହରା କାଳରେ ଗୋସାଣୀ ଯାତ୍ରାରେ ପୂଜା କରାଯାଏ ତାହା ଗବେଷଣା ସାପେକ୍ଷ ।

 

ପୁନଶ୍ଚ ରାମନବମୀଠାରୁ ଦୀର୍ଘ ୧୦ ଦିନ ଧରି ଅନୁଷ୍ଠିତ ହେଉଥିବା ସାହିଯାତ୍ରାରେ ମଧ୍ୟ ନାଗା ନାଚର ମେଢ଼ ବାହାରିଥାଏ । ଯଦିଓ ରାମଲୀଳା ସହିତ ‘ନାଗା’ ବାହାରିବାର କୌଣସି ତାତ୍ତ୍ୱିକ, ପୌରାଣିକ କିମ୍ବା ଆଧ୍ୟାତ୍ମିକ କାରଣ ଦୃଷ୍ଟିଗୋଚର ହୁଏ ନାହିଁ ତଥାପି ପୁରୀର ଲୋକ ସଂସ୍କୃତିରେ ନାଗା ଏପରି ଏକ ଅପରିହାର୍ଯ୍ୟ ଅଙ୍ଗ ହୋଇ ପଡ଼ିଛି ଯେ ପ୍ରତ୍ୟେକ ସାମାଜିକ ଉତ୍ସବରେ ଏହାର ଉପସ୍ଥିତି ଅନିବାର୍ଯ୍ୟ ହୋଇ ଉଠିଛି । ରାମଜନ୍ମ ଉତ୍ସବ ସମୟରେ କାଳିକାଦେବୀ ସାହି ନାଗା, ସୀତା ବିବାହ ପ୍ରସ୍ତାବ ଦିନ ମାଟିମଣ୍ଡପ ସାହି ନାଗା, ଋଷ୍ୟଶୃଙ୍ଗ ଯାତ୍ରା ଓ ପରଶୁରାମ ଲୀଳାଦିନ ହରଚଣ୍ଡୀ ସାହି ନାଗା, ସୀତାଚୋରୀ ଓ ମାୟାମୃଗଲୀଳା ଦିନ କୁଣ୍ଢେଇବେଣ୍ଟ ସାହି ନାଗା, ଲଙ୍କା ଦହନ ଦିନ ଦୋଳମଣ୍ଡପ ସାହି ନାଗା, ରାବଣ ବଧ ଲୀଳା ଦିନ ବାଲିସାହି ନାଗା ପ୍ରଭୃତି ଶୌର୍ଯ୍ୟ ଓ ବୀରତ୍ୱର ପ୍ରତୀକ ଭାବରେ ପଟୁଆରରେ ସାମିଲ ହୋଇଥାନ୍ତି ।

 

ପୁରୀର ନାଗା ନାଚ ଅନୁସରଣରେ ପୁରୀ ପଞ୍ଚକୋଶୀ ଅଞ୍ଚଳରେ ମଧ୍ୟ ଏହି ଧରଣର ନୃତ୍ୟ ବ୍ୟବସ୍ଥା ରହିଛି । ନୃସିଂହ ଜନ୍ମ ଦିନ ପୁରୀ ଜିଲ୍ଲାର ନୂଆ ଶାସନ ଗ୍ରାମରେ ନାଗାଯାତ୍ରା ମେଳଣ ଅନୁଷ୍ଠିତ ହେଉଥିଲା । ଉତ୍ତର ସାହି ଏବଂ ଦକ୍ଷିଣ ସାହି ନାଗାଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା । ଜନସାଧାରଣ ଏହାର ବିଚାରକ ଭାବରେ ସେଠି ନିଜର ଭାବପ୍ରକାଶ କରୁଥିଲେ । ଯାତ୍ରାର ପୂର୍ବଦିନ ଦକ୍ଷିଣକାଳୀଙ୍କ ପୂଜା ଅନୁଷ୍ଠିତ ହେବା ସହିତ ନାଗାଙ୍କ ସାଜସରଞ୍ଜାମ ପୂଜା ହୋଇଥାଏ । ତତ୍ପରେ ନାଗା, ନୃସିଂହଙ୍କ ଦର୍ଶନ କରି ମନ୍ଦିରରୁ ଶାଢ଼ି ପ୍ରସାଦ ଓ ମାଳା ପାଇଥାଏ । ଏହାଛଡ଼ା ଅବିଭକ୍ତ ପୁରୀ ଜିଲ୍ଲାର ବଳଙ୍ଗା, ହରିପୁର, ବାଲିସାହି ଏବଂ ବାଳକାଟି ଆଦି ଅଞ୍ଚଳରେ ଭଉଁରୀ ଦିନ (ବୈଶାଖ ପୂର୍ଣ୍ଣିମା) ନାଗାଯାତ୍ରା ହେଉଥିଲା । ଚମ୍ପକ ଦ୍ୱାଦଶୀ ଦିନ ରୂପଦେଈପୁରଠାରେ ନାଗାଯାତ୍ରା ହେଉଥିଲା ।

 

ମୋଟାମୋଟି ଭାବରେ କହିଲେ, ବୀରତ୍ୱ ଶକ୍ତି ଓ ପୌରୁଷର ପ୍ରତୀକ ଶକ୍ତିଶାଳୀ ଗଣ ଅଚେତନ (collective unconscious)ରେ ଏକ ବୀର ପୁରୁଷ, ବୀରତ୍ରାତା (hero-saviour) ଏକ କଳ୍ପନା (architype) ଭାବରେ ପ୍ରତିଷ୍ଠାଲାଭ କରି ସାରିଛି ବୋଲି କହିବାରେ ଦ୍ୱିଧା ଆସେ ନାହିଁ ।

Image

 

ଲୋକ ସଂସ୍କୃତି ପରମ୍ପରା ଓ ପୁରୀର ନେତପିଲା

 

ମହାଭାଷ୍ୟକାର ପତଞ୍ଜଳି ‘ଲୋକ’ ଶବ୍ଦର ଅର୍ଥ କରି କହିଛନ୍ତି ସାଧାରଣ ମଣିଷ । ଅପରପକ୍ଷରେ ବିଶିଷ୍ଟ ଲୋକତତ୍ତ୍ୱବିତ୍ ଇଣ୍ଡିଆନା ବିଶ୍ୱବିଦ୍ୟାଳୟର ଗବେଷକ ପ୍ରଫେସର ଆଲାନ୍ ଡଣ୍ଡିଜ କହିଛନ୍ତି,- “କିଛି ସାଧାରଣ ବିଶେଷତ୍ୱ ରହିଥିବା ଯେ କୌଣସି ଜନଗୋଷ୍ଠୀକୁ ‘ଲୋକ’ କୁହାଯାଇପାରିବ । କିନ୍ତୁ ଗୋଟିଏ ମୁଖ୍ୟକଥା ହେଉଛି ସେହି ଜନସମୂହର ନିଜସ୍ୱ କିଛି ପରମ୍ପରା ଥିବା ଦରକାର ।” ଏଥି ସହିତ ସେ କହିଛନ୍ତି,- ପ୍ରତ୍ୟେକ ଗୋଷ୍ଠୀ ଅନ୍ତର୍ଗତ ଲୋକ ସମାଜ ତାଙ୍କର ନିର୍ଦ୍ଦିଷ୍ଟ ପରମ୍ପରାକୁ ମାନି ଜୀବନ ନିର୍ବାହ କରିନ୍ତି ଏବଂ ପ୍ରତ୍ୟେକ ଲୋକ ପରମ୍ପରା ଏକ ସାଂସ୍କୃତିକ ଭୂମିକୁ ନିଜସ୍ୱ ପରିଚୟ ଭାବରେ ଗ୍ରହଣ କରିଥାନ୍ତି । ଏହା ସହିତ ଧର୍ମ, ଭାଷା ଏବଂ ଆରାଧ୍ୟ ଦେବତାଙ୍କୁ ମଧ୍ୟ ସାମିଲ କରିଥାନ୍ତି । ଏହି ଲୋକ ସଂସ୍କୃତି ପ୍ରାଚୀନ ସମୟରେ ଗୋଟିଏ ସ୍ଥାନର ସ୍ଥାନୀୟ ଅଧିବାସୀଙ୍କ ଜୀବନଧାରା ସହିତ ହିଁ ଜଡ଼ିତ ଥିଲା । କିନ୍ତୁ ସାମ୍ପ୍ରତିକ କାଳଖଣ୍ଡରେ ଏହା ଭିତରକୁ କିଛିଟା ଆଧୁନିକତାର ପ୍ରବେଶ ଘଟି ସାମୁହିକ ଜନଚେତନା ସହିତ ଜଡ଼ିତ ହୋଇଯାଇଛି-। ତଥାପି ଏହାର ନିଜସ୍ୱ ଶୈଳୀ ଏହାକୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ବୋଲି ତତ୍‌କ୍ଷଣାତ୍ ଚିହ୍ନାଇ ଦେଇଥାଏ ।

ଏହି ପରିପ୍ରେକ୍ଷୀରେ ପୁରୀର ଲୋକ ସଂସ୍କୃତି ଏବଂ ଲୋକ ପରମ୍ପରା ମଧ୍ୟ ତା’ର ନିଜର ଏକ ସ୍ୱାତନ୍ତ୍ର‌୍ୟ ବହନ କରିଥାଏ । ଏହାର ସର୍ବମୁଖ୍ୟ କାରଣ ହେଲା ମହାପ୍ରଭୁ ଶ୍ରୀଜଗନ୍ନାଥ । ପୁରୀର ସମସ୍ତ ପ୍ରକାରର ପାରମ୍ପରିକ ଲୋକ ଚଳଣି ସହିତ ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବରେ ସେ ଜଡ଼ିତ । ସତେ ଯେପରି ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ପୁରୀ ଲୋକ ଜୀବନର ଆଦି, ମଧ୍ୟ ଏବଂ ଅନ୍ତ-। ସିଏ ହିଁ ସାଂସ୍କୃତିକ, ସାମାଜିକ ଓ ଧର୍ମୀୟ ଜୀବନର ଏକମାତ୍ର ରାହା । ପୁରୀର ଲୋକ ନାଟ ସାହିଯାତଠାରୁ ଆରମ୍ଭ କରି ସାତ ସାହିର ପ୍ରାଚୀନ ଜୀବନଧାରାର ‘ଗୁଆଲି’ ପରମ୍ପରା ପର୍ଯ୍ୟନ୍ତ ସର୍ବତ୍ର ଶ୍ରୀଜଗନ୍ନାଥଙ୍କ ସ୍ୱାକ୍ଷର ରହିଛି । ଏହି ପରିପ୍ରେକ୍ଷୀରେ ପୁରୀସ୍ଥ ଶ୍ରୀଜଗନ୍ନାଥଙ୍କ ସେବକ ପରିବାରରେ ରହିଥିବା ଲୋକ ପରମ୍ପରା ‘ନେତପିଲା’ଙ୍କଦ୍ୱାରା ଅନୁଷ୍ଠିତ ହେଉଥିବା କୁମାରୀ ବ୍ରତ ମଧ୍ୟ ଏକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ବହନ କରିଥାଏ । ଉପଚାର ଭିତ୍ତିକ ଏହି ସାଂସ୍କୃତିକ ପରମ୍ପରାରେ କୁମାରୀ କନ୍ୟାମାନେ (ବିଶେଷତଃ ବ୍ରାହ୍ମଣ ଓ ଉଚ୍ଚ ଜାତିର ସେବକ ସମ୍ପ୍ରଦାୟର) ବାଲୁକା ଲିଙ୍ଗ ପୂଜା କରିଥାନ୍ତି । ଏହା ପଛରେ ହୁଏତ ଶିବଙ୍କ ପରି ସ୍ୱାମୀ ପାଇବାର ପରମ୍ପରା ରହିଛି ବା ଲୋକବିଶ୍ୱାସ ରହିଛି । ପୁରୀର ‘ନେତପିଲା’ ରୂପକ ଏକ ଲୋକାୟତ କୁମାରୀ ପୂଜା ପରମ୍ପରାର ନାମକରଣର ସ୍ପଷ୍ଟ କାରଣ କିଛି ଜଣାପଡ଼ୁ ନ ଥିଲେ ହେଁ ଅନୁମାନ କରାଯାଇପାରେ ଯେ, ନେତ ହେଉଛି ‘ନୃତ୍ତ’ ଶବ୍ଦର କଥିତ ଭାଷା । ପୁନଶ୍ଚ ନେତ ହେଉଛି ଶ୍ରୀମନ୍ଦିର ନୀଳଚକ୍ରରେ ଲାଗୁଥିବା ‘ବାନା’ ବା ପତାକାର ଲୋକଶବ୍ଦ । ତୃତୀୟତଃ ‘ନେତ’ ଶବ୍ଦଟି ପ୍ରାଚୀନ ଅଷ୍ଟିକ୍ ଭାଷାଗୋଷ୍ଠୀ ମଧ୍ୟରେ ଥିବା ସାନ୍ତାଳ, ମୁଣ୍ଡା, ସଉରା, ଗଦବା ଆଦି ଗୋଷ୍ଠୀର ନାୟତି; ‘ନେଇତି ଭାବରେ ବ୍ୟବହୃତ ଶବ୍ଦର ସମପର୍ଯ୍ୟାୟବାଚୀ । ନାୟତି ବା ନେଇତି ଶବ୍ଦର ଅର୍ଥ ହେଉଛି ଗୁମରି ରହିବା ବା ଗୁମ୍‌ମାରି ରହିବା । ଯାହାକୁ ଆମେ ମୌନ ରହିବା କହିଥାଉ । ପାରଳାଖେମୁଣ୍ଡି ଅଞ୍ଚଳର ବସୁ ଓ ଲାଞ୍ଜୁଆ ସଉରା କନ୍ୟାମାନେ ରଜସ୍ୱାଳା ହେବା ଦିନଠାରୁ ମାସେ ପର୍ଯ୍ୟନ୍ତ ଗୁମରି ରହି ବା ମୌନ ରହି ଗ୍ରାମଦେବତାଙ୍କୁ ପୂଜା କରିଥାନ୍ତି । ମୟୁରଭଞ୍ଜ ଶିମିଳିପାଳ ଅଞ୍ଚଳର ସାନ୍ତାଳ ପରମ୍ପରାରେ ଯୋନିପୀଠ ଦେବକୁଣ୍ଡଠାରେ ଅପ୍ରାପ୍ତ ବୟସ୍କା ଝିଅମାନେ ପ୍ରତି ପୂର୍ଣ୍ଣିମାରେ ଗାଧୋଇ ସଂକଳ୍ପ ପାଳନ୍ତି ଓ ବ୍ରାହ୍ମଣକୁ ଗୁଆ ହଳଦୀ ଦାନ କରନ୍ତି । ମହେନ୍ଦ୍ରାଞ୍ଚଳ ସଉରା ସମ୍ପ୍ରଦାୟର ଅପ୍ରାପ୍ତ ବୟସ୍କା କନ୍ୟାମାନେ ପ୍ରତି ପୂର୍ଣ୍ଣମୀ ଦିନ ରାତିରେ ମାଟିରେ ନାଲି ମୁରୁଜ କୋଠରି କାଟି ତା ମଧ୍ୟରେ ହଳଦୀଖଣ୍ଡ, ଧାନ ଓ ରବି ଜାତୀୟ ଶସ୍ୟ ସଜାଇ ରଖି ମଝିରେ ରନ୍ଧା ଜାଉ ରଖି ତା ଚାରି ପାଖରେ ଗୀତବୋଲି ନାଚନ୍ତି ।

କୁମାରୀ କନ୍ୟାମାନଙ୍କର ନେୟତି ବା ନାୟତି ପାଳିବା ପଛରେ ଭଲ ସ୍ୱାମୀ ପାଇବାର ମାନସିକତା ପରମ୍ପରାକ୍ରମେ ରହି ଆସିଛି । ମନେହୁଏ ପୁରୀର ପ୍ରାଚୀନ ଅଷ୍ଟ୍ରିକ ସଭ୍ୟତାର ପ୍ରଭାବରେ ନେତ ପରମ୍ପରାର ଅୟମାରମ୍ଭ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ହୋଇଥିଲା ।

ଏକଥା ସତ୍ୟ ଯେ ନେତ ପିଲାଙ୍କ ମହାସପ୍ତମୀଠାରୁ ମହାନ୍‍ବମୀ ପର୍ଯ୍ୟନ୍ତ ଶାରଦୀୟ ଦୁର୍ଗାପୂଜା ସମୟରେ ଶିବଲିଙ୍ଗ ପୂଜା କରିବା ଏକ ନିଆରା ପରମ୍ପରା । ମାତ୍ର ଆଦିବାସୀ ପରମ୍ପରା ବ୍ୟତୀତ ଓଡ଼ିଶାର ବହୁ ଅଞ୍ଚଳରେ, ବିଶେଷକରି ଉପକୂଳବର୍ତ୍ତୀ ଅଞ୍ଚଳରେ କୁମାରୀ ଝିଅମାନେ ଖୁଦୁରୁକୁଣି ଓଷା, ଜହ୍ନି ଓଷା, କୁମାର ପୂର୍ଣ୍ଣିମା ଆଦି ପାଳନ କରି ଯଥାକ୍ରମେ ଦୁର୍ଗା ବା ମଙ୍ଗଳାଙ୍କୁ, ଚନ୍ଦ୍ର ଏବଂ ତୁଳସୀଙ୍କୁ ବରପ୍ରାପ୍ତି ପାଇଁ ପ୍ରାର୍ଥନା କରିଥାନ୍ତି । କୁମାରପୂର୍ଣ୍ଣିମାରେ ଅବଶ୍ୟ କୁମାର ବା କାର୍ତ୍ତିକେୟଙ୍କ ପରି ବର ପାଇବାର କାମନା ରହିଥାଏ । ନେତ ପିଲାମାନେ ଗୌରୀ-ବେତ ବା ଯୋଡ଼ିବେତ ପୂଜା ଶାରଦୀୟ ସପ୍ତମୀଠାରୁ ନବମୀ ପର୍ଯ୍ୟନ୍ତ କରିବା ଅବସରରେ ଦିଠା ଶୀତଳ ଭୋଗ ବାଢ଼ିଥାନ୍ତି । ତାଛଡ଼ା ଆମିଷ ଭୋଗ ସମୟରେ ଖଣ୍ଡୁଆ ଘୋଡ଼ାଯାଇ ରଖାଯିବାର ବିଧି ପ୍ରଚଳିତ । ଦଶହରା ଦିନ ଯୋଡିବେତ ବିସର୍ଜନ ଦିଆଯାଏ ।

କେବଳ ଉତ୍ତମ ପତି ଲାଭ ପାଇଁ ନୁହଁ ଆଜୀବନ ସଧବା ରହିବାର ସ୍ୱପ୍ନ ମଧ୍ୟ ଏହି ଗୌରୀବ୍ରତ ବା ହରଗୌରୀ ବ୍ରତରେ ନେତପିଲାଙ୍କ ମାନସିକତାରେ ରହିଥାଏ । ଯାହାକୁ ପୁରୀ ବୋଲିରେ ଡଃ ସିଦ୍ଧେଶ୍ୱର ମହାପାତ୍ର ଉଲ୍ଲେଖ କରିଛନ୍ତି–“ସିନ୍ଦୁର ମୁଣ୍ଡି ଓ ଆଇଁଷ ତୁଣ୍ଡି ହେବାପାଇଁ” ଏକ ଆକୁଳ ନିବେଦନ ଏଥିରେ ରହିଥାଏ । ଏ ସମ୍ପର୍କରେ ଲୋକ ଗୀତିରେ ସୂଚନା ରହିଛି ଯେ–

“ଘିନେ ଗଉରା ଗଈଷ ମୁଣ୍ଡି

ମତେ କରିଥିବ ସିନ୍ଦୁର ମୁଣ୍ଡି ।

ଘିନେ ଗଉରା ଗଈଷ ମୁଣ୍ଡି

ମତେ କରିଥିବ ଆଇଁଷ ତୁଣ୍ଡି ॥”

 

ମନେହୁଏ ଶିବଙ୍କ ପରି ସ୍ୱାମୀ ପାଇବାର ପ୍ରଥମ ସୂଚନା ମିଳିଥାଏ ଦକ୍ଷଯଜ୍ଞ ପରବର୍ତ୍ତୀ ଘଟଣାରୁ । ଦକ୍ଷ ପ୍ରଜାପତିଙ୍କଦ୍ୱାରା ଅନୁଷ୍ଠିତ ଯଜ୍ଞ କୁଣ୍ଡରେ ସ୍ୱାମୀ ନିନ୍ଦା ସହି ନ ପାରି ସତୀ ଝାସ ଦେବାପରେ ପର୍ବତରାଜଙ୍କ କନ୍ୟା ପାର୍ବତୀ ଭାବରେ ଜନ୍ମ ଲାଭକରି ଦେବଦେବ ମହାଦେବଙ୍କୁ ସ୍ୱାମୀ ଭାବରେ ପୁନଃ ପ୍ରାପ୍ତି ପାଇଁ କଠୋର ତପସ୍ୟା ଆରମ୍ଭ କରିଥିଲେ । ଯାହାକି ସର୍ବସାଧାରଣରେ ଗୌରୀବ୍ରତ ଭାବରେ ପରିଚିତ । ଏହି ଗୌରୀବ୍ରତ ପରବର୍ତ୍ତୀ ସମୟରେ ସୀତା, ରାଧା, ଗୋପାଳୁଣୀ ଏବଂ ରୁକ୍ମିଣୀ ଆଦି ନିଜନିଜର ଆରାଧ୍ୟ ପୁରୁଷ ପ୍ରାପ୍ତି ପାଇଁ କରିଥିବା କଥା ବିଭିନ୍ନ ପୁରାଣମାନଙ୍କରେ ବର୍ଣ୍ଣିତ ଅଛି । ‘ଗୌରୀ’ ବ୍ରତ ବିଧାନ ଅନୁସାରେ ଅବିବାହିତା ଝିଅମାନେ ଶିବଙ୍କ ପରି ସର୍ବଗୁଣ ସମ୍ପନ୍ନ ସୁପୁରୁଷ ସ୍ୱାମୀ ପ୍ରାପ୍ତି ପାଇଁ, ପ୍ରାତ କାଳରୁ ସ୍ନାନ କରି କମ୍ବଳ ଆସନରେ ପୂର୍ବମୁଖ ହୋଇ ବସି ଶିବ ପାର୍ବତୀଙ୍କ ପ୍ରତିକୃତି ସମ୍ମୁଖରେ ରଖିବେ । ତାପରେ ଚକ୍ଷୁ ବନ୍ଦ କରି ପାର୍ବତୀଙ୍କ ହସହସ ମୁହଁକୁ ମାନସ ଚକ୍ଷୁରେ ସ୍ମରଣ କରି ମନୋକାମନା ପୂରଣ ପାଇଁ ପ୍ରାର୍ଥନା କରିବେ । ଏହି ସମୟରେ ସେ କିପରି ସ୍ୱାମୀ ଚାହୁଁଛି ସେ କଥା ମଧ୍ୟ ଧାରଣାରେ ରଖିଥିବେ । ତାପରେ ପ୍ରତିଦିନ ନିମ୍ନ ମନ୍ତ୍ରକୁ ଏକଶହ ଆଠ ଥର ପାଠ କରିବେ । ମନ୍ତ୍ରଟି ହେଲା–

 

“ହେ ଗୌରୀ ଶଙ୍କରାର୍ଦ୍ଧାଙ୍ଗୀ ଯଥା ତ୍ୱଂ ଶଙ୍କରପ୍ରିୟା ।

ତଥା ମାଂ କୁରୁ କଲ୍ୟାଣୀ କାନ୍ତ କାନ୍ତାଂ ସୁଦୁର୍ଲଭମ୍ ॥”

 

ମନ୍ତ୍ରପାଠ ପରେ କିଛି ସମୟ ସ୍ଥିର ଭାବରେ ବସି ରହି ଚିନ୍ତା କରିବେ ଗୌରୀ ବା ପାର୍ବତୀ ମନୋକାମନାକୁ ଆଗ୍ରହର ସହ ଶୁଣୁଛନ୍ତି । ଏହାପରେ ପୂଜାସ୍ଥାନ ତ୍ୟାଗ କରି ନିଜର ଦୈନନ୍ଦିନ କାର୍ଯ୍ୟ କରିବେ ।

 

ପୁରୀର ‘ନେତପିଲା’ଙ୍କ ଶିବ ପୂଜା ପରି ରାଜସ୍ଥାନ, ଗୁଜୁରାଟ ଏବଂ ମଧ୍ୟ ପ୍ରଦେଶରେ ‘ଗନ୍‌ଗୌରା’ ପୂଜା କୁମାରୀମାନେ ଶିବଙ୍କ ପରି ବରପ୍ରାପ୍ତି ପାଇଁ କରିଥାନ୍ତି । ‘ଗନ୍‌’ ଅର୍ଥ ଶିବ ଏବଂ ଗୌରା ହେଉଛି ଗୌରୀ-‘ଗନଗୌର’ ପୂଜା କହିଲେ ଶିବପାର୍ବତୀଙ୍କ ପୂଜାକୁ ବୁଝାଇଥାଏ । ଏହି ପୂଜା ଚୈତ୍ର କୃଷ୍ଣପ୍ରତିପଦାଠାରୁ ଆରମ୍ଭ ହୋଇ ଚୈତ୍ର ଶୁକ୍ଳ ତୃତୀୟା ପର୍ଯ୍ୟନ୍ତ ଅଠରଦିନ ଧରି ଅନୁଷ୍ଠିତ ହୋଇଥାଏ । କୁମାରୀ କନ୍ୟାମାନେ ଅଠର ଦିନ ଧରି ବ୍ରତ ପାଳନ କରିଥାନ୍ତି ।

 

ପୁରୀ ଶ୍ରୀଜଗନ୍ନାଥଙ୍କ ସେବାପୂଜା ସହିତ ସମ୍ପୃକ୍ତ ସେବକ ପରିବାରର ଝିଅମାନେ ଭାଦ୍ରବ ମାସ ପୂର୍ଣ୍ଣମୀ ବା ଇନ୍ଦୁପୂର୍ଣ୍ଣିମାଠାରୁ ଆଶ୍ୱିନ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଏକମାସ ଧରି ଏହି ବ୍ରତ ପାଳନ କରିଥାନ୍ତି । ଯଦିଓ ଗୋଟିଏ ମାସ ପର୍ଯ୍ୟନ୍ତ ବ୍ରତ ବିଧିରେ ରହିଥାନ୍ତି, ତଥାପି ଏହି ସମୟରେ ସାଧାରଣ ଝିଅପିଲାଙ୍କ ପରି ସ୍କୁଲକୁ ଯିବା, ଛୋଟ ପିଲାଙ୍କ ଗହଣରେ ଖେଳକୁଦ କରିବା ଆଦି କାର୍ଯ୍ୟ କରିଥାନ୍ତି । କିନ୍ତୁ ଆଶ୍ୱିନ ଶୁକ୍ଳ ପଞ୍ଚମୀଠାରୁ ମହାନ୍‍ବମୀ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଶିବଙ୍କ ଉପାସନା ପାଇଁ କଠୋର ବ୍ରତଚର୍ଯ୍ୟା ଆରମ୍ଭ କରିଦିଅନ୍ତି । ନେତ ପୂଜାର ଶେଷ ତିନିଦିନ ଅର୍ଥାତ୍ ମହାସପ୍ତମୀ, ମହାଅଷ୍ଟମୀ ଏବଂ ମହାନ୍‍ବମୀ ଦିନ ଶ୍ରୀମନ୍ଦିରର ନେତ ପରମ୍ପରା ଅନୁଯାୟୀ ମାର୍କଣ୍ଡେୟ ପୁଷ୍କରିଣୀ କିମ୍ବା ପଣ୍ଡୁ ମୁନିଙ୍କ ଆଶ୍ରମକୁ ଯାଇ ପୂଜା ବିଧି ସମ୍ପନ୍ନ କରିଥାନ୍ତି ।

 

ପରମ୍ପରା ଆଧାରରେ ନେତ ପୂଜା ସେବାୟତ ପରିବାରର ଛୋଟ ଝିଅପିଲାମାନେ ପ୍ରାତଃ କାଳରୁ ଉଠି ବ୍ରତ ପାଇଁ ପ୍ରସ୍ତୁତ ହୋଇଯାନ୍ତି । ମୁଖ୍ୟତଃ ପାଞ୍ଚବର୍ଷ ବୟସଠାରୁ ଆରମ୍ଭ କରି ଦଶ ଏଗାର ବର୍ଷର ଝିଅମାନେ ହିଁ ଏହି ବ୍ରତ ପାଳନ କରିଥାନ୍ତି । ପ୍ରଥମ ଏକୋଇଶ ଦିନ ପର୍ଯ୍ୟନ୍ତ ‘ନେତପିଲା’ ପ୍ରତି ସନ୍ଧ୍ୟାରେ ଚଉରାମୂଳେ ବଳିପୂଜା କରେ । ଏହି ଏକୋଇଶ ଦିନ ପର୍ଯ୍ୟନ୍ତ ଗୋଟିଏ ଗୁଆ ଓ ସାତୋଟି କଉଡ଼ିକୁ ଗୋଟିଏ ରୂପା ଫରୁଆରେ ରଖି ‘ନେତ’ ଶିବରୂପେ ପୂଜା କରିଥାଏ । ପୂଜା ସମୟରେ ନେତ ପିଲାମାନେ ସାଥି ହୋଇ ବଳି ଗୀତ ଗାଇଥାନ୍ତି । ଯଥା–

 

“ବଳିରେ ବଳି... ନକର କଳି, କାଲି ଆଣିଦେବି ସରୁ ଚକୁଳି

ସରୁ ଚକୁଳି ଉପରେ ମହୁ, ଧୂପ ଖଟିଗଲେ ରାଜାଙ୍କ ବୋହୁ

ରାଜାଙ୍କ ବୋହୂ ଯେ ବଡ଼ ବିନ୍ଧାଣି, ଟେକି ଧରିଥିବେ ସପତଫେଣୀ

ଅଇନ କଲେ କି ମଇନ କଲେ, ମୁଣ୍ଡପୋତି କରି ସାହାନ କଲେ ।”

 

କିମ୍ବା-

 

“ଅଧଲା କର ମାଛ, କୁଲାରେ ପକାଇ ବାଛ ।

ଯେବେ ହେଇଥିବୁ ସର୍ବମଙ୍ଗଳା, ଗୋଡ଼ାଇ ଗୋଡ଼ାଇ ଆସ ।

ଅରଖ ଦୁଦୁରା ବେଲ ପତିରି ପୂନେଇଁ ଘର

ତେବେ ଯେ ପାଇବି ଖଉରା ବର ।

ନୁହେଁ କି ଗଉରା ନୁହେଁ କି ଦିନ

ବାପ ମା କୋଡରେ ଅଢ଼େଇଦିନ

ସୁନା ଶାମୁକାରେ ଅରଖ ଦେଇ

ରୂପା ଶାମୁକାରେ କାଟଇ ନାହି ।”

 

ଉପରୋକ୍ତ ଗୀତଗୁଡ଼ିକ ବୋଲିବା ଭିତରେ ପୂଜା ହୋଇଥାଏ ଏବଂ ପୂଜା ପରେ ପ୍ରତ୍ୟେକ ନେତପିଲା ଦୁଇ ଆଞ୍ଜୁଳା ଫୁଲ ଧରି ପୁଷ୍ପାଞ୍ଜଳି ଦେଇଥାନ୍ତି ।

 

ନେତ ସାଜୁଥିବା ଝିଅ ବା ନେତ ପୂଜା ପାଇଁ ପ୍ରସ୍ତୁତ ଝିଅ ପାରମ୍ପରିକ ଦେବଦାସୀ ନୃତ୍ୟଶିଳ୍ପୀଙ୍କ ପରି ପାଇକଛା ମାରି ପାଟଶାଢ଼ିକୁ ପିନ୍ଧିଥାଏ । ଛୋଟ ଝିଅ ହୋଇଥିବା ହେତୁ ଏମାନଙ୍କ ପାଇଁ ପରିବାର ପକ୍ଷରୁ ସ୍ୱତନ୍ତ୍ର ଶାଢ଼ି ମଧ୍ୟ ବରାଦ କରି ଅଣାଯାଇଥାଏ । ପାଟଶାଢ଼ି ବ୍ୟତୀତ ଓଡ଼ିଆଣୀ ବୋହୂ ପରି ସୁନାରୂପାର ବିଭିନ୍ନ ଅଳଙ୍କାର ପରିଧାନ କରିବା ସହିତ, ପରିବାରର ବୟସ୍କା ସ୍ତ୍ରୀ ଲୋକଙ୍କ ତତ୍ତ୍ୱାବଧାନରେ ମାର୍କଣ୍ଡେଶ୍ୱର ମନ୍ଦିରକୁ ଯାଇ ସେଠାରେ ମାର୍କଣ୍ଡ ପୁଷ୍କରିଣୀଠାରେ ବାଲିର ଶିବଲିଙ୍ଗ ପ୍ରସ୍ତୁତ କରି ପୂଜା କରିଥାନ୍ତି । ପୂର୍ବେ ସାହିରୁ ବାହାରି ମାର୍କଣ୍ଡେଶ୍ୱର ମନ୍ଦିର ପର୍ଯ୍ୟନ୍ତ ସବାରୀ ପାଲିଙ୍କିରେ ବସି ପଟୁଆରରେ ଯାତ୍ରା କରୁଥିଲେ । ମାତ୍ର ବର୍ତ୍ତମାନ ସେହି ପାରମ୍ପରିକ ବିଧାନରେ ଅନେକ ପରିବର୍ତ୍ତନ ଘଟି ଝିଅମାନେ ବିଭିନ୍ନ ପ୍ରକାରର ଯାନ ବାହାନରେ ବସି ପୁଷ୍କରିଣୀ କୂଳକୁ ଯାଉଛନ୍ତି । ନେତ ବ୍ରତଧାରଣ କରିଥିବା ଏହି କୁମାରୀ କନ୍ୟାମାନଙ୍କର ଓଡ଼ିଆଣି ବୋହୂ ବେଶ ମନେ ପକାଇଦିଏ ମାହାରୀ ପରମ୍ପରାର ଝିଅଟିଏର ଶ୍ରୀଜଗନ୍ନାଥଙ୍କ ନିକଟରେ ସମର୍ପିତା ହେବାର ଆଦ୍ୟ କଥା ।

 

ମାତ୍ର ନଅ, ଦଶ ବର୍ଷର ମାହାରୀ ସେବାକୁ ଯିବାପାଇଁ ପ୍ରସ୍ତୁତ କନ୍ୟାଟିଏ ଶାଢ଼ି ବନ୍ଧା ସମୟରେ ଯେଉଁପରି ବେଶରେ ସଜ୍ଜିତା ହୋଇଥାଏ, ଠିକ୍ ସେହିପରି ବେଶ ଧାରଣ କରି ନେତପିଲାମାନେ ମାର୍କଣ୍ଡ ପୁଷ୍କରିଣୀ କୂଳକୁ ଯାଇଥାନ୍ତି । ମୁଣ୍ଡରେ ଲୋଟଣି ଜୁଡ଼ା, ମସ୍ତକରେ ଅଳକା ନଚେତ୍ କେତକୀ ରେଖା, ଜୁଡ଼ାରେ ଚଉଁରୀ ଭୁଣ୍ଡି, ଝରାକାଠି । ବେଣୀରେ କାକରା (ସୁନାଫୁଲ), ବେଣୀ ଆଗରେ ଫୁଲି ରୂପାର ଜାଲି । କାନରେ ମଲ୍ଲୀକଢ଼ି ନ ହେଲେ ଫୁଲପେଣ୍ଡି କିମ୍ବା ଚନ୍ଦ୍ର ବାଉରି । ନାକରେ ଦେଶୀ ବଣି ଅଥବା ହଂସ କିମ୍ବା ମୟୁର ବସା ଗୁଣା ଏବଂ ନୋଥ । ବେକରେ ତୁଳସୀ ମାଳି, ଚାପସି, ସୋରିଷିଆ ମାଳି, ଚମ୍ପାକଢ଼ି ମାଳୀ, ମହୁଡ଼, ଗିନି ମାଳି, କୁରୁଜାତକ ଆଦି ମଧ୍ୟରୁ କିଛି ଅଳଙ୍କାର । ବାହୁରେ ବାଜୁବନ୍ଧ, ତାଇତ, ରସୁଣିଆ, ଅନନ୍ତ ବଳା, କୃଷ୍ଣଚୂଡ଼ା, ମୋଡ଼ା, କିମ୍ବା ବାଙ୍କ କେଉଁରିଆ । ହାତରେ ଖଡ଼ୁ (ପଇଁଚ, ଅତୁଲ କିମ୍ବା ମଗରମୁହାଁ), ମୁଦି, ହାତପଦ୍ମ, ଶଙ୍ଖା, ଚୂଡ଼ି, ବଟଫଳ । ଅଣ୍ଟାରେ ଚନ୍ଦ୍ରହାର ବା ଅଣ୍ଟାବିଛା । ପାଦରେ ବାଙ୍କି ପାହୁଡ଼, ଗୋଲ ଗୋଡ଼ ଖଡ଼ୁ, ଘୁଙ୍ଗୁର ଲଗା ପାଉଜି ବା ବେଙ୍ଗପାଟିଆ ପାଉଜି, ମଗରପାଟିଆ ମଲ, ପାଦପଦ୍ମ । ହାତରେ କୁଙ୍କୁମ ନଚେତ୍ ହରଗଉରାପତ୍ର ଓ ଫୁଲରେ ମିଶ୍ରିତ ହାତପଚା, ପାଦରେ ଅଳତା, ଆଖିରେ କଜ୍ୱଳର ଲାଞ୍ଜିଟଣା, ଦୁଇ ଭୃଲତା ସନ୍ଧିରେ ଗୋରଚନା, କପାଳରେ ଚନ୍ଦନର ଟୋପି, କେତକୀ ରେଖା ।

 

ଉପରୋକ୍ତ ବେଶର ସ୍ୱାତନ୍ତ୍ର‌୍ୟ ହିଁ ବୁଝାଇ ଦିଏ ଏକଦିଗରେ ମାହାରୀ କନ୍ୟାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରେ ରହିଥିବା ଆତ୍ମ ସମର୍ପଣ ଜନିତ ଅନୁରାଗ ଓ ଅପର ଦିଗରେ ଶିବଙ୍କୁ ସ୍ୱାମୀ ରୂପରେ ପାଇବାକୁ ପାର୍ବତୀଙ୍କର ରହିଥିବା ଐକାନ୍ତିକ ଭକ୍ତିରସ୍ୱରୂପ । ଯାହାକି ନେତପିଲାଙ୍କର ବ୍ରତ ମାଧ୍ୟମରେ ସ୍ୱତଃ ପ୍ରତିଫଳିତ ହୋଇଥାଏ ।

 

ଉପରୋକ୍ତ ପାରମ୍ପରିକ ବେଶପୋଷାକ ନେତବ୍ରତଧାରିଣୀମାନଙ୍କ ପାଇଁ ଶ୍ରୀମନ୍ଦିରର ସେବକ ପରିବାରରେ ଗଚ୍ଛିତ ହୋଇ ରହିଥାଏ । ଓଡ଼ିଆଣି ବେଶରେ ସଜ୍ଜିତା ବ୍ରତଧାରିଣୀମାନେ ମହାସପ୍ତମୀଠାରୁ ମହାନ୍‍ବମୀ ପର୍ଯ୍ୟନ୍ତ ତିନିଦିନ ଧରି ଗୋଟିଏ ଛୋଟ ବେତର ଟୋକେଇରେ ଗୋଟିଏ ମକା, ପାଞ୍ଚଟି ଜହ୍ନି, ଗୋଟିଏ କମଳା, ଗୋଟିଏ କାକୁଡ଼ି, ଗୋଟିଏ ନଡ଼ିଆ, ପଇତା ଏବଂ ହଳଦୀଖଣ୍ଡ ସାତଗୋଟି ସଜ୍ଜାଇ ନେଇ ଯାଇଥାନ୍ତି । ଏହାଛଡ଼ା ସେମାନେ ହାତରେ ରୂପା ଫରୁଆରେ ଗୁଆ, ହଳଦୀଗୁଣ୍ଡ ଏବଂ କଉଡ଼ି ପାଞ୍ଚକଡ଼ା ନେଇ କରି ଯାଇଥାନ୍ତି । ମାର୍କଣ୍ଡ ପୁଷ୍କରିଣୀ କୂଳରେ ବାଲୁକା ଶିବଲିଙ୍ଗ ସ୍ଥାପନା କରି, ଫୁଲ, ଧୂପ, ଦୀପ, ଚନ୍ଦନ ଓ ନୈବେଦ୍ୟ ଦେଇ ବ୍ରାହ୍ମଣମାନଙ୍କଦ୍ୱାରା ପଞ୍ଚ ଉପଚାରରେ ହରଗୌରୀ ପୂଜା କରାଇଥାନ୍ତି । ମହାନ୍‍ବମୀ ଦିନ ବ୍ରତ ଗୁଆ, ପଇତା ତଥା ଦକ୍ଷିଣା ଇତ୍ୟାଦି ବ୍ରାହ୍ମଣ ପୁରୋହିତଙ୍କୁ ପ୍ରଦାନ କରି ବ୍ରତ ଉଦ୍‌ଯାପନ କରନ୍ତି । ଏହି କର୍ମକୁ ଧୁକୁଡ଼ି କର୍ମ ବୋଲି ମଧ୍ୟ କୁହାଯାଇଥାଏ । (ସଉରାମାନେ ମଧ୍ୟ ଧୁକୁଡ଼ି ଶବ୍ଦ ବ୍ୟବହାର କରନ୍ତି । ଏହାର ଅର୍ଥ ଗୋଟା କନ୍ୟା) । ବ୍ରତର ପରିସମାପ୍ତି ପରେ ନେତପିଲାମାନେ ଶ୍ରୀଫଳ ବା ନଡ଼ିଆ ତଥା ହଳଦୀ ସାତଖଣ୍ଡକୁ ବେତ ଟୋକେଇରେ ଘରକୁ ଫେରାଇ ଆଣିଥାନ୍ତି । ପରେ କୁମାର ପୂର୍ଣ୍ଣିମା ଦିନ ସେହି ହଳଦୀ ଖଣ୍ଡଗୁଡ଼ିକୁ ବାଟି ଦେହରେ ଲଗାଇ ସ୍ନାନ କରନ୍ତି । ତାପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରି ନୂଆଲୁଗା ପିନ୍ଧିଥାନ୍ତି । ସନ୍ଧ୍ୟାବେଳକୁ ଆକାଶରେ ଉଇଁ ଆସୁଥିବା କଅଁଳ ଜହ୍ନଙ୍କ ଉଦ୍ଦେଶ୍ୟରେ ଛେନା, କଦଳୀ, ନଡ଼ିଆ, ଖଇ ଆଦିକୁ ଚକଟି ଚାନ୍ଦ ବନ୍ଦାପନା ନୈବେଦ୍ୟ ବାଢ଼ିଥାନ୍ତି । ଚାନ୍ଦପୂଜା ପରେ କବାଟ କଣରେ ଲୁଚି ରହି ଚାନ୍ଦ ଭୋଗକୁ ଖାଇଥାନ୍ତି । ରାତିରେ ବ୍ରତ ଦିନର ନଡ଼ିଆରେ ପ୍ରସ୍ତୁତ ଜାଉ ଖାଇଥାନ୍ତି ।

 

ଏ ବିଷୟରେ ଟାଇମ୍‌ସ ଅଫ ଇଣ୍ଡିଆ ସମ୍ବାଦପତ୍ରର ସାମ୍ବାଦିକ ୨୦୧୦ ମସିହାରେ କୁନି ନାମକ ଜଣେ ନେତପିଲାଙ୍କଠାରୁ ସାକ୍ଷାତ୍‍କାର ନେଇ ତା’ର ଅନୁଭୂତି ଜାଣିବାକୁ ଚାହିଁଥିଲେ, ଯାହାକି ଅକ୍ଟୋବର ୧୫ ତାରିଖ ୨୦୧୦ ମସିହାରେ ପ୍ରକାଶିତ ହୋଇଥିଲା । ତଦନୁସାରେ କୁନି କହିଥିଲା, ମୁଁ ନେତ ଓଷାର ଏକ ଅଙ୍ଗ ହୋଇଥିବାରୁ ଗର୍ବ ଅନୁଭବ କରୁଛି । ଦଶବର୍ଷ ବୟସ୍କା ଏହି ଝିଅଟି ଏକଥା ମଧ୍ୟ କହିଥିଲା ଯେ, ମୁଁ ଶିବଙ୍କୁ ପୂଜା କରୁଛି ଭଲ ପାଠପଢ଼ି ମଣିଷ ହେବାକୁ । କିନ୍ତୁ ଆମ ପରମ୍ପରାରେ ଅଛି ଯେ, ଏହି ବ୍ରତ, ଦୁଇଟି ମୁଖ୍ୟ କାରଣରୁ ଆମକୁ କରିବାକୁ ହୁଏ । ପ୍ରଥମତଃ ଶିବଙ୍କୁ ପୂଜା କରି ଜ୍ଞାନୀ ଗୁଣି ଓ ଶିବଙ୍କ ପରି ସ୍ୱାମୀ ପାଇବା । ଦ୍ୱିତୀୟରେ ଆମ ମନକୁ ଶ୍ରୀଜଗନ୍ନାଥଙ୍କ ଭକ୍ତିରେ ସମ୍ପୂର୍ଣ୍ଣ ଢାଳିଦେବା ପାଇଁ ଶକ୍ତି ପାଇବା ।

 

ପୂର୍ବର ପରମ୍ପରା ରହିଥିଲା ଯେ, ପ୍ରତିଦିନ ନେତପିଲାମାନେ କଣ୍ଡୁମୁନିଙ୍କ ଆଶ୍ରମ ହେଉ କିମ୍ବା ମାର୍କଣ୍ଡ ପୁଷ୍କରିଣୀରୁ ପୂଜା ସାରି ସେମାନେ ବୟସ୍କାମାନଙ୍କ ସହିତ ବନ୍ଧୁବାନ୍ଧବ ତଥା କୁଟୁମ୍ବର ଅନ୍ୟାନ୍ୟ ଘରକୁ ବୁଲିବାକୁ ଯାଇଥାନ୍ତି ।

 

ପୁରୀର ନେତପିଲା ପରମ୍ପରାର ଶାସ୍ତ୍ରୀୟ ଚଳଣି ଓ କରଣିକୁ ଅନୁଧ୍ୟାନ କରି ଦେଖିଲେ ଅନୁମାନ କରିହେବ, ଏହାର ଦୁଇଟି ପାରମ୍ପରିକ ଦିଗ ରହିଛି । ପ୍ରଥମତଃ ଉତ୍କଳର ସୁଦୃଢ଼ ତାନ୍ତ୍ରିକ ପରମ୍ପରାରେ ଅଳ୍ପ ବୟସ୍କା କୁମାରୀ କନ୍ୟାମାନଙ୍କୁ ତନ୍ତ୍ରପୂଜା ଏବଂ ବ୍ରତବିଧାନ ମାଧ୍ୟମରେ ଫଳପ୍ରସୂ ସମ୍ଭାବନାକୁ ଜାଗ୍ରତ କରାଇ ଲୋକାୟତ କରିବା । ଯାହାକି ପ୍ରାଚୀନ ଉଡ୍ର ସଂସ୍କୃତିରେ ଭୂମିକୁ ଫଳ ଓ ଶସ୍ୟ ସମ୍ଭବା କରାଇବା ପାଇଁ ‘ଭୂ’ଦେବୀଙ୍କ ଆରାଧନା ‘ତନ୍ତ୍ରପୂଜା’ ମାଧ୍ୟମରେ କୁମାରୀ କନ୍ୟାମାନଙ୍କଦ୍ୱାରା ପାଳିତ ହେଉଥିବା ବିଧିର ଏକ ନବ୍ୟରୂପ ହୋଇପାରେ । ଦ୍ୱିତୀୟତଃ ଉଡ୍ର ସଂସ୍କୃତିର ନୃତ୍ତମୟ ପରମ୍ପରାକୁ ବାଲ୍ୟାବସ୍ଥାରୁ କୌଳିକ ଏବଂ ପ୍ରବୃତ୍ତିଗତ କରି ରଖିବାର ପାରମ୍ପରିକ ସ୍ୱୀକୃତି । କାରଣ କିଛି ଆଲୋଚକଙ୍କ ମତରେ ନେତପିଲା ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ସେବାପୂଜାରେ ନିୟୋଜିତ ମାହାରୀ ସେବାର ଏକ ଅଙ୍ଗୀଭୂତ ରୂପାନ୍ତର ମାତ୍ର । ହୁଏତ ମାହାରୀ ‘ନୃତ୍ତ’ରୁ ନେତ ଶବ୍ଦ ରୂପାନ୍ତରିତ ହୋଇ ଆସିଥାଇପାରେ । କାରଣ ମାର୍କଣ୍ଡ ପୁଷ୍କରିଣୀରେ ପୂଜାଅର୍ଚ୍ଚନା କରିବାଠାରୁ ସାହି ବୁଲି ନୃତ୍ୟ ଓ ଗୀତ ପରିବେଷଣ କରିବା ଥିଲା ଏକ ପାରମ୍ପରିକ ବିଧି । ଯଦିଓ ବର୍ତ୍ତମାନ କେବଳ ଗୀତ ଗାଇ ବୁଲିଥାନ୍ତି । ବାଲୁକା ଲିଙ୍ଗ ପୂଜାବେଳେ ସ୍ୱତଃ ସେମାନଙ୍କ କଣ୍ଠରୁ ଫୁଟି ଉଠେ–

 

“ଅରଖ ଦୁଦୁରା ବେଲ ପତର, ପୂଜଇ ହର

 

ପୂଜିଲେ ପାଇବା ଗଉରୀ ବର ।

ନୁହେଁ ସେ ଗଉରା ନୁହେଁ ସେ ଦୀନ

 

ବାପ ମା ଘରେ ଅଢ଼େଇ ଦିନ ।”

କିମ୍ବା–

“ସୀତା ଆଣ... ଆଣ ସୀତା ରଥରେ ବସାଇ

ପାନଗୁଆ ଭାଙ୍ଗି ଦେବା ଜଂଘରେ ବସାଇ

ଆସନ୍ତା ଦଶମୀ ମାଡ଼ି ଆସିଲା ରଥ

ସେଇ ରଥେ ବିଜେ କଲେ ପ୍ରଭୁ ଜଗନ୍ନାଥ

ତିନି ରଥ ଧାଇଁଚନ୍ତି ଶରଧା ବାଲିକି

କୋଟି କୋଟି ନମସ୍କାର ଗହମ ଚାଲିକି ।”

ନେତପିଲାଙ୍କ ସମ୍ପର୍କରେ ଆଲୋଚନା କରିବାକୁ ଯାଇ “ଶ୍ରୀ ମର୍ତ୍ତ୍ୟ ବୈକୁଣ୍ଠ” ନାମକ ପୁରୀର ସ୍ଥଳପୁରାଣଭାବେ ପରିଚାତ ଗ୍ରନ୍ଥର କବି ବଂଶୀଧର ମହାନ୍ତି ଉଲ୍ଲେଖ କରିଛନ୍ତି-

“ଋତୁ ଶରତ କାଳ

ନଦୀ ଯମୁନା ଜଳ

ସ୍ନାନ କରି ଗୋପୀମେଳ

ସେ ନଦୀ କୂଳରେ

ସ୍ଥାପିବାଲିରେ ବାଲୁକା

ଶ୍ରୀକୃଷ୍ଣ ଜପା ମାଳିକା

ବର ବରିଥିଲେ ଏକା

ଗୋପନାୟୀକା ହେ ॥

କଳିଯୁଗେ ମାନ୍ୟଗଣ୍ୟା

ସେବମାନଙ୍କ କନ୍ୟା

ପୂର୍ବତପେ ଅଗ୍ରଗଣ୍ୟା

ନବନବୀନା ହେ ॥”

ଭାଗବତରେ ରହିଥିବା ଗୋପୀମାନଙ୍କର ଏକମାସକାଳ ପ୍ରାତଃକାଳରେ ଯମୁନାରେ ସ୍ନାନ, ନଦୀକୂଳରେ ଦେବୀଙ୍କର ବାଲୁକାମୂର୍ତ୍ତି ପୂଜନ କରି ଶ୍ରୀକୃଷ୍ଣଙ୍କୁ ସ୍ୱାମୀରୂପରେ ପାଇବା ପାଇଁ କାତ୍ୟାୟନୀ ବ୍ରତର କଥା ସହିତ ନେତପିଲାଙ୍କର ବ୍ରତକୁ ସମପର୍ଯ୍ୟାୟ ଭାବରେ କବି ଗ୍ରହଣ କରିଛନ୍ତି ।

ନେତପିଲାଙ୍କ ଗୀତ ଭିତରେ ଶାକ୍ତ ଭାବନା, ଶୈବ ଭାବନା, କଳିଙ୍ଗର ନୌବାଣିଜ୍ୟର ବିକ୍ଷିପ୍ତ ସୂଚନା, ଶ୍ରୀମନ୍ଦିରର ଷୋଳପୂଜା, ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆଦି ସହିତ ଲୋକ ପରମ୍ପରା ଭିତରେ ଭରି ରହିଥିବା ଶାଶୁ, ବୋହୂ, ଭାଇ, ଭଉଣୀଙ୍କ ସମ୍ପର୍କର ଚିତ୍ର ମଧ୍ୟ ଦେଖିବାକୁ ମିଳିଥାଏ । ଏତଦ୍‌ବ୍ୟତୀତ ରାଧାକୃଷ୍ଣଙ୍କୁ କେନ୍ଦ୍ର କରି ମଧ୍ୟ ବଳି ଗୀତ ନେତପିଲାମାନେ ଗାଇଥାନ୍ତି । ପାଠକଙ୍କ ଅବବୋଧ ପାଇଁ ପୂର୍ବରୁ ଦିଆଯାଇଥିବା ବଳିଗୀତ ବ୍ୟତୀତ ଆଉ କିଛି ଉଦାହରଣ ନିମ୍ନରେ ଦିଆଗଲା । ପାରିବାରିକ ଜୀବନ ଚିତ୍ରର ଝଲକଭାବେ ଆମେ ନେତପିଲାଙ୍କ ମୁହଁରୁ ଶୁଣିବାକୁ ପାଉ–

“ନିକୁଞ୍ଜ ବନରେ ଫୁଟିଛି ମଲ୍ଲୀ,

ହାତ ବଢେଇଲେ ତୋଳିବି ବୋଲି ।

ଯେଝାର ମଲ୍ଲୀ ସେ ତୋଳି ନେଲେଣି,

ପାଞ୍ଚଟଙ୍କା ଶାଢ଼ି ଚିରିଗଲାଣି ।

ପାଞ୍ଚଟଙ୍କା ଶାଢ଼ି ଟାକେରେ ମାଡ଼,

କାଲି ଆସିବ ବୋଇତ ଭାର ।

ବୋଇତ ଭାଇ ଯେ ନନାଙ୍କ ଶଢ଼ୁ,

ବସି ଗଢାଇବା କଙ୍କଣ ଖଡ଼ୁ ।

କଙ୍କଣ ଖଡ଼ୁ ଯେ ବୋଇଙ୍କ ବଳା,

ବିଜେକଲେ ଏବେ ସର୍ବମଙ୍ଗଳା ।

ସର୍ବମଙ୍ଗଳା ବାବୁ ଭଲ ହୋଇଥ,

ରାତ୍ର ପାହିଲେ ବାବୁ ପାଣି ଛଡ଼େଇ ଖ ।”

ପୁନଶ୍ଚ ଶାଶୁ ଘରକୁ ଯଥେଷ୍ଟ ଘରକରଣା ଜିନିଷ ନେଇ ନ ଥିବା କାରଣରୁ ପରବର୍ତ୍ତୀ ସମୟରେ ଯେଉଁ ଗଞ୍ଜଣା ଝିଅ ପାଇଥାଏ ତାହାର ସ୍ୱର ମଧ୍ୟ ନେତପିଲାଙ୍କ କଣ୍ଠରୁ ଝରିପଡ଼େ-

“ଉଷୁନାଧାନ ଯେ ଫାଳି ଫାଳିକା,

ଶୁଖେଇ ଦେବାକୁ ସିରିମଳିକା ।

କାଖରେ ପୁଅ ପଣତେ ଝିଅ,

ଡେଇଁ ପଡ଼ିବାରୁ ବାରିରେ କୁଅ ।

ସେଇ ବାପମା’ କି କରିଥିଲେ,

ଖାଇବା କଂସାରୁ ଖଣ୍ଡିଏ ଦେଲେ ।

ପିନ୍ଧିବା ଲୁଗାରୁ ଦିଖଣ୍ଡି ଦେଲେ,

ନିଘଞ୍ଚ ବଣରେ ଛାଡ଼ି ଆଇଲେ ।”

ପାରିବାରିକ ଜୀବନର ଆଉ ଏକ ଦୃଶ୍ୟ ମଧ୍ୟ ନିମ୍ନ ଗୀତରୁ ମିଳିଥାଏ–

“ଖତ କୁଢ଼ାରେ ଉଠିଥିଲା ଗଜା,

ତୋ ଭାଇ ମୋ ଭାଇ ଟମକ ବାଜା ।

ଜହ୍ନି ଜହ୍ନି ଆଞ୍ଜୁଳି,

ନିତି ପକା ତିନି ଆଞ୍ଜୁଳି ।

ଭାଇ ମୋ କୋଡରେ ଆସୁ ନାତୁଣୀ,

ଭାଇ ଭାତ ପରଶୁ ଘେନି ଦୋଳଣୀ ।

ଆ ଦୋଳିରେ ଯାଆ,

ଚକା ପିଢ଼ା ଖଣ୍ଡି ମାଡ଼ି ଯାଆ ।

କଣ୍ଠିଲୋ କଣ୍ଠି,

ପୁଅ ଝିଅ କରି କରିବୁ ଗଣ୍ଠି ।

ଗେଲ ଲ ଗେଲ,

ପୁଅ ଝିଅ କରି କରିବୁ ଗେଲ ।” ଇତ୍ୟାଦି

ପରିଶେଷରେ ଏତିକି କୁହାଯାଇପାରେ ଯେ, ଓଡ଼ିଶାର ଲୋକ ସଂସ୍କୃତି ପରମ୍ପରାରେ ପୁରୀ “ନେତପିଲା” ପରମ୍ପରା ଏକ ଅନନ୍ୟ ସ୍ଥାନର ଦାବି କରେ । ନେତପିଲାଙ୍କର ବଳି ଗୀତ ଭିତରେ ଓଡ଼ିଶାର ଲୋକ ସଂସ୍କୃତି ଜୀବିତ ହୋଇ ରହିଥିବା ସହିତ ଏହି କ୍ଷୁଦ୍ର କ୍ଷୁଦ୍ର ଗୀତକୁ ଗବେଷଣା କଲେ ଓଡ଼ିଶାର ପ୍ରାଚୀନ ଐତିହ୍ୟର ବହୁ ଅଜ୍ଞାନ ବିଷୟ ଉନ୍ମୋଚିତ ହୋଇପାରିବ ।

Image

 

ଓଡ଼ିଶାର ଲୋକ ସଂସ୍କୃତି କ୍ରମରେ ପୁରୀର ଜାଗାଆଖଡ଼ା

 

ସଭ୍ୟତା ଓ ସଂସ୍କୃତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ସଭ୍ୟତା କହିଲେ ସାଧାରଣତଃ ଆମେ ବୁଝିଥାଉ ଗୋଟିଏ ଜାତିର ବା ଗୋଷ୍ଠୀର ବାହ୍ୟ ବିକାଶ କିପରି ଏବଂ କେତେ ପରିମାଣରେ ଅନୁଷ୍ଠିତ ହେଉଛି । ସମୟ ସହିତ ତାଳ ଦେଇ ସେହି ବିକାଶର ଧାରା କେତେ ପରିମାଣରେ ଅଗ୍ରଗତି କରୁଛି । କିନ୍ତୁ ସଂସ୍କୃତି କହିଲେ ସେହି ଜାତି ବା ଗୋଷ୍ଠୀର ଅନ୍ତଃସ୍ଥଳରେ ରହିଥିବା ଏକ ନିର୍ଦ୍ଦିଷ୍ଟ ଏବଂ ପାରମ୍ପରିକ ଚେତନାକୁ ହିଁ ଆମେ ବୁଝିଥାଉ । ସଭ୍ୟତାର ପରିପ୍ରକାଶରେ ମଣିଷ ଯେତେ ଉନ୍ନତ ହେଲେ ମଧ୍ୟ ସେ ତା’ର ପାରମ୍ପରିକ ସଂସ୍କୃତିକୁ ପରିତ୍ୟାଗ କରିପାରେ ନାହିଁ । ଏହି କାରଣରୁ ସଂସ୍କୃତିକୁ ହିଁ ଗୋଟିଏ ଜାତିର ଆତ୍ମପରିଚୟର ପ୍ରାଣସତ୍ତା ଭାବରେ ଗ୍ରହଣ କରାଯାଇଛି । ସଂସ୍କୃତି ହିଁ ଗୋଷ୍ଠୀ ବା ଜାତିର ଜୀବନବୋଧର ଏକ ଚିରନ୍ତନ ପ୍ରବାହ ।

 

ସମଗ୍ର ବିଶ୍ୱକୁ ପର୍ଯ୍ୟାଲୋଚନା କଲେ ବୁଝିହୁଏ, ସଂସ୍କୃତି ବିହିନ ସମାଜଟିଏ ନାହିଁ କହିଲେ ଚଳେ । କାରଣ ସମାଜ ଜୀବନ ସହିତ, ଗୋଷ୍ଠୀର ଚାଲିଚଳନ, ଆଚାର ବିଚାର, ରୀତିନୀତି, ଧର୍ମବିଶ୍ୱାସ, ଚିନ୍ତାଚେତନା, ଦୃଷ୍ଟି ଓ ଦର୍ଶନ, ଐତିହ୍ୟ ଏବଂ ପରମ୍ପରା ଏକୀଭୂତ ହୋଇ ସଂସ୍କୃତିର ରୂପ ନେଇଥାଏ । ତେଣୁ ଯେ କୌଣସି ଜାତିର ସାଂସ୍କୃତିକ ଅବସ୍ଥାକୁ ଲକ୍ଷ୍ୟ କଲେ ସେହି ଜାତିର ଜୀବନଧାରା ସମ୍ପର୍କରେ ସାମଗ୍ରିକ ଭାବରେ ଆକଳନ କରାଯାଇପାରେ । ତେଣୁ ପ୍ରତ୍ୟେକ ଜାତିର ସଂସ୍କୃତି ହେଉଛି ସୂକ୍ଷ୍ମାତି ସୂକ୍ଷ୍ମ ଅବବୋଧର ମାଧ୍ୟମ । ଯାହାଦ୍ୱାରା ସେହି ଜାତି ବା ଅଞ୍ଚଳର ଜୀବନଶୈଳୀ ଓ ଐତିହ୍ୟକୁ ଆକଳନ କରାଯାଇପାରେ ।

 

ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଅଞ୍ଚଳ ଭେଦରେ ଭିନ୍ନ ଭିନ୍ନ ଲୋକ ସଂସ୍କୃତି ନିଜ ନିଜର ପରିସୀମାକୁ ନେଇ ଗତିଶୀଳ ରହିଥିବା ପରି ସମଗ୍ର ଭାରତୀୟ ଲୋକ ସଂସ୍କୃତି ପରମ୍ପରାର ଏକ ବିରଳ ସାଂସ୍କୃତିକ ପରିମଣ୍ଡଳ ପୁରୀର ‘ଜାଗା ଆଖଡ଼ା’କୁ ନେଇ ଗଢ଼ି ଉଠିଛି । ଓଡ଼ିଶାର ଲୋକ ଚେତନାର ଗନ୍ତାଘର, ଶ୍ରୀକ୍ଷେତ୍ରକୁ କେନ୍ଦ୍ର କରି ବହୁ ସମନ୍ୱୟବାଦୀ ସଂସ୍କୃତି ରହିଥିଲେ ହେଁ ‘ଜାଗା ଆଖଡ଼ା’ର ଏକ ନିଆରା ସ୍ଥାନ ଆମ ସାମାଜିକ ଜୀବନରେ ରହିଛି ।

 

ଶ୍ରୀଜଗନ୍ନାଥ ଓ ଶ୍ରୀକ୍ଷେତ୍ରର ସାଂସ୍କୃତିକ ପ୍ରାଣକେନ୍ଦ୍ର ଭାବରେ ଜାଗା ଆଖଡ଼ାକୁ ସର୍ବୋଚ୍ଚ ସ୍ଥାନ ପ୍ରଦାନ କରାଯାଇଥାଏ । ଏକ ଶୃଙ୍ଖଳିତ, ସଂସ୍କୃତ ଓ ନିର୍ଭରଶୀଳ ଗୋଷ୍ଠୀଗତ ଜୀବନ ଯାପନ ପାଇଁ ସାମାଜିକ ଜୀବନରେ ଚାରିଗୋଟି କର୍ମଧାରାର ଆବଶ୍ୟକତା ପଡ଼ିଥାଏ । ଏ ସମ୍ପର୍କରେ ହରିହର ଚତୁରଙ୍ଗ ଗ୍ରନ୍ଥରେ ସୂଚନା ରହିଛି ଯେ,–

 

“ଶରୀର ରକ୍ଷଣମାଦ୍ୟ ସଙ୍ଗୀତେୟୀଯୁକ୍ତତଃ

ତୃତୀୟଂ କାରୁକର୍ମଞ୍ଚ ଚତୁର୍ଥ କ୍ଷେତ୍ର ରକ୍ଷଣମ୍‌,

ଏବଂ ଚତୁର୍ବିଧକର୍ମ ନିର୍ଣ୍ଣୟାନ୍ତେ ଯଥାବିଧି

କୁର୍ଯ୍ୟାତ୍ ଦିଗାନୁପାତେନ କୋଟଶ୍ରେଷ୍ଠା ଚତୁଷ୍ଟୟମ୍ ॥”

 

ଅର୍ଥାତ୍ ଶରୀର ରକ୍ଷା ବା ଶରୀରଚର୍ଯ୍ୟା, ସଙ୍ଗୀତ ସାଧନା, କଳାଭାସ୍କର୍ଯ୍ୟ ପ୍ରତି ରୁଚି ଏବଂ ଶ୍ରୀକ୍ଷେତ୍ରର ସୁରକ୍ଷା । ଉପରୋକ୍ତ ଚାରୋଟିଯାକ କର୍ମପନ୍ଥାର ଏନ୍ତୁଡ଼ିଶାଳ ଭାବରେ ହିଁ ଯାଗା ଆଖଡ଼ାକୁ ଗ୍ରହଣ କରାଯାଇଥାଏ । ସିଧାସଳଖ କହିବାକୁ ଗଲେ କୁସ୍ତି କସରତାଦି ବ୍ୟାୟାମଦ୍ୱାରା ନିଜକୁ ବଳିଷ୍ଠ ଓ ଦୃଢ଼ ବ୍ୟକ୍ତିତ୍ୱ ସମ୍ପନ୍ନ ପୁରୁଷ ଭାବରେ ଗଢ଼ିବା, ରସଚର୍ଚ୍ଚା ପାଇଁ ନୃତ୍ୟ ସଙ୍ଗୀତ ଶିକ୍ଷା ଓ ପରିବେଷଣ, କଳା ଭାସ୍କର୍ଯ୍ୟ ପ୍ରତି ରୁଚିଶୀଳ ହେବା ଏବଂ ଶ୍ରୀକ୍ଷେତ୍ର ତଥା ଶ୍ରୀଜଗନ୍ନାଥଙ୍କ ସୁରକ୍ଷା ପାଇଁ ସମରକଳାର ଅଭ୍ୟାସ କରିବା ଓ ଶତ୍ରୁ ଆକ୍ରମଣକୁ ପ୍ରତିହତ କରିବାପାଇଁ ସଜାଗ ରହିବା ଥିଲା ଯାଗା ଓ ଆଖଡ଼ାମାନଙ୍କର ଧ୍ୟେୟ ବସ୍ତୁ ।

 

ଇତିହାସ ଦୃଷ୍ଟିରୁ ବିବେଚନା କଲେ ଶ୍ରୀଜଗନ୍ନାଥଙ୍କ ପାଇଁ ଅନନ୍ତ ବର୍ମନ ଚୋଡ଼ଗଙ୍ଗ ଦେବଙ୍କଦ୍ୱାରା ମନ୍ଦିର ନିର୍ମାଣ ଓ ସୁରକ୍ଷା ପାଇଁ ‘କୋଟ’ ସ୍ଥାପନାର ବହୁପୂର୍ବରୁ, ଓଡ଼ିଶାର ସାଂସ୍କୃତିକ ରାଜଧାନୀ ଶ୍ରୀପୁରୁଷୋତ୍ତମ କ୍ଷେତ୍ରଠାରେ ଉପରୋକ୍ତ ଚାରିଗୋଟି ଧାରାର ପ୍ରବାହ ରହିଥିଲା । ଏପରିକି ଖାରବେଳଙ୍କ ସମୟଠାରୁ ଆରମ୍ଭ କରି ଯଯାତି କେଶରୀଙ୍କ ପର୍ଯ୍ୟନ୍ତ ସାଂସ୍କୃତିକ ରାଜଧାନୀ ପୁରୀ ଅନୁଭବ କରିଥିଲା ଖାରବେଳଙ୍କ ଦିଗ୍‌ବିଜୟ, ବିଭିନ୍ନ ରାଜବଂଶମାନଙ୍କ ସୁଶାସନ, ଓଡ଼ିଆ ବୀରମାନଙ୍କ ପରାକ୍ରମ ତା ସହିତ ଓଡ଼ିଶାର ସ୍ୱତନ୍ତ୍ର ଉଡ୍ର ନୃତ୍ୟ ସଙ୍ଗୀତ ଧାରାର ପ୍ରବାହ, ଉତ୍କଳୀୟ କଳା ଭାସ୍କର୍ଯ୍ୟର ଅପୂର୍ବ ପାଟବତା ତଥା ଶ୍ରୀପୁରୁଷୋତ୍ତମ ଚେତନାର ସୁରକ୍ଷା ପାଇଁ ଦାୟବଦ୍ଧତା । ତେବେ ବର୍ତ୍ତମାନର ଭବ୍ୟ ଶ୍ରୀମନ୍ଦିର ନିର୍ମାଣ ପରେ ଗଙ୍ଗବଂଶର ପ୍ରତିଷ୍ଠାତା ରାଜା ଚୋଡ଼ଗଙ୍ଗ ଦେବ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରର ସୁରକ୍ଷା ପାଇଁ ଶ୍ରୀକ୍ଷେତ୍ରର ଚାରି ଦିଗରେ ଚାରିଗୋଟି କୋଟ ନିର୍ମାଣ କରିଥିଲେ । ଏ ସମ୍ପର୍କରେ ‘ହରିହର ଚତୁରଙ୍ଗ’ ଗ୍ରନ୍ଥର ଅନନ୍ତବର୍ମ ଚରିତରୁ ଜଣାଯାଏ ଯେ, ଦକ୍ଷିଣରେ ନାଗାକୋଟ, ଉତ୍ତରରେ ଭଗବତୀ କୋଟ, ପୂର୍ବରେ ମରୀଚିକୋଟ ଏବଂ ପଶ୍ଚିମରେ ଇନ୍ଦ୍ରଦ୍ୟୁମ୍ନକୋଟ ସ୍ଥାପନ କରିଥିଲେ ।

 

ଜାଗା ଏବଂ ଆଖଡ଼ା ବିଷୟକ ଆଲୋଚନା କାଳରେ କୋଟର ପ୍ରାସଙ୍ଗିକତା ମଧ୍ୟ ରହିଛି । କାରଣ ପ୍ରାଥମିକ ଅବସ୍ଥାରେ ଚାରିଗୋଟି କୋଟ ସ୍ଥାପନା ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ବହୁ ଭାବରେ ବୃଦ୍ଧି ପାଇଥିଲା । ଯଦ୍ୱାରା ପୁରୀର ପ୍ରାଚୀନ ସାତସାହିରେ ସୃଷ୍ଟି ହୋଇଥିବା ଆଖଡ଼ାମାନଙ୍କ ଅଧିନରେ ରହି, କୋଟ, ଗଡ଼, ଯାଗା ଏବଂ ଗୁରୁଜ ମାନେ ଶ୍ରୀକ୍ଷେତ୍ରର ସୁରକ୍ଷା ସହିତ ସଂସ୍କୃତିର ସୁରକ୍ଷା ଓ ପରିପାଳନ କରୁଥିଲେ ।

 

ଆଖଡ଼ା ସମ୍ପର୍କରେ ମତବ୍ୟକ୍ତ କରି ପୁରୀବୋଲିରେ ଡଃ ସିଦ୍ଧେଶ୍ୱର ମହାପାତ୍ର ମତପ୍ରଦାନ କରି କହିଛନ୍ତି ଯେ, ଏହାକୁ ସଭା, ଦରବାର, ମଲ୍ଲଶାଳା, ରଙ୍ଗଭୂମି, ରଙ୍ଗଶାଳା ଏବଂ ନୃତ୍ୟଶାଳା ବୋଲି ଲୋକେ ବୁଝୁଥିଲେ । ଅପର ପକ୍ଷରେ ଡଃ ଶ୍ରୀନିବାସ ଆଚାର୍ଯ୍ୟ ଉଲ୍ଲେଖ କରନ୍ତି ଯେ, ସଂସ୍କୃତ ଭାଷାର ଆକ୍ରୀଡ଼ ଶବ୍ଦରୁ ଅପଭ୍ରଂଶ ହୋଇ ଆଖଡ଼ା ଶବ୍ଦ ସୃଷ୍ଟି ହୋଇଛି । ଏହାର ତିନୋଟି ଦିଗ ସମ୍ପର୍କରେ ସେ ଆଲୋଚନା କରି ଲେଖିଛନ୍ତି- (୧)ବ୍ୟାୟାମ, କୁସ୍ତି ଏବଂ ସମରକଳା ଅଭ୍ୟାସ କରିବାର ସ୍ଥାନ, (୨)ନୃତ୍ୟଗୀତ ଆଦି ଗାନ୍ଧର୍ବକଳା ଶିକ୍ଷାର ସ୍ଥାନ (୩)ସାଧୁସନ୍ଥ ଏବଂ ବୈରାଗୀମାନଙ୍କର ବୈଠକସ୍ଥଳୀ ।

 

ସାହି ଆଖଡ଼ାମାନଙ୍କର ଅନ୍ୟତମ ମୁଖ୍ୟ କାର୍ଯ୍ୟ ଥିଲା ଆଖଡ଼ା ଅଧିନରେ ଥିବା କୋଟ, ଗଡ଼, ଯାଗା ଏବଂ ଗୁରୁଜମାନଙ୍କୁ ନିୟନ୍ତ୍ରଣ କରିବା । ପ୍ରାୟତଃ ପ୍ରତ୍ୟେକ ସାହିର ପାଖାପାଖି କୋଡ଼ିଏ ଜଣ ମୁରବୀ ସ୍ଥାନୀୟ ବ୍ୟକ୍ତିଙ୍କୁ ନେଇ ଏହା ଗଠିତ ହେଉଥିଲା । ଏହାର ମୁଖ୍ୟଙ୍କୁ ସାହି ନାୟକ ବୋଲି କୁହାଯାଉଥିଲା । ଆଖଡ଼ାଗୁଡ଼ିକ ପଞ୍ଚାୟତ ପରି କାମ କରୁଥିଲେ । ଆଖଡ଼ା ନିୟନ୍ତ୍ରଣରେ ରହିଥିବା ‘ଗଡ଼’ରେ ଶହେଜଣ ତାଲିମ ପ୍ରାପ୍ତ ସମରକଳା ବିଷାରଦ ଯୁବକ ରହିଥାନ୍ତି । ସ୍ଥାନୀୟ ଭାଷାରେ ଏମାନଙ୍କୁ ଭେଣ୍ଡିଆ କୁହାଯାଇଥାଏ । ‘କୋଟ’ରେ ପାଞ୍ଚଶହ ଜଣ ସମରକଳା ବିଷାରଦ ଯୁବକ ବା ଭେଣ୍ଡିଆ ରହିଥାନ୍ତି । ‘ଗୁରୁଜ’ମାନଙ୍କରେ ରାଜକର୍ମଚାରୀମାନେ କ୍ଷେତ୍ରର ସୁରକ୍ଷା ସମ୍ପର୍କରେ ମନ୍ତ୍ରଣା କରିଥାନ୍ତି । ଦ୍ୱିତୀୟତଃ ‘ଗୁରୁଜ’ଗୁଡ଼ିକ ଶ୍ରୀକ୍ଷେତ୍ରର ପ୍ରବେଶଦ୍ୱାର ଭାବରେ ମଧ୍ୟ କାର୍ଯ୍ୟ କରୁଥିଲେ । ବିଦେଶାଗତ ଯାତ୍ରୀମାନଙ୍କ ତନଖି ଦାୟିତ୍ୱ ଗୁରୁଜମାନଙ୍କର ରହିଥିଲା । ‘ଯାଗା’ର ମୁଖ୍ୟ ନିୟନ୍ତ୍ରକ ଥିଲେ ସାହି ନାୟକ । ଏହାକୁ ଶରୀର ଚର୍ଚ୍ଚା ଓ ବ୍ରହ୍ମଚର୍ଯ୍ୟ ପାଳନ କେନ୍ଦ୍ର ଭାବରେ ଗଠନ କରାଯାଉଥିଲା । ତା ସହିତ ସଙ୍ଗୀତ, ନୃତ୍ୟ ଆଦି ଶିକ୍ଷା ସହିତ ଶ୍ରୀଜଗନ୍ନାଥଙ୍କ ସେବା ଓ ପର୍ବପର୍ବାଣି ସହିତ ମଧ୍ୟ ଯାଗା ସଂଶ୍ଳୀଷ୍ଟ ରହୁଥିଲା ।

 

‘ଯେଗାଘର’ ବା ଯାଗା ମୁଖ୍ୟତଃ ଚାରିଭାଗରେ ବିଭକ୍ତ ଥିଲା । ଯଥା-ରାଜଅଙ୍ଗିଲା, ବକ୍‌ସି ଖଞ୍ଜା, ବଡ଼ତି ଏବଂ ବହୁମାନ । ଯେଉଁ ଯେଗାଘରଗୁଡ଼ିକ ଗଜପତି ତଥା ଅନ୍ୟାନ୍ୟ ରାଜାମାନଙ୍କର ପ୍ରତ୍ୟକ୍ଷ ଅର୍ଥଦାନରେ ପ୍ରତିଷ୍ଠିତ ହୋଇଥିଲା ତାହା ଥିଲା ରାଜଅଙ୍ଗିଲା । ଯେଉଁ ଯେଗାଗୁଡ଼ିକ ରାଜାଙ୍କର ସେନାପତି ବା ବକ୍‌ସୀଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ତାହା ଥିଲା ବକ୍‌ସିଖଞ୍ଜା । ସାଧୁ, ସନ୍ଥ, ବୈରାଗୀ ଓ ସନ୍ୟାସୀମାନଙ୍କଦ୍ୱାରା ପ୍ରତିଷ୍ଠିତ ଯେଗା ଘରକୁ ବଡ଼ତି ଏବଂ ଧନୀ ଓ ବଦାନ୍ୟ ବ୍ୟକ୍ତିମାନଙ୍କ ଅର୍ଥଦାନରେ ଗଢ଼ା ହୋଇଥିବା ଯେଗା ଘରକୁ ବହୁମାନ ନାମରେ ଚିହ୍ନିତ କରାଯାଉଥିଲା ।

 

ଯାଗାଘରର କାର୍ଯ୍ୟାବଳୀ ସମ୍ପର୍କରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରାଜାମାନଙ୍କ ଦ୍ୱାରା ଛାମୁଚିଟାଉମାନ ପ୍ରଦାନ କରାଯାଇଛି । ଯେଉଁ ଚିଟାଉମାନଙ୍କରୁ ଯାଗାର ସାଂସ୍କୃତିକ ଓ ସାମାଜିକ ଆବଶ୍ୟକତା ସମ୍ପର୍କରେ ଏକ ଧାରଣା ଅଣାଯାଇପାରେ । ଯଥା- “ଜେଗାମାନେ ନିଜନିଜ ସ୍ଥାନରେ ହନୁମାନ, ଶିବ, ଦେବୀ ଆଦି ସ୍ଥାପନା କରି ତାଙ୍କ ସମ୍ମୁଖରେ ଶକ୍ତିସଞ୍ଚୟ କରିବେ । ସାହିନାୟକ ମାର୍ଫତରେ ଆଦେଶ ପାଳନ କରିବେ । ସଙ୍ଗୀତ, ନୃତ୍ୟ, ବାଦ୍ୟ ଶିକ୍ଷା କରି ଦିଅଁଙ୍କ ପଟୁଆର ମଣ୍ଡନ କରିବେ । ଯାତ୍ରାକାଳରେ ଭୁଆସିକ କାଢ଼ି ଶୋଭା ବଢ଼ାଇବେ । ଗୋଳ ହେଲେ ସଂଗଠିତ ହୋଇ ମନ୍ଦିର ରକ୍ଷା କରିବେ, ତୀର୍ଥମାନ ଉଝାଳି ସଫା କରିବେ । ସାହିମୁଣ୍ଡ ଗଳିକନ୍ଦି ସଫା କରିବେ । ରାଜା ବିଜେ କଲେ ହାତବାଡ଼ ଦେଇ ପାଲିଙ୍କି ବିଜେ କରାଇବେ । କପଟି, ଛନ୍ଦିଙ୍କୁ କ୍ଷେତ୍ରରେ ଦେଖିଲେ ପାଟପୃଷ୍ଟିଙ୍କୁ ତୁରନ୍ତ ଖବର ଦେବେ । ନିଜ ନିଜର ପ୍ରତିଭା ପ୍ରଦର୍ଶନ କରି ଜିଣା ଶାଢ଼ି ଉପଢୌକନସ୍ୱରୂପ ପାଇବେ ।”

 

ଉପରୋକ୍ତ ଉଦ୍ଧୃତିରୁ ସ୍ପଷ୍ଟ ବୁଝିହୁଏ ଯେ, ଯେଗା ଓ ଆଖଡ଼ା ମାଧ୍ୟମରେ ଶରୀରଚର୍ଚ୍ଚାଠାରୁ ଆରମ୍ଭ କରି ନୃତ୍ୟ ସଙ୍ଗୀତ ଶିକ୍ଷା, ଶ୍ରୀଜଗନ୍ନାଥଙ୍କ ପାରମ୍ପରିକ ଉତ୍ସବ ପାଳନରେ ସହାୟତା ଓ ସୁରକ୍ଷା ପ୍ରଦାନ, ପୁରୀର ତୀର୍ଥସ୍ଥାନମାନଙ୍କର ପରିମଳ ଓ ରକ୍ଷଣାବେକ୍ଷଣର ଦାୟିତ୍ୱ ଭେଣ୍ଡିଆମାନଙ୍କଦ୍ୱାରା ହିଁ ସାଧିତ ହେଉଥିଲା । ବିଶେଷତଃ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମାମାନଙ୍କୁ ନେଇ ଶ୍ରୀମନ୍ଦିର ବାହାରେ ହେଉଥିବା ପର୍ବପର୍ବାଣିରେ ଯାଗା ଆଖଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ବୈଶାଖ ମାସର ଏକୋଇଶ ଦିନ ବ୍ୟାପୀ ଅନୁଷ୍ଠିତ ଚନ୍ଦନଯାତ୍ରା, ଜ୍ୟେଷ୍ଠ ମାସର ସ୍ନାନଯାତ୍ରା, ଆଷାଢ଼ର ରଥଯାତ୍ରା, ଶ୍ରାବଣରେ ଝୁଲଣଯାତ୍ରା, ଭାଦ୍ରବ ମାସର ଶ୍ରୀକୃଷ୍ଣ ଲୀଳା, ଆଶ୍ୱିନର ଗୋଷାଣୀ ଯାତ୍ରାଠାରୁ ଆରମ୍ଭ କରି ଫାଲ୍‌ଗୁନ ଏବଂ ଚୈତ୍ର‌୍ୟ ମାସରେ ଯଥାକ୍ରମେ ଦୋଳଯାତ୍ରା ଏବଂ ରାମଲୀଳା ବା ସାହିଯାତ୍ରାରେ ଭେଣ୍ଡିଆମାନେ ପ୍ରତ୍ୟକ୍ଷ ଭାବରେ ସମ୍ପୃକ୍ତ ହୋଇ ରହୁଥିଲେ । ବିଶେଷ କରି ରାମଲୀଳା ଏବଂ କୃଷ୍ଣଲୀଳା ଉତ୍ସବରେ ବିଭିନ୍ନ ସାହି ଆଖଡ଼ାମାନଙ୍କ ତତ୍ତ୍ୱାବଧାନରେ ଦିନ ଦିନ ଧରି ବୀରତ୍ୱ ବ୍ୟଞ୍ଜକ ନୃତ୍ୟ ସହିତ ସଙ୍ଗୀତ ଓ ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ ହୋଇ ରାତିସାରା ପରିବେଷିତ ହୋଇଥାଏ ।

 

ଶ୍ରୀମନ୍ଦିର ଏବଂ ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟକ୍ଷ ସେବା ସହିତ ବିଭିନ୍ନ ସାହିରେ ଥିବା ଯାଗା ଘର ଓ ଆଖଡ଼ା ମାନଙ୍କର ପ୍ରତ୍ୟକ୍ଷ ସମ୍ପର୍କ ରହିଛି ।

 

ପୂର୍ବେ ଦୁଆରୀ ଯାଗା ପକ୍ଷରୁ ଶ୍ରୀଜଗନ୍ନାଥଙ୍କ ରୋଷଦ୍ୱାର ପାଖରେ ବେତ ଧରି ‘ଅମୁଣିଆ’ ରସଦ୍ରବ୍ୟ ତନଖି କାର୍ଯ୍ୟ ନିର୍ବାହ କରାଯାଉଥିଲା । ମାଜଣା ଯାଗାକୁ ପ୍ରତି ଗୁରୁବାର ଦିନ ମଦନ ସୁନ୍ଦର ଶ୍ରୀମନ୍ଦିରରୁ ଆସିଥାନ୍ତି ଏବଂ ଏଠାରେ ତାଙ୍କର ପନ୍ତିଭୋଗ ଅନୁଷ୍ଠିତ ହୁଏ । ବର୍ତ୍ତମାନ ସମୟରେ ମଧ୍ୟ ଗୁରୁବାର ମାଜଣା ପାଇଁ ଏହି ଯାଗା ପକ୍ଷରୁ ଦହି, କଦଳୀ ଯୋଗାଇ ଦିଆଯାଇଥାଏ । ଏହାଛଡ଼ା ରଥଯାତ୍ରା ସମୟରେ ବଡ଼ଶଙ୍ଖଠାରେ ରଥ ରହିଗଲେ ମାଜଣା ଯାଗା ପକ୍ଷରୁ ପିଠା ତିଆରି ହୋଇ ଆସି ରଥରେ ଭୋଗ ଲାଗେ । ମାଳିଯାଗା ପକ୍ଷରୁ ଶ୍ରୀମନ୍ଦିରକୁ ମାଳ, ଚୂଳ ଯୋଗାଇ ଦିଆଯାଉଥିଲା ଏବଂ ଶରଧାବାଲିର ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ଏହି ଯାଗା ପକ୍ଷରୁ କରାଯାଉଥିଲା । ସ୍ଥାପତ୍ୟ କଳା ବିଷାରଦ ମହାରଣାମାନଙ୍କଦ୍ୱାରା ସ୍ଥାପିତ ଅଲିକୋଟ ଯାଗା ଶ୍ରୀମନ୍ଦିରର ମରାମତି କାମର ସମସ୍ତ ଦାୟିତ୍ୱ ଗ୍ରହଣ କରୁଥିଲେ । ମଲ୍ଲୀଗଡ଼, ଜାଇଗଡ଼ ଏବଂ ଜୁଇଗଡ଼ ଯାଗା ପକ୍ଷରୁ ଶ୍ରୀଜଗନ୍ନାଥଙ୍କ ଚନ୍ଦନଯାତ୍ରା କାଳରେ ପାଞ୍ଚକାଣ୍ଡିଆ ଟାହିଆ ଯୋଗାଇ ଦିଆଯାଉଥିଲା । ମନେହୁଏ ମଲ୍ଲୀ, ଜାଇ, ଜୁଇ ଫୁଲମାନଙ୍କ ନାମକରଣରୁ ଏହି ଯାଗାଘରଗୁଡ଼ିକ ନାମିତ ହୋଇଛନ୍ତି । ଗଣେଶ ଗୁରୁଜ ଯାଗାର ଭେଣ୍ଡିଆମାନଙ୍କ ଦ୍ୱାରା ରଥଯାତ୍ରା ସମୟରେ ଚାରମାଳ ବନ୍ଧା କାର୍ଯ୍ୟ ସମ୍ପନ୍ନ ହେଉଥିଲା । ଏହାଛଡ଼ା ଏହି ଯାଗାର ଭେଣ୍ଡିଆମାନଙ୍କ ଦ୍ୱାରା ତଥା କୁଣ୍ଢେଇବେଣ୍ଟ ସାହି ଆଖଡ଼ାକୁ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ପୁଷ୍କରିଣୀ ବା ନରେନ୍ଦ୍ର ସରୋବର ପଙ୍କକଢ଼ା ଓ ପରିଷ୍କାର କରିବାର ଦାୟିତ୍ୱ ଅର୍ପଣ କରାଯାଇଥିବା କଥା ଶ୍ରୀମୁକୁନ୍ଦଦେବ ମହାରାଜାଙ୍କ ଛାମୁଚିଟାଉରୁ ଜଣାପଡ଼େ । ଯଥା,- “ହୁକୁମ ଛାମୁ ଚିଟାଉ । କୁଣ୍ଢେଇବେଣ୍ଟ ସାହି ନାୟକ ଦାମୋଦର ମହାପାତ୍ରଙ୍କୁ ଜଣାଇ ଦିଆଯାଉଛି କି ନରେନ୍ଦ୍ର ପୋଖରି ପଙ୍କ କଢ଼ାକୁ ତୁମ୍ଭେ ତୁମ୍ଭର ମେଳମାନଙ୍କୁ ଆଦେଶ ଦେବ । ସେମାନେ ଜଗନ୍ନାଥ ବଲ୍ଲଭ ଗୁରୁଜରେ ରହି କାର୍ଯ୍ୟ କରି କାର୍ଯ୍ୟ ତନଖି ଅମିନ ଶ୍ରୀ ବାଳମୁକୁନ୍ଦ ଘଟୁଙ୍କୁ ଜଣାଇବେ । ପ୍ରଭୁଙ୍କ କାର୍ଯ୍ୟକୁ ତାଗିଦ୍ ଜାଣିବ ।”

 

ସେହିପରି ଅନ୍ୟତମ ପ୍ରାଚୀନ ଓ ପ୍ରସିଦ୍ଧ ତୀର୍ଥ ପୁଷ୍କରିଣୀ ‘ଇନ୍ଦ୍ରଦ୍ୟୁମ୍ନ ସରୋବର’ର ପରିଷ୍କାର ପରିଚ୍ଛନ୍ନତା ବିଷୟକ ଦାୟିତ୍ୱ ‘ଇନ୍ଦ୍ରଦ୍ୟୁମ୍ନ କୋଟ’ର ଭେଣ୍ଡିଆମାନଙ୍କ ଉପରେ ନ୍ୟସ୍ତ ଥିଲା-। ଗଦା ସାହାଣ ବଡ଼ ପୋଖରୀ ଯାଗା ପକ୍ଷରୁ ଶ୍ରୀମନ୍ଦିର ନିର୍ମାଣ ପାଇଁ ଅନଙ୍ଗଭୀମ ଦେବଙ୍କଦ୍ୱାରା ସଂଗୃହୀତ ସାହାଣ ପଥରକୁ ନିର୍ମାଣ କାଳରେ ଚାରମାଳ ଦେଇ ଉପରକୁ ଉଠାଇବାର ଦାୟିତ୍ୱ ଗ୍ରହଣ କରାଯାଉଥିଲା । ‘ପାଣ୍ଡଯାଗା’ ଶ୍ରୀକ୍ଷେତ୍ରର ଏକ ସେବାମୂଳକ ଅନୁଷ୍ଠାନ ଭାବରେ କାର୍ଯ୍ୟ କରୁଥିଲା । ଏହି ଯାଗା ପକ୍ଷରୁ ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତ, ଦର୍ଶନାର୍ଥୀ ଏବଂ ଯାତ୍ରୀମାନଙ୍କୁ ସେବା ଓ ସହାୟତା ପ୍ରଦାନ ସହିତ ଦୁଃଖୀ ରଙ୍କୀ ଓ ଆର୍ତ୍ତୀମାନଙ୍କୁ ସହାୟତା ପ୍ରଦାନ କରାଯାଉଥିଲା । ପୁରୀର ଅନ୍ୟତମ ଶୈବପୀଠ ଶ୍ରୀଲୋକନାଥଙ୍କ ସେବାପୂଜା ଏବଂ ଯାନିଯାତ୍ରା ସହିତ ‘ବଡ଼ ଆଖଡ଼ା ଯାଗା’ର ସମ୍ପର୍କ ଘନିଷ୍ଠ ଥିଲା । ଏପରିକି ବାବା ଲୋକନାଥଙ୍କର ବାହ୍ୟ ବିଜେସ୍ଥଳୀ ଭାବରେ ମଧ୍ୟ ଏହି ଯାଗାକୁ ଚିହ୍ନିତ କରାଯାଉଥିଲା । ଈଶ୍ୱର ବଲ୍ଲଭ ଯାଗାଠାରେ ଲୋକନାଥଙ୍କର ବିବାହ ଉତ୍ସବ ଶୀତଳଷଷ୍ଠୀ ଦିନ ଅନୁଷ୍ଠିତ ହୋଇଥାଏ । ତେଣୁ ଏହି ଯାଗା ଘରକୁ ଶ୍ରୀଲୋକନାଥଙ୍କର ଶଶୁର ଘର ବୋଲି ଲୋକ ସଂସ୍କୃତିରେ ଚିହ୍ନିତ କରାଯାଇଛି ।

 

ମାଟିମଣ୍ଡପ ସାହି ଆଖଡ଼ା ପକ୍ଷରୁ ଶ୍ରୀକ୍ଷେତ୍ରାଗତ ଦର୍ଶନାର୍ଥୀ ଓ ଯାତ୍ରୀମାନେ ମୃତ୍ୟୁ ମୁଖରେ ପଡ଼ୁଥିଲେ ତାଙ୍କର ଦାହ ସଂସ୍କାର କାମ ସାହିର ତିଳକ ମାଟିଆ ଭେଣ୍ଡିଆଙ୍କଦ୍ୱାରା ସାଧିତ ହେଉଥିଲା । ମକରଧ୍ୱଜ କୋଟର ଭେଣ୍ଡିଆମାନେ ଅଠରନଳା ଘାଟଦେଇ ଆସୁଥିବା ଯାତ୍ରୀମାନଙ୍କୁ ସୁରକ୍ଷା ଦେବା ସହିତ ସହାୟତା ପ୍ରଦାନ କରୁଥିଲେ । ରଥଯାତ୍ରା କାଳରେ ବାଲି ଓ ପଙ୍କରେ ରଥଚକ୍ର ଦବି ଗଲେ ଚକ ଉଠାଇବାର ଦାୟିତ୍ୱ ‘କଣ୍ଡରାକୋଟ’ ଯାଗାର ଭେଣ୍ଡିଆମାନଙ୍କଠାରେ ନ୍ୟସ୍ତ ଥିଲା । ଗୋପୀନାଥ ବଲ୍ଲଭ ଯାଗା ପକ୍ଷରୁ ଚନ୍ଦନଯାତ୍ରା ସମୟରେ ମହାପ୍ରଭୁଙ୍କ ବେଶର ଦାୟିତ୍ୱ ନିର୍ବାହ କରାଯାଉଥିଲା । ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟକ୍ଷ ଉପାସନା ସହିତ ‘ଭଗବତୀ କୋଟ’ର ଯଥେଷ୍ଟ ସମ୍ପୃକ୍ତି ରହିଥିଲା । ଯଥା-ଶ୍ରୀମନ୍ଦିରରୁ ମାର୍କଣ୍ଡ ପୁଷ୍କରିଣୀକୁ ଏହି କୋଟ ବାଟଦେଇ ଯାଉଥିବା ଦେବଦେବୀଙ୍କ ପାଇଁ ପନ୍ତି ଭୋଗର ବ୍ୟବସ୍ଥା କରାଯାଇଥାଏ । ଦ୍ୱିତୀୟତଃ ସାହିଯାତ୍ରାର ରାବଣ ବଧ ଲୀଳା (ବୈଶାଖ କୃଷ୍ଣ ଦ୍ୱିତୀୟା) ଦିନ ବାଲିସାହି ରାବଣଙ୍କୁ ଭଗବତୀଙ୍କର ପଣା ପ୍ରସାଦ ପ୍ରଦାନ କରାଯାଇଥାଏ । ତୃତୀୟତଃ ଶ୍ରୀଜଗନ୍ନାଥଙ୍କ ଚନ୍ଦନଯାତ୍ରା କାଳରେ ୨୧ଦିନ ପର୍ଯ୍ୟନ୍ତ ମାର୍କଣ୍ଡେଶ୍ୱରଙ୍କୁ ଭଗବତୀ କୋଟ ତରଫରୁ ପନ୍ତୀ ଭୋଗ ପ୍ରଦାନ କରାଯାଇଥାଏ ।

 

ରାହାସ ମହାନ୍ତି ଯାଗା ପକ୍ଷରୁ ମାର୍କଣ୍ଡପୁଷ୍କରିଣୀର ପଙ୍କ ଉଦ୍ଧାର କାର୍ଯ୍ୟ କରାଯାଉଥିଲା-। ତା ସହ ମାର୍କଣ୍ଡତୀର୍ଥର ସମସ୍ତ ଭଲମନ୍ଦ ବିଷୟରେ ବୁଝିବାର ଦାୟିତ୍ୱ ଏହି ଯାଗାର ରହିଥିଲା-

 

ପୂର୍ବରୁ ସୂଚିତ ଅଛି ଯେ, ଶ୍ରୀକ୍ଷେତ୍ରର ଓ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ହିଁ ସାହି ଆଖଡ଼ାମାନଙ୍କ ଅଧିନରେ ଯାଗା ଘରଗୁଡ଼ିକ ସ୍ଥାପିତ ହୋଇଥିଲା । ତେଣୁ ଉପରୋକ୍ତ ସେବାମୂଳକ କାର୍ଯ୍ୟ ସହିତ ଏହି ଯାଗା ଓ ଆଖଡ଼ାମାନେ ଭିନ୍ନ ଭିନ୍ନ ଭାବରେ ଶ୍ରୀକ୍ଷେତ୍ରର ସୁରକ୍ଷା, ଶାନ୍ତି ଶୃଙ୍ଖଳା ଏବଂ ଶ୍ରୀମନ୍ଦିରର ସୁରକ୍ଷା ଦାୟିତ୍ୱ ନିର୍ବାହ କରୁଥିଲେ । ଇତିହାସରୁ ତଥା ମାଦଳାପାଞ୍ଜିରୁ ଆମକୁ ସୂଚନା ମିଳିଥାଏ ଯେ, ରକ୍ତବାହୁଠାରୁ ଆରମ୍ଭ କରି ମୋଗଲ, ଆଫଗାନ୍‌, ତଥା ମରହଟ୍ଟାମାନଙ୍କ ଆକ୍ରମଣ ଶ୍ରୀଜଗନ୍ନାଥଙ୍କୁ ଦୃଷ୍ଟିରେ ରଖି ଶ୍ରୀକ୍ଷେତ୍ର ଉପରେ ହୋଇଥିଲା । ତେଣୁ ପ୍ରାଗ୍ ଚୋଡ଼ଗଙ୍ଗ ରାଜତ୍ୱ ସମୟରୁ ସ୍ଥାନୀକ ଯୁବକମାନଙ୍କୁ ଅର୍ଦ୍ଧସାମରିକ ଶକ୍ତିଭାବରେ ଦଣ୍ଡାୟମାନ କରିବା ପାଇଁ ଯାଗା, ଗଡ଼, କୋଟ ଓ ଆଖଡ଼ାର ସୃଷ୍ଟି କରାଯାଇଥିଲା ।

 

ଯାଗା ଘର ନାରୀମାନଙ୍କ ପାଇଁ ସମ୍ପୂର୍ଣ୍ଣ ବାରଣ ଥିଲା । ଯାଗା ଘରେ ଭେଣ୍ଡିଆମାନେ ପାରମ୍ପରିକ ଶସ୍ତ୍ରରେ ଯୁଦ୍ଧ ବିଦ୍ୟା ଶିକ୍ଷା କରିବା ସହ, ଲାଠି ଚାଳନା, ମୁଦଗର ପରିଚାଳନା, ନିଆଁ ବନାଟି, ମଲ୍ଲଯୁଦ୍ଧ, ଆଦିରେ ପାରଙ୍ଗମ ହେଉଥିଲେ । ଶରୀର ଚର୍ଯ୍ୟା ପାଇଁ ଦଣ୍ଡ, ବୈଠକ, ଯୋଗ, ପ୍ରାଣାୟାମ ଶିକ୍ଷାଠାରୁ ଆରମ୍ଭ କରି ନୃତ୍ୟ ସଙ୍ଗୀତ ମଧ୍ୟ ଶିକ୍ଷା କରୁଥିଲେ ।

 

ଗଙ୍ଗବଂଶ ରାଜତ୍ୱର ମଧ୍ୟଭାଗଠାରୁ ବୈଦେଶିକ ଆକ୍ରମଣକାରୀଙ୍କ ଦୃଷ୍ଟି ଶ୍ରୀଜଗନ୍ନାଥଙ୍କ ଉପରେ ପଡ଼ିଥିଲା ଯାହା ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମୟକୁ କମିଯାଇଥିଲେ ହେଁ ପୁନର୍ବାର ପ୍ରତାପରୁଦ୍ର ଦେବଙ୍କବେଳକୁ ଆରମ୍ଭ ହୋଇ ଯାଇଥିଲା । ତେଣୁ ପ୍ରତାପରୁଦ୍ର ଦେବଙ୍କ ରାଜତ୍ୱର ପ୍ରାରମ୍ଭରେ ଶ୍ରୀକ୍ଷେତ୍ରକୁ ଆଗମନର ମୁଖ୍ୟ ପଥରେ ଏକ ପଥର ଦ୍ୱାର ନିର୍ମାଣ କରିଥିଲେ । ତାହାକୁ ବଡ଼ଦ୍ୱାର ବୋଲି କୁହାଯାଉଥିଲା । (ବର୍ତ୍ତମାନର ନରେନ୍ଦ୍ରକୋଣ ନିକଟ) । ଶ୍ରୀମନ୍ଦିରର ପ୍ରାଚୀର ଚାରିକୋଣରେ ଚାରିଗୋଟି ଗୁରୁଜ ସ୍ଥାପନ କରାଗଲା । ଶ୍ରୀମନ୍ଦିର ବେଢ଼ାର ଅଗ୍ନି କୋଣରେ ଥିବା ଗୁରୁଜରେ କାଳିକା କୋଟର ଯୁବକମାନେ କଦମ୍ବଗଡ଼କୁ କେନ୍ଦ୍ର କରି, ଦକ୍ଷିଣ ଦିଗ ଗୁରୁଜରେ ବଡ଼ଆଖଡ଼ା ଓ ଧ୍ୱଜଗଡ଼କୁ କେନ୍ଦ୍ର କରି, ଉତ୍ତର ପଶ୍ଚିମ କୋଣରେ ଭଗବତୀ କୋଟର ଭେଣ୍ଡିଆମାନେ ଦୁଆରିଗଡ଼କୁ କେନ୍ଦ୍ର କରି ତଥା ପୂର୍ବ ଉତ୍ତର କୋଣରେ ମରିଚିକୋଟ ଏବଂ ଚମ୍ପାଗଡ଼ର ଯୁବକମାନେ ମିଳିମିଶି ମନ୍ଦିର ରକ୍ଷାର ଦାୟିତ୍ୱ ନେଇଥିଲେ । ବଡ଼ଦ୍ୱାରର ଦାୟିତ୍ୱରେ ରହିଥିଲେ ଗଣେଶ ଗୁରୁଜର ଯୁବକମାନେ । ଏହିଦ୍ୱାର ଶ୍ରୀଜୀଉଙ୍କ ମଙ୍ଗଳଆଳତିବେଳେ ଖୋଲାଯାଇ ସନ୍ଧ୍ୟାଧୂପବେଳେ ବନ୍ଦ କରି ଦିଆଯାଉଥିଲା ।

 

ପରବର୍ତ୍ତୀ ସମୟରେ ଶ୍ରୀକ୍ଷେତ୍ର ପ୍ରତି ବିପଦର ସମ୍ଭାବନା ବଢ଼ିଚାଲିବା ସହ ସୁରକ୍ଷା ପାଇଁ ଗଡ଼, କୋଟ ଓ ଗୁରୁଜମାନଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଥିଲା ।

 

ଭୋଇବଂଶର ରାଜା ନରସିଂହ ଦେବଙ୍କ ରାଜତ୍ୱ ସମୟରେ ସୁଲତାନ ହାଜି ଶ୍ରୀମନ୍ଦିର ଲୁଣ୍ଠନ କରିବାକୁ ଆସିଥିଲା କିନ୍ତୁ ବଜ୍ରଗଡ଼ର ଯୁବକମାନେ ପ୍ରତି ଆକ୍ରମଣ କରି ତାକୁ ଘଉଡ଼ାଇ ଦେଇଥିଲେ । ଏହି ବିପଦ ସମୟରେ କୁମ୍ଭାରପଡ଼ାସ୍ଥ ‘ଜାଇଗଡ଼ ଯାଗା’ର ଧନୁର୍ବିଦ୍ୟା ପାରଙ୍ଗମ ଭେଣ୍ଡିଆମାନେ ବଜ୍ରଗଡ଼ ଭେଣ୍ଡିଆଙ୍କ ସହିତ ମିଶିଯାଇ କ୍ଷେତ୍ରର ସୁରକ୍ଷା କରିଥିଲେ ।

 

ଚମ୍ପାଗଡ଼ର ଯୁବକମାନେ ଧନୁର୍ବିଦ୍ୟାରେ ପ୍ରବୀଣ ଥିଲେ । ଏମାନେ ରଙ୍ଗଭେଦୀ ଧନୁର୍ବିଦ୍ୟାରେ ଧୂରନ୍ଧର ଥିଲେ, ଫଳରେ ବାହ୍ୟଶତ୍ରୁ ଆକ୍ରମଣରୁ କ୍ଷେତ୍ରକୁ ବହୁ ଭାବରେ ସୁରକ୍ଷିତ ରଖୁଥିଲେ । କଦମ୍ବଗଡ଼ର ଭେଣ୍ଡିଆମାନେ ଚକ୍ରଭେଦି ଧନୁର୍ବିଦ୍ୟାରେ ପାରଙ୍ଗମ ଥାଇ ଶ୍ରୀକ୍ଷେତ୍ର ରକ୍ଷା କରୁଥିଲେ । ବେଲଦଳ ଯାଗାର ଯୁବକମାନେ ବାଲିଘାଟର ସୁରକ୍ଷା ଦାୟିତ୍ୱରେ ରହିଥିଲେ । ଜଗତ ପ୍ରତିହାରୀ ଯାଗାର ମୁଖ୍ୟ ଦାୟିତ୍ୱ ଥିଲା ଶ୍ରୀମନ୍ଦିରର ସୁରକ୍ଷା । ଏ ସମ୍ପର୍କରେ ସୂଚନା ମିଳେ ଯେ, କେଶୋଦାସମାରୁ ଶ୍ରୀମନ୍ଦିରକୁ ଅତର୍କିତ ଆକ୍ରମଣ କରି ଲୁଣ୍ଠନ କରି ଚାଲିବା ପରେ, ଯାଗାର ମୁଖ୍ୟ ଶିଷ୍ୟ ମଲ୍ଲବୀର ଜଟି ପଣ୍ଡାଙ୍କୁ ଧରି କେଶୋଦାସକୁ ଅନୁସରଣ କରି ପିପିଲିଠାରେ ତାକୁ କାବୁ କରି ଶ୍ରୀମନ୍ଦିରର ଲୁଣ୍ଠିତ ଦ୍ରବ୍ୟ ଛଡ଼ାଇ ଆଣି ରାଜାଙ୍କୁ ପ୍ରଦାନ କରିଥିଲେ । ବାଲିସାହି ଖୁଣ୍ଟିଆ ଯାଗାର ଦାୟିତ୍ୱ ଥିଲା ଶ୍ରୀମନ୍ଦିରର ଚାରିଦ୍ୱାରର ସୁରକ୍ଷା ପ୍ରତି ଧ୍ୟାନ ଦେବା । ବାଲିସାହି ଲୁହାଗଡ଼ ଯାଗାର ମଲ୍ଲମାନେ ନିଝାମ ଝଡ଼ାରେ ଶ୍ରେଷ୍ଠ ଥିବାରୁ ଗଜପତି କପିଳେନ୍ଦ୍ର ଦେବଙ୍କୁ ସୁରକ୍ଷା ପ୍ରଦାନ ଦାୟିତ୍ୱରେ ରହୁଥିଲେ । ଡୁବେଇ ଯାଗାର ଦାୟିତ୍ୱ ଥିଲା ଗୋବର୍ଦ୍ଧନ ପୀଠ ବା ଆଦିଶଙ୍କର ପୀଠର ସୁରକ୍ଷା କଥା ବୁଝିବା ।

 

କାଳିକାଦେବୀ ସାହିର ଦକ୍ଷିଣକାଳୀ ଆଖଡ଼ାର କୁସ୍ତି ବିଷାରଦମାନେ ଶ୍ରୀକ୍ଷେତ୍ରର ସୁରକ୍ଷା ପାଇଁ ଘାଟମାନଙ୍କର ଦାୟିତ୍ୱ ନେଇଥିଲେ । ଚୁଡ଼ଙ୍ଗକୋଟ ବା ବଡ଼ୁ ମହାପାତ୍ର ଯାଗା ମଧ୍ୟ ଶ୍ରୀମନ୍ଦିରର ସୁରକ୍ଷା ଦାୟିତ୍ୱ ବହନ କରିଥିଲେ । ସେହିପରି ଗଡ଼ତାପଙ୍ଗର ପ୍ରସିଦ୍ଧ ବୀରମାନଙ୍କଦ୍ୱାରା ଶ୍ରୀକ୍ଷେତ୍ରର ତାପଙ୍ଗଗଡ଼ ପଞ୍ଚାୟତ ବା ଯାଗା ସ୍ଥାପନା କରି ତୃତୀୟ ପୁରୁଷୋତ୍ତମ ଦେବଙ୍କ ସମୟରୁ ଶ୍ରୀକ୍ଷେତ୍ର ସୁରକ୍ଷାକୁ ସୁଦୃଢ଼ କରିଥିଲେ । ମଲ୍ଲୀଗଡ଼ ଯାଗାର ଯୁବକମାନେ ମଲ୍ଲବିଦ୍ୟା, ମୁଷ୍ଟିବିଦ୍ୟା, ଖଡ୍‌ଗ ବିଦ୍ୟା, ଭୋଜବିଦ୍ୟା ଏବଂ ଧନୁବିଦ୍ୟାରେ ପ୍ରବୀଣ ଥାଇ ଶତ୍ରୁନାଶ କରୁଥିଲେ ।

 

ପୁରୀର ସାତସାହିସ୍ଥ ଆଖଡ଼ାମାନଙ୍କ ଅଧୀନରେ ଥିବା ଯାଗା ଘରମାନଙ୍କରେ ବୀରତ୍ୱ ବ୍ୟଞ୍ଜକ ନୃତ୍ୟ ସଙ୍ଗୀତର ଲୋକ ସଂସ୍କୃତିର ପରମ୍ପରା ଏଯାବତ୍ ଯଥାବିଧି ରହି ଆସିଛି । ପୂର୍ବରୁ ସୂଚିତ ବିଭିନ୍ନ ପର୍ବପର୍ବାଣିରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ବିଗ୍ରହମାନଙ୍କ ସହିତ ସାହିମାନଙ୍କ ସମ୍ପୃକ୍ତ ରହିଥିଲେ ହେଁ ରାମଲୀଳା ସମୟରେ ବାହାରୁଥିବା ସାହିଯାତ୍ରାରୁ ଏହା ବେଶୀ ସ୍ପଷ୍ଟ ହୋଇଉଠେ । ସାହିଯାତ୍ରାର ପରଶୁରାମ ଚରିତ୍ର, ରାବଣ ଚରିତ୍ର ଆଦିର ଅଭିନୟ କରୁଥିବା ଯାଗାର ଭେଣ୍ଡିଆମାନଙ୍କୁ ମାସାଧିକ କାଳ ସାଧନା କରିବାକୁ ପଡ଼ିଥାଏ । ଗୁରୁଙ୍କଠାରୁ ଏହି ଚରିତ୍ରମାନେ ନୃତ୍ୟ ଅଭ୍ୟାସ କରିବା ସହ ରାବଣର ବଚନିକା, ଶିବତାଣ୍ଡବ ଆଦି ମୁଖସ୍ତ କରିଥାନ୍ତି । ରାବଣର ଚଣ୍ଡନି-ସାରୁକ ତାଳରେ ମର୍ଦ୍ଦଳ, ମହୁରୀ, ତେଲଙ୍ଗି ବାଜାର ଗୁରୁ ଗମ୍ଭୀର ଶବ୍ଦ ମଧ୍ୟରେ ବୀର ଠାଣିରେ ପାହୁଲ ପକାଇ ଚାଲିବାର ଦୃଶ୍ୟ ମଧ୍ୟରେ ବି ଭରି ରହିଥାଏ ତାଣ୍ଡବ ନୃତ୍ୟର ଛନ୍ଦ । ସେହିପରି ରାମାୟଣର ଅନ୍ୟାନ୍ୟ ମୁଖ୍ୟ ଚରିତ୍ର ଯଥା ଅଙ୍ଗଦ, ସୁଗ୍ରୀବ, ମାରିଚ, ଖର, ଦୂଷଣ, ସୁର୍ପଣଖା, ତ୍ରିଶିରା, ପଞ୍ଚଶିରା, ସପ୍ତଶିରା, ନବଶିରା ତଥା ସମ୍ପାତି ଆଦି ଚରିତ୍ରମାନେ ମଧ୍ୟ ନିଜ ନିଜ ସାହିର ଯାଗା ଆଖଡ଼ା ଅଧିନରେ ନୃତ୍ୟ, ସଂଳାପ ଓ ବଚନିକା ଶିକ୍ଷା କରିଥାନ୍ତି । ବଚନିକା ମଧ୍ୟରେ ଶୂର୍ପଣଖା ପ୍ରସଙ୍ଗ, ମାୟାମୃଗ ବଚନିକା, ମାୟା ରାବଣ ସୀତା ବଚନିକା, ଜଟାୟୁ, ରାମଲକ୍ଷ୍ମଣ ବଚନିକା, ଶ୍ରୀହନୁମାନ ବଚନିକା, ହନୁମାନ-ରାବଣ ବଚନିକା, ରାବଣ ଅଙ୍ଗଦ ବଚନିକା, ବିଭୀଷଣ ବଚନିକା, ମନ୍ଦୋଦରୀ-ରାବଣ ବଚନିକା, ଶ୍ରୀରାମ-ରାବଣ ବଚନିକା ଆଦି ଶିକ୍ଷା କରିବା ସହିତ ଆବଶ୍ୟକ ସ୍ଥଳେ ନୃତ୍ୟ, ଅଭିନୟ ଓ ସଂଳାପ ମାଧ୍ୟମରେ ବାଦୀସାହିମାନଙ୍କର ମନହରଣ କରିଥାନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ବିଖ୍ୟାତ ଗାୟକ ସିଂହାରୀ ଶ୍ୟାମସୁନ୍ଦର କର ପରଶୁରାମ ବନ୍ଧାଉଥିଲେ ତାଙ୍କ ସାହି ଆଖଡ଼ା ପକ୍ଷରୁ ।

ସେହିପରି କୃଷ୍ଣଲୀଳା ସମୟରେ ମଧ୍ୟ ବିଭିନ୍ନ ସାହିସ୍ଥ ଯାଗା ଓ ଆଖଡ଼ାମାନେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରସ୍ତାବ ରଖିଥାନ୍ତି । ସେଗୁଡ଼ିକ ହେଲା ବକାସୁର ଓ ଅର୍ଘାସୁର ବଧ ଲୀଳା, କାଳୀୟ ଦଳନ ଲୀଳା, ଧେନୁକାସୁର ବଧ ଲୀଳା, ପ୍ରଳମ୍ବାସୁର ବଧ ଲୀଳା, ଅନ୍ନପ୍ରଥା ପ୍ରସ୍ତାବ ଲୀଳା, ବସ୍ତ୍ରହରଣ ଲୀଳା, ଦାବାଗ୍ନି ପ୍ରସ୍ତାବ ଲୀଳା, ନିକୁଞ୍ଜ ପ୍ରସ୍ତାବ ଲୀଳା, ଅନ୍ଧମନ୍ଦର ହାତୀ ପ୍ରସ୍ତାବ ଲୀଳା, ଦାହ ପ୍ରସ୍ତାବ ଲୀଳା, ବିମ୍ବାସୁର ପ୍ରସ୍ତାବ ଲୀଳା, କେକେଶୀ ବଧ ଲୀଳା, ଇନ୍ଦ୍ରହାତୀ ପ୍ରସ୍ତାବ ଲୀଳା ଆଦି ପାଇଁ ବହୁ ପୂର୍ବରୁ ପ୍ରସ୍ତୁତ ହୋଇଥାନ୍ତି । ଉପରୋକ୍ତ କୃଷ୍ଣ ଲୀଳାରେ ରାମଲୀଳା ପରି ସୌର୍ଯ୍ୟ ଓ ବୀରତ୍ୱ ପ୍ରକଟନ ନ ଥାଏ ମାତ୍ର ତହିଁରେ ଭରି ରହିଥାଏ ସାଂସ୍କୃତିକ କଳାତ୍ମକତା ଓ ବିଭିନ୍ନ ରୂପ ପ୍ରସ୍ତୁତିର ପାଟବତା ।

ଏତଦ୍‌ଭିନ୍ନ ସଙ୍ଗୀତ ରଚନା, ସଙ୍ଗୀତ ଗାନ ଓ ଅଭ୍ୟାସ, ମାଳଶ୍ରୀ ସାଧନା, ତଥା କାବ୍ୟ କବିତା ଚର୍ଚ୍ଚାରେ ଯାଗା ଆଖଡ଼ା ଜୀବନକୁ ପ୍ରାଣବନ୍ତ କରି ରଖି ଆସିଛି । ବିଧର୍ମୀମାନଙ୍କ ଆକ୍ରମଣ କାଳରେ ଦେବଦାସୀମାନଙ୍କ ନୃତ୍ୟର ସାମାନ୍ୟ ଭଟ୍ଟା ପଡ଼ିଥିଲାବେଳେ ସେହି ନୃତ୍ୟର ଆଧାରରେ ଆଖଡ଼ାମାନଙ୍କରେ ଗୋଟିପୁଅ ନୃତ୍ୟର ପ୍ରାଣ ସଞ୍ଚାର ଘଟିଥିଲା । ପରୋକ୍ଷରେ ଗୋଟିପୁଅ ନୃତ୍ୟର ଏନ୍ତୁଡ଼ିଶାଳ ଭାବରେ ଆଖଡ଼ାମାନଙ୍କୁ ସମ୍ମାନ ପ୍ରଦାନ କରାଗଲେ କିଛି ଭୁଲ ହେବନାହିଁ । ଗୋଟିପୁଅ ନୃତ୍ୟ ଧାରାର ସୃଷ୍ଟିକ୍ଷେତ୍ର ଆଖଡ଼ା ଘର ହୋଇଥିବା ହେତୁ, ଏମାନଙ୍କୁ ଆଖଡ଼ାପିଲା ବୋଲି ମଧ୍ୟ କୁହାଯାଉଥିଲା । ଝୁଲଣ ଏବଂ ଚନ୍ଦନ ଯାତ୍ରା ପାଇଁ ତଥା ଋକ୍ମିଣୀ ବିବାହ ଆଦି ଶ୍ରୀଜଗନ୍ନାଥଙ୍କ ପର୍ବପର୍ବାଣିରେ ବାରବାଟି ଯାଗା, ନରିସଂହ ବଲ୍ଲଭ ଯାଗାର ଗୋଟିପୁଅମାନେ ନୃତ୍ୟ ଓ ଗୀତ ପରିବେଷଣ କରୁଥିଲେ । ଚାମଣ୍ଡାମୁଣ୍ଡି ଆଖଡ଼ାର ସଙ୍ଗୀତଜ୍ଞ ଭୀମସେନ (ଫକୀର) ପଢ଼ିଆରୀ, ଭଟ୍ଟଯାଗାର ସଙ୍ଗୀତ ଗୁରୁ ସ୍ୱର୍ଗତ ଚିନ୍ତାମଣି ମିଶ୍ର, ସିଂହାରୀ ଶ୍ୟାମସୁନ୍ଦର କରଙ୍କ ନେତୃତ୍ୱରେ କାଳିକା କୋଟରେ ଓଡ଼ିଶୀ ସଙ୍ଗୀତର ସାଧନା ପୀଠ, ଗୋପାଳୀ ଯାଗାର ଗୋପାଳ ଜେନାଙ୍କ ସଙ୍ଗୀତ ଚର୍ଚ୍ଚାର କେନ୍ଦ୍ର ପୁରୀକୁ ଏକ ସ୍ୱତନ୍ତ୍ର ଘରାନାର ସମ୍ମାନ ପ୍ରଦାନ କରିଥିଲା ।

ଏତଦ୍‌ବ୍ୟତୀତ ଯାଗା ଆଖଡ଼ାମାନଙ୍କ ସାଂସ୍କୃତିକ ମଉଜ ଭିତରେ ପଶୁପକ୍ଷୀଙ୍କୁ ମଧ୍ୟ ଏମାନେ ସାମିଲ କରିଥାନ୍ତି । ଯାଗାଘରମାନଙ୍କରେ ରହିଥିବା ଚଢ଼େଇ ଏବଂ ପାରା ନେଇ ପ୍ରାୟତଃ ସମସ୍ତ ମଙ୍ଗଳବାର ଦିନ ତୋଟାକୁ ଯାଇଥାନ୍ତି । ସେଠି ପାରାଉଡ଼ା ହୁଏ ଏବଂ ଚଢ଼େଇ ଲଢ଼େଇ କରାଯାଇଥାଏ । ଗୋବରା ଚଢ଼େଇଙ୍କ ଲଢ଼େଇ ପୂର୍ବରୁ ଥଣ୍ଟ ଦେଖି ନିର୍ବାଚନ କରାଯାଏ । ଏହି ଗୋବରା ଚଢ଼େଇଙ୍କ ମଧ୍ୟରେ ଡୁମା ଓ ପଞ୍ଜୁରିଆ ଦୁଇ ପ୍ରକାରର ଚଢ଼େଇ ବଛାଯାଇ ଛତୁଆ କିମ୍ବା କଦଳୀ ଖୁମ୍ପା ଯାଇ ଲଢ଼େଇ କରାଯାଏ । ଏଥିରେ ହାରିଯାଇଥିବା ଚଢ଼େଇର ମାଲିକ ଯେତିକ ଲଜ୍ଜିତ ହୁଏ ଜିତିବା ଚଢ଼େଇ ମାଲିକ ସେତିକି ଗର୍ବିତ ହୋଇଥାଏ ।

ସେହିପରି ପାରାଉଡ଼ା ମଧ୍ୟ ଆଖଡ଼ାମାନଙ୍କର ଅନ୍ୟତମ ମଉଜ । ପାରାମାନଙ୍କୁ ଖଟାଙ୍ଗ, କାଳିଆ, କାଣ୍ଟିଆ, ଚୂଳିଆ, ଶ୍ୱେତ, ନୀଳା, ତରଞ୍ଜ, ବକଳ, ସାଆଁଣ୍ଟା, ପାକିଲେ, ଛିଟମତା ପ୍ରଭୃତି ଅନେକ ପ୍ରକାର ନାମରେ ପାରା ଅନୁରାଗୀମାନେ ନାମିତ କରିଥାନ୍ତି । ତୋଟାରେ ପାରାଉଡ଼ା ହୁଏ ପାରାମାନେ ଯାଇ ବାଦଲରେ ଅଦୃଶ୍ୟ ହୋଇଯାନ୍ତି । ତଳେ ଧାନ ଓ ପାଣି ଥୁଆଯାଇଥାଏ । ପାରା ଯଦି ନ ଆସିଲା କିମ୍ବା ବାଜ ମାରିନେଲା କିମ୍ବା ବୋଲ ନ ମାନି ଅନ୍ୟ ସ୍ଥାନରେ ଓହ୍ଲାଇଲା ତେବେ ସରିଲା କଥା । ପାରା ମାଲିକ ମୁହଁ ଦେଖାଇ ପାରିବ ନାହିଁ । ସେହିପରି ମେଣ୍ଢା ଲଢ଼େଇ ମଧ୍ୟ ଯାଗା ଆଖଡ଼ାର ଅନ୍ୟତମ ସଉକ ଭାବରେ ପରିଚିତ ।

ଶ୍ରୀକ୍ଷେତ୍ରର ଯାଗା ଓ ଆଖଡ଼ା ସମ୍ପର୍କରେ ଏକ ସର୍ବବାଦୀ ମତ ପ୍ରଚଳିତ ରହିଛି । ତାହା ହେଲା ସାଙ୍ଗ, ଭାଙ୍ଗ, ସଙ୍ଗୀତ ଓ ପଙ୍ଗତ ସଂସ୍କୃତିର ମନ୍ଦିର । ଜାଗାର ସଦସ୍ୟମାନଙ୍କୁ ‘ସାଙ୍ଗ’ ଏବଂ ପ୍ରମୁଖ ସାଙ୍ଗକୁ ‘ବଡ଼ସାଙ୍ଗ’ କୁହାଯାଏ । ଜାଗା ଭିତରେ ସଭା ସମିତି, ବୈଠକ, କସରତ ପାଇଁ ପ୍ରଚୁର ସ୍ଥାନ ରହିଥିବା ସହ ମଲ୍ଲ ବିଦ୍ୟା ଶିକ୍ଷା ଓ ପ୍ରତିଯୋଗିତା ପାଇଁ ଫୁଲକା ଥାଏ । ସ୍ନାନ ଶୌଚ ପାଇଁ ପୋଖରୀ ରହିଛି । ଜନ୍ମାଷ୍ଟମୀ ପରଦିନ ମଙ୍ଗଳାଘାଟରେ ସ୍ନାନ ଓ ମଉଜ ପାଇଁ ଜାଗାମାନଙ୍କରୁ ଯମୁନା ଗାଧୁଆ ମେଳ ବାହାରେ । ଧନୁ ସଂକ୍ରାନ୍ତିରେ ଜାଗା ଆଖଡ଼ା ପକ୍ଷରୁ ବଡ଼ ବଡ଼ ଆକାରର ଧନୁ ମୁଆଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରେ ଭୋଗ କରାଯାଏ । ପରେ, ମହାପ୍ରସାଦ ସେବା ସହ ମୁଆଁକୁ କରତରେ କଟାଯାଇ ଖାଇବାକୁ ଦିଆଯାଏ । ଏହାକୁ ‘ମୁଆଁଫିଟା’ ବୋଲି ପୁରୀବୋଲିରେ ଡଃ ସିଦ୍ଧେଶ୍ୱର ମହାପାତ୍ର ଉଲ୍ଲେଖ କରିଛନ୍ତି । ଜାଗର ପାଇଁ ଜାଗା ଆଖଡ଼ା ଘରେ ରହଣି ଖଜା, ଜଗନ୍ନାଥ ବଲ୍ଲଭ, ଖୁରୁମା ଆଦି ପ୍ରସ୍ତୁତ ହୋଇ ଲୋକନାଥଙ୍କ ପାଖରେ ଭୋଗ ହୁଏ । ପହିଲି ଭୋଗ ମଧ୍ୟ ଜାଗାମାନଙ୍କର ଅନ୍ୟତମ ବୈଶିଷ୍ଟ୍ୟ ।

ମୋଟାମୋଟି ଭାବରେ କହିଲେ ଓଡ଼ିଶାର ଲୋକସଂସ୍କୃତି ଧାରାରେ ଶ୍ରୀକ୍ଷେତ୍ରର ‘ଜାଗା ଓ ଆଖଡ଼ା’ମାନଙ୍କ ସ୍ଥାନ ଏକ ସ୍ୱତନ୍ତ୍ର ଆସନର ଦାବିଦାର ଏକଥାକୁ ଆମେ ନିର୍ବିବାଦରେ ସ୍ୱୀକାର କରି ପାରିବା ।

Image

 

Unknown

ଶ୍ରୀମନ୍ଦିରର ଦେବଦାସୀ ପରମ୍ପରା ଓ ଶ୍ରୀଗୀତଗୋବିନ୍ଦ

 

ମାନବ ଜୀବନର ଭାବପ୍ରବଣତା ସହିତ ନୃତ୍ୟ ଏବଂ ସଙ୍ଗୀତ ଓତଃପ୍ରୋତଭାବେ ଜଡ଼ିତ-। ସଭ୍ୟତା ସୃଷ୍ଟିର ପ୍ରାକ୍‍କାଳରୁ ନୃତ୍ୟ, ଆଦିମ ମଣିଷର ପ୍ରାତ୍ୟାହିକ ଜୀବନର ଏକ ଅଙ୍ଗ ଭାବରେ ପରିବେଶିତ ହୋଇ ଆସିଛି । ଆଜିଠାରୁ ହଜାର ହଜାର ବର୍ଷତଳେ ଭାରତର ତଥା ଓଡ଼ିଶାର ଗୁମ୍ଫାଚିତ୍ରମାନଙ୍କରେ ଯେଉଁ ନୃତ୍ୟ ଭଙ୍ଗୀର ଚିତ୍ର ସବୁ ଦେଖିବାକୁ ମିଳେ ତା ସହିତ ଏକପ୍ରକାରର ଧାର୍ମିକ ଭାବନା ସଂଶ୍ଳିଷ୍ଟ ହୋଇ ରହିଥିବା ଲକ୍ଷ୍ୟ କରାଯାଏ । ଭାରତ ତଥା ବିଶ୍ୱର ବହୁ ପ୍ରାଚୀନ ଜନଜାତିର ଲୋକମାନେ ପ୍ରକୃତିକୁ ସନ୍ତୁଷ୍ଟ କରିବା ପାଇଁ ମୁଖ୍ୟତଃ ନୃତ୍ୟର ଆଶ୍ରୟ ନେଉଥିବା ତଥା ବିଶେଷ ଭାବରେ ନାରୀମାନେ ନୃତ୍ୟ ପରିବେଷଣ କରୁଥିବାର ଶହ ଶହ ଉଦାହରଣ ଦୃଷ୍ଟିଗୋଚର ହୁଏ । ମୁଖ୍ୟତଃ ସମାନୁପାତିକ ଦୃଷ୍ଟି ପାଇଁ, ଭଲ ଫସଲ ଅମଳ ପାଇଁ, ଗୋଷ୍ଠୀଗତ ଯୁଦ୍ଧରେ ଜୟଲାଭ କରିବାପାଇଁ, ବଣରୁ ଶିକାର ପାଇଁ, ବନ୍ୟା, ବାତ୍ୟା, ରୋଗ ଆଦି ଦୁର୍ଯୋଗରୁ ରକ୍ଷା ପାଇବାପାଇଁ ଏମାନେ ନୃତ୍ୟ ମାଧ୍ୟମରେ ପ୍ରକୃତିକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରିଥାନ୍ତି-। ଏହି ଧାରା ପ୍ରାଚୀନ ଯୁଗରୁ ଗତି କରି ଆସି ମଧ୍ୟଯୁଗରେ ମଧ୍ୟ ବିଭିନ୍ନ ଦେବସ୍ଥଳୀମାନଙ୍କରେ ପର୍ଯ୍ୟବସିତ ହେବାରେ ଲାଗିଥିଲା । ଏହାର ବିସ୍ତୃତ ବିବରଣୀ ଗର୍ଡନ୍ ଷ୍ଟୋୱେଲ୍‌ଙ୍କର, ଦି ବୁକ୍ ଅଫ୍ ନଲେଜର ତୃତୀୟ ଭାଗରେ ଦେଖିବାକୁ ମିଳେ ।

 

ସଭ୍ୟତାର ବିକାଶ ସହିତ ଏ ଧାରା ଅପ୍ରତିହତ ଭାବରେ ପ୍ରାଚୀନ ମଧ୍ୟଯୁଗ ଓ ମଧ୍ୟଯୁଗରେ ଗଢ଼ି ଉଠିଥିବା ମନ୍ଦିରମାନଙ୍କରେ ହିଁ ମୁଖ୍ୟତଃ ସୀମାବଦ୍ଧ ହୋଇ ରହିଆସିଥିଲା । ଯାହାକୁ କି, ଭୋଗମ୍‌, ଦାସୀ, ଦେବଦାସୀ କିମ୍ବା ମାହାରୀ ଭଳି ଶବ୍ଦ ପ୍ରୟୋଗଦ୍ୱାରା ଦେବତାଙ୍କୁ ସନ୍ତୁଷ୍ଟ କରିବାପାଇଁ କୁମାରୀ କନ୍ୟାମାନଙ୍କୁ ସମର୍ପଣ କରାଯାଇ ନୃତ୍ୟଗୀତକୁ ଆରାଧ୍ୟଙ୍କ ସେବା ବ୍ୟବସ୍ଥା ମଧ୍ୟରେ ସ୍ଥାନିତ କରାଯାଇଥିଲା । ଏଥିପାଇଁ ମଧ୍ୟ ମନ୍ଦିରମାନଙ୍କରେ ସ୍ୱତନ୍ତ୍ର ଭାବରେ ନାଟମଣ୍ଡପମାନ ନିର୍ମିତ ହେବା ସହ ବାସ୍ତୁ ବ୍ୟବସ୍ଥାରେ ସ୍ଥାନିତ କରାଗଲା । ଅପରପକ୍ଷରେ ଦେବଦାସୀ ନୃତ୍ୟ ପରିବେଷଣ ପାଇଁ, ଭକ୍ତି, ଧାର୍ମିକ ଭାବନା ଓ ଶୃଙ୍ଗାର ରସ ସମ୍ମିଶ୍ରିତ ନାଟ୍ୟଧର୍ମୀ ସାହିତ୍ୟ ସୃଷ୍ଟିପାଇଁ ରାଜା, ମହାରାଜାମାନେ ସ୍ୱତନ୍ତ୍ର ସଭାପଣ୍ଡିତ ନିଯୁକ୍ତ କରିବାରେ ଲାଗିଲେ ।

 

ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ପ୍ରଚଳିତ ଦେବଦାସୀ ପ୍ରଥାକୁ ଓ ତତ୍ ସମ୍ପର୍କିତ କାବ୍ୟଧାରାକୁ ଆଲୋଚନାର ପରିସରକୁ ଆଣିବାକୁ ଗଲାବେଳେ ଆମ ଚକ୍ଷୁ ସମ୍ମୁଖରେ ମହାନ୍ ସାହିତ୍ୟ ଗ୍ରନ୍ଥ ଶ୍ରୀଗୀତଗୋବିନ୍ଦ ଉଦ୍ଭାସିତ ହୋଇଉଠେ । ଯାହାକି ଶ୍ରୀଜଗନ୍ନାଥ ମନ୍ଦିରର ଦେବଦାସୀ ସେବା ସହିତ ଶହଶହ ବର୍ଷ ଧରି ସଂଶ୍ଳିଷ୍ଟ ହୋଇ ରହିଆସିଛି ।

 

ମନ୍ଦିରମାନଙ୍କରେ ଦେବଦାସୀ ପ୍ରଥାର ପ୍ରଚଳନ ଭାରତ ତଥା ବିଶ୍ୱର ବହୁ ସ୍ଥାନରେ ପ୍ରାଚୀନ କାଳରୁ ରହି ଆସିଥିଲେ ମଧ୍ୟ, ଓଡ଼ିଶାରେ ଦେବଦାସୀ ପ୍ରଥାର ପ୍ରଚଳନ ସମ୍ପର୍କୀୟ ସୂଚନା ପ୍ରାୟତଃ ଏକାଦଶ ଶତାବ୍ଦୀରୁ ହିଁ ମିଳିଥାଏ । ତତ୍କାଳୀନ ସମୟର କଳିଙ୍ଗ ଏବଂ ଉତ୍କଳର ଶାସକ ଥିବା ଗଙ୍ଗବଂଶୀ ରାଜାମାନେ ପ୍ରଥମେ କଳିଙ୍ଗନଗର ବା ମୁଖଲିଙ୍ଗମ୍‍ଠାରୁ ରାଜ୍ୟ ଶାସନ କରୁଥିଲେ ତେଣୁ ଦାକ୍ଷିଣାତ୍ୟରେ ପ୍ରଚଳିତ ଥିବା ଦେବଦାସୀ ପ୍ରଥାକୁ ସେମାନେ ତାଙ୍କ ଶାସନ କାଳ ମଧ୍ୟରେ ଓଡ଼ିଶାରେ ମଧ୍ୟ ପ୍ରଚଳନ କରାଇଥିଲେ ବୋଲି ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍ ଶ୍ରୀ ସତ୍ୟନାରାୟଣ ରାଜଗୁରୁ ମତବ୍ୟକ୍ତ କରିଥିଲେ ହେଁ ଚୋଡ଼ଗଙ୍ଗଙ୍କ ଉତ୍କଳ ଆଗମନର ବହୁ ପୂର୍ବରୁ ଅର୍ଥାତ୍ ଖ୍ରୀଷ୍ଟାବ୍ଦ ୧୦୫୩ରେ ଯଯାତିକେଶରୀଙ୍କ ପୁତ୍ର ଉଦ୍ୟୋତକେଶରୀ ତଥା ଯଯାତିଙ୍କ ରାଣୀ କୋଳାବତୀ ଦେବୀ ତାଙ୍କ ରାଜତ୍ୱର ଅଷ୍ଟାଦଶ ବର୍ଷରେ ବ୍ରହ୍ମେଶ୍ୱର ମନ୍ଦିର ନିର୍ମାଣ କରି ନୃତ୍ୟଗୀତ ପାଇଁ ସଙ୍ଗୀତ ପ୍ରବୀଣା ସୁନ୍ଦରୀ ଯୁବତୀମାନଙ୍କୁ ନିଯୁକ୍ତି ଦେଇଥିଲେ ବୋଲି ବ୍ରହ୍ମେଶ୍ୱର ମନ୍ଦିର ଶିଳାଲେଖରୁ ଜଣାଯାଏ । ଏତଦ୍‌ବ୍ୟତୀତ ୧୦୭୦ ଖ୍ରୀଷ୍ଟାବ୍ଦରେ ନିଆଳି ଶାସନର ଶୋଭନେଶ୍ୱର ମନ୍ଦିର ଏବଂ ଭୁବନେଶ୍ୱରସ୍ଥ ମେଘେଶ୍ୱର ମନ୍ଦିରରେ, ଯଥାକ୍ରମେ ଉଭୟ ମନ୍ଦିରର ନିର୍ମାତା ବ୍ରାହ୍ମଣ ବଂଶୀୟ ରାଜା ବୈଦ୍ୟନାଥ ଏବଂ ଗଙ୍ଗବଂଶୀୟ ରାଜା ରାଜରାଜ ଦେବଙ୍କ ଶାଳକ ସ୍ୱପ୍ନେଶ୍ୱର ଦେବଙ୍କଦ୍ୱାରା ରୂପଯୌବନ ସମ୍ପନ୍ନା ନାନାଭୂଷଣ ମଣ୍ଡିତା ଗୀତନୃତ୍ୟ ପ୍ରବୀଣା ନର୍ତ୍ତକୀ ନିଯୁକ୍ତି କରିଥିବାର ସୂଚନା ଉଭୟ ମନ୍ଦିରସ୍ଥ ଶିଳାଲେଖରୁ ଜାଣିହୁଏ ।

 

ଅବଶ୍ୟ ଏମାନଙ୍କ ପରେ ୧୧୨୧ରେ ପ୍ରାଚୀନ କଳିଙ୍ଗନଗରରେ ଚୋଡ଼ଗଙ୍ଗ ଦେବ, ମଧୁକେଶ୍ୱରଙ୍କ ମନ୍ଦିରରେ ନୃତ୍ୟପାଇଁ ଦେବଗଣିକା, ଗାୟକ ଓ ବାଦକ ନିଯୁକ୍ତ କରି ସେମାନଙ୍କ ପାଇଁ ଜମିବାଡ଼ି ଖଞ୍ଜି ଦେଇଥିଲେ ବୋଲି ସେଠାକାର ଶିଳାଲେଖରୁ ଜଣାଯାଏ । ଏତଦ୍‌ଭିନ୍ନ ଗଙ୍ଗସମ୍ରାଟ୍‍ ଚୋଡ଼ଗଙ୍ଗ ଦେବ ୧୧୬୧ ଖ୍ରୀଷ୍ଟାବ୍ଦରେ ନରେନ୍ଦ୍ରେଶ୍ୱର ନାମକ ଶିବମନ୍ଦିରରେ ନୈବେଦ୍ୟ, ନୃତ୍ୟଗୀତର ବ୍ୟବସ୍ଥା, ବାଦ୍ୟକରଣ ଏବଂ ଦେବସ୍ଥାନର ଜୀର୍ଣ୍ଣସଂସ୍କାର ପାଇଁ ଗୁରୁପାକ ନାମକ ଗ୍ରାମ ଦାନ କରିଥିବା କଥା ତାଙ୍କର ନରେନ୍ଦ୍ରେଶ୍ୱର ମନ୍ଦିର ଶିଳାଲେଖରୁ ଜଣାଯାଏ ।

 

ଉପରୋକ୍ତ କତିପୟ ଉଦାହରଣରୁ ଦୁଇଟି କଥା ସ୍ପଷ୍ଟ ହୁଏ ଯେ ଚୋଡ଼ଗଙ୍ଗ ଦେବଙ୍କ ଉତ୍କଳ ଅଧିକାର ପୂର୍ବରୁ ତଥା ବର୍ତ୍ତମାନର ଭବ୍ୟ ଶ୍ରୀଜଗନ୍ନାଥ ମନ୍ଦିର ଶ୍ରୀକ୍ଷେତ୍ରଠାରେ ନିର୍ମାଣ ପୂର୍ବରୁ ବର୍ତ୍ତମାନର ପୁରୀ ମୁକ୍ତିମଣ୍ଡପ ପଶ୍ଚିମକୁ ଥିବା ନୃସିଂହ ମନ୍ଦିରରେ ଦେବଦାସୀ (କେଶରୀ ରାଜବଂଶ ସମୟରୁ) ନିଯୁକ୍ତ ହୋଇ ସେବା କରୁଥିଲେ । ଦ୍ୱିତୀୟତଃ ଚୋଡ଼ଗଙ୍ଗ ଦେବଙ୍କ ଉତ୍କଳ ଅଧିକାର ପରେ, ଏଠାକାର ପ୍ରସିଦ୍ଧ ପୁରୁଷୋତ୍ତମ କ୍ଷେତ୍ରରେ ବର୍ତ୍ତମାନର ଭବ୍ୟ (୧୧୧୨-୧୧୪୭) ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ସହିତ ଦାକ୍ଷିଣାତ୍ୟରୁ ବା ତେଲୁଗୁ ସାନି ସମ୍ପ୍ରଦାୟରୁ କିଛି ଦେବଦାସୀଙ୍କୁ ଅଣାଇ ଏଠାରେ ବିନିଯୋଗ କରିଥିଲେ । ଏ ସମ୍ପର୍କିତ ପ୍ରମାଣ ପ୍ରତାପରୁଦ୍ରଦେବଙ୍କ ଜୟବିଜୟ ଶିଳାଲେଖରୁ ସ୍ପଷ୍ଟ ବୁଝିହୁଏ, ଯାହା ଏହି ପ୍ରବନ୍ଧରେ ପରବର୍ତ୍ତୀ ପର୍ଯ୍ୟାୟରେ ଆଲୋଚିତ ହେବ ।

 

୧୧୧୨ ଖ୍ରୀଷ୍ଟାବ୍ଦରେ ଉତ୍କଳର ସୋମବଂଶୀ ରାଜା କର୍ଣ୍ଣଦେବଙ୍କୁ ପରାସ୍ତ କରି, ଚୋଡ଼ଗଙ୍ଗ ଦେବ ଉତ୍କଳ ଏବଂ କଳିଙ୍ଗକୁ ମିଶାଇ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ରାଜ୍ୟ ବିସ୍ତାର କରିବା ପରେ ଶ୍ରୀକ୍ଷେତ୍ରର ପ୍ରାଚୀନ ପୁରୁଷୋତ୍ତମ ମନ୍ଦିର (ବର୍ତ୍ତମାନର ନୃସିଂହ ମନ୍ଦିର)ରେ ଶ୍ରୀପୁରୁଷୋତ୍ତମ, ଦେବୀ ସୁଭଦ୍ରା ଏବଂ ଶ୍ରୀବଳଭଦ୍ରଙ୍କ ବିଗ୍ରହମାନ ପ୍ରତିଷ୍ଠା କରି ମୁଖଲିଙ୍ଗମ୍ ପରି ଏଠାରେ ମଧ୍ୟ ନୃତ୍ୟ ସଙ୍ଗୀତ ପାଇଁ ଦେବଦାସୀ ବା ସାନି ସମ୍ପ୍ରଦାୟଙ୍କୁ ନିଯୁକ୍ତ କଲେ ବୋଲି ସତ୍ୟନାରାୟଣ ରାଜଗୁରୁ ଉଲ୍ଲେଖ କରିଛନ୍ତି । (ଶ୍ରୀପୁରୁଷୋତ୍ତମ ଓ ଶ୍ରୀମନ୍ଦିର, ୨୦୦୪, ପୃ-୨୦୦) ।

 

ଏକାଦଶ ଶତାବ୍ଦୀ ପୂର୍ବରୁ ପ୍ରାଚୀନ କଳିଙ୍ଗ ନଗର ନିକଟସ୍ଥ ଶ୍ରୀକୂର୍ମ ମନ୍ଦିରରେ ଦେବଦାସୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବାସସ୍ଥଳୀ ଥିଲା । ସେହି ସ୍ଥାନର ନାମ ଥିଲା ‘କୂର୍ମପାଟକ’ ବା ‘ପୂର୍ଣ୍ଣକୋଟି’ । ଶ୍ରୀ କୂର୍ମ ମନ୍ଦିରରେ ଶ୍ରୀବୈଷ୍ଣବ ସମ୍ପ୍ରଦାୟର ଗୁରୁମାନେ ରହି ଶିଷ୍ୟମାନଙ୍କୁ ଦର୍ଶନଶାସ୍ତ୍ର ଶିକ୍ଷା ଦେବା ସହିତ, ଦେବଦାସୀମାନଙ୍କୁ ମଧ୍ୟ ନୃତ୍ୟଗୀତ ଶିକ୍ଷା ଦେଉଥିଲେ । ତେଣୁ ନୃତ୍ୟ ସଙ୍ଗୀତ ଶିକ୍ଷା କରିବାପାଇଁ ବହୁ ସଂଖ୍ୟାରେ ସାନି ସମ୍ପ୍ରଦାୟ ସେଠାରେ ବସତି ସ୍ଥାପନ କରିଥିଲେ । ଏ ସମ୍ପର୍କିତ ବିସ୍ତୃତ ବିବରଣୀ ଦ୍ୱିତୀୟ ଭାନୁଦେବଙ୍କ ନୃସିଂହନାଥ ଶିଳାଲେଖରୁ ସ୍ପଷ୍ଟ ଜଣାଯାଏ ।(୧) ଉପରୋକ୍ତ ଶିଳାଲେଖ ଅନୁସାରେ ସାନି ସମ୍ପ୍ରଦାୟର ଭାଇଭଉଣୀ ତଥା ପରିବାରର ସଦସ୍ୟମାନେ ‘ନାଟ୍ୟସମ୍ପ୍ରଦାୟ’ ଗଢ଼ି ମନ୍ଦିରମାନଙ୍କରେ ନିଯୁକ୍ତି ପାଉଥିଲେ । ଆଉ ଏକ ଶିଳାଲେଖରୁ ଜଣାଯାଏ ଦ୍ୱିତୀୟ ନରସିଂହ ଦେବ ୧୨୯୯ ଖ୍ରୀଷ୍ଟାବ୍ଦରେ ସିଂହାଚଳ ମନ୍ଦିରରେ ମଙ୍ଗଳଗାନ ପାଇଁ ଏକ ସାନି ସମ୍ପ୍ରଦାୟ ନିଯୁକ୍ତ କରିଥିଲେ ।(୨)

 

ଚୋଡ଼ଗଙ୍ଗ ଦେବ ମଧ୍ୟ ଅନୁରୂପ ରୀତିରେ କେତେକ ସାନି ସମ୍ପ୍ରଦାୟ ପରିବାରକୁ ‘କୂର୍ମପାଟକ’ରୁ ଅଣାଇ ପୁରୀରେ ସେମାନଙ୍କ ପାଇଁ ସ୍ଥାୟୀ ବାସ ସ୍ଥାପନ କରାଇଥିଲେ । ଯାହା ବର୍ତ୍ତମାନର ଚୂଡ଼ଙ୍ଗସାହି ଭାବରେ ପରିଚିତ । ଏପରିକି ଏଠାରେ ଚୋଡ଼ଗଙ୍ଗ ଦେବଙ୍କ ଏକ ମୂର୍ତ୍ତି ମଧ୍ୟ ଏଯାବତ୍ ବିଦ୍ୟମାନ ।

 

ସତ୍ୟନାରାୟଣ ରାଜଗୁରୁଙ୍କ ମତରେ(୩) ସାନି ସମ୍ପ୍ରଦାୟ ଉତ୍କଳକୁ ଆସି, ପୁରୁଷୋତ୍ତମ ମନ୍ଦିରରେ ନୃତ୍ୟଗୀତ ପରିବେଷଣ କରିଥିଲେ ମଧ୍ୟ ତାହା ସର୍ବଜନଗ୍ରାହ୍ୟ ହୋଇ ନ ଥିବ । ଯେହେତୁ ସେମାନେ ଉଡ୍ରପ୍ରାକୃତ ଭାଷା ବିଷୟରେ ଅଜ୍ଞ ଥିବେ ଏବଂ ଏଠାକାର ଅଧିବାସୀଙ୍କୁ ଦ୍ରାବିଡ଼ ଭାଷାର ସଙ୍ଗୀତ ସ୍ପର୍ଶ କରି ନ ଥିବ । ତେଣୁ ସେହି ନର୍ତ୍ତକୀଙ୍କୁ ଶିକ୍ଷା ଦେବାପାଇଁ ସରଳ ସଂସ୍କୃତ ଗୀତର ଆବଶ୍ୟକତା ପଡ଼ିଥିବ ଏବଂ ଗୀତ ରଚନା ପାଇଁ ଜଣେ ଗାନ୍ଧର୍ବ ବିଦ୍ୟା ପ୍ରବୀଣ ପଣ୍ଡିତ ବ୍ୟକ୍ତିଙ୍କୁ ଏ ଗୁରୁଦାୟିତ୍ୱ ପ୍ରଦାନ କରାଯାଇଥିବ । ରାଜଗୁରୁଙ୍କ ମତରେ ଶ୍ରୀଜୟଦେବ ହିଁ ଏକମାତ୍ର ବ୍ୟକ୍ତି ଯିଏ କି ଗୀତଗୋବିନ୍ଦ ପରି ଭକ୍ତିପ୍ରଧାନ ଶୃଙ୍ଗାର ରସାଶ୍ରିତ ସରଳ ସଂସ୍କୃତ ଛନ୍ଦୋବଦ୍ଧ ଗ୍ରନ୍ଥ ଏହି ତୈଲଙ୍ଗୀ ସାନି ସମ୍ପ୍ରଦାୟର ଦେବଦାସୀମାନଙ୍କୁ ଉପଲକ୍ଷ୍ୟ କରି ରଚନା କରିଥିଲେ । ଏହାଦ୍ୱାରା ଚୋଡ଼ଗଙ୍ଗ ଦେବ ମଧ୍ୟ ସନ୍ତୁଷ୍ଟ ହୋଇଥିବେ । (୪)

 

ଉଲ୍ଲେଖଯୋଗ୍ୟ ଯେ କାମାର୍ଣ୍ଣବ ଦେବଙ୍କୁ ରାଜ୍ୟଭାର ଅର୍ପଣ କରିବା ପୂର୍ବରୁ ଅର୍ଥାତ୍ ଚୋଡ଼ଗଙ୍ଗ ଦେବଙ୍କ ଉତ୍ତର ସତୁରୀବେଳକୁ ବା ୧୧୪୨ ଖ୍ରୀଷ୍ଟାବ୍ଦବେଳକୁ ଜୟଦେବ ତରୁଣ ଥିବେ । କାରଣ ଭୁବନେଶ୍ୱରସ୍ଥ ଲିଙ୍ଗରାଜ ମନ୍ଦିରର ଏକ ଶିଳାଲେଖ ଅନୁସାରେ ‘କଳିଙ୍ଗରୁ ସମାଗତ ମେଡ଼ାମ ଦେବୀ ନାମ୍ନୀ ଜଣେ ମହିଳାଙ୍କ ସହ ସାଧୁ ପ୍ରଧାନ ଜୟଦେବ କୁର୍ମପାଟକରୁ ଆସିଥିଲେ । ଏହି ଶିଳାଲେଖଟି ଚୋଡ଼ଗଙ୍ଗଙ୍କ ପରବର୍ତ୍ତୀ ରାଜା ରାଘବେନ୍ଦ୍ରଙ୍କ ରାଜତ୍ୱ କାଳରେ (୧୧୬୯/୭୦ ଖ୍ରୀଷ୍ଟାବ୍ଦରେ) ଖୋଦିତ ହୋଇଥିଲା । ଗୀତଗୋବିନ୍ଦକାର ଜୟଦେବ ଷାଠିଏ ବର୍ଷ ବୟସରେ (ବାର୍ଦ୍ଧକ୍ୟରେ) ସନ୍ୟାସ ନେଇ କୂର୍ମପାଟକ ଯାଇ ଫେରିଥିଲେ । ତେବେ ୧୧୪୨ ଖ୍ରୀଷ୍ଟାବ୍ଦବେଳକୁ ୩୦-୪୦ ବର୍ଷ ବୟସ ମଧ୍ୟରେ ହୋଇଥିବା ସ୍ୱାଭାବିକ । ଏହି ବୟସରେ ଶୃଙ୍ଗାରରସ ଭିତ୍ତିକ ଭକ୍ତିଧର୍ମଯୁକ୍ତ ଗୀତଗୋବିନ୍ଦ ରଚନା କରି ଦେବଦାସୀମାନଙ୍କଦ୍ୱାରା ଶ୍ରୀପୁରୁଷୋତ୍ତମ ମନ୍ଦିରରେ ପରିବେଷଣ ଆରମ୍ଭ କରାଇଥିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ।

 

ଏଥିରୁ ଗୋଟିଏ କଥା ସ୍ପଷ୍ଟ ଅନୁଭବ କରିହୁଏ ଯେ, ସମ୍ପୂର୍ଣ୍ଣ ଭାବରେ ଶ୍ରୀମନ୍ଦିରର ଦେବଦାସୀମାନଙ୍କ ପାଇଁ ନୃତ୍ୟ, ଗାୟନ ଓ ଅଭିନୟ ଦୃଷ୍ଟିରୁ ଗୀତଗୋବିନ୍ଦର ସୃଷ୍ଟି ହୋଇଥିଲା । ଯେଉଁଥିପାଇଁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ, ପଣ୍ଡିତ, ରାଜନ୍ୟବର୍ଗଙ୍କଦ୍ୱାରା ‘ଗୀତଗୋବିନ୍ଦ’ ସମଗ୍ର ଭାରତବର୍ଷରେ ପ୍ରଚାରିତ ଓ ପ୍ରସାରିତ ହୋଇ ଶ୍ରୀଜୟଦେବଙ୍କୁ ସମୃଦ୍ଧି ଆଣିଦେବାରେ ସକ୍ଷମ ହୋଇପାରିଥିଲା ।

 

ଦେବଦାସୀମାନଙ୍କୁ ଉପଲକ୍ଷ୍ୟ କରି ରଚିତ ଏହି ‘ଗୀତଗୋବିନ୍ଦ’ ଗ୍ରନ୍ଥଟି ଗାନ୍ଧର୍ବ କଳା କୌଶଳ ଅନୁଧ୍ୟାନ ପାଇଁ, ଅନ୍ୟତମ ଶ୍ରେଷ୍ଠ ଗ୍ରନ୍ଥ ଭାବରେ ମଧ୍ୟ ପ୍ରତିଷ୍ଠା ପାଇଥିଲା । ଏ ସମ୍ପର୍କିତ ଉକ୍ତି ମଧ୍ୟ ‘ଗୀତଗୋବିନ୍ଦ’ ଗ୍ରନ୍ଥରୁ ଗ୍ରହଣ କରାଯାଇପାରେ । ଗୀତଗୋବିନ୍ଦର ଅନ୍ତିମ ସର୍ଗରେ ଏ ଗ୍ରନ୍ଥ ରଚନାର ତିନୋଟି ଉଦ୍ଦେଶ୍ୟ ସମ୍ପର୍କରେ ଉଲ୍ଲେଖ ରହିଛି–

 

“ଯଦ୍ ଗାନ୍ଧର୍ବ କଳାସୁ କୌଶଳ ମନୁଧ୍ୟାନଂ ଚ ଯଦ୍ ବୈଷ୍ଣବଂ,

ଯଦ୍ ଶୃଙ୍ଗାର ବିବେକ ସାରମପି ଯତ୍ କାବ୍ୟେଷୁ ଲୀଳାୟିତମ୍ ।

ତତ୍‌ସର୍ବଂ ଜୟଦେବ ପଣ୍ଡିତ କବେଃ କୃଷ୍ଣୈକତାନାତ୍ମନଃ,

ସାନନ୍ଦଂ ପରିଶୋଧୟନ୍ତୁଂ ସୁଧୀୟଃ ଶ୍ରୀ ଗୀତଗୋବିନ୍ଦଃ ।”

 

ପୁନଶ୍ଚ ମାଦଳା ପାଞ୍ଜିକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ରାଜା କାମାର୍ଣ୍ଣବ ଦେବ (୧୧୬୬-୧୧୭୧) ଗୀତଗୋବିନ୍ଦକୁ ବ୍ୟକ୍ତିଗତ ଭାବରେ ମନ୍ଦିରରେ ପାଠ କରୁଥିଲେ । ଏତଦ୍‌ଭିନ୍ନ ବର୍ତ୍ତମାନର ଭବ୍ୟ ମନ୍ଦିର ନିର୍ମାଣ ସରିବା ପରେ ତଥା ଚତୁର୍ଦ୍ଧାବିଗ୍ରହଙ୍କ ସ୍ଥାପନା ପରେ ଦ୍ୱିତୀୟ ନରସିଂହ ଦେବ (୧୨୭୮-୧୩୦୬) ଶ୍ରୀମନ୍ଦିରର ଶ୍ରୀବିଗ୍ରହମାନଙ୍କ ସମକ୍ଷରେ ଗୀତଗୋବିନ୍ଦ ପାଠ ଏବଂ ଦେବଦାସୀମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣରେ ଗୀତଗୋବିନ୍ଦ ଗାନ ନିୟମକୁ ପାଳନ କରିବାପାଇଁ ଆଦେଶ ପ୍ରଦାନ କରି, ଏହାକୁ ଏକ ବିଶିଷ୍ଟ ସେବା ଭାବରେ ପ୍ରଚଳନ କରାଇଥିଲେ । ଫଳରେ ଏହି ସମୟରୁ ଗୀତଗୋବିନ୍ଦ ସେବା ଏକ ନିର୍ଦ୍ଦିଷ୍ଟ ରୂପ ପରିଗ୍ରହଣ କଲା । ଏହି ସମୟରେ ପୁରୁଣା ସମ୍ପ୍ରଦା, ସାନି (ତେଲିଙ୍ଗି) ସମ୍ପ୍ରଦା ବ୍ୟତୀତ, ଭଗବାନଙ୍କୁ ଅର୍ପିତ ବହୁ ଓଡ଼ିଆ କନ୍ୟାମାନେ ମଧ୍ୟ ବୟଜ୍ୟେଷ୍ଠ ମାହାରୀମାନଙ୍କଠାରୁ ନୃତ୍ୟଗୀତ ଶିକ୍ଷା କରି ତଥା ଏଥିରେ ପାରଙ୍ଗମ ହୋଇ ଦେବଦାସୀ ଭାବରେ ଗୀତଗୋବିନ୍ଦ ସେବାରେ ନିୟୋଜିତ ହେବା ଆରମ୍ଭ ହୋଇଯାଇଥିଲା । ବିଶେଷତଃ ଏହ ସମୟରୁ ହିଁ ଶ୍ରୀଜୀଉମାନଙ୍କ ବଡ଼ସିଂହାର ବେଶ ପରେ ଦେବଦାସୀ ମାନେ ଗୀତଗୋବିନ୍ଦ ପାଠ କରିବା ସହ ଏହାକୁ ଆଧାର କରି ନୃତ୍ୟ ପରିବେଷଣ କରୁଥିଲେ ଓ ତତ୍‌ପଶ୍ଚାତ୍ ପହୁଡ଼ ପଡ଼ୁଥିଲା ।

 

ଜୟଦେବଙ୍କ ପତ୍ନୀ ପଦ୍ମାବତୀ ମଧ୍ୟ ଥିଲେ ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଏକ ଦେବଦାସୀ । ଯାହାକୁ ଶ୍ରୀଜୟଦେବ ବିବାହ କରିବା ପରେ ସେମାନଙ୍କ ସମ୍ପର୍କକୁ ସ୍ୱୀକୃତି ଦେବାପାଇଁ ଅନେକ କାହାଣୀର ସଂଯୋଜନା କରାଯାଇଥିଲା । ଯାହାକି ବର୍ତ୍ତମାନ ଏକ କିମ୍ବଦନ୍ତୀ ଭାବରେ ବହୁଳ ପ୍ରଚାରିତ ଓ ପ୍ରଚଳିତ । ଜୟଦେବଙ୍କର, ଦେବଦାସୀ ପଦ୍ମାବତୀଙ୍କ ସହିତ ରହିଥିବା ପ୍ରଗାଢ଼ ପ୍ରେମର ନିଦର୍ଶନ ସ୍ୱରୂପ ଉଲ୍ଲେଖ ଥିବା- “ପଦ୍ମାବତୀ-ଚରଣ-ଚାରଣ-ଚକ୍ରବର୍ତ୍ତୀ”ର ଘୋଷଣା ମାଧ୍ୟମରେ ନୃତ୍ୟଗୀତ ପ୍ରବୀଣା ପଦ୍ମାବତୀଙ୍କର ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ଗୀତଗୋବିନ୍ଦ ନୃତ୍ୟ ସେବାପାଇଁ ଉତ୍ସର୍ଗୀକୃତ ହୋଇଥିବା କଥା ନାଭାଦାସକୃତ ଭକ୍ତମାଳା (୩୯ ଅଧ୍ୟାୟ) ଏବଂ ଚନ୍ଦ୍ରଦତ୍ତକୃତ ଭକ୍ତମାଳା (୩୯ ଅଧ୍ୟାୟ) ଆଦି ଗ୍ରନ୍ଥରେ ଦେଖିବାକୁ ମିଳେ ।

 

ମାହାରୀ ନୃତ୍ୟ ବା ଦେବଦାସୀ ନୃତ୍ୟ ଥିଲା ତୈର୍ଯ୍ୟତିକା । ଅର୍ଥାତ୍‌- ଗୀତ, ବାଦ୍ୟ ଏବଂ ଅଭିନୟର ମିଳିତ ରୂପ । ଅଭିନୟ ବା ନୃତ୍ୟରେ ଲାସ୍ୟ, ହାସ୍ୟ, ମାଧ୍ୟମରେ ଅଭିନୟ କରି କଟି ଓ ବକ୍ଷ ଚାଳନା, ପଦଚାଳନା, ଭିନ୍ନ ଭିନ୍ନ ଠାଣି ପ୍ରଦର୍ଶନ ଆଦି କରାଯାଉଥିଲା । ଏହା ଥିଲା ଶ୍ରୀଜଗନ୍ନାଥ ମନ୍ଦିରର ଏକ ମାଧୁର୍ଯ୍ୟ ଗୁଣ ମଣ୍ଡିତ ନୃତ୍ୟ । ଜୟଦେବ ପଖଉଜ ଧରି ଗୀତ ଆବୃତି କରୁଥିଲେ ଏବଂ ପଦ୍ମାବତୀ ନୃତ୍ୟଛନ୍ଦରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସନ୍ତୁଷ୍ଟ କରୁଥିଲେ । ବୋଧହୁଏ ଉପରୋକ୍ତ ତ୍ରିଧା ଭାବବ୍ୟକ୍ତ କରିବାରେ ତତ୍କାଳୀନ ସମୟରେ ଗୀତଗୋବିନ୍ଦକୁ ଛାଡ଼ିଦେଲେ ଅନ୍ୟ କୌଣସି ରଚନା ସକ୍ଷମ ହୋଇପାରି ନ ଥାନ୍ତେ ବା ହୋଇପାରି ନ ଥିଲେ ବୋଲି ହିଁ ଗୀତଗୋବିନ୍ଦ ଏକ ମହନୀୟ ଆସନରେ ଆସୀନ ହୋଇପାରିଛି । ତେଣୁ ଗୀତଗୋବିନ୍ଦର ମହନୀୟତା ସମ୍ପର୍କରେ କୁହାଯାଇଛି–

 

“ଯଦି ହରିସ୍ମରଣେ ସରସଂମନୋ, ଯଦି ବିଳାସ କଳାସୁ କୁତୁହଳମ୍ ।

ମଧୁର କୋମଳ କାନ୍ତ ପଦାବଳୀଂ, ଶୃଣୁତଦା ଜୟଦେବ ସରସ୍ୱତୀ ॥”

 

ଶ୍ରୀମନ୍ଦିରର ଦେବଦାସୀ ଓ ଗୀତଗୋବିନ୍ଦ ସେବା ବହୁ ପ୍ରାଚୀନ ତଥା ଗୌରବମୟ ପରମ୍ପରାର ଏକ ଅଂଶବିଶେଷ । ଯାହାକି ଛତିଶା ନିଯୋଗ ବ୍ୟବସ୍ଥାର ଅୟମାରମ୍ଭ କାଳରୁ ଏକ ଧାର୍ମିକ ଓ ଆଇନ୍‌ଗତ ସେବା ଭାବରେ ସ୍ୱୀକୃତ ହୋଇଆସିଛି ।

 

ବଡ଼ସିଂହାର ପରେ ପରେ ହିଁ ଶ୍ରୀଜୀଉମାନଙ୍କ ଗର୍ଭଗୃହରୁ ଅପସରି ଯାଆନ୍ତି ସେବକମାନେ । ଦେବଦାସୀମାନଙ୍କୁ ବାଟ ଛାଡ଼ି ଦିଆଯାଏ ରତ୍ନସିଂହାସନ ପାଖକୁ । ଆପାଦ ମସ୍ତକ ଅଳଙ୍କାରରେ ବିମଣ୍ଡିତା ଦେବଦାସୀଗଣ ନୂପୁରର ରୁଣୁଝୁଣୁ ତାଳରେ ନାଚିବା ଆରମ୍ଭ କରନ୍ତି ଓ ନୃତ୍ୟର ତାଳେ ତାଳେ ଗୀତଗୋବିନ୍ଦର ଲଳିତ ପଦାବଳୀ ନିଃସୃତ ହୋଇଚାଲେ କଣ୍ଠରୁ-। ନୃତ୍ୟ ଓ ସଙ୍ଗୀତର ତାଳରେ ପଠିତ ଗୀତଗୋବିନ୍ଦର ଅଭିବ୍ୟକ୍ତି ଭାବବିନୋଦିଆ ଠାକୁରଙ୍କୁ ସୁଷୁପ୍ତି କୋଳକୁ ଟାଣିନେଲା ପରେ ହିଁ, ବନ୍ଦ ହୁଏ ନୃତ୍ୟ ଓ ଗୀତ ସେବା ।

 

ଗୀତଗୋବିନ୍ଦର କାନ୍ତ କୋମଳ ପଦାବଳୀ, ରାଗରାଗିଣୀ, ତାଳଲୟ, ସହିତ ମାହାରୀ ବା ଦେବଦାସୀ ନୃତ୍ୟର ଆଧୁନିକରୂପ ଓଡ଼ିଶୀ ଆଜି ସମଗ୍ର ବିଶ୍ୱ ଦରବାରରେ ପ୍ରତିଧ୍ୱନିତ ହେଉଛି, ଏଥିରେ ଦ୍ୱିମତ ରହି ନ ପାରେ । ଦ୍ୱାଦଶ ଶତାବ୍ଦୀବେଳକୁ ଓଡ଼ିଶାର ନିଜସ୍ୱ ଏକ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟର ଧାରାକୁ ପ୍ରତିଷ୍ଠା କରିବା ପାଇଁ ଜୟଦେବ ଜଣେ ସଫଳ କ୍ରାନ୍ତିଦ୍ରଷ୍ଟା ଭାବରେ ଅବତୀର୍ଣ୍ଣ ହୋଇଥିଲେ । ଓଡ଼ିଶାରେ ରହିଥିବା ନୃତ୍ୟ, ଗୀତ, ବାଦ୍ୟ, କାବ୍ୟକଳା ରାଗରାଗିଣୀ ଓ ତାଳଲୟକୁ ଏକତ୍ର କରି ଏକ ସାର୍ଥକ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତର କୋଣାର୍କ ଦେବଦାସୀମାନଙ୍କ ସହାୟତାରେ ସେ ଗଢ଼ିଥିଲେ ତାହା ଥିଲା- ଗୀତଗୋବିନ୍ଦ ଗ୍ରନ୍ଥ ।

ଅଧିକନ୍ତୁ କହିବାକୁ ଗଲେ ଓଡ଼ିଶାର ଚେତନାଭୂଇଁରେ ସଙ୍ଗୀତର ଉଚ୍ଛ୍ୱାସ କେଉଁ ଆବାହମାନ କାଳରୁ ରହି ଆସିଥିଲେ ମଧ୍ୟ ବିଧିବଦ୍ଧ ଭାବରେ ଉତ୍କଳୀୟ କବି ଶ୍ରୀଜୟଦେବ ହିଁ ତାଙ୍କ ରଚିତ ଗୀତଗୋବିନ୍ଦ ମାଧ୍ୟମରେ ଏହାର ଏକ ଶାସ୍ତ୍ରୀୟ ପରମ୍ପରାର ସୁଦୃଢ଼ ମୂଳଦୁଆ ପକାଇ ଯାଇଛନ୍ତି ।

ରସ, ରୀତି, ଗୁଣ, ଔଚିତ୍ୟ, ବକ୍ରୋକ୍ତି ଏବଂ ରମଣୀୟତା ହିଁ ସାମଗ୍ରିକ ଭାବରେ ଗୀତଗୋବିନ୍ଦର ପ୍ରାଣପିଣ୍ଡ । ଏହା ସହିତ ଭାବାବେଗ, ଚରିତ୍ର ଚିତ୍ରଣ, ପ୍ରକୃତି ଚିତ୍ରଣଦ୍ୱାରା ଗୀତଗୋବିନ୍ଦ ଅଧିକ ରସୋତୀର୍ଣ୍ଣ ହୋଇପାରିଛି ।

ବ୍ରହ୍ମବୈବର୍ତ୍ତ ପୁରାଣର ‘ବସନ୍ତରାସ’ କାହାଣୀକୁ ଆଧାର କରି ତଥା ‘ଶ୍ରୀମଦ୍ ଭାଗବତ’ର ଶରତରାସକୁ ଉପଜୀବ୍ୟ କରି ‘ଗୀତଗୋବିନ୍ଦ’କୁ ଏକ ଅର୍ଦ୍ଧନାଟକଧର୍ମୀ ଗୀତିକାବ୍ୟ ଭାବରେ ଉପସ୍ଥାପିତ କରିଥିଲେ ମଧ୍ୟ, ଶ୍ରୀମନ୍ଦିର ସେବାରେ ଉପଯୋଗ ହେବାଦ୍ୱାରା ଏହାର ମହନୀୟତା ବହୁ ଗୁଣରେ ବଢ଼ିଯାଇଥିଲା । ଅପରପକ୍ଷରେ ଏହା ସଂସ୍କୃତରେ ରଚିତ ହୋଇଥିଲେ ମଧ୍ୟ, ସଂସ୍କୃତ କାବ୍ୟ ପରମ୍ପରା ଅପେକ୍ଷା, ଉଡ୍ରପ୍ରାକୃତ ଭାଷା ପରମ୍ପରାରେ ଓଡ଼ିଆ ତଦ୍‌ଭବ ଶବ୍ଦର ପ୍ରୟୋଗ କରାଯାଇଥିବା ହେତୁ ସଂସ୍କୃତରେ ପାରଙ୍ଗମ ନ ଥାଇ ମଧ୍ୟ ଦେବଦାସୀମାନେ ଏହାକୁ ହୃଦୟଙ୍ଗମ କରି ଗାନ କରିବାରେ ସକ୍ଷମ ହୋଇପାରୁଥିଲେ । ଦ୍ୱିତୀୟତଃ ଏଥିରେ ସଂସ୍କୃତ ଭାଷା ଥିଲେ ହେଁ ଛାନ୍ଦ, ତାଳ, ଲୟ, ସ୍ୱର ଆଦିରେ ଓଡ଼ିଶାର ସ୍ୱତନ୍ତ୍ର ସତ୍ତାକୁ ସମ୍ମିଶ୍ରିତ କରି ଜୟଦେବ ଏକ ସୁନ୍ଦର ସହାବସ୍ଥାନର ମାର୍ଗ ଫିଟାଇ ଦେଇଥିଲେ ।

କବିଚନ୍ଦ୍ର କାଳୀଚରଣଙ୍କ ମତରେ, “ଜୟଦେବ ପ୍ରଥମେ ସଙ୍ଗୀତଜ୍ଞ ପରେ କବି । ସେ କ୍ରିୟାତ୍ମକ ସଙ୍ଗୀତର ପଥପ୍ରଦର୍ଶକ । ଯାହାକି ଉତ୍କଳ ଏବଂ କଳିଙ୍ଗ ଭିନ୍ନ ଅନ୍ୟତ୍ର ଦେଖାଯାଏ ନାହିଁ-

ସୂଚନାଯୋଗ୍ୟ ଯେ ଚୋଡ଼ଗଙ୍ଗ ଦେବଙ୍କ ସମୟରୁ ପ୍ରଚଳିତ ଥିବା ଏବଂ ନରସିଂହ ଦେବଙ୍କ ସମୟରୁ ଛତିଶାନିଯୋଗ ବ୍ୟବସ୍ଥାରେ ସାମିଲ ହୋଇଥିବା ଜୟଦେବଙ୍କର ‘ଗୀତଗୋବିନ୍ଦ’ ଗାନ ଓ ନୃତ୍ୟ ବ୍ୟବସ୍ଥା ପରବର୍ତ୍ତୀ ସମୟରେ ସୂର୍ଯ୍ୟବଂଶୀ ରାଜା ପୁରୁଷୋତ୍ତମ ଦେବଙ୍କ ସମୟରେ ବନ୍ଦ କରି ଦିଆଯାଇ ତାଙ୍କଦ୍ୱାରା ରଚିତ ଅଭିନବ ଗୀତଗୋବିନ୍ଦର ଗାନ ଓ ସେଇ ଆଧାରରେ ନୃତ୍ୟ ବ୍ୟବସ୍ଥା ପ୍ରଚଳିତ ହୋଇଥିଲା । ମାତ୍ର କିମ୍ବଦନ୍ତୀ କହେ ଏହାକୁ ଶ୍ରୀଜଗନ୍ନାଥ ଗ୍ରହଣ କରି ନ ଥିଲେ । ଫଳରେ ପ୍ରତାପରୁଦ୍ର ଦେବ ତାଙ୍କ ରାଜତ୍ୱ କାଳରେ, (୧୪୯୮-୯୯ ଖ୍ରୀଷ୍ଟାବ୍ଦରେ) ପୁନର୍ବାର ଜୟଦେବଙ୍କ ଗୀତଗୋବିନ୍ଦକୁ ରାଜକୀୟ ଅନୁଶାସନ ବଳରେ ସେବା ବ୍ୟବସ୍ଥାରେ ପୁନଃ ସାମିଲ କରିଥିଲେ ।

ପ୍ରତାପରୁଦ୍ର ଦେବଙ୍କ ଅନୁଶାସନଟି ନିମ୍ନପ୍ରକାରେ ଥିଲା- “ବୀରଶ୍ରୀ ଗଜପତି ଗଉଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବରଗେଶ୍ୱର ବୀରବର ଶ୍ରୀ ପ୍ରତାପରୁଦ୍ର ମହାରାଜାଙ୍କର ସମସ୍ତ ୪ ଅଙ୍କ ଶ୍ରାହୀ କକଡ଼ା ସୁ ୧୦ ବୁଧବାରେ ଅବଧାରିତ ଅଇଗ୍ୟା ପ୍ରମାଣେ ବଡ଼ ଠାକୁରଙ୍କ ଶ୍ରୀ ଗୀତଗୋବିନ୍ଦ ଠାକୁରଙ୍କ ଭୋଗବେଳେ ଏ ନାଟ ହୋଇବ । ସଞ୍ଜଧୂପ ସରିଲାଠାରୁ ଏ ନାଟ ହୋଇବ । ବଡ଼ ଠାକୁରଙ୍କ ସମ୍ପରଦା କପିଳେଶ୍ୱର ଠାକୁରଙ୍କ ବନ୍ଧା ନାଚୁଣୀମାନେ ପୁରୁଣା ସମ୍ପରଦା, ତେଲଙ୍ଗୀ ସମ୍ପରଦା ଏମାନେ ସବିହେଁ ବଡ଼ଠାକୁରଙ୍କ ଗୀତଗୋବିନ୍ଦ ହୁଁ ଆନଗୀତ ନ ଶିଖିବେ, ଆନଗୀତ ନ ଗାଇବେ ଆନଗୀତ ହୋଇ ପରମେଶ୍ୱରଙ୍କ ଛାମୁରେ ନ ହେବ । ଏ ନାଟ ବିତରକେ ବଇଷ୍ଣବ ଗାଆଣ ଚାରିଜଣ ଅଛନ୍ତି ଏମାନେ ଗୀତଗୋବିନ୍ଦ ଗୀତ ହିଁ ସେ ଗାଇବେ । ଏହାଙ୍କଠାରୁ ଅଶିକ୍ଷିତମାନେ ଏକଶ୍ୱରରେ ଗୀତଗୋବିନ୍ଦ ଗୀତ ହିଁ ଶିଖିବେ । ଆନଗୀତ ନଶିଖିବେ-। ଏହାଯେ ପରୀକ୍ଷା ଆନଗୀତ ନାଟ କରାଇଲେ ଜାଣି ସେ ଜଗନ୍ନାଥଙ୍କ ଦ୍ରୋହ କରଇ-।”

ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିରରେ ମାହାରୀ ବା ଦେବଦାସୀମାନଙ୍କ ମଧ୍ୟରେ ବିଭିନ୍ନ ଗୋଷ୍ଠୀ ବା ସମ୍ପ୍ରଦା ଥିବା କଥା ପ୍ରଥମେ ସୂଚିତ ହୋଇଛି । ପ୍ରତ୍ୟେକ ସମ୍ପ୍ରଦାୟ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ସାଙ୍ଗିତିକ ଶୈଳୀର (ଘରାନା) ପ୍ରତିନିଧିତ୍ୱ କରୁଥିଲେ ବୋଲି ଜଣାଯାଏ । ପ୍ରତାପରୁଦ୍ର ଦେବଙ୍କ ଅନୁଶାସନରେ ଥିବା ତିନି ସମ୍ପ୍ରଦା ଯଥା- ବଡ଼ଠାକୁର ସମ୍ପ୍ରଦା, ପୁରୁଣା ସମ୍ପ୍ରଦା ଏବଂ ତେଲିଙ୍ଗି ସମ୍ପ୍ରଦା ବା ସାନି ସମ୍ପ୍ରଦାୟର ଦେବଦାସୀ ଯାହାକୁ ଚୋଡ଼ଗଙ୍ଗ ଦେବ ଶ୍ରୀକୂର୍ମ ପାଟକରୁ ଅଣାଇଥିଲେ । ଏଥିରେ ବର୍ଣ୍ଣିତ ପୁରୁଣା ସମ୍ପ୍ରଦା କେଶରୀ ରାଜାମାନଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଦେବଦାସୀ ସମ୍ପ୍ରଦାୟର ଉତ୍ତର ଦାୟାଦ ବୋଲି ବୁଝିବାରେ ଅସୁବିଧା ହୁଏନାହିଁ ।

ଦେବଦାସୀ ସେବା ସହ ଗୀତଗୋବିନ୍ଦ ସେବାକୁ କେନ୍ଦ୍ର କରି ଏକାଧିକ ଅନୁଶାସନ ବିଭିନ୍ନ ସମୟରେ ପ୍ରଦତ୍ତ ହୋଇଛି । ଦ୍ୱିତୀୟ ନରସିଂହ ଦେବଙ୍କ ଗୀତଗୋବିନ୍ଦ ସେବା ଅନୁଶାସନ ଏବଂ ପ୍ରତାପରୁଦ୍ର ଦେବଙ୍କ ଅନୁଶାସନ ପ୍ରଦାନର ମଧ୍ୟବର୍ତ୍ତୀ କାଳରେ ଗୀତଗୋବିନ୍ଦ ପାଠ ସେବା ପାଇଁ ଆଉ ଗୋଟିଏ ଅନୁଶାସନ କପିଳେନ୍ଦ୍ର ଦେବଙ୍କ ୧୯ ଅଙ୍କରେ ଅର୍ଥାତ୍ ୧୪୫୧ ଖ୍ରୀଷ୍ଟାବ୍ଦରେ ପ୍ରଦାନ କରାଯାଇଥିଲା । ମାତ୍ର ଏହାର ଆବଶ୍ୟକତା କେଉଁ କାରଣରୁ ପଡ଼ିଥିଲା ତାହା ଗବେଷଣା ସାପେକ୍ଷ । ତେବେ ପ୍ରତାପରୁଦ୍ର ଦେବଙ୍କ ପରେ ୧୫୯୦ ଖ୍ରୀଷ୍ଟାବ୍ଦରେ ରାଜା ମାନସିଂହ ଆଫଗାନ୍‍ମାନଙ୍କୁ ପରାସ୍ତ କରି ରାମଚନ୍ଦ୍ର ଦେବଙ୍କୁ ସିଂହାସନ ପ୍ରଦାନ କଲାପରେ ୧୫୯୧ ଖ୍ରୀଷ୍ଟାବ୍ଦରେ ରାମଚନ୍ଦ୍ର ଦେବଙ୍କ ଛାମୁଚିଟାଉ ବଳରେ ଶ୍ରୀଗୀତଗୋବିନ୍ଦ ଗାୟନ ଓ ଦେବଦାସୀ ନୃତ୍ୟ ପ୍ରଚଳନ କରାଯାଇଥିଲା । ଅବଶ୍ୟ ଏ ସମୟରେ କୁଜଙ୍ଗରୁ ବ୍ରହ୍ମ ପଦାର୍ଥ ଅଣାଇ ରାମଚନ୍ଦ୍ର ଦେବ ପୁନଃ ଚତୁର୍ଦ୍ଧା ବିଗ୍ରହଙ୍କୁ ନିର୍ମାଣ କରାଇ, ମନ୍ଦିରରେ ପ୍ରତିଷ୍ଠା କରି ବନ୍ଦ ହୋଇ ରହିଥିବା ବହୁ ସେବାପୂଜାର ପ୍ରଚଳନ କରାଇଥିଲେ ।(୫) ପୁନର୍ବାର ବିଧର୍ମୀମାନଙ୍କ ଆକ୍ରମଣରେ ଠାକୁରଙ୍କର ସ୍ଥାନାନ୍ତର ଘଟିଥିଲା ଓ ପୁନର୍ବାର ମନ୍ଦିରକୁ ଫେରିବା ପରେ ୧୭୫୭ ଖ୍ରୀଷ୍ଟାବ୍ଦରେ ବୀରକେଶରୀ ଦେବଙ୍କ ୧୯ ଅଙ୍କରେ ଛାମୁଚିଟାଉ ବଳରେ ମାହାରୀ ସେବା ମାଧ୍ୟମରେ ଗୀତଗୋବିନ୍ଦ ସେବା ପୁନଃ ମାନ୍ୟତା ପାଇଥିଲା ।

ଦେବଦାସୀମାନଙ୍କ ଗୀତଗୋବିନ୍ଦ ଗାନ ସହିତ ନୃତ୍ୟ ସେବାକୁ ନେଇ ବହୁ କବି ଭିନ୍ନ ଭିନ୍ନ ଭାବରେ ନିଜ କାବ୍ୟମାନଙ୍କରେ ଉଲ୍ଲେଖ କରି ଯାଇଛନ୍ତି । ଲୋକନାଥ ବିଦ୍ୟାଧର ତାଙ୍କ ରଚିତ ନୀଳାଦ୍ରି ମହୋତ୍ସବର ଏକାଦଶ ଛାନ୍ଦରେ ଠାକୁରଙ୍କ ବଡ଼ସିଂହାର ବେଶ ଦେଖି ଅପ୍‌ସରାମାନେ ନୃତ୍ୟ କରୁଥିବା କଥା ତଥା ପଞ୍ଚବିଂଶ ଛାନ୍ଦରେ ଚନ୍ଦନଯାତ୍ରା କାଳରେ ଅପ୍‌ସରାମାନେ ଗୀତଗୋବିନ୍ଦ ଗାଇ ନୃତ୍ୟ କରୁଥିବା କଥା ବର୍ଣ୍ଣନା କରିଛନ୍ତି,–

“ୟେମନ୍ତ ପ୍ରକାର ଅପସରା ବାର ପୁଲକେ କରନ୍ତି ନର୍ତ୍ତନ,

ଝଳି ଅଙ୍ଗଢାଳି କି ପୀୟୁଷଢାଳି ଦେଇ ମୋହନ୍ତି ମୁନିମନ

ପାଶେ ପଞ୍ଚମ ସ୍ୱରରେ ହୁଅଇ ଗାୟନ,

ରୁଚିର ଚାପରେ କେମନ୍ତ ପ୍ରକାରେ ଦିଶନ୍ତି ସେ ବିରାଜମାନ ॥”

 

କବି ‘ଭୂପତି ପଣ୍ଡିତ’ ମଧ୍ୟ ତାଙ୍କ ରଚିତ ପ୍ରେମ ପଞ୍ଚାମୃତ କାବ୍ୟରେ (୧୬୯୪ ଖ୍ରୀଷ୍ଟାବ୍ଦ) ଶ୍ରୀ ଜୟଦେବକୃତ ଗୀତଗୋବିନ୍ଦକୁ ମନ୍ଦିରର ନାଚୁଣୀମାନେ ନୃତ୍ୟ କରିବା ସହିତ କିପରି ବୋଲୁଥିଲେ ତା’ର ବର୍ଣ୍ଣନା କରିଛନ୍ତି ।

 

ପରିଶେଷରେ ଏତିକି କୁହାଯାଇପାରେ ଯେ, ଗୀତଗୋବିନ୍ଦ କାବ୍ୟରେ ପ୍ରକୃତି ପୁରୁଷଙ୍କ ମହାରାସ ବର୍ଣ୍ଣିତ । ରାଧାକୃଷ୍ଣ ପ୍ରେମଭାବ ମଧ୍ୟରେ ଜୀବ-ପରମଙ୍କ ନିତ୍ୟରାସ କଥା ପ୍ରତୀକାତ୍ମକ ଭାବରେ ବର୍ଣ୍ଣିତ । ତେଣୁ ବଡ଼ସିଂହାର ପରେ ଜୀବ ସହିତ ପରମର-ପ୍ରକୃତି ସହିତ ପୁରୁଷର ମିଳନାତ୍ମକ ଭାବପାଇଁ ଯେଉଁ ଉଦ୍ଦୀପନ ବିଭାବର ଆବଶ୍ୟକତା ରହିଥାଏ ତାହା ଗୀତଗୋବିନ୍ଦ ପୂରଣ କରିବା ସହିତ ମାଧ୍ୟମ ବା ସଞ୍ଚାରୀ ଭାବରୂପେ ଦେବଦାସୀଗଣ ଉପସ୍ଥାପିତ ହୋଇଛନ୍ତି ।

 

ଗୀତଗୋବିନ୍ଦ ଯେ ବାସ୍ତବରେ ଆଧ୍ୟାତ୍ମିକତାର ଶୀର୍ଷକୁ ସ୍ପର୍ଶ କରୁଥିବା ଏକ କାବ୍ୟ ବୋଲି ସୂଚନା ଦେବାକୁ ଯାଇ, କାବ୍ୟ ମଧ୍ୟରେ ଏକାଧିକ ସ୍ଥାନରେ-ଶୁଭପ୍ରଦ, ଯଶସ୍ମର, ସୁକୃତୋଦୟକାରକ, ଶତମଙ୍ଗଳ ବିଧାୟକ, କଳି କଳୁଷ ନାଶନ, କଳିଯୁଗ ଚରିତ ଦୁରିତ ନାଶୀ, ଶ୍ରୀ ହରିଭକ୍ତି ବର୍ଦ୍ଧକ, ଆଦି ଶବ୍ଦ ପ୍ରୟୋଗ କରାଯାଇ ଭାକ୍ତିକତା ବୃଦ୍ଧିର ପ୍ରୟାସ ହୋଇଛି ।

 

ମୋଟାମୋଟି ଭାବରେ କହିବାକୁ ହଲେ, ‘ଗୀତଗୋବିନ୍ଦ’ ହେଉଛି ପ୍ରୀତି ସ୍ନିଗ୍ଧ, ପ୍ରୀତିଦଗ୍ଧ, ପ୍ରୀତିମୁଗ୍ଧ ଏବଂ ପ୍ରୀତି ଉଜ୍ୱଳ ଭାବ ବିଭାବ ପରିପୂର୍ଣ୍ଣ ଏକ ରସୋଚ୍ଛ୍ୱଳ ଆଲେଖ୍ୟ-ଯାହାର ପଟାନ୍ତର ନାହିଁ ।

 

ପାଦଟୀକା:

 

୧.

Inscription (or) Vol-V Pt.II P-382-8.

 

 

୨.

Inscription (or) Vol-V Pt.I P-337-8.

 

 

୩.

ଶ୍ରୀପୁରୁଷୋତ୍ତମ ଓ ଶ୍ରୀମନ୍ଦିର-ସତ୍ୟ ନାରାୟଣ ରାଜଗୁରୁ, ୨୦୦୪ ।

 

 

୪.

ଏଜ୍ନ-ପୃ.୨୦୩-୪ ।

 

 

୫.

ଗୀତଗୋବିନ୍ଦ ସେବା-ଭାଗବତ ପ୍ରସାଦ ମହାନ୍ତି ଶ୍ରୀଜୟଦେବ ଲହରୀ-୨୦୦୪ ।

Image

 

ଶ୍ରୀକ୍ଷେତ୍ରର ଲୋକ ପରମ୍ପରା ‘ଗୁଆଲି’

 

‘ଲୋକ ପରମ୍ପରା’ ହିଁ ଲୋକ ସଂସ୍କୃତିର ଏକ ଅଙ୍ଗ । କାରଣ ସଂସ୍କୃତିର ସଜ୍ଞା ଓ ସ୍ୱରୂପ ଖୁବ୍ ବ୍ୟାପକ ଅଟେ । ସଂସ୍କୃତି କହିଲେ ହିଁ ଗୋଟିଏ ଅଞ୍ଚଳର ଚାଲିଚଳନ, ଧର୍ମଧାରଣା, ଆଚାର ବ୍ୟବହାର, ବିବାହ ଉତ୍ସବ, ପର୍ବପର୍ବାଣି ଲୋକ ଚରିତ୍ର ଭିତରେ ରହିଥିବା ଏକ ସ୍ୱତନ୍ତ୍ର ଏବଂ ସ୍ୱକୀୟ ଚେତନାର ଭାବକୁ ବୁଝାଇଥାଏ । ସଂସ୍କୃତି ହେଉଛି ଏକ ସାମୁହିକ ଜୀବନର ପାରମ୍ପରିକ ଜୀବନଧାରା । ପରଂପରାକୁ ନେଇ ସଂସ୍କୃତି ସଦା ଗର୍ବିତ । ଏହାର ମୁଖ୍ୟ କାରଣ ହେଉଛି–ନିଜସ୍ୱ ସାଂସ୍କୃତିକ ପରଂପରା ଭିତରେ ହିଁ ଗୋଟିଏ ଜାତି ବା ଗୋଷ୍ଠୀର ଆତ୍ମ ପରିଚୟର ବିଶେଷତ୍ୱ ରହିଥାଏ । ଏହି ପରିପ୍ରେକ୍ଷୀରେ ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରକୁ କେନ୍ଦ୍ର କରି ରହିଥିବା ଶ୍ରୀଜଗନ୍ନାଥଙ୍କ ବ୍ରାହ୍ମଣ ସେବକମାନଙ୍କ ପାରଂପାରିକ ବିବାହ ଉତ୍ସବ ଭିତରେ ମଧ୍ୟ ଲୋକ ପରଂପରାର ସ୍ୱାତନ୍ତ୍ର‌୍ୟ ପରିଲକ୍ଷିତ ହୋଇଥାଏ । ମନେହୁଏ ଏହି ବିବାହ ଉତ୍ସବର ନିଆରା ଭାବ ଅନ୍ୟତ୍ର ବିରଳ ।

 

ବ୍ରାହ୍ମଣ ସେବକ ସମ୍ପ୍ରଦାୟର ବିବାହ ଉତ୍ସବର ମୁଖ୍ୟ ଅଙ୍ଗଟିକୁ ‘ଗୁଆଲି’ ବୋଲି କୁହାଯାଇଥାଏ । ଯାହାକି ଶ୍ରୀକ୍ଷେତ୍ରର ଧାର୍ମିକ ଆସ୍ଥା ଓ ବିଶ୍ୱାସର ଦୁଇ ପ୍ରତିଭୂ ଶ୍ରୀଜଗନ୍ନାଥ ଏବଂ ଶ୍ରୀଲୋକନାଥଙ୍କ ବିବାହ ଉତ୍ସବ ଉପରେ ଆଧାରିତ କହିଲେ ଭୁଲ ହେବନାହିଁ । ଶ୍ରୀଜଗନ୍ନାଥଙ୍କ ଋକ୍ମିଣୀ ହରଣ ଏବଂ ଋକ୍ମିଣୀଙ୍କ ସହ ବିବାହ ପରେ ଗୁଆଲି ଯାତ୍ରା ତଥା ଶ୍ରୀଲୋକନାଥ ଆଦି ପଞ୍ଚପାଣ୍ଡବ ଭାବରେ ପରିଚିତ ପଞ୍ଚମହାଦେବଙ୍କଦ୍ୱାରା ପାର୍ବତୀ ହରଣ ଏବଂ ବିବାହ । ତାପରେ ଗୁଆଲିରେ ବାହାରିବା ସହିତ ଶ୍ରୀମନ୍ଦିରର ବ୍ରାହ୍ମଣ ସେବକମାନଙ୍କ ଗୁଆଲିର ଅଦ୍ଭୁତ ସାମଞ୍ଜସ୍ୟ ରହିଛି । ପରୋକ୍ଷରେ କହିଲେ ଧାର୍ମିକ ଚଳଣି ସହ ଲୋକ ଚଳଣି ଏକୀଭୂତ ହୋଇଯାଇଛି ।

 

ସେବକ ପରଂପରା ତଥା ଶ୍ରୀଜଗନ୍ନାଥ ଚେତନାରେ ବ୍ୟବହୃତ ଏହି ଲୋକ ପ୍ରଚଳିତ ଶବ୍ଦ ‘ଗୁଆଲି’ର ଅର୍ଥ ଠିକ୍ ଭାବରେ ନିରୂପିତ ହୋଇ ନ ଥିଲେ ହେଁ ଏହାକୁ ବିବାହ ପରବର୍ତ୍ତୀ ବରକନ୍ୟାଙ୍କର ବଂଧୁଘର ଯାତ୍ରା ଅର୍ଥରେ ବୁଝାଯାଇପାରେ । ବଂଧୁ ଘରେ ହିଁ ନବବଧୂ ଓ ବରଙ୍କର ପଞ୍ଚୁଗ୍ରାସୀ କର୍ମ ଅନୁଷ୍ଠିତ ହୋଇଥାଏ । ଉଦାହରଣତଃ ଋକ୍ମିଣୀଙ୍କ ସହିତ ବିବାହ ପରେ ଜ୍ୟେଷ୍ଠ ଶୁକ୍ଳ ଦ୍ୱାଦଶୀ ଦିନ ଶ୍ରୀଜଗନ୍ନାଥ ଗୁଆଲିରେ ବାହାରି ଯମେଶ୍ୱରଙ୍କଠାରେ ପଞ୍ଚୁଗ୍ରାସ ଗ୍ରହଣ କରିଥାନ୍ତି । ସେହିପରି ପଞ୍ଚପାଣ୍ଡବଭାବେ ପରିଚିତ ଶ୍ରୀକ୍ଷେତ୍ରର ପଞ୍ଚମହାଦେବଙ୍କ ପଞ୍ଚୁଗ୍ରାସୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ ।

 

ଶ୍ରୀକ୍ଷେତ୍ରର ଏକ ଲକ୍ଷ୍ୟଣୀୟ କଥା ହେଲା ଶ୍ରୀଜଗନ୍ନାଥଙ୍କଦ୍ୱାରା ଋକ୍ମିଣୀ ହରଣ ଏବଂ ବିବାହ ପରି । ଶିତଳଷଷ୍ଠୀ ପୂର୍ବଦିନ ପଞ୍ଚମହାଦେବଙ୍କଦ୍ୱାରା ପାର୍ବତୀ ହରଣ ନୀତି ଓ ବିବାହ ଅନୁଷ୍ଠିତ ହୋଇଥାଏ । ମନେହୁଏ ସର୍ବଭାରତୀୟ ସ୍ତରରେ ହିନ୍ଦୁ ପରଂପରାରେ ପାର୍ବତୀଙ୍କୁ ଅପହରଣ କରି ବିବାହ କରିବା ପ୍ରଥା ଶ୍ରୀକ୍ଷେତ୍ର ବ୍ୟତୀତ ଅନ୍ୟତ୍ର ନାହିଁ ।

 

ଶ୍ରୀଜଗନ୍ନାଥଙ୍କ ଗୁଆଲି :

 

ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଦିନ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ପାଇବା ପରେ ମଦନମୋହନ ଋକ୍ମିଣୀଙ୍କୁ ହରଣ କରିଥାନ୍ତି । ଏହାପରେ ବିବାହ ମଣ୍ଡପରେ ବିଜେ କରି ଚନ୍ଦନ ଲାଗି ହୋଇଥାନ୍ତି-। ତତ୍‌ପଶ୍ଚାତ୍ ଜଳକ୍ରୀଡ଼ା ଅନୁଷ୍ଠାନ ପରେ ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆଳତି, ନୂଆଲୁଗା ଲାଗି, ସର୍ବାଙ୍ଗ ଏବଂ ସନ୍ଧ୍ୟାଧୂପ ଅନୁଷ୍ଠିତ ହୋଇଥାଏ । ଭିତରେ ସନ୍ଧ୍ୟାଧୂପ ବସିଥିବା ସମୟରେ ହିଁ ବିବାହ ମଣ୍ଡପରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୁଏ । ବିବାହ କାର୍ଯ୍ୟକୁ ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ, ଭିତରଛୁ ଆଦି ମହାଜନ ସେବକମାନେ ଥାଇ ସଂକଳ୍ପ ବାକ୍ୟ ଅନୁସାରେ କାର୍ଯ୍ୟ ସମ୍ପାଦନ କରିଥାନ୍ତି । ତା’ପରେ ପଞ୍ଚଗ୍ରାସୀ ଏବଂ ବନ୍ଦାପନା ହୋଇଥାଏ । ତତ୍‌ପଶ୍ଚାତ୍ ବରକନ୍ୟା ଭିତରକୁ ବିଜେ କରନ୍ତି ।

 

ବିବାହ ପରଦିନ ମଦନମୋହନ ଏବଂ ଋକ୍ମିଣୀଙ୍କ (ଶ୍ରୀଦେବୀ) ଗୁଆଲି ଯାତ୍ରା ହୋଇଥାଏ । ଏହିଦିନ ମଧ୍ୟାହ୍ନ ଧୂପ ପରେ ବରକନ୍ୟା ଆଜ୍ଞାମାଳ ପାଇ ଝୁଲଣ ମଣ୍ଡପ ତଳେ ପାଲିଙ୍କିରେ ବିଜେ ହୋଇଥାନ୍ତି । ବିମାନବଡ଼ୁ ସେବକମାନେ ପାଲିଙ୍କି କାନ୍ଧେଇ ବଡ଼ଦେଉଳ ଚାରି ପାଖରେ ବେଢ଼ାଏ ବୁଲି ସିଂହଦ୍ୱାର ଦେଇ ପ୍ରଥମେ ରାଜାଙ୍କ ନଅରକୁ ଯାତ୍ରା କରନ୍ତି । ରାଜା ଠାକୁର ଠାକୁରାଣୀଙ୍କୁ ବାଟରୁ ପାଛୋଟା ନେଇ ନଅର ଅଗଣାରେ ଖଟରେ ବିଜେ କରାନ୍ତି । ସେଠାରେ ପଞ୍ଚୋପଚାରରେ ପୂଜାହେବା ପରେ ମହାସୁଆରମାନେ ତିଆରି କରିଥିବା ପୀଠା ଇତ୍ୟାଦି ମଣୋହି କରାଯାଏ । ଏହି ସମୟରେ ସ୍ୱୟଂ ଗଜପତି ଛାମୁରେ ଛିଡ଼ାହୋଇ ବନ୍ଦାପନା, ଆଲଟ ଚାମର କରିଥାନ୍ତି ।

 

ରାଜାଙ୍କଦ୍ୱାରା ନଅରରେ ସଙ୍ଖୁଳି ହେବା ପରେ ଠାକୁର ଠାକୁରାଣୀ ବାଲିସାହି ବାଟରେ ଯମେଶ୍ୱର ମହାଦେବଙ୍କ ମନ୍ଦିରକୁ ଯାତ୍ରା କରନ୍ତି । ଯମେଶ୍ୱରଙ୍କ ପାଖକୁ ଯିବାର କାରଣ ହୁଏତ ହୋଇପାରେ ଯେ ପଞ୍ଚପାଣ୍ଡବ ଭାବରେ ଖ୍ୟାତ ପଞ୍ଚମହାଦେବଙ୍କ ମଧ୍ୟରେ ଯମେଶ୍ୱରଙ୍କୁ ଯୁଧିଷ୍ଠିର ଭାବରେ ଚିହ୍ନିତ କରାଯାଇଛି । ସ୍ୱତଃ ବଡ଼ଭାଇଙ୍କ ଘରକୁ ଯିବା ଏକ ପରଂପରା । ଯମେଶ୍ୱରଙ୍କଠାରେ ବନ୍ଦାପନା ପରେ ପଞ୍ଚଗ୍ରାସୀ ଭୋଗ ହୋଇଥାଏ । ତାପରେ ବରକନ୍ୟା ଫେରିଥାନ୍ତି । ଏହାର ଦିନକ ପରେ ଅର୍ଥାତ୍ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ସନ୍ଧ୍ୟାଧୂପ ପରେ ବରକନ୍ୟାଙ୍କର ଚତୁର୍ଥୀ ହୋମ ଅନୁଷ୍ଠିତ ହୋଇଥାଏ ।

 

ପଞ୍ଚପାଣ୍ଡବ ବା ପଞ୍ଚମହାଦେବଙ୍କ ଗୁଆଲିଯାତ୍ରା :

 

ଜ୍ୟେଷ୍ଠ ଶୁକ୍ଳ ଷଷ୍ଠୀ ବା ଶୀତଳଷଷ୍ଠୀ ଦିନ ଶିବବିବାହ କର୍ମ ସର୍ବତ୍ର ଯେପରି ହୁଏ ଶ୍ରୀକ୍ଷେତ୍ରରେ ତାହା ସମ୍ପୂର୍ଣ୍ଣ ଭିନ୍ନ, ଏକଥା ପୂର୍ବରୁ ସୂଚିତ ଅଛି । ଅନ୍ୟତ୍ର ଦେବଦେବ ମହାଦେବ ବରବେଶ ସାଜି ପାର୍ବତୀଙ୍କ ପିତ୍ରାଳୟକୁ ଯାତ୍ରା କରିଥାନ୍ତି । କିନ୍ତୁ ଶ୍ରୀକ୍ଷେତ୍ରରେ ପଞ୍ଚପାଣ୍ଡବଭାବେ ପରିଚିତ ଶ୍ରୀଯମେଶ୍ୱର, ଶ୍ରୀଲୋକନାଥ, ଶ୍ରୀନୀଳକଣ୍ଠେଶ୍ୱର, ଶ୍ରୀମାର୍କଣ୍ଡେଶ୍ୱର, ଶ୍ରୀକପାଳମୋଚନ ଷଷ୍ଠୀର ଦିନକ ପୂର୍ବରୁ ଅର୍ଥାତ୍ ଚତୁର୍ଥୀ ମଧ୍ୟ ରାତ୍ରିରେ କନ୍ୟା ହରଣ ପାଇଁ ଯାତ୍ରା କରିଥାନ୍ତି । ଏଥିପାଇଁ ପଞ୍ଚପାଣ୍ଡବଙ୍କ ପଟୁଆର ବାହାରିଲେ ମଧ୍ୟ ଘଣ୍ଟଘଣ୍ଟା ଆଦି ବାଜି ନ ଥାଏ । ପଞ୍ଚ ମହାଦେବ ପାର୍ବତୀ ପ୍ରତିମାମାନଙ୍କୁ ନିଜ ନିଜର ବାପଘର ଭାବରେ ଉଦ୍ଦିଷ୍ଟ ନିର୍ଦ୍ଦିଷ୍ଟ ସ୍ଥାନରେ ଥିବାବେଳେ ସେଠାରୁ ଅପହରଣ କରି ନିଜ ନିଜ ମନ୍ଦିରକୁ ନେଇଯାଇଥାନ୍ତି । ଉଦାହରଣତଃ ଶ୍ରୀଲୋକନାଥ ଈଶ୍ୱରବଲ୍ଲଭ ଯାଗାରୁ ପାର୍ବତୀଙ୍କୁ ହରଣ କରିଥାନ୍ତି । ସେହିପରି ଶୀତଳଷଷ୍ଠୀ ଦିନ ବିବାହ ପର୍ବ ପରେ ସୁନାଗୋସାଇଁଙ୍କଦ୍ୱାରା ଶ୍ରୀଜୀଉଙ୍କଠାରେ ଲାଗି ହୋଇଥିବା ଅଳକା ପଞ୍ଚମହାଦେବଙ୍କ ମନ୍ଦିରକୁ ନିମନ୍ତ୍ରଣ ପତ୍ର ଭାବରେ ଯାଏ । ଶ୍ରୀମନ୍ଦିରର ଦ୍ୱିପ୍ରହର ଧୂପ ପରେ ତାଟ ସଜ ସହିତ ନିମନ୍ତ୍ରଣରୂପୀ ଏହି ଅଳକା ଯାଇଥାଏ । ଶୀତଳଷଷ୍ଠୀ ରାତିରେ ପଞ୍ଚମହାଦେବ ଗୁଆଲି ଯାତ୍ରାରେ ଶ୍ରୀମନ୍ଦିରକୁ ଆଗମନ କରିଥାନ୍ତି ।

 

ଶ୍ରୀମନ୍ଦିର ମଧ୍ୟ ପଞ୍ଚ ମହାଦେବଙ୍କ ଆଗମନ ପାଇଁ ପ୍ରସ୍ତୁତ ଥାଏ । ଏଥିପାଇଁ ବଡ଼ସିଂହାର ବେଶ ପରେ ମଧ୍ୟ ମହାପ୍ରଭୁଙ୍କ ପହଡ଼ ପଡ଼ିନଥାଏ । ସାମାଜିକ ବିଧି ଅନୁସାରେ ସଦ୍ୟ ବିବାହିତ ପଞ୍ଚ ଅତିଥିଙ୍କ ଆଗମନକୁ ଅପେକ୍ଷା ଥାଏ । ପାଞ୍ଚ ମହାଦେବମାନେ ସେମାନଙ୍କ ନବବଧୂମାନଙ୍କୁ ନେଇ ଶ୍ରୀମନ୍ଦିରରେ ପ୍ରବେଶ କରିବା ପରେ, ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ପାଇ ଶ୍ରୀଦୋଳଗୋବିନ୍ଦ ସେମାନଙ୍କୁ ସ୍ୱାଗତ କରିଥାନ୍ତି । ଏହାପରେ ମା’ ଲକ୍ଷ୍ମୀଙ୍କର ଜଗମୋହନ ଠାରେ ଖଟଶେଜ ଉପରେ ବିଜେ ହୁଅନ୍ତି । ମହାଦେବ ଏବଂ ନବବଧୂମାନଙ୍କ ସହିତ ଶ୍ରୀଦୋଳଗୋବିନ୍ଦ ମଧ୍ୟ ଅବସ୍ଥାନ କରନ୍ତି । ଏହାପରେ ଏଗାରଗୋଟି ପନ୍ତିଭୋଗ ପୂଜାପଣ୍ଡାଙ୍କଦ୍ୱାରା ପଞ୍ଚୋପଚାରରେ ପ୍ରଦାନ କରାଯାଇଥାଏ । ତତ୍‌ପଶ୍ଚାତ ପଞ୍ଚମହାଦେବ ନିଜ ନିଜର ନବବଧୂମାନଙ୍କ ସହିତ ଶ୍ରୀଦୋଳଗୋବିନ୍ଦଙ୍କ ଉପସ୍ଥିତିରେ ପଞ୍ଚୁଗ୍ରାସୀ କରନ୍ତି । ଏହାପରେ ଶ୍ରୀଦୋଳଗୋବିନ୍ଦ ଦକ୍ଷିଣ ଘରକୁ ବାହୁଡ଼ା ବିଜେ କରିଥାନ୍ତି ଏବଂ ମହାଦେବଙ୍କ ସେବକମାନେ ପଞ୍ଚପାଣ୍ଡବ ବା ପଞ୍ଚ ମହାଦେବଙ୍କୁ ନଗର ଉତ୍ସବ ଯାତ୍ରାରେ ନେଇଥାନ୍ତି ।

 

ସେବକ ସମ୍ପ୍ରଦାୟରେ ବିବାହ ଉତ୍ସବ ଏବଂ ଗୁଆଲି :

 

ଏକଥା ସର୍ବବାଦୀ ସତ୍ୟ ଯେ, ବିଭିନ୍ନ ସ୍ଥାନ, ଗୋଷ୍ଠୀ, ସମ୍ପ୍ରଦାୟ ଏବଂ ପରମ୍ପରା ଭେଦରେ ବିବାହରୂପକ ସାମାଜିକ ପରଂପରାରେ ଭିନ୍ନତା ରହିଥାଏ । ଏ ପରିପ୍ରେକ୍ଷୀରେ ଦେଖିଲେ ବ୍ରାହ୍ମଣ ସେବକମାନଙ୍କ ବିବାହ ଏବଂ ଗୁଆଲି ଯାତ୍ରା ସ୍ଥାନିକ ସାମାଜିକ ବିବାହ ବ୍ୟବସ୍ଥାଠାରୁ ସର୍ବାଦୌ ଭିନ୍ନ । ଏପରିକି ଅନ୍ୟାନ୍ୟ ସେବକ ପରଂପରାରେ ଏହି ‘ଗୁଆଲି’ ନାହିଁ ।

 

ଲୋକ ପରଂପରା ଓ ସାମାଜିକ ସ୍ୱାତନ୍ତ୍ର ଦୃଷ୍ଟିରୁ ବ୍ରାହ୍ମଣ ସେବକମାନଙ୍କ ବିବାହର ଏକ ବିଷଦ ଆଲୋଚନା ହିଁ ଏ ବିଷୟରେ ଆଲୋକପାତ କରିପାରିବ । ଆମେ ଜାଣୁ ଯେ ଶ୍ରୀଜଗନ୍ନାଥ ହିଁ ସେବକ ସମ୍ପ୍ରଦାୟର ଇଷ୍ଟଦେବତା । ସିଏ ହିଁ ତାଙ୍କ ଜୀବନ ଚଳଣୀର ଆଦି, ମଧ୍ୟ ଏବଂ ପରିଣାମ । ଶ୍ରୀଜଗନ୍ନାଥଙ୍କୁ ଛାଡ଼ି ସେବକ ସମାଜ ନିଜର ସ୍ଥିତି କଥା ଚିନ୍ତା ହିଁ କରିପାରେନା । ଏ ପରିପ୍ରେକ୍ଷୀରେ ସେବକ ସମାଜର କନ୍ୟା ପିତା ଏବଂ ବରପିତା ନିର୍ବନ୍ଧ ଦିନ ଶ୍ରୀଜଗନ୍ନାଥଙ୍କ ପାଖକୁ ଯାଇ ସିଂହାସନ ତଳେ ଠିଆହୋଇ ପରସ୍ପର ପରସ୍ପର ଭିତରେ ବୈବାହିକ ସ୍ତରରେ ବଂଧୁ ହେବେ ବୋଲି ମହାପ୍ରଭୁଙ୍କୁ ସାକ୍ଷୀ ରଖି ନିଷ୍ପତ୍ତି ନେଇଥାନ୍ତି ।

 

ଶ୍ରୀଜଗନ୍ନାଥଙ୍କଠାରେ ଶପଥ ନେବାପରେ ଝିଅଘର ପକ୍ଷରୁ ଦହି, ମାଛ ଓ କଞ୍ଚାକଦଳୀକାନ୍ଧି ଏବଂ ମାହାର୍ଦ୍ଦ ତାଟ ସହିତ ଉପହାରସ୍ୱରୂପ ନିଜନିଜର ଆର୍ଥିକ ସାମର୍ଥ୍ୟ ଅନୁସାରେ ବିଭିନ୍ନ ପ୍ରକାରର ଫଳ, ଖଜା, ଗଜା, ଖୁରୁମା, ମଗଜଲଡ଼ୁ, ଜଗନ୍ନାଥବଲ୍ଲଭ, ଲୁଗାପଟା, ପ୍ରସାଧାନ ସାମଗ୍ରୀ, ଅଳଙ୍କାର ଆଦି ପୁଅଘର ପକ୍ଷକୁ ପ୍ରେରଣ କରାଯାଏ । ସେହିପରି ପୁଅଘର ପକ୍ଷରୁ ମଧ୍ୟ ମାହାର୍ଦ୍ଦ ତାଟ ସହିତ, ବସ୍ତ୍ର, ଅଳଙ୍କାର, ପ୍ରସାଧାନ ସାମଗ୍ରୀ ଆଦି ଝିଅଘର ପକ୍ଷକୁ ପଠାଯାଇଥାଏ । ପୂର୍ବେ ଝିଅଘର ପକ୍ଷରୁ ଯାଉଥିବା ଖାଦ୍ୟ ସାମଗ୍ରୀ (ବିଶେଷତଃ ମିଠା ଜାତୀୟ) ଫେରି ଆସୁଥିଲା ଯାହା ବର୍ତ୍ତମାନ କ୍ୱଚିତ୍ ଘଟୁଛି ।

 

ବିବାହର ଦ୍ୱିତୀୟ ପର୍ଯ୍ୟାୟରେ ମଙ୍ଗନ ବା ଦିଅଁମଙ୍ଗୁଳା ଦିନ ଉଭୟ ବରପକ୍ଷ ଏବଂ କନ୍ୟାପକ୍ଷରୁ ଅତି କମ୍‌ରେ ସାତଜଣ ସଧବା ସ୍ତ୍ରୀଲୋକ ବାଣ, ବାଜା, ଲାଇଟର ପଟୁଆରରେ ନିଜ ନିଜ ସାହିର ଠାକୁରାଣୀମାନଙ୍କ ପାଖକୁ ଯାଇଥାନ୍ତି । ପ୍ରଥମେ ସାହିର ଇଷ୍ଟଦେବୀଙ୍କୁ ପୂଜା କରିବା ପରେ ଅନ୍ୟୁନ ସାତ ଠାକୁରାଣୀଙ୍କୁ ପୂଜା କରିଥାନ୍ତି । ଏହି ମଙ୍ଗନର ଏକ ବିଶେଷତ୍ୱ ହେଲା ଝିଅଘର ପକ୍ଷରୁ ବାହାରୁଥିବା ଶୋଭାଯାତ୍ରାର ଅର୍ଥାତ୍ ବାଜା, ରୋଷଣୀ, ସାଜସଜ୍ଜାର ସମସ୍ତ ଖର୍ଚ୍ଚ ପୁଅପକ୍ଷକୁ ବହନ କରିବାକୁ ପଡ଼ିଥାଏ କିମ୍ବା ସେମାନଙ୍କ ପକ୍ଷରୁ ଶୋଭାଯାତ୍ରାର ବ୍ୟବସ୍ଥା କରାଯାଇଥାଏ ।

 

ଏହାପରେ ବାହାଘର ଦିନ ପାରଂପରିକ ବିବାହ ଉତ୍ସବ ପରି ବର, ବରଯାତ୍ରୀ ଇତ୍ୟାଦି ଏକାସାଙ୍ଗରେ କନ୍ୟା ଘରକୁ ଯାଇ ନ ଥାନ୍ତି । ପ୍ରଥମ ବରଣ ପାଇଁ ବର ଛୋଟିଆ ପଟୁଆରରେ ନିଜ କୁଟୁମ୍ବର ଦୁଇ ଚାରିଜଣ ମୁରବୀ ସ୍ଥାନୀୟ ବ୍ୟକ୍ତିଙ୍କ ସହିତ କନ୍ୟା ଘରକୁ ଯାଇଥାଏ । ଏହାକୁ ସେମାନଙ୍କ ଭାଷାରେ ବରୁଣ ପୂଜା ବା ବରୁଣ ଯାତ୍ରା ବୋଲି କୁହାଯାଇଥାଏ ।

 

ପ୍ରଥମ ବରଣ ଯାତ୍ରା କାଳରେ ବର ଧଳାଲୁଗା ପରିଧାନ କରିଥାଏ । ଶରୀରର ଊର୍ଦ୍ଧଂଶ ସ୍ୱର୍ଣ୍ଣଅଳଙ୍କାର, ପୁଷ୍ପଅଳଙ୍କାର, କର୍ପୂରମାଳଦ୍ୱାରା ଆବୃତ ଥାଏ । ବସ୍ତ୍ର ପିନ୍ଧିବାର ବିଧାନ ନାହିଁ । ମୁଣ୍ଡରେ ମଧ୍ୟ ମୁକୁଟ ନ ଥାଏ । ପ୍ରଥମ ବରଣ ପରେ ଝିଅଘର ପକ୍ଷରୁ ତ୍ରିଶାଖା ଫୁଲମାଳ ବା ତିନିଝୁମ୍ପାଥାଇ ଫୁଲମାଳ ମୁଣ୍ଡରେ ବାନ୍ଧି ଦିଆଯାଇଥାଏ ।

 

ପ୍ରଥମ ବରଣ ସାରି ବର ନିଜ ଘରକୁ ଫେରିଆସିବାର ୨ ରୁ ୪ ଘଣ୍ଟା ଅନ୍ତରରେ ବରଯାତ୍ରୀମାନଙ୍କୁ ନେଇ ସମ୍ପୂର୍ଣ୍ଣ ସାଜସଜ୍ଜା ସହିତ, ବାଜା ରୋଷଣୀ, ବାଣ ପଟୁଆରରେ ଝିଅ ଘରକୁ ଯାତ୍ରା କରିଥାଏ । ଦ୍ୱିତୀୟ ବରଣ ଯାତ୍ରା ବା ବାହାଘର ଯାତ୍ରା ସମୟରେ ବରର ପରିଧାନ କହିଲେ ଇଷତ୍ ରକ୍ତ ବର୍ଣ୍ଣର ବଉଳପାଟ ଲୁଗା, ଉର୍ଦ୍ଧାଂଶ ଶରୀର ସମ୍ପୂର୍ଣ୍ଣ ଚନ୍ଦନ ଲେପିତ ଏବଂ ବିନା ବସ୍ତ୍ରରେ ବିଭିନ୍ନ ଅଳଙ୍କାର, କର୍ପୂର ହାର, ଫୁଲହାରଦ୍ୱାରା ଆବୃତ । ଅଣ୍ଟାରେ ଅଣ୍ଟାବିଛା କାନ୍ଧରେ ଉତ୍ତରୀୟ ଏବଂ ମୁଣ୍ଡରେ ମୁକୁଟ ପିନ୍ଧିଥାଏ । ଝିଅଘରଠାରେ ବିବାହ କାର୍ଯ୍ୟ ବୈଦିକ ରୀତିରେ ସମ୍ପାଦନ ହେବାପରେ ତଥା ହାତଗଣ୍ଠି ପଡ଼ିବା ପରେ, ବୋହୁକୁ ନ ଆଣି ବର ଏବଂ ବରଯାତ୍ରୀମାନେ ବିନା ପଟୁଆରରେ ନିଜଘରକୁ ଫେରିଆସିଥାନ୍ତି । ଏ ସମୟରେ ଝିଅଘର ପ୍ରଦତ୍ତ ପାଟତଡପ ପିନ୍ଧି ବର ଫେରିଥାଏ ।

 

ବାହାଘର ପରଦିନ ଅର୍ଥାତ୍ ଉତ୍ସଦିନ ଭାବରେ ପରିଚିତ ୨ୟଦିନ ବର ବିନା ପଟୁଆରରେ ଜଣେ ଦୁଇଜଣ ମୁରବୀ ସ୍ଥାନୀୟ କୁଟୁମ୍ବର ବ୍ୟକ୍ତିଙ୍କ ସହିତ ରାତିରେ ଶଶୁର ଘରକୁ ଯାଇଥାଏ । ସେଠାରେ ଝିଅଜ୍ୱାଇଁଙ୍କୁ ସାତଜଣ ସଧବା ସ୍ତ୍ରୀଲୋକ ବନ୍ଦାପନା କରିଥାନ୍ତି । ବନ୍ଦାପନା ସରିବା ପରେ ପଞ୍ଚୁଗ୍ରାସୀ ହୁଏ ତାପରେ ବର ନିଜଘରକୁ ଫେରିଆସେ ।

 

ତୃତୀୟ ଦିନ ଅର୍ଥାତ୍ ଗୁଆଲି ଦିନ ଜ୍ୱାଇଁ ବଡ଼ିଭୋରରୁ ଉଠି ଶଶୁରଘରକୁ ଚାଲିଯାଏ । ଯିବା ସମୟରେ ପାରମ୍ପରିକ ବେଶ ଅର୍ଥାତ୍ ଅଣ୍ଟାତଳକୁ ଧୋତୀ ବା ପାଟ, ଦେହ ଖୋଲା, କାନ୍ଧରେ ଉତ୍ତରୀୟ ରହିଥାଏ । ଏହି ସମୟରେ କନ୍ୟାର ପାଟ ଅଳଙ୍କାର ଇତ୍ୟାଦି ମଧ୍ୟ ଜ୍ୱାଇଁ ବା ବର ସାଙ୍ଗରେ ନେଇକରି ଯାଇଥାଏ । ଗୁଆଲି ଦିନ ସକାଳୁ ଯିବା ସମୟରେ ସାଙ୍ଗରେ ମାମୁଁ ଯିବାର ବିଧି ରହିଛି । ସେଠାରେ ମାମୁଁଙ୍କ ପ୍ରାପ୍ୟ ଭାବରେ ପାଟବସ୍ତ୍ର ବା ମକୁଟା ଶଶୁରଘର ପକ୍ଷରୁ ଦିଆଯିବାର ବିଧି ରହିଛି ।

 

ସକାଳୁ ସକାଳୁ ନିଜଘରୁ ଉଠି ଚାଲି ଆସିଥିବା ଜ୍ୱାଇଁକୁ, ତା’ର ନିତ୍ୟକର୍ମ ପାଇଁ ଦାନ୍ତକାଠିଠାରୁ ସାବୁନ୍‌, ତେଲ ଓ ଅନ୍ୟାନ୍ୟ ପ୍ରସାଧାନ ସାମଗ୍ରୀ ଶଶୁରଘର ପକ୍ଷରୁ ଯୋଗାଇ ଦିଆଯାଏ । ଶଶୁର ଘରେ ଝିଅ ଜ୍ୱାଇଁଙ୍କର ବନ୍ଦାପନା ଇତ୍ୟାଦି କର୍ମ ଅନୁଷ୍ଠିତ ହେବା ସହ ଜ୍ୱାଇଁଙ୍କର ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ ହୁଏ । ସାରାଦିନ ଶଶୁର ଘରେ ଜ୍ୱାଇଁ ରହିବା ପରେ ସନ୍ଧ୍ୟାରେ ଉଭୟ ବରକନ୍ୟା ଗୁଆଲି ବେଶରେ ସଜ୍ଜିତ ହୋଇଥାନ୍ତି । ଏହି ଗୁଆଲି ଦିନ ଝିଅଘର ପକ୍ଷରୁ ବନ୍ଧୁବାନ୍ଧବ ଏବଂ ଆମନ୍ତ୍ରିତ ବ୍ୟକ୍ତିଙ୍କ ପାଇଁ ଭୋଜିଭାତର ବ୍ୟବସ୍ଥା ହୋଇଥାଏ ।

 

ଗୁଆଲି ପାଇଁ ପୁଅ ବା ବରର ବେଶରେ ଏକ ସ୍ୱାତନ୍ତ୍ର ରହିଛି । ପୁଅ ସମଗ୍ର ଶରୀରରେ ପାଟ ଏବଂ ଅଳଙ୍କାରଦ୍ୱାରା ସଜ୍ଜିତ ହୋଇଥାଏ । ବେକରେ ବଡ଼ ଫୁଲମାଳ, ମୁଣ୍ଡରେ ସ୍ୱତନ୍ତ୍ର ଧରଣ ଫୁଲର ବଡ଼ ଟୋପର ପିନ୍ଧିଥାଏ । ସର୍ବାଙ୍ଗରେ ହଳଦୀ ଓ ଚନ୍ଦନ ଲେପନ ହୋଇଥାଏ ।

 

ଗୁଆଲି ପାଇଁ ଝିଅ ବା କନ୍ୟାର ବେଶରେ ମଧ୍ୟ ବିଶେଷତ୍ୱ ରହିଛି । କନ୍ୟାକୁ ସମ୍ପୂର୍ଣ୍ଣ ଓଡ଼ିଆଣି ବେଶରେ ସଜ୍ଜିତ ହେବାକୁ ପଡ଼େ । ପାଟଲୁଗାକୁ କାଛେଣି ମାରି ପିନ୍ଧିବ । ଯାହାକି ବଳାଗଣ୍ଠି ଏବଂ ଆଣ୍ଠୁର ମଧ୍ୟବର୍ତ୍ତୀ ସ୍ଥାନର ନଳିଗୋଡ଼ ପର୍ଯ୍ୟନ୍ତ ରହିବ । ପାଦରେ ଆଭୂଷଣ, ଯଥା-ବାଙ୍କିପାହୁଡ଼, ଗୋକାକାର ଗୋଡ଼ ଖଡ଼ୁ, ବେଙ୍ଗପାଟିଆ ଘୁଙ୍ଗୁର ଲଗା ପାଉଜି, ମଗରପାଟିଆ ମଲ, ପାଦପଦ୍ମ । ଅଣ୍ଟାରେ ରୂପାର ଅଣ୍ଟା ବିଛା । ହାତରେ କୁଙ୍କୁମ ନଚେତ୍‍ ହରଗଉରା ପତ୍ରର ହାତପଚା, ପାଦରେ ଅଳତା, ଆଖିରେ କଜ୍ୱଳର ଲାଞ୍ଜିଟଣା, କପାଳରେ ଚନ୍ଦନ ଟୋପାଟୋପା ଲାଗି । ମୁଣ୍ଡରେ ଲୋଟଣି ଜୁଡ଼ା, ମସ୍ତକରେ ଅଳକା, ଜୁଡ଼ାରେ ଝରାକାଠି । ବେଣୀରେ ସୁନାଫୁଲ, କାନରେ ଫୁଲପେଣ୍ଡି କିମ୍ବା ମଲ୍ଲୀ କଢ଼ି କିମ୍ବା ଚନ୍ଦ୍ରବାଉରି । ନାକରେ ହଂସ କିମ୍ବା ମୟୁର ବସା ଗୁଣା ଏବଂ ନୋଥ । ବେକରେ ଚାପସରି, ସୋରିଷିଆ ମାଳି, ମହୁଡ଼ କିମ୍ବା ଗିନିମାଳି ଅଥବା କୁରୁଜାତକ ମଧ୍ୟରୁ କିଛି ଅଳଙ୍କାର । ବାହୁରେ ବାଜୁବନ୍ଧ, ତାଇତ, ରସୁଣିଆ, ଅନନ୍ତବଳା, ବାଙ୍କ କେଉଁରିଆ ଅଥବା କୃଷ୍ଣଚୂଡ଼ା ମୋଡ଼ା । ହାତରେ ମଗରମୁହାଁ ଖଡ଼ୁ, ହାତପଦ୍ମ, ଶଙ୍ଖା, ଚୂଡ଼ି, ବଟଫଳ, ମୁଦି । ଦୁଇହାତର କହୁଣୀ ପର୍ଯ୍ୟନ୍ତ ଏହି ଗହଣାମାନ ରହିଥାଏ । ସମସ୍ତ ବେଶ ପୂର୍ବରୁ ହଳଦୀ ଓ ଚନ୍ଦନ ମଧ୍ୟ କନ୍ୟାକୁ ଲାଗି କରାଯାଇଥାଏ । ମୁଣ୍ଡରେ ପାଟ ଓଢ଼ଣୀ ରହିଥାଏ ।

 

ଉଭୟ ବରକନ୍ୟା ଗୁଆଲି ପାଇଁ ବେଶ ହୋଇସାରିବା ପରେ ବିରାଟ ପଟୁଆରରେ ପୁଅଘରକୁ ଆସିଥାନ୍ତି । ପୁଅ ଘରେ ଚାରିଗୋଟି ପିତଳ ରୁଖା ଚାରିକଣରେ ରଖାଯାଇ ପଇତାର ସୂତାଘର ତିଆରି ହୁଏ । ସେହି ସୂତାଘରେ ପୁଅର ମା ବସିବା ପରେ, ମା’ଙ୍କ ଗୋଡ଼ରେ ପୁଅବୋହୂ ବସନ୍ତି । ତାପରେ ସାତଜଣ ସଧବା ସ୍ତ୍ରୀ ଲୋକଙ୍କଦ୍ୱାରା ବନ୍ଦାପନା ହୁଏ । ଏହି ଅବସରରେ ପୁଅ ବୋହୂ ଆଞ୍ଜୁଳିରେ ଚାଉଳ ଧରି ପଛକୁ ଫୋପାଡ଼ିଥାନ୍ତି । ୟାପରେ ପୁଅ ବୋହୂ ଯମେଶ୍ୱରଙ୍କ ପାଖକୁ ଯାଇ ଫେରିଥାନ୍ତି । ଯମେଶ୍ୱରଙ୍କ ପାଖରୁ ଫେରିବା ପରେ ଝିଅ ନିଜଘରକୁ ମୁରବୀସ୍ଥାନୀୟ (ମାମୁଁ ବା ବଡ଼ଭାଇ) ବ୍ୟକ୍ତିଙ୍କ ସହ ଫେରିଆସେ । ଫେରିବା ସମୟରେ ଝିଅ ତା’ର ମାମୁଁଘରକୁ ଏବଂ ପୁଅ ନିଜର ମାମୁଁ ଘରକୁ ଗୁଆଲିରେ ଯାଇଥାନ୍ତି ।

 

ଚତୁର୍ଥୀ ଦିନ, ଶୁଭବେଳା ଦେଖି ପୁଅଘର ପକ୍ଷରୁ ପୁଅର ଭଉଣୀ, ମାଇଁ, ଭାଉଜ ଇତ୍ୟାଦି ବୋହୁକୁ ଆଣିବାକୁ ଯାଇଥାନ୍ତି । ବିନା ପଟୁଆରରେ ଟେରାବାଡ଼ ପକାଇ ଝିଅକୁ ତା’ର ଶଶୁର ଘରକୁ ଅସୂର୍ଯ୍ୟପଶ୍ୟା ଭାବରେ ଅଣାଯାଇଥାଏ । ଅବଶ୍ୟ ଏ ବ୍ୟବସ୍ଥା ବର୍ତ୍ତମାନ ଆଉ ନାହିଁ କହିଲେ ଚଳେ ।

 

ପୁଅଘରେ ସେହିଦିନ ଚତୁର୍ଥୀ କର୍ମ ବିଧି ଅନୁଷ୍ଠିତ ହୁଏ । ଏହାପରେ ସପ୍ତମଙ୍ଗଳା ଦିନ ଭୋରରୁ ଝିଅଘର ପକ୍ଷରୁ ସ୍ତ୍ରୀଲୋକମାନେ ଆସି ଝିଅକୁ ନେଇଯାଇଥାନ୍ତି । ସେହି ସାତମଙ୍ଗଳା ରାତିରେ ବର, କନ୍ୟା ଘରକୁ ଯାଇଥାଏ । ସେଠାରେ ଉଭୟ ବରକନ୍ୟାଙ୍କର ବନ୍ଦାପନା ହୁଏ । ବନ୍ଦାପନା ପାଇଁ ଶଶୁର ଘର ପକ୍ଷରୁ ଜ୍ୱାଇଁକୁ ପାଟମଠା ପିନ୍ଧାଇବାର ପରଂପରା ରହିଛି । ବନ୍ଦାପନା ପରେ ପୁଅ ନିଜ ଘରକୁ ଏକାଏକା ଫେରିଆସେ ଏବଂ ଝିଅକୁ ମଧ୍ୟ ବନ୍ଦାପନା ପରେ ଝିଅଘର ପକ୍ଷର ଲୋକମାନେ ପୁଅଘରେ ଆଣି ଛାଡ଼ିଦେଇ ଯାଇଥାନ୍ତି ।

 

ପରିଶେଷରେ ଏତିକି କୁହାଯାଇପାରେ ଯେ, ଶ୍ରୀଜଗନ୍ନାଥଙ୍କ ସେବକମାନଙ୍କର ସାଂସ୍କୃତିକ ପରଂପରାରେ ‘ଗୁଆଲି’ ଏକ ଜୀବନ୍ତ ଚେତନା । ଶ୍ରୀକ୍ଷେତ୍ରର ଦୁଇ ପରମାରାଧ୍ୟ ଶ୍ରୀଜଗନ୍ନାଥ ଓ ଶ୍ରୀଲୋକନାଥଙ୍କ ଗୁଆଲିକୁ ଆଧାର କରି କେଉଁ ଆବହମାନ ସମୟରୁ ନିଜ ଦୃଷ୍ଟିର ମଞ୍ଜ ଦେଇ ଏହାକୁ ରୂପାୟିତ କରାଯାଇଛି । ଅବଶ୍ୟ ଆଧୁନିକ ସଭ୍ୟତାର ପ୍ରଭାବରେ ଏହି ପାରଂପରିକ ସାଂସ୍କୃତିକ ଭିତ୍ତିରେ କିଛି ପରିମାଣରେ ପରିବର୍ତ୍ତନର ସ୍ୱର ଶୁଣିବାକୁ ମିଳୁଥିଲେ ହେଁ ଏହା ବହୁଭାବରେ ନିଜର ଅଭିବ୍ୟକ୍ତି, ନିଜର ସନ୍ତକ ଏବଂ ଜାତିର ପରିମାପକ ଭାବରେ ଅନନ୍ୟତାର ସ୍ୱର ବହନ କରି ରହିଛି ଏକଥା ଅସ୍ୱୀକାର କରାଯାଇ ପାରିବ ନାହିଁ ।

Image

 

ଦେବଦାସୀ ପରମ୍ପରାର ଐତିହ୍ୟ

 

ହିନ୍ଦୁଧର୍ମୀୟ ଅନୁଚିନ୍ତାରେ ଦେବଦାସୀ କହିଲେ ଜଣେ କନ୍ୟା କୌଣସି ଏକ ମନ୍ଦିରର ଦେବତାଙ୍କୁ ବିବାହ କରି, ସେହି ମନ୍ଦିର ଏବଂ ଦେବତାଙ୍କ ପ୍ରତି ସମର୍ପିତ ରହିବ ତଥା ସେହି ମନ୍ଦିରର ସମସ୍ତ ପୂଜା, ରୀତିନୀତି ଏବଂ ପର୍ବପର୍ବାଣିରେ କାୟମନୋବାକ୍ୟରେ ମୁଖ୍ୟ ଅଂଶଗ୍ରହଣ କରିବ । ଏତଦ୍‌ବ୍ୟତୀତ ଦେବତାଙ୍କ ମନୋରଞ୍ଜନ ପାଇଁ ନୃତ୍ୟଗୀତ ପରିବେଷଣ କରିବ । ଦେବଦାସୀ ଶବ୍ଦ ସମ୍ପର୍କରେ ଶବ୍ଦକଳ୍ପତରୁରେ ‘ଦେବପରିଚାଳିକା’ ବୋଲି ଉଲ୍ଲେଖ ରହିଥିବାସ୍ଥଳେ ବିଶ୍ୱକୋଷରେ ‘ଦେବନର୍ତ୍ତକୀ’ ତଥା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ‘ଠାକୁରଙ୍କ ସେବାକାରିଣୀ’ ବୋଲି ଉଲ୍ଲେଖ ରହିଛି ।

 

ଭାରତୀୟ ମନ୍ଦିର ପରମ୍ପରାରେ ପ୍ରଚଳିତ ଦେବଦାସୀ ଶବ୍ଦର ଏକ ଉତ୍କୃଷ୍ଟ ଭାବରୂପ ଭାବରେ ଓଡ଼ିଶାରେ ବିଶେଷତଃ ଶ୍ରୀଜଗନ୍ନାଥ ମନ୍ଦିରରେ ସମର୍ପିତା କନ୍ୟାଙ୍କୁ ମାହାରୀ ବୋଲି କୁହାଯାଉଥିଲା । ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ବ୍ୟତୀତ ମାହାରୀ ପରମ୍ପରା ଭୁବନେଶ୍ୱରସ୍ଥ ଶିବ ମନ୍ଦିର ଏବଂ କାକଟପୁର ମଙ୍ଗଳା ମନ୍ଦିର ତଥା ଝଙ୍କଡ଼ ଶାରଳା ମନ୍ଦିରରେ ରହିଥିବା କଥା ବହୁ ସମାଜତତ୍ତ୍ୱବିତ୍ ପ୍ରକାଶ କରିଥାନ୍ତି । ଏ ସମ୍ପର୍କରେ ବିଶିଷ୍ଟ ଗବେଷକ ଓ ସମାଜତତ୍ତ୍ୱବିତ୍ ଡା ଚିତ୍ତରଞ୍ଜନ ଦାସ କହନ୍ତି ଯେ, “ଜଗନ୍ନାଥ ମନ୍ଦିରର ମାହାରୀମାନେ ବୈଷ୍ଣବୀ ଥିଲେ, ଭୁବନେଶ୍ୱରର ମାହାରୀମାନେ ଶୈବମନ୍ଦିରଗୁଡ଼ିକରେ ନିୟୋଜିତ ହୋଇ ରହିଥିଲେ ଏବଂ ଝଙ୍କଡ଼ରେ ସାରଳା ଏବଂ କାକଟପୁର ମଙ୍ଗଳାଙ୍କ ପାଖରେ ମାହାରୀମାନେ ଶକ୍ତିଙ୍କ ପାଖରେ ସମର୍ପିତ ହୋଇ ରହୁଥିଲେ ।” କେବଳ ଓଡ଼ିଶା ନୁହେଁ; ମନ୍ଦିର ଏବଂ ଅଞ୍ଚଳ ଭେଦରେ ଏହି ଦେବଦାସୀମାନଙ୍କର ନାମକରଣ ଭିନ୍ନ ଭିନ୍ନ ହୋଇଥିବାର ଜଣାଯାଏ । ଦାକ୍ଷିଣାତ୍ୟରେ ଶିବମନ୍ଦିରମାନଙ୍କରେ ସମର୍ପିତା ଦେବଦାସୀଙ୍କୁ ଲିଙ୍ଗବାସବୀ ଏବଂ ବିଷ୍ଣୁମନ୍ଦିରରେ ସମର୍ପିତା କନ୍ୟାଙ୍କୁ ଗରୁଡ଼ବାସବୀ ବୋଲି କୁହାଯାଉଥିଲା । ସେହିପରି ମହାରାଷ୍ଟ୍ର ଅଞ୍ଚଳରେ ଦେବଦାସୀଙ୍କୁ ମୂରଲୀ ବୋଲି କୁହାଯାଇଥାଏ ।

 

ଦେବଦାସୀ ପରମ୍ପରାର ଇତିହାସ :

 

ଭାରତୀୟ ପରମ୍ପରାରେ ସମସ୍ତ ବଡ଼ ବଡ଼ ମନ୍ଦିରରେ ଉପାସିତ ବିଗ୍ରହମାନଙ୍କ ପାଇଁ କେଉଁ ଆବାହମାନ କାଳରୁ, ଦେବଦାସୀ ଭାବରେ ବହୁ ସୁଲକ୍ଷଣା ଯୁବତୀଙ୍କୁ ନିୟୋଗ କରିବାର ବ୍ୟବସ୍ଥା ରହି ଆସିଥିଲା । ତେବେ ଏହି ଯୁବତୀମାନେ କିଏ, କାହିଁକି ଓ କେବେଠାରୁ ତଥା କେଉଁ ଭାବରେ ଦେବତାଙ୍କ ସହିତ ଉପାସନା ପାଇଁ ସଂଯୁକ୍ତ ହେଲେ ତାହାର ବିଚାର ଐତିହାସିକ ଦୃଷ୍ଟିକୋଣରୁ କରାଯାଇପାରେ । ଏହା ସହିତ ଆଉ ଏକ ପ୍ରସଙ୍ଗ ମଧ୍ୟ ଆଲୋଚନାଯୋଗ୍ୟ । ତାହାହେଲା ଏହି ଦେବଦାସୀ ପରମ୍ପରାର ମୂଳଉତ୍ସ କ’ଣ ଭାରତରେ ଥିଲା ନା ଭାରତ ବାହାରୁ ଏହାକୁ ଆମଦାନୀ କରାଯାଇଛି?

 

ଭାରତ ବାହାରେ ଥିବା ଦେବଦାସୀ ପରମ୍ପରା :

 

ଏ ପରିପ୍ରେକ୍ଷୀରେ ଭାରତ ବାହାରେ ରହିଥିବା ପ୍ରାଚୀନ ଦେବଦାସୀ ପରମ୍ପରା ସମ୍ପର୍କରେ ସମ୍ୟକ୍ ଦୃଷ୍ଟିପାତ କରାଯାଇପାରେ । ପୃଥିବୀର ଅନ୍ୟତମ ସର୍ବପ୍ରାଚୀନ ସଭ୍ୟତା-ଭୂମଧ୍ୟ ସାଗରୀୟ ସଭ୍ୟତାର ପ୍ରାଚୀନ କେନ୍ଦ୍ରଥିବା ମନ୍ଦିରଗୁଡ଼ିକରେ ଦେବତାଙ୍କ ପ୍ରିତ୍ୟାର୍ଥେ ନୃତ୍ୟଗୀତ ପ୍ରବୀଣାମାନଙ୍କୁ ନିୟୋଗ କରାଯାଇଥିବାର ବହୁ ପ୍ରମାଣ ଆବିଷ୍କୃତ ହୋଇଛି ।

 

ମିଶରର ଓସିରିସ୍ ଏବଂ ଆଇସିସ୍ ମନ୍ଦିରରେ ଦେବଦାସୀମାନେ ବହୁ ସଂଖ୍ୟାରେ ରହିଥିଲେ ବୋଲି ବର୍ଣ୍ଣିତ ଅଛି । ମିଶରୀୟମାନଙ୍କ ମତରେ ମାଟି ହେଉଛି ପୁରୁଷ ଏବଂ ଆକାଶ ହେଉଛି ନାରୀ । ଏମାନଙ୍କର ମିଳନରେ ତାଙ୍କର ଦେବତା ଓସିରିସ୍ (Osiris) ଏବଂ ଆଇସିସ୍ (Isis)ଙ୍କ ସୃଷ୍ଟି । ତେଣୁ ପୁରୁଷ ପୁରୋହିତ ଭାବରେ, ନାରୀ ଦେବଦାସୀ ଭାବରେ ତାଙ୍କୁ ପୂଜା କରିବାର ସମାନ ଅଧିକାର ପ୍ରାପ୍ତ ଥିଲେ ।

ସେଣ୍ଟ ଅଗଷ୍ଟାଇନ୍‌ଙ୍କ ‘ଦି ସିଟି ଅଫ୍ ଗଡ୍‌’ ପୁସ୍ତକ ଅନୁସାରେ ଗ୍ରୀସ୍‌ର ‘କରିନ୍ଥ’ ନଗରୀରେ ଅବସ୍ଥିତ ଭେନସ୍‌ଙ୍କ ମନ୍ଦିରରେ ହଜାର ହଜାର ଯୁବତୀଙ୍କୁ ଦେବୀଙ୍କ ପାଖରେ ଦେବଦାସୀ ଭାବରେ ଉତ୍ସର୍ଗ କରାଯାଇଥିଲେ ।

ଆର୍ଗମେନିଆର ପରମ୍ପରା ଥିଲା ଯେ ସମ୍ଭ୍ରାନ୍ତ ବ୍ୟକ୍ତିମାନେ ସେମାନଙ୍କ ଝିଅମାନଙ୍କୁ ଦେବୀ ଅନାଇତି (Anaitis)ଙ୍କ ସେବାରେ ନିୟୋଗ କରୁଥିଲେ । ଏ ସମ୍ପର୍କରେ ଷ୍ଟ୍ରାବୋଙ୍କ ରଚିତ ଜିଓଗ୍ରାଫି ବହିର ଦ୍ୱିତୀୟ ଭାଗରେ ବିଷଦ୍ ବର୍ଣ୍ଣନା ରହିଛି ।

ହିବୃ ଏବଂ ବାବିଲୋନିଆ ସଭ୍ୟତାରେ ଦେବଦାସୀ ପ୍ରଥା ଏକ ସାର୍ବଜନୀନ ପ୍ରଥା ଭାବରେ ପ୍ରଚଳିତ ଥିଲା । ଏଠାକାର ଜଣେ ମଧ୍ୟ ବାଳିକା ବିବାହ ପୂର୍ବରୁ ଦେବଦାସୀ କର୍ମରୁ ବିଚ୍ୟୁତ ହେଉ ନ ଥିଲା । ଏଠାକାର ପ୍ରସିଦ୍ଧ ଦେବୀଙ୍କ ନାଁ ହେଉଛି ଇସ୍‌ତାର (Ishtar) ଏବଂ ଦେବଦାସୀ କାର୍ଯ୍ୟ କରୁଥିବା ପ୍ରତ୍ୟେକ ବାଳିକାଙ୍କୁ ଇସ୍‌ତାର ଭାବରେ ଚିହ୍ନିତ କରାଯାଉଥିଲା ।

ସିରିଆର ବାଇବେଲ୍‌ସଠାରେ (Bybles) ମଧ୍ୟ ଭଗବାନଙ୍କ ନିକଟରେ ଏ ଧରଣର ନୃତ୍ୟଗୀତ ସେବା ବ୍ୟବସ୍ଥା ରହିଥିଲା ।

ମିଶରର ଆମନ୍ ନାମକ ଦେବବିଗ୍ରହ ପାଇଁ ରାଜା ଆମୁଶ୍‌ହୋଟେପ୍ ଥାଇବ୍‌ସ ତୃତୀୟ (Amus Hotep Thibes III) ଏକ ମନ୍ଦିର ନିର୍ମାଣ କରି ଭିନ୍ନ ଭିନ୍ନ ଦେଶରୁ ଜୟ କରି ଆଣିଥିବା ଅର୍ଥ ଉକ୍ତ ମନ୍ଦିର ପାଇଁ ପ୍ରଦାନ କରି ତଥା ମନ୍ଦିରର ସେବାପୂଜା ପାଇଁ ବହୁ ଦେବଦାସୀ ଖଞ୍ଜି ଦେଇଥିଲେ । ଏ ସମ୍ପର୍କରେ ମିଶରର ପ୍ରାମାଣିକ ଦଲିଲ “ଗ୍ରେଟ୍ ହାରିଶ୍ ପାପିରସ୍‌” (Great Harris Papyrus) ଅନୁସାରେ ତତ୍କାଳୀନ ସମୟରେ ଅର୍ଥାତ୍ ଖ୍ରୀ.ପୂ. ଚଉଦଶହରେ ସମଗ୍ର ମିଶରର ବିଭିନ୍ନ ମନ୍ଦିରରେ ୮୪, ୪୮୬ ଜଣ ସେବକ ଏବଂ ଦେବଦାସୀ ନିଯୁକ୍ତ ଥିଲେ ।

ମାର୍କପୋଲୋଙ୍କ ଭ୍ରମଣ ବୃତାନ୍ତ ଅନୁସାରେ ପିତାମାତାମାନେ ନିଜର କନ୍ୟାକୁ ଭଗବାନଙ୍କୁ ସମର୍ପଣ କରିଥାନ୍ତି । ସେମାନେ କନ୍ୟାକୁ ସେ ପର୍ଯ୍ୟନ୍ତ ଦେବଦାସୀ ଭାବରେ କାର୍ଯ୍ୟ କରିବାକୁ ଦିଅନ୍ତି ଯେ ପର୍ଯ୍ୟନ୍ତ ସେମାନଙ୍କ ବିବାହ ଅନୁଷ୍ଠିତ ହୋଇଯାଇ ନ ଥାଏ ।

କାମ୍ବୋଡ଼ିଆର ଅଙ୍କୁର ବରେଇ ଶିଳାଲେଖରୁ (୬୧୧ ଖ୍ରୀଷ୍ଟାବ୍ଦ) ଜଣାଯାଏ ସେଠାକାର ମନ୍ଦିର ପାଇଁ ୭ଜଣ ନୃତ୍ୟକାରୀ ଦେବଦାସୀ, ୧୧ଜଣ ଗାୟଣୀ ଏବଂ ଚାରିଜଣ ବିଣାକାର ଦେବଦାସୀଙ୍କୁ ନିଯୁକ୍ତି ଦିଆଯାଇଥିଲା ।

ପ୍ରାଚୀନ ମଧ୍ୟପ୍ରାଚ୍ୟ ଏବଂ ଭାରତର ଦେବଦାସୀ ପରମ୍ପରା କ’ଣ ଏକ କି ?

ତେବେ କଥା ହେଲା ସେହି ସୁଦୂର ଅତୀତ କାଳରେ ରହିଥିବା ଧର୍ମୀୟ ଭାବନା ଏବଂ ପ୍ରଥାର ତୁଲ୍ୟ ଏକ ପ୍ରଥା ଓ ରୀତି ପରବର୍ତ୍ତୀ କାଳରେ ଭାରତକୁ ଆସି ଏଠାକାର ମନ୍ଦିର ମାନଙ୍କରେ ପ୍ରଚଳିତ ହୋଇଛି ବୋଲି କହିବା କ’ଣ ସମୀଚୀନ ହେବ କି?

ଏଠାରେ ପ୍ରଥମ ପ୍ରଶ୍ନ ଉଠିବ ପ୍ରାଚୀନ ଭୂମଧ୍ୟ ସାଗରୀୟ ସଭ୍ୟତା ଏବଂ ଭାରତୀୟ ମନ୍ଦିରମାନଙ୍କରେ ଥିବା ଦେବଦାସୀ ବ୍ୟବସ୍ଥା ପ୍ରବର୍ତ୍ତନର ମଧ୍ୟବର୍ତ୍ତୀ କାଳଖଣ୍ଡର ଦୂରତ୍ୱ ପ୍ରାୟତଃ ହଜାରେ ବର୍ଷରୁ ଅଧିକ ହେବ । ତେଣୁ ଆମର ଦେବଦାସୀ ପରମ୍ପରା ସଭ୍ୟତାର ସଂକ୍ରମଣ ହେତୁ ମଧ୍ୟପ୍ରାଚ୍ୟରୁ ଆସିଛି କହିବା ହାସ୍ୟସ୍ପଦ ହେବ ନିଶ୍ଚୟ ।

ମୋ ମତରେ ଆମର ଏଇ ଦେବଦାସୀ ପରମ୍ପରା ମୋଟେ ପରମୁଖାପେଖୀ ନ ଥିଲା । ଏହା ସମ୍ପୂର୍ଣ୍ଣ ଭାବରେ ଭାରତୀୟ ଚେତନାରୁ ସୃଷ୍ଟ ଏକ ଧାର୍ମିକ ପରମ୍ପରା । ହୁଏତ ପ୍ରାଚୀନ ମଧ୍ୟପ୍ରାଚ୍ୟ ଦେବଦାସୀ ପରମ୍ପରା ସହିତ କାକତାଳୀୟ ନ୍ୟାୟରେ କିଛି ସାମଞ୍ଜସ୍ୟ ରହିଥାଇପାରେ-। ଦ୍ୱିତୀୟ କଥା ହେଲା ଯଦି ଏହାର କ୍ରମ ପରିଣାମର ଧାରା ରହିଥାନ୍ତା ତାହାହେଲେ ଏ ଧାରାର ନିଦର୍ଶନ ନିଶ୍ଚିତ ଭାବରେ ବୈଦିକ ସାହିତ୍ୟମାନଙ୍କରେ କିମ୍ବା ବେଦ ପରବର୍ତ୍ତୀ ବୌଦ୍ଧ ଜାତକ ସାହିତ୍ୟରେ ଦେଖିବାକୁ ମିଳିଥାନ୍ତା । କିନ୍ତୁ କୁତ୍ରାପି ଏ ପ୍ରସଙ୍ଗରେ କିଛି ମାତ୍ର ଉଲ୍ଲେଖ ନାହିଁ-। ଏପରିକି ଖ୍ରୀ.ପୂ. ଚତୁର୍ଥ ଶତକରେ ରଚିତ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ଭାରତର ପ୍ରାଚୀନ ବ୍ୟବସ୍ଥାମାନଙ୍କ ସମ୍ପର୍କରେ ଟିକିନିଖି ବିବରଣୀ ରହିଥିଲେ ହେଁ ମନ୍ଦିରମାନଙ୍କରେ ନିଯୁକ୍ତ ଦେବଦାସୀ ପ୍ରସଙ୍ଗରେ କିଛି ମଧ୍ୟ ଉଲ୍ଲେଖ ନାହିଁ । ଏଥିରୁ ଏହା ପ୍ରମାଣିତ ହେଉନାହିଁକି ଯେ, ଏ ପରମ୍ପରା ମଧ୍ୟ ପ୍ରାଚ୍ୟରୁ ଧାରାବାହିକଭାବେ ଭାରତକୁ ଗଡ଼ି ଆସିନାହିଁ ବୋଲି ।

ଭାରତରେ ଦେବଦାସୀ ସମ୍ପର୍କୀତ ପ୍ରଥମ ନିଦର୍ଶନ :

ଏ ସମ୍ପର୍କରେ ପ୍ରଥମ ସୂଚନା ମିଳେ, ବିନ୍ଧ୍ୟ ପର୍ବତମାଳା ଅନ୍ତର୍ଗତ ରାମଗଡ଼ ନିକଟସ୍ଥ ଯୋଗୀମରା ଗୁମ୍ଫାରେ ଉତ୍କୀର୍ଣ୍ଣ ଏକ ପଥର ଲେଖରେ ରହିଥିବା ବିବରଣୀରୁ । ପ୍ରାକୃତ ଭାଷାରେ ଲିଖିତ ଏ ଲିପିକୁ ପୁରାତତ୍ତ୍ୱବିତ୍‌ମାନେ ଖ୍ରୀ.ପୂ. ତୃତୀୟ ଶତକ ବା ଅଶୋକଙ୍କ (୨୬୧-୨୩୨ ବି.ସି) ସମସାମୟିକ ବୋଲି ଗ୍ରହଣ କରିଥାନ୍ତି । ଯେଉଁଥିରେ ଦେବତାର କ୍ରୀତଦାସୀ (ଦେବଦାସୀ) ଜନୈକା ସୁତନୁକା ଏବଂ ରୂପକାର ଦେବଦିନ୍ନଙ୍କ ପ୍ରେମକାହାଣୀ କଥା ଉଲ୍ଲେଖ ଅଛି ।

ଖ୍ରୀ.ପୂ. ପ୍ରଥମ ଶତାବ୍ଦୀରେ ମହାମେଘବାହାନ ଖାରବେଳଙ୍କଦ୍ୱାରା ହାତିଗୁମ୍ଫାରେ ଉତ୍କୀର୍ଣ୍ଣ ଅଭିଲେଖର ପଞ୍ଚମ ଧାଡ଼ିରେ ଉଲ୍ଲେଖ ଅଛି ଯେ, ତାଙ୍କ ରାଜତ୍ୱର ତୃତୀୟ ବର୍ଷରେ ସେ ଗାନ୍ଧର୍ବ ବିଦ୍ୟାପ୍ରବୀଣ ବ୍ୟକ୍ତିଙ୍କ ସାହାଯ୍ୟରେ ଦର୍ପ, ନୃତ୍ୟ, ଗୀତ, ବାଦ୍ୟ ସହ ବିବିଧ ସଂଦର୍ଶନର ଆୟୋଜନପୂର୍ବକ ଉତ୍ସବ ଓ ସମାଜମାନ କରାଇଥିଲେ । ଏହି ଲେଖ ସହିତ ପଥର ଗାତ୍ରରେ ଅଙ୍କିତ ନୃତ୍ୟରତା ରମଣୀ, ବାଦ୍ୟକାରୀ ରମଣୀଙ୍କ ଚିତ୍ରଗୁଡ଼ିକ ସୂଚିତ କରିଥାନ୍ତି ଯେ ନାରୀମାନଙ୍କଦ୍ୱାରା ଖ୍ରୀ.ପୂ. ସମୟରୁ ଏହି ବ୍ୟବସ୍ଥା ପ୍ରଚଳିତ ଥିଲା । ଏଥିରେ ଅବଶ୍ୟ ଦେବଦାସୀ ପ୍ରସଙ୍ଗ ରହି ନ ଥିଲେ ମଧ୍ୟ ଏହା ନୃତ୍ୟରତା ନାରୀଙ୍କ ସମଅଧିକାର ଗାନ୍ଧର୍ବ ବିଦ୍ୟାସହିତ ସଂଶ୍ଳୀଷ୍ଟ ଥିବାର ସୂଚନା ଦେଇଥାଏ ।

ଏହାର ପରବର୍ତ୍ତୀ ସମୟରେ ଦେବଦାସୀ ସମ୍ପର୍କୀତ ପ୍ରମାଣ ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ ରଚିତ କାଳିଦାସଙ୍କ ମେଘଦୂତ କାବ୍ୟରୁ ମିଳେ । କାବ୍ୟରେ ବର୍ଣ୍ଣିତ ଉଜ୍ଜୟିନୀର ମହାକାଳ ମନ୍ଦିରର ସନ୍ଧ୍ୟା ଆରତିନିରତା ଦେବଦାସୀ ପ୍ରସଙ୍ଗ ସୂଚିତ କରେ ମହାକାଳ ମନ୍ଦିରରେ ଦେବଦାସୀଙ୍କ ସ୍ଥିତି ସମ୍ପର୍କରେ । ଏ ସମ୍ପର୍କରେ ମେଘଦୂତର ୩୮ତମ ପଦଟି ହେଉଛି–

“ପାଦନ୍ୟାସୈଃ କ୍ୱଣିତର ଶନାସ୍ତତ୍ର ଲୀଳା ବଧୁତୈ

ରତ୍ନାଛାୟ ଖଚିତ ବଳିଭିଶ୍ଚ ମରୈଃ କ୍ଳାନ୍ତ ହସ୍ତାଃ

ବେଶ୍ୟାସ୍ତତ୍ତୋ ନଖ ପଦ ମୁଖାନ ପ୍ରାପ୍ୟ ମିର୍ଷାଗ୍ରରିନ୍ଦୁ

ନାମୋକ୍ଷ୍ୟନ୍ତେ ତ୍ୱୟି ମଧୁକର ଶ୍ରେଣୀ ଦୀର୍ଘାନ୍ କଟାକ୍ଷାନ୍‌”

 

ଏତଦ୍‌ବ୍ୟତୀତ ଖ୍ରୀଷ୍ଟୀୟ ପ୍ରଥମ, ଦ୍ୱିତୀୟ ଶତାବ୍ଦୀବେଳକୁ ରଚିତ ବହୁ ପୁରାଣ ସାହିତ୍ୟରେ ବର୍ଣ୍ଣିତ ଅଛି ମନ୍ଦିରର ସମସ୍ତ ଅନୁଷ୍ଠାନ ଉତ୍ସବରେ ନୃତ୍ୟ, କଣ୍ଠସଙ୍ଗୀତ ଏବଂ ଯନ୍ତ୍ର ସଂଗୀତର ବ୍ୟବସ୍ଥା କେବଳ ଦେବଦାସୀ ମାନଙ୍କ ଦ୍ୱାରା ହିଁ ପରିଚାଳିତ ହେଉଥିଲା ।

ଏପରିକି ମନ୍ଦିରମାନଙ୍କରେ ଦେବଦାସୀ ବ୍ୟବସ୍ଥାର ବହୁଳ ପ୍ରଚଳନ ଓ ପ୍ରସାର ପାଇଁ ପୁରାଣ ସାହିତ୍ୟଗୁଡ଼ିକରେ ବହୁ ପ୍ରକାର ଲୋଭ ଦେଖାଇ ଦିଆଯାଇଛି । ପଦ୍ମପୁରାଣର ସୃଷ୍ଟିଖଣ୍ଡରେ ଲୋଭ ଦେଖାଇ କୁହାଯାଇଛି- ମନ୍ଦିରପାଇଁ ଦେବଦାସୀ ଉତ୍ସର୍ଗକାରୀମାନେ ଇହଲୋକରେ ମହାଧନୀ ଏବଂ ପରଲୋକରେ କଳ୍ପକାଳ ପର୍ଯ୍ୟନ୍ତ ସ୍ୱର୍ଗବାସୀ ହୁଅନ୍ତି । ଭବିଷ୍ୟ ପୁରାଣରେ ବର୍ଣ୍ଣିତ ଅଛି ସୂର୍ଯ୍ୟଲୋକ ପ୍ରାପ୍ତିର ଶ୍ରେଷ୍ଠ ଉପାୟ ହେଉଛି, କୌଣସି ସୂର୍ଯ୍ୟମନ୍ଦିରରେ ଭକ୍ତି ଭାବରେ ଦେବଦାସୀରୂପେ କାର୍ଯ୍ୟ କରିବା ପାଇଁ କନ୍ୟା ଦାନ କରିବା । ଏନ୍‌ସାଇକ୍ଲୋପେଡ଼ିଆ ବ୍ରିଟାନିକା, ଭାରତୀୟ ଚିନ୍ତାଧାରାକୁ ଅନୁଧ୍ୟାନ କରି ମତ ଦେଇଛନ୍ତି, କୌଣସି ପରିବାରର ସନ୍ତାନ ହେଉ ନ ଥିଲେ କିମ୍ବା ପୁତ୍ର ସନ୍ତାନ ନ ଥିଲେ ତଥା କନ୍ୟା ସନ୍ତାନ ଥାଉ ରୁଗ୍‌ଣା ହୋଇଥିଲେ, ପୁତ୍ର କାମନା କରି ଏବଂ ରୁଗ୍‌ଣ ସନ୍ତାନର ଆରୋଗ୍ୟ କାମନା କରି ମନ୍ଦିର ପାଇଁ କନ୍ୟାଦାନର ମାନସିକ ରଖୁଥିଲେ ।

ଭାରତୀୟ ଦେବଦାସୀ ପ୍ରଥାର ପ୍ରାଚୀନତା :

୧) ସପ୍ତମ ଶତାବ୍ଦୀର ଚୀନ୍ ପରିବ୍ରାଜକ ହୁଏନ୍‌ସାଂଙ୍କ ବିବରଣୀରୁ ଜଣାଯାଏ, ଉତ୍ତରାପଥର ସୁଲତାନର ସୂର୍ଯ୍ୟମନ୍ଦିରରେ ରାଜାନୁଗ୍ରହରୁ ପ୍ରଦତ୍ତ ଅସଂଖ୍ୟ ଦେବଦାସୀଙ୍କୁ ସେ ଦେଖିଥିଲେ ।

୨) କାଶ୍ମୀରର ମନ୍ଦିରମାନଙ୍କରେ ଦେବଦାସୀ ପ୍ରଥା ରହିଥିବା କଥା ସପ୍ତମ ଶତାବ୍ଦୀର କବି କହ୍ଲଣଙ୍କ ‘ରାଜତରଙ୍ଗିଣୀ’ ଗ୍ରନ୍ଥରୁ ମିଳିଥାଏ ।

୩) କୁଟ୍ଟିନୀମତମ୍ ଗ୍ରନ୍ଥ ଅନୁସାରେ କାଶୀବିଶ୍ୱନାଥ ମନ୍ଦିରରେ ଦେବଦାସୀମାନେ ଷଷ୍ଠ ଶତାବ୍ଦୀରୁ ରହିଆସିଛନ୍ତି । ତେବେ ଏ ପ୍ରଥାକୁ ପ୍ରଥମେ ପୁରୋହିତ ଏବଂ ସନ୍ୟାସୀମାନେ ବିରୋଧ କରିଥିଲେ ମଧ୍ୟ ରାଜଶକ୍ତି ନିକଟରେ ହାର ମାନିଥିଲେ । ଉପରୋକ୍ତ ମତକୁ ଆଲ୍‌ବେରୁଣିଙ୍କ ଭ୍ରମଣ ବୃତ୍ତାନ୍ତ ମଧ୍ୟ ସମର୍ଥନ କରେ ।

୪) ସପ୍ତମ ଅଷ୍ଟମ ଶତାବ୍ଦୀ ସମୟର କେଶରୀ ରାଜବଂଶର ରାଣୀ ତଥା ଉଦ୍ୟୋତ କେଶରୀଙ୍କ ମାତା କୋଳାବତୀ ଦେବୀ ଭୁବନେଶ୍ୱରଠାରେ ବ୍ରହ୍ମେଶ୍ୱର ମନ୍ଦିର ନିର୍ମାଣ କରି, ସେବାପୂଜା ପାଇଁ ଦେବଦାସୀମାନଙ୍କୁ ଖଞ୍ଜି ଦେଇଥିଲେ । ଏ ସମ୍ପର୍କରେ ତାଙ୍କ ଦ୍ୱାରା ପ୍ରଦତ୍ତ ଶିଳାଲେଖରୁ ଜଣାଯାଏ ଯେ,

“ଏକାମ୍ରେ ସିଦ୍ଧତୀର୍ଥେ ଚତୁର ମରକୁଳୀ ନାଟ୍ୟଶାଳା ସମେତଃ

କୋଳାବତ୍ୟା ତୟୈଷଃ କ୍ଷିତି ମୁକୁଟ-ନିଭଃ କାରିତଃ କୀର୍ତ୍ତିରାଜଃ ॥”

 

ଏମାନଙ୍କ ରୂପ ଓ ଶୋଭା ବର୍ଣ୍ଣନା କରି ପୁରୁଷୋତ୍ତମ ଭଟ୍ଟ ନାମକ ଜଣେ କବି ଶ୍ଳୋକରେ ବର୍ଣ୍ଣନା କରିଛନ୍ତି ଯେ,–

 

“ରତ୍ନାଳଙ୍କୃତ ଭୂଷିତାଙ୍ଗ ସୁଷମା ଦେଦୀପ୍ୟମାନାଃ ଦିବଃ

କ୍ରୀଡ଼ନ୍ତ୍ୟସ୍ତଡ଼ିତ ସ୍ଥିରାଇବ କୁଚ୍ଚା ଶ୍ରେଣୀଭର ବ୍ୟାକୁଳାଃ

 

ସୁନ୍ଦର୍ଯ୍ୟୋକ୍ଷିକ କନୀନାକାଇବ ଦୁଶା ମନ୍ତ୍ରଃ ପ୍ରବିଷ୍ଠା ନୃତ୍ୟା

ମସ୍ମୈ ଚଞ୍ଚଳ କଞ୍ଜନାଭ୍ରନୟନା ଦତ୍ତସ୍ତ୍ରୟା ଦ୍ୱାରିକାଃ ॥”

 

(ବ୍ରହ୍ମେଶ୍ୱର ମନ୍ଦିର ଶିଳାଲେଖ-୯୨)

 

ଅର୍ଥାତ୍ ଯେଉଁମାନେ ରତ୍ନାଳଙ୍କାରରେ ଭୂଷିତ ହୋଇ ଦେଦୀପ୍ୟମାନ ଶୋଭା ଧାରଣ କରିଥିଲେ, ଯେ କି ଅତି ଚଞ୍ଚଳ କ୍ରୀଡ଼ା କରୁଥିବା ବିଜୁଳି ସ୍ଥିର ହୋଇଯାଇ ଲାସ୍ୟ ପ୍ରକାଶ କରୁଥିଲା ପରି ମନେ ହେଉଥିଲେ । ନୃତ୍ୟକାଳରେ ଯାହାଙ୍କର କଟି ଓ କୁଚଦ୍ୱୟର ଭାର ଓ ଆନ୍ଦୋଳନ ହେତୁ ସେ ବ୍ୟାକୁଳ ହେଉଥିଲେ । ଯାହାଙ୍କର ଚଞ୍ଚଳ କଟାକ୍ଷ କର୍ଣ୍ଣ ପର୍ଯ୍ୟନ୍ତ ବିସ୍ତାରିତ ଏବଂ ଦର୍ଶକଙ୍କ ଅନ୍ତଃସ୍ଥଳକୁ ଭେଦ କରିବାକୁ ସମର୍ଥ । ଏପରି ତିନିଗୋଟି ଦେବଦାସୀ ଦେବସେବା ନିମନ୍ତେ ପ୍ରଦତ୍ତ ହେଲେ । (JRASB Vol-III P-69-74)

 

୫) ପୁନଶ୍ଚ ଏହାର କିଞ୍ଚିତ ପରବର୍ତ୍ତୀ ସମୟରେ ନିର୍ମିତ୍ତ ମେଘେଶ୍ୱର ଏବଂ ଶୋଭନେଶ୍ୱର ମନ୍ଦିରରେ ମଧ୍ୟ ଦେବଦାସୀମାନେ ରହୁଥିଲେ । ଶୋଭନେଶ୍ୱର ମନ୍ଦିରରେ ରହିଥିବା ଶିଳାଲେଖରୁ ଜଣାଯାଏ ଯେ, ଏଠାରେ ଯେଉଁ ଦେବଦାସୀମାନେ ନିଯୁକ୍ତ ଥିଲେ, ସେମାନେ ନାନା ଅଳଙ୍କାରରେ ଭୂଷିତା ଅପୂର୍ବ ରୂପଲାବଣ୍ୟ ସମ୍ପନ୍ନ ସ୍ୱର୍ଗର ଅପ୍‌ସରାମାନଙ୍କଠାରୁ ମଧ୍ୟ ସୁନ୍ଦରୀ ଅଟନ୍ତି ।

 

୬) ଅଷ୍ଟମ ଶତାବ୍ଦୀର ପ୍ରସିଦ୍ଧ ସୋମନାଥ ମନ୍ଦିରରେ ବିଗ୍ରହଙ୍କ ମନୋରଞ୍ଜନ ପାଇଁ ପାଞ୍ଚଶହରୁ ଊର୍ଦ୍ଧ୍ୱ ଦେବଦାସୀ ଦିବାରାତ୍ର ନୃତ୍ୟଗୀତରେ ମଗ୍ନ ଥିଲେ । ଗଜନୀର ମାମୁଦ୍ ସୁଲତାନ ମନ୍ଦିର ଅଧିକାର କରି ୩୫୦ ଜଣ ଦେବଦାସୀଙ୍କୁ ନିଜ ସହ ନେଇ ଯାଇଥିଲେ ।

 

୭) ଷଷ୍ଠ-ସପ୍ତମ ଶତାବ୍ଦୀରେ ହିନ୍ଦୁ ଚୋଳ ସାମ୍ରାଜ୍ୟର ଉତ୍ଥାନ ସହିତ ବୌଦ୍ଧଧର୍ମର ପତନ ଘଟିଲା । ଏହି ସମୟରେ ଦକ୍ଷିଣ ଭାରତର ବୌଦ୍ଧ ଭିକ୍ଷୁଣୀମାନଙ୍କୁ ହିନ୍ଦୁମନ୍ଦିରରେ ଦେବଦାସୀ ଭାବରେ ନିଯୁକ୍ତି ଦିଆଯିବା ସହିତ, ପରାଜିତ ବୌଦ୍ଧ ରାଜାମାନଙ୍କ କନ୍ୟା ଏବଂ ରାଣୀଙ୍କୁ ମଧ୍ୟ ଦେବଦାସୀ ଭାବରେ ନିଯୁକ୍ତି ଦେବାର ପରମ୍ପରା ଆରମ୍ଭ ହୋଇଥିଲା ।

 

୮) ଏହି ରାଜବଂଶର ସମ୍ରାଟ୍‍ ରାଜରାଜଦେବ ଦଶମ ଶତାବ୍ଦୀରେ ତାଞ୍ଜୋରର ବିଖ୍ୟାତ ବୃହଦୀଶ୍ୱର ଶିବମନ୍ଦିର ନିର୍ମାଣ କରି ସେଠାରେ ପ୍ରାୟ ୪୦୦ ଦେବଦାସୀଙ୍କୁ ଉତ୍ସର୍ଗ କରିଥିଲେ ।

 

୯) ଚାଲୁକ୍ୟରାଜ ଷଷ୍ଠ ବିକ୍ରମାଦିତ୍ୟଙ୍କ ମହାଦେବ ନାମକ ଜଣେ ସେନାପତି, ତାଙ୍କ ମା’ଙ୍କ ସ୍ମୃତିରକ୍ଷା ପାଇଁ ଦେବଦାସୀ ମାନଙ୍କ ଉଦ୍ଦେଶ୍ୟରେ ଏକ ଉତ୍କୃଷ୍ଟ ଭବନ ନିର୍ମାଣ କରାଇଥିଲେ-। ଏପରିକି ଚାଲୁକ୍ୟରାଜ ପ୍ରଥମ ବିକ୍ରମାଦିତ୍ୟ ଚଣ୍ଡାଳେଶ୍ୱର ମନ୍ଦିର ନିର୍ମାଣ କରି ବହୁ ସୁନ୍ଦରୀଙ୍କୁ ଦେବଦାସୀ ଭାବରେ ନିଯୁକ୍ତି ଦେଇଥିବା କଥା ପିପିଲିକେଶ୍ୱର ଏବଂ ସୁନ୍ଦରେଶ୍ୱର ଶିଳାଲେଖରୁ ଜଣାଯାଏ ।

 

ଦଶମ ଶତାବ୍ଦୀବେଳକୁ ଭାରତବର୍ଷର ବିଭିନ୍ନ ମନ୍ଦିରମାନଙ୍କରେ ଏତେ ସଂଖ୍ୟକ ଦେବଦାସୀ ଥିଲେ ଯେ, ସେମାନେ ପୂଜକମାନଙ୍କ ସଂଖ୍ୟାକୁ ମଧ୍ୟ ବଳି ଯାଇଥିଲେ । ଏହାର ପରବର୍ତ୍ତୀ ସମୟରେ ମଧ୍ୟ ଏ ଧାରା ଅବ୍ୟାହତ ରହିଥିଲା । ପୂର୍ବ ବଙ୍ଗର ରାଜା ବିଜୟସେନ ଦେଓପଡ଼ାସ୍ଥ ଶିବମନ୍ଦିର ପାଇଁ ବହୁ ସଂଖ୍ୟକ ଦେବଦାସୀ ନିଯୁକ୍ତ କରିଥିଲେ । ଚନ୍ଦେଲାର ମଦନବର୍ମନଙ୍କ ସମୟରେ ପଦ୍ମାବତୀ ନାମକ ମୁଖ୍ୟ ଦେବଦାସୀ କାଳିଞ୍ଜରର ନୀଳକଣ୍ଠ ମନ୍ଦିରରେ ନିଯୁକ୍ତ ହେବାକଥା ସେଠାକାର ଏକ ଶିଳାଲେଖରୁ ଜଣାଯାଏ ।

 

ଦ୍ୱାଦଶ ଶତାବ୍ଦୀବେଳକୁ କୋଙ୍କଣ ଉପକୂଳ ଏପରିକି ଗୋଆରେ ମଧ୍ୟ, ଭାରତର ଅନ୍ୟାନ୍ୟ ଅଞ୍ଚଳ ପରି ଦେବଦାସୀ ପ୍ରଥା ଅତି ପ୍ରବଳ ଭାବରେ ରହିଥିଲା । ଏହି କାଳଖଣ୍ଡରେ ଚୋଡ଼ଗଙ୍ଗଦେବ ଓଡ଼ିଶାରେ ଭବ୍ୟ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କରାଇ, ଛତିଶା ନିଯୋଗ ବ୍ୟବସ୍ଥାରେ ଦେବଦାସୀ ସେବାକୁ ଅନ୍ୟତମ ବିଶିଷ୍ଟ ସେବା ଭାବରେ ସ୍ଥାନିତ କରିଥିଲେ । ଓଡ଼ିଶାର ପୁରୀ ସହରରେ ତାଙ୍କ ଦ୍ୱାରା ସେବକମାନଙ୍କ ପାଇଁ ସୃଷ୍ଟ ସାତସାହି ମଧ୍ୟରୁ ଗୋଟିଏ ସାହି ସ୍ୱତନ୍ତ୍ର ଭାବରେ ଦେବଦାସୀଙ୍କୁ ସମର୍ପିତ ଥିଲା । ଏ ସାହିର ନାମକରଣ ତତ୍କାଳୀନ ସମୟରେ ‘ଅଙ୍ଗ ଅଳସ ପାଟଣା’ ନାମରେ ପରିଚିତ ଥିଲା । ଯାହା ପରବର୍ତ୍ତୀ ସମୟରେ ଚୋଡ଼ଙ୍ଗସାହି ବା ଚୂଡ଼ଙ୍ଗସାହି ଭାବରେ ପରିଚିତ ହୋଇଥିଲା । ଚୋଡ଼ଗଙ୍ଗ ଦେବଙ୍କଦ୍ୱାରା ଦେବଦାସୀ ବା ମାହାରୀ ନୃତ୍ୟର ପ୍ରବେଶ ଶ୍ରୀଜଗନ୍ନାଥ ମନ୍ଦିରରେ ହୋଇଛି ବୋଲି ଷୋଡ଼ଶ ଶତାବ୍ଦୀର ବୈଷ୍ଣବ କବି ମାଧବ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି । ତାଙ୍କ ବର୍ଣ୍ଣନା ଅନୁସାରେ–

 

“ଚୂଡ଼ଙ୍ଗଦେବ ଖ୍ୟାତ ନାମ ।

ବୀର ସାହାସୀ ପରାକ୍ରମ ॥

ଭଗତ ଶ୍ରେଷ୍ଠ ଅଟେ ସେହି ।

ଶ୍ରୀ ଜଗନ୍ନାଥଙ୍କୁ ଚିତ୍ତୋଇ ॥

+ + +

+ + +

ନାଚୁଣୀ ମାହାରୀ ଯୋଗାଇଲା ।

ନାଟ ହୋଇଲା ହରିଲୀଳା ॥

ମନ୍ଦିର ଗୁମୁଟ ଭିତର ।

ଦେବଦାସୀଙ୍କ ନୃତ୍ୟରୋଳ ॥

ହରିର ସ୍ତୁତି ସହିତରେ ।

ମୃଦଙ୍ଗ ଝାଞ୍ଜ କରତାଳେ ॥

ମାହାରୀମାନେ ନୃତ୍ୟ କଲେ ।

ରାହାସ ନୃତ୍ୟ ଏ ବୋଇଲେ ॥

ଦେଖିଣ ଦେବ ଗଙ୍ଗେଶ୍ୱର ।

ସନ୍ତୋଷ ଲଭିଲା ମନର ॥

+ + +

+ + +

ବିପ୍ର ଯେ ଜୟଦେବ ନାମ ।

କ୍ଷେତ୍ର ବରକୁ ଆଗମନ ॥

+ + +

+ + +

ପତ୍ନୀ ତାହାର ପଦ୍ମାବତୀ ।

ଗୀତର ତାଳେ ସେ ନୃତ୍ୟତି ॥

+ + +

+ + +

ଗୀତ ଗୋବିନ୍ଦ ନାଟ ସେବା ।

ମନ୍ଦିରେ ପ୍ରତ୍ୟହ ହୋଇବା ॥

 

 

 

(ବୈଷ୍ଣବ ଲୀଳାମୃତ)

 

ଦ୍ୱାଦଶ ଶତାବ୍ଦୀର ଓଡ଼ିଶାର ମେଘେଶ୍ୱର ମନ୍ଦିର ଶିଳାଲେଖରୁ ମଧ୍ୟ ଦେବଦାସୀ ପ୍ରଚଳନ ପ୍ରଥାର ବିବରଣୀ ସ୍ପଷ୍ଟ ଭାବରେ ମିଳିଥାଏ । ଚୋଡ଼ଗଙ୍ଗ ଦେବଙ୍କ ପ୍ରଦତ୍ତ ଏକ ଶିଳାଲେଖ ଅନୁସାରେ ସେ ମହେନ୍ଦ୍ରାଚଳଠାରେ ମଧୁକେଶ୍ୱର ଶିବମନ୍ଦିରରେ ଦେବଦାସୀମାନଙ୍କୁ ନୃତ୍ୟଗୀତ ପାଇଁ ନିଯୁକ୍ତି ଦେଇଥିଲେ ।

 

ଭୁବନେଶ୍ୱରସ୍ଥ ଅନନ୍ତ ବାସୁଦେବ ମନ୍ଦିର ଶିଳାଲେଖ ଅନୁସାରେ ପୂର୍ବବଙ୍ଗର ରାଜା ହରିବର୍ମନ ସେଠାରେ ଏକଶହ ଦେବଦାସୀ ବିଷ୍ଣୁଙ୍କ ସେବାପୂଜା ଉଦ୍ଦେଶ୍ୟରେ ଅର୍ପଣ କରିଥିଲେ । ଏପରିକି କପିଳେନ୍ଦ୍ର ଦେବଙ୍କ ରାଜତ୍ୱ କାଳରେ ତାଙ୍କର ମନ୍ତ୍ରୀ ଗୋପୀନାଥପୁରଠାରେ ଯେଉଁ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କରାଇଥିଲେ (ଯାହା ବର୍ତ୍ତମାନ ଭଗ୍ନ) ସେଠାରୁ ଉଦ୍ଧାର କରାଯାଇଥିବା ଶିଳାଲେଖ ଅନୁସାରେ ମନ୍ଦିରରେ ରମ୍ଭା, ଉର୍ବଶୀଙ୍କ ପରି ସ୍ୱର୍ଗର ଅପ୍‌ସରା ସଦୃଶ ଯୁବତୀମାନଙ୍କୁ ଦେବତାଙ୍କ ସେବାପୂଜା ପାଇଁ ନିଯୁକ୍ତ କରାଯାଇଥିଲା ।

 

ଉପରୋକ୍ତ ବିବରଣୀରୁ ସ୍ପଷ୍ଟ ବୁଝିହୁଏ ଯେ, ଦେବଦାସୀଙ୍କ ଲୋକପ୍ରିୟତା ଦ୍ୱାଦଶ, ତ୍ରୟୋଦଶ ଶତାବ୍ଦୀ ପର୍ଯ୍ୟନ୍ତ ଚରମ ପର୍ଯ୍ୟାୟରେ ରହିଥିଲା । ତେବେ ଏହାପରଠାରୁ ବାହ୍ୟଶତ୍ରୁ ଆକ୍ରମଣ ହେତୁ ମନ୍ଦିରମାନଙ୍କର ତଥା ରାଜାମାନଙ୍କର ଉତ୍ଥାନ ପତନ ସହିତ ଦେବଦାସୀମାନଙ୍କର ଲୋକପ୍ରିୟତାରେ ଓ ସମ୍ମାନରେ ଅବକ୍ଷୟ ଆସିଥିଲା ଏବଂ ଏମାନେ ଯେଉଁ ମର୍ଯ୍ୟଦାବନ୍ତ ଆସନରେ ଆସୀନଥିଲେ ତାହା ମଧ୍ୟ କ୍ରମଶଃ କମିଚାଲିଲା । ତଥାପି ଦେବଦାସୀଙ୍କ ସ୍ୱତନ୍ତ୍ର ସ୍ଥାନ ଚତୁର୍ଦ୍ଦଶ ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ କିଛି ମାତ୍ରାରେ ସମ୍ମାନଜନକ ସ୍ତରରେ ଥିଲା ।

 

ଦେବଦାସୀଙ୍କ ପ୍ରକାର ଭେଦ :

 

ସର୍ବଭାରତୀୟ ସ୍ତରରେ ଦେବଦାସୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟଭୁକ୍ତ କରାଯାଇଛି । ମୁଖ୍ୟତଃ ଏମାନେ ହେଲେ- ଦତ୍ତା, ହୃତା, ବିକ୍ରିତା, ଭୃତ୍ୟା, ଭକ୍ତା, ଅଳଙ୍କାର, ଗୋପିକା ଏବଂ ରୁଦ୍ରଗଣିକା ।

 

ଦତ୍ତା କହିଲେ ହିଁ ବୁଝିବାରେ ଅସୁବିଧା ହୁଏ ନାହିଁ ଯେ, ବିଭିନ୍ନ ମନ୍ଦିରମାନଙ୍କୁ ଦାନସୂତ୍ରରେ ଯେଉଁ କୁମାରୀ କନ୍ୟାମାନେ ଆସିଥାନ୍ତି । ବିଶେଷତଃ ପିତାମାତାମାନେ ପ୍ରାଚୀନ ସମୟରେ ବିଭିନ୍ନ ମାନସିକ ରଖି ଓ ମାନସିକ ପୂରଣ ହେବାପରେ ଆରାଧ୍ୟ ଦେବତାଙ୍କ ମନ୍ଦିରକୁ ନିଜର କନ୍ୟାମାନଙ୍କୁ ସମର୍ପଣ କରୁଥିଲେ ।

 

ହୃତା ପର୍ଯ୍ୟାୟର କନ୍ୟାଙ୍କୁ ବିଭିନ୍ନ ସ୍ଥାନରୁ ଅପହରଣ କରି ଅଣାଯାଇ ଦେବତାଙ୍କ ସେବାପାଇଁ ମନ୍ଦିରମାନଙ୍କୁ ଅର୍ପଣ କରାଯାଇଥାଏ । ବିକ୍ରିତା ପର୍ଯ୍ୟାୟର ଦେବଦାସୀମାନେ ହେଲେ, ଯେଉଁ ପିତାମାତାଙ୍କଠାରୁ ଅର୍ଥ ବିନିମୟରେ ଯେଉଁ କନ୍ୟାକୁ ଅଣାଯାଇ ମନ୍ଦିର ସେବାରେ ନିୟୋଜିତ କରାଯାଇଥାଏ । ବିଶେଷତଃ ଦ୍ୱାଦଶ-ତ୍ରୟୋଦଶ ଶତାବ୍ଦୀବେଳକୁ ଏହି ପ୍ରଥା କର୍ଣ୍ଣାଟକର ମନ୍ଦିରମାନଙ୍କରେ ବହୁଳ ଭାବରେ ପ୍ରଚଳିତ ଥିଲା । ଏଠାକାର ରାଜାମାନେ ସୁନ୍ଦରୀ କନ୍ୟାମାନଙ୍କୁ ଅର୍ଥ ବିନିମୟରେ ବାହାରୁ ଆଣି ବିଭିନ୍ନ ମନ୍ଦିରରେ ନିୟୋଗ କରୁଥିଲେ । ଯେଉଁ କନ୍ୟା ନିଜର ମାନସିକ ପୂରଣ ପାଇଁ କାହାରୀ ଚାପର ବଶବର୍ତ୍ତୀ ନ ହୋଇ ସ୍ୱଇଚ୍ଛାରେ ମନ୍ଦିର ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରୁଥିଲା । ସେ ଭୃତ୍ୟା ପର୍ଯ୍ୟାୟର ଦେବଦାସୀ ଅଟନ୍ତି । ଯେଉଁ କନ୍ୟା କିଛି ମାନସିକ ନ ରଖି ଭକ୍ତିଭାବରେ ରହି, କାୟମନୋବାକ୍ୟରେ ନିଜକୁ ଭଗବାନଙ୍କଠାରେ ସମର୍ପଣ କରିଦେଇ ତାଙ୍କର ସେବାରେ ଜୀବନ ଅତିବାହିତ କରୁଥିଲେ ସେମାନେ ଭକ୍ତ୍ୟା ଶ୍ରେଣୀଭୁକ୍ତା ଅଟନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏହି ପରମ୍ପରା ବିଶେଷ ଭାବରେ ଶ୍ରୀଜଗନ୍ନାଥ ମନ୍ଦିରରେ ହିଁ ସର୍ବାଧିକ ଭାବରେ ରହିଥିଲା, ଯାହାକି ମାହାରୀ ପରମ୍ପରାଭାବେ ସ୍ୱୀକୃତିଲାଭ କରିଥିଲା ।

 

ଅଳଙ୍କାର ପର୍ଯ୍ୟାୟର ଦେବଦାସୀମାନେ ଗନ୍ଧର୍ବ କଳାବିଦ୍ୟାରେ ପ୍ରବୀଣା ଥାଇ ଦେବତାଙ୍କୁ କେବଳ ନୃତ୍ୟଗୀତଦ୍ୱାରା ସେବା କରିଥାନ୍ତି । ଏହି ଶ୍ରେଣୀର ଦେବଦାସୀମାନଙ୍କ ମାନ୍ୟତା ଅନ୍ୟମାନଙ୍କଠାରୁ ମଧ୍ୟଯୁଗୀୟ ମନ୍ଦିର ଓ ସାମାଜିକ ଚେତନାରେ ଟିକିଏ ଅଧିକ ଥିଲା । ଏହି ଅଳଙ୍କାରା ପର୍ଯ୍ୟାୟର ଦେବଦାସୀମାନେ ମନ୍ଦିରମାନଙ୍କରେ ଥିବା ନିଜସ୍ୱ ଗାନ୍ଧର୍ବବିଦ୍ୟା ଶିକ୍ଷା କେନ୍ଦ୍ରରେ ନୃତ୍ୟ ଶିକ୍ଷକ (ନାଟ୍ଟୁବାନ୍‌)ଙ୍କଠାରୁ ନୃତ୍ୟ ସଙ୍ଗୀତ ଶିକ୍ଷା କରିବା ସହିତ ଶାସ୍ତ୍ର ଅଧ୍ୟୟନ କରିଥାନ୍ତି । ଆଭୁଷଣରେ ସଜ୍ଜିତ ହୋଇ ନୃତ୍ୟ ବିଦ୍ୟାରେ ନିପୂଣା ହେବାପରେ ରାଜାଙ୍କ ଦ୍ୱାରା ଏକ ଉତ୍ସବରେ ଏମାନେ ଦେବତାଙ୍କୁ ସମର୍ପିତ ହୋଇଥାନ୍ତି । ଗବେଷିକା ଡକ୍ଟର ତୁଳସୀ ଓଝାଙ୍କ ମତରେ ବେଲୁଡ୍‌, ହେଲେବିଡ୍‌, ହୋୟଶାଳା, କୋଣାର୍କ, ପୁରୀ ଓ ଭୂବନେଶ୍ୱର ମନ୍ଦିର ସମୂହରେ ଯେଉଁ ନୃତ୍ୟରତା ରମଣୀମାନଙ୍କର ପ୍ରତିକୃତି ଅଙ୍କିତ ସେମାନେ ଏହି ଅଳଙ୍କାର ନୃତ୍ୟ ପଟ୍ଟିୟସୀମାନଙ୍କର ପ୍ରସ୍ତରୀଭୂତ ରୂପ କହିଲେ ଅତ୍ୟୁକ୍ତି ହେବନାହିଁ । (ଉତ୍କଳୀୟ ଲୋକସଂସ୍କୃତି ଓ ଶ୍ରୀଜଗନ୍ନାଥ-ସତ୍ୟନାରାୟଣ ବୁକ୍ ଷ୍ଟୋର) । ଗୋପିକାମାନେ ହେଲେ ନୃତ୍ୟଗୀତ ବିଷାରଦା କିନ୍ତୁ ଏମାନେ ଥିଲେ ବେତନଭୋଗୀ ଦେବଦାସୀ । ରୁଦ୍ରଗଣିକା ପର୍ଯ୍ୟାୟର ଦେବଦାସୀମାନେ ବିଶେଷତଃ ବାମାଚାର ତନ୍ତ୍ର ସାଧନା ପାଇଁ ସାଧକଙ୍କ ଦ୍ୱାରା ମନ୍ଦିରରେ ନିୟୋଜିତ ହେଉଥିଲେ ।

 

ସମାଜରେ ଦେବଦାସୀଙ୍କ ସ୍ଥାନ :

 

ପୂର୍ବରୁ ସୂଚିତ ଅଛି ଯେ, ଭାରତକୁ ବିଧର୍ମୀମାନଙ୍କ ଆକ୍ରମଣ ପୂର୍ବରୁ ଦେବଦାସୀଙ୍କ ସ୍ଥାନ ସମାଜର ବହୁ ଉଚ୍ଚରେ ଥିଲା । ଷଷ୍ଠ ଶତାବ୍ଦୀରୁ ଆରମ୍ଭ କରି ଦଶମ ଏକାଦଶ ଶତାବ୍ଦୀ ପର୍ଯ୍ୟନ୍ତ ସମ୍ମାନ ଦୃଷ୍ଟିରୁ ରାଜା, ରାଜପୁରୋହିତ ଏବଂ ମନ୍ଦିର ପୁରୋହିତଙ୍କ ପରେ ସ୍ଥାନିତ ହେଉଥିଲେ । ଏପରିକି ଏହି କାଳଖଣ୍ଡରେ ମନ୍ଦିରର ପ୍ରତିଷ୍ଠା ଏବଂ ମନ୍ଦିରର ଧନ ସମ୍ପତ୍ତି ତଥା ମର୍ଯ୍ୟାଦା ଆଦି, ସେହି ମନ୍ଦିରର ଦେବଦାସୀଙ୍କ ଭୂମିକା ଏବଂ ସଂଖ୍ୟାକୁ ନେଇ ନିର୍ଣ୍ଣିତ ହେଉଥିଲା ।

 

କୋଙ୍କଣ ଉପକୂଳବର୍ତ୍ତୀ ଅଞ୍ଚଳରେ ଦେବଦାସୀମାନେ ଏତେ ମର୍ଯ୍ୟାଦାପୂର୍ଣ୍ଣ ଆସନରେ ଆସୀନ ଥିଲେ ଯେ, ତ୍ରୟୋଦଶ ଶତାବ୍ଦୀ ପର୍ଯ୍ୟନ୍ତ, ଯେ କୌଣସି ଉଚ୍ଚକୂଳର ବିବାହ କାର୍ଯ୍ୟରେ ବରକନ୍ୟାଙ୍କ ପବିତ୍ର ସୂତାବନ୍ଧନ କାର୍ଯ୍ୟ ଏମାନଙ୍କଦ୍ୱାରା ସମ୍ପନ୍ନ ହେଉଥିଲା । ଲୋକମାନଙ୍କର ବିଶ୍ୱାସ ଥିଲା ଯେ, ଦେବଦାସୀଙ୍କଦ୍ୱାରା ଏ କାର୍ଯ୍ୟ ସମ୍ପନ୍ନ ହେଲେ ଝିଅ ଅଖଣ୍ଡ ସୌଭାଗ୍ୟବତୀ ହୁଏ ।

 

ପଶ୍ଚିମ ଭାରତରେ ଏହି କାଳଖଣ୍ଡରେ ଗୋଟିଏ ବିଶ୍ୱାସ ରହିଥିଲା, ସକାଳୁ ପ୍ରଥମେ ଉଠି ଦେବଦାସୀଙ୍କ ମୁଖ ଦର୍ଶନ କଲେ ସାରା ଦିନଟି ଶୁଭରେ କଟିଥାଏ । ଦକ୍ଷିଣ ଭାରତର କେରଳ ଏବଂ ତାମିଲନାଡ଼ୁ ଅଞ୍ଚଳରେ ଦେବଦାସୀମାନଙ୍କୁ ସ୍ତ୍ରୀ ପୁରୋହିତ ଭାବରେ ଗ୍ରହଣ କରାଯାଇଥିବା କଥା ସପ୍ତଦଶ ଶତାବ୍ଦୀର ପାବ୍ରୀ ଦୁବୋୟା ତାଙ୍କର ହିନ୍ଦୁ ମ୍ୟାନରସ୍‌, କଷ୍ଟମ୍‌ସ ଏବଂ ସେରିମନିଜ୍ ପୁସ୍ତକରେ ଉଲ୍ଲେଖ କରିଛନ୍ତି ।

 

ଦେବଦାସୀମାନଙ୍କର ସାମାଜିକ ଶ୍ରେଷ୍ଠତ୍ୱ ଏବଂ ଗୁରୁତ୍ୱ ସମ୍ପର୍କରେ ବିଖ୍ୟାତ ପର୍ତ୍ତୁଗୀଜ୍ ପରିବ୍ରାଜକ ଡେମିନିଗୋ ପାୟେସ୍‌ଙ୍କଦ୍ୱାରା ଲିଖିତ ଭ୍ରମଣ କାହାଣୀରୁ ମଧ୍ୟ ମିଳିଥାଏ । ଷୋଡ଼ଶ ଶତାବ୍ଦୀର ଆଦ୍ୟଭାଗରେ (୧୫୨୦-୨୨ ଖ୍ରୀଷ୍ଟାବ୍ଦ) ବିଜୟ ନଗରମ୍‌ର ରାଜା କୃଷ୍ଣ ଦେବରାୟଙ୍କ ରାଜତ୍ୱ କାଳରେ ସେ ଭାରତ ପରିଭ୍ରମଣରେ ଆସିଥିଲେ । ତାଙ୍କ ବିବରଣୀ ଅନୁସାରେ ଭାରତୀୟ ସାଂସ୍କୃତିକ ଜୀବନଧାରାରେ ଦେବଦାସୀମାନେ ଶ୍ରେଷ୍ଠସ୍ଥାନ ଗ୍ରହଣ କରିଥିଲେ । ମନ୍ଦିରର ସେବାକାର୍ଯ୍ୟ ବ୍ୟତୀତ ରାଜକୀୟ ଅନୁଷ୍ଠାନ, ଧର୍ମୀୟ ଉତ୍ସବ ଆଦିରେ ଏମାନଙ୍କ ଉପସ୍ଥିତି ଅନିବାର୍ଯ୍ୟ ଥିଲା । ଏ ସମୟରେ ଏହି ଦେବଦାସୀମାନେ ପ୍ରଚୁର ଭୂସମ୍ପତ୍ତି ଅଧିକାରୀଣୀ ଥାଇ ସମାଜର ସମସ୍ତ ଶୁଭ ଅନୁଷ୍ଠାନରେ ଅପରିହାର୍ଯ୍ୟ ଅଙ୍ଗଭାବେ ବିବେଚିତ ହେଉଥିଲେ ।

 

ଦେବଦାସୀମାନଙ୍କ ବୈଭବର ସୂଚନା ଦେବାକୁ ଯାଇ ସେ ଲେଖିଛନ୍ତି ଯେ,- ଏମାନେ ଅବିଶ୍ୱାସ୍ୟ ଐଶ୍ୱର୍ଯ୍ୟର ଅଧିକାରିଣୀ ଥିଲେ । କୌଣସି ସ୍ଥାନକୁ ଯିବା ସମୟରେ ନିଜସ୍ୱ ପାଲିଙ୍କି ଓ ବହନକାରୀଙ୍କଦ୍ୱାରା ବାହିତ ହୋଇ ଯାଉଥିଲେ । ଗଳାରେ ମଣିମୁକ୍ତା ହୀରା ଖଚିତ ହାର, ହାତରେ ରତ୍ନଦୀପର ମୁଦି, ବାଜୁବନ୍ଧ, କଙ୍କଣ, ଅଣ୍ଟାରେ କମର ବନ୍ଧ, ପାଦରେ ନୁପୂର ପରିଧାନ କରି ଯାଉଥିଲେ ।

 

ଭାରତୀୟ ଦେବଦାସୀ ଏବଂ ଓଡ଼ିଶାର ମାହାରୀ ପରମ୍ପରା :

 

ସାରା ଭାରତରେ ଦେବଦାସୀ ଭାବରେ, ମନ୍ଦିରରେ ନିୟୋଜିତା ଯୁବତୀମାନେ ପରିଚିତା ଥିଲେ ହେଁ, ଏମାନେ ଦାକ୍ଷିଣାତ୍ୟରେ ବସବା ଓ ପଶ୍ଚିମ ଭାରତରେ ମୂରଲୀଭାବେ ପରିଚିତା । ତେବେ ଏହି ପର୍ଯ୍ୟାୟରେ ଏମାନେ ଓଡ଼ିଶାରେ ମୁଖ୍ୟତଃ ଶ୍ରୀଜଗନ୍ନାଥ ମନ୍ଦିରରେ ମାହାରୀଭାବେ ପରିଚିତା ବୋଲି କହିବା ସମ୍ପୂର୍ଣ୍ଣଭାବେ ଠିକ୍ ହେବନାହିଁ । କାରଣ ସର୍ବଭାରତୀୟ ଧାରାର ଦେବଦାସୀଙ୍କଠାରୁ ମାହାରୀ ପରମ୍ପରା ଥିଲା ଯଥେଷ୍ଟ ଭିନ୍ନ । ମାହାରୀ ଶବ୍ଦଟି ମୁଖ୍ୟତଃ ଶ୍ରୀଜଗନ୍ନାଥ ମନ୍ଦିରର ଛତିଶାନିଯୋଗ ସେବା ସହିତ ସମ୍ପୃକ୍ତ ଥିବା ମହତ୍ ନାରୀ ଶବ୍ଦର ଏକ ଅପଭ୍ରଷ୍ଟ ରୂପ ବୋଲି ବହୁ ଆଲୋଚକ ମତ ଦିଅନ୍ତି ।

 

ଏହି ମହତ୍ ନାରୀ ବା ମାହାରୀମାନଙ୍କ ସମ୍ପର୍କରେ ଶ୍ରୀଚୈତନ୍ୟ ମତ ଦେଇ କହିଥିଲେ- ଏମାନେ ହେଉଛନ୍ତି ଶ୍ରୀଜଗନ୍ନାଥଙ୍କ ଶ୍ରେଷ୍ଠ ସେବାୟତ । କେତେକ ସଂସ୍କୃତ ପଣ୍ଡିତଙ୍କ ମତରେ ଅଥର୍ବ ବେଦରେ ରହିଥିବା ‘ମହାନ୍‍ଗ୍ରୀ’ (୧୪/୧/୬୩) ଶବ୍ଦ କ୍ରମଶଃ ଅପଭ୍ରଷ୍ଟ ହୋଇ ମହାନାରୀ ମାହାରୀ ଭାବରେ ରୂପାନ୍ତରିତ ହୋଇଛି ।

 

ଗୁରୁ ପଙ୍କଜଚରଣ ଦାସ ମାହାରୀ ଶବ୍ଦକୁ ବ୍ୟାଖ୍ୟା କରି କହିଛନ୍ତି- ‘ମହା-ରୀପୁ-ଅରି’ ଅର୍ଥାତ୍ ଯିଏ ସମସ୍ତ ରୀପୁମାନଙ୍କୁ ବା ଇନ୍ଦ୍ରିୟମାନଙ୍କୁ ଦମନ କରି ଶ୍ରୀଜଗନ୍ନାଥଙ୍କ ସେବାରେ ସମ୍ପୂର୍ଣ୍ଣ ନିମଗ୍ନ ଥାଏ ସିଏ ହିଁ ମାହାରୀ ଅଟେ । ପୁନଶ୍ଚ କେତେକ ଆଲୋଚକଙ୍କ ମତରେ ‘ମଞ୍ଜରୀ’ ଶବ୍ଦ ଅପଭ୍ରଂଶ ହୋଇ ମାହାରୀ ଶବ୍ଦର ସୃଷ୍ଟି ହୋଇଛି । ମଞ୍ଜରୀ ଅର୍ଥ କଢ଼ି ବା କଳିକା । ଅର୍ଥାତ୍ ଅପ୍ରାପ୍ତ ବୟସ୍କା ବାଳିକାକୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅର୍ପଣ କରି ଦେବଦାସୀର ମର୍ଯ୍ୟାଦା ପ୍ରଦାନ କରିବା । ଶ୍ରୀମନ୍ଦିରର ପ୍ରଥା ଅନୁସାରେ ୬ ରୁ ୯ ବର୍ଷ ବୟସର ବାଳିକା ବା ମଞ୍ଜରୀ ଏଥିପାଇଁ ଯୋଗ୍ୟା ବିବେଚିତ ହେଉଥିଲେ ମନ୍ଦିର ପରିଛା ତାଙ୍କୁ ପରୀକ୍ଷା କରି ରାଜାଙ୍କ ଅନୁମୋଦନ ପାଇ ରଖୁଥିଲେ । ରାଜ ଅନୁମତି ପ୍ରାପ୍ତି ପରେ ଭିତରଛ ମହାପାତ୍ର, ତଳୁଛ ମହାପାତ୍ର, ପ୍ରଭୃତିଙ୍କୁ ମଞ୍ଜରୀ ନିଯୁକ୍ତି ସମ୍ପର୍କରେ ସୂଚନା ଦିଆଯାଉଥିଲା । ତାପରେ ଏକ ସ୍ୱତନ୍ତ୍ର ଉତ୍ସବରେ ପୂଜାପଣ୍ଡା ତାଙ୍କୁ ଠାକୁରଙ୍କ ସମ୍ମୁଖରେ ଦୀକ୍ଷା ଦାନ କରୁଥିଲେ । ଏହାପରେ ଶ୍ରୀଜଗନ୍ନାଥଙ୍କ ସହ ବିବାହ ସମ୍ପନ୍ନ ହେଉଥିଲା ।

 

ଶ୍ରୀଜଗନ୍ନାଥ ମନ୍ଦିରର ମାହାରୀମାନେ ବ୍ରହ୍ମଚାରିଣୀ ଭାବରେ ମର୍ଯ୍ୟାଦା ପାଇବା ସହିତ ଅଖଣ୍ଡ ସୌଭାଗ୍ୟବତୀ ଭାବରେ ଜୀବନ ନିର୍ବାହ କରୁଥିଲେ । ଏମାନଙ୍କ ଜୀବନ ଥିଲା ସାମଗ୍ରିକ ଭାବରେ ଶ୍ରୀଜଗନ୍ନାଥଙ୍କ ପ୍ରତି ସମର୍ପିତ । ଅନ୍ୟାନ୍ୟ ଅଞ୍ଚଳର ମନ୍ଦିରରେ ଯେ କେହି ଦେବଦାସୀ ଭାବରେ ନିଯୁକ୍ତ ହେବାପରି ପୁରୀ ଶ୍ରୀମନ୍ଦିରରେ ମାହାରୀ ପରମ୍ପରାରେ ସେ ବ୍ୟବସ୍ଥା ନ ଥିଲା । ମାହାରୀ ସେବା ଥିଲା ଏକ ବଂଶାନୁକ୍ରମିକ ସେବା । ଏହି ପରମ୍ପରାକୁ ବଜାୟ ରଖିବାପାଇଁ ମାହାରୀମାନେ ପୋଷ୍ୟକନ୍ୟା ଗ୍ରହଣ କରି, ଅତି ଅଳ୍ପ ବୟସରୁ ନୃତ୍ୟ ଓ ସଙ୍ଗୀତ ଶିକ୍ଷା ପ୍ରଦାନ କରୁଥିଲେ । ପରେ ଶ୍ରୀଜଗନ୍ନାଥଙ୍କ ସହିତ ପାଳିତା କନ୍ୟାଙ୍କ ସହିତ ବିବାହ ଉତ୍ସବ ଅନୁଷ୍ଠିତ ହେଉଥିଲା (ଶାଢ଼ିବନ୍ଧା) ।

 

ମାହାରୀମାନଙ୍କ ସେବାପୂଜାକୁ ଲକ୍ଷ୍ୟକଲେ ବୁଝି ହେଉଥିଲା, ଏମାନେ ହିଁ ଥିଲେ ଜୀବନ୍ତ ଲକ୍ଷ୍ମୀ ବା ମାନବଦେହଧାରୀ ଶ୍ରୀଜଗନ୍ନାଥଙ୍କ ସପତ୍ନୀ । ଏହି କାରଣରୁ ମାହାରୀପରି ଏକ ମର୍ଯ୍ୟାଦାବନ୍ତ ସେବାଗ୍ରହଣ କରିବାକୁ ବହୁ ଉଚ୍ଚବଂଶଜ କନ୍ୟାମାନେ ଆଗେଇ ଆସୁଥିଲେ ।

 

ସାରା ଭାରତରେ ଶ୍ରୀଜଗନ୍ନାଥ ମନ୍ଦିର ହିଁ ଏକମାତ୍ର ସ୍ଥାନ ଯେଉଁଠି ଦେବଦାସୀମାନେ କେବଳ ନୃତ୍ୟ, ଗୀତ ସେବା ମଧ୍ୟରେ ସୀମାବଦ୍ଧ ନ ଥିଲେ । ଏମାନେ ବହୁ ସ୍ୱତନ୍ତ୍ର ପର୍ବପର୍ବାଣିରେ ସ୍ୱତନ୍ତ୍ର ଭୂମିକାରେ ଅବତୀର୍ଣ୍ଣା ହେଉଥିଲେ । ଯେଉଁ ପ୍ରକାର ସେବା ଏବଂ ରୀତିନୀତି ମାହାରୀମାନଙ୍କୁ ସ୍ୱାତନ୍ତ୍ର‌୍ୟ ପ୍ରଦାନ କରିଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ଯଥା- ଶ୍ରୀମନ୍ଦିରର ନନ୍ଦଉତ୍ସବରେ ମାତା ଯଶୋଦାର ଭୂମିକା, ରଥଯାତ୍ରା କାଳରେ, ବିଶେଷତଃ ହେରାପଞ୍ଚମୀ ଦିନ ମାନମୟୀ ଲକ୍ଷ୍ମୀ । ଝୁଲଣ ଯାତ୍ରାରେ ଯୁବତୀ ଗୋପୀକା, ବଡ଼ସିଂହାର କାଳରେ ଶଯ୍ୟସଙ୍ଗୀନୀର ଭୂମିକା ମାହାରୀମାନେ ହିଁ ନିର୍ବାହ କରୁଥିଲେ । ଏତଦ୍‌ଭିନ୍ନ ଦୋଳପୂର୍ଣ୍ଣିମାରେ ଜଗନ୍ନାଥଙ୍କ ପ୍ରତିନିଧି ମୁଦିରସ୍ତଙ୍କ ସହିତ ଲକ୍ଷ୍ମୀଙ୍କ ପ୍ରତିନିଧି ଭାବରେ ଫଗୁଖେଳ ଥିଲା ଏମାନଙ୍କ ସେବାର ଧାରା । ଅନ୍ୟ ଭାବରେ କହିଲେ ମାହାରୀ ଥିଲେ ଶ୍ରୀଜଗନ୍ନାଥଙ୍କ ପ୍ରାଣପ୍ରିୟା-ହ୍ଲାଦିନୀ ଶକ୍ତି ରୂପେ କଳ୍ପିତା ।

 

ସ୍କନ୍ଦପୁରାଣ ଉତ୍କଳଖଣ୍ଡ, ନୀଳାଦ୍ରି ମହୋଦୟ, ମାଦଳାପାଞ୍ଜି ଆଦିରେ ଶ୍ରୀଜଗନ୍ନାଥଙ୍କର ନିତ୍ୟପୂଜାର ଅଙ୍ଗ ଭାବରେ ମାହାରୀମାନେ ବର୍ଣ୍ଣିତା ହୋଇଛନ୍ତି । ଏହା ବ୍ୟତୀତ ଅଗ୍ନିପୁରାଣ, ବିଷ୍ଣୁପୁରାଣ, ପଦ୍ମପୁରାଣ ଏବଂ ବାମଦେବ ସଂହିତା ଆଦିରେ ରହିଥିବା ନୃତ୍ୟରୂପକ ପୂଜାବିଧିକୁ ଶ୍ରୀଜଗନ୍ନାଥ ମନ୍ଦିରରେ ମାହାରୀମାନଙ୍କଦ୍ୱାରା ସମ୍ପାଦିତ ହେଉଥିଲା ।

 

ମୋଟାମୋଟି ଭାବରେ କହିବାକୁ ଗଲେ ଦେବଦାସୀ ପରମ୍ପରାର ଐତିହ୍ୟରେ ମାହାରୀ ପରମ୍ପରାର ଏକ ସ୍ୱତନ୍ତ୍ର ଏବଂ ଉଜ୍ଜ୍ୱଳତମ ସ୍ଥାନ ରହିଛି ଯାହା ଅନସ୍ୱୀକାର୍ଯ୍ୟ ।

 

ଗ୍ରନ୍ଥ ସହାୟତା

 

୧.

ଓଡ଼ିଆ ସାହିତ୍ୟର ସାଂସ୍କୃତିକ ବିକାଶଧାରା-ଶ୍ରୀ ଚିତ୍ତରଞ୍ଜନ ଦାସ

 

 

୨.

ଜିଓଗ୍ରାଫି-ଷ୍ଟ୍ରବୋ ଦ୍ୱିତୀୟ ଖଣ୍ଡ ।

 

 

୩.

ଦ’ ସିଟି ଅଫ୍ ଗଡ୍-ସେଣ୍ଟ ଅଗଷ୍ଟାଇନ୍ (ଚତୁର୍ଥଭାଗ) ।

 

 

୪.

ମନ୍ଦିର ଭାସ୍କର୍ଯ୍ୟେ ଦେବଦାସୀ-ଅମୀୟ କୁମାର ବନ୍ଦୋପାଧ୍ୟାୟ ।

 

 

୫.

ସେକ୍‌ସୁଆଲ ଲାଇଫ୍ ଇନ୍ ଆନ୍‌ସିଆଣ୍ଟଗ୍ରୀସ୍-ଏଚ୍‌. ଲିଏଣ୍ଟ ।

 

 

୬.

ପ୍ରସଙ୍ଗ ଦେବଦାସୀ-ଶ୍ରୀମତୀ ଆରତି ଗାଙ୍ଗୁଲି ।

Image